spot_img
Home Blog Page 7379

କରୋନା କାଳରେ ନିରବ,ନିର୍ଜନ ଶ୍ରୀନଗର ଟ୍ୟୁଲିପ୍ ଗାର୍ଡେନ୍,ଆତଙ୍କବାଦୀ ଯାହା କରି ପାରିନଥିଲେ କରୋନା ତାହା କରିଲା

 

କାଶ୍ମୀର ,ଯାହାକୁ ଦେଖି ଦିନେ ମୋଗଲ ବାଦଶାହ ଜାହାଙ୍ଗିର କହିଥିଲେ –ଦୁନିଆରେ ଯଦି କେଉଁଠି ସ୍ୱର୍ଗ ଅଛି,ତେବେ ଏଇଠି ଅଛି..ଏଇଠି ଅଛି । କାଶ୍ମୀର, ଯେଉଁଠିକୁ ଆସିବା ପରେ ବିମୋହିତ ହୁଅନ୍ତି ପର୍ଯ୍ୟଟକ । ସ୍ତବ୍ଧ ଓ ଚମୃତ୍କୃତ କରୁଥିବା କାଶ୍ମୀରର ଅପରୂପ ସୈ।ନ୍ଦର୍ଯ୍ୟରୁ  ଆଖି ଫେରାଇ ପାରନ୍ତିନି ପର୍ଯ୍ୟଟକ । ବାସ୍ତବରେ ଏହାର ସୌନ୍ଦର୍ଯ୍ୟରେ ଅନାମନା ହୁଅନ୍ତି ପର୍ଯ୍ୟଟକ ।ସେଇ କାଶ୍ମୀରରେ ରହିଛି ଏସିଆ ମୃହାଦେଶର ସବୁଠୁ ବଡ଼ ତୁଲିପ ଗାର୍ଡେନ ।  ଯାହା ୩୦ ହେକ୍ଟର ପର୍ଯ୍ୟନ୍ତ ପରିବ୍ୟାପ୍ତ । ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ବଗିଚା ଭିତରେ ଅନ୍ୟତମୃ ହେଉଛି କାଶ୍ମୀରର ତୁଲିପ ଗାର୍ଡେନ ।  ଏଣୁ ଫୁଲ ଫୁଟିବାର ସମୟ ଆରମ୍ଭ ହେଲେ ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଛୁଟି ଆସନ୍ତି ପର୍ଯ୍ୟଟକ ।  ଗତବର୍ଷ ତ ଅଢେଇ ଲକ୍ଷ ପର୍ଯ୍ୟଟକ ଏହି ଟ୍ୟୁଲିପ ବଗିଚାରେ ନିଜକୁ ହଜାଇ ଦେଇଥିଲେ ।   ଶ୍ରୀନଗରର ଏହି ଟ୍ୟୁଲିପ ଗାର୍ଡେନ ବୁଲିବା ପାଇଁ ଏପ୍ରିଲ ମାସ  ବର୍ଷର ସର୍ବୋତ୍କୃଷ୍ଟ ସମୃୟ । ବର୍ଷର ଏହି ସିଜନରେ ତିନିରୁ ଚାରି ସପ୍ତାହ ଧରି ତୁଲିପ ଗାର୍ଡେନରେ ଫୁଲ ଫୁଟିଥାଏ । କିଆରି ପରେ କିଆରି ଧାଡ଼ି ଧାଡ଼ି ହୋଇ ଛିଡା ହୋଇଥିବା ରଙ୍ଗବେରଙ୍ଗର ଟ୍ୟୁଲିପ୍ ପର୍ଯ୍ୟଟକଙ୍କୁ ବିମୋହିତ କରେ । କାଶ୍ମୀରର ଥଣ୍ଡାପବନର ସ୍ପର୍ଶରେ ଝୁଲୁଥିବା ଫୁଲସବୁ ଯେମିତି ପର୍ଯ୍ୟଟକଙ୍କ ସହ କଥା ହେବାକୁ ଅପେକ୍ଷା କରିଥାନ୍ତି ।

ନିରବ,ନିର୍ଜନ…

କିନ୍ତୁ 2007ରେ ଆରମ୍ଭ ହୋଇଥିବା ଏ ବଗିଚା ପ୍ରଥମ ଥର ପାଇଁ  ନିର୍ଧୁମ ନିରବତା ଭିତରେ ଏକାକୀ । ନାହାନ୍ତି ସୌନ୍ଦର୍ଯ୍ୟର ଉପାସନା କରିବା ପାଇଁ ପର୍ଯ୍ୟଟକ ।  ଦୀର୍ଘ 13 ବର୍ଷ ଭିତରେ ଇଏ ହେଉଛି ଶ୍ମସାନର ନିରବତା, ଶୂନ୍ୟତା  । 55 ପ୍ରଜାତିର ତେରଲକ୍ଷ ଫୁଲ ଆଜି ଏକାକୀ,ପର୍ଯ୍ୟଟକଙ୍କ ଅପେକ୍ଷାରେ ।ବିତିଯିବ ମାସ , ମଉଳିଯିବ ଫୁଲ  ।

ଦିନେ ଏମିତି ଲାଗୁଥିଲା ମେଳା,ପର୍ଯ୍ୟଟକଙ୍କ ଭିଡ..

ଆଜି ଯେତେବେଳେ କରୋନା ବିପତ୍ତି ସହ ଯୁଝୁଥିବା ମଣିଷ ଘରୁ ପାଦକାଢିବା ମୃନା , ସୁଦୂର କାଶ୍ମୀର ଯିବା କଥା ଭାବୁଛି କିଏ । ରିପୋର୍ଟ କହୁଛି କାଶ୍ମୀରରେ 168 କରୋନା ପଜିଟିଭ ଆସିଲାଣି, ଏଭଳି ଏକ ସ୍ଥିତିରେ ମାଳିଟିଏ ବି ଘରୁ ଗୋଡ଼ କାଢି  ଫୁଲ ପର୍ଯ୍ୟନ୍ତ ଯିବାକୁ ଡ଼ରୁଛି  । ବନ୍ଦ ହେଇଯାଇଛି ଗାଡ଼ିଚଳାଚଳ, ଠପ୍‌ ହୋଇଯାଇଛି  ସ୍ବାଭାବିକ ଜୀବନ ଯାତ୍ରା । କରୋନା କାଳରେ ଏବେ ଟ୍ୟୁଲିପ ଗାର୍ଡେନ ନିରବ,ନିର୍ଜନ । ଅପେକ୍ଷା ଆତଙ୍କର ଅନ୍ତକୁ ।

(ସ୍ମୁତିଲଗ୍ନା ନନ୍ଦ)

କରୋନା ଭୟ, ୫୦ ଡାକ୍ତର ଦେଲେ ଇସ୍ତଫା

ଗ୍ୱାଲିୟର: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ୫୦ ଡାକ୍ତର ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି। ସୂଚନା ରହିଛି ଯେ କରୋନା କାରଣରୁ ଏହି ସମସ୍ତ ଡାକ୍ତର ଇସ୍ତଫା ଦେଇଛନ୍ତି  । ଡାକ୍ତରଙ୍କ ଏହି ଇସ୍ତଫା ପରେ ସ୍ୱାସ୍ଥ୍ୟ ବିଭାଗରେ ଆଲୋଡନ ସୃଷ୍ଟି ହୋଇଛି । ଯଦିଓ ରାଜ୍ୟରେ ESMA ଲାଗୁ ଅଛି, ଏହା ଲାଗୁ ହେବା ପରେ ଜରୁରୀ କାଳୀନ ସେବାରେ ଥିବା କର୍ମଚାରୀ ମାନେ ତାଙ୍କ ଡ୍ୟୁଟୀରୁ ହଟି ପାରିବେ ନାହିଁ ।  ଅନ୍ୟପଟେ ଡାକ୍ତର ମାନଙ୍କ କହିବା ଅନୁସାରେ ESMA ଲାଗୁ ହେବା ପୂର୍ବରୁ ସେମାନେ ଇସ୍ତଫା ଦେଇଛନ୍ତି ।

କରୋନା କାରଣରୁ ଗ୍ୱାଲିୟରର ଗଜରାଜ ମେଡିକାଲ କଲେଜରେ ୩ ମାସ ପାଇଁ ୯୨ ଜଣ ଡାକ୍ତରଙ୍କ ନିଯୁକ୍ତି କରାଯାଇଥିଲା ।  ଏହି ସମସ୍ତ ଡାକ୍ତର ଜିଆର ମେଡିକାଲ କଲେଜରୁ ପାସଆଉଟ ହୋଇଥିବା ସୂଚନା ରହିଛି । ସେମାନଙ୍କ ନିଯୁକ୍ତି ଭିନ୍ନ ଭିନ୍ନ ବିଭାଗରେ  ଅସ୍ଥାୟୀ ରୂପରେ ହୋଇଥିଲା ।  ରାଜ୍ୟକୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ମେଡିକାଲ ଶିକ୍ଷା ବିଭାଗ ଗଜରାଜ ମେଡିକାଲ କଲେଜ ସମେତ ରାଜ୍ୟର ଅନ୍ୟ ମେଡିକାଲ କଲେଜରେ ଏମବିବିଏସରେ ଇଣ୍ଟର୍ନସିପ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଡାକ୍ତରଙ୍କ ହଠାତ ଏଭଳି ଇସ୍ତଫା ଦେବାରୁ ଡାକ୍ତରଖାନାରେ ଥିବା ରୋଗୀଙ୍କ ସମସ୍ୟା ବୃଦ୍ଧି ପାଇଛି ।

ଇସ୍ତଫା ଦେଇଥିବା ଡାକ୍ତରମାନେ କହିଛନ୍ତି ଯେ, ପ୍ରଥମେ ସେମାନେ କରୋନା ଡ୍ୟୁଟି ପାଇଁ ରାଜି ହୋଇଥିଲେ। ପରେ ଆଦେଶ ଆସିଲା ଯେ ଯେଉଁମାନେ କରୋନା ଡ୍ୟୁଟି କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଡ୍ୟୁଟି କରିବେ ଅନ୍ୟଥା ଯେଉଁମାନେ ରାଜି ନାହାନ୍ତି ସେମାନେ ଅଥିରୁ ଓହରି ପାରିବେ । ଏହି ସୂଚନା ପରେ ଡାକ୍ତର ମାନେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

 

‘କିଛି ଲକଡାଉନକୁ ହାଲକାରେ ନେଇ ମନୋରଞ୍ଜନ କରୁଛନ୍ତି’

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଲକଡାଉନ ନିୟମକୁ ନମାନି କିଛି ଲୋକ ତାସ୍ ଖେଳ ପାଇଁ ଏକାଠି ହେଉଛନ୍ତି । ଯାହାକି ବିପଦପୂର୍ଣ୍ଣ । ତାସ୍ ଖେଳ ବେଳେ ସାମାଜିକ ଦୂରତା ରକ୍ଷା ହେଉନାହିଁ । ଫଳରେ ଭୂତାଣୁ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଛି । କାଶ, ଛିଙ୍କ ଦ୍ୱାରା ସଂକ୍ରମଣ ତାସ୍ ଖେଳ ମାଧ୍ୟମରେ ସହଜରେ ବ୍ୟାପିପାରେ । ସଂକ୍ରମଣ ରୋକିବାକୁ ତାସ୍ ନଖେଳିବାକୁ କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ୍ ବାଗଚୀ କହିଛନ୍ତି ।

କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ଏଥିସହ କାଶ ଓ ଛିଙ୍କ ଦ୍ୱାରା କୋଭିଡ୍-୧୯ ଭୂତାଣୁ କେତେ ଦୂର ଯାଇପାରେ ସେନେଇ ମଧ୍ୟ ସେ ତଥ୍ୟ ରଖିଛନ୍ତି । କାଶରେ ଗୋଟିଏ କଣିକା ୧୯ ଫୁଟ୍ ଦୂର ଯାଇପାରେ । ଛିଙ୍କିଲେ କଣିକା ଟିଏ ୨୯ ଫୁଟ୍ ଯାଇପାରେ । ତେଣୁ, ତାସ୍ ଖେଳରେ କେହି ସଂକ୍ରମିତ ଥିଲେ କାଶିବା ଛିଙ୍କିବା ଦ୍ୱାରା କରୋନା ସହଜରେ ବ୍ୟାପିବ । ତେଣୁ, ଏ ସମୟରେ ତାସ୍ ନଖେଳିବାକୁ ସେ କହିଛନ୍ତି ।

ଆସିଲା ୪୯ ଓ ୫୦ ନମ୍ବର କରୋନା ସଂକ୍ରମିତଙ୍କ ତଥ୍ୟ

ଭୁବନେଶ୍ୱର: ରାଜ୍ୟର ୪୯ ଓ ୫୦ ନମ୍ବର କରୋନା ସଂକ୍ରମିତଙ୍କ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ୨ ଆକ୍ରାନ୍ତ ୟୁନିଟ୍-୪ ମଧୁସୂଦନ ନଗରର ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ । ୩୫ ବର୍ଷୀୟ ମହିଳା ୪୯ ନମ୍ବର ଆକ୍ରାନ୍ତ ହୋଇଥିବା ବେଳେ ୨୩ ବର୍ଷର ପୁରୁଷ ହେଉଛନ୍ତି ୫୦ ନମ୍ବର ଆକ୍ରାନ୍ତ । ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୪୧ ନମ୍ବର କରୋନା ଆକ୍ରାନ୍ତ ଏପ୍ରିଲ ୭ ତାରିଖ ଦିନ ଚିହ୍ନଟ ହୋଇଥିଲେ । ତାଙ୍କ ବୟସ ୪୫ ବର୍ଷ ।

ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍‌ରେ ଆଜି ସରିବ ସଟ୍‌ଡାଉନ୍‌: ବଜାର ଯାଇ ଭିଡ଼ ନକରିବାକୁ ଅନୁରୋଧ କଲେ ମୁଖ୍ୟ ଶାସନ ସଚିବ

କରୋନା ସଂକ୍ରମିତଙ୍କ ମଧ୍ୟରେ ବୟସ୍କଙ୍କ ତୁଳନାରେ ଯୁବାଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର: ଦେଶ ଓ ବିଶ୍ୱରେ ବୟସ୍କ ଲୋକ ସର୍ବାଧିକ କରୋନା ସଂକ୍ରମଣର ଶିକାର ହେଉଛନ୍ତି । ତେବେ, ରାଜ୍ୟରେ ସ୍ଥିତି ଭିନ୍ନ । ବୟସ୍କଙ୍କ ଅପେକ୍ଷା କରୋନାରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବବର୍ଗ । ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ଏହି ତଥ୍ୟ ବେଶ୍ ଚିନ୍ତାଜନକ । ଅଦ୍ୟାବିଧି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୫୦ ଜଣଙ୍କ ମଧ୍ୟରେ ଏହି ବର୍ଗରେ ଆସୁଛନ୍ତି ୨୬ ଜଣ । ଅର୍ଥାତ୍ ୫୦ ଜଣ ପଜିଟିଭଙ୍କ ମଧ୍ୟରୁ ୨୬ ଜଣ ରିସ୍କ ଗ୍ରୁପରେ ଅଛନ୍ତି । ୧୫ରୁ ୪୦ ବର୍ଷ ବୟସ୍କଙ୍କୁ ସରକାର ଏହି ବର୍ଗରେ ରଖିଛନ୍ତି ।

ଦ୍ୱିତୀୟ ରିସ୍କ ଜୋନରେ ଆସୁଛନ୍ତି ୪୧ରୁ ୬୦ ବର୍ଷ ବୟସର ବ୍ୟକ୍ତି । ଏହି ବୟସର ୧୨ ଜଣ ବର୍ତ୍ତମାନ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହାର ପ୍ରତିଶତ ହେଉଛି ମାତ୍ର ୨୪ । ତୃତୀୟ ବର୍ଗରେ ଆସୁଛନ୍ତି ନବଜାତକରୁ ୧୪ ବର୍ଷ ବୟସ୍କ । ଏହି ବୟସର ଆକ୍ରାନ୍ତଙ୍କ ପ୍ରତିଶତ ହେଉଛି ୧୬ । ଏହି ବର୍ଗର ବର୍ତ୍ତମାନ ୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବିଶ୍ୱରେ ଡେଞ୍ଜର ଜୋନରେ ଥିବା ବୟସ୍କ, ଓଡ଼ିଶାରେ ସୁରକ୍ଷିତ ଅଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂକ୍ରମଣର ସଂଖ୍ୟା ରାଜ୍ୟରେ ୮ ପ୍ରତିଶତ । ଏହି ବର୍ଗର ୪ ଜଣ ରାଜ୍ୟରେ କରୋନାରେ ସଂକ୍ରମିତ ଥିବା ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ତେବେ, ତା ମାନେ ନୁହେଁ ଆମେ ବୟସ୍କଙ୍କୁ ବାହାରକୁ ଛାଡ଼ି ସଂକ୍ରମଣକୁ ବ୍ୟାପକ କରିବା ।

କରୋନା ମହାମାରୀ ଭିତରେ ବିହାର ନେତାଙ୍କ ମଦ ବୋତଲ ସହ ନାଗୀନ୍ ଡ୍ୟାନ୍ସ … ଭିଡିଓ ଭାଇରାଲ

ବିହାର: ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଲୋକମାନେ ନିଜ ନିଜ ବନ୍ଦ ହୋଇ ଅଛନ୍ତି ଯାହା ଦ୍ୱାରା ସେମାନେ ନିଜକୁ ଏବଂ ଅନ୍ୟମାନଙ୍କୁ କରୋନା ମହାମାରୀରୁ ରକ୍ଷା କରିପାରିବେ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମୟରେ ମଧ୍ୟ ପରିସ୍ଥିତିକୁ  ଗମ୍ଭୀରତା ସହ ନେଉନାହାନ୍ତି । ବିହାରରେ ଲକଡାଉନ୍ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ନେଇ ଶାସକ ଜେଡିୟୁ ଅଡୁଆରେ ପଡିଛି ।  ଏଥିରେ ଯୁବ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ରାଜ୍ୟ ଉପାଧ୍ୟକ୍ଷ ବିଶାଲ ଗୌରବ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ନାଚୁଥିବାର ନଜର ଆସିଛନ୍ତି। ଭିଡିଓରେ ବିଶାଲ ହାତରେ ଏକ ମଦ ବୋତଲ ଧରି ନାଗିନ୍ ଡାନ୍ସ କରୁଛନ୍ତି।

ଟୁଇଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଦୁଇଜଣ ହାତରେ ବୋତଲ ଧରି ସଙ୍ଗୀତର ଧୁନରେ ମସ୍ତ୍ ଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ଦେଶରେ କୌଣସି ମହାମାରୀ ଆତଙ୍କ ନାହିଁ । ବିହାରରେ ମଦ ବ୍ୟାନ୍ ହୋଇଥିବାରୁ ମାମଲା ଅଧିକ ଗୁରୁତ୍ୱର ହୋଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଟ୍ୱିଟ୍  କରି ଲେଖିଛନ୍ତି ଯେ, “ନୀତୀଶ କୁମାରଙ୍କର ଏହି ଗେହ୍ଲା ପୁଅମାନେ ଜେଡିୟୁର ଉପାଧ୍ୟକ୍ଷ । ମଦ ନିଷେଧ ପରେ ମଧ୍ୟ ନୀତୀଶ କୁମାର ସେ ନାଗିନ୍ ଡ୍ୟାନ୍ସ କରି ନିଜକୁ ସାନିଟାଇଜ୍ କରୁଛନ୍ତି। ବିହାରରେ ରାସନ ଅଭାବରୁ ଗରିବ ମୃତ୍ୟୁବରଣ କରୁଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁମାନେ ଆଇନର ମଜା ଉଡାଉଛନ୍ତି। ”

ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏହି ଟୁଇଟରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ନୀତୀଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେଜସ୍ୱୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସମ୍ମାନିତ ମୁଖ୍ୟମନ୍ତ୍ରୀ, ନୀତୀଶ କୁମାର, ଏମାନଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ଏମାନେ ଆଇନ ଉଲ୍ଲଂଘନ କରିଛନ୍ତି । ଯଦି ଏହି ବ୍ୟକ୍ତିଙ୍କୁ ଗିରଫ ନକରାଯାଏ ତାହେଲେ ଏହାର ଅର୍ଥ ହେଉଛି ଯେ ସରକାର ନିଜେ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।

ତେବେ ଭାଇରାଲ ହୋଇଥିବା ଭିଡିଓ ପାଇଁ ଜେଡିୟୁକୁ ଲଜ୍ଜିତ ହେବାକୁ ପଡୁଛି । ତେଣୁ ବିଶାଲ ଗୌରବଙ୍କୁ ପାର୍ଟି ପୋଷ୍ଟରୁ ହଟାଇ ଦେଇଛି। ଜେଡିୟୁ ମୁଖପାତ୍ର ରାଜୀବ ରଂଜନ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ‘ମଦ୍ୟପାନ କରୁଥିବା ଅଭିଯୋଗ ହୋଇଥିବା ଜେଡିୟୁ ଯୁବ ନେତାଙ୍କୁ ପାର୍ଟି ପଦରୁ ହଟାଇ ଦିଆଯାଇଛି। ଭିଡିଓ ଦେଖିବା ପରେ ବିଶାଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

କରୋନା ଦାଉରୁ ନବଜାତ ଶିଶୁଙ୍କୁ ରକ୍ଷା ରଖିବା ପାଇଁ ସୁରକ୍ଷା କବଜ ପ୍ରସ୍ତୁତ କଲା ଥାଇଲାଣ୍ଡ

ବ୍ୟାଂକକ: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ ଦେଖି ଏବେ ସମସ୍ତେ ବେଶ୍‌ ସଚେତନ ହୋଇଯାଇଛନ୍ତି। ତେବେ ଥାଇଲାଣ୍ଡର କିଛି ହସ୍ପିଟାଲରେ ନବଜାତକଙ୍କୁ ଏହି ମହାମାରୀଠାରୁ ଦୂରେଇ ରଖିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ଦେଖାଯାଇଛି।

ଦକ୍ଷିଣ ବ୍ୟାଂକକ୍‌ର ସମୁକ ପ୍ରକନ ଅଞ୍ଚଳରେ ଥିବା ହସ୍ପିଟାଲରେ ଯେଉଁ ଶିଶୁ ଜନ୍ମ ନେଉଛନ୍ତି ସେମାନଙ୍କୁ କରୋନା ଭାଇରସଠାରୁ ଦୂରେଇ ରଖିବାକୁ ଏକ ମିନି ଫେସ ସିଲଡ ବା ମୁହଁ ଘୋଡାଇବା ଭଳି ଏକ ଆଧୁନିକ ମାସ୍କ ବୋଲି କୁହାଯାଇପାରେ ତାକୁ ହିଁ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ଥାଇଲାଣ୍ଡରେ ଏବେ ୨ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ନବଜାତକଙ୍କୁ ବିଶେଷ ଭାବେ ସୁରକ୍ଷା ଦେବାକୁ ହସ୍ପିଟାଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ରାଜ୍ୟର ୮୦ ପ୍ରତିଶତ ସଂକ୍ରମିତଙ୍କ ପାଖରେ ନାହିଁ କରୋନା ଲକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଶୁକ୍ରବାର ଆରୋଗ୍ୟ ଲାଭ କରିଥିବା ୧୦ ଜଣଙ୍କୁ ମଧ୍ୟ ଡିସଚାର୍ଜ କରାଯାଉଛି । ଏବେ ରାଜ୍ୟରେ ୩୭ଟି ସକ୍ରିୟ ମାମଲା ରହିଛି । ତେବେ, ୮୦ ପ୍ରତିଶତ ମାମଲାରେ କରୋନାର କୌଣସି ଲକ୍ଷଣ ନାହିଁ । ଆକ୍ରାନ୍ତଙ୍କ ଠାରେ ଜ୍ୱର, କାଶ କିମ୍ବା ଛିଙ୍କ ପରିଲକ୍ଷିତ ହେଉନଥିବା ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ପ୍ରଥମ କରୋନା ଆକ୍ରାନ୍ତ

୩୭ଟି କେସ୍ ମଧ୍ୟରୁ ୨ଟି କେସରେ ଡାକ୍ତରଙ୍କ ତତ୍ତ୍ୱାବଧାନ ଆବଶ୍ୟକ ରହିଛି । ଅନ୍ୟମାନଙ୍କୁ କେବଳ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ଅବଜରଭେସନରେ ଥିବା ୩୫ ଆକ୍ରାନ୍ତଙ୍କ ପାଖରେ କରୋନାର ଲକ୍ଷଣ ନାହିଁ ।

ଲକଡାଉନ୍ ସମୟରେ ସିଙ୍ଗଡା ବିକି ଜେଲ୍ ଗଲେ ୨ଯୁବକ,କେଉଁଠି ଜାଣନ୍ତୁ

ଲକ୍ଷ୍ନୌ: ମହାମାରୀ ବିସ୍ତାର ନେଇ ସମଗ୍ର ଦେଶରେ ଲକଡାଉନ୍ ଚାଲିଛି ।  ଦେଶରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୧ଦିନିଆ ଲକଡାଉନ୍ ବୃଦ୍ଧି କରାଯିବ କି, ନାହିଁ ଆଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଗୋଟିଏ ପଟେ ଦେଶକୁ ସୁରକ୍ଷିତ କରିବା ପାଇଁ ସରକାର ଗୋଟିକ  ପରେ ଗୋଟିଏ ପଦକ୍ଷେପ ନେଉଥିବାବେଳେ କିଛି ଲୋକେ କଟକଣାକୁ ମାନୁନାହାନ୍ତି । ଉତ୍ତର ପ୍ରଦେଶରୁ ଆସିଥିବା ଗୋଟିଏ ଖବର ଆପଣଙ୍କୁ ଚକିତ କରିବ । ଏହି ଖବର କହୁଛି ଯେ, ଭାରତୀୟଙ୍କ ଭିତରୁ ଅନେକ ଏପର୍ଯ୍ୟନ୍ତ କରୋନାର ଭୟାବହତାକୁ ଅତି ହାଲୁକାରେ ନେଉଛନ୍ତି ।

ଲକ୍ଷ୍ନୌରେ ଲକଡାଉନ୍ ସମୟରେ ୨ ଜଣ ବ୍ୟକ୍ତି ସିଙ୍ଗଡା ବିକ୍ରି କରି ଗିରଫ ହୋଇଛନ୍ତି । ଘଟଣା ଏମିତି, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦୁଇ ଜଣ ଯୁବକ ବୁଲିବୁଲି ସିଙ୍ଗଡା ବିକ୍ରି କରୁଥିବା ପୋଲିସ ନଜରକୁ ଆସିଥିଲା । ପୋଲିସ ତୁରନ୍ତ ସେମାନଙ୍କୁ ଗିରଫ କରିଥିଲା । ଗିରଫ ଯୁବକ ଦ୍ୱୟଙ୍କ ନାମ ହେଉଛି ବିରେନ୍ଦ୍ର କୁମାର ଓ ରାମ ବାବୁ ଶର୍ମା । ପୋଲିସ ଉଭୟଙ୍କ ବିରୋଧରେ ମାମାଲା ରୁଜୁ କରିଛି । ଏବେ ଦୁହେଁ ଗିରଫ ହୋଇ ଜେଲର ପବନ ଖାଉଛନ୍ତି।

ସୂଚନାଯୋଗ୍ୟ ଯେ,୧୮୯୭ର ମହାମାରୀ ଆଇନର ଧାରା ୩ ରେ ଉଲ୍ଲେଖ କରାଯାଇଛି ଯେ, ଯଦି କେହି ମାହାମାରୀ ଆଇନକୁ  ଉଲ୍ଲଂଘନ କରନ୍ତି,  ସରକାର / ଆଇନର ନିର୍ଦ୍ଦେଶ / ନିୟମ ଭାଙ୍ଗନ୍ତି, ତେବେ ତାଙ୍କୁ ଆଇପିସିର ଧାରା ୧୮୮ ଅନୁଯାୟୀ ଦଣ୍ଡ ଦିଆଯିବ । ୟୁପିରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୪୩୦କୁ ଅତିକ୍ରମ କରିଛି। ଚିକିତ୍ସା ପରେ ଏଠାରେ ୩୦ ରୁ ଅଧିକ ରୋଗୀ ସୁସ୍ଥ ହୋଇଥିବାବେଳେ ଚିକିତ୍ସା ସମୟରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଲକଡାଉନ୍ ଲାଗୁ ନହୋଇଥିଲେ ଅସମ୍ଭାଳ ହୋଇଥାନ୍ତା ଭାରତର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇ ନଥିଲେ କଣ ହୋଇଥାନ୍ତା ?  କଣ ରହିଥାନ୍ତା ଦେଶର ସ୍ଥିତି ? ୧୩୦ କୋଟି ଭାରତୀୟଙ୍କ ଅବସ୍ଥା କିଭଳି ଥାନ୍ତା ? ଏହାର ଭୟାବହ ସ୍ଥିତି ଆଙ୍କିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ । ଦେଶବ୍ୟାପୀ ଲକଡାଉନ୍ ଲାଗୁ ସହ ଅନ୍ୟ ପଦକ୍ଷେପ ନିଆଯାଇ ନଥିଲେ ଏପ୍ରିଲ ୧୩ ସୁଦ୍ଧା ପ୍ରାୟ ୮.୨ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଥାନ୍ତେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି ।

କୋଭିଡ୍-୧୯ ସହ ମୁକାବିଲା ପାଇଁ ଦେଶ ବହୁ ପଦକ୍ଷେପ ନେଇଛି । ଦେଶରେ ୫୮୬ଟି କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି । ୧ ଲକ୍ଷ ଆଇସୋଲେସନ୍ ବେଡ୍ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

ଏହାସହ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ବୋଲି ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଦେଶରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି । ଡାକ୍ତର ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ମେଡିକାଲ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପୋଲିସ ସୁରକ୍ଷା ଦେବାକୁ ଚିଠିରେ କୁହାଯାଇଛି ।