ଏରସମା : ଆବଡ଼ା ଖାବଡ଼ା ରାସ୍ତା । କେଉଁଠୁ କଂକ୍ରିଟ ବାହାରି ଯାଇଛି ତ ଆଉ କେଉଁଠି ବଡ ବଡ ଗର୍ତ୍ତ। ଏହି ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ନିଇତି ଯାତାୟାତ କରୁଛନ୍ତି ୨ଟି ପଞ୍ଚାୟତର ୧୦ହାଜର ରୁ ଉର୍ଦ୍ଧ ଲୋକେ। ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳର। ଓଲରାରୁ ଗଡହରିଶପୁର ମୟୂରଲାଞ୍ଜି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାର ଅବସ୍ଥା ଏପରି ଯେ, ବର୍ଷା ହେଲେ ଶହ ଶହ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ। । ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାର ଦୁରାବସ୍ଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଛି ।
୨ ବର୍ଷ ହେବ ରାସ୍ତା ସମସ୍ୟା ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିଙ୍କୁ ଜଣାଇଥିଲେ ସୁଦ୍ଧା ସମାଧାନ ହେଉନଥିବାବେଳେ ଖାଲି ମିଳୁଛି ଫମ୍ପା ପ୍ରତିଶୃତି। ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିଲେ ସୁଦ୍ଧା ତାଙ୍କ ନଜରକୁ ଆସିନାହିଁ। ଏନେଇ ଜଳ ସେଚନ ଓ ଲୁଣା ତଟବନ୍ଧ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାରୁ ଖୁବଶୀଘ୍ର ରାସ୍ତାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି।

