spot_img
Home Blog

ବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍‌ ଉପରେ କଟକ ପରିବହନ ବିଭାଗର ଚଢ଼ାଉ, ୩ଟି ବସ୍‌ ଜବତ

ନନ୍ଦିଘୋଷ ବ୍ୟୁରୋ : ବେଆଇନ ଭାବେ ଚାଲୁଥିବା ସ୍କୁଲ ବସ୍‌ ବିରୋଧରେ କଟକ ପରିବହନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୋମବାର ସକାଳୁ ଜାତମୁଣ୍ଡିଆ ଛକ ନିକଟରେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍କୁଲ ନେଇ ଯାଉଥିବା ‘ଆଦିତ୍ୟ’ ନାମକ ୩ଟି ଘରୋଇ ବସ୍‌ ଉପରେ ଚଢ଼ାଉ କରାଯାଇଥିଲା। କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଓ ଅନ୍ୟ ଅଧିକାରୀମାନେ ଚଢ଼ାଉ କରି ୩ଟି ବସ୍‌କୁ ଜବତ କରିଛନ୍ତି। ଯାଞ୍ଚ ବେଳେ ୨ଟି ବସ୍‌ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍‌ର ଫିଟନେସ୍‌ ନଥିବା ଜଣାପଡ଼ିଥିଲା।

ଜବତ ହୋଇଥିବା ବସ୍‌ ମଧ୍ୟରୁ ଗୋଟିଏକୁ ସିଜ୍‌ କରି ନରାଜସ୍ଥିତ ପରିବହନ କାର୍ଯ୍ୟାଳୟକୁ ପଠାଯାଇଛି। ଅନ୍ୟ ୨ଟି ବସ୍‌ ଜାତମୁଣ୍ଡିଆ ପେଟ୍ରୋଲ ପମ୍ପ ନିକଟରେ ରଖାଯାଇଛି। ପରିବହନ ବିଭାଗର ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଏହି ବସ୍‌ଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବସ୍‌ ଜବତ ହେବା ପରେ ରାସ୍ତା କଡ଼ରେ ଖରାରେ ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା।

ପୁଣି ଚିନ୍ତା ବଢ଼ାଇଲା H1N1 ମାମଲା, ଦିଲ୍ଲୀ-ଏନସିଆରରେ ୫୪% ପରିବାର ଆକ୍ରାନ୍ତ!

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଉଥିବା H1N1 ମାମଲା ଚିନ୍ତାର କାରଣ; ସର୍ଭେରେ ୫୪% ପରିବାରରେ ଫ୍ଲୁର ଲକ୍ଷଣ ମିଳିଛି ।

ଦିଲ୍ଲୀରେ ଅଗଷ୍ଟ ୨୦ତାରିଖରେ ୧୫୯ ଟି ନୂତନ ଇନଫ୍ଲୁଏଞ୍ଜା ମାମଲା ରିପୋର୍ଟ ହୋଇଛି, ଯେଉଁଥିରୁ ୧୧୪ ଟି H1N1 ମାମଲା ଥିଲା। ରାଜଧାନୀରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨,୩୯୨ଟି ଇନଫ୍ଲୁଏଞ୍ଜା-A ମାମଲା ରେକର୍ଡ ହୋଇଛି, ଯାହା ଗତ ବର୍ଷ H1N1 ର ୨୨୯ ଟି ମାମଲା ଥିଲା।

ଜାତୀୟ ରାଜଧାନୀରେ H1N1 (ସ୍ୱାଇନ୍ ଫ୍ଲୁ)ର ବର୍ଦ୍ଧିତ ମାମଲା ମଧ୍ୟରେ, ଦିଲ୍ଲୀ ସରକାର ଲୋକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛନ୍ତି, ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ପାଳନ କରିବାକୁ, ଭିଡ଼ ସ୍ଥାନକୁ ଏଡାଇବାକୁ ଏବଂ ସମୟ ମଧ୍ୟରେ ଡାକ୍ତରୀ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି। ଗତକାଲି, ରବିବାର (୨୩ ଅଗଷ୍ଟ) ଲୋକାଲସର୍କଲ୍ସ ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ ଦିଲ୍ଲୀ-ଏନସିଆରରେ ପ୍ରାୟ ୫୪% ପରିବାରରେ ଅତି କମରେ ଜଣେ ସଦସ୍ୟ ଫ୍ଲୁ କିମ୍ବା ଭାଇରାଲ୍ ଜ୍ୱର ଭଳି ଲକ୍ଷଣ ଅନୁଭବ କରୁଛନ୍ତି।

ଏହି ତଥ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଦିଲ୍ଲୀରେ ଋତୁକାଳୀନ ଇନଫ୍ଲୁଏଞ୍ଜା ଏବଂ H1N1 ମାମଲା ବୃଦ୍ଧି ପାଉଛି, ଯଦିଓ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କହିଛି ଯେ ଦେଶରେ H1N1ର କୌଣସି ନୂତନ ଷ୍ଟ୍ରେନ ମିଳିନାହିଁ।

ICMR କହିଛି ଯେ H1N1 ର କୌଣସି ନୂତନ ପ୍ରଜାତି ମିଳିନାହିଁ। ମାମଲା ବୃଦ୍ଧି ନେଇ ଚିନ୍ତା ମଧ୍ୟରେ, ICMR ରବିବାର କହିଛି ଯେ ଦେଶରେ ଇନଫ୍ଲୁଏଞ୍ଜା A (H1N1) ର କୌଣସି ନୂତନ ପ୍ରଜାତି ମିଳିନାହିଁ ଏବଂ ଲୋକମାନଙ୍କୁ ସଂଯମତା ବଜାୟ ରଖିବାକୁ ଅପିଲ କରିଛି। ଜଣେ ICMR ବୈଜ୍ଞାନିକ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଘୂର୍ଣ୍ଣନ କରୁଥିବା H1N1 ଭାଇରସ A/Missouri/୧୧/୨୦୨୫ (H1N1) pdm0୯ ଷ୍ଟ୍ରେନ୍ ସହିତ ସମାନ ଏବଂ ୨୦୨୫ ମସିହାରୁ ଘୂର୍ଣ୍ଣନ କରୁଛି।

ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ଥଣ୍ଡା ଏବଂ ଥକ୍କା ଲାଗିବା ଅନ୍ତର୍ଭୁକ୍ତ। ICMR ଋତୁକାଳୀନ ଇନଫ୍ଲୁଏଞ୍ଜାକୁ “ପ୍ରାୟତଃ ସ୍ୱୟଂ-ସମାଧାନ ରୋଗ” ଭାବରେ ବର୍ଣ୍ଣନା କରେ, ଅଧିକାଂଶ ଲୋକ ଉପଯୁକ୍ତ ଯତ୍ନ ଏବଂ ବିଶ୍ରାମ ସହିତ ସୁସ୍ଥ ହୁଅନ୍ତି। ତଥାପି, ଛୋଟ ପିଲା, ବୃଦ୍ଧ ଏବଂ ପୂର୍ବରୁ ଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିମାନେ ଗମ୍ଭୀର ଜଟିଳତାର ଅଧିକ ଆଶଙ୍କାରେ ଥାଆନ୍ତି।

ଆଜିଠାରୁ ନୂଆ SIM ନିୟମ: ୯ଟିରୁ ଅଧିକ ମୋବାଇଲ୍ କନେକ୍ସନ୍ ଥିଲେ ମିଳିବନି ନୂଆ SIM

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଲାଗୁ ହେବ ନୂଆ ସିମ୍‌କାର୍ଡ ନିୟମ। ଏଣିକି ମନଇଚ୍ଛା ନେଇପାରିବେନି ନୂଆ ସିମ୍। ଆପଣଙ୍କ ନାଁରେ ଅନୁମୋଦିତ ସୀମା ପୂର୍ବରୁ ପୂରଣ ହୋଇସାରିଥିଲେ, ଆଉ ନୂଆ ମୋବାଇଲ୍ କନେକ୍ସନ୍ ଦେବେନାହିଁ ଟେଲିକମ୍ କମ୍ପାନୀ। ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛି ଦୂରସଞ୍ଚାର ବିଭାଗ ବା DoT। ଏନେଇ ଅଗଷ୍ଟ ୧୭ ତାରିଖରେ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ସାଧାରଣ ଭାବେ, ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରହିପାରିବ। ଏହି ସୀମା ସମସ୍ତ ଟେଲିକମ୍ ଅପରେଟର୍ ଏବଂ ଟେଲିକମ୍ ସର୍କଲ୍‌କୁ ମିଶାଇ ଲାଗୁ ହେବ। କିନ୍ତୁ ଜମ୍ମୁ-କଶ୍ମୀର, ଆସାମ ଏବଂ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟରେ ଏହି ସୀମା ୬ଟି କନେକ୍ସନ୍ ରହିଛି। ଅର୍ଥାତ୍, ଆପଣଙ୍କ ନାଁରେ ଗୋଟିଏ କମ୍ପାନୀର ୫ଟି ଏବଂ ଅନ୍ୟ ଏକ କମ୍ପାନୀର ୪ଟି ସିମ୍ ଥିଲେ ମଧ୍ୟ ମୋଟ ସଂଖ୍ୟା ୯ଟି ଭାବେ ଗଣାଯିବ।

ଆପଣ ନୂଆ ସିମ୍ ନେବାକୁ ଗଲେ, ଟେଲିକମ୍ କମ୍ପାନୀ ଯାଞ୍ଚ କରିବ ଯେ ଆପଣଙ୍କ ନାଁରେ ପୂର୍ବରୁ କେତୋଟି ମୋବାଇଲ୍ ନମ୍ବର ରହିଛି। ଏଥିପାଇଁ DoTର Digital Intelligence Platform (DIP) ବ୍ୟବହାର କରାଯିବ। ବିଭିନ୍ନ ଟେଲିକମ୍ କମ୍ପାନୀର ଗ୍ରାହକଙ୍କ ତଥ୍ୟକୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଯାଞ୍ଚ କରାଯିବ।

ନୂଆ କନେକ୍ସନ୍ ନେବା ସମୟରେ ଗ୍ରାହକଙ୍କୁ ନିଜ ନାଁରେ ପୂର୍ବରୁ ଥିବା ମୋବାଇଲ୍ ନମ୍ବର ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ। ଅନ୍ୟ ଟେଲିକମ୍ କମ୍ପାନୀରୁ କିମ୍ବା ଅନ୍ୟ ଟେଲିକମ୍ ସର୍କଲ୍‌ରୁ ନିଆଯାଇଥିବା ସିମ୍ ମଧ୍ୟ ଏଥିରେ ସାମିଲ ହେବ। ଯଦି ଯାଞ୍ଚ ପରେ ଜଣାପଡ଼େ ଯେ ଆପଣ ଅନୁମୋଦିତ ସୀମା ପୂରଣ କରିସାରିଛନ୍ତି, ତେବେ ଆଉ ନୂଆ ସିମ୍ ଦିଆଯିବ ନାହିଁ।

 

ଦେବୀ ମୁହାଣ ପୋତି ହୋଇ ବଢ଼ିଲା ବିପଦ, ଭାଙ୍ଗୁଛି ଟ୍ରଲର

ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରକୁ ଯିବା ବେଳେ ଦେବୀ ନଦୀ ନିକଟ ଦକ୍ଷିଣ ମୁହାଣରେ ଫସିଲା ଟ୍ରଲର। ମୁହାଣ ପୋତି ହୋଇଯିବାରୁ ଗୋଟିଏ ପରେ ଗୋଟିଏ ଟ୍ରଲର ବୋଟ ଭାଙ୍ଗି ଚୁରମାର ହେଉଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣର ଦକ୍ଷିଣ ପାର୍ଶ୍ୱ ବନ୍ୟା ପରେ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏବେ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବାଲିଚର ଓ ଘାସରେ ମୁହାଣ ପରିପୂର୍ଣ୍ଣ ହୋଇଥିବାରୁ ଟ୍ରଲର ଚଳାଚଳରେ ସମସ୍ୟା ଦେଖାଦେଇଛି। ବହୁ ଚେଷ୍ଟା ପରେ କିଛି ଟ୍ରଲର ଫେରିଆସୁଥିବା ବେଳେ ଉତ୍ତର ମୁହାଣ ଦେଇ ମଧ୍ୟ ବହୁ କଷ୍ଟରେ ସମୁଦ୍ରକୁ ଯାଉଛନ୍ତି ମତ୍ସ୍ୟଜୀବୀ। ବିପଦକୁ ଏଡ଼ାଇବା ପାଇଁ ଅନେକ ଟ୍ରଲର ମାଲିକ ସମୁଦ୍ର ଭିତରେ ଲଙ୍ଗର ପକାଇ ବୋଟ ରଖୁଛନ୍ତି। ତେବେ ବଡ଼ ବଡ଼ ଲହଡ଼ି ମାଡ଼ରେ ଟ୍ରଲର ବୁଡ଼ିଯିବା ସହ ଭାଙ୍ଗିଯାଉଥିବା ଅଭିଯୋଗ ରହିଛି।

ଗତ ୩ ବର୍ଷ ମଧ୍ୟରେ ଅନେକ ଟ୍ରଲର ବୁଡ଼ିବା ଓ ଭାଙ୍ଗିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି। ଟ୍ରଲର ମରାମତି ପାଇଁ ଅର୍ଥ ଅଭାବ ସାଙ୍ଗକୁ ବ୍ୟାଙ୍କ ଋଣର ବୋଝ ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇଛି। ସମୁଦ୍ର ସାମ୍ନାରେ ଥାଇ ମଧ୍ୟ ମୁହାଣ ସମସ୍ୟା ଯୋଗୁଁ ସମୁଦ୍ରକୁ ଯାଇପାରୁନାହାନ୍ତି ଅନେକ ମତ୍ସ୍ୟଜୀବୀ। ଏନେଇ ଅସ୍ତରଙ୍ଗ ନୂଆଗଡ଼ ଜେଠି ନିକଟରୁ ଅଧିକ ସୂଚନା ଦେଉଛନ୍ତି ଆମ କୋଣାର୍କ ପ୍ରତିନିଧି ମାନସ ଖଣ୍ଡୁଆଳ।

ଆସିବ ଡିଜିଟାଲ ପ୍ରେସ୍କ୍ରିପସନ୍ ଆପ୍

ନନ୍ଦିଘୋଷ ବ୍ୟୁରୋ : ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଖୁବଶୀଘ୍ର ଆସିବ ଡିଜିଟାଲ ପ୍ରେସ୍କ୍ରିପସନ୍ ଆପ୍। ABDM ବା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ଆରୋଗ୍ୟ ସେତୁ 2.0 ଆପ୍ ଲଞ୍ଚ ହେବାକୁ ଥିବା ବେଳେ, ଏହା ମାଧ୍ୟମରେ ଡିଜିଟାଲ ଭାବେ ପ୍ରେସ୍କ୍ରିପସନ୍ ସୁରକ୍ଷିତ ରଖିବାର ସୁବିଧା ମିଳିବ।

ସ୍କାନ୍ ଆଣ୍ଡ୍ ଶେୟାର ଡିଜିଟାଲ ଲକରରେ ରୋଗୀଙ୍କ ପ୍ରେସ୍କ୍ରିପସନ୍ ସୁରକ୍ଷିତ ଭାବେ ରହିପାରିବ। ଡିଜିଟାଲ ଯୁଗରେ ଟେକ୍ନୋଲୋଜିର ବ୍ୟବହାର ଉପରେ ସରକାର ଗୁରୁତ୍ୱ ଦେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି ଆବଶ୍ୟକତା ନଥାଇ ଆଣ୍ଟିବାୟୋଟିକ୍ ସେବନ ଉପରେ ନଜର ରଖିବାକୁ ସରକାର ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ଜଣେ ବ୍ୟକ୍ତି କେତେ ଥର ଓ କେତେ ପରିମାଣର ଆଣ୍ଟିବାୟୋଟିକ୍ ସେବନ କରୁଛନ୍ତି, ଡିଜିଟାଲ ପ୍ରେସ୍କ୍ରିପସନ୍ ମାଧ୍ୟମରେ ତାହାର ରେକର୍ଡ ରଖାଯାଇପାରିବ। ଏହା ଦ୍ୱାରା ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ ରୋକିବାରେ ସହାୟତା ମିଳିବ।

ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ପ୍ରବଳ ବର୍ଷାକୁ ନଜରରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗର ସତର୍କ ସୂଚନା ପରେ ଜିଲ୍ଲାପାଳମାନେ ସତର୍କତାମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଙ୍ଗନବାଡ଼ି କର୍ମୀ ଓ ସ୍କୁଲରେ ଶିକ୍ଷକମାନେ ଉପସ୍ଥିତ ରହିବେ। ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୮୯ଟି ସ୍କୁଲ ବନ୍ଦ ରହିବ। ଲଗାଣ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସ୍କୁଲରେ ତାଲା ପକାଇଲେ ଅଭିଭାବକ

ନନ୍ଦିଘୋଷ ବ୍ୟୁରୋ : ଶିକ୍ଷକ ଅଭାବକୁ ନେଇ ବଡ଼ମ୍ବାରେ ତୀବ୍ର ଅସନ୍ତୋଷ। ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ କମିଟି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବାରୁ ଶେଷରେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ଅଭିଭାବକମାନେ କହିଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରି ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ସେମାନେ।

କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଭଟ୍ଟାରିକା ନୋଡାଲ୍ ବିଦ୍ୟାପୀଠରେ ଏହି ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମ୍ୟ କମିଟି ପକ୍ଷରୁ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ କରାଯାଇଛି। ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

ମିଠା ଦୋକାନରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ ଆରମ୍ଭ କରିଛି BMC ସ୍ୱାସ୍ଥ୍ୟ ବିଭାଗ। ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ମିଠା ପ୍ରସ୍ତୁତିରେ ବ୍ୟବହୃତ ଛେନା, ପନିର ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଉଛି।

ବିଶେଷକରି କେମିକାଲ୍ କିମ୍ବା ଅସ୍ୱାସ୍ଥ୍ୟକର ଉପାୟରେ ପ୍ରସ୍ତୁତ ପନିର ଓ ଛେନା ବିକ୍ରି ହେଉଛି କି ନାହିଁ, ସେନେଇ ଟିମ୍‌ର ନଜର ରହିଛି। CRP ଛକ ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳର ମିଠା ଦୋକାନରେ ଏହି ଯାଞ୍ଚ ଜାରି ରହିଛି। ନିୟମ ଉଲ୍ଲଂଘନ କିମ୍ବା ନିମ୍ନମାନର ସାମଗ୍ରୀ ମିଳିଲେ ନମୁନା ସଂଗ୍ରହ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାର୍ବଣ ସମୟରେ ମିଠାର ଚାହିଦା ବଢ଼ୁଥିବାରୁ ନକଲି ଛେନା ଓ ପନିରର କାରବାର ଉପରେ ରୋକ୍ ଲଗାଇବାକୁ ଏହି ଚଢ଼ାଉ ଜୋରଦାର କରାଯାଇଛି। ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ଉପରେ BMC ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି।

ରହସ୍ୟ ଘେରରେ ‘ଓସେନ୍ ଓ୍ବିନର’ ବୁଡ଼ିବା ଘଟଣା, ୨୨ କ୍ରିୟୁ ସଦସ୍ୟ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ପାରାଦୀପରୁ ଲୁହାପଥର ନେଇ ଚୀନ୍ ଯାଉଥିବା ପଣ୍ୟବାହୀ ଜାହାଜ ‘ଓସେନ୍ ଓ୍ବିନର’ ବୁଡ଼ିଯିବା ଘଟଣା ଏବେବି ରହସ୍ୟ ଘେରରେ ରହିଛି। ଜାହାଜରେ ଥିବା ୨୪ ଜଣ କ୍ରିୟୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨୨ ଜଣଙ୍କର କୌଣସି ସନ୍ଧାନ ମିଳିନାହିଁ। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏକ୍ସରେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଦୁଇଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି। ଏହାପରେ ଜାହାଜଟି କେବଳ ନିଖୋଜ ହୋଇନାହିଁ, ବରଂ ମଝି ସମୁଦ୍ରରେ ବୁଡ଼ିଯାଇଥିବା ସ୍ପଷ୍ଟ ହୋଇଛି।

ତେବେ ଜାହାଜଟି କେଉଁ କାରଣରୁ ବୁଡ଼ିଲା, ତାହା ଏବେବି ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ଭାବେ ଓଦା ଲୁହାପଥର ବୋଝେଇ ଯୋଗୁଁ ଜାହାଜର ଓଜନ ବଢ଼ିଯାଇଥିବା ଏବଂ ଏହା ଫଳରେ ଜାହାଜ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଆଶଙ୍କା କରାଯାଉଛି। ତେବେ ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।

ସମୁଦ୍ର ଜୀବଜଗତ ପ୍ରତି ବଢ଼ିଲା ବିପଦ

ଜାହାଜ ବୁଡ଼ିଯିବା ପରେ ଏବେ ଆଉ ଏକ ଚିନ୍ତାର କାରଣ ହୋଇଛି ସମୁଦ୍ର ପ୍ରଦୂଷଣ। ଜାହାଜରେ ଥିବା ତେଲ ଏବଂ ବହନ କରାଯାଉଥିବା ଲୁହାପଥର ସମୁଦ୍ର ଜଳରେ ମିଶିଲେ ଜଳଜୀବ ଓ ସାମୁଦ୍ରିକ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇପାରେ। ଏହା ଦ୍ୱାରା ସାମୁଦ୍ରିକ ଜୈବ ବିବିଧତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ବ୍ୟସ୍ତ ସାମୁଦ୍ରିକ ରୁଟ୍‌ରେ ବିପଦ

‘ଓସେନ୍ ଓ୍ବିନର’ ଜୁଲାଇ ୨୦ ତାରିଖରେ ପାରାଦୀପ ବନ୍ଦର ଛାଡ଼ିଥିଲା। ଜୁଲାଇ ୨୧ ତାରିଖ ରାତିରେ ପାରାଦୀପଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ୍‌, ଅର୍ଥାତ୍ ପ୍ରାୟ ୩୮୪ କିଲୋମିଟର ଦୂରରେ, ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ନିକଟ ଭାରତୀୟ ଆନ୍ତର୍ଜାତୀୟ ଜଳସୀମା ନିକଟରେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହି ସାମୁଦ୍ରିକ ରୁଟ୍‌ ଦେଇ ବହୁ ସଂଖ୍ୟକ ପଣ୍ୟବାହୀ ଜାହାଜ ଯାତାୟାତ କରୁଥିବାରୁ ‘ଓସେନ୍ ଓ୍ବିନର’ ବୁଡ଼ିଯିବା ଘଟଣା ଅନ୍ୟ ଜାହାଜଗୁଡ଼ିକ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି। ଦୁର୍ଘଟଣାସ୍ଥଳରେ ବୁଡ଼ିଥିବା ଜାହାଜର ଅବସ୍ଥିତି ଏବଂ ସମ୍ଭାବ୍ୟ ତେଲ ଲିକ୍‌ ନେଇ ମଧ୍ୟ ଚିନ୍ତା ବଢ଼ିଛି।

୬୦ ଘଣ୍ଟା ପରେ ବି ନିଖୋଜ ୨୨ କ୍ରିୟୁ

ଜାହାଜ ବୁଡ଼ିବାର ୬୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ ୨୨ ଜଣ କ୍ରିୟୁ ସଦସ୍ୟଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇପାରିନାହିଁ। ଭାରତୀୟ କୋଷ୍ଟଗାର୍ଡର ୩ଟି ଜାହାଜ ସହ ନ୍ୟାଭି ପକ୍ଷରୁ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ତେବେ ପ୍ରତିକୂଳ ପାଗ ଓ ସମୁଦ୍ରର ଉତ୍ତାଳ ପରିସ୍ଥିତି ଉଦ୍ଧାର ଅଭିଯାନକୁ ଅଧିକ କଠିନ କରିଦେଇଛି।

ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ବଢ଼ୁଥିବା ବେଳେ ପାରାଦୀପ ବନ୍ଦର କିମ୍ବା କୋଷ୍ଟଗାର୍ଡ ପକ୍ଷରୁ ସ୍ପଷ୍ଟ ବୁଲେଟିନ୍‌ ଜାରି ନହେବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏପରି ସ୍ଥିତିରେ ଜାହାଜ ବୁଡ଼ିବାର ପ୍ରକୃତ କାରଣ, ନିଖୋଜ ୨୨ କ୍ରିୟୁ ସଦସ୍ୟଙ୍କ ସନ୍ଧାନ ଏବଂ ସାମୁଦ୍ରିକ ପରିବେଶ ଉପରେ ଏହାର ପ୍ରଭାବ—ଏହି ତିନୋଟି ଦିଗ ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହୋଇଛି।

ଭାରତୀୟ ପୁରୁଷ ହକି ଦଳର ଆଜି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ।

ନନ୍ଦିଘୋଷ ବ୍ୟୁରୋ : ହକି ବିଶ୍ବକପରେ ଭାରତୀୟ ପୁରୁଷ ହକି ଦଳ ପାଇଁ ଆଜି କର ବା ମର ସ୍ଥିତି । ଆଜି ନେଦରଲ୍ୟାଣ୍ଡର ଆମଷ୍ଟେଲଭିନର ୱାଗେନର ହକି ଷ୍ଟାଡିୟମରେ ଆର୍ଜେଣ୍ଟିନା ସହିତ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ ପୁରୁଷ ଟିମ୍ । ମ୍ୟାଚ ଉପରେ ରହିଛି ଭାରତର ସେମିଫାଇନାଲ ଆଶା  । ନେଦରଲ୍ୟାଣ୍ଡସ୍ ଠାରୁ ୩-୧ ଗୋଲରେ ପରାଜୟ ପରେ, ଭାରତର ପଏଣ୍ଟ ୦ ଏବଂ ଗୋଲ ପାର୍ଥକ୍ୟ ୪ ରହିଛି ।

ଇଂଲଣ୍ଡ ବିପକ୍ଷରେ ଆର୍ଜେଣ୍ଟିନାର ୩-୧ ବିଜୟ ଫଳରେ, କ୍ରେଗ୍ ଫୁଲଟନଙ୍କ ଭାରତୀୟ  ଦଳ ଏବେ ବି ସେମିଫାଇନାଲରେ ପ୍ରବେଶ କରିବା ପାଇଁ ସୁଯୋଗ ରହିଛି କିନ୍ତୁ କଷ୍ଟକର । ସମୀକରଣ-୧, ଭାରତକୁ ଅତି କମରେ ୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିବାକୁ ପଡିବ । ସମାନ ସମୟରେ, ନେଦରଲ୍ୟାଣ୍ଡସ୍ ଆଜି ଇଂଲଣ୍ଡକୁ ଅତି କମରେ ୨ ଗୋଲରେ ପରାସ୍ତ କରିବା ଆବଶ୍ୟକ।

ଏହା ଗୋଲ ପାର୍ଥକ୍ୟରେ ଭାରତ ଉଭୟ ଦଳକୁ ପଛରେ ପକାଇବ ।  ସମୀକରଣ-୨, ଯଦି ଭାରତ ଆର୍ଜେଣ୍ଟିନା ବିପକ୍ଷରେ ୪ ଗୋଲ ବ୍ୟବଧାନରେ ବିଜୟ ହାସଲ କରେ, ତେବେ ନେଦରଲ୍ୟାଣ୍ଡ ବିପକ୍ଷରେ ଇଂଲଣ୍ଡର ଯେକୌଣସି ପରାଜୟ ଭାରତକୁ ସ୍ୱୟଂଚାଳିତ ଭାବରେ ସେମିଫାଇନାଲକୁ ପଠାଇଦେବ ।…