କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ: ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ ପ୍ରତିବାଦ

ନୂଆଦିଲ୍ଲୀ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ କରାଯାଉଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ଆପ୍ ନେତା ଓ କର୍ମୀ ବାହାର କରିବେ ମହମବତି ରାଲି । ବିଜେପିର ଏକଛତ୍ରବାଦୀ ଆଭିମୁଖ୍ୟକୁ ବିରୋଧ କରି ଆପ୍ କର୍ମୀଙ୍କ ଗର୍ଜନ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

କେନ୍ଦ୍ରୀୟ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟ ଓ ଇଡି ଅଫିସକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛ । ଟ୍ରାଫିକ କଟକଣାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ସେପଟେ ଜେଲରୁ ରହି ସରକାର ପରିଚାଳନା ଆରମ୍ଭ କରିଛନ୍ତି କେଜ୍ରିଓ୍ବାଲ । ଜଳ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ସେ ଜାରି କରିଛନ୍ତି ।

ସରକାର ପରିଚାଳନା ଲାଗି ଜେଲରେ ମୁଖ୍ଯମନ୍ତ୍ରୀଙ୍କ ଲାଗି କାର୍ଯ୍ୟାଳୟ ଖୋଲିବାକୁ କୋର୍ଟଙ୍କ ଅନୁମତି ମଗାଯିବ ବୋଲି ସୂଚନା ଦେଇଛନ୍ତି ଆପ୍ ନେତା । ତେଣେ ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୭ ତାରିଖରେ କରିବେ ଦିଲ୍ଲୀ ହାଇକୋର୍ଟ ।

ମୁଖ୍ୟମନ୍ତ୍ରୀଙ୍କୁ ଦୈନିକ ଭେଟିବା ଲାଗି ପତ୍ନୀ ସୁନୀତା କେଜ୍ରିଓ୍ବାଲ ଓ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଅଧଘଣ୍ଟା ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପିଏମଏଲଏ କୋର୍ଟ । ଆଜି ଦଳର ସମସ୍ତ ବିଧାୟକ, କର୍ମକର୍ତ୍ତା ଦିଲ୍ଲୀ ସାହିଦ ପାର୍କରେ ଏକାଠି ହୋଇଛନ୍ତି । ସେଠାରେ ପୋଲିସ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ଯବସ୍ଥା କରାଯାଇଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଆପ୍ ପକ୍ଷରୁ ଘୋଷଣା କରାଯାଇଛି ।