ନକଲି ପୋଲିସ ପାଇଁ ଅସଲି ପୋଲିସ ସସପେଣ୍ଡ

ଭଦ୍ରକ : ଧରାପଡ଼ିଲା ନକଲି ପୋଲିସ, ଅସଲି ପୋଲିସ ନିଲମ୍ଵିତ। ଅସଲି ପୋଲିସଙ୍କ ନିର୍ଦ୍ଦେଶରେ ଫିଲଡକୁ ଯାଇ ଥିବା ନକଲି ପୋଲିସ ଧରାପଡ଼ିବା ପରେ ହୋଇଛି ଆକ୍ସନ। ଅସଲି ପୋଲିସକୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକର। ଭଦ୍ରକ ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତିକ ଜେନାଙ୍କୁ ସସପେଣ୍ଡ କରିଛନ୍ତି ଏସପି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁର ଏକ ପାରିବାରିକ କଳହ ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା।
ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ତଦନ୍ତ ପାଇଁ ନିଜେ ଗାଁକୁ ନ ଯାଇ ଧୁଷୁରୀ ଥାନା ଖପରା ପଦାର ପିୟୁଷ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କୁ ପଠାଇଥିଲେ। ସେହି ଯୁବକ ଜଣକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାର ଅଭିନୟ ବି କରିଥିଲେ। ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ଏହାକୁ ନେଇ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଥିଲେ ଓ ପୋଲିସକୁ ଡାକିଥିଲେ। ଏହା ପରେ ସବୁ କଥା ଜଣାପଡ଼ିଥିଲା। ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚରା କରାଯାଇଥିଲା। ଏହି ଘଟଣାକୁ ନେଇ ସବଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ଏସପି ସସପେଣ୍ଡ କରିଛନ୍ତି।