ମହିଳା ଶକ୍ତି ସ୍ବରୂପା, ରାଜ୍ଯର ୭୦ ଲକ୍ଷ ମାଆଙ୍କୁ ଏକ୍ କରିଛି ମିଶନ ଶକ୍ତି : ବିଜେଡି

1 min read

ଭୁବନେଶ୍ୱର: ମହିଳାଙ୍କ ଗୁରୁତ୍ୱ ସମସ୍ତଙ୍କ ଜୀବନ ସହ ଜଡିତ। ସେମାନେ ଶକ୍ତି ସ୍ୱରୂପା। ଏହି ଶକ୍ତି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନ ନୁହେଁ, ଏହା ଏକ ଐତିହାସିକ ସତ୍ଯରେ ପରିଣତ ହୋଇଛି। ପ୍ରେସମିଟ କରି ମିଶନ ଶକ୍ତିର ସଫଳତାର ବିବରଣୀ ଦେଇଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଏହାକୁ କାମରେ ପରିଣତ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଏହାର ପ୍ରତୀକ। ରାଜ୍ୟର ୫୦ ପ୍ରତିଶତ ମହିଳା। ତେଣୁ ଏହି ୫୦ ପ୍ରତିଶତ ଆଗକୁ ଗଲେ ହିଁ ରାଜ୍ୟ ଆଗେଇବ। ମାଆମାନଙ୍କୁ ଧନ୍ୟବାଦ ଯେ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା ୬ ଲକ୍ଷ SHG ଗୋଷ୍ଠୀ ମାଧ୍ଯମରେ ଏକାଠି ହୋଇଛନ୍ତି । ଏ ସମସ୍ତ ମହିଳା ଗୋଟେ ପ୍ଲାଟଫର୍ମକୁ ଆସିଛନ୍ତି। ମିଶନ ଶକ୍ତି ଗୋଟେ ବିଭାଗ ହୋଇଥିବାରୁ ବଜେଟ ବି ହେଉଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳାଙ୍କ ପରିଚୟର ରୂପାନ୍ତରୀକରଣ । ବିଚାରଧାରା, ନେତା ବା ଉଦ୍ୟୋଗୀ ଭାବେ ମିଶନ ଶକ୍ତି ସେମାନଙ୍କୁ ପରିଚୟ ଦେଇଛି। ମିଶନ ଶକ୍ତି କର୍ମୀଙ୍କୁ ୟୁନିଫର୍ମ ଓ ବ୍ଲେଜର ଦିଆଯାଇଛି। ୪୦ ହଜାର SHG ମହିଳାଙ୍କୁ ସ୍କୁଟର ଦିଆଯାଇଛି। ବିଦେଶ ଯାତ୍ରା ବି କରି ବ୍ଯବସାୟ କରୁଛନ୍ତି। ଏହା ସମ୍ଭବ ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ। ମିଶନ ଶକ୍ତିର ଭବିଷ୍ୟତ ହେଉଛି ଯେ, ମହିଳାଙ୍କୁ ଉଦ୍ୟୋଗୀ କରିବା ସହ ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ପ୍ଲାଟଫର୍ମ ଦିଆଯିବ। ସେମାନେ ଆଗକୁ ଯାଇ ପରିଚୟ ପାଇବେ। ନାରୀମାନଙ୍କ ସ୍ବପ୍ନ ଓ ଆର୍ଥିକ ନିର୍ଭରତା ସାକାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସମସ୍ତେ ମନେ ରଖିବେ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର।

ସେହପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କୁହନ୍ତି, ଯେଉଁ ରାଜ୍ୟ ମହିଳାଙ୍କ ବିକାଶ ପାଇଁ କାମ କରେ, ସେହି ରାଜ୍ୟର ବିକାଶ ହୁଏ। ଏହି ଉଦେଶ୍ୟରେ ୨୦୦୨ ମସିହାରେ ସେ ମିଶନ ଶକ୍ତି ଆରମ୍ଭ କରିଥିଲେ। ଏହା ତାଙ୍କ ବ୍ରେନ ଚାଇଲ୍ଡ। ଯାହା ଏବେ ମହାଦ୍ରୁମରେ ପରିଣତ ହୋଇଛି। ମିଶନ ଶକ୍ତି ବିଭାଗ କିପରି ଆଗେଇବ ଓ ମହିଳା ସଶକ୍ତୀକରଣ ହେବ, ସେ ଦିଗରେ କାମ ଚାଲିଛି । ୪୦ ହଜାର କୋଟି ବ୍ୟାଙ୍କ ଲିଂକେଜ କରାଯାଇଛି। ଆଗକୁ ୭୫ ହଜାର କୋଟି ଟଙ୍କାର ସହାୟତା ଦିଆଯାଇ ମାଆମାନଙ୍କୁ ଉଦ୍ୟୋଗୀ କରାଯିବ। ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ଯାଏଁ ବିନା ସୁଧ ଋଣ ନେଇ ପାରିବେ । ଗୋଟିଏ ମହିଳା ପରିଚୟ ସହ ପୁଞ୍ଜି ଚାହେଁ । ତେଣୁ ତାକୁ ଜୀବିକା ଦେବାକୁ ସବୁ ପ୍ରୟାସ ହୋଇଛି । ଆଜି ବଡ଼ି ଆଚାରରେ ସେମାନେ ସୀମିତ ନୁହନ୍ତି । ପୁରୁଷଙ୍କ ସମାନ କାମ କରୁଛନ୍ତି । ଯେପରି ଲକ୍ଷ୍ମୀ ବସ ଚଳାଇବା, ମିଶନ ଶକ୍ତି କାଫେ, ଗାଁ ପୋଖରୀରେ ଚାଷ ସେମାନଙ୍କୁ ଜୀବୀକା ଦେଇଛି । ସେମାନଙ୍କୁ ସ୍ଥାୟୀ ବଜାର ଦେବାକୁ ବ୍ୟବସ୍ଥା ହେଉଛି । ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ହୋଇଛି । ବ୍ଲକରେ ମଧ୍ୟ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।