ବିଜେଡି କାଉନସିଲଙ୍କୁ ଆକ୍ରମଣ ଉପରୁ ଉଠିଲା ପରଦା: ଆକ୍ରମଣ ପଛରେ ନିଜ ଭାଇ

ଅନୁଗୋଳ: ଅନୁଗୁଳ ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲା ଉପରୁ ପରଦା ହଟାଇଛି ପୋଲିସ୍ । ଆଉ କେହି ନୁହେଁ, ରଞ୍ଜିତଙ୍କ ବଡ଼ ଭାଇ ପବନ ହିଁ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ । ପାରିବାରିକ ବିବାଦ ପାଇଁ ସେ କିଛି ଅସାମାଜିକ ଲୋକଙ୍କୁ ଲଗାଇ ରଞ୍ଜିତଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିବା ପୋଲିସ ସୂଚନା ଦେଇଛି । ମାମଲାରେ ପୋଲିସ ପବନ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଛେଳିଆପଡ଼ାର ଗୁଗୁ ଓରଫ ଭବାନୀ ଶଙ୍କର ଭଞ୍ଜ , ବଲାସିଂହା ଗାଁର ବିଜୁ ଓରଫ ପ୍ରଦ୍ୟୁମ୍ନ ବାରିକ , ଶୁଶୁଡ଼ା ଗାଁର ଚିକୁ ଓରଫ ଅଜିତ କୁମାର ଦାସ ।  ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆ ଓ ଦୁଇଟି ବାଇକ୍ ଜବତ ହୋଇଛି ।

ସୂଚନାଯୋଗ୍ୟ, ଅନୁଗୋଳ ପୌର ପରିଷଦ ୫ ନମ୍ବର ୱାର୍ଡର କାଉନସିଲର ତଥା ସହରର ବିଶିଷ୍ଟ ବ୍ୟବସାୟୀ ରଞ୍ଜିତ ମାଣ୍ଡୋଠିଆ ଗତ ୩ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଟାଙ୍ଗିଆରେ ତାଙ୍କ ମୁଣ୍ଡ ଓ ବେକକୁ ହାଣି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା ।  ଏଥିରୁ ରଞ୍ଜିତ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ପିଠିରେ ଟାଙ୍ଗିଆ ଚୋଟ ଲାଗିଥିଲା । ଏନେଇ ଅନୁଗୋଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତ କରୁଥିଲା ବେଳେ ଏହି ଆକ୍ରମଣ ପଛରେ ପାରିବାରିକ ବିବାଦ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆକ୍ରମଣ କରିବାକୁ ରଞ୍ଜିତଙ୍କ ବଡ଼ ଭାଇ ପବନ କିଛି ଅସାମାଜିକ ଲୋକଙ୍କୁ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା