spot_img
Home Blog Page 10

ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ

ଅଣ୍ଟା ଭାଙ୍ଗିଦେଲା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା, ପାଣି ଛାଡ଼ିବା ପରେ ଗଞ୍ଜାମ ଜିଲ୍ଲାର ସବୁଠି ପ୍ରଳୟର ଦୃଶ୍ୟ

ନନ୍ଦିଘୋଷ ବ୍ୟୁରୋ: ଛାରଖାର କରିଦେଲେ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ଲଗାଣ ବର୍ଷା । ବନ୍ୟାରେ ଉବୁଟୁବୁ ଗଞ୍ଜାମ ଜିଲ୍ଲାରେ ଏବେ ସବୁଠି ହାହାକାର । ବର୍ଷା ଛାଡ଼ିଲା, ଅନେକ ସ୍ଥାନରୁ ପାଣି ବି କମିଲା । ହେଲେ ଜିଲ୍ଲାବାସୀଙ୍କ ଉପରେ ଅଜାଡ଼ି ଦେଇଗଲା ଅକଥନୀୟ ଯନ୍ତ୍ରଣା ଆଉ ଦୁଃଖ । ଏବେ ବି ଜଳ କଷ୍ଟରେ ଘାଣ୍ଟି ହେଉଛନ୍ତି ଅନେକ ଅଞ୍ଚଳବାସୀ । ସବୁଠି ଭଙ୍ଗା ଓ ବିଭୀଷିକାର ଚିତ୍ର । ନିଜ ଉଜୁଡ଼ି ଯାଇଥିବା ଘର ଓ ବ୍ୟବସାୟକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ଲୋକେ ।

୧୯୯୦ ମସିହାଠାରୁ ବଢିଗଲା ୨୦୨୬ର ବନ୍ୟା । ସରକାରଙ୍କ ଅସାବଧାନତା ଓ ଖାମଖିଆଲି ମନୋଭାବ ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲାବାସୀ । ଆଉ ଗଞ୍ଜାମ ଜିଲ୍ଲା ପ୍ରଶାସନ କେବଳ ବୈଠକ ଉପରେ ବୈଠକ ଡାକି ବନ୍ୟା ପରିଚାଳନା ସମୀକ୍ଷା କରୁଛି । ଗଞ୍ଜାମ ଜିଲ୍ଲାର ଜଳ ବିଭୀଷିକା ସବୁ ବର୍ଗର ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଧାନ ଫସଲ, ପନିପରିବା ଚାଷ, ମାଛ ଓ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଉଜୁଡ଼ା ଚାଷକୁ ଦେଖି କିପରି ନିଜର ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ଲୋକେ । ଏହି ବନ୍ୟା ଉଜାଡ଼ି ଦେଇଛି ଅନେକଙ୍କ ହସ ଖୁସିର ସଂସାର । ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳ ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାତାର ପ୍ରବଳ ବର୍ଷା ଓ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା । ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଘରଦ୍ୱାର, ରାସ୍ତାଘାଟ ସବୁକିଛି ଛାରଖାର ହୋଇଯାଇଛି । ଲୋକଙ୍କ ଆଖିରେ ଲୁହ, ମନରେ ଅସରନ୍ତି ଦୁଃଖ । ଜିଲ୍ଲାର ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର ଓ ସାନଖେମୁଣ୍ଡି ଭଳି ଅଞ୍ଚଳ ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ।

ବନ୍ୟାଜଳ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ । ଘରକୁ ଫେରି ଭଙ୍ଗା କାନ୍ଥ, ନଷ୍ଟ ଆସବାବପତ୍ର ଓ ଉଜୁଡ଼ା ଚାଷଜମିକୁ ଦେଖି ଆଖିରୁ ଲୁହ ଝରାଉଛନ୍ତି ବିପନ୍ନ । ପ୍ରକୃତିର ଏହି କରାଳ ରୂପ ଗଞ୍ଜାମବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାସ୍ତାଘାଟ ସବୁଠି ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି । ବାହାରେ ପଡ଼ିଛି ଲୋକଙ୍କ ଆସବାବପତ୍ରଠାରୁ ଆରମ୍ଭ କରି ଘରକରଣା ଦ୍ରବ୍ୟ । ଘର ସଫା କରି ନିଜର ଘରକରଣା ସାଉଁଟୁଛନ୍ତି ଲୋକେ ।

ବନ୍ଦ ହେବ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ !

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ୍ ମାଗିଲା AIUTUC । ଦାବି ପୂରଣ ନହେଲେ ଆଗକୁ ବନ୍ଦ ହେବ ମଧ୍ୟାହ୍ନ ଭୋଜନ ସେବା । ପ୍ରଭାବିତ ହେବେ ଛାତ୍ରଛାତ୍ରୀ । ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ପାଚିକାମାନେ ଏବେ ନିଜର ବିଭିନ୍ନ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପାଚିକାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରିବା, ନିୟମିତ ଭାବେ ପାରିଶ୍ରମିକ ଦେବା ସହ ବକେୟା ଥିବା ଦରମାକୁ ତୁରନ୍ତ ପ୍ରଦାନ କରିବା ଭଳି ଦାବି ଉଠାଇଛି ସଂଘ ।

ଅନେକ ସମୟରେ ପାଚିକାମାନଙ୍କୁ ନିର୍ଦ୍ଧାରିତ ସମୟରେ ପାରିଶ୍ରମିକ ମିଳୁନଥିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହା ସହିତ ପାଚିକାମାନଙ୍କର ମୁଖ୍ୟ ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ଯୋଗାଣ କରିବା ହୋଇଥିବା ବେଳେ ସେମାନଙ୍କୁ ବିଦ୍ୟାଳୟ ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ କାର୍ଯ୍ୟ ସମେତ ବିଭିନ୍ନ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଛି । ନିଜର ମୁଖ୍ୟ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଦାୟିତ୍ୱ ଦିଆଯିବା ଫଳରେ ପାଚିକାମାନେ ଅତିରିକ୍ତ ଚାପର ସମ୍ମୁଖୀନ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଦାବିପତ୍ର ଧରି ପାଚିକାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କାନ୍ଦୁଛି ମାଟି ଦୀପ…

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସିଲାଣି ଦୀପାବଳି । ଆଲୋକର ପର୍ବ ପାଇଁ ସବୁଠି ଉତ୍ସାହ । ଦୀପର ଆଲୋକରେ ଝଲସିବ ଗାଁ ଠୁ ସହର । ଏଥିପାଇଁ କଟକ କୁମ୍ଭାର ସାହିରେ ବରିଷ୍ଠ କାରିଗରମାନେ ଦୀପ ତିଆରିରେ ଲାଗି ପଡ଼ଛନ୍ତି।  ଛୋଟବଡ ଦୀପ ସବୁ କରି ଶୁଖାଉଛନ୍ତି । ଦିନେ ଦୁଇଦିନ ମଧ୍ଯରେ ବିକ୍ରିପାଇଁ ବଜାରକୁ ପଠାଯିବ । ହେଲେ ଆଉ ପୂର୍ବପରି ସେତେଟା ଆଗ୍ରହ ନଥିବା କହିଛନ୍ତି କୁମ୍ଭକାର । ପୂର୍ବପରି ଆଉ ସେତେଟା ଅର୍ଡର ଆସୁନି କି ଲୋକେ ଆଗ୍ରହ ଦେଖାଉ ନାହାନ୍ତି । ମାଟି ଓ ମଜୁରୀ ଅର୍ଥ ବାହାରୁ ନଥିବା କହିଛନ୍ତି କୁମ୍ଭକାର ।

କିଛିବର୍ଷ ହେଲା କୋଲକାତାରୁ ଗଙ୍ଗାମାଟିରେ ପ୍ରସ୍ତୁତ ଫ୍ୟାନସୀ ଦୀପ ଓଡିଶାକୁ ଅଧିକ ଆସୁଛି । ମେସିନରେ ତିଆର ହେଉଥିବାରୁ ଏହା ଆକର୍ଷଣିୟ ଓ ମୂଲ୍ୟ ମଧ୍ଯ ମାଟିଦୀପଠାରୁ କମ ରହୁଛି । ଏଥିପାଇଁ  ପାରମ୍ପରିକ ମାଟି ଦୀପ ବଦଳରେ ଏସବୁ କିଣିବାକୁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ମାଟି ସହ ସହାୟତା ଯୋଗାଇଦେଲେ ଏହି କୌଳିକବୃତ୍ତି ପ୍ରତି ଆଗ୍ରହ ବଢ଼ନ୍ତା ବୋଲି କହିଛନ୍ତି କାରିଗର ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷା ଯୋଗୁଁ ଦୀପ ତିଆରି ଟିକିଏ ବିଳମ୍ବ ହୋଇଥିଲେ ସୁଦ୍ଧା କମ ପରିମାଣର ଦୀପ ତିଆରି ହେଉଥିବାରୁ ଖୁବଶୀଘ୍ର ଏହା ପ୍ରସ୍ତୁତ ହେବ ବୋଲି କହିଛନ୍ତି କାରିଗର  ।

ଡ଼ବଲ ଇଞ୍ଜିନ ସରକାରରେ ବଢୁଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଡ଼ବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଧରିବା ପାଇଁ  ଭିଜିଲାନ୍ସ ବିଭାଗ ମଧ୍ୟ ଆକ୍ସନ ମୋଡ଼କୁ ଆସିଛି । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଚାଲିଛି କାର୍ଯ୍ୟକ୍ରମ ।ରାଉରକେଲା ଭିଜିଲାନ୍ସ ବିଭାଗ ଗତ ଦୁଇ ବର୍ଷରେ ୩୬ଟି ଅପରାଧିକ ମାମଲା ରୁଜୁ କରି ୩୫ ଜଣ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ଗିରଫ କରିଥିବା ସୂଚନା ଦିଆଯାଇଛି । ଗିରଫଙ୍କ ମଧ୍ୟରେ ୫ ଜଣ କ୍ଲାସ ଓ୍ଵାନ୍ ଅଫିସର ରହିଥିବା ବେଳେ ୬ ଜଣ କ୍ଲାସ୍ ଟୁ ଅଧିକାରୀ ଅଛନ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୮ଟି ମାମଲା ରୁଜୁ କରାଯାଇ ନଗଦ ୪୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେଉଥିବା ଅଭିଯୋଗରେ ୧୬ଟି ଟ୍ରାପ୍ ମାମଲା ୧୨ଟି ଅର୍ଥ ଆତ୍ମସାତ୍ ମାମଲା ରୁଜୁ ହୋଇଛି । ଭିଜିଲାନ୍ସ ବିଭାଗ ୧୦ଟି କୋଠା ଘର, ଦୁଇ କେଜି ସୁନା ଅଳଙ୍କାର, ୨୨ଟି ପ୍ଲଟ୍, ୪ କୋଟି ଟଙ୍କାରୁ ଅଧିକ ଜମା ରାଶି ଓ ନଗଦ ୪୬ ଲକ୍ଷ ଟଙ୍କା ଜବତ କରିଛି । ସୁନ୍ଦରଗଡ଼ର ଜଣେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ଘରୁ ୧୪ ଲକ୍ଷ ୩୦ ହଜାର ଟଙ୍କା ଜବତ କରାଯାଇଛି । ଲାଠିକଟା ତହସିଲଦାରଙ୍କ ଘରେ ଯାଞ୍ଚ ସମୟରେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ବିଶ୍ରା ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜରଙ୍କ ଘରେ ଯାଞ୍ଚ ସମୟରେ ୮ ଲକ୍ଷ ଟଙ୍କା ଜବତ କରାଯାଇଛି । ସେହିପରି ଲାଠିକଟା ତହସିଲଦାର ୫ ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ରାଉରକେଲା ଅବକାରୀ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ୫ ଲକ୍ଷ ଟଙ୍କା ଗାଡିରେ ପଠାଇବା ସମୟରେ ଧରାପଡିଛନ୍ତି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ମାସ ୧ ତାରିଖ ପର୍ଯ୍ୟନ୍ତ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ରାଉରକେଲା ସହରର ITDA  ସମ୍ମିଳନୀ କକ୍ଷରେ ସାଧୁତାରୁ ସମୃଦ୍ଧି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏସପି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଡିଏଫଓ ଏବଂ ରାଉରକେଲା ଭିଜିଲାନ୍ସ ଏସପି ଅତିଥି ଭାବେ ଯୋଗ ଦେଇ ଦୁର୍ନୀତିର ମୂଳୋତ୍ପାଟନ ନେଇ ମତ ରଖିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଓ ଅଫିସରଙ୍କୁ ଧରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଳି ପୋଲରେ ଛକିଛି ମୃତ୍ୟୁ !

ନନ୍ଦିଘୋଷ ବ୍ୟୁରୋ: ଚିନ୍ତା ବଢ଼ାଇଛି ଗଳି ପୋଲ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ ।… ଏ ହେଉଛି ଯାଜପୁର ଜିଲ୍ଲାର ପ୍ରମୁଖ ପ୍ରବେଶ ପଥ ଚଣ୍ଡିଖୋଲ ଛକ । ଚଣ୍ଡିଖୋଲ ଛକ ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି । ହେଲେ ଜାତୀୟ ରାଜପଥ ପାର ହେବାକୁ ହେଲେ ଦୁଇଟି ଛୋଟ ଗଳି ପୋଲ ଦେଇ ଯିବାକୁ ପଡୁଛି । ଫଳରେ କେତେବେଳେ ଟ୍ରାଫିକ ସମସ୍ୟା ତ ଆଉ କେତେବେଳେ ଦୁର୍ଘଟଣା ଘଟୁଛି । ସଂଧ୍ୟା ହେଲେ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି । ଘଣ୍ଟାଘଣ୍ଟା ଧରି ଫସି ରହୁଛି ଆମ୍ବୁଲାନ୍ସ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଚଣ୍ଡିଖୋଲ ଛକ ହେଉଛି ଏକ ବ୍ୟସ୍ତବହୁଳ ଛକ । ଏହା ଦୁଇଟି ଜାତୀୟ ରାଜପଥକୁ ସଂଯୋଗ କରୁଛି। ହେଲେ NHAI ପକ୍ଷରୁ ନିର୍ମାଣ ହୋଇଥିବା ଦୁଇଟି ଗଳି ପୋଲ ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି । ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।

ଅଜଣା ରୋଗରେ ଉଜୁଡୁଛି ଧାନ ଫସଲ..

ନନ୍ଦିଘୋଷ ବ୍ୟୁରୋ: ଅଜଣା ରୋଗରେ ଉଜୁଡୁଛି ଧାନ ଫସଲ । ପୋଡ଼ିଯାଉଛି ପତ୍ର । କାମ ଦେଉନି କୀଟନାଶକ। ପୁରୀ ଜିଲ୍ଲା ନିମାପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅଜଣା ରୋଗ ଚାଷୀଙ୍କ ନିଦ ହଜାଇ ଦେଇଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ନଷ୍ଟ ହେବାରେ ଲାଗିଛି ଏକର ଏକର ଧାନ ଫସଲ । ବିଶେଷକରି ଉଛୁପୁରୁ, ନୂଆସନ୍ଥ, ବାମାନାଳ, ବଳଙ୍ଗା ଓ ଆଖପାଖ ବିଭିନ୍ନ ପଞ୍ଚାୟତରେ ଉଜୁଡ଼ିବାରେ ଲାଗିଛି ଧାନ ଚାଷ । ଧାନ ଗଛ ଥୋଡ଼ ଧରିବା ପୂର୍ବରୁ ଆପେ ଆପେ ପତ୍ର ପୋଡ଼ିଯାଉଛି । ହେଲେ ଏଯାଏଁ ଚାଷୀଙ୍କ ପାଖେ ପହଞ୍ଚିନାହାନ୍ତି କୃଷି ଅଧିକାରୀ ।

ଚାଷୀ ଧାର କରଜ କରି ଜମିରେ ସୁନାର ଫସଲ ଫଳାଇଥିଲେ । ବାତ୍ୟା, ବନ୍ୟା ଏବଂ ଲଗାଣ ବର୍ଷାକୁ ସାମ୍ନା କରିବା ପରେ ଏବେ ଅଜଣା ରୋଗ ଚାଷୀଙ୍କ ନିଦ ହଜାଇ ଦେଇଛି । ତୁରନ୍ତ ଏହାର ପ୍ରତିକାର କରାନଗଲେ ଆଗକୁ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଏହା ଏକ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ବୋଲି ଜଣାପଡ଼ିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦% ରିହାତିରେ ଔଷଧ ଯୋଗାଇ ଦିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ।

ପତ୍ରପୋଡ଼ା ପରି ରୋଗର ପ୍ରତିକାର ଦିଗରେ କୃଷି ବିଭାଗ କି ପଦକ୍ଷେପ ନେଉଛି ? ଚାଷୀଙ୍କୁ କେବେ ଉପଯୁକ୍ତ ସହାୟତା ମିଳୁଛି ? ନା ଚାଷୀଙ୍କୁ ତିଳତିଳ ହୋଇ ଜଳିବାକୁ ଛାଡ଼ିଦେବେ ସରକାର ? ତାହା ସମୟ କହିବ ।

ସିଇସିଙ୍କ ବିରୋଧରେ ମହାଭିଯୋଗ !

ନନ୍ଦିଘୋଷ ବ୍ୟୁରୋ:  ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ। ଏହି ଅଭିଯାନରେ ସାମିଲ ହୋଇଛନ୍ତି ୨୧ଟି ରାଜନୈତିକ ଦଳ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏହି ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ଏଥିରେ ଅଧ୍ୟକ୍ଷତା କରିଛନ୍ତି ଏବଂ ଖଡଗେ ଏହି ପ୍ରସ୍ତାବ ଆଣିଛନ୍ତି। ବିଭିନ୍ନ ଦଳର ପ୍ରାୟ ୩୦ ଜଣ ନେତା ଏହି ପ୍ରସ୍ତାବ ନେଇ ମତ ରଖିଛନ୍ତି। ଗତକାଲି ଏହି ପ୍ରସ୍ତାବ ଆଣିବା ଲାଗି ଯୋଜନା ରହିଥିଲା। ମାତ୍ର ବର୍ଷା ଯୋଗୁ ଏହାକୁ ଆଜି ଲାଗି  ସ୍ଥଗିତ ରଖାଯାଇଥଇଲା।  ଭୋଟ୍ ଚୋରି’ ପ୍ରସଙ୍ଗରେ ପ୍ରତିବାଦର ଏକ ପ୍ରତୀକାତ୍ମକ ରୂପ ଭାବେ ବିରୋଧୀ ଦଳଗୁଡ଼ିକ ଏହି ‘ଜନ ମହାଭିଯୋଗ’ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -SIR ଜରିଆରେ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ହୋଇଥିବା ଅଭିଯୋଗ କରି INDIA ବ୍ଲକ୍‌ର ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଗ୍ୟାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି।

ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କାଲିଠୁ କମ୍ପିବ ରାମଲୀଳା ମଇଦାନ

ନନ୍ଦିଘୋଷ ବ୍ୟୁରୋ: କାଲିଠୁ କମ୍ପବ ଦିଲ୍ଲୀ ରାମଲୀଳା ମଇଦାନ। ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଓ ଏସଆଇଆର ବିରୋଧରେ ରାଲି କରିବ ଇଣ୍ଡି ମେଣ୍ଟ। ଏହି ସମାବେଶରେ ଦେଶରୁ ଲକ୍ଷାଧିକ କର୍ମୀ ସାମିଲ ହେବା ନେଇ ସୂଚନା ମିଳିଛି । ଏହି ମେଗା ସମାବେଶ ଲାଗି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ଲଗାଯାଇଛି।

ରାହୁଲ ଗାନ୍ଧୀ ଦେଶବାସୀ ଓ ଛାତ୍ରଛାତ୍ରୀଙ୍କୁ ଏହି ରାଲିରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ଏନେଇ ରାହୁଲ କହିଛନ୍ତି, ଏହା କୌଣସି ଗୋଟିଏ ରାଜନୈତିକ ଦଳର ରାଲି ନୁହେଁ, ବରଂ ଗଣତନ୍ତ୍ର ଓ ଦେଶର ସମ୍ବିଧାନର ସୁରକ୍ଷା ପାଇଁ ଏକ ମିଳିତ ପ୍ରତିବାଦ ।  ବିଶେଷ କରି ଭୋଟର ତାଲିକାରେ ଅନିୟମିତତା ଓ ଭୋଟରଙ୍କ ନାଁ କାଟିବା ନେଇ ବିରୋଧୀ ନେତାମାନେ ସରକାର ଉପରେ ବର୍ଷିବେ।  ସେପଟେ ଏହି ସମାବେଶକୁ ଭଣ୍ଡୁର କରିବା ଲାଗି ବିଭିନ୍ନ ରାଜ୍ୟରେ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଆସିବାକୁ ଥିବା ବସ ଗୁଡିକୁ ଅଟକା ଯାଉଥିବା ଅଭିଯୋଗ ହୋଇଛି । ଏହି ରାଲି ଲାଗି ରାମଲୀଳା ମଇଦାନରେ ପ୍ରସ୍ତୁତି ଜୋରଦାର ହୋଇଛି।

ତେଣେ ନଭେମ୍ବର ୧ ରାଲିକୁ ଘୁଞ୍ଚାଇବା ଲାଗି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଛି ଚାମ୍ବର ଅଫ ଟ୍ରେଡ଼ ଆଣ୍ଡ ଇଣ୍ଡଷ୍ଟ୍ରି- CTI। ସଂଗଠନ କହିଛି, ଏହି ରାଲିରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବ। ପ୍ରାୟ ୨୦ ହଜାର ଯାନବାହନ କେନ୍ଦ୍ରୀୟ ଦିଲ୍ଲୀକୁ ପ୍ରବେଶ କରିବେ। ଫଳରେ ଦିଲ୍ଲୀରେ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଜିବ । ଏହା ସହ ୧୨ ହଜାର କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହେବ ବୋଲି ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି । ଦିଲ୍ଲୀକୁ ଆସିଥିବା ଟ୍ରେନ୍ ଗୁଡିକରେ ହଜାର ହଜାର ସଂଖ୍ୟକ କର୍ମୀ ଆସୁଥିବା ଦେଖାଯାଇଛି।

 

ଗୋଟିଏ ସପ୍ତାହ ସାବଧାନ ରୁହ !

ନନ୍ଦିଘୋଷ ବ୍ୟୁରୋ: ଆଗାମୀ ୭ ଦିନ ସତର୍କ ରୁହ ! ସପ୍ତାହେ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖ ! ୩୩ ଦେଶରେ ଜାରି ହେଲା ନିର୍ଦ୍ଦେଶ ।  ବିଶ୍ୱର ପ୍ରାୟ ୩୩ଟି ଦେଶ ନିଜ ନାଗରିକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛନ୍ତି। ଏହି ଦେଶଗୁଡ଼ିକ ନିଜ ନାଗରିକମାନଙ୍କୁ ଆଗାମୀ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ଘରେ ଅତି କମ୍‌ରେ ୭ ଦିନ ପର୍ଯ୍ୟନ୍ତ ଚଳିବା ଭଳି ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ଟର୍ଚ୍ଚ, ଅତିରିକ୍ତ ବ୍ୟାଟେରୀ, ପାୱାର ବ୍ୟାଙ୍କ୍, ରେଡିଓ, ପ୍ରାଥମିକ ଚିକିତ୍ସା କିଟ୍ ଏବଂ କିଛି ନଗଦ ଟଙ୍କା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କା, ରୁଷ-ୟୁକ୍ରେନ୍ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ସାଇବର ଆକ୍ରମଣ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହେବା ଭଳି ସମ୍ଭାବ୍ୟ ବିପଦକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଉଛି। ଯଦି କୌଣସି ଜରୁରୀ ପରିସ୍ଥିତିରେ ବଜାର, ପରିବହନ, ବିଦ୍ୟୁତ୍ କିମ୍ବା ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୁଏ, ତେବେ ଲୋକମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସରକାରମାନେ ଏଭଳି ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି। ନାଗରିକମାନଙ୍କୁ ନିଜ ପରିବାର ସହ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବା, ଆବଶ୍ୟକ ଦସ୍ତାବିଜ୍ ସୁରକ୍ଷିତ ରଖିବା ଏବଂ ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ ମଧ୍ୟ କୁହାଯାଉଛି। ତେବେ ଏହି ସତର୍କତାର ଅର୍ଥ ନୁହେଁ ଯେ ବିଶ୍ୱରେ ତୁରନ୍ତ କୌଣସି ବଡ଼ ଯୁଦ୍ଧ କିମ୍ବା ବିପର୍ଯ୍ୟୟ ଘଟିବାକୁ ଯାଉଛି। ବରଂ ଭବିଷ୍ୟତରେ ଯେକୌଣସି ଅପ୍ରତ୍ୟାଶିତ ସଙ୍କଟର ସାମ୍ନା କରିବା ପାଇଁ ନାଗରିକମାନଙ୍କୁ ସଚେତନ ଓ ଆତ୍ମନିର୍ଭରଶୀଳ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସୋନପୁର-ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ଗୁଦୁଗୁଦା ନିକଟରେ ଅଗ୍ନିକାଣ୍ଡ ଘଟିଛି। ଏକ ମେଡିସିନ୍ ବୋଝେଇ ଚଳନ୍ତା ଟ୍ରକ୍ ରେ ହଠାତ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ତେବେ ସମୟୋଚିତ ପଦକ୍ଷେପ ଯୋଗୁଁ ଟ୍ରକ୍ ଡ୍ରାଇଭର ଏବଂ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଟ୍ରକଟି ଯାଉଥିବା ସମୟରେ ହଠାତ୍ ଟ୍ରକ୍ ରେ ଧୂଆଁ ବାହାରିବା ସହ ନିଆଁ ବ୍ୟାପି ଯାଇଥିଲା। ପରିସ୍ଥିତିକୁ ଗମ୍ଭୀର ଦେଖି ଡ୍ରାଇଭର ସତର୍କତା ଅବଲମ୍ବନ କରି ତୁରନ୍ତ ଟ୍ରକରୁ ଓହ୍ଲି ପଡ଼ିଥିଲେ, ଯାହାଫଳରେ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ବାଉସୁଣୀ ଅଗ୍ନିଶମ ବାହିନୀ ତତ୍ପରତାର ସହ ପହଞ୍ଚିଥିଲା ଏବଂ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।

ତଥାପି, ଏହି ଭୟଙ୍କର ଅଗ୍ନିକାଣ୍ଡରେ ଟ୍ରକରେ ଥିବା ବହୁମୂଲ୍ୟ ମେଡିସିନ୍ ଓ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି, କିନ୍ତୁ ପ୍ରାଥମିକ ତଦନ୍ତରୁ ଗାଡ଼ିର ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି।