spot_img
Home Blog Page 1024

ବିତୁଛି ସମୟ ବଢୁଛି ଆଶଙ୍କା, ଟନେଲ ଭିତରୁ ଆସୁନି କୌଣସି ଶବ୍ଦ

ନନ୍ଦିଘୋଷ ବ୍ୟୁରୋ: ସମୟ ବିତିବା ସହିତ ବଢୁଛି ଆଶଙ୍କା । ତେଲେଙ୍ଗାନା ଶ୍ରୀସାଇଲମ୍ କେନାଲର ଟନେଲରେ ଫସିଥିବା ୮ ଜଣ ବଞ୍ଚିଥିବାର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଟନେଲ ଭିତରୁ କୌଣସି ସୋର୍ ଶବ୍ଦ ଆସୁନାହିଁ କିମ୍ଵା କିଛି ଜଣାପଡୁନାହିଁ। ତେଣୁ ଟନେଲ ଭିତରେ ଫସିଥିବା ଲୋକଙ୍କ ମୃତ୍ୟୁ ହୋଇଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହା ସତ୍ତ୍ଵେ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସିଲକିୟାରା ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

୨୦୨୩ ଉତ୍ତରାଖଣ୍ଡର ଏକ ଟନେଲରେ ଏପରି କିଛି ଲୋକେ ଫସିଥିବା ବେଳେ ସେହି ଉଦ୍ଧାର କାର୍ଯ୍ୟରେ ଏହି ଟିମ୍ ନିୟୋଜିତ ହୋଇଥିଲା। ସେହି ଟିମ୍ ଶ୍ରୀସାଇଲମ୍ ଟନେଲ ଅପରେସନରେ ଲାଗିଛି। ରେଟ୍ ମାଇନର୍ ମଧ୍ୟ କାମରେ ଲାଗିଛନ୍ତି। ଏଣ୍ଡୋସ୍କୋପିକ୍ ଓ ରୋବୋଟିକ୍ କ୍ୟାମେରା ମଧ୍ୟ ଅଣାଯାଇଛି । ରେସ୍କ୍ୟେୁ ଅପରେସନରେ ସାମିଲ ହୋଇଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍ ଓ ଏସସିସିଏଲର ଟିମ୍ । ଟନେଲ ଭିତରକୁ ବିଦ୍ଯୁତ ଯୋଗାଣ କରାଯାଇଛି ।

ଅତ୍ୟାଧୁନିକ ମେସିନ ମଧ୍ୟ ଲଗାଯାଇଛି । ଭୁଶୁଡିଥିବା ସ୍ଥଳରୁ ୨୦୦ ମିଟର ଦୂରରେ ଶ୍ରମିକମାନେ ଥିବା ସୂଚନା ମିଳିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିଜେ ଘଟଣାର ତଦାରଖ କରୁଛନ୍ତି । ଦୁଇ ଦିନ ତଳେ ନିର୍ମାଣାଧୀନ ଟନେଲର ଛାତରୁ କଂଙ୍କ୍ରିଟ ଖସିବାରୁ ଭିତରେ ୮ ଜଣ ରହିଯାଇଛନ୍ତି । ନଗର କୁୁର୍ନଲ ଜିଲ୍ଲାର ଦୋମାଲାପେଣ୍ଟାରେ ଏହି ଅଘଟଣ ଘଟିଛି । ଟନେଲ ଭିତରକୁ କାମ କରିବା ଲାଗି ୫୦ ଶ୍ରମିକ ଯାଇଥିଲେ । ସାଢେ ୧୩ କିଲୋମିଟର ଦୂର ଯାଏ ସେମାନେ ଟନେଲ ଭିତରକୁ ଯାଇଥିଲେ । ୪୨ ଜଣ ପଦାକୁ ବାହାରିବାକୁ ସକ୍ଷମ ହୋଇଥିଲେ । ୮ ଜଣ ରହି ଯାଇଛନ୍ତି ।

ପାକିସ୍ତାନୀ ଖେଳାଳୀଙ୍କ ଟାଇମ୍ ଖରାପ କରିବାକୁ ୭ କୋଟିର ଘଣ୍ଟା ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ହାର୍ଦ୍ଦିକ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ଭାରତର ଚମତ୍କାର ବିଜୟ ପରେ ସବୁ ଶ୍ରେୟ ବିରାଟ କୋହଲିଙ୍କୁ ଯାଉଛି । କିନ୍ତୁ ତାଙ୍କର ୧୦୦ ରନର ଅପରାଜିତ ଇନିଂସ ବ୍ୟତୀତ, ପାକିସ୍ତାନକୁ ପରାଜୟ କରିବାର ଅନେକ କାରଣ ରହିଛି । ୮ ଓଭରରେ ମାତ୍ର ୩୧ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ବାବର ଆଜମଙ୍କୁ ଆଉଟ୍ କରିବା ପରେ ଯେତେବେଳେ ସେ ଭାରତର ପ୍ରଥମ ୱିକେଟ୍ ନେଇ ସେଲିବ୍ରେଶନ କରୁଥିଲେ, ସେତେବେଳେ ସାରା ବିଶ୍ୱର ଧ୍ୟାନ ତାଙ୍କ ହାତରେ ବନ୍ଧା ହୋଇଥିବା ଏକ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ପଡ଼ିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଘଣ୍ଟା ପିନ୍ଧିଥିଲେ ?
ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ନେଇ ସବୁବେଳେ ଚର୍ଚ୍ଚିତ ରହିଥାଆନ୍ତି । ଘଣ୍ଟାର ସୌକିନ ଥିବା ହାର୍ଦ୍ଦିକଙ୍କ ପାଖରେ ବିଭିନ୍ନ ଧରଣର ଘଣ୍ଟା କଲେକ୍ସନ ରହିଛି। ସେଥିମଧ୍ୟରୁ ଚାମ୍ପିଅନ୍ସ ଟ୍ରଫିରେ ସେ ରିଚାର୍ଡ ମିଲେ RM27-02 CA FQ ଟୁରବିଲନ୍ ରାଫେଲ୍ ନାଡାଲ୍ ସ୍କେଲିଟନ୍ ଡାଏଲ୍ ଏଡିସନ୍ ପିନ୍ଧିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମଡେଲର କେବଳ ୫୦ଟି ଘଣ୍ଟା ତିଆରି ହୋଇଥିବା ବେଳେ ଏହା ଟେନିସ୍ କିମ୍ବଦନ୍ତୀ ରାଫେଲ୍ ନାଡାଲଙ୍କ ପାଇଁ ତିଆରି କରାଯାଇଥିଲା ।
ଘଣ୍ଟାଟିର ଦାମ୍ କେତେ?
ରିଚାର୍ଡ ମିଲ RM 027 ହେଉଛି ବିଶ୍ୱର ସବୁଠାରୁ ହାଲୁକା ଘଣ୍ଟା ମଧ୍ୟରୁ ଗୋଟିଏ । ଏହାର ଷ୍ଟ୍ରାପ୍ ସହିତ ଓଜନ ୨୦ ଗ୍ରାମରୁ ଟିକିଏ କମ୍ ଅଟେ । ଘଣ୍ଟାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା । RM 27-02 ଘଣ୍ଟାଟି ଗ୍ରେଡ୍ 5 ଟାଇଟାନିୟମ୍ ପୁଲରେ ତିଆରି ଯାହା 70 ଘଣ୍ଟାର ପାୱାର ରିଜର୍ଭ ପ୍ରଦାନ କରେ। ଘଣ୍ଟାର କ୍ୱାର୍ଟଜ୍ TPT କେସ୍ ଏହାକୁ ଏକ ଉତ୍କୃଷ୍ଟ ଫ୍ୟାଶନ୍ ଷ୍ଟେଟମେଣ୍ଟ୍ ଦିଏ। ଏହା ପୂର୍ବରୁ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା IPL ସମୟରେ ଏହି ଘଣ୍ଟା ପିନ୍ଧି ପଡ଼ିଆରେ ପ୍ରବେଶ କରିସାରିଛନ୍ତି ।
ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ
ଚାମ୍ପିୟନସ୍ ଟ୍ରଫିରେ ଟିମ୍ ଇଣ୍ଡିଆର ବିରାଟ ବିଜୟ। ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଭାରତ ।୪୯ ଓଭର୍ ୪ଟି ବଲରେ ୨୪୧ ରନ୍ କରି ଦଳ ଅଲଆଉଟ ହୋଇଥିଲା। ଭାରତୀୟ ସ୍ପିନ୍ ଜାଲରେ ଛନ୍ଦି ହୋଇଥିଲେ ପାକିସ୍ତାନର ବ୍ଯାଟର୍। କୁଳଦୀପ ଯାଦବଙ୍କୁ ୩ଟି ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକଙ୍କୁ ୨ଟି ୱିକେଟ ମିଳିଛି। ସେହିପରି ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଓ ହର୍ଷିତ ରାଣାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।  ବିଜୟ ସହିତ ଭାରତର ସେମିଫାଇନାଲ ଟିକଟ ଏକ ରକମର ପକ୍କା ହୋଇଥିବା ବେଳେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି ।

ଡ୍ରେସିଂ ରୁମରେ ରିଜୱାନ କଲମା ପଢ଼ୁଥିଲେ,ରୈନା କହିଲେ-ରୋହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢୁଥିବେ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିର ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନକୁ ୬ୱିକେଟ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଦଳ କେବଳ ୨୪୧ ରନ୍ ସଂଗ୍ରହ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ଆଗରେ ଟାର୍ଗେଟ ଥିଲା ୨୪୨ ରନ୍। ବିରାଟ କୋହଲିଙ୍କ ନଟ୍ ଆଉଟ୍ ସେଞ୍ଚୁରି ବଳରେ ଏହି ଲକ୍ଷ୍ୟକୁ ଟିମ୍ ସହଜରେ ହାସଲ କରିନେଇଥିଲା । ଦରକାର ହୋଇଥିଲା ମାତ୍ର ୪୨ ଓଭର ୩ଟି ବଲ। ଚୌକା ମାରି ନିଜର ସେଞ୍ଚୁରି ପୂରଣ କରିବା ସହିତ ଦଳକୁ ଜିତ୍ ଦେଇଥିଲେ ବିରାଟ କୋହଲି। ଏହି ମ୍ୟାଚ୍‌ରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ବହୁତ ନିରାଶ ଦେଖାଯାଉଥିଲେ। ଗୋଟିଏ ସମୟରେ, ରିଜୱାନଙ୍କୁ ମ୍ୟାଚ୍ ମଝିରେ ପ୍ରାର୍ଥନା କରୁଥିବାର ମଧ୍ୟ ଦେଖାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମହମ୍ମଦ ରିଜୱାନଙ୍କ ଭିଡିଓ ଭାଇରାଲ

ମହମ୍ମଦ ରିଜୱାନଙ୍କୁ ପୂର୍ବରୁ ଅନେକ ଥର ପଡ଼ିଆ ଏବଂ ଡ୍ରେସିଂ ରୁମରେ ଧାର୍ମିକ କାର୍ଯ୍ୟ କରୁଥିବାର ଦେଖାଯାଇଛି । ଏଥର ତାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରିଜୱାନ ତସ୍ବିହ ପାଠ କରୁଥିବାର ଦେଖାଯାଇଛି। ରିଜୱାନଙ୍କ ଏହି ଭିଡିଓ ଡଗ୍ ଆଉଟରୁ ଆସିଛି । ଏହି ଭିଡିଓ ଉପରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କମେଣ୍ଟ୍ରି ବକ୍ସରେ ବସିଥିବା କମେଣ୍ଟ୍ରିମାନେ ମଧ୍ୟ ରିଜୱାନଙ୍କ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

https://www.instagram.com/woke.batman/reel/DGa1dJWzJyc/

ସୁରେଶ ରୈନା କ’ଣ କହିଥିଲେ ?

କମେଣ୍ଟ୍ରି କରୁଥିବା ଆକାଶ ଚୋପ୍ରାଙ୍କ ନଜର ରିଜଓ୍ବାନଙ୍କ ଉପରେ ପଡିଯାଇଥିଲା । ସେ ହଠାତ୍ ପଚାରିଲେ ସେମାନେ କଣ କରୁଛନ୍ତି ? ସେମାନଙ୍କ ହାତରେ କ’ଣ ଅଛି ? ଏହା ଉପରେ ପାକିସ୍ତାନର ୱାହାବ ରିଆଜ, ଯିଏ କମେଣ୍ଟ୍ରି କରୁଥିଲେ, କହିଥିଲେ ଯେ ଏହା ଏକ ମାଳା ଏବଂ ସେ ଆଲ୍ଲାଙ୍କ କଲାମ ପାଠ କରୁଛନ୍ତି । ସେମାନେ ଆଲ୍ଲାଙ୍କ ନାମ ନେଉଛନ୍ତି ଯାହା ବର୍ତ୍ତମାନ ସମୟରେ ଦରକାର । ଏହା ଉପରେ ସୁରେଶ ରୈନା ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି । ରାଇନା କହିଛନ୍ତି ଯେ ଯେତେବେଳେ ରିଜୱାନ କଲମା ପାଠ କରୁଛନ୍ତି, ରୋହିତ ଶର୍ମା ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଥିବେ। ଏହା ସହିତ ରାଇନା କହିଛନ୍ତି ଯେ ବିରାଟ ମଧ୍ୟ ଭଗବାନ ଶିବଙ୍କ ଭକ୍ତ ଏବଂ ସେ ଭଗବାନ ଶିବଙ୍କ ଏକ ଟାଟୁ କରିଛନ୍ତି।

ପାକିସ୍ତାନ ପାଇଁ ଲଜ୍ଜାଜନକ ପରାଜୟ

ଟିମ୍ ଇଣ୍ଡିଆ ବିପକ୍ଷରେ ୬ ୱିକେଟରେ ପରାଜୟ ସହିତ, ପାକିସ୍ତାନ ଦଳ ସେମିଫାଇନାଲ ଦୌଡ଼ରୁ ପ୍ରାୟ ବାହାର ହୋଇଯାଇଛି । ଏବେ ପାକିସ୍ତାନର କେବଳ ଗୋଟିଏ ମ୍ୟାଚ୍ ବାକି ଅଛି, ଯେଉଁଠାରେ ସେମାନେ ୨୭ ଫେବୃଆରୀରେ ବାଂଲାଦେଶକୁ ଭେଟିବେ। ଏହି ମ୍ୟାଚ୍ ପୂର୍ବରୁ, ପାକିସ୍ତାନ ଦଳକୁ ପ୍ରାର୍ଥନା କରିବାକୁ ପଡିବ ଯେ କୌଣସି ପ୍ରକାରେ ବାଂଲାଦେଶ ଦଳ ଆଜି ପ୍ରଥମେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରୁ ।

ରୋଚକ ହେବ ଦିଲ୍ଲୀ ରାଜନୀତି, ସାମ୍ନାସାମ୍ନି ହେବେ ଦୁଇ ମହିଳା ନେତ୍ରୀ….

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀର ରାଜନୀତି ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଉପରେ କେନ୍ଦ୍ରିତ ହୋଇସାରିଛି । ଦିଲ୍ଲୀରେ ଚାଲିଛି ମହିଳା କାର୍ଡ଼ ଖେଳ । । ୨୭ ବର୍ଷ ପରେ କ୍ଷମତା କୁ ଫେରିଛି ବିଜେପି । ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ବିଜେପି ରେଖା ଗୁପ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛି । ଯେତେବେଳେ ବିଜେପି ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ହସ୍ତାନ୍ତର କରିଛି ଅପରପକ୍ଷରେ ବିରୋଧୀ ଦଳ ଆାମ୍ ଆଦମୀ ପାର୍ଟି ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ଆତିଶୀଙ୍କୁ ଚୟନ କରିଛି । ଏପରି ଏକ ସ୍ଥିତି ଉପୁଜିଛି ଯେଉଁଠି ବିଧାନସଭାରେ ଗୃହର ନେତା, ଏବଂ ବିରୋଧୀ ଦଳ ନେତା ଉଭୟ ରେ ଦୁଇ ମହିଳା ହେବେ ସାମ୍ନାସାମ୍ନି । ଚର୍ଚ୍ଚା ହେଲାଣି ରୋଚକ ହେବ ଦିଲ୍ଲୀ ରାଜନୀତି ।

ଦିଲ୍ଲୀ ବିଧାନସଭାରେ ଦୁଇଜଣ ମହିଳା ନିଜ ନିଜ ଦଳର ନେତୃତ୍ୱ ନେବେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶାସକ ଦଳର ନେତୃତ୍ୱ ନେବେ, ଆମ ଆଦମୀ ପାର୍ଟି ବିଧାୟକ ଦଳ ନେତା ଆତିଶୀ ବିରୋଧୀ ଦଳରେ ରହିବେ। ରେଖା ଗୁପ୍ତା ପ୍ରାୟ ତିନି ଦଶନ୍ଧି ଧରି ବିଜେପିରେ ସକ୍ରିୟ ଅଛନ୍ତି ଏବଂ ଦିଲ୍ଲୀ ରାଜନୀତିକୁ ଭଲ ଭାବରେ ବୁଝନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରୁ ଏମସିଡିର କାଉନସିଲର ଏବଂ ତା’ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପର୍ୟ୍ୟନ୍ତ ଯାତ୍ରା କରିଛନ୍ତି, ଯାହା ଯୋଗୁଁ ରେଖା ଗୁପ୍ତା ଭୂମିସ୍ତରୀୟ ରାଜନୀତିକୁ ଭଲ ଭାବରେ ବୁଝନ୍ତି।

ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହୋଇଥିବା ଆତିଶୀ ଦ୍ୱିତୀୟ ଥର ପାଇଁ କାଲକାଜୀ ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି, କିନ୍ତୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ସେପ୍ଟେମ୍ବର ୨୦୨୪ ରେ ହିଁ ତାଙ୍କର ରାଜନୈତିକ ଉତ୍ତରାଧିକାର ତାଙ୍କୁ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ, ଆତିଶୀ ତାଙ୍କର ରାଜନୈତିକ ପରିଚୟ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ, କିନ୍ତୁ ୫ ମାସ ମଧ୍ୟରେ ତାଙ୍କର ଭୂମିକା ବଦଳିଗଲା। ଆମ ଆଦମୀ ପାର୍ଟି ଏବେ ରେଖାଙ୍କୁ ବିରୋଧୀ ଦଳ ନେତା କରି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ଧାନସଭାରେ ଆମ ଆଦମୀ ପାର୍ଟି ତୁଳନାରେ ବିଜେପିର ସଂଖ୍ୟା ଦୁଇଗୁଣରୁ ଅଧିକ। ଏପରି ପରିସ୍ଥିତିରେ, ଅଭିଜ୍ଞତା ଦୃଷ୍ଟିରୁ ଉଭୟ ଦଳ ପାଖରେ ଏପରି ଅନେକ ସଦସ୍ୟ ଅଛନ୍ତି। ରେଖା ଗୁପ୍ତାଙ୍କ ଉପରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଶ୍ଚିତ ଭାବରେ ଚାପ ରହିବ, କିନ୍ତୁ ଆଦମୀ ପାର୍ଟିର ପୂର୍ବ ସରକାର ସମୟରେ ଦୁର୍ନୀତି ଅଭିଯୋଗର ଉତ୍ତର ଦେବାର ଦାୟିତ୍ୱ ମଧ୍ୟ ଆତିଶୀଙ୍କ ଉପରେ ରହିବ।

ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଦେବାକୁ ନେଇ ଚାଲିଛି ହଙ୍ଗାମା :
ଦିଲ୍ଲୀର ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଉପରେ ଆତିଶୀ ରେଖା ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଆତିଶୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ଲେଖି ମହିଳାଙ୍କୁ ପ୍ରତିମାସ ୨୫୦୦ ଟଙ୍କା ଦେବା ଯୋଜନା ଉପରେ ଆଲୋଚନା କରିବା ପାଇଁ ସରକାରଙ୍କଠାରୁ ସମୟ ମାଗିଛନ୍ତି। ଆତିଶୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩୧, ୨୦୨୫ରେ ଦ୍ୱାରକାରେ ଆୟୋଜିତ ଏକ ରାଲିରେ ଦିଲ୍ଲୀର ମା’ ଏବଂ ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେପି ସରକାର ଗଠନ ହେବା ପରେ, ପ୍ରଥମ କ୍ୟାବିନେଟ ବୈଠକରେ ସେମାନଙ୍କ ପାଇଁ ମାସିକ ୨୫୦୦ ଟଙ୍କାର ଏକ ଯୋଜନା ପାସ୍ କରାଯିବ। ସେ କହିଥିଲେ – ଏହା ମୋଦିଙ୍କ ଗ୍ୟାରେଣ୍ଟି।
ଆତିଶୀ ଯେଉଁଭଳି ଭାବରେ ମହିଳାଙ୍କୁ ୨୫୦୦ ଟଙ୍କା ଦେବା ପ୍ରସଙ୍ଗ ଉଠାଇଛନ୍ତି, ସେଥିରୁ ସ୍ପଷ୍ଟ ଯେ ଆମ ଆଦମୀ ପାର୍ଟି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ଜୋରଦାର ଉଠାଇପାରିବ। ଏପରି ପରିସ୍ଥିତିରେ, ତିନି ଦିନିଆ ବିଧାନସଭା ଅଧିବେଶନରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଟକ୍କର ଦେଖିବାକୁ ମିଳିପାରେ। ଉଭୟ ଦଳ ନିଜ ନିଜ ରଣନୀତି ସହିତ ଗୃହରେ ପ୍ରବେଶ କରିବେ ଏବଂ ପରସ୍ପରକୁ କୋଣଠେସା କରିବାକୁ ଯଥାସମ୍ଭବ ଚେଷ୍ଟା ମଧ୍ୟ କରିବେ ।

 

 

USAID ପାଣ୍ଠିକୁ ବିବାଦ, ଚିନ୍ତା ପ୍ରକଟ କଲେ ବୈଦେଶିକ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: USAID ପାଣ୍ଠିକୁ ନେଇ ଆମେରିକାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିବାଦ । ଏହି ବିବାଦ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାଣ୍ଠି ସମ୍ପର୍କରେ ଅନେକ ଖୁଲାସା ହୋଇଛି । ରିପୋର୍ଟରେ ପାଣ୍ଠି ସହିତ ଜଡିତ ସମସ୍ତ ବିବରଣୀ ଦିଆଯାଇଛି, ଯେପରିକି USAID କେତେ ପାଣ୍ଠି ଯୋଗାଇଥିଲା ଏବଂ ସେହି ପାଣ୍ଠି କେଉଁଠି ବ୍ୟବହାର କରାଯାଇଥିଲା ଏବଂ କେମିତି ବ୍ୟବହାର ହୋଇଥିଲା ? ଅର୍ଥ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି ଯେ USAID ୨୦୨୩-୩୪ ଆର୍ଥିକ ବର୍ଷରେ ଭାରତରେ ୭ଟି ପ୍ରକଳ୍ପ ପାଇଁ୭୫୦ ନିୟୁତ ଡଲାର ବା ପ୍ରାୟ ୬୫ ବିଲିୟନ ପାଣ୍ଠି ଯୋଗାଇଛି କିନ୍ତୁ ଭୋଟ ପ୍ରତିଶତ ବୃଦ୍ଧି ପାଇଁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ ।

ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, USAID ପାଣ୍ଠି କୃଷି ଏବଂ ଖାଦ୍ୟ ସୁରକ୍ଷା, ଜଳ, ପରିମଳ ଏବଂ ସ୍ୱଚ୍ଛତା, ନବୀକରଣୀୟ ଶକ୍ତି, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସହିତ ଜଡିତ ପ୍ରକଳ୍ପ ପାଇଁ ଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ USAID ଜଙ୍ଗଲ ଏବଂ ଜଳବାୟୁ ସ୍ଥିରତା କାର୍ଯ୍ୟକ୍ରମ ଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ବାଣିଜ୍ୟକରଣୀ ଏବଂ ନବସୃଜନ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ରିପୋର୍ଟରେ କୁହାଯାଇଛି ଯେ ଭାରତ ୧୯୫୧ ମସିହାରେ ଆମେରିକାରୁ ସାହାଯ୍ୟ ପାଇବା ଆରମ୍ଭ କରିଥିଲା । ଏପର୍ଯ୍ୟନ୍ତ, ଭାରତ ୫୫୫ଟି ପ୍ରକଳ୍ପ ପାଇଁ USAID ଠାରୁ ୧୭୦୦ କୋଟି ଟଙ୍କାର ଆର୍ଥିକ ସହାୟତା ପାଇସାରିଛି ।

DOGEର ପ୍ରକାଶ ପରେ ବିବାଦ

ପ୍ରକୃତରେ ଚଳିତ ମାସର ପ୍ରାରମ୍ଭରେ ଆମେରିକାର ସରକାରୀ ଦକ୍ଷତା ବିଭାଗ (DOGE) ପ୍ରକାଶ କରିଥିଲା ​​ଯେ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା (USAID) ୨୧ ନିୟୁତ ଡଲାରର ଅନୁଦାନ ଦେଇଛି । ଏଲନ ମସ୍କଙ୍କ ବିଭାଗ DOGE ଦ୍ୱାରା ଏହା ପ୍ରକାଶିତ ହେବା ପରେ ଭାରତ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଥିଲା ।

ଏହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଗୋଟିଏ ପରେ ଗୋଟିଏ ବୟାନ ଦେବା ଆରମ୍ଭ କରିଥିଲେ ଯାହା ଚର୍ଚ୍ଚାକୁ ଆହୁରି ଆଗକୁ ବଢାଇଥିଲା । ସେ କହିଥିଲେ ଯେ ଆମେ ଭୋଟ ପ୍ରତିଶତ ବୃଦ୍ଧି କରିବା ପାଇଁ ଭାରତକୁ ୨୧ ନିୟୁତ ଡଲାର ସହାୟତା ଦେଉଛୁ କିନ୍ତୁ ଆମର ଲାଭ କ’ଣ ? ଆମକୁ ମଧ୍ୟ ଭୋଟ ପ୍ରତିଶତ ବୃଦ୍ଧି କରିବାକୁ ପଡିବ। ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତକୁ କୌଣସି ପାଣ୍ଠିର ଆବଶ୍ୟକତା ନାହିଁ ତାଙ୍କ ପାଖରେ ବହୁତ ଟଙ୍କା ଅଛି । ତେବେ ନିର୍ବାଚନରେ ​​ସାହାଯ୍ୟ କରିବା ପାଇଁ ଆମେ କାହିଁକି ଭାରତକୁ ୨୧ ନିୟୁତ ଡଲାର ଦେବୁ ?

ଜୟଶଙ୍କର ଚିନ୍ତା ପ୍ରକାଶ କଲେ

ଏହି ମାମଲା ପ୍ରକାଶିତ ହେବା ପରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର USAID ପାଣ୍ଠି ବିବାଦ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆମେରିକା ଦେଇଥିବା ସୂଚନା ଚିନ୍ତାଜନକ । ସରକାର ଏହାର ତଦନ୍ତ କରୁଛନ୍ତି । ଯଦି ଏପରି କିଛି ଅଛି ଦେଶ ଜାଣିବା ଉଚିତ ଯେ କିଏ ଏହି କାର୍ଯ୍ୟକଳାପରେ ଜଡିତ । ଗୁରୁବାର ଦିନ ମିଆମିରେ ଏକ କାର୍ଯ୍ୟକ୍ରମ ସମୟରେ, ଟ୍ରମ୍ପ ଭାରତରେ ଭୋଟ ପ୍ରତିଶତ ବୃଦ୍ଧି ପାଇଁ USAIDର ୨୧ନିୟୁତ ଡଲାର ପାଣ୍ଠି ଉପରେ ପ୍ରଶ୍ନ ଉଠାଇଥିଲେ ।

ଟ୍ରମ୍ପଙ୍କ ଧମକ,ବଜାର ଖୋଲୁଖୋଲୁ ୩.୪୦ ଲକ୍ଷ କୋଟି ଟଙ୍କା ସ୍ୱାହା

ନନ୍ଦିଘୋଷ ବ୍ୟୁରୋ: ଷ୍ଟକ ବଜାରରେ ଚାଲିଥିବା ଅସ୍ଥିରତା ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗତ ସପ୍ତାହରେ ଏକ ବଡ଼ ହ୍ରାସ ଦେଖିବା ପରେ ସୋମବାର ଭାରତୀୟ ଷ୍ଟକ୍ ବଜାର ପୁଣି ଲାଲ ରଙ୍ଗରେ ଖୋଲିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନସେକ୍ସ ଖୋଲିବା ସହ ୫୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ଯେତେବେଳେ କି ନିଫ୍ଟି ୧୫୯ ପଏଣ୍ଟ ହ୍ରାସ ସହିତ ଖୋଲିଥିଲା । ଏହି ସମୟରେ, ପ୍ରାରମ୍ଭିକ କାରବାରରେ ୩୦ଟି ଲାର୍ଜ-କ୍ୟାପ୍ ଷ୍ଟକ୍ ମଧ୍ୟରୁ ୨୯ଟିରେ କାରବାର ହ୍ରାସ ସହିତ ଆରମ୍ଭ ହୋଇଥିଲା । ଜୋମାଟୋ ସେୟାରରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଇଥିଲା । ପୁଣିଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ଧମକର ପ୍ରଭାବ ସେୟାର ବଜାର ଉପରେ ଦେଖିବାକୁ ମିଳିଛି ।

ସୋମବାର ଦିନ ବିଏସଇ ସେନସେକ୍ସ ୭୪ ହଜାର ୮୯୩.୪୫ରେ ଖୋଲିଥିଲା, ଯାହା ଏହାର ପୂର୍ବ ବନ୍ଦ ୭୫,୩୧୧.୦୬ରୁ କମ ଥିଲା । ବଜାର ଖୋଲିବା ପରେ ସୂଚକାଙ୍କ ତୀବ୍ର ଗତିରେ ତଳକୁ ଖସିଥିଲା । ସେନସେକ୍ସ ୭୪ ହଜାର ୭୩୦ ସ୍ତରକୁ ଖସି ଆସିଥିଲା । ଅନ୍ୟପକ୍ଷରେ, ନିଫ୍ଟି ୨୨ ୬୦୯ରୁ, ଯାହା ଏହାର ପୂର୍ବ ବନ୍ଦ୨୨,୭୯୫.୯୦ଠାରୁ କମ ଥିଲା ଏବଂ କିଛି ମିନିଟ୍ ମଧ୍ୟରେ, ସେନସେକ୍ସ ସହିତ ପାଦ ଦେଇ, ଏହା ୨୦୦ ପଏଣ୍ଟ ହ୍ରାସ ପାଇ ୨୨,୬୦୭ରେ ପହଞ୍ଚିଥିଲା । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ସୂଚକାଙ୍କ ୨୨,୫୬୯ରେ ଥିଲା ।

୫ ମିନିଟରେ ୩.୪୦ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି
ଷ୍ଟକ୍ ବଜାରରେ ହ୍ରାସ ଏତେ ତୀବ୍ର ଥିଲା ଯେ ମାତ୍ର ୫ ମିନିଟରେ, BSEରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ମୂଲ୍ୟ ପ୍ରାୟ ୩.୪୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିଲା । ବିଏସଇର ସମସ୍ତ କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟ ଲାଲ ରଙ୍ଗରେ କାରବାର ହେଉଛି । ସକାଳ ୯.୨୦ ମିନିଟରେ BSE-ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜି ୩୯୮.୮୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା । ଏହିଭଳି ଭାବେ ସୋମବାର ବଜାର ଖୋଲିବାର କିଛି ମିନିଟ୍ ମଧ୍ୟରେ BSEରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ୩.୪୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି ।

ନିବେଶକମାନଙ୍କର ନଜର ଏଗୁଡ଼ିକ ଉପରେ ରହିଛି
ଟ୍ରମ୍ପଙ୍କ ଶୁଳ୍କ ଏବଂ ବିଶ୍ୱ ବଜାର ପରିସ୍ଥିତି ବ୍ୟତୀତ, ନିବେଶକମାନେ ବର୍ତ୍ତମାନ କିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ତଥ୍ୟ ଉପରେ ନଜର ରଖିଛନ୍ତି, ଯାହା ବଜାରର ଅବସ୍ଥା ଏବଂ ଦିଗ ନିର୍ଣ୍ଣୟ କରିପାରିବ। ଦୁଇ ଦିନ ପରେ, ଅର୍ଥାତ୍ ଫେବୃଆରୀ ୨୬ ତାରିଖରେ, ଆମେରିକାର ଘର ବିକ୍ରୟ ତଥ୍ୟ ପ୍ରକାଶ ପାଇବ, ଯେତେବେଳେ ଆମେରିକାର GDP ଅଭିବୃଦ୍ଧିର ଦ୍ୱିତୀୟ ଆକଳନ ଫେବୃଆରୀ ୨୭ ତାରିଖରେ ଆସିବ। ଏହା ପରେ, ଫେବୃଆରୀ୨୮ ତାରିଖରେ, ଭାରତ ସରକାର ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (୨୦୨୪-୨୫) ପାଇଁ GDP ତଥ୍ୟ ଏବଂ ଆଗାମୀ ଆର୍ଥିକ ବର୍ଷର GDPର ଦ୍ୱିତୀୟ ଆଗୁଆ ଆକଳନ ପ୍ରକାଶ କରିବେ। ନିବେଶକମାନେ ଏହି ସଂଖ୍ୟାଗୁଡ଼ିକ ଉପରେ ନଜର ରଖିବେ।

ଜର୍ମାନୀର ପରବର୍ତ୍ତୀ ଚାନ୍ସେଲର ଫ୍ରେଡରିକ୍ ମର୍ଜ କିଏ, ଜାଣନ୍ତୁ ..

ନନ୍ଦିଘୋଷ ବ୍ୟୁରୋ: ଫ୍ରେଡରିକ୍ ମର୍ଜ ହେବେ ଜର୍ମାନୀର ପରବର୍ତ୍ତୀ ଚାନ୍ସେଲର। ଜର୍ମାନୀ ସାଧାରଣ ନିର୍ବାଚନରେ ଫ୍ରେଡରିକ ମର୍ଜଙ୍କ ବିଜୟ ହୋଇଛି । ବିରୋଧୀ ଦଳ ନେତା ଥିଲେ ଫ୍ରେଡରିକ୍ ମର୍ଜ। ଖୁବଶୀଘ୍ର ଗଢିବେ ଦେଶରେ ନୂଆ ସରକାର। ସେପଟେ ପରାଜୟକୁ ସ୍ଵୀକାର କରିଛନ୍ତି ବର୍ତ୍ତମାନର ଚାନ୍ସେଲର ଓଲାଫ ସ୍କୋଲାଜ। ସାଧାରଣ ନିର୍ବାଚନରେ ଚାନ୍ସେଲର ଓଲାଫ ସ୍କୋଲାଜଙ୍କୁ ନେଇ ଥିବା ଅସନ୍ତୋଷ ପ୍ରତିଫଳିତ ହୋଇଛି । ଫଳରେ ଫ୍ରେଡରିକ ପରବର୍ତ୍ତୀ ଚାନ୍ସେଲର ହେବା ନେଇ ବାଟ ସଫା ହୋଇ ଯାଇଥିଲା । ଚାନ୍ସେଲର ଓଲାଫ ସ୍କୋଲ୍ଜ ନିଜ ଦଳର ପରାଜୟ ସ୍ଵୀକାର କରିବା ସହ ମର୍ଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦଳର ନିର୍ବାଚନ ପରିଣାମ ଅତି ଖରାପ ହୋଇଛି । ଏଥିଲାଗି ସମସ୍ତ ଦୋଷ ନିଜେ ମୁଣ୍ଡାଇଛନ୍ତି ଓଲାଫ । ଚାନ୍ସେଲର ଭାବେ ନିର୍ବାଚିତ ହେବା ପରେ ଫ୍ରେଡରିକଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧୀ କୁହାଯାଉଛି । ଚାନ୍ସେଲର ଭାବେ ନିର୍ବାଚିତ ହେବା ପରେ ଫ୍ରେଡରିକ ମର୍ଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋସିଆଲ ମିଡିଆ ଏକ୍ସରେ ମେସେଜ ପୋଷ୍ଟ କରି ଟ୍ରମ୍ପ କରିଛନ୍ତି ଜର୍ମାନୀ ପାଇଁ ଏହା ଏକ ମହାନ ଦିନ।

ଜର୍ମାନୀରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ​​ଖ୍ରୀଷ୍ଟିଆନ ଡେମୋକ୍ରାଟିକ୍ ୟୁନିଅନ୍ (CDU) ନେତା ଫ୍ରେଡରିକ୍ ମର୍ଜ ଏକ ବଡ଼ ବିଜୟ ହାସଲ କରିଛନ୍ତି । ତାଙ୍କ ଦଳର ମେଣ୍ଟ CDU/CSU ୨୮.୫% ଭୋଟ ପାଇଛି, ଯାହା ବର୍ତ୍ତମାନର ଚାନ୍ସେଲର ଓଲାଫ୍ ସ୍କଲଜ୍‌ଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି (SPD)କୁ ପଛରେ ପକାଇଛି ।  

ଫ୍ରେଡରିକ ମର୍ଜ କିଏ?
ଫ୍ରେଡରିକ ମର୍ଜଙ୍କ ଜନ୍ମ ୧୧ ନଭେମ୍ବର ୧୯୫୫ରେ ଜର୍ମାନୀର ବ୍ରିଲନ୍ ସହରରେ ହୋଇଥିଲା । ତାଙ୍କ ପରିବାର ଆଇନ ସହିତ ଜଡିତ । ସେ ୧୯୭୬ ମସିହାରେ ଆଇନ ପାଠ ପଢ଼ିବା ଆରମ୍ଭ କରିଥିଲେ ଏବଂ ୧୯୭୨ ମସିହାରେ CDU ଦଳରେ ଯୋଗ ଦେଇଥିଲେ । ୧୯୮୧ ମସିହାରେ ସେ ଜଣେ ବିଚାରପତି ଚାର୍ଲୋଟ ମର୍ଜଙ୍କୁ ବିବାହ କରିଥିଲେ। ଫ୍ରେଡରିକ ମର୍ଜଙ୍କର ମୋଟ ତିନୋଟି ସନ୍ତାନ ଅଛନ୍ତି ।
ଫ୍ରେଡରିକ ମର୍ଜଙ୍କ ରାଜନୈତିକ ଯାତ୍ରା

  • ୧୯୮୯: ୟୁରୋପୀୟ ସଂସଦକୁ ନିର୍ବାଚିତ
  • ୧୯୯୪: ଜର୍ମାନ ସଂସଦ, ବୁଣ୍ଡେଷ୍ଟାଗକୁ ନିର୍ବାଚନରେ ​​ବିଜୟୀ 
  • ୨୦୦୦: CDU ଦଳର ସଂସଦୀୟ ନେତା ହୋଇଥିଲେ, କିନ୍ତୁ ୨୦୦୨ ମସିହାରେ ତାଙ୍କୁ ଏହି ପଦବୀ ଆଞ୍ଜେଲା ମର୍କେଲଙ୍କୁ ହସ୍ତାନ୍ତର କରିବାକୁ ପଡିଲା।
  • ୨୦୦୫: CDU ଏବଂ SPD ମିଳିତ ସରକାର ଗଠନ କରିବା ପରେ ସେ ରାଜନୀତିରେ ଏକପାଖିଆ ହୋଇଗଲେ।  
  • ୨୦୦୯: ସକ୍ରିୟ ରାଜନୀତି ଛାଡି ଆଇନ ଏବଂ ଅର୍ଥ କ୍ଷେତ୍ରରେ କ୍ୟାରିଅର ଗଢ଼ିଲେ।  

ଫ୍ରେଡରିକ ମର୍ଜ ରାଜନୀତିକୁ ଫେରିଲେ

  • ୨୦୧୮: ଆଞ୍ଜେଲା ମର୍କେଲଙ୍କ ଅବସର ଘୋଷଣା ପରେ ରାଜନୀତିକୁ ଫେରିଲେ, କିନ୍ତୁ CDU ଅଧ୍ୟକ୍ଷ ପାଇଁ ନିର୍ବାଚନରେ ​​ହାରିଗଲେ
  • ୨୦୨୦: ପୁଣି ଚେଷ୍ଟା କଲେ କିନ୍ତୁ ଦଳ ଆର୍ମିନ୍ ଲାଚେଟ୍‌ଙ୍କୁ ବାଛିଲା  
  • ୨୦୨୧: ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ ଏବଂ ସଂସଦକୁ ଫେରିଲେ, କିନ୍ତୁ ଦଳ ନିର୍ବାଚନରେ ​​ହାରିଗଲା  
  • ୨୦୨୨: ଫ୍ରେଡରିକ ମର୍ଜ CDUର ଜାତୀୟ ଅଧ୍ୟକ୍ଷ ହେଲେ 

ଫ୍ରେଡେରିକ୍ ମର୍ଜଙ୍କ ପ୍ରାଥମିକତା କ’ଣ ?

ଫ୍ରେଡରିଚ୍ ମର୍ଜଙ୍କ ଅବୈଧ ପ୍ରବାସୀମାନଙ୍କ ପ୍ରତି କଠୋର ମନୋଭାବ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ସେ ଜର୍ମାନୀର ଅର୍ଥନୀତିକୁ ସୁଦୃଢ଼ ​​କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏବେ ତାଙ୍କର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଏକ ମେଣ୍ଟ ସରକାର ଗଠନ କରିବା ଯାହା ଦ୍ଵାରା ସେ ଜର୍ମାନୀରେ କ୍ଷମତା ହାସଲ କରିପାରିବେ। ତାଙ୍କ ପ୍ରତ୍ୟାବର୍ତ୍ତନ ସହିତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଦେଶରେ ଏକ ଉଗ୍ର ଦକ୍ଷିଣପନ୍ଥୀ ଦଳ କ୍ଷମତାକୁ ଆସୁଛି ।

 

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବ, ରୋମରେ ଜରୁରୀ ଅବତରଣ

ନନ୍ଦିଘୋଷ ବ୍ୟୁରୋ: ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଆମେରିକାନ ଏୟରଲାଇନ୍ସ ବିମାନରେ ବୋମା ଗୁଜବ । ବିମାନକୁ ଇଟାଲୀର ରୋମକୁ କରାଗଲା ଡାଇଭର୍ଟ । ବିମାନର ସମ୍ପୂର୍ଣ୍ଣ ଯାଞ୍ଚ ପରେ ପୁଣି ନୂଆଦିଲ୍ଲୀ ଅଭିମୁଖେ ଭରିବ ଉଡାଣ । ବିମାନରେ ବୋମା ରଖାଯାଇଥିବା ନେଇ ଧମକ ପରେ ଆମେରିକାନ ଏୟାରଲାଇନ୍ସର ଏହି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ବିମାନ ଇଟାଲୀର ରୋମରେ ସୁରକ୍ଷିତ ଅବତରଣ କରିସାରିଛି । ବିମାନର ଏବେ ଯାଞ୍ଚ କରାଯାଉଛି । ଫ୍ଲାଇଟ ରାଡାର ୨୪ ଡଟକମ୍ ୱେବସାଇଟ ପକ୍ଷରୁ ବିମାନ ଡାଇଭର୍ଟ ନେଇ ଏହି ସୂଚନା ଦିଆଯାଇଛି ।

ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିଥିଲା । ଏହି ଧମକ ପରେ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ଦେଇଛି ଇଟାରୀଲ ଖବର ସରବରାହ ସଂସ୍ଥା ANSA । ବିମାନକୁ ସୁରକ୍ଷିତ ରୋମ ଏୟାରପୋର୍ଟରେ ଅବତରଣ କରାଯାଇଛି । ଆମେରିକାନ ଏୟାରଲାଇନ୍ସର ବିମାନ AA 292 ନ୍ୟୁୟର୍କର ଜେଏଫକେ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରୁ ଉଡାଣ ଭରିଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହା ଅବତରଣ କରିଥାନ୍ତା । ରୋମ ପହଞ୍ଚିବା ପରେ ବିମାନର ଯାଞ୍ଚ କରାଯାଉଛି ।

ବିମାନଟି ରୋମର ଲିଓନାର୍ଡୋ ଦାଭିନ୍ସି ଏୟାରପୋର୍ଟରେ ଅବତରଣ କରିଛି । ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ସାଢେ ୫ଟାରେ ଏହି ବିମାନ ଅବତରଣ କରିଥଲା । ଏହି ବିମାନର ଆମେରିକାର ସମୟ ଅନୁସାରେ ରାତି ୮ଟା ୧୪ ମିନିଟରେ ଉଡାଣ ଭରିଥିଲା । ଏହି ବିମାନ ଇଟାଲୀରେ ଅବତରଣ କରିବା ପୂର୍ବରୁ ଏହାକୁ ଇଟାଲୀର ବାୟୁସେନାର ଫାଇଟଲ ଜେଟ୍ ଘେରି ରହିଥିବା ଦେଖିବାକୁ ମିଳିଥିଲା । ବିମାନରେ ଯାତ୍ରା କରୁଥିବା ସମସ୍ତ ୧୯୯ ଯାତ୍ରୀ ଏବଂ ଚାଳକ ଦଳ ସଦସ୍ୟଙ୍କ ଯାଞ୍ଚ ପରେ ବିମାନ ପୁଣିଥରେ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିବ ।

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ

ବିହାର: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ପିଟିଲା ବାଲି ବୋଝେଇ ହାଇଓ୍ବା । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଅଟୋଟି ରାସ୍ତାରୁ ପ୍ରାୟ ୧୦ ଫୁଟ ତଳେ ପାଣି ଭର୍ତ୍ତି ଗାତରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣା ମସୌଡି-ପିତମାସ ରୋଡର ନୁରା କୱାର ନିକଟରେ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଟ୍ରକଟି ବହୁତ ଦ୍ରୁତ ଗତିରେ ଯାଉଥିଲା ଏବଂ ଡ୍ରାଇଭର ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି ଏବଂ ଡ୍ରାଇଭରକୁ ଖୋଜା ଚାଲିଛି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି । ଏହି ଦୁର୍ଘଟଣା ପରେ, ସ୍ଥାନୀୟ ଲୋକମାନେ ରାସ୍ତାରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଏବଂ ଯାନବାହାନର ଗତି ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରେ ଅଟୋ ଡ୍ରାଇଭର ଶତ୍ରୁଧନ ରାମ(୩୦), ଶିବନାଥ ବିନ୍ଦ(୪୦), ସନ୍ତୋଷୀ ବିନ୍ଦ(୪୦) , ଭୂଲେତନ ବିନ୍ଦ(୩୦) ,  ସୋମର ବିନ୍ଦ(୪୦) ଏବଂ  ମାଚରୁ ବିନ୍ଦ(୩୦) ଅଛନ୍ତି । ଏହା ବ୍ୟତୀତ ୨୦ ବର୍ଷୀୟ ଅର୍ଜୁନ ଠାକୁରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ, ସ୍ଥାନୀୟ ଲୋକମାନେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଦାବି କରିଛନ୍ତି । ଏହା ବ୍ୟତୀତ, ବିକ୍ଷୋଭକାରୀମାନେ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ପାକିସ୍ତାନର ପରାଜୟରେ ହସିଲେ ମଲ୍ଲିକ- ହାଫିଜ, ଅଖତର ମଧ୍ୟ କଲେ ଅପମାନ

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନସ୍ ଟ୍ରଫିରେ ଟିମ୍ ଇଣ୍ଡିଆର ବିରାଟ ବିଜୟ । ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଭାରତ । ଏହି ବିଜୟରେ ଭାରତରେ ଉତ୍ସବର ପରିବେଶ ଥିବା ବେଳେ ସମଗ୍ର ପାକିସ୍ତାନରେ ନିରାଶା ରହିଛି । କିନ୍ତୁ ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ହାଫିଜ୍, ସୋଏବ ମଲ୍ଲିକ ଏବଂ ସୋଏବ ଅଖତର ନିରାଶା ପ୍ରକାଶ କରିନାହାନ୍ତି । ପାକିସ୍ତାନର ପରାଜୟରେ ମଲ୍ଲିକ ଏବଂ ହାଫିଜ ହସିଥିବାର ଦେଖାଯାଇଥିଲା । ଅନ୍ୟପକ୍ଷରେ, ସୋଏବ ଅଖତର ପାକିସ୍ତାନର ପରାଜୟ ଉପରେ କହିଛନ୍ତି ଯେ ମୁଁ ଆଦୌ ନିରାଶ ନୁହେଁ ।

ପାକିସ୍ତାନର ପରାଜୟରେ ହସିଲେ ମଲ୍ଲିକ ଏବଂ ହାଫିଜ୍ 

ପାକିସ୍ତାନର ପରାଜୟ ପରେ, ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଏବଂ ମହମ୍ମଦ ହାଫିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଉଭୟ ଭାରତର ବିଜୟ ପରେ ସେମାନଙ୍କର ମତାମତ ପ୍ରକାଶ କରୁଛନ୍ତି । ଏହି ସମୟରେ, ମଲ୍ଲିକ ‘ଦିଲ କେ ଅରମାନ ଆସୁ ମେଁ ବେହ ଗୟେ’ ଗୀତ ଗାଇ ହସୁଥିବାର ଦେଖିବାକୁ ମିଳିଥିଲା । ପରେ ମହମ୍ମଦ ହାଫିଜ୍ ‘ରହିଗଲେ’ ବୋଲି କହି ଜୋରରେ ହସିବାକୁ ଲାଗିଲେ ।

https://www.instagram.com/imshoaibakhtar/reel/DGbDB_0TbRl/

ଅଖତର କହିଲେ- ମୁଁ ଆଦୌ ନିରାଶ ନୁହେଁ

ସୋଏବ ଅଖତର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଆପଣ ମାନେ କହୁଥିବେ କି ମୁଁ ନିରାଶ, କିନ୍ତୁ ମୁଁ ଆଦୌ ନିରାଶ ନୁହେଁ।’ କାରଣ ମୁଁ ଜାଣିଥିଲି ଯେ ଆଗକୁ କ’ଣ ହେବାକୁ ଯାଉଛି । ପରେ ସେ ପାକିସ୍ତାନର ମ୍ୟାନେଜମେଣ୍ଟକୁ କଡା ସମାଲୋଚନା କରି କହିଥିଲେ ଯେ, ଯେମିତି ମ୍ୟାନେଜମେଣ୍ଟ ସେମିତି ଖେଳାଳୀ । ନା ମ୍ୟାନେଜମେଣ୍ଟଙ୍କୁ କିଛି ଜଣା ନା ଖେଳାଳୀଙ୍କୁ । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ଦକ୍ଷତା ତାଙ୍କ ପାଖରେ ନାହିଁ । ଖେଳିବାକୁ ଯାଇଥିଲେ କିନ୍ତୁ କ’ଣ କରିବେ କାହାକୁ ଜଣାନଥିଲା ।

https://www.instagram.com/imshoaibakhtar/reel/DGbDjYwTuUY/

ସଚିନ ତେନ୍ଦୁଲକର କହିଲେ- ପରଫେକ୍ଟ ଏଣ୍ଡିଙ୍ଗ

ଟିମ୍ ଇଣ୍ଡିଆର ବିଜୟରେ ଖୁସି ପ୍ରକାଶ କରିଛନ୍ତି ‘କ୍ରିକେଟର ଭଗବାନ’ ସଚିନ ତେନ୍ଦୁଲକର। ସେ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଲେଖିଛନ୍ତି, ‘ସବୁଠାରୁ ପ୍ରତୀକ୍ଷିତ ମ୍ୟାଚର ପରଫେକ୍ଟ ଏଣ୍ଡିଙ୍ଗ’  ଏକ ପ୍ରକୃତ ନକଆଉଟ୍ । ଏହାବ୍ୟତୀତ ସେ ବିରାଟ କୋହଲି, ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିବାବେଳେ  କୁଲଦୀପ ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ପାଇଁ ପ୍ରଶଂସା କରିଛନ୍ତି ।

ଫର୍ମକୁ ଫେରିଲେ କିଙ୍ଗ କୋହଲି

ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ପାକିସ୍ତାନ ବିପକ୍ଷରେ ଶତକ ମାରି ସମସ୍ତଙ୍କୁ ସେ ଚେତାବନୀ ଦେଇଛନ୍ତି। ଏହା ହେଉଛି ତାଙ୍କର ୫୧ତମ ଶତକ। ଏହା ସହିତ ସେ ସର୍ବାଧିକ ଦିନିକିଆ ସେଞ୍ଚୁରି କରିବାର ରେକର୍ଡ କରିଛନ୍ତି। ଆଜିର ଇନିଂସ ସହିତ ୧୪ ହଜାର ରନ୍ କ୍ଲବରେ ସାମିଲ ହୋଇଛନ୍ତି କୋହଲି। ତେନ୍ଦୁଲକରଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ଭାବେ ସର୍ବାଧିକ ୱାନ ଡେ ରନ୍ କରିଛନ୍ତି ।