ବିଜେପି ଶାସିତ ରାଜ୍ୟ ପାଇଁ ଗୋଟେ ନିୟମ, ଓଡ଼ିଶା ପାଇଁ ଆଉ ଗୋଟେ

ଭୁବନେଶ୍ବର: ବିଜେପିର ଦୋମୁହାଁ ନୀତି । ନିଜେ ଶାସନ କରୁଥିବା ରାଜ୍ୟ ପାଇଁ ଗୋଟିଏ ନିୟମ ଏବଂ ଓଡ଼ିଶା ପାଇଁ ଭିନ୍ନ । ବିଜେପି ଶାସିତ ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି କିମ୍ବା ଗୋଷ୍ଠୀ ସଂଘର୍ଷ ହେଲେ ସବୁ ପ୍ରକାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଉପରେ କଟକଣା ଲଗାନ୍ତି ସେଠାକାର ରାଜ୍ୟ ସରକାର । ହେଲେ ଅଣ ବିଜେପି ରାଜ୍ୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବାକୁ ଆଗଭର କାହିଁକି ? ସମ୍ବଲପୁର ଧିରେ ଧିରେ ସ୍ବାଭାବିକ ହେଉଥିବା ବେଳେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କାହା ସ୍ବାର୍ଥରେ ଗସ୍ତ କରିଥିଲା ? ନିଜ ଦଳର କିଛି ନେତାକୁ ଖୁସ୍ କରିବାକୁ ଯୋଜନା ନା ସମ୍ବଲପୁର ନିଆଁରେ ଘିଅ ଢାଳିବାକୁ ଚକ୍ରାନ୍ତ ଥିଲା ? ବିଜେପିର ଏଭଳି ଦୋମୁହାଁ ନୀତିକୁ ସବୁ ମହଲରୁ କରାଯାଉଛି ସମାଲୋଚନା ।

ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ରାଜ୍ୟ ବିଜେପିର ପୁରୁଣା ଅଭ୍ୟାସ । ସାମ୍ପ୍ରଦାୟିକ ଗଣ୍ଡଗୋଳ ସ୍ଥିତିରେ ଉତ୍ତେଜକ ଭାଷଣ ଦେଇ ସ୍ଥିତି ସଙ୍ଗୀନ କରିବାରେ ମାହିର । ଓଡ଼ିଶାରେ ବି ସମାନ କୌଶଳ ପ୍ରୟୋଗ କରିବାକୁ ହେଉଛି କି ଉଦ୍ୟମ ? ସମ୍ବଲପୁର ସ୍ବାଭାବିକ ହୋଇଥିବା ବେଳେ କାହା ସ୍ବାର୍ଥରେ ଦିଲ୍ଲୀରୁ ଆସିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ? ତାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

ତେବେ ବିଜେପି ଶାସିତ ରାଜ୍ୟର ଇତିହାସ ଦେଖିଲେ, କେନ୍ଦ୍ର ବିଜେପି ସମ୍ବଲପୁରକୁ ନେଇ କେତେ ସମ୍ବେଦନଶୀଳ ଜଳଜଳ ହୋଇ ଦେଖାଯାଉଛି । କାରଣ ୨୦୨୨ ମେ’ ୪ ତାରିଖରେ ୟୁପି, ଲକ୍ଷ୍ମୀପୁର ଖେରୀରେ କୃଷକ ଆନ୍ଦୋଳନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ କୃଷକଙ୍କୁ ହତ୍ୟା କଲେ । ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ଅନୁମତି ଦିଆଗଲାନି । ୨୦୧୮ ଫେବୃଆରୀ ୭ ତାରିଖରେ ଲକ୍ଷ୍ନୌ କାଶାଗଞ୍ଜରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ପରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରାକୁ ବିଜେପି ସରକାର ଦେଲେନି ଅନୁମତି । ୨୦୧୫ ଅଗଷ୍ଟ ୨୭ ତାରିଖ ଗୁଜୁରାଟ ଅହମ୍ମଦାବାଦରେ ଜାତିଆଣ ଦଙ୍ଗା ପରେ ବିରୋଧୀ ଦଳଙ୍କୁ ଘଟଣାସ୍ଥଳକୁ ଛାଡ଼ିଲେନି ବିଜେପି ସରକାର । ୨୦୨୦ ଫେବୃଆରୀ ୨୩ ତାରିଖରେ ଦିଲ୍ଲୀର ସାହିନବାଗରେ ଏନ୍ଆରସିକୁ ବିରୋଧ କରି ରୋହିଙ୍ଗ୍ୟା ଶରଣାର୍ଥୀ ଆନ୍ଦୋଳନରେ ବସିଲେ । ବିଜେପି ଅଧୀନରେ ଥିବା ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ରାତାରାତି ସେମାନଙ୍କ ଘରଦ୍ବାରା ଭଙ୍ଗାଗଲା । ଦିଲ୍ଲୀ ସଂଖ୍ୟାଲଘୁ ପରିଷଦ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଘଟଣାର ତଦନ୍ତ କଲା । ବିଜେପି ନେତା କପିଳ ମିଶ୍ରାଙ୍କ ଉତ୍ତେଜକ ଭାଷଣ ଯୋଗୁଁ ସ୍ଥିତି ଏପରି ହେଲା ବୋଲି ରିପୋର୍ଟ ଆସିଲା । ଏସବୁ ସମ୍ବେଦନଶୀଳ ଘଟଣାରେ ସେଠାକାର ସରକାର ବିରୋଧୀ ଦଳ କିମ୍ବା ନିର୍ଦ୍ଦଳୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଅନୁମତି ଦିଆଯାଇନି । ହେଲେ ସମ୍ବଲପୁରରେ ରାଜ୍ୟ ବିଜେପି ଓଲଟା ନୀତି ଆପଣେଇଥିବା କଂଗ୍ରେସ ଅଭିଯୋଗ କରିଛି । ସମ୍ବଲପୁରର ଗୋଟିଏ ଓ୍ବାର୍ଡରେ ଘଟଣା ଘଟିବାର ୧୫ ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଛି । ଠିକ୍ ଏହି ସମୟରେ ବିଜେପିର କେନ୍ଦ୍ରୀୟ ଟିମ୍ କାହା ସ୍ବାର୍ଥରେ ଗସ୍ତ କରିଛନ୍ତି ? ଲୋକଙ୍କ ସ୍ବାର୍ଥ ନା ଦଳୀୟ ଫାଇଦା ? ନବନିଯୁକ୍ତ ରାଜ୍ୟ ସଭାପତିଙ୍କ ପତିଆରା ଦେଖାଇବାକୁ ନା ଦଳର ଅନ୍ତର୍ଦ୍ବନ୍ଦକୁ ଲୁଚାଇବାକୁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଖୋଦ ସମ୍ବଲପୁରବାସୀ ମଧ୍ୟ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗସ୍ତକୁ ନିନ୍ଦା କରିଛନ୍ତି । ସ୍ବାଭାବିକ ହେଉଥିବା ସହରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରାଯାଉଥିବା ସମ୍ବଲପୁରବାସୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ବିଜେପି ଶାସିତ ମହାରାଷ୍ଟ୍ରର ଜଲଗାଓଁ, ଗୁଜୁରାଟର ଫତେହପୁରା, କର୍ଣ୍ଣାଟକର ହାସନ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସାମ୍ପ୍ରଦାୟିକ ସ୍ଥିତି ଉପୁଜିଲା । ଏସବୁ ଘଟଣା ପ୍ରତି ଯଦି ଦରଦ ଥାଆନ୍ତା, ତା’ହେଲେ ବିଜେପି ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥାନ୍ତ । ଏସବୁ ଜାଗାରେ ଲୋକଙ୍କ ଦୁଃଖ ଶୁଣିବାକୁ ମନ ବଳାଇଲା ନାହିଁ ବିଜେପି । ହେଲେ ସମ୍ବଲପୁର କ୍ଷେତ୍ରରେ ବିଜେପିର ଆଭିମୁଖ୍ୟ କାହିଁକି ଭିନ୍ନ ? ଶାନ୍ତିପ୍ରିୟ ଓଡ଼ିଶାରେ ବିଜେପିର ଏଭଳି ଚେଷ୍ଟାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।

ରାଜ୍ୟର ରାଜନୈତିକ ଇତିହାସ କହୁଛି ଧର୍ମକୁ ନେଇ ରାଜନୀତିକୁ କେବେ ବି ଓଡିଶାବାସୀ ଗ୍ରହଣ କରିନାହାଁନ୍ତି । ତେଣୁ ସମ୍ବଲପୁରକୁ ପ୍ରୟୋଗଶାଳା କରି ଭବିଷ୍ୟତ ପାଇଁ ରଣନୀତି କରୁଥିବା ବିଜେପିର ଚାଲ କାମ ଦେବନି ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ।