ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହ ଚଳାଇ ଦେଉନି ବିଜେପି!

1 min read

ଭୁବନେଶ୍ବର: ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନରେ ପ୍ରତ୍ୟେକ କାର୍ଯ୍ୟ ଦିବସ ଗୁରୁତ୍ବପୂର୍ଣ୍ଣ । ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଗୃହ ଚଳାଇ ଦେଉନି ବିଜେପି । ବିଧାନସଭାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳକୁ ଜାଣିଶୁଣି ବିଜେପି ବନ୍ଦ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେଡି । ବିରୋଧୀ ଦଳ ଭାବରେ ବିଜେପି ଗୃହର ପ୍ରଶ୍ନକାଳକୁ ଚଳାଇ ନଦେବା ଦୁର୍ଭାଗ୍ୟଜନକ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧାନସଭାରେ ବିଜେପିର ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ।

ସୁର କହିଛନ୍ତି ଯେ, ପ୍ରସଙ୍ଗ କି ରାଜ୍ୟ ସ୍ବାର୍ଥ ନୁହେଁ, ବିଧାନସଭାରେ ବିଜେପି ଡ୍ରାମା କରୁଛି । ପ୍ରଶ୍ନକାଳକୁ ଜାଣିଶୁଣି ବନ୍ଦ କରି ବିଧାନସଭାର ସମୟ ନଷ୍ଟ କରାଯାଉଛି ବୋଲି ସୁର ଅଭିଯୋଗ କରିଛନ୍ତି । ରାଜ୍ୟ ସ୍ବାର୍ଥ ପାଇଁ ବିଧାନସଭା ସ୍ବାଭାବିକ୍ ଭାବେ ଚାଲିବା ପାଇଁ ଦାବି କରିଛନ୍ତି ସୁର । ସେହିପରି ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଧାନସଭା ଲୋକଙ୍କ ଟିକସରେ ଚାଲେ । ଆମେ ଆଲୋଚନା ପାଇଁ ଚାହୁଁଛୁ, ହେଲେ ବିଜେପି ବନ୍ଦ କରି କଣ୍ଠରୋଧ କରୁଛି ବୋଲି କହିଛନ୍ତି ତାରା ।

ସୋମବାର ମଧ୍ୟ ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ହୋହଲ୍ଲା ହୋଇଛି । ବିଜେପି ସଦସ୍ୟମାନେ ହାତରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ ବିଜେପି ବିଧାୟକ । ସେପଟେ ବିଜେଡି ବିଧାୟକମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପି ପ୍ରସଙ୍ଗ ଉଠାଇଥିଲେ । ନିଜ ଆସନ ପାଖରେ ଛିଡ଼ା ହୋଇ ଏହି ପ୍ରସଙ୍ଗ ଉଠାଇଥିଲେ ଶାସକ ଦଳ ସଦସ୍ୟ । ଅଚଳାବସ୍ଥା ଯୋଗୁ ଗୃହକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । ଏହାପରେ ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରାଯାଇଛି । ଗୃହକାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।