spot_img
Home Blog Page 3

ଆଳୁ ଚାଷରେ ଆୟ, ଶୀତଳ ଭଣ୍ଡାର ଅଭାବରୁ ଚିନ୍ତାରେ ଚାଷୀ

ନନ୍ଦିଘୋଷ ବ୍ୟୁରୋ : ଆୟ ଦେଇଛି ଆଳୁ ଚାଷ । କ୍ଷେତରେ ଲହଡ଼ି ଭାଙ୍ଗୁଛି ଆଳୁ ଗଛ। ଧାଡ଼ିଧାଡ଼ି ହୋଇ ଲାଗିଛି ଗଛ। କୋରାପୁଟ ପଟାଙ୍ଗି ବ୍ଲକ ଦେଓପଟାଙ୍ଗି ପଞ୍ଚାୟତର ଏ ଦୃଶ୍ୟ। ପଟାଙ୍ଗି ବ୍ଲକରେ ବହୁ ପରିମାଣରେ ଆଳୁ ଚାଷ କରାଯାଉଥିବା ବେଳେ ଏହା ଚାଷୀଙ୍କ ପାଇଁ ଏକ ବିକଳ୍ପ ଆୟର ମାଧ୍ୟମ ପାଲଟିଛି। ଚାଷ ପାଇଁ ଜମି ପ୍ରସ୍ତୁତି ଠାରୁ ଆରମ୍ଭ କରି ବିହନ, ସାର, ଜଳସେଚନ ଓ ଫସଲର ଯତ୍ନ ପର୍ଯ୍ୟନ୍ତ ଚାଷୀଙ୍କୁ କରିବାକୁ ପଡ଼ୁଛି ଅନେକ ପରିଶ୍ରମ। ହେଲେ ପରିଶ୍ରମ ଅନୁଯାୟୀ ମିଳୁନି ପାରିଶ୍ରମିକ। ଅଞ୍ଚଳରେ ଆଳୁ ଚାଷ ବହୁ ପରିମାଣରେ କରାଯାଉଥିଲେ ସୁଦ୍ଧା ସଂରକ୍ଷଣ କରି ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଫଳରେ କମ ଦରରେ ଆଳୁ ବିକ୍ରି କରୁଛନ୍ତି ଚାଷୀ। ଭଲ ଅମଳ ହେଉଥିଲେ ମଧ୍ୟ ଉଚିତ ଦରରେ ବିକ୍ରି କରିବା ଚାଷୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ବଜାର, ଉଚିତ ଦର ଓ ସଂରକ୍ଷଣ ବ୍ୟବସ୍ଥା ମିଳିଲେ ଆୟ ବଢ଼ାଇବାରେ ଆହୁରି ସହାୟକ ହୋଇପାରନ୍ତା ବୋଲି ଚାଷୀ କହିଛନ୍ତି।

ଗଜପତିରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଡାକ୍ତର ଅଭାବରେ ହନ୍ତସନ୍ତ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଗଜପତି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ମେଡିକାଲରେ ନାହାନ୍ତି ଆବଶ୍ୟକ ଡାକ୍ତର। ସ୍ୱାସ୍ଥ୍ୟସେବା ପାଇଁ ବଡ଼ ସମସ୍ୟା ପାଲଟିଛି ଡାକ୍ତର ଅଭାବ। ଜିଲ୍ଲାର ବିଭିନ୍ନ ସିଏଚସି ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଅନେକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଯେଉଁ କିଛି ଡାକ୍ତର ନିଯୁକ୍ତି ହୋଇଛନ୍ତି ସେମାନେ ଡ଼ାକ୍ତରଖାନାକୁ ଠିକ୍ ଭାବେ ଆସୁନାହାନ୍ତି। ଘରୋଇ କ୍ଲିନିକରେ ରୋଗୀ ଦେଖୁଛନ୍ତି। ଫଳରେ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଫେରୁଛନ୍ତି ରୋଗୀ। ଅନ୍ୟପଟେ ଜିଲ୍ଲାର ଅନେକ ସ୍ଥାନରେ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ। ଜିଲ୍ଲାର ଗୁମ୍ମା, ରାୟଗଡ, ରା ଉଦୟଗିରି, ନୂଆଗଡ ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡି ରହିଛି। ସେପଟେ ଡାକ୍ତର ଅଭାବ ଥିବା ସ୍ବାକାର କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ପାଇପ୍ ଅଛି, ପାଣି ନାହିଁ; ୭ ବର୍ଷ ହେଲା ଅଧପନ୍ତରିଆ ମେଗା ଜଳ ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ :  ପାଇପ ଅଛି, ଆସୁନି ପାଣି। ସରୁନି ପ୍ରକଳ୍ପ ,କମୁନି ଦୁର୍ଦ୍ଦଶା। ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ । ପୁରୀ ଜିଲ୍ଲା କଣାସ ବ୍ଲକରେ ଫେଲ୍ ମାରିଛି ସରକାରଙ୍କ ହରଘର ଜଳ ଯୋଜନା।… କଚ୍ଛପ ଗତିରେ ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ବର୍ଷ ତମାମ ପାନୀୟ ଜଳ ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ବିଷାକ୍ତ ଦୟା ନଦୀ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବାବେଳେ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଗତ ବର୍ଷରୁ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ରହିଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ୭ ବର୍ଷ ତଳୁ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ଯାହା ଏ ଯାଏଁ ସରିନି । ପାଇପ୍ ବିଛା ହୋଇଛି । ବିଭିନ୍ନ ପଞ୍ଚାୟତରେ ହେଡ ଟ୍ୟାଙ୍କ ନିର୍ମାଣ ସହ ପ୍ରତି ଦୁଆର ମୁହଁରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। ହେଲେ ପାଣି ଆସୁନି । ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରଶାସନ ଗୁରୁତର ସହ ନେଉନଥିବା ଅଭିଯୋଗ ହୋଇଛି । ସେପଟେ ମାର୍ଚ୍ଚ ୩୧ ସୁଦ୍ଧା ସବୁ ଗାଁରେ ପାଣି ଯୋଗାଇବା ନେଇ ପଦକ୍ଷେପ ନିଆଯାଉଥିବା ବିଡିଓ କହିଛନ୍ତି ।

MMDR ଆଇନ ଓ SIR ପ୍ରକ୍ରିୟାକୁ ନେଇ ବର୍ଷିଲେ ନବୀନ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ : MMDR ସଂଶୋଧନ ଆଇନ ଏବଂ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ କଠୋର ଆକ୍ରମଣ କରିଛନ୍ତି।

ନବୀନ କହିଛନ୍ତି ଯେ MMDR ଆଇନ ସଂଶୋଧନ ଦ୍ୱାରା ଓଡ଼ିଶାର କର ଆଦାୟ କରିବାର ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବ, ଯାହାଦ୍ୱାରା ରାଜ୍ୟ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ସଂସଦରେ ବିଲ୍‌ ପାରିତ ହେବା ସମୟରେ ରାଜ୍ୟର ୨୦ ଜଣ ବିଜେପି ସାଂସଦ ନୀରବ ରହି ଏହାକୁ ସମର୍ଥନ କରିଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଏହାକୁ ନେଇ ବିଜେଡି, ବିଜେପି ସରକାର ଉପରେ ଚାପ ପକାଇବା ସହ ଆବଶ୍ୟକ ପଡ଼ିଲେ ବ୍ୟାପକ ଆନ୍ଦୋଳନ କରିବ।

ସେହିପରି ନିର୍ବାଚନ କମିଶନରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି। SIR ପ୍ରକ୍ରିୟାରେ ବ୍ୟାପକ ଭୋଟରଙ୍କ ନାମ କଟାଯାଇଥିବା ଅଭିଯୋଗ କରି ଏହାର ପୁନଃ ସମୀକ୍ଷା ପାଇଁ ସେ ଦାବି କରିଛନ୍ତି ।

ଜାମତରାକୁ ସମ୍ବଲପୁରର ସିମ୍, ସାଇବର ଠକେଇ ମାମଲାରେ ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ : ସାଇବର ଠକେଇ ପାଇଁ ଝାଡ଼ଖଣ୍ଡ ଜାମତରାକୁ ସପ୍ଲାଏ ହେଉଛି ସମ୍ବଲପୁର ସିମକାର୍ଡ  । ସାଇବର ଠକେଇରେ ବ୍ୟବହାର ହେଉଛି ସମ୍ବଲପୁର ଲୋକଙ୍କ ସିମ କାର୍ଡ । ତେବେ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ପୋଲିସ । ୩ଟି ସିମ ଆକ୍ଟିଭେସନ ସେଣ୍ଟରରୁ ଏହି ଜାଲିଆତି ହେଉଥିବା ସାଇବର ପୋଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛି । ଗିରଫ ହୋଇଥିବା ୩ ଜଣିଆ ଗ୍ୟାଙ୍ଗ ସମ୍ବଲପୁରର ମାଳତୀ କମ୍ୟୁନିକେସନ, ଏମାନୁଆଲ ଟେଲି କମ୍ୟୁନିକେସନ, ସୂରଜ ଷ୍ଟୋରରେ ଏହି ସବୁ କାରବାର କରୁଥିଲେ । ଯଦି କେହି ଗ୍ରାହକ ସିମ କାର୍ଡ କିଣିବାକୁ ଆସୁଥିଲେ ତାଙ୍କ ନାଁରେ ଗୋଟିଏ ବଦଳରେ ୨ ଟି ସିମ କାର୍ଡ ଆକ୍ଟିଭ କରି ଜାମତରା ଗ୍ୟାଙ୍ଗକୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ସାଇବର ଠକେଇରେ ଏହି ସବୁ ସିମ କାର୍ଡ ଜାମତରା ଗ୍ୟାଙ୍ଗ ବ୍ୟବହାର କରୁଥିଲା । ତେବେ ଅଭିଯୋଗ ହେବା ପରେ ପୋଲିସ ୩ ଜଣିଆ ଗ୍ୟାଙ୍ଗକୁ ଗିରଫ କରିବା ସହିତ ୧୨୦ଟି ଏୟାରଟେଲ ସିମ କାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୂରଜ ବାଗ, ମାଳତୀ ଓରାମ, ସେକ ପରବେଜ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର ହୋଇଥିବା ସାଇବର ପୋଲିସ ସୂଚନା ଦେଇଛି ।

ଅନନ୍ତ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଅନନ୍ତ ବ୍ରତ ନୀତି

ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତ ଦେବଙ୍କ ବ୍ରତ ପାଳନ କରାଯାଏ। ଏହି ପବିତ୍ର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ ଥିବା କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି। ସୁଖ ସୌହାର୍ଦ୍ଦ୍ୟ କାମନା କରି ଅନନ୍ତ ଚତୁର୍ଦ୍ଦଶୀ ତିଥିରେ ଉଭୟ ପୁରୁଷ ଓ ମହିଳାମାନେ ଏହି ଅନନ୍ତବ୍ରତ ପାଳନ କରଥାନ୍ତି। ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ସମାପନ ପରେ ମୁକ୍ତି ମଣ୍ଡପ ନିକଟରେ ଥିବା ଅନନ୍ତଙ୍କ ପାଖରେ ପର୍ବ ଯାତ୍ରା ଯୋଗାଣିଆ ପ୍ରଦତ୍ତ ଭୋଗ, ମହାସ୍ନାନ ଜିନିଷ ରଖାଯାଇଥାଏ। ପ୍ରଥମେ ଜଣେ ପାଳିଆ ପୂଜାପଣ୍ଡା ସେବକ ଅନନ୍ତଙ୍କ ପାଖରେ ମହାସ୍ନାନ ନୀତି ଓ ଭୋଗ କରିଥାନ୍ତି। ଏହାପରେ ଅନନ୍ତ ବ୍ରତ କଥା ପାଠ କରିବାପରେ ବନ୍ଦାପନା ନୀତି ହୋଇଥାଏ ।

ବନ୍ୟା କ୍ଷତିପୂରଣକୁ ନେଇ ବିଧାନସଭାରେ ମନ୍ତ୍ରୀ-ବିଧାୟକ କଥା କଟାକଟି

ନନ୍ଦିଘୋଷ ବ୍ୟୁରୋ :  ବନ୍ୟା ପରିଚାଳନାରେ ସରକାର ବିଫଳ। ବିଧାନସଭାରେ କ୍ଷତିପୂରଣ ରିପୋର୍ଟ ଦେଖାଇ ରାଜସ୍ବ ମନ୍ତ୍ରୀଙ୍କ ବାହାବା ଉଦ୍ୟମ। ରାଜସ୍ବ ମନ୍ତ୍ରୀଙ୍କ କ୍ରେଡିଟ ଉପରେ ପାଣି ପକାଇ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ବିରୋଧୀ ନୁହଁନ୍ତି, ଖୋଦ ଶାସକ ଦଳର ସଦସ୍ୟଙ୍କ ସମାଲୋଚନାର ଶିକାର ହେଲେ ମନ୍ତ୍ରୀ। ଦେଖନ୍ତୁ ଆଜି ଗୃହରେ ପ୍ରଶ୍ନକାଳରେ ଦୁହିଁଙ୍କ ଭିତରେ କିପରି ହୋଇଛି କଥା କଟାକଟି। MMDR ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରୁଥିଲେ। ହେଲେ ତାକୁ ବଳି ଗଲା ବିଧାୟକ ଟଙ୍କଧର ଓ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଥା କଟାକଟି । ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁ ରଖୁ ଗୃହ ମୂଲତବୀ ଘୋଷଣା କରିଦେଲେ ଉପବାଚସ୍ପତି। ଟଙ୍କଧରଙ୍କ କଥା ଅନୁସାରେ ବନ୍ୟାରେ ଝାରସୁଗୁଡ଼ାରେ ବ୍ୟାପକ ଭାବେ ଭାଙ୍ଗିଛି ଘର । ରହିବା ପାଇଁ ଲୋକଙ୍କ ପାଖରେ ଘର ନାହିଁ। ଝାରସୁଗୁଡ଼ା ସଦର ଏବଂ ବିଭିନ୍ନ ବ୍ଲକରେ ବର୍ଷା ପାଇଁ ମାଟି ଘର ଭାଙ୍ଗିଛି। ବନ୍ୟା ଅଞ୍ଚଳ ପାଇଁ କିଛି କରୁଛନ୍ତି । କିନ୍ତୁ ଯେଉଁଠି ଘର ଭାଙ୍ଗିଛି ସେଠି ସରକାର କିଛି କରୁନାହାନ୍ତି । କୌତୁହଳ ବିଷୟ ଯେ ଉଭୟ ଝାରସୁଗୁଡ଼ା ଜିଲ୍ଲାରୁ ଜନପ୍ରତିନିଧି ଭାବେ ଉଭୟ ମନ୍ତ୍ରୀ ଓ ବିଧାୟକଙ୍କ ଏପରି କଥା କଟାକଟିକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି। ଗୃହ ଭିତରେ ସୀମିତ ରହି ନଥିଲା ଟଙ୍କଧର ଓ ସୁରେଶଙ୍କ କଳି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ହୋଇଥିବା ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ ରାଜସ୍ୱ ମନ୍ତ୍ରୀ। ସେଠାରେ ଟଙ୍କଧରଙ୍କ ଅଭିଯୋଗ ନେଇ ସୁରେଶ ପୂଜାରୀଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଟଙ୍କଧରଙ୍କ ନାଁ ନନେଇ ରାଜସ୍ୱ ମନ୍ତ୍ରୀ କଟାକ୍ଷ କରିଥିଲେ । ଅଭିଯୋଗ ଶୁଣିବି ନା ଲୋକଙ୍କ ସେବାରେ ରହିବି ବୋଲି ରାଜସ୍ୱ ମନ୍ତ୍ରୀ ରୋକଠୋକ ଉତ୍ତର ଦେଲେ। କହିଥିଲେ, ଏମିତି ଅଭିଯୋଗ ଶୁଣିଲେ କାମ ନ କରି ଘରେ ବସିବି।

ପୁରୀ ଶ୍ରୀନହରରେ ଗଜପତିଙ୍କ ସୁନିଆଁ ପର୍ବ, ଆରମ୍ଭ ହେଲା ୭୧ ଅଙ୍କ ଓ ୧୪୩୪ ସାଲ

ନନ୍ଦିଘୋଷ ବ୍ୟୁରୋ : ବୁଧବାର ଶ୍ରୀନହରରେ ଅନୁଷ୍ଠିତ ହୋଇଯାଇଛି ଗଜପତିଙ୍କ ସୁନିଆଁ ପର୍ବ । ସନାତନ ଧର୍ମରେ ପାଞ୍ଜି ଓ ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ଏହି ପର୍ବ ବେଶ ଗୁରୁତ୍ୱପୂର୍ଣ । ଧାର୍ମିକ ଓ ଆଧ୍ୟାତ୍ମିକ ତଥା ଜ୍ୟୋତିଷ ଶାସ୍ତ୍ର ନିମିତ୍ତ ଏହି ଅଙ୍କ ଓ ସାଲ ବେଶ ମହତ୍ୱ ରଖିଥାଏ । ବିଶେଷ କରି ଅଙ୍କ ପ୍ରଚଳନରେ ଶୂନ୍ୟର ବ୍ୟବହାର କରାଯାଉ ନଥିବାରୁ ଚଳିତ ବର୍ଷ ୭୦ ଅଙ୍କ ପରିବର୍ତ୍ତେ ଏହା ୭୧ ଅଙ୍କ ଭାବେ ପରିଗଣିତ କରାଯାଇଥିଲା । ଅଙ୍କ ପ୍ରଚଳନର ଏହା ଏକ ରହସ୍ୟ ରହିଥିବା ବେଳେ ସୁନିଆଁରେ ଶ୍ରୀନହରରେ ସୁନାମୁଦ୍ରାରେ ସ୍ୱତନ୍ତ୍ର ଭାବେ ଅଙ୍କର କଟା ନିତୀ ସମ୍ପାଦନ କରାଯାଇଥିଲା ।ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ଏହାକୁ ନେଇ ଉତ୍ସବର ମାହୋଲ ପରିଲକ୍ଷିତ ହୋଇଥିଲା। ଉତ୍କଳୀୟ ପରମ୍ପରା ଓ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଗଜପତି ପରମ୍ପରା ବେଶ ପ୍ରାଚୀନ। ଏହି ପ୍ରାଚୀନ ଓ ପୁରାତନ ପରମ୍ପରାର ଝଲକ ବୁଧବାର ପୁରୀ ଶ୍ରୀନହରରେ ଦେଖିବାକୁ ମିଳିଥିଲା। ପବିତ୍ର ସୁନିଆଁ ପର୍ବ ଅବସରରେ ଶ୍ରୀନହର ପ୍ରାଙ୍ଗଣ ମାଆ କନକ ଦୂର୍ଗାଙ୍କ ଠାରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ରାଜତନ୍ତ୍ର ପରମ୍ପରା ଅନୁସାରେ ଅଙ୍କ ପ୍ରଚଳନ ବିଧି ଅନୁସାରେ କରାଯାଇଥିଲା । ୭୧ ଅଙ୍କ ଓ ୧୪୩୪ସାଲର ଆରମ୍ଭ ହେବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଉ ଏକ ନବବର୍ଷ ଆରମ୍ଭ ହୋଇଥିଲା । ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ରାଜପାଟିରେ ଗଜପତି ସିଂହାସନରେ ଆରୋହଣ ହୋଇ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରିଥିବା ବେଳେ ପ୍ରାଚୀନ ପ୍ରଥା ପରମ୍ପରାକୁ ବଜାୟ ରଖିଥିବା ପରିଲକ୍ଷିତ ହୋଇଥିଲା।

ନୂଆ କୋଠା ଥାଇ ବି ପୁରୁଣା ଭିତ୍ତିଭୂମିରେ କୋରାପୁଟ ମେଡିକାଲ କଲେଜ

ନନ୍ଦିଘୋଷ ବ୍ୟୁରୋ : ଅବ୍ୟବସ୍ଥା ଘେରରେ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଛି । ହେଲେ ଭିତ୍ତିଭୂମି ବୃଦ୍ଧି ପାଇଁ ନାହିଁ ପ୍ରଶାସନିକ ପଦକ୍ଷେପ । କେତେବେଳେ ଚଟାଣରେ ରୋଗୀ ଚିକିତ୍ସିତ ହେଉଥିବା ଅଭିଯୋଗ, ତ ଆଉ କେତେବେଳେ ହସ୍ପିଟାଲ କୋଠାରୁ ପାଣି ଗଳିବା ଭଳି ସମସ୍ୟା ସାମ୍ନାକୁ ଆସିଛି । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ସମୟରେ ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ୧୦ ଏକର ଜମିରେ ନିର୍ମାଣ ହୋଇଥିଲା ୬୫୦ ବେଡ ବିଶିଷ୍ଟ ନୂତନ ହସ୍ପିଟାଲ କୋଠା  । ୨୦୨୫ ଅଗଷ୍ଟ ୮ ତାରିଖରେ ଏହାର ତରବରିଆ ଭାବେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ଉଦଘାଟନକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ବିଭିନ୍ନ କାରଣରୁ ନୂତନ କୋଠା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ନୂଆ କୋଠା ଥାଇ ବି ପୁରୁଣା ଭିତ୍ତିଭୂମି ଉପରେ ନିର୍ଭର କରୁଛି ସ୍ବାସ୍ଥ୍ୟସେବା । ଖାଲି ସେତିକି ନୁହେଁ ନୂତନ ହସ୍ପିଟାଲ କୋଠାକୁ ଯିବା ପାଇଁ ରାସ୍ତା ନାହିଁ । ଲୋକଙ୍କ ସରକାର କହୁଥିବା ଡବଳ ଇଞ୍ଜିନ ସରକାର କୋରାପୁଟ ଜିଲ୍ଲାର ଏହି ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଜୋର ଧରିଛି । କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ନୂତନ କୋଠାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରାସଦ ବାହିନିପତି । ନୁତନ କୋଠାର ଅଗ୍ନି ନିର୍ବାପକ ପ୍ରମାଣ ପତ୍ର ବର୍ତ୍ତମାନ ଯାଏଁ କରାଯାଇନାହିଁ । କେଉଁଭଳି  ତରବରିଆ ଭାବରେ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ସେପଟେ ତୁରନ୍ତ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରିବା ସହିତ ଏକ କୋର କମିଟି ଗଠନ କରାଯାଇଛି । ଖୁବଶୀଘ୍ର ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ଏବଂ ବିଭିନ୍ନ ବିଭାଗ ପାଇଁ ଆଧୁନିକ ମେସିନାରୀ ଯୋଗାଇବା ନେଇ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

ଯୌତୁକ ଜନିତ ଓ ଘରୋଇ ହିଂସାରୁ ଗଡୁଛି ମୁଣ୍ଡ

ନନ୍ଦିଘୋଷ ବ୍ୟୁରୋ : ରକ୍ତ ସମ୍ପର୍କରେ ରକ୍ତର ଛିଟା । ମହିଳା ହିଂସାରେ ସାରା ରାଜ୍ୟରେ ଆଗରେ ଭୁବନେଶ୍ୱର। ଯୌତୁକ ଜନିତ ଓ ଘରୋଇ ହିଂସାରୁ ଗଡୁଛି ମୁଣ୍ଡ । ରାଗ ସାଜୁଛି ବ୍ରହ୍ମ ଚଣ୍ଡାଳ, ଭାଙ୍ଗୁଛି ପରିବାର। କିଛି ବର୍ଷର ପ୍ରେମ ଓ ତାପରେ ବାହାଘର । ସଭିଙ୍କ ଭିତରେ ଖୁସି, ଏ ଖୁସି ୬ ମାସ ତଳେ ଦ୍ୟୁଗୁଣିତ ହୋଇଥିଲା । ଦୁହିଁଙ୍କ କୋଳକୁ ଏକ ଛୁଆ ମଧ୍ୟ ଆସିଥିଲା । ଏ ସବୁ ଖୁସି କିଛି କ୍ଷଣରେ ଧୂଳିସାତ ହୋଇଗଲା । ଭାଙ୍ଗିଗଲା ସୁନାର ସଂସାର । ଚରମ ରାଗ ଯେ କେତେ ଭୟଙ୍କର ହୋଇପାରେ , ତାହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଲା । ଏ ହେଉଛି ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ କଲୋନୀର ବିଭତ୍ସ ଦୃଶ୍ୟ । ଯେଉଁଠାରେ ସ୍ତ୍ରୀକୁ ଲୁହା ତାୱାରେ ପିଟି ଜୀବନ ନେଇଯାଇଛି , ହତ୍ୟାକାରୀ ସ୍ବାମୀ ସର୍ବେଶ୍ବର ପ୍ରଧାନ । ତେବେ ସର୍ବେଶ୍ବର ଗତ ୬ ମାସ ହେବ ମାନସିକ ରୋଗ ଲାଗି ମେଡିସିନ ଖାଉଥିବା ପୋଲିସ ଜାଣିବାକୁ ପାଇଛି । ଦୁଇ ବର୍ଷ  ତଳେ ସର୍ବେଶ୍ବର ପ୍ରେମ କରି ବନସ୍ମିତା ସ୍ବାଇଁଙ୍କୁ ବିବାହ କରିଥିବା ବେଳେ ତାଙ୍କର ୬ ମାସର ଏକ ଶିଶୁକନ୍ୟା ରହିଛି। ବିବାହ କାହାପାଇଁ ଅସୁମାରୀ ଖୁସି ତ ଆଉ କାହା ପାଇଁ ବିରହ ବେଦନା। କାହା ପାଇଁ ଆଶୀର୍ବାଦ ତ ଆଉ କାହା ପାଇଁ ଅଭିଶାପ । ବେକ ଓ ହାତ କାଟି ସ୍ତ୍ରୀ ମୋନିକା ଜେନାଙ୍କୁ ହତ୍ୟା କରିଥିଲା ସ୍ୱାମୀ ପ୍ରଦୀପ ଜେନା । ବିବାହର ୯ ବର୍ଷ ପରେ ଛାଡପତ୍ରକୁ କେନ୍ଦ୍ରକରି ଘଟିଥିଲା ଲୋମଟାଙ୍କୁରା ଘଟଣା । ଏପରିକି ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରି ପରେ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଠିକ ସେହିଭଳି ଗତବର୍ଷ ୪ ଅଗଷ୍ଟରେ ମଞ୍ଚେଶ୍ୱର ଥାନା ବରିମୁଣ୍ଡରୁ ଆସିଥିଲା ବଧୁ ହତ୍ୟା ଅଭିଯୋଗ । ଯାଜପୁର ବିଂଝାରପୁର ୨୭ ବର୍ଷୀୟା ରଶ୍ମିତା ସ୍ବାଇଁଙ୍କ ମୃତ୍ୟୁ ପରେ ତଦନ୍ତ ପରିସରଭୁକ୍ତ ହୋଇଥିଲେ ଶାଶୁ ଘର ଲୋକେ ।