ନନ୍ଦିଘୋଷ ବ୍ୟୁରୋ: ପାର୍ବଣରେ ଶକ୍ତି ଆରାଧନା । ଚଳଚଞ୍ଚଳର ରାଜ୍ୟର ସମସ୍ତ ଶକ୍ତପୀଠ । ମୂଳାଷ୍ଟମୀ ଠାରୁ ବିଜୟା ଦଶମୀ ଯାଏଁ ଚାଲିବ ଷୋଡ଼ଶ ଉପଚାର ପୂଜା । ଏଥିପାଇଁ କଟକର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସହରର ପ୍ରମୁଖ ପୀଠ କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ଭୂଆସୁଣୀ ଓ ଅନ୍ୟାନ୍ୟ ଶକ୍ତିପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି କରାଯାଇଛି । ମନ୍ଦିର ରଙ୍ଗ ଠାରୁ ଆରମ୍ଭ କରି ସମସ୍ତ ଆୟୋଜନ ଶେଷ ହୋଇଛି । ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଶନିବାର ମୂଳାଷ୍ଟମୀରେ ଶହସ୍ର କୁମ୍ଭାଭିଷେକ ଓ ଘଟ ସ୍ଥାପନ ହେବ । ଏହିଦିନ ମାଆ କଟକ ଚଣ୍ଡୀ ସୁନା ବେଶରେ ଦର୍ଶନ ଦେବେ । ସେହିଭଳି ଗଡ଼ଚଣ୍ଡୀଙ୍କ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୂଳାଷ୍ଟମୀ ଦିନ ଶହସ୍ର କୁମ୍ଭାଭିଶଷେକ ଓ ଘଟ ସ୍ଥାପନ ସହ ଚାନ୍ଦି ବେଶରେ ଦର୍ଶନ ଦେବେ ମାଆ ଗଡଚଣ୍ଡୀ । ଅନ୍ୟପଟେ ଷୋଡ଼ଶ ଉପଚାର ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ । ୧୬ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସ୍ୱତନ୍ତ୍ର ପୂଜାରେ ମାଆଙ୍କୁ ବିଭିନ୍ନ ରୂପରେ ଦର୍ଶନ କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ବିଶେଷକରି ଦୁର୍ଗାପୂଜା ଆସିଲେ କଟକ ସହରର ପରିବେଶ ଉତ୍ସବମୁଖର ହୋଇଉଠେ । ଦୂରଦୂରାନ୍ତରେ ରହୁଥିବା ଅତିଥି ଓ ପ୍ରିୟଜନ ଘରକୁ ଫେରିଆସନ୍ତି । ପରିବାର, ବନ୍ଧୁବାନ୍ଧବଙ୍କ ସହ ଏକାଠି ହୋଇ ପୂଜାର ଆନନ୍ଦ ନେବା ସହ ବିଭିନ୍ନ ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଥାନ୍ତି । ଏହାସହ କଟକ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଶକ୍ତିପୀଠ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ନେଇଥାନ୍ତି । କଟକ ବାସିନ୍ଦାଙ୍କ ପାଇଁ ଦୁର୍ଗାପୂଜା କେବଳ ଏକ ପର୍ବ ନୁହେଁ, ବରଂ ଏହା ସହ ଜଡ଼ିତ ରହିଛି ଭାବନା, ପରମ୍ପରା ଓ ଭାଇଚାରା ।

