spot_img

Latest Posts

ଖତଖାଉଛି କୋଟିକୋଟି ଟଙ୍କାରେ ନିର୍ମିତ ଶିକ୍ଷାନୁଷ୍ଠାନ କମ୍ପ୍ଲେକ୍ସ

ଗୁଣୁପୁର : ଖତଖାଉଛି ଶିକ୍ଷାନୁଷ୍ଠାନ କମ୍ପ୍ଲେକ୍ସ । ଉଦଘାଟନର ଦୀର୍ଘ ବର୍ଷ ପରେ ବି ହୋଇପାରୁନି କାର୍ଯ୍ୟକ୍ଷମ । ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି କୋଟିକୋଟି ଟଙ୍କାର ଭିତ୍ତିଭୂମି । ଜଙ୍ଗଲ ପାଲଟିଗଲାଣି ବିଲ୍ଡିଂ ପରିସର । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଲାଞ୍ଜିଆସୌରା ଅଞ୍ଚଳ ଆବାଡାରେ ଆଦିବାସୀ ପିଲାଙ୍କ ରହିବା ପଢିବା ସହ କର୍ମଚାରୀଙ୍କ ରହଣି ପାଇଁ ନିର୍ମାଣ ହୋଇଥିଲା ଏହି ଏଜୁକେସନ କମ୍ପ୍ଲେକ୍ସ । ୫ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହୋଇଥିଲା । ୨୦୧୯ ଜୁଲାଇ ୮ ତାରିଖରେ କୋଠାଟିକୁ ଉଦଘାଟନ ମଧ୍ୟ କରାଯାଇଥିଲା । ହେଲେ ଆଜି ଯାଏଁ କୋଠାଟି କାର୍ଯ୍ୟକ୍ଷମ ହୋଇପାରିନି ।

ଶିକ୍ଷାନୁଷ୍ଠାନ କୋଠାଟି ଖୋଲା ମେଲା ହୋଇ ପଡିଥିବାରୁ କୋଠରୀ ମାନଙ୍କରୁ ବିଦ୍ୟୁତ ସରଞ୍ଜାମ ଓ ସୋଲାର ବ୍ୟାଟେରୀ ମଧ୍ୟ ଚୋରି ହୋଇଗଲାଣି । ସ୍କୁଲ କୋଠା ଭିତରକୁ ଲତା ବୁଦା ମାଡିଗଲାଣି । ପକ୍ଷୀ ମାନଙ୍କ ଆଶ୍ରୟ ସ୍ଥଳ ପାଲଟିଗଲାଣି । ଖାଲି ଏତିକି ନୁହେଁ ସ୍କୁଲ ପରିସରରେ କିଛି ଲୋକ କପା ଚାଷ ବି କଲେଣି । ଏନେଇ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେଣି ହେଲେ ଫଳ ଶୂନ । ଏପଟେ ଖୁବଶୀଘ୍ର ବିଲ୍ଡିଂଟିକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ । ଭୂତକୋଠି ପାଲଟିଥିବା ଏହି କୋଠାର ଭବିଷ୍ୟତ କେବେ ଖୋଲିବ ? କେବେ ବିଦ୍ୟାର୍ଥୀ ସେଠାରେ ପାଠ ପଢିବେ ? ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss