ନନ୍ଦିଘୋଷ ବ୍ୟୁରୋ : କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କରୋଡ଼ ସ୍ଥିତ LIC କାର୍ଯ୍ୟାଳୟରେ ଲାଗିଲା ନିଆଁ । ସକାଳୁ ସକାଳୁ ନିଆଁ ଲାଗିଥିବା ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ଦୁଇଟି ଟିମ୍ ଓ ବକ୍ସି ବଜାର ଫାୟାର ଷ୍ଟେସନ୍ ର ଗୋଟିଏ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ୨୨ ଜଣ ଫାୟାର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରଯାଇଥିଲା । ନିଆଁର ଭୟଭୟତା ଏତେ ଅଧିକ ନଥିଲେ ମଧ୍ୟ ପ୍ରାଥମିକ ସୂଚନାରୁ ଯାହା ଜଣାପଡ଼ିଛି ଯେ, LIC କାର୍ଯ୍ୟାଳୟରେ ଦୁଇଟି ରୁମରେ ଥିବା ସମସ୍ତ କାଗଜପତ୍ର ପୋଡ଼ି ଜଳି ନଷ୍ଟ ହୋଇଯାଇଛି । ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି LIC କାର୍ଯ୍ୟାଳୟରେ ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ବୋଲି ଫାୟାର ଅଫିସର ସିଧାସଳଖ ଭାବେ କହିଛନ୍ତି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି LIC ଅଫିସ୍ ର ଉପରିସ୍ଥ ଅଧିକାରୀ । ତେବେ କେତେ କ୍ଷୟକ୍ଷତି ହୋଇଛି ତାହାର ସଠିକ୍ ରିପୋର୍ଟ୍ ଆସି ନଥିବା ବେଳେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ତ ନଷ୍ଟ ହୋଇଛି ଏଥିରେ ସନ୍ଦେହ ନାହିଁ । କଟକରେ ଥିବା ସମସ୍ତ ଅଫିସ୍ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ସତ୍ତ୍ୱେ ମଧ୍ୟ ଏହାଉପରେ କେହି ଗୁରୁତ୍ଵ ଦେଉ ନାହାନ୍ତି । ଯାହା ଫଳରେ ଆଜି LIC କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ଲୋକେ ।

