ନନ୍ଦିଘୋଷ ବ୍ୟୁରୋ ; ଖୁବ୍ ଶୀଘ୍ର ରୁଷ-ୟୁକ୍ରେନ ଯୁଦ୍ଧରେ ଘଟିପାରେ ଅନ୍ତ। ଆବୁଧାବିରେ ଆମେରିକା, ୟୁକ୍ରେନ ଓ ରୁଷର ଦୂତମାନଙ୍କ ହାଇପ୍ରୋଫାଇଲ ବୈଠକ। ପ୍ରଥମ ଥର ଲାଗି ଏହି ବୈଠକରେ ୪ ବର୍ଷର ରକ୍ତକ୍ଷୟୀ ଯୁଦ୍ଧର ଅବସାନ ନେଇ ହୋଇଛି ଆଲୋଚନା। ଶାନ୍ତି ପ୍ରତିଷ୍ଠା ନିମନ୍ତେ ଡାଭୋସରୁ କ୍ରେମଲିନ ଯାଏ ବିଭିନ୍ନ ପର୍ଯ୍ୟାୟରେ କୂଟନୈତିକ ଆଲୋଚନା ପରେ ଆବୁଧାବିରେ ଏହି ବୈଠକ ବସିଥିଲା। ଯୁଦ୍ଧର ଅନ୍ତ ଘଟାଇବା ଲାଗି ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିଷ୍ପତ୍ତିରେ ଏହି ବୈଠକ ହୋଇଛି। ବିଶେଷ କରି ସୀମାଗତ ଅଧିକାର ପ୍ରସଙ୍ଗରେ ରୁଷ ନିଜ ଜିଦରେ ଅଟଳ ରହିଥିବାବେଳେ ୟୁକ୍ରେନ ଏହାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ। ସୁଇଜରଲାଣ୍ଡ ଡାଭୋସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଥିଲେ- ରୁଷ ସଦ ୟୁକ୍ରେନର ଶାନ୍ତି ଚୁକ୍ତି ଖୁବ୍ ଶୀଘ୍ର ହେବାକୁ ଯାଉଛି। ଦୁଇ ପକ୍ଷଙ୍କ ସହ ଆମେରିକା ପ୍ରତିନିଧିଙ୍କ ଆଲୋଚନା ସକାରାତ୍ମକ ଦିଗ ସୃଷ୍ଟି କରିଛି ବୋଲି କୁହାଯାଇଛି। ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ରେମଲିନରେ ଆମେରିକାର ସ୍ବତନ୍ତ୍ର ଦୂତ ଷ୍ଟିଭ ଉଇଟକଫଙ୍କ ସହ ଆଲୋଚନା କରିଥିଲେ।

