spot_img
Home Blog Page 1002

ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଦାୟିତ୍ଵରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ

ନନ୍ଦିଘୋଷ ବ୍ୟୁରୋ : ବହୁଜନ ସମାଜ ପାର୍ଟିରେ ବଡ଼ ହଲଚଲ। ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଦାୟିତ୍ଵରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ। ଏହାସହ ସେ କହିଛନ୍ତି,  ଶେଷ ନିଶ୍ଵାସ ଥିବାଯାଏଁ ପାର୍ଟିରେ କେହି ତାଙ୍କର ଉତ୍ତରାଧିକାରୀ ରହିବେ ନାହିଁ। ଏହା ପୂର୍ବରୁ ପୁତୁରା ଆକାଶଙ୍କ ଶ୍ଵଶୁର ଅଶୋକ ସିଦ୍ଧାର୍ଥଙ୍କୁ ଗତ ମାସରେ ପାର୍ଟିରୁ ବହିଷ୍କୃତ କରିଥିଲେ ମାୟାବତୀ। ରାଜଧାନୀ ଲକ୍ଷ୍ନୌରେ ବସିଥିବା ଦଳର ବୈଠକ ପରେ ଏହି ଘୋଷଣା କରିଛନ୍ତି  ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ଦଳର ହିତ ଲାଗି ଆକାଶ ଆନନ୍ଦଙ୍କୁ ମସସ୍ତ ଦାୟିତ୍ଵରୁ ମୁକ୍ତ କରିଦିଆଯାଇଛି ବୋଲି କହିଥିଲେ ମାୟାବତୀ। ସିଦ୍ଧାର୍ଥଙ୍କୁ ଦଳୀୟ ବିରୋଧୀ ଗତିବିଧି ଅଭିଯୋଗରେ ଦଳରୁ ବହିଷ୍କୃତ କରାଯାଇଥିଲା। ଏହା ପୂର୍ବରୁ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷିତ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ବୟାନକୁ ନେଇ ତାଙ୍କୁ ଦେଇଥିବା ସମସ୍ତ ଦାୟିତ୍ଵ ଫେରାଇ ନେଇଛନ୍ତି ମାୟାବତୀ। ମାୟାବତୀଙ୍କ ସବୁଠାରୁ ଛୋଟ ଭାଇ ତଥା ବିଏସପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କୁ ଦଳର ସଂଯୋଜକ ଭାବେ ଦାୟିତ୍ଵ ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ରାମଜୀ ଗୌତମ ବର୍ତ୍ତମାନ ଜାତୀୟ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଲକ୍ଷ୍ନାୌରେ ବସିଥିବା ଏହି ବୈଠକରେ ମାୟାବତୀ ଦରବୃଦ୍ଧି, ଦାରିଦ୍ର୍ୟତା, ବେକାରୀ ଏବଂ ମହାକୁମ୍ଭରେ ଦଳାଚକଟା ଭଳି ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ସାନଖେମୁଣ୍ଡିରେ ନିମ୍ନମାନର ପିଡିଏସ ଚାଉଳ ବଣ୍ଟନ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ନିମ୍ନମାନର ପିଡିଏସ ଚାଉଳ ବଣ୍ଟନ । ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ପୂର୍ବରୁ ଖଲିଙ୍ଗି ପଞ୍ଚାୟତରେ ନିମ୍ନମାନର ଚାଉଳ ବଣ୍ଟନ କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ସେହିଭଳି ଚୁଡ଼ଙ୍ଗପୁର ପଞ୍ଚାୟତରେ ୩୦ କେଜି ଚାଉଳରେ ପ୍ରାୟ ୫୦୦ ଗ୍ରାମ ଧାନ ଗୋଡ଼ି ବାହାରିଥିବା ଅଭିଯୋଗ ହେଇଥିଲା । ବର୍ତ୍ତମାନ ଏରେଣ୍ଡ୍ରା ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି l ଆଜି ସରକାରଙ୍କ ପକ୍ଷରୁ ପିଡିଏସ ଚାଉଳ ବଣ୍ଟନ କରାଯାଉଥିବା ବେଳେ ସେଥିରୁ ଧାନ, ଗୋଡ଼ି ମିଶା ଚାଉଳ ବାହାରିଥିଲା । ଫଳରେ ଚାଉଳ ଫେରାଇଛନ୍ତି ହିତାଧିକାରୀ l  ଗତ କିଛିମାସ ଏଭଳି ଚାଉଳ ମିଳୁଛି । ଏନେଇ ପ୍ରତିବାଦ ଓ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ।  ଏନେଇ ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଆପଣ ଜାଣନ୍ତି କି ଜିଓ ଲଞ୍ଚ କରିବାକୁ ଯାଇଥିବା ଜିଓ AI ପର୍ସନାଲ କମ୍ପୁଟରର ମୁଲ୍ୟ କେତେ ?

ନନ୍ଦିଘୋଷ ବ୍ୟୁରୋ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଜିଓ ପ୍ଲାଟଫର୍ମଗୁଡିକ ଖୁବଶିଘ୍ର ଗ୍ରାହକଙ୍କ ପାଇଁ ଜିଓ AI ପର୍ସନାଲ କମ୍ପୁଟର ଲଞ୍ଚ କରିବାକୁ ଯାଉଛି । ରିଲାଏନ୍ସ ଜିଓ ଇନଫୋକମର ଅଧ୍ୟକ୍ଷ ଆକାଶ ଆମ୍ବାନୀ ସୂଚନା ଦେିଛନ୍ତି, ତାଙ୍କ କମ୍ପନୀ ଜିଓ AI ପର୍ସନାଲ କମ୍ପୁଟର ଉପରେ କାମ କରୁଛି । ସେ ଏହି ଅପକମିଙ୍ଗ କମ୍ପୁଟର ଉପରେ ସୂଚନା ଦେଇ କହିଛନ୍ତି, ଯେକୌଣସି ଗ୍ରାହକ ସ୍କ୍ରିନ ସହିତ ସହଜରେ କନେକ୍ଟ କରାଯାଇପାରିବ  । ଏହି ପ୍ରଡକ୍ଟ କେବେ ଲଞ୍ଚ କରିବ ତାହା ବିଷୟରେ କିଛି ସୂଚନା ଦିଆଯାଇନାହିଁ  ।

ମୁମ୍ବାଇ ଟେକ୍ ସପ୍ତାହରେ, ଆକାଶ ଅମ୍ବାନୀ କହିଥିଲେ ଯେ ଆମ ପାଖରେ ଥିବା ଗ୍ରାହକ ଆପ୍ଲିକେସନ୍ ଖୁବ୍ ଶୀଘ୍ର ଲଞ୍ଚ ହେବ। ଏହା ଏକ କ୍ଲାଉଡ୍ ପିସି ହେବ ଯାହା ଏକ ସମ୍ପୂର୍ଣ୍ଣ ପିସି ଯାହାକୁ ଆପଣ ଆପଣଙ୍କ ଘରୁ ମଧ୍ୟ ଆକ୍ସେସ୍ କରିପାରିବେ। ଏହି ଡିଭାଇସ୍ ଏତେ ଶକ୍ତିଶାଳୀ ହେବ ଯେ ଆପଣ ଏଥିରେ AI ଆପ୍ଲିକେସନ୍ ମଧ୍ୟ ବିକଶିତ କରିପାରିବେ।

ମୂଲ୍ୟ ସମ୍ପର୍କରେ ଆକାଶ ଅମ୍ବାନୀ କହିଛନ୍ତି ଯେ ଲକ୍ଷ ଲକ୍ଷ ଭାରତୀୟ ବ୍ୟବହାର କରିବେ ଏପରି ଉତ୍ପାଦ ଲଞ୍ଚ କରିବା ଆମର ଦାୟିତ୍ୱ। ସେଥିପାଇଁ ଆମେ ସୁଲଭ ମୂଲ୍ୟରେ ଉନ୍ନତ ଗ୍ରାହକ ଅଭିଜ୍ଞତା ପ୍ରଦାନ କରୁ। ଉଦାହରଣ ସ୍ୱରୂପ, ଆପଣ ଆମର JioHotstar ଦେଖିପାରିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ Jio Hotstar ପ୍ଲାନଗୁଡ଼ିକର ମୂଲ୍ୟ ବହୁତ କମ୍, ଯାହା ଯୋଗୁଁ ଏହା ଏକ ସୁଲଭ ଓଟିଟି ପ୍ଲାଟଫର୍ମ ପାଲଟିଛି।

କିଛି ସମୟ ପୂର୍ବରୁ JioBrain ମଧ୍ୟ ଘୋଷଣା କରାଯାଇଥିଲା, ଏହି ସେବା ଖୁବ୍ ଶୀଘ୍ର ଉଦ୍ୟୋଗଗୁଡ଼ିକ ପାଇଁ ଜାରି କରାଯାଇପାରେ। ଯଦି ଆପଣ ଜାଣିନାହାଁନ୍ତି ଯେ ଜିଓ ବ୍ରେନ୍ ପ୍ରକୃତରେ କ’ଣ? ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହା ପ୍ରକୃତରେ କ’ଣ କରେ। ଜିଓର ଅଫିସିଆଲ୍ ସାଇଟ୍ ଅନୁଯାୟୀ, ଜିଓବ୍ରେନ୍ ଏକ ବିତରିତ ମେସିନ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଯାହା ନେଟୱାର୍କ ଏଜ୍ ଏବଂ ସେବା ପ୍ରଦାନକାରୀ କ୍ଲାଉଡ୍‌ରେ ମେସିନ୍ ଲର୍ଣ୍ଣିଂକୁ ତାଲିମ ଦେବା ଏବଂ ପ୍ରୟୋଗ କରିବାର କ୍ଷମତା ରଖେ।

୩୦୦ ଦିନିକିଆ ଖେଳିବାରେ ୭ମ ଭାରତୀୟ ହେଲେ କୋହଲି

ନନ୍ଦିଘୋଷ ବ୍ୟୁରୋ : ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖେଳିବା ପରେ ବିରାଟ କୋହଲି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟ କୋହଲି ଦିନିକିଆରେ ୩୦୦ ମ୍ୟାଚ୍ ଖେଳିଥିବା ଖେଳାଳି ହୋଇଛନ୍ତି। ଏହି ମାମଲାରେ ସେ ସପ୍ତମ ଭାରତୀୟ। ସେ ୩୦୦ ଦିନିକିଆ ଖେଳିବାରେ ୨୨ତମ କ୍ରିକେଟର ବୋଲି ପ୍ରମାଣିତ ହୋଇଥିଲେ। ବିରାଟଙ୍କ ପୂର୍ବରୁ କେଉଁ ୬ଜଣ ଭାରତୀୟ ଖେଳାଳି୩୦୦ କିମ୍ବା ତା’ଠାରୁ ଅଧିକ ଦିନିକିଆ ଖେଳିବାର ରେକର୍ଡ କରିଛନ୍ତି।

ବିରାଟ କୋହଲି ୩୦୦ଟି ଦିକିନିଆ ମ୍ୟାଚ୍ ର ୨୮୮ ଇନିଂସରେ ୧୪୦୮୫ ରନ କରିଛନ୍ତି । ବିରାଟ କୋହଲି ଏହି ଫର୍ମାଟରେ ସର୍ବାଧିକ ଶତକ (୫୧) ମାରିଥିବା ବ୍ୟାଟସମ୍ୟାନ୍। ସେ ୭୩ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଟିମ୍ ଇଣ୍ଡିଆର ଏହି ବ୍ୟାଟସମ୍ୟାନ୍ ଦିନିକିଆରେ ୧୩୧୮ ଚୌକା ଏବଂ ୧୫୨ ଛକା ମାରିଛନ୍ତି।

୩୦୦ରୁ ଅଧିକ ମ୍ୟାଚ ଖେଳିଥିବା ୬ ଜଣ ଭାରତୀୟ

ସଚିନ ତେନ୍ଦୁଲକର ହେଉଛନ୍ତି ସବୁଠୁ ଅଧିକ ଦିନିକିଆ ମ୍ୟାଚ ଖେଳିଥିବା ଖେଳାଳି ।  ଏହା ପରେ ପୂର୍ବତନ ଶ୍ରୀଲଙ୍କା ୱିକେଟକିପର ବ୍ୟାଟସମ୍ୟାନ କୁମାର ସାଙ୍ଗାକାରାଙ୍କ ନାମ ଆସୁଛି। ଯିଏ ୪୦୪ ମ୍ୟାଚ୍‌ରେ ୨୫ ଶତକ ମାଧ୍ୟମରେ ୧୪୨୩୪ ରନ୍ କରିଥିଲେ। ବିରାଟ କୋହଲି ୧୪୦୮୫ ରନ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ବିରାଟଙ୍କୁ ସାଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ ୧୪୯ ରନ ଆବଶ୍ୟକ।

ସଚିନ ତେନ୍ଦୁଲକର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସର୍ବାଧିକ ଦିନିକିଆ ଖେଳିଥିବା ଖେଳାଳି। ସେ ୪୬୩ଟି ଦିନିକିଆ ମ୍ୟାଚ୍ ଖେଳି ୧୮୪୨୬ ରନ୍ କରିଥିଲେ। ସେଥିରେ ସଚିନ ୪୯ଟି ଶତକ ମାରିଛନ୍ତି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩୪୭ଟି ଦିନିକିଆ ଖେଳିଛନ୍ତି । ଏହି ଫର୍ମାଟରେ ସେ ୯ଟି ଶତକ ସହାୟତାରେ ୧୦୫୯୯ ରନ୍ କରିଥିଲେ।

ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ୍ ଖେଳିବାରେ ରାହୁଲ ଦ୍ରାବିଡ ତୃତୀୟ ଖେଳାଳି। ସେ ୩୪୦ ମ୍ୟାଚ୍‌ରୁ ୧୨ ଶତକ ସହାୟତାରେ ୧୦୭୬୮ ରନ୍ କରିଥିଲେ ।  ମହମ୍ମଦ ଆଝାରୁଦ୍ଦିନ ୩୩୪ ଦିନିକିଆ ମ୍ୟାଚରୁ ୭ଶତକ ସହାୟତାରେ ୯୩୭୮ରନ୍ କରିଥିଲେ। ଭାରତ ପାଇଁ ସର୍ବାଧିକ ଏକଦିବସୀୟ ମ୍ୟାଚ୍ ଖେଳିବାରେ ସୌରଭ ଗାଙ୍ଗୁଲି ପଞ୍ଚମ ଖେଳାଳି। ସୌରଭ ଗାଙ୍ଗୁଲି ୩୦୮ ମ୍ୟାଚ୍ ଖେଳି ୨୨ ଶତକ ସହିତ ୧୧୨୨୧ ରନ୍ କରିଥିଲେ। ଯେତେବେଳେ ଯୁବରାଜ ସିଂହ ଷଷ୍ଠ ନମ୍ବରରେ ଅଛନ୍ତି। ଯୁବରାଜ ୩୦୧ଟି ମ୍ୟାଚ୍ ଖେଳିଥିଲେ। ୧୪ ଶତକ ସହାୟତାରେ ଯୁବରାଜ ୮୬୦୯ ରନ କରିଥିଲେ। ଯଦି ଆଉ ଦୁଇଟି ଦିନିକିଆ ମ୍ୟାଚ୍ ଖେଳନ୍ତି, ତେବେ କୋହଲି ଭାରତ ପାଇଁ ସର୍ବାଧିକ ଦିନିକିଆ ଖେଳିବାରେ ଷଷ୍ଠ ଖେଳାଳି ହୋଇଯିବେ।

 ଟସ୍ ଜିତିଲା ନ୍ୟୁଜିଲାଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଭାରତ ନିଜର ଅନ୍ତିମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ନ୍ୟୁଜିଲାଣ୍ଡ ଟସ ଜିତିଥିବାବେଳେ ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରୁଥିବାବେଳେ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଲା ସୁଯୋଗ । ତେବେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଥିବାବେଳେ ବଡ଼ ସ୍କୋର ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ଆଜି ମଧ୍ୟ ରୋହିତ ଏବଂ ବିରାଟଙ୍କଠାରୁ ଶତକୀୟ ପାଳିର ଆଶା ରଖାଯାଇଛି । ତେବେ ଭାରତୀୟ ଦଳର ପ୍ରଦର୍ଶନ କଣ ରହିବ ତାଉପରେ ରହିଛି କ୍ରୀଡ଼ାପ୍ରେମୀଙ୍କ ନଜର ।

ନିର୍ବାଚନ ମୋ ଝିଅର ଜୀବନ ନେଇଗଲା, ଜାଣନ୍ତୁ କାହିଁକି ଏମିତି କହିଲେ ହିମାନୀଙ୍କ ମାଆ

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବେଲଙ୍କ ମୃତଦେହ ଉଦ୍ଧାର ହେବା ପରେ  ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ସେପଟେ ହିମାନୀଙ୍କ ମାଆ ଏବଂ ଭାଇ କଂଗ୍ରେସକୁ ସମାଲୋଚନା କରିଛନ୍ତି । ହିମାନୀଙ୍କ ମାଆ ସବିତା କହିଛନ୍ତି କି, ମୋ ଝିଅ କଂଗ୍ରେସ ପାଇଁ ଏତେ କରିଛି । ସବୁବେଳେ ସେ ଦଳ ପାଇଁ ଏତେ କାମ କରିଛି । ତଥାପି ଶେଷ ସମୟରେ କେହି ଆସିଲେନି । ଆଉ ଏହି ନିର୍ବାଚନ ପାଇଁ ତା ଜୀବନ ଚାଲିଗଲା । କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ ଦଳକୁ ଜିତାଇବା ପାଇଁ ବହୁ କଷ୍ଟ କରିଛି । କିନ୍ତୁ କଂଗ୍ରେସ ନେତା ଫୋନ କଲେନି କିମ୍ବା ଟିକେ ଦେଖିବାକୁ ଆସିଲେନି । ତେବେ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଝିଅର ଶେଷକୃତ୍ୟ କରିବି ନାହିଁ ବୋଲି କହିଛନ୍ତି ତାଙ୍କ ମାଆ । ତେବେ ନିର୍ବାଚନ ସମୟରେ ଛୋଟ ଛୋଟ ଝଗଡ଼ା ହେଉଥିବା କଥା କହିଥିଲା ଝିଅ । ମୋ ଝିଅକୁ ଅନ୍ୟମାନେ ସହି ପାରୁନଥିଲେ । କାରଣ ଏତେ ଅଳ୍ପଦିନରେ ଲୋକପ୍ରିୟ ହୋଇଥିବାରୁ ଦଳୀୟ ନେତାମାନେ ମଧ୍ୟ ଇର୍ଷା କରୁଥିବା କହିଛନ୍ତି ।

ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଲେଜର ଯୁକ୍ତ ୨ ବାଣିଜ୍ୟ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ। ଯୁକ୍ତ ଦୁଇ ପରୀକ୍ଷାରେ ନିରୀକ୍ଷକ ସ୍କ୍ଵାଡର ନିୟୋଜିତ ଜଣେ ଅଧ୍ୟାପକଙ୍କ ଅସଦାଚରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା କହିଛନ୍ତି ତାଙ୍କ ମାଆ। ଏ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ମାଆl ପଟ୍ଟାମୁଣ୍ଡାଇ କଲେଜରେ +୨ ବାଣିଜ୍ୟ ପରୀକ୍ଷା ଦେବାକୁ ଯାଇଥିଲେ ସମ୍ପୃକ୍ତ ଛାତ୍ରୀl ପରୀକ୍ଷାରୁ ଫେରିବା ପରେ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାଆଙ୍କୁ ଅଭିଯୋଗ କରିଥିଲେ। କମନ୍ ରୁମକୁ ଡାକି ଶାରିରୀକ ନିର୍ଯାତନା ଦେଇଥିବା କହିଥିଲେ। ଛାତ୍ରୀ ଜଣଙ୍କ ଗତ  ୨୪ ତାରିଖରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଗତକାଲି ଏ ନେଇ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ପଶ୍ଚିମବଙ୍ଗରେ ତାତିଲା ଏସଏଫଆଇ: ଶିକ୍ଷାମନ୍ତ୍ରୀଙ୍କ କାର ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁଙ୍କ କାର ଉପରେ ଆକ୍ରମଣ। ଯାଦବପୁର ବିଶ୍ବବିଦ୍ୟାଳୟରେ ପରିସରରେ ତାଙ୍କ କାର୍ ଉପରେ ଆକ୍ରମଣ କରିଛନ୍ତି ଏସଏଫଆଇର ଛାତ୍ର। ତୃଣମୂଳ କଂଗ୍ରେସର ଶିକ୍ଷକ ଶାଖା ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ବାର୍ଷିକ ଅଧିବେଶନରେ ଯୋଗ ଦେବାକୁ ସେ ଯାଇଥିବାବେଳେ ଏହି ଆକ୍ରମଣ ଘଟିଥିଲା। ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ପୋଲିସ ଗାଡି ଭଙ୍ଗାରୁଜା ହୋଇଥିବାବେଳେ ସିକ୍ଯୁରିଟି ଗାର୍ଡ ଓ ଜଣେ ଶିକ୍ଷାବନ୍ଧୁ ଅଫିସରଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ଭିତରେ ଭଙ୍ଗାରୁଜା ବି ହୋଇଛି। ଛାତ୍ରସଂଘ ନିର୍ବାଚନ କରିବା ଦାବିରେ ସିପିଏମର ଛାତ୍ର ସଂଗଠନ ଏସଏଫଆଇ ପକ୍ଷରୁ ଏହି ଆକ୍ରମଣ ହୋଇଛି। ଆକ୍ରମଣ ପରେ ମନ୍ତ୍ରୀଙ୍କୁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏଫଆଇର କିଛି ଛାତ୍ର ତାଙ୍କୁ ଦାବିପତ୍ର ଦେଉଥିବାବେଳେ କିଛି ଛାତ୍ର ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘର ସଭାପତି ଅଛନ୍ତି ବସୁ। ଏହି ବୈଠକରେ ରାଜ୍ଯର ପ୍ରାୟ ୩ ହଜାର ପ୍ରଫେସର ଯୋଗ ଦେଇଥିଲେ। ଆକ୍ରମଣ ପରେ ଯାଦବପୁର ପୋଲିସ ଷ୍ଟେସନରେ ଏଫଆଇଆର ଦାୟର କରିଛି ପଶ୍ଚିମବଙ୍ଗ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଫେସର ସଂଘ। ରାଜ୍ଯର ବିଶ୍ବବିଦ୍ୟାଳୟ ଓ କଲେଜଗୁଡିକରେ ନିର୍ବାଚନ କରାଯାଉ ନଥିବା ପ୍ରତିବାଦରେ ଏହି ଆକ୍ରମଣ ହୋଇଛି।

ବ୍ରିଟେନ ସହ ବଢିଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ପର୍କ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସହ କଥା କଟାକଟି ପରେ ବ୍ରିଟେନ ସହ ବଢିଛି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ସମ୍ପର୍କ । ୟୁକ୍ରେନ ସହ ବ୍ରିଟେନ ସ୍ବାକ୍ଷର କରିଛି ୨ ଦଶମିକ ୨୬ ବିଲିୟନ ପାଉଣ୍ଡର ଋଣ ରାଜିନାମା । ଏହା ଜରିଆରେ ବଢିବ ୟୁକ୍ରେନର ସାମରିକ ସାମର୍ଥ୍ୟ । ବଡ଼କଥା ହେଉଛି ରୁଷର ବିଭିନ୍ନ ସଂସ୍ଥା ଉପରେ ଜାରି ହୋଇଥିବା କଟକଣାରୁ ମିଳୁଥିବା ଲାଭାଂଶକୁ ଏହି ଋଣ ଲାଗି ଦେୟ କରାଯିବ । ୟୁକ୍ରେନର ଅର୍ଥମନ୍ତ୍ରୀ ସେର୍ଜେଇ ମାରସାଙ୍କୋ ଓ ବ୍ରିଟେନର ଚାନସେଲର ରାଚେଲ ରିଭିସଙ୍କ ମଧ୍ଯରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଛି । ଆସନ୍ତା ସପ୍ତାହରେ ଏହି ଅର୍ଥ ୟୁକ୍ରେନ ପାଇବ । ଲଣ୍ଡନ ଗସ୍ତରେ ଯାଇଥିବା ଜେଲେନସ୍କିଙ୍କୁ ଭରପୂର ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର । ଲଣ୍ଡନର ୧୦-ଡାଉନିଂ ଷ୍ଟ୍ରିଟରେ ଦୁଇ ନେତାଙ୍କ ମଧ୍ଯରେ ହୋଇଥିଲା ଭେଟଘାଟ ।

ୟୁକ୍ରେନକୁ ପୂର୍ବପରି ସମର୍ଥନ ଜାରି ରହିବ ବୋଲି କହିଥିଲେ ଷ୍ଟାର୍ମର । ଟ୍ରମ୍ପଙ୍କ ସହ ଜେଲେନସ୍କିଙ୍କ କଥା କଟାକଟି ପରେ ଫ୍ରାନ୍ସ ସମେତ ୟୁରୋପୀୟ ୟୁନିଅନ ୟୁକ୍ରେନକୁ ସମର୍ଥନ ଜଣାଇଥିଲେ । ଏହାକୁ ନେଇ ବିଶ୍ବରେ ନୂଆ ସମୀକରଣ ସୃଷ୍ଟି ହୋଇଥିଲା । ଏହି ରାଜିନାମା ପରେ ବ୍ରିଟେନବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି । ୟୁକ୍ରେନକୁ ପ୍ରଥମରୁ ହିଁ ବ୍ରିଟେନ ସମର୍ଥନ କରିଆସୁଥିବାବେଳେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧ କରିଆସୁଛି । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ପରେ ଆମେରିକା ଓ ୟୁକ୍ରେନ ମଧ୍ୟରେ ହେବାକୁ ଥିବା ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ବାତିଲ ହୋଇଥିଲା । ଏହି ପ୍ରସଙ୍ଗକୁ ନେଇ ୟୁରୋପୀୟ ରାଷ୍ଟ୍ରସଂଘ ଓ ଆମେରିକା ମଧ୍ଯରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଟ୍ରମ୍ପଙ୍କ ଆଚରଣକୁ ବି ସମାଲୋଚନା କରିଥିଲେ ପ୍ରତିରକ୍ଷା ଓ ମହାକାଶ ସଂକ୍ରାନ୍ତ ୟୁରୋପୀୟ କମିଶନର ଆଣ୍ଡ୍ରିଉସ କୁବିଲସ ।

ୟୁକ୍ରେନକୁ ଆମେରିକା ୧୦୦ ବିଲିୟନ ଡଲାର ସହାୟତା ଦେଇଥିବାବେଳେ ୟୁରୋପୀୟ ୟୁନିଅନ ୧୩୦ ବିଲିୟନ ଡଲାର ଦେଇଛି ବୋଲି କହିଛନ୍ତି କୁବିଲସ । ୟୁକ୍ରେନକୁ ୟୁନିଅନର ସହାୟତା ପରିମାଣ ବଢିବ ବୋଲି ସେ କହିଛନ୍ତି । ଯଦି ୟୁକ୍ରେନକୁ ଚୀନ ସମର୍ଥନ ନ କରେ ତେବେ ଏହାକୁ ଭିନ୍ନ ଅର୍ଥରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେଣେ ଟ୍ରମ୍ପଙ୍କ ସହ ସମ୍ପର୍କ ରକ୍ଷା ସେପରି ଜରୁରୀ ନୁହେଁ ବୋଲି କହିଛନ୍ତି ଜେଲେନସ୍କ । ଶାନ୍ତିର ଆବଶ୍ଯକତା ଥିବାରୁ ସେ ଆମେରିକା ଯାଇଥିଲେ । ଖଣିଜ ପଦାର୍ଥ ଚୁକ୍ତି ଏକ ପ୍ରଥମ ପଦକ୍ଷେପ ଥିଲା । ଏହି ଚୁକ୍ତି ପରେ ନିରାପତ୍ତା ଗ୍ଯାରେଣ୍ଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଥାନ୍ତା । ମାତ୍ର ସବୁକିଛି ବିଗିଡ଼ିଗଲା ବୋଲି କହିଛନ୍ତି ଜେଲେନସ୍କି । ରୁଷ ହେଉଛି ୟୁକ୍ରେନର ଶତ୍ରୁ ଏବଂ ଆଲୋଚନା ବେଳେ ୟୁକ୍ରେନର ସ୍ବାର୍ଥକୁ ସର୍ବାଦୌ ଗୁରୁତ୍ବ ଦିଆଯିବା ଉଚିତ ବୋଲି ଜେଲେନସ୍କି କହିଛନ୍ତି ।

ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ। ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୬ରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା । ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ସେହିପରି ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା । ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯିବ । ୧ କୋଟିରୁ ଅଧିକ ମହିଳା ଏକା ସାଙ୍ଗରେ ପାଇବେ ଦ୍ବିତୀୟ କିସ୍ତି ଅର୍ଥ ।