ବାଡ଼ ଖାଉଛି କ୍ଷେତ । ଚାଷୀଙ୍କ ବୀମା ଟଙ୍କା କରାଯାଉଛି ହଡ଼ପ । ଜମି ନଥିବା ଲୋକଙ୍କ ନାଁରେ ଲୋନ କରି ପକେଟ ଗରମ କରୁଛନ୍ତି ଖୋଦ ସଂପାଦକ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସାନହୁଲା ସେସାଇଟିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଚାଷୀଙ୍କୁ କୌଣସି ପ୍ରକାର ସହଯୋଗ ବି କରୁନି ସେବା ସମବାୟ ସମିତି । ଅଞ୍ଚଳରେ ମାତ୍ରାଧିକ ଧାନ ଚାଷୀ ଥିବାବେଳେ ଠିକ ସମୟରେ ମଣ୍ଡି ଖୋଲାଯାଉ ନାହିଁ । ବାଧ୍ୟ ହୋଇ ଚାଷୀମାନେ ବିଲରେ ଧାନ ଗଚ୍ଛିତ କରି ରଖୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
୨୦୨୨ ମସିହାରେ ବାଲିପଟା ଗାଁର ହଜାର ହଜାର ଚାଷୀଙ୍କ ଫସଲ ବୀମା କରାଯାଇଥିଲା । ସେତେବେଳେ ଚାଷୀମାନେ ପିମିୟମ ଭରିଥିଲେ । ହେଲେ ଚାଷୀଙ୍କୁ ନା ବୀମା ଟଙ୍କା ମିଳିଲା ନା ପ୍ରିମିୟମ ଫେରସ୍ତ ହେଲା । ଲକ୍ଷ ଲକ୍ଷ ଟଙ୍କା ସେବା ସମବାୟ ସମିତି ସମ୍ପାଦକ ଖାଇଯାଇଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ସଂଯୁକ୍ତ ସମବାୟ ବ୍ୟାଙ୍କର ଚିଫ ଏକଜ୍ୟୁକେଟିଭ ଅଫିସର । ପୂର୍ବ ସରକାର ଚାଷୀଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରୁଥିଲେ । ଏବେ କିଛି ଦୁର୍ନୀତିଖୋର ଅଫିସର ଚାଷୀଙ୍କ ଟଙ୍କା ହଡପ କରୁଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଘଟଣାକୁ ନିନ୍ଦା କରାଯାଉଛି ।

