ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ାରେ ଜିଲ୍ଲା ବିଜେଡି ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା। ଏମ୍ଏମ୍ଡିଆର୍ ବିଲ୍ ବିରୋଧରେ ଗର୍ଜିଲା ବିଜେଡି। ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରାଜ୍ୟସ୍ତରୀୟ ନେତା ପ୍ରଦୀପ ମାଝୀ, ପ୍ରୀତିରଞ୍ଜନ ଘଡ଼େଇ ଏବଂ ଭୃଗୁ ବକ୍ସିପାତ୍ର, ଚିନ୍ମୟ ମହାପାତ୍ର, ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ରାୟଗଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ୩,୦୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇ ସହର ପରିକ୍ରମା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ବିରାଟ ପଦଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣ୍ଣି ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବ୍ରେଥ ଟେଷ୍ଟରେ ବିଫଳ, ଏୟାର ଇଣ୍ଡିଆ ପାଇଲଟ ସସପେଣ୍ଡ
ନନ୍ଦିଘୋଷ ବ୍ୟୁରୋ : ଦୂର ହେଉନି ଏୟାର ଇଣ୍ଡିଆ ପାଇଲଟଙ୍କ ମନମାନି। ମଦ ପିଇବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ପାଇଲଟ। ଜୁରିଚ ଏୟାରପୋର୍ଟରେ ବ୍ରେଥ ଆନାଲାଇଜର ଟେଷ୍ଟରେ ବିଫଳ ହେବା ପରେ ଜଣେ ପାଇଲଟଙ୍କୁ ସସପେଣ୍ଡ କରାଯାଇଛି। ଦିଲ୍ଲୀକୁ ଆସିବାକୁ ଥିବା ବିମାନରେ ଚଢିବା ପୂର୍ବରୁ ସେ ଟେଷ୍ଟରେ ବିଫଳ ହୋଇଥିଲେ। ପରେ ତାଙ୍କୁ ସାଧାରଣ ଯାତ୍ରୀ ଭାବେ ଭାରତକୁ ବିମାନରେ ପଠାଇ ଦିଆଯାଇଛି। ତାଙ୍କର ଚୂଡ଼ାନ୍ତ ମେଡିକାଲ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୬ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପାଇଲଟଜଣକ ଇଣ୍ଡିଆର ଏଆଇ-୧୫୧ କୁ ଜୁରିଚରୁ ନୂଆଦିଲ୍ଲୀ ଆଣିବାର ଥିଲା। ଏସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଛି। ପୂର୍ବରୁ ଫୁକେଟ-ଦିଲ୍ଲୀ ବିମାନରେ ଜଣେ ପାଇଲଟ ନିଶାଗ୍ରସ୍ତ ଥିବା ଘଟଣା ସାରା ବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଥିଲା। ଗତ ଅଗଷ୍ଟ ୪ରେ ବିମାନଟି ଅକସ୍ମାତ ତଳକୁ ଖସିବା ଯୋଗୁ ୨୪ ଯାତ୍ରୀ ଆହତ ହୋଇଥିଲେ ।
ସେଲ୍ଫି ନେବାବେଳେ ଇନ୍ଦ୍ରାବତୀ ନଦୀରେ ଖସି ମହିଳା ନିଖୋଜ
ନନ୍ଦିଘୋଷ ବ୍ୟୁରୋ : ସେଲ୍ଫି ସାଜିଲା କାଳ। ବନ୍ୟା ପାଣି ଦେଖିବାକୁ ପରିବାର ସହ ଇନ୍ଦ୍ରାବତୀ ନଦୀ ନିକଟକୁ ଆସିଥିବା ବେଳେ ଘଟିଛି ଅଘଟଣ। ନଦୀର ପୋଲ ଉପରୁ ସେଲ୍ଫି ନେବା ସମୟରେ ଭରା ନଦୀକୁ ଖସିପଡ଼ି ଜଣେ ମହିଳା ନିଖୋଜ ହୋଇଛନ୍ତି। ନିଖୋଜ ମହିଳା ଜଣକ ନବରଙ୍ଗପୁର ସହର ମେଦରୀ ସାହିର ସିରିସା ନାଏକ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପରିବାର ପକ୍ଷରୁ ନବରଙ୍ଗପୁର ଟାଉନ ଥାନାରେ ଅଭିଯୋଗ କରାଯାଇଛି। ଇନ୍ଦ୍ରାବତୀ ନଦୀରେ ଅକାତକାତ ପାଣି ପ୍ରବାହିତ ହେଉଥିବା ସହ ଅନ୍ଧାର ହୋଇଯାଇଥିବାରୁ ତୁରନ୍ତ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ କରିବା ସମ୍ଭବ ହୋଇନଥିବା ସୂଚନା ମିଳିଛି। ଘଟଣା ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ହୀରାକୁଦରେ ବଢ଼ିଲା ବନ୍ୟାଜଳ
ନନ୍ଦିଘୋଷ ବ୍ୟୁରୋ : ପୁଣି ବଢିଲା ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ମାତ୍ରା। ପୁଣି ୩ ଟି ଗେଟ୍ ଖୋଲା ଯାଇଥିବା ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ। ପୂର୍ବରୁ ୧୩ ଟି ଗେଟ୍ ଖୋଲା ଯାଇ ପାଣି ନିଷ୍କାସନ ହେଉଥିଲା। ଏବେ ମୋଟ ୧୬ ଟି ଗେଟ ଦେଇ ବନ୍ୟାପାଣି ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ୬୨୯.୫୬ ଫୁଟକୁ ପହଞ୍ଚିଛି ଜଳସ୍ତର । ତେଣୁ ବର୍ତ୍ତମାନ ଯେତିକି ବନ୍ୟାଜଳ ପ୍ରବେଶ କରିବ ସମାନ ପରିମାଣର ବନ୍ୟାଜଳକୁ ନିଷ୍କାସନ କରିବାକୁ ବାଧ୍ୟ ହେବେ ଜଳ ଭଣ୍ଡାର କତୃପକ୍ଷ। ସକାଳ ୭ଟା ସୁଦ୍ଧା ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୦ ହଜାର ୪୩୧ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୧୬ ଟି ଗେଟ୍ ଦେଇ ସମାନ ପରିମାଣର ବନ୍ୟାଜଳ ନିଷ୍କାସନ କରାଯାଉଛି ।
ଯାତ୍ରା ମଞ୍ଚରେ ଚୌକି-ବୋତଲ ଫିଙ୍ଗିଲେ ଦର୍ଶକ, ‘ଲଭ୍ ଜିହାଦ୍’ ନାଟକକୁ ନେଇ ଉତ୍ତେଜନା
ନନ୍ଦିଘୋଷ ବ୍ୟୁରୋ : ଯାତ୍ରା ମଞ୍ଚ ଉପରକୁ ଚୌକି ଓ ବୋତଲ ଫିଙ୍ଗିଲେ ଦର୍ଶକ। ‘ଲଭ୍ ଜିହାଦ୍’ ନାଟକ ପରିବେଷଣ ସମୟରେ ସୃଷ୍ଟି ହେଲା ଉତ୍ତେଜନା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଏସ୍. ରାମପୁରଠାରେ ଚାଲିଥିବା ଧଉଳି ଅପେରାରେ ଏହି ଘଟଣା ଘଟିଛି। ନାଟକ ଚାଲିଥିବା ସମୟରେ କୌଣସି କାରଣରୁ କିଛି ଦର୍ଶକ ଉତ୍ତେଜିତ ହୋଇ ମଞ୍ଚ ଉପରେ ଉପସ୍ଥିତ କଳାକାରଙ୍କ ଆଡ଼କୁ ଚୌକି ଓ ବୋତଲ ଫିଙ୍ଗିଥିଲେ। ଏପରିକି କିଛି ଦର୍ଶକ ମଞ୍ଚ ଉପରକୁ ଚଢ଼ିଯାଇଥିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଖବର ପାଇ ଅପେରା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। କମିଟି ସଦସ୍ୟଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡ଼ିଛି।
କଙ୍ଗୋରେ ଭୟାବହ ବିମାନ ଦୁର୍ଘଟଣା: ୧୪ ଜଣଙ୍କର ପ୍ରାଣହାନି
କଙ୍ଗୋ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଦକ୍ଷିଣ-ପଶ୍ଚିମ ସହର କିକ୍ୱିଟ୍ରୁ ରାଜଧାନୀ କିନ୍ଶାସା ଅଭିମୁଖେ ଯାଉଥିବା ଏକ ‘Let L-410 ଟର୍ବୋପ୍ରପ୍’ ବିମାନ ଜନବସତି ଅଞ୍ଚଳରେ ଖସିପଡ଼ିବା ଫଳରେ ଏହି ଭୟାବହ ଦୁର୍ଘଟଣା ଘଟିଛି। ତେବେ କଙ୍ଗୋ ସାମରିକ କର୍ତ୍ତୃପକ୍ଷ ଏହି ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟାକୁ ସ୍ପଷ୍ଟ କରିଛନ୍ତି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ କଙ୍ଗୋ ସାମରିକ ନ୍ୟାୟ ବ୍ୟବସ୍ଥାର ଦୁଇ ଜଣ ଶୀର୍ଷ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଏନ୍-ରେନେ ବାକୁମି ଲିକୁଲିଆ। ଏହି ଦୁଇ ଜେନେରାଲ୍ କିକ୍ୱିଟ୍ ସହରରେ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟସୂଚୀ ଶେଷ କରି ରାଜଧାନୀକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।
ସୂଚନା ଅନୁଯାୟୀ, 9S-GUC ପଞ୍ଜୀକୃତ ଏହି ବିମାନଟି ଅପରାହ୍ନ ପ୍ରାୟ ୧ଟା ୫୦ରେ କିକ୍ୱିଟ୍ରୁ କିନ୍ଶାସାର N’Dolo ବିମାନବନ୍ଦର କୁ ଉଡ଼ାଣ ଭରିଥିଲା। ମାତ୍ର ଆକାଶମାର୍ଗରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍ ବିମାନଟିକୁ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେ ଅଞ୍ଚଳରେ ଜରୁରୀ ଅବତରଣ କରାଇବାକୁ ଚେଷ୍ଟା କରିଥିଲେ।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ନିରାପଦ ଅବତରଣ ପାଇଁ ସ୍ଥାନ ଖୋଜିବାକୁ ଯାଇ ବିମାନଟି କିଛି ସମୟ ଆକାଶରେ ଘୂରି ବୁଲିଥିଲା। ଶେଷରେ ସଫଳ ହୋଇନପାରି ଅପରାହ୍ନ ପ୍ରାୟ ୨ଟା ୫ ମିନିଟ୍ରେ ମାନଜାଓ ଅଞ୍ଚଳର ଏକ ଜନବସତି ଉପରେ କ୍ରାସ୍ କରିଥିଲା। ଦୁର୍ଘଟଣା ହେବା ମାତ୍ରକେ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା, ଯାହାଫଳରେ ଭିତରେ ଥିବା କୌଣସି ଯାତ୍ରୀ ବଞ୍ଚିବାର ସୁଯୋଗ ପାଇନଥିଲେ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର ପ୍ରକୃତ ଯାନ୍ତ୍ରିକ କାରଣ କଣ ଅସ୍ପଷ୍ଟ ରହିଛି। ଘଟଣାକୁ ନେଇ କଙ୍ଗୋ ରାଷ୍ଟ୍ରପତି ଫେଲିକ୍ସ ଶିସେକେଡି ଗଭୀର ଶୋକପ୍ରକାଶ କରିବା ସହ ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ କଙ୍ଗୋ ସେନା ଏବଂ ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥାର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ଛାନ୍ବିନ୍ ଆରମ୍ଭ କରିଛନ୍ତି।
ହକି ଇଣ୍ଡିଆରେ ବିବାଦ: ସଭାପତି ଦିଲୀପ ତିର୍କୀଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ହକି ଇଣ୍ଡିଆ (Hockey India) ମଧ୍ୟରେ କଳହ ଏବେ ଚରମ ସୀମାରେ ପହଞ୍ଚିଛି। ହକି ଇଣ୍ଡିଆର ସଭାପତି ତଥା କିମ୍ବଦନ୍ତୀ ହକି ଖେଳାଳି ଦିଲୀପ ତିର୍କୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସଂଘର କେତେକ ପଦାଧିକାରୀଙ୍କ ବିରୋଧରେ ସେ ବିଶ୍ୱାସଘାତକତା, ଚୋରି ଏବଂ ଜୀବନ ନେବାର ଧମକ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି।
ଦିଲୀପ ତିର୍କୀ ଦିଲ୍ଲୀର ଦକ୍ଷିଣ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଦେଇଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛନ୍ତି।ସେମାନେ ହେଉଛନ୍ତି-
. କମାଣ୍ଡର ଆର.କେ. ଶ୍ରୀବାସ୍ତବ (ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ)
. ସୁବୋଧ କୁମାର (ଆର୍ଥିକ ପରିଚାଳକ)
. ଭୂଷଣ କୁମାର (ନିର୍ଦ୍ଦେଶକ)
. ହରମିନ୍ଦର ସିଂହ (ଫେଡେରେସନ୍ର ଡ୍ରାଇଭର)
ତେବେ ଡିସିପି କାର୍ଯ୍ୟାଳୟ ଅଭିଯୋଗ ମିଳିଥିବା ସ୍ୱୀକାର କରିଥିଲେ ବି ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ FIR ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି।
ତେବେ ଅଭିଯୋଗ ଅନୁସାରେ, ଗତ ସେପ୍ଟେମ୍ବର ୨୨ ତାରିଖରେ ଦିଲୀପ ତିର୍କୀ ଦିଲ୍ଲୀ ଗସ୍ତରେ ଆସିଥିବା ସମୟରେ ତାଙ୍କୁ ସଂଗଠନ ତରଫରୁ ଏକ ଗାଡ଼ି ଯୋଗାଇ ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଫେଡେରେସନ୍ ସେହି ଗାଡ଼ିଟିକୁ ଫେରାଇ ନେଇଥିଲା। ସେହି ଗାଡ଼ିରେ ଦିଲୀପଙ୍କର ଅତ୍ୟାବଶ୍ୟକ ଔଷଧ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟକ୍ତିଗତ ସାମଗ୍ରୀ ରହିଥିଲା। ଦିଲୀପ ତାଙ୍କ ସାମଗ୍ରୀ ଫେରସ୍ତ ପାଇଁ ହକି ଇଣ୍ଡିଆର ଅଧିକାରୀମାନଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ।
ବିବାଦର ମୁଖ୍ୟ କାରଣ:
ତେବେ ହକି ଇଣ୍ଡିଆ ଅନ୍ତରୀଣ କଳହର ମୂଳ କାରଣ ହେଉଛି ଟିମ୍ର ଜର୍ସି ରଙ୍ଗ ଏବଂ ପ୍ରଶାସନିକ କ୍ଷମତାକୁ ନେଇ ମତାନ୍ତର।
୧- ଜର୍ସି ରଙ୍ଗ ପରିବର୍ତ୍ତନ: FIH ବିଶ୍ୱକପ୍ ସମୟରେ ହକି ଟିମ୍ର ଜର୍ସି ରଙ୍ଗ ‘ନୀଳ’ରୁ ‘ନାରଙ୍ଗି’ କରାଯିବାକୁ ଦିଲୀପ ତିର୍କୀ ବିରୋଧ କରିଥିଲେ। ତାଙ୍କୁ ନଜଣାଇ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସେ କ୍ଷୁବ୍ଧ ହୋଇ କମାଣ୍ଡର ଆର.କେ. ଶ୍ରୀବାସ୍ତବଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଥିଲେ।
୨- ହକି ଇଣ୍ଡିଆ ସାଧାରଣ ସଂପାଦକ ଭୋଳାନାଥ ସିଂହଙ୍କ ସହିତ ଦିଲୀପଙ୍କର ବିବାଦ ବୃଦ୍ଧି ପାଇବା ପରେ, ସେ ଭୋଳାନାଥଙ୍କର କେତେକ ପ୍ରଶାସନିକ କ୍ଷମତା ପ୍ରତ୍ୟାହାର କରି ନେଇଥିଲେ।
ବର୍ତ୍ତମାନ ଦିଲୀପ ତିର୍କୀ ନିଜର ବ୍ୟକ୍ତିଗତ ସାମଗ୍ରୀ ଓ କାଗଜପତ୍ର ତୁରନ୍ତ ଫେରସ୍ତ ପାଇବା ସହ ନିଜର ସୁରକ୍ଷା ପାଇଁ ଦାବି କରିଛନ୍ତି।
ଭୁବନେଶ୍ୱରର ନୂଆ ଡିସିପି ସର୍ବଣା ବିବେକ୍, ଅପରାଧ ନିୟନ୍ତ୍ରଣକୁ ଫୋକସ୍
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୫ ବ୍ୟାଚ୍ ଆଇପିଏସ୍ ଅଫିସର ସର୍ବଣା ବିବେକ୍ ଏମ୍। ପୂର୍ବତନ ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ଉପସ୍ଥିତିରେ ଡିସିପି ଅଫିସରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣ ପରେ ନୂଆ ଡିସିପି ଆଇନଶୃଙ୍ଖଳା, ଭିଭିଆଇପି ସୁରକ୍ଷା ଓ ସାଇବର ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦଣ୍ଡବିଧାନ ହାର ବଢ଼ାଇବା ଦିଗରେ ଫୋକସ୍ ରହିବ ବୋଲି ସେ କହିଛନ୍ତି। ‘ପୋଲିସ ପାଖକୁ ଲୋକେ ନୁହେଁ, ଲୋକଙ୍କ ପାଖକୁ ପୋଲିସ ପହଞ୍ଚିବ’—ଏହି ଆଭିମୁଖ୍ୟ ସହ କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବେ ନୂଆ ଡିସିପି। ଡିସିପିଙ୍କ ଅଫିସିଆଲ୍ ନମ୍ବରରେ ଲୋକେ ଅଭିଯୋଗ ଜଣାଇପାରିବେ ବୋଲି ମଧ୍ୟ କୁହାଯାଇଛି। ଥାନାଧିକାରୀଙ୍କ ସହ ୱାନ୍-ଟୁ-ୱାନ୍ ଆଲୋଚନା କରି ସେମାନଙ୍କୁ ପିପୁଲ୍-ଫ୍ରେଣ୍ଡଲି ପୋଲିସିଂ ଉପରେ ଗୁରୁତ୍ୱ ଦେବାକୁ ତାଗିଦ କରିଛନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହିଂସା ହ୍ରାସ କରିବାକୁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ନେଇଛନ୍ତି ନୂଆ ଡିସିପି। ଅତିରିକ୍ତ ଡିସିପି ଓ ଏସିପିମାନଙ୍କୁ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସାଇବର ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଫୋକସ୍ ରହିବ। ଡିଜିଟାଲ୍ ଠକଙ୍କୁ ଧରିବା ପାଇଁ ଖୁବଶୀଘ୍ର ନୂଆ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସର୍ବଣା ବିବେକ୍ ଏମ୍ କହିଛନ୍ତି। ୧୯୮୫ରେ ତାମିଲନାଡୁରେ ଜନ୍ମିତ ସର୍ବଣା ବିବେକ୍ ଏମ୍ ପ୍ରଥମେ ମେଡିକାଲ୍ ସାଇନ୍ସର ଛାତ୍ର ଥିଲେ। ପରେ ଆଇପିଏସ୍ ହୋଇ ମାଓପ୍ରବଣ ମାଲକାନଗିରିରେ ଏସ୍ଡିପିଓ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ରାୟଗଡ଼ା, କଳାହାଣ୍ଡି, ଭିଜିଲାନ୍ସ ଓ ବ୍ରହ୍ମପୁରରେ ଏସ୍ପି ଭାବେ ଦାୟିତ୍ୱ ତୁଲାଇଛନ୍ତି।
କୋରାପୁଟରେ ଅବପାତର ତାଣ୍ଡବ, ବନ୍ୟାରେ ବେହାଲ ଜନଜୀବନ
ନନ୍ଦିଘୋଷ ବ୍ୟୁରୋ : କୋରାପୁଟରେ ଅବପାତର ତାଣ୍ଡବ। ଲଗାଣ ବର୍ଷା ଓ ପ୍ରବଳ ପବନରେ ଜିଲ୍ଲାରେ ସୃଷ୍ଟି ହୋଇଛି ଗୁରୁତର ବନ୍ୟା ପରିସ୍ଥିତି। ସବୁଠି ଖାଲି ପାଣି ଆଉ ପାଣି। ବୁଡ଼ିଛି ଘର, ରାସ୍ତା ଓ ଶହ ଶହ ହେକ୍ଟର ଚାଷ ଜମି। ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯିବାରୁ ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହୋଇପଡ଼ିଛନ୍ତି। କୋରାପୁଟ-ବିଶାଖାପାଟଣା ୨୬ ନମ୍ବର ଜାତୀୟ ରାଜପଥରେ ଗଛ ପଡ଼ିବା ସହ ବିଭିନ୍ନ ସ୍ଥାନରେ ୪ରୁ ୫ ଫୁଟ୍ ପାଣି ପ୍ରବାହିତ ହେଉଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଜାଘାଟିରେ ମାଟି ଅତଡ଼ା ଧସିବା ଯୋଗୁଁ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ମାଟିଘର ମାଟିରେ ମିଶିଯାଇଛି। ରେଳ ଧାରଣାରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷାରେ କୋଟପାଡ଼ ଅଞ୍ଚଳର ସ୍ଥିତି ମଧ୍ୟ ବେହାଲ ହୋଇପଡ଼ିଛି। ୫ରୁ ଊର୍ଦ୍ଧ୍ବ ପଞ୍ଚାୟତ ବନ୍ୟା ଘେରରେ ରହିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଚାଲିଥିବା ବେଳେ ଇନ୍ଦ୍ରାବତୀ ପ୍ରକଳ୍ପର ୪ଟି ଗେଟ୍ ଓ ମୁରାନ ଡ୍ୟାମର ୨ଟି ଗେଟ୍ ଖୋଲାଯିବା ପରେ ଅଞ୍ଚଳରେ ବନ୍ୟାସ୍ଥିତି ଆହୁରି ଗମ୍ଭୀର ହୋଇଛି।
ଅନ୍ୟପଟେ, ଜିଲ୍ଲାର ୨୬୨ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଟ୍ରାକ୍ଟର ଯୋଗେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଉଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥିତି ସମୀକ୍ଷା ପାଇଁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କୋରାପୁଟରେ ପହଞ୍ଚିଛନ୍ତି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାର ତୀବ୍ରତା ଏତେ ଅଧିକ ରହିଛି ଯେ, ୯ ଘଣ୍ଟାରେ କୋରାପୁଟରେ ୯୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି।
ଗ୍ରିନ୍ କ୍ୟାମ୍ପସ ହେବ ରେଭେନ୍ସା, ପ୍ରତି ଶନିବାର ‘ଇ-ଭେଇକିଲ୍ ଡେ’
ନନ୍ଦିଘୋଷ ବ୍ୟୁରୋ : ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ରୂପରେଖ। ଗ୍ରିନ୍ କ୍ୟାମ୍ପସ ହେବ କଟକ ରେଭେନ୍ସା। ପରିବେଶ ଅନୁକୂଳ କ୍ୟାମ୍ପସ ଗଢ଼ିବା ପାଇଁ ନିଆଯାଉଛି ଏକାଧିକ ବଡ଼ ପଦକ୍ଷେପ। ଉଭୟ କ୍ୟାମ୍ପସର ପ୍ରତି ବିଭାଗରେ ସୋଲାର ପ୍ୟାନେଲ ଲଗାଯିବା ସହ ବର୍ଷାଜଳ ସଂରକ୍ଷଣ, ଅଧିକ ବୃକ୍ଷରୋପଣ ଏବଂ ଇ-ରିକ୍ସାର ବ୍ୟବହାର ବଢ଼ାଯିବ। ପ୍ରତି ଶନିବାର କ୍ୟାମ୍ପସରେ ପାଳନ ହେବ ‘ଇ-ଭେଇକିଲ୍ ଡେ’। ଏହି ଦିନ କ୍ୟାମ୍ପସ ଭିତରେ ସାଧାରଣ ଯାନବାହନ ଚଳାଚଳ ଉପରେ କଟକଣା ରହିବ। ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଚାଲିଚାଲି ଯାତାୟାତ କରିବେ। ତେବେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ଇ-ରିକ୍ସା ବ୍ୟବହାରର ସୁବିଧା ରହିବ। ଏଥିପାଇଁ କ୍ୟାମ୍ପସରେ ଇ-ରିକ୍ସା ସଂଖ୍ୟା ମଧ୍ୟ ବଢ଼ାଯିବ। ବର୍ତ୍ତମାନ ରେଭେନ୍ସାରେ ୫୫ କିଲୋୱାଟ୍ କ୍ଷମତାର ସୋଲାର ପ୍ୟାନେଲ ରହିଛି। ବିଶ୍ୱବିଦ୍ୟାଳୟର ବାର୍ଷିକ ବିଦ୍ୟୁତ ବିଲ୍ ୩ କୋଟିରୁ ଅଧିକ ଟଙ୍କା ଆସୁଥିବାରୁ ସୋଲାର ଶକ୍ତିର ବ୍ୟବହାର ବଢ଼ିଲେ ବିଦ୍ୟୁତ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି କୁଳପତି କହିଛନ୍ତି।
ସେହିପରି, ରେଭେନ୍ସାର ଛାତ ପ୍ରକଳ୍ପରେ ବର୍ଷାଜଳ ସଂରକ୍ଷଣ କରି ତାହାକୁ ବ୍ୟବହାର କରିବାର ଯୋଜନା ରହିଛି। କ୍ୟାମ୍ପସରେ ପ୍ରତିବର୍ଷ ବୃକ୍ଷରୋପଣ କରାଯିବା ସହ ସବୁଜ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ଦିଆଯିବ। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସାରେ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ତେବେ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ ମଧ୍ୟ କ୍ୟାମ୍ପସର ମୌଳିକ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି। ବର୍ଷା ହେଲେ କ୍ୟାମ୍ପସରେ ଆଣ୍ଠୁଏ ପାଣି ଜମି ରହୁଥିବା, କ୍ଲାସ୍ରୁମ୍ର ସଠିକ୍ ବ୍ୟବସ୍ଥା ନଥିବା ଏବଂ ଅଣଛାତ୍ରଙ୍କ ପ୍ରବେଶ ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହା ସହ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ଅଧିକ ସୁଦୃଢ଼ କରିବାକୁ ମଧ୍ୟ ଛାତ୍ରଛାତ୍ରୀ ଦାବି କରିଛନ୍ତି।

