ନନ୍ଦିଘୋଷ ବ୍ୟୁରୋ: ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ପ୍ରସଙ୍ଗ, ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି । ଅନ୍ୟ ଦୁଇ ଜଣ ସଦସ୍ୟ ହେଲେ ସଂସ୍କୃତି ବିଭାଗ ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗ ଉପ-ସଚିବ ସ୍ମିତା ପାଣି । ସାତ ଦିନ ମଧ୍ୟରେ ଏହି କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ଏ ସମ୍ପର୍କରେ କମିଟି ଗଠନ କରି ତଦନ୍ତ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି କମିଟି ଗଠନ କରାଯାଇଛି । ଏହି କମିଟି ମୁଦ୍ରଣ ଜନିତ ତ୍ରୁଟିର ତଦନ୍ତ କରି ଏହା କେଉଁ ସ୍ତରରେ ହୋଇଛି ଏବଂ କେଉଁ ଅଧିକାରୀ ବା ସଂସ୍ଥାମାନେ ଦାୟୀ ତାହା ନିର୍ଣ୍ଣୟ କରିବେ ।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁ ପିଲାମାନଙ୍କ ପାଠ ପଢାରେ ସମସ୍ୟା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏହା ଉପରେ କଡା ଆଭିମୁଖ୍ୟ ପ୍ରକାଶ କରି ଗତକାଲି ଏ ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଏହି ତ୍ରୁଟି ଗୁଡିକୁ ତୁରନ୍ତ ସୁଧାରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।