ଭୁବନେଶ୍ବର : ବିମାନ ସେବାକୁ ବଡ଼ ଝଟକା । ଭୁବନେଶ୍ବରକୁ କଟିଲା ଦୁଇଟି ବିମାନ ବନ୍ଦରର ସଂଯୋଗ। ଲକ୍ଷ୍ନୌ ଓ ଜୟପୁରକୁ ବନ୍ଦ ହେଲା ବିମାନ ସେବା। ଏଣିକି ଏହି ଦୁଇ ସହରକୁ କନେକ୍ଟିଂ ଫ୍ଲାଇଟରେ ଯିବାକୁ ପଡ଼ିବ। ଯାହା ଯାତ୍ରୀଙ୍କ ପାଇଁ ସାଜିବ ମହଙ୍ଗା। ପୂର୍ବରୁ ଭୁବନେଶ୍ବର ସହ ୩୦ଟି ସହରକୁ ସିଧାସଳଖ ବିମାନ ସଂଯୋଗୀକରଣ ଥିଲା। ହେଲେ ଏବେ ଏହା କମି ୨୮ରେ ପହଞ୍ଚିଛି। ଗତ ବର୍ଷ ଶେଷ ଆଡ଼କୁ ବିମାନ ସେବା ବନ୍ଦ ହୋଇଥିଲେ ବି ଯାତ୍ରୀ ସେବାକୁ ପ୍ରଭାବିତ କରିନି। ଗତ ବର୍ଷ ପ୍ରଥମ ଥର ପାଇଁ ରେକର୍ଡ ୫.୧୫ ମିଲିୟନ ଯାତ୍ରୀ ଭୁବନେଶ୍ବର ଯିବା ଆସିବା କରିଥିଲେ। ଯାହା ଦେଶରେ ୧୩ ତମ। ୭୦ ମିଲିୟନ ଯାତ୍ରୀ ସହ ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ। ଇଣ୍ଡିଗୋ ବିବାଦ ପରେ ମାନବ ସମ୍ବଳ ସାଙ୍ଗକୁ ଫ୍ଲାଇଟ ଅଭାବ ରହିଲାଣି। ତାସାଙ୍ଗକୁ ଫେବ୍ରୁଆରୀରେ କୁହୁଡି ସମ୍ଭାବନା ରହିଛି। ଯାହା ଉତ୍ତର ଭାରତ ସହ ଭୁବନେଶ୍ବରରୁ ବିମାନ ସେବାକୁ ପ୍ରଭାବିତ କରିବ। ଲକ୍ଷ୍ନୌକୁ ବିମାନ ସେବା ବନ୍ଦ ହେବା ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ବି ବହୁ ମାତ୍ରାରେ କମିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଭୁବନେଶ୍ବରରକୁ ଅଧିକ ବିମାନ ଚଳାଚଳର ଆବଶ୍ୟକତା ଅନୁଭବ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।
ସେପଟେ ଏହି ଦୁଇଟି ସହରକୁ ବିମାନ ସେବା ବନ୍ଦ ହେବା ପରେ ବଢ଼ିଛି ଟୁର୍ ଅପରେଟରଙ୍କ ଚିନ୍ତା। ଏଭଳି ସ୍ଥିତି ଲାଗି ରହିଲେ, ପୂର୍ବରୁ ହୋଇଥିବା ବୁକିଂ କଣ ହେବ। କେହି ବି ଅଧିକ ଟଙ୍କା ଦେଇ କନେକ୍ଟିଂ ଫ୍ଲାଇଟରେ ଯିବାକୁ ଚାହିଁବେନି। ସଂପୂର୍ଣ୍ଣ ଟଙ୍କା ଫେରାଇଲେ କ୍ଷତି ସହିବେ ଟୁର ଅପରେଟର। ଯଦି ଲକ୍ଷ୍ନୌ ଓ ଜୟପୁରକୁ ପୁଣି ବିମାନ ସେବା ସଂଯୋଗ ହୁଏ, ପାଖାପାଖି ଅଧିକ ୩ ଲକ୍ଷ ଯାତ୍ରୀ ସୁବିଧା ପାଇବେ। ଗତ ମାସ ଡିସେମ୍ବର ୩୦ରୁ ଜାନୁଆରୀ ୧ ତାରିଖ ଯାଏଁ ଦେଢ଼ ଲକ୍ଷ ଯାତ୍ରୀ ଅଯୋଧ୍ୟା ରାମ ମନ୍ଦିର ପାଇଁ ବୁକିଂ କରିଥିଲେ। ହେଲେ ବିମାନ ଚଳାଚଳ ପ୍ରଭାବିତ ହେବାରୁ କମିବାରେ ଲାଗିଲାଣି ଯାତ୍ରୀଙ୍କ ସଂଖ୍ୟା। ସମୟ ବଞ୍ଚାଇବାକୁ ବିମାନରେ ଯିବାକୁ ପସନ୍ଦ କରନ୍ତି ଲୋକେ। ତେବେ ଓଡ଼ିଶାରୁ ବିଭିନ୍ନ ସ୍ଥାନକୁ ସିଧାସଳଖ ବିମାନ ସେବା ଥିବାରୁ, ଯାତ୍ରୀଙ୍କ ସଂଖ୍ୟା ବଢୁଥିଲା। ହେଲେ ଏବେ କନେକ୍ଟିଂ ଫ୍ଲାଇଟ ଯୋଗୁଁ ଦୁଇ ଦୁଇଟି ବିମାନ ବନ୍ଦରର ଟିକେଟ ଖର୍ଚ୍ଚ ଯାତ୍ରୀଙ୍କୁ ବହନ କରିବାକୁ ପଡ଼ିବ। ଯାହା ଲୋକଙ୍କ ଉପରେ ମହଙ୍ଗା ମାଡ଼ ହେବାର ଆଶଙ୍କା ରହିଛି।

