ପୁଣି ଶ୍ରୀମନ୍ଦିରକୁ ଗଲା ମୋବାଇଲ୍, ସୁରକ୍ଷାକୁ ନେଇ ପ୍ରଶ୍ନ
ପୁରୀ : ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । କାରଣ, ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ଜଣେ ଯୁବକ ଫୋନରେ ଭିନ୍ନ ଭିନ୍ନ ଭାଗ ଭଙ୍ଗୀରେ କଥା ହେଉଥିବାର ଫଟୋ ଇରାଲ୍ ହୋଇଛି । ଧଳା ଶାର୍ଟ ପିନ୍ଧି ଏ ଯୁବକ ଜଣଙ୍କ କାନ୍ଥକୁ ଡେରି ହୋଇ ମୋବାଇଲରେ କଥା ହେଉଥିବାର ଫଟୋ ଭାଇରାଲ୍ ହୋଇଛି ।
ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବଳୟ ଅତିକ୍ରମ କରି କିଭଳି ଯୁବକ ଜଣଙ୍କ ଚାହାଣି ମଣ୍ଡପକୁ ଉଠିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନ । ମନ୍ଦିରରେ ସୁରକ୍ଷାକର୍ମୀଙ୍କ ସହ ଜେଟିପି ଥାଇ ମଧ୍ୟ କିଭଳି ଫୋନ ଭିତରକୁ ଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ୱାର ଏଭଳି ଘଟଣା ଘଟୁଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ଯୁବକ ଜଣଙ୍କ କିଏ ? କାହିଁକି ସେ ସେଠାକୁ ଯାଇଥିଲେ ? ଏଭଳି କରିବା ପଛରେ କଣ କାରଣ ? ସେ ସବୁକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।
ସିଏଏକୁ ନେଇ ବିରୋଧ ଜାରି : ବନ୍ଧା ହେଲେ ୧୦ ବିକ୍ଷୋଭକାରୀ
. ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ପୋଲିସର ଜୋରଦାର ପ୍ରୟାସ
. ଦରିୟାଗଞ୍ଜରେ ୧୦ ପ୍ରଦର୍ଶନକାରୀଙ୍କୁ ଗିରଫ କଲା ପୋଲିସ
ନୂଆଦିିଲ୍ଲୀ : ନାଗରିରକତା ସଂଶୋଧନ ଆଇନ୍ (CAA) ବିରୋଧରେ ସାରା ଦେଶରେ ବିକ୍ଷୋଭ ଉଗ୍ର ରୂପ ନେଉଛି । ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳରେ ଶୁକ୍ରବାର ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଛି ।
ସୂଚନା ଅନୁଯାୟୀ, ବିକ୍ଷୋଭ ଚାଲିଥିବାବେଳେ ଥାନା ପାଖରେ ଥିବା ଏକ ଗାଡ଼ିରେ ନିଆଁ ଲଗାଇବା ସହ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ପ୍ରଦର୍ଶନକାରୀ । ଫଳରେ ପୋଲିସ ପାଣି ମାଡ଼ କରି ପ୍ରଦର୍ଶନକାରୀଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାକୁ ବିରୋଧ କରି ସେଠାରେ ଥିବା କିଛି ବ୍ୟକ୍ତି ଦିଲ୍ଲୀ ପୋଲିସର ମୁଖ୍ୟାଳୟ ଘେରାଉ କରିଥିଲେ । ହେପାଜତରେ ନିଆଯାଇଥିବା ପ୍ରଦର୍ଶନକାରୀଙ୍କୁ ନଛାଡ଼ିବା ପର୍ଯ୍ୟନ୍ତ ମୁଖ୍ୟାଳୟ ସମ୍ମୁଖରେ ସେମାନେ ଧାରଣାରେ ବସିବେ ବୋଲି କହିଥିଲେ ।

ପରେ ଶୁକ୍ରବାର ରାତି ପ୍ରାୟ ୧୦:୩୦ରେ ଦିଲ୍ଲୀ ଚିଫ୍ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ଙ୍କ ଆଦେଶରେ ସେମାନଙ୍କ ମଧ୍ୟରୁ ୮ ନାବାଳକଙ୍କୁ ଛଡ଼ା ଯାଇଥିଲା ।
ଅନ୍ୟପଟେ ଦରିୟାଗଞ୍ଜ ପୋଲିସ ଷ୍ଟେସନରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ପୋଲିସ ହେପାଜତକୁ ନେଇଥିବା ୧୬ ଜଣଙ୍କୁ ଛାଡ଼ି ଦେଇଛି ଏବଂ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଜାମା ମସଜିଦରେ ନମାଜ ସାରି ବହୁ ସଂଖ୍ୟକ ଲୋକ ନାଗରିକତା ନିୟମ ବିରୋଧରେ ବିକ୍ଷୋଭ କରିବା ପାଇଁ ଯନ୍ତର ମନ୍ତର ମଇଦାନ ଅଭିମୁଖେ ଯାଇଥିଲେ । ଏହି ସମୟରେ ପୋଲିସ ଇଣ୍ଡିଆ ଗେଟ୍ ପାଖରେ ସେମାନଙ୍କୁ ଅଟକାଇବାରୁ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।
ଅନ୍ୟପଟେ ଗୁରୁବାର ଦିନ ସୀମାପୁରୀ ଅଞ୍ଚଳରେ ହିଂସା କାରଣରୁ ଧାରା ୮୧୬/୧୯ ଅନୁସାରେ ୧୧ ଜଣଙ୍କ ବିରୋଧରେ ଏଫଆଇଆର ଦିଆଯାଇଛି ।
CAA ହିଂସାରେ ରେଳବାଇର ବ୍ୟାପକ କ୍ଷତି, ପୂର୍ବତଟ ରେଳବାଇରେ ସର୍ବାଧିକ
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ୍ ୨୦୧୯କୁ ଉତ୍ତର ଭାରତ ଓ ପୂର୍ବ ଭାରତରେ ପ୍ରବଳ ବିରୋଧ ଜାରି ରହିଛି । ବିଭିନ୍ନ ସ୍ଥାନରେ ହିଂସାରେ ୧୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।
ଏହା ମଧ୍ୟରେ ହିଂସାରେ ରେଳବାଇର ୮୮ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ପୂର୍ବଚଟ ରେଳବାଇରେ ୭୨ କୋଟି ଟଙ୍କା ନଷ୍ଟ ହୋଇଥିବା ବେଳେ ଦକ୍ଷିଣ ରେଳବାଇର ୧୩ କୋଟି ଟଙ୍କା ନଷ୍ଟ ହୋଇଛି । ସେହିପରି ଉତ୍ତର ପୂର୍ବ ଫ୍ରଣ୍ଟାୟାର ଜୋନରେ ୩ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । 
ଟ୍ରେନରେ ବଗି ନଷ୍ଟ ଓ ପୋଡ଼ା ଜଳା କାରଣରୁ ଏହି ସବୁ କ୍ଷତି ହୋଇଥିବା ଜଣାପଡ଼ିଛି ।
ବଳଦ ଖୋଜିବାକୁ ଯାଇ ଭାଲୁର ଶିକାର ହେଲେ ବ୍ୟକ୍ତି, ତାଡ଼ିନେଲା ଆଖି
ଉଦଳା: ବଳଦ ଖୋଜିବାକୁ ଯାଇ ନିଜ ଆଖି ହରାଇଲେ । ରାତିରେ ବଳଦ ଖୋଜିବାକୁ ଯାଇଥିବା ବେଳେ ଭାଲୁ ତାଡ଼ିନେଲା ଆଖି । ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ କଟରାସାହି ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ, କଟରାସାହି ଗାଁର ଦାମ ଟୁଡ଼ୁ ନାମକ ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ବଳଦକୁ ଖୋଜିବା ପାଇଁ ତାଙ୍କ ଘର ବାଡ଼ିକୁ ଯାଇଥିଲେ । ବାଡ଼ିରେ ଥିବା ଏକ ବାଉଁଶ ବୁଦା ନିକଟରେ ଏକ ଭାଲୁ ଲୁଚି ରହିଥିବା ବେଳେ ଟୁଡୁଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁ ଟୁଡୁଙ୍କ ମୁହଁକୁ ଆକ୍ରମଣ କରିଥିବା ବେଳେ ତାଙ୍କର ଦୁଇଟି ଆଖିକୁ ତାଡ଼ିନେଇଥିଲା । ଚିତ୍କାର ଶୁଣି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଆସି ପହଞ୍ଚିଥିଲେ ।
ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।
ଶେଷ ଦିନିକିଆ ପାଇଁ ବାରବାଟୀରେ ଟିମ୍ ଇଣ୍ଡିଆର ଅଭ୍ୟାସ ଆରମ୍ଭ, ସିରିଜ୍ ହାତେଇବା ଲକ୍ଷ୍ୟରେ କୋହଲି ଏଣ୍ଡ କୋ ।
କଟକ : ବାରବାଟୀ ପାଇଁ କାଉଣ୍ଟଡାଉନ ଆରମ୍ଭ । ପଡ଼ିଆ ପ୍ରସ୍ତୁତ, ମ୍ୟାଚ ପାଇଁ ଯୋଦ୍ଧା ବି ତୟାର । ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ନିର୍ଣ୍ଣାୟକ ମୁକାବିଲା । ଏହି ମ୍ୟାଚ୍ ପାଇଁ ଦୁଇଟି ଦଳ ଅଭ୍ୟାସ କରିବେ । ମ୍ୟାଚ୍କୁ ଜିତିବା ପାଇଁ ଦୁଇଟି ଦଳ ସେମାନଙ୍କର ସ୍ୱତନ୍ତ୍ର ରଣକୌଶଳ କରିବେ । ପିଚ୍ କେମିତି ଅଛି ଏବଂ କେଉଁ ଷ୍ଟ୍ରାଟେଜିରେ ଟିମ୍ ଖେଳିବ ସେନେଇ ଆଜି ଉଭୟ ଟିମ୍ ପ୍ଲାନ ତିଆରି କରିବେ । ତେବେ ଟିମ୍ ଇଣ୍ଡିଆର ଖେଳାଳି ଆଜି ପୂର୍ବାହ୍ନରେ ବାରବାଟୀରେ ପହଞ୍ଚି ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି ।

ସକାଳ ୯ଟା ୩୦ ମିନିଟିରେ ମେ ଫେୟାର ହୋଟେଲରୁ ବାହାରି ୧୦ଟା ସମୟରେ ଭାରତୀୟ ଟିମ ବାରବାଟୀରେ ପହଞ୍ଚିଥିଲା । ଏହାପରେ ସେଠାରେ ପ୍ରାକ୍ଟିସ ଆରମ୍ଭ କରିଛି ଦଳ । ଦିନ ଦୁଇଟା ସମୟରେ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରାକ୍ଟିସ ପାଇଁ ପଡ଼ିଆକୁ ଆସିବ ବୋଲି ଜଣାପଡ଼ିଛି ।

ପ୍ରାକ୍ଟିସ ପରେ ଦୁଇଟି ଦଳ ଦିନିକିଆ ମ୍ୟାଚକୁ ନେଇ ପ୍ରେସ୍ କନଫ୍ରେନ୍ସ କରିବାର କାର୍ଯ୍ୟକ୍ରମ ଅଛି । ସେପଟେ ଭାରତୀୟ ଟିମର ପ୍ଲେୟର୍ସଙ୍କୁ ଦେଖିବା ଓ ସେମାନଙ୍କର ଅଭ୍ୟାସ ଦେଖିବା ପାଇଁ ଦର୍ଶକଙ୍କ ଗହଳି ଷ୍ଟାଡିୟମରେ ଦେଖିବାକୁ ମିଳିଛି । ଏନେଇ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।

ସହକାରୀ ଯନ୍ତ୍ରୀଙ୍କ ଉପରେ ଭିଜିଲାନ୍ସ ଚଡ଼କ, ସରକାରୀ ଘର ସମେତ ୯ଟି ସ୍ଥାନରେ ଚଢ଼ାଉ
ଆନନ୍ଦପୁର: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ସରକାରୀ ଘରେ ରେଡ ହୋଇଛି ।

ଏହାସହ ୯ ଟି ଜାଗାରେ ଭିଜିଲାନ୍ସ ରେଡ କରିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ଦ୍ୱାରା ରେଡ ଜାରି ରହିଛି । ଆଜି ସକାଳୁ ଭିଜିଲାନ୍ସ ବିଭାଗର ୨ଟି ଟିମ୍ ଆନନ୍ଦପୁର ଠାରେ ଚଢାଉ କରିଛି । ଏହା ସହ ରାଉରକେଲାର ଦୁଇଟି ସ୍ଥାନରେ, ଭୁବନେଶ୍ୱରର ୩ଟି ସ୍ଥାନରେ, ମାହାଙ୍ଗାର ଗୋଟିଏ ସ୍ଥାନରେ ରେଡ୍ ହୋଇଛି ।

ସାକ୍ଷୀଗୋପାଳରେ ସୁବଳଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ହୋଇଛି । ଯନ୍ତ୍ରୀ ସୁବଳ ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ସହ ଅନେକ ନଥିପତ୍ର ଜାଞ୍ଚ କରୁଛି ୨ ଜଣିଆ ଟିମ୍ ।
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ, ଗଛରେ ଦଉଡ଼ି ଦେଇ କଲେ ଆତ୍ମହତ୍ୟା
ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ସୂନାପଲି ଗାଁ ରେ ଅଭାବନୀୟ ଘଟଣା । ଗଛରେ ମୃତଦେହ ଓହଳିଥିବା ବେଳେ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଗାଁ ର ଲାଲୁଘାଇ ପୋଖରୀ ହୁଡ଼ା ରେ ଥିବା ଏକ ଗଛରେ ଦୁଇଜଣ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ପ୍ରେମ ଜନିତ ବୋଲି ଜଣାପିଡ଼ିଛି । ମୃତକ ଦୁଇ ଜଣ ସେହି ଗାଁ ର ବିଜ୍ଞାନୀ ନାହାକ ଓ କୈଳାସ ନାହାକ ।

ସୂଚନା ଅନୁଯାୟୀ, ଏହି ଦୁଇଜଣ କିଛିଦିନ ହେବ ପରସ୍ପରକୁ ଭଲପାଇ ଆସୁଥିଲେ । କିନ୍ତୁ କୌଣସି କାରଣରୁ ଆଜି ସକାଳୁ ଏମାନଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକେ ଶୌଚପାଇଁ ଗଲା ବେଳେ ଭୋରୁ ଭୋରୁ ଏମାନଙ୍କର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଜି ଶବକୁ ଉଦ୍ଧାର କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫକଲା ପୋଲିସ, ଲୁଟି ନେଇଥିଲେ ୪୦ ଲକ୍ଷ
ରାଉରକେଲା: ବ୍ୟାଙ୍କରୁ ଟଙ୍କା ହଡପ ଅଭିଯୋଗରେ ୩ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ପୋଲିସ । ରାଉରକେଲା ବନ୍ଧମୁଣ୍ଡାଠାରେ ଥିବା ୟୁବିଆଇ ବ୍ୟାଙ୍କରୁ ୪୦ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହି ଘଟଣାରେ ସାଇବର କ୍ରାଇମ ଥାନା ପୋଲିସ ୩ଜଣଙ୍କୁ ଗିରଫ କରିଛି ।

ଜନସେବା କେନ୍ଦ୍ର ମିନି ବ୍ୟାଙ୍କ ମାଧ୍ୟମରେ ୩ଜଣ ବ୍ୟାଙ୍କ ମିତ୍ର ଟଙ୍କା ହଡପ କରିଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ବ୍ୟାଙ୍କର ସର୍ଭର ପ୍ରୋବ୍ଲେମ ସମୟରେ ଏହି ଲୁଟ୍ ହୋଇଥିଲା । ଅଭିଯୁକ୍ତ ସନ୍ତୋଷ ପତି, ରାମ ଏକ୍କା ଓ ପୁଷ୍ପା କୁଜୁରଙ୍କୁ ଗିରଫ କରାଯାଇଥିବାନେଇ ପୋଲିସ ସୂଚନା ଦେଇଛି ।

ଖାସ୍ ମ୍ୟାଚ୍ ପାଇଁ: ରାଜଧାନୀରୁ କଟକ ଯାଏଁ ସ୍ୱତନ୍ତ୍ର ବସ୍ ସେବା, ୩୦ ଟଙ୍କା ଦେଇ ପହଞ୍ଚିବେ ବାରବାଟୀରେ
ଭୁବନେଶ୍ୱର: ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ଲାଗି କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପର୍ଟ ବା କ୍ରୁଟ୍ର ସ୍ୱତନ୍ତ୍ର ବ୍ୟବସ୍ଥା । ୨୨ ତାରିଖ ଅର୍ଥାତ ମ୍ୟାଚ୍ ଦିନ ରାଜଧାନୀରୁ ବାରବାଟୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ଏହି ମୋ’ ବସ ସେବା ମାଷ୍ଟରକ୍ୟାଣ୍ଟିନ୍ଠାରୁ କଟକ ବାରବାଟୀ ଷ୍ଟାଡିୟମ ଯାଏଁ ଏବଂ ବରମୁଣ୍ଡାଠାରୁ ଷ୍ଟାଡିୟମ ଯାଏଁ ଉପଲବ୍ଧ ହେବ । ମାଷ୍ଟରକ୍ୟାଣ୍ଟିନ୍ ବସ୍ଟି ଭାୟା ଜାତୀୟରାଜପଥ ଓ ବରମୁଣ୍ଡା ବସ୍ ଭାୟା ନନ୍ଦନକାନନ ହୋଇ କଟକ ବାରବାଟୀ ଷ୍ଟାଡିୟମର ପାର୍କିଂ ପାଖରେ ଯାଇ ପହଞ୍ଚିବ ।

ଏହି ସ୍ୱତନ୍ତ୍ର ବସ ସେବା ସକାଳ୦୮.୩୦ରୁ ୧୧.୦୦ଟା ଏବଂ ପୁଣି ଥରେ ଫେରନ୍ତା ଯାତ୍ରୀଙ୍କ ପାଇଁ ରାତ୍ରି ୧୦.୦୦ଟାରୁ ମଧ୍ୟରାତ୍ରି ଯାଏଁ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ୍ ସେବା ପାଇଁ ଏକ ସ୍ୱତନ୍ତ୍ର ବସ ଭଡ଼ା ମାତ୍ର ୩୦ ଟଙ୍କା ନିର୍ଦ୍ଧାରିତ ହୋଇଛି ।

କ୍ରିକେଟପ୍ରେମୀ ଦର୍ଶକଙ୍କୁ ନିଜସ୍ୱ ଯାନବାହାନ ବ୍ୟବହାର ନକରି ସୁବିଧା ଜନକଭାବେ ସ୍ୱଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ମୋ’ ବସ୍ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କ୍ରୁଟ୍ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ମୋ’ବସ ସେବାର ବ୍ୟବହାର ଦ୍ୱାରା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ୍ କଷ୍ଟରୁ ମଧ୍ୟ ମୁକ୍ତି ମିଳିବ । ଏହା ଦ୍ୱାରା ଅଧିକାରୁ ଅଧିକା ଲୋକ ଲାଭାନ୍ୱିତ ହେବେ ବୋଲି ସେ ଆଶା ରଖିଛନ୍ତି ।
୧) ବରମୁଣ୍ଡାରୁ ବାରବାଟୀ ଷ୍ଟାଡିୟମ ଗଲା ବେଳେ ଏହି ବସ ଜୟଦେବ ବିହାର, ନନ୍ଦନକାନନ ଏବଂ ଜୁଡିସିଆଲ ଏକାଡେମୀ
କେବଳ ଏହି ୩ଟି ଜାଗାରେ ରହିବ । ଫେରିବା ସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ବସ୍ ରୋକାଯିବ ।
୨) ସେହିପରି ମାଷ୍ଟର କ୍ୟାଣ୍ଟିନରୁ ବାରବାଟୀ ଷ୍ଟାଡିୟମ ଯାଉଥିବା ବସ ବାଣୀବିହାର ଛକ, ନଖରା ଛକ, ଲିଙ୍କ ରୋଡରେ ରହିବ ।
ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ ରୋକାଯିବ ।

