ସ୍ବାଭାବିକ ହୋଇପାରୁନି ବିଧାନସଭା, ଗୃହ ଚଳାଇ ଦେଉନି ବିଜେପି

ଭୁବନେଶ୍ବର: ସ୍ବାଭାବିକ ହୋଇପାରୁନି ବିଧାନସଭା । ଅଭ୍ୟାସ ଛାଡୁନି ବିଜେପି । ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଗୃହ ଚଳାଇ ଦେଇନାହିଁ ମୁଖ୍ୟ ବିରୋଧୀ ବିଜେପି । ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ  । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ରଖିଥିଲେ । ପାଟିତୁଣ୍ଡ କରି ଗୃହକୁ ଚଳାଇ ଦେଉ ନଥିବାରୁ ବିଜେପି ଉପରେ କଂଗ୍ରେସ ଓ ବିଜେଡି ବର୍ଷିଛନ୍ତି ।

ବିଧାନସଭାରେ ଅଚଳାବସ୍ଥା ଜାରି । ହଟ୍ଟଗୋଳ ଯୋଗୁ ତୃତୀୟ ଦିନ ଚାଲିପାରିଲାନି ଗୃହ । ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବି ପ୍ରସ୍ତାବ ଆଲୋଚନା ସମୟ । ବିଧାନସଭା ଚଳାଇ ନଦେବା ପାଇଁ ବିଜେପି ବିଧାୟକମାନେ ପଣ କରି ହାଇଡ୍ରାମା କରୁଛନ୍ତି । କେତେବେଳେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରୁଛନ୍ତି  ତ କେତେବେଳେ ବାଚସ୍ପତିଙ୍କ ପୋଡିୟମକୁ ପିଟି ସ୍ବର ଉତ୍ତୋଳନ କରୁଛନ୍ତି । ହୋହଲ୍ଲା ଯୋଗୁ ଗୃହକୁ ବାରମ୍ବାର ମୁଲତବି ରଖୁଛନ୍ତି  ବାଚସ୍ପତି । ଏଭଳି ସ୍ଥିତି ପାଇଁ ବିଜେପି ଉପରେ କଂଗ୍ରେସ ବର୍ଷିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରାପ୍ରସାଦ ବାହିନୀପତି ଗୃହର ସମୟ କାହିକିଁ ବିଜେପି ନଷ୍ଟ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ବିଧାନସଭାର ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହାକୁ ଯୋଜନାବଦ୍ଧ ଭାବେ ବିଜେପି ବନ୍ଦ କରିବା ଠିକ୍‌ ନୁହେଁ । ଲୋକଙ୍କ ଟଙ୍କାରେ ଚାଲୁଥିବା ଗୃହରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଆଲୋଚନା ନହେବା ଦୁର୍ଭାଗ୍ୟଜନକ । ବିଜେଡି ବିଧାୟକମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ବିଜେପି କିନ୍ତୁ ଅନ୍ୟ ଦଳ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି । ଯାହାକୁ ନେଇ ବିଜେପିକୁ ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଘେରିଛନ୍ତି ।

ଗୃହକୁ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡୁଛନ୍ତି । କିନ୍ତୁ ଗୃହକୁ ଆସିବା ପରେ ବିଜେପି ବିଧାୟକଙ୍କ ଆଭିମୁଖ୍ୟ ବଦଳିଯାଉଛି । ବିଜେପି ଗୃହକୁ ଚଳାଇ ନଦେବା ଅତି ଦୁର୍ଭାଗ୍ୟଜନକ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ଗୃହ ପରିଚାଳନାରେ ବିରୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି । ତେଣୁ ବିରୋଧୀ ସହଯୋଗ କରିବା ଉଚିତ । ଶାସକ ଦଳର ବିଧାୟକ ମଧ୍ୟ ସମାନ ମତ ଦେଇଛନ୍ତି ।

ମୌସୁମୀ ଅଧିବେଶନରେ ମୋଟ୍‌ ୮ଟି କାର୍ଯ୍ୟ ଦିବସ ରହିଛି  । କିନ୍ତୁ ୩ ଦିନ ଧରି ଗୃହ ଠିକ୍‌ ଭାବେ ଚାଲିପାରିନାହିଁ । ଗୋଟିଏ ଦିନ ବିଧାନସଭା ଚାଲିଲେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି  । ଯାହା ସାଧାରଣ ଲୋକଙ୍କ ପଇସା । ବିଜେପି କିନ୍ତୁ ଲୋକଙ୍କ କଥା ଭୁଲି  ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଗୃହକୁ ବନ୍ଦ କରୁଛି ବୋଲି କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ଗୃହ ବାହାରେ ମଧ୍ୟ ବିଜେପି ନିନ୍ଦିତ ହେଉଛି ।