ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ଆବାସ ଯୋଜନାରେ କେନ୍ଦ୍ର ୭୫ ଲକ୍ଷ ଘର ମଞ୍ଜୁର କରିଥିବା ନେଇ ମିଛ ତଥ୍ୟ ଦେଲେ । ଭବାନୀପାଟଣାରେ ସାଧାରଣ ସଭାରେ ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ଆବାସ ସମ୍ପର୍କରେ ବିଜେପି ମିଛ କୁହାଇଥିବା ଅଭିଯୋଗ କରିଛି ବିଜେଡି । ବିଜେପି ଉପରେ ବିଜେଡି ବର୍ଷିଛି । ସଭାରେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ରାଜ୍ୟ ବିଜେପି ସାଂସଦ ଓ ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଭୁଲ ତଥ୍ୟ ଦେଇଥିଲେ । ସତ ହେଲା, ରାଜ୍ୟକୁ ଏଯାଏ ମୋଟ ୨୬ ଲକ୍ଷ ଘର ମିଳିଛି ।

ଏଭଳି ମିଛ କହି ନିଜ ରାଷ୍ଟ୍ରୀୟ ସଭାପତିଙ୍କୁ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛି ବିଜେପି । ଲକ୍ଷଲକ୍ଷ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଛି । ୨୦୧୯ ମସିହାରେ ବିଜେପି ଓଡ଼ିଶାରେ ହାରିବା ପରେ ବିଜେପି ନେତା, ସାଂସଦ ଓ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଘର ନଦେବାକୁ ଚାପ ପକାଇଲେ । ଘର ନଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଚାପ ପକାଇ ୩ ବର୍ଷ କାଳ ଓଡ଼ିଶା ପାଇଁ ଆବାସ ପୋର୍ଟାଲ ବନ୍ଦ କରିଦେଇଥିଲେ ।

ବିଜେଡିର କ୍ରମାଗତ ଚାପ ଯୋଗୁ ୧୫ ଲକ୍ଷ ବଦଳରେ ୮ ଲକ୍ଷ ଘର ମଞ୍ଜୁର ହୋଇଛି । ତେବେ ଅନ୍ୟ ୭ ଲକ୍ଷ ଲୋକ କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛି ବିଜେଡି । ବିଜେପି ସାଂସଦମାନେ, ଯେଉଁମାନଙ୍କ ଭୋଟରେ ନିର୍ବାଚିତ ହୋଇଛନ୍ତି, ରାଜନୀତି ପାଇଁ ସେମାନଙ୍କ ଘରକୁ ଅଟକାଉଛନ୍ତି । ଓଡ଼ିଶା ପାଇଁ ଦାବି ବଦଳରେ ଓଡ଼ିଶା କେମିତି ଘର ନପାଇବ ସେନେଇ ପ୍ରୟାସ କରୁଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ସରକାର ।

ହେଲେ ଓଡ଼ିଶା କେମିତି ଘର ନପାଇବ ସେଥିପାଇଁ ଷଡ଼ଯନ୍ତ୍ର କରିଚାଲିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ୬୦ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଇଥାନ୍ତି । ପ୍ରଶାସନିକ ଖର୍ଚ୍ଚ ମିଶାଇଲେ ରାଜ୍ୟର ଏହା ୫୦ ପ୍ରତିଶତ ହେବ । ଓଡ଼ିଶାର ଗରିବଙ୍କୁ ଛାତଘରୁ ବଞ୍ଚିତ କରିବାକୁ ବିଜେପି କରିଥିବା ଚକ୍ରାନ୍ତକୁ ପଣ୍ଡ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ମୋ ଘର ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ମୋ ଘର ଯୋଜନାରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।