spot_img
Home Blog Page 1025

ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲକୁ ନେଇ ତେଜିଲା ପ୍ରତିବାଦ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ସଂକୀର୍ଣ୍ଣ ମନୋଭାବ ଆଗରେ ବଳି ପଡ଼ିଲା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସରକାରର ଭୟକୁ ସ୍ପଷ୍ଟ ଭାବେ ବାରିଛନ୍ତି ବିରୋଧୀ । ହେଲେ ରାଜନୀତି କରୁ କରୁ ପଦାରେ ପଡ଼ିଗଲା ସରକାରଙ୍କ ତ୍ରୁଟି । ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ସରକାରୀ ଛୁଟି ଭାବେ ପୂର୍ବରୁ ଘୋଷଣା କରି ସରକାରୀ କ୍ୟାଲେଣ୍ଡର ଓ ଡାଏରୀ ପ୍ରିଣ୍ଟ କରାଯାଇଛି । ହେଲେ ଦିନକ ପୂର୍ବରୁ କେମିତି ଛୁଟି ବାତିଲ ହେଲା, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି । ସରକାରୀ କର୍ମଚାରୀ ବି ଏଭଳି ନିଷ୍ପତ୍ତିକୁ ରାଜନୈତିକ ଆକ୍ରୋଶ ଭାବେ ବିବେଚନା କରି ସରକାରଙ୍କୁ ନିନ୍ଦା କରିଛନ୍ତି ।  ଅନ୍ୟପଟେ ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ ।

କେବଳ ଏକ ନାଁରେ ସୀମିତ ନଥିଲେ ବିଜୁ ପଟ୍ଟନାୟକ । ପ୍ରତି ପୀଢି ପାଇଁ ଥିଲେ ରୋଲ ମଡେଲ । କୌଣସି ଦଳରେ ସୀମିତ ନାହିଁ ବିଜୁ ବାବୁଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବ । କାରଣ ସେ ଓଡ଼ିଆ ଅସ୍ମିତାର ପ୍ରତୀକ । ହେଲେ ବିଜେପି ସରକାରଙ୍କୁ ଘାରିଛି ବିଜୁ ପଟ୍ଟନାୟକ ଭୟ । ଯେଉଁଥି ପାଇଁ ରାଜ୍ୟ ସରକାର ହୀନ ମନ୍ୟତାର ପରିଚୟ ଦେଇ ବିଜୁ ଜୟନ୍ତୀରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବନ୍ଦ କରିବା ସହ ଛୁଟି ବାତିଲ କଲେ । ଦେଶର ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ବିଜେପିରେ କୌଣସି ସ୍ବାଧୀନତା ସଂଗ୍ରାମୀ ନେତା ନଥିବାରୁ ସରକାର ଏବେ ପରିଚୟ ସଙ୍କଟ ଦେଇ ଗତି କରୁଛି ବୋଲି କଟାକ୍ଷ କରିଛି ବିଜେଡି ।

ଓଡ଼ିଆ ବିକାଶର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବାରୁ ସାଧାରଣ ଲୋକଙ୍କ ଭିତରେ ତେଜିବାରେ ଲାଗିଛି ଅସନ୍ତୋଷ । ନୂଆ ସରକାର ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସରକାରୀ ଛୁଟି ଚୂଡ଼ାନ୍ତ ହେବା ପରେ ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ଏହାକୁ ସ୍ଥାନ ଦିଆଗଲା । ଲାଲ ରଙ୍ଗରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ସରକାରୀ ଛୁଟି ଦିବସ ଭାବେ ଉଲ୍ଲେଖ କରାଯାଇଛି । ହେଲେ ହଠାତ କ’ଣ ହେଲା ଯେ, ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଏହାକୁ ରଦ୍ଦ କରାଗଲା । ଯାହାକୁ ନେଇ ପ୍ରଶ୍ନ କରିଛି ବିଜେଡି ।

ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନର ବହୁ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତକୁ କ୍ଷମତା ପ୍ରଦାନ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ୨୦୧୦ରେ ତତ୍କାଳୀନ କେନ୍ଦ୍ର ସରକାର ଜାତୀୟ ପଞ୍ଚାୟତିରାଜ ଦିବସ ଆରମ୍ଭ କରିଥିଲେ । ହେଲେ ଓଡ଼ିଶାରେ ଏହାର ଦୁଇ ଦଶନ୍ଧି ପୂର୍ବରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କଂଗ୍ରେସ ସରକାର ବି ଏହାକୁ ପାଳିଥିଲା । ଏପରିକି ବିଜେଡି ସହ ମେଣ୍ଟରେ ଥିବା ବିଜେପି ବି ଏଥିରେ ଆପତ୍ତି ଉଠାଇ ନଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହାକୁ ପରିବର୍ତ୍ତନ କରି ଓଡ଼ିଶାବାସୀଙ୍କୁ ଅପମାନିତ କରିଛି । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତ୍ତି ପରିବର୍ତ୍ତନ ନ କରିବେ, ସେ ପର୍ଯ୍ୟନ୍ତ ଚୁପ ବସିବ ନାହିଁ ବୋଲି କହିଛି ବିଜୁ ଜନତା ଦଳ । ଏପରିକି ଏହାର ପ୍ରତିବାଦରେ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରିଛି ବିଜେଡି ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମ୍ମାନ ଜଣାଇଛି କଂଗ୍ରେସ । ବିଜୁ ବାବୁଙ୍କ ସମ୍ମାନରେ ମାର୍ଚ୍ଚ ୫କୁ ଛୁଟି ଦେବାର ଥିଲା । କିନ୍ତୁ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା । ଯାହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି କହି ବିଜେପିକୁ ନିନ୍ଦା କରିଛି କଂଗ୍ରେସ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଜରୁରୀକାଳୀନ ପରିସ୍ଥିତିରେ ଛୁଟି ବାତିଲ କି ବୃଦ୍ଧି ହୋଇପାରେ । ଏପରିକି ଇଦ କି ଜଗନ୍ନାଥ ପାଞ୍ଜିର ରାଶି ନକ୍ଷତ୍ର ଦେଖି ଛୁଟି ପରିବର୍ତ୍ତନ ହୋଇପାରେ । ହେଲେ ରାଜନୈତିକ ଦୃଷ୍ଟି କୋଣରୁ ମାର୍ଚ୍ଚ ୫ର ଛୁଟିକୁ ବାତିଲ କରାଯାଇଛି ବୋଲି କହିଛନ୍ତି ସହଦେବ । ସେହିପରି ସରକାରୀ କର୍ମଚାରୀ ସଂଘ ବି ଛୁଟି ବାତିଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳିବ ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ଏହାକୁ ଜନସେବା ଓ ବିଜୁ ଆଦର୍ଶର ସ୍ମୃତିଚାରଣ ଭାବେ ପାଳନ କରିବ ବିଜେଡି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରଖିଛି ବିଜୁ ଜନତା ଦଳ ।

ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ନବୀନଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ବର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ପାଳନ ହେବ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପବିତ୍ର ଜନ୍ମ ଜୟନ୍ତୀ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ଜୟଦେବ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଚମ୍ପିୟନ୍ସ ଟ୍ରଫି ସେମିଫାଇନାଲ: ୨୬୪ ରନରେ ଅଷ୍ଟ୍ରେଲିଆ ଅଲ୍ ଆଉଟ୍, ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଚମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଟିମ ୪୯.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଭାରତ ତରଫରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

ଅଷ୍ଟ୍ରେଲିଆ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ସାମିଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆର ଦୁଇ ଓପ୍ନର ଫିକା ପଡ଼ି ଯାଇଥିଲେ । କୁପର କଲୋନୀ ଖାତା ଖୋଲିବା ପୂର୍ବରୁ ସାମିଙ୍କ ଶିକାର ହୋଇଥିଲେ । ସେପଟେ ଅନ୍ୟତମ ଓପ୍ନର ଟ୍ରାଭିସ୍ ହେଡ ୩୯ ରନ୍ କରି ବରୁଣ ଚକ୍ରବର୍ତ୍ତିଙ୍କ ଶିକାର ବନିଥିଲେ । ଏହାପରେ ଷ୍ଟିଭେନ ସ୍ମିଥ ଏବଂ ମରନୁସ୍ ଲାବୁଶାନ ଅଷ୍ଟ୍ରେଲିଆ ପାରି ସମ୍ଭାଳି ଥିଲେ । ଲାବୁଶାନ ୨୯ ରନ୍ କରି ଜାଡେଜାଙ୍କ ଶିକାର ହୋଇଥିବା ବେଳେ ଅଧିନାୟକ ସ୍ମିଥ ୭୩ ରନ୍ କରିଥିବା ବେଳେ ସାମି ତାଙ୍କୁ କ୍ଲିନ ବୋଲ୍ଡ କରି ଦେଇଥିଲେ । ସେପଟେ ଆଲେକ୍ସ କେରୀ ଭଲ ଇଂନିସ ଖେଳୁଥିଲେ ବି ୬୧ ରନରେ ରନ୍ ଆଉଟ୍ ହୋଇଯାଇଥିଲେ । ଗ୍ଲେନ ମାକ୍ସଓ୍ବେଲ ୭ ରନ କରି ଅକ୍ଷର ପଟେଲଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ । ବେନ ଦ୍ବାରଶୁଇସ୍ ୧୯ ରନ କରି ବରୁଣଙ୍କ ଦ୍ବାରା ଆଉଟ୍ ହୋଇଥିବା ବେଳେ ଜାମ୍ପାଙ୍କୁ ୭ ରନରେ କ୍ଲିନ ବୋଲ୍ଡ କରି ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଶେଷ ବ୍ୟାଟର ଭାବେ ନାଥନ ଏଲିସଙ୍କୁ ବିରାଟଙ୍କ ହାତରେ କ୍ୟାଚ୍ କରାଇଥିଲେ ସାମି ।

ସର୍ବିଆର ସଂସଦରେ ବିଶୃଙ୍ଖଳା ! ଗୃହରେ ବିରୋଧୀ ଫିଙ୍ଗିଲେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍

ନନ୍ଦିଘୋଷ ବ୍ୟୁରୋ : ୟୁରୋପୀୟ ଦେଶ ସର୍ବିଆ ସଂସଦରେ ଭୟଙ୍କର ହଟ୍ଟଗୋଳ ।ସଂସଦରେ ବିରୋଧୀ ମାନେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ୍ ଲବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଛନ୍ତି । ଯାହା ଫଳରେ ସଂସଦ ଅଧିବେଶନରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏପରିକି ସଂସଦରେ ସାଂସଦ ମାନେ ହାତାହାତି ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ମଙ୍ଗଳବାର ସରକାରୀ ନୀତିକୁ ପ୍ରତିବାଦ କରି ସର୍ବିଆର ବିରୋଧୀ ଦଳ ସାଂସଦ ମାନେ ସଂସଦ ଭିତରେ ଏପରି କାଣ୍ଡ ଭିଆଇଛନ୍ତି । ଯାହା ସଂସଦୀୟ ଅଧିବେଶନ ସିଧା ପ୍ରସାରଣ ବେଳେ ଟେଲିଭିଜନରେ ଦେଖାଯାଇଥିଲା । ଏହା ପରେ ସମଗ୍ର ଗୃହରେ କଳା ଏବଂ ଗୋଲାପି ଧୂଆଁ ବ୍ୟାପିଯାଇଥିଲା ଏବଂ ସମସ୍ତେ ଏଣେ ତେଣେ ଦୌଡିବା ଆରମ୍ଭ କରିଦେଇଥିଲେ ।

କେଉଁ ପ୍ରସଙ୍ଗ ନେଇ ହେଲା ହଙ୍ଗାମା ?

୪ମାସ ପୂର୍ବେ ସର୍ବିଆରେ ଏକ ରେଳ ଷ୍ଟେସନ ଛାତ ଭୁଶୁଡି ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା  । ବିଧାନସଭା ଅଧିବେଶନରେ ଏସଏନଏସ୍ ଶାସକ ଦଳ ଏକ ଏଜେଣ୍ଡାକୁ ଅନୁମୋଦନ କରିଥିଲା ଯାହାକୁ କିଛି ବିରୋଧୀ ନେତା ଆସନରୁ ଉଠି ବାଚସ୍ପତିଙ୍କ ପାଖକୁ ଯାଇ ଏହାର ପ୍ରତିବାଦ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଏହି ସମୟରେ କିଛି ବିରୋଧୀ ସାଂସଦ ଗୃହରେ ଧୂଆଁ ଗ୍ରେନେଡ୍ ଏବଂ ଲୁହ ବୁହା ଗ୍ୟାସ୍ ସେଲ୍ ଫିଙ୍ଗିଥିଲେ । ଯାହା ଫଳରେ ପୂରା ଗୃହ ଧୂଆଁମୟ ହୋଇଯାଇଥିଲା

ବିଜୁ ବାବୁଙ୍କୁ ଅପମାନ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ବର: ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲ । ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରା ନଯିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ଭୂମିପୁତ୍ର ବିଜୁ ପଟ୍ଟନାୟକ ଅସମ୍ମାନ କରାଯାଉଥିବା ପ୍ରତିବାଦରେ ଭୁବନେଶ୍ବର ବିମାନବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରୁଛି ବିଜେଡି ।

ସୂଚନାଯୋଗ୍ୟ, ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବିଜେପି, ଓଡ଼ିଶାବାସୀଙ୍କୁ ଅପମାନିତ କରିବାର କୌଣସି ସୁଯୋଗ ହାତଛଡ଼ା କରୁନି । ମହାପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ସହ ୯୦ ଦଶକର ପରମ୍ପରାକୁ ଭାଙ୍ଗି ଦେଇଛନ୍ତି । କେବଳ ଓଡ଼ିଶା କି ଭାରତ ନୁହେଁ, ସାରା ବିଶ୍ବରେ ବରପୁତ୍ରର ଆଖ୍ୟା ପାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଡବଲ ଇଂଜିନ ସରକାର ଅସମ୍ମାନ ପ୍ରଦର୍ଶନ କରିଛି ।

ବିଜେଡି ପକ୍ଷରୁ କୁହାଯାଇଛି, ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନ କରି ବିଜୁବାବୁଙ୍କୁ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର । ବିଜୁ ପଟ୍ଟନାୟକ ବିଜେଡିର ନୁହଁନ୍ତି । ସେ ଦେଶର ଟଲେଷ୍ଟ ନେତା । ସାରା ବିଶ୍ବରେ ଲୋକେ ତାଙ୍କୁ ମନେ ରଖିଛନ୍ତି । ଗତ ୩୦ ବର୍ଷ ଧରି ରାଜ୍ୟ ସରକାର ଏହି ଦିବସ ପାଳନ କରୁଥିଲେ । ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ସମୟରେ ଏହାକୁ ବିରୋଧ କରି ନଥିଲେ । କିନ୍ତୁ ଏବେ ଷଡଯନ୍ତ୍ର କରି ରାଜନୈତିକ ଉଦ୍ଦେଶ୍ୟ ରଖି ମହାପୁରୁଷଙ୍କୁ ଅସମ୍ମାନ କରିଛନ୍ତି । ବିଜୁବାବୁଙ୍କ ପ୍ରତି ଏଭଳି ହିନମନ୍ୟତା ରାଜ୍ୟବାସୀ କେବେ କ୍ଷମା ଦେବେନାହିଁ ।

ବିଜୁ ବାବୁଙ୍କୁ ଅପମାନ, କ୍ଷମା ଦେବେନି ଓଡ଼ିଶାବାସୀ: ମାନସ ମଙ୍ଗରାଜ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରତିକ୍ରିୟା ରଖିଛନ୍ତି । ମାଟିର ପୁଅ ବିଜୁ ବାବୁଙ୍କ ପ୍ରତି ଅସମ୍ମାନକୁ ଓଡ଼ିଶାବାସୀ କ୍ଷମା କରିବେ ନାହିଁ । ୧୯୯୧ ମସିହାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରଥମ ଭାରତୀୟ ରାଜ୍ୟ ଥିଲା ଯେଉଁଠାରେ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ଏକତୃତୀୟାଂଶ ଆସନ ସଂରକ୍ଷଣ କରାଯାଇଥିଲା।

ବିଜୁ ପଟ୍ଟନାୟକ ସରକାର ୩ଟି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ କରିଥିଲେ । ଓଡ଼ିଶା ଗ୍ରାମ ପଞ୍ଚାୟତ (ସଂଶୋଧନ) ଆଇନ, ଓଡ଼ିଶା ପଞ୍ଚାୟତ ସମିତି (ସଂଶୋଧନ) ଆଇନ ଏବଂ ଓଡ଼ିଶା ଜିଲ୍ଲା ପରିଷଦ (ସଂଶୋଧନ) ଆଇନ । ଏହା ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ପ୍ରଦାନ କରିଥିଲା । ୧୯୯୧ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ଅଧୀନରେ ୨୮ ହଜାର ୬୯ ଜଣ ମହିଳା ସଦସ୍ୟ ନିର୍ବାଚିତ ହୋଇଥିଲେ । କେନ୍ଦ୍ର ସରକାର ଏହି ମଡେଲକୁ ଅନୁସରଣ କରିଥିଲେ ଏବଂ ୧୯୯୨ ମସିହାରେ ୭୩ତମ ସଂଶୋଧନ ଆକାରରେ ସଂସ୍କାର ଆଣିଥିଲେ ।

ଏହି କାରଣରୁ ବିଜୁ ପଟ୍ଟନାୟକ ସମ୍ମାନ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ଜନ୍ମବାର୍ଷିକୀ ମାର୍ଚ୍ଚ ୫କୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଥିଲା । ଏହାକୁ ପରିବର୍ତ୍ତନ କରି, ଓଡ଼ିଶା ସରକାର କିମ୍ବଦନ୍ତୀ ନାୟକଙ୍କ ପ୍ରତି ଘୋର ଅନ୍ୟାୟ କରିଛନ୍ତି ବୋଲି କହିଛନ୍ତି ସାଂସଦ ମଙ୍ଗରାଜ ।

କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମାହିରା ଶର୍ମା

ନନ୍ଦିଘୋଷ ବ୍ୟୁରୋ : ବିଗ୍‌ବସ ଫେମ ମାହିରା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଗୋଟିଏ ସମୟ ଥିଲା ଯେତେବେଳେ ପାରସ ଛାବ୍ରାଙ୍କ ସହ ତାଙ୍କର ସମ୍ପର୍କ ଏକ ରିଆଲିଟି ଶୋ’ରେ ଆରମ୍ଭ ହୋଇଥିଲା କିନ୍ତୁ ତା’ପରେ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହା ପରେ ତାଙ୍କ ନାମ ପ୍ରସିଦ୍ଧ କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ଯାଇଥିଲା। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବାର ଗୁଜବ ଉଠିଥିଲା। ଏବେ ପ୍ରଥମ ଥର ପାଇଁ ମାହିରା ଶର୍ମା ଏହି ଗୁଜବ ଉପରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ ଏହି ଗୁଜବଗୁଡ଼ିକୁ ଅସ୍ବୀକାର କରିଛନ୍ତି।

ମାହିରା ଶର୍ମାଙ୍କୁ କିଛି ଦିନ ଧରି କ୍ରିକେଟର ମହମ୍ମଦ ସିରାଜଙ୍କ ସହ ଯୋଡା ହେଉଥିଲା। କିନ୍ତୁ ଏବେ ଏକ ସାକ୍ଷାତକାରରେ ସେ ଏହି ରିପୋର୍ଟଗୁଡ଼ିକୁ ଗୁଜବ ବୋଲି କହିଛନ୍ତି। ଏହା ସହିତ ଡେଟିଂ ଏବଂ ଏପରି ଜିନିଷ ଠାରୁ ଦୂରେଇ ରହିଥିବା କଥା ସ୍ପଷ୍ଟ ଭାବରେ କହିଛନ୍ତି। ଏକ ସାକ୍ଷାତକାରରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ମହମ୍ମଦ ସିରାଜଙ୍କୁ ଡେଟ୍‌ କରୁଛନ୍ତି କି, ସେ କହିଲେ ଯେ ଏହି ଖବର ସତ୍ୟ ନୁହେଁ, ସେ କାହାକୁ ଡେଟ୍‌ କରୁନାହାଁନ୍ତି। ମାହିରା ଏହା ମଧ୍ୟ କହିଛନ୍ତି, ସେ ଜଣେ ଅଭିନେତ୍ରୀ ହୋଇଥିବାରୁ ଏପରି ଗୁଜବକୁ ଏଡାଇବା କଷ୍ଟକର । ଲୋକମାନେ ପ୍ରାୟତଃ ତାଙ୍କୁ ତାଙ୍କ ସହ-କଳାକାରଙ୍କ ସହିତ ମଧ୍ୟ ଯୋଡନ୍ତି । ଆଉ ସେ ଏପରି ଗୁଜବକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି କହିଛନ୍ତି।

ଓଏସଏସଏସସି ଶାରୀରିକ ପରୀକ୍ଷା: ଦୌଡୁ ଥିବା ବେଳେ ପ୍ରାର୍ଥୀଙ୍କ ମୃତ୍ୟୁ

ସୁନ୍ଦରଗଡ଼: OSSSC ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଦୌଡୁ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଅଭିଯୋଗ। ସୁନ୍ଦରଗଡ଼ରେ ଏହି ଅଘଟଣ ଘଟିଛି । ମୃତକ ହେଲେ ରାଉରକେଲାର ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ କରିଥିଲେ ଆବେଦନ।

ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ ବେଳେ ସଦର ଥାନା କିରେଇ ନିକଟରେ ସେ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ପ୍ରବୀଣଙ୍କ ବାପା ମଧ୍ୟ ତାଙ୍କ ସହ ଥିଲେ । ପୁଅର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଛନ୍ତି । ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି । ଘଟଣାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ମେଡିକାଲ ଯାଞ୍ଚ କରାଯିବା ସମୟରେ ସବୁ ଠିକ୍ ଥିଲା ଓ ସେ ସୁସ୍ଥ ଥିଲେ । ଏହାସହ ସେ ଦୌଡିବା ପାଇଁ ସ୍ବୀକୃତି ଦେଇଥିଲେ । ବର୍ତ୍ତମାନ ରେଡକ୍ରସ ପକ୍ଷରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ପରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବାକି କ୍ଷତିପୂରଣ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଗୁଗୁଲରେ ସର୍ଚ୍ଚ କରି ମିଳିଲା ପତ୍ତା ; ୫ବର୍ଷ ପରେ ନିଜ ଘରକୁ ଫେରି ପାରିଲେ ନିଖୋଜ ମୁକ-ବଧିର ମହିଳା

ନନ୍ଦିଘୋଷ ବ୍ୟୁରୋ : ୫ ବର୍ଷ ତଳେ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିବା ମୁକ-ବଧିର ମହିଳାକୁ ପୁଣି ନିଜ ପରିବାର ସହ ମିଳାଇଛନ୍ତି ଉତ୍ତରପ୍ରଦେଶର ଅଲ୍ଲିଗଡ଼ ପୋଲିସ । ମହିଳା ଜଣକ ବିହାରର ବାସିନ୍ଦା । ୨୦୨୦ ଅକ୍ଟୋବର ୧୨ ତାରିଖରେ ଅଲ୍ଲିଗଡ଼ ପୋଲିସକୁ ସୂଚନା ମିଳିଲା କି ଜଣେ ମହିଳା ପରିତ୍ୟକ୍ତ ଅବସ୍ଥାରେ ଏଣେ ତେଣେ ବୁଲୁଥିବାର ଦେଖିବାକୁ ମିଳିଥିଲା । ମହିଳା ଜଣଙ୍କୁ କ୍ୱାର୍ସି ଅଞ୍ଚଳରେ କିଛି ଲୋକ ଦେଖି ପୋଲିସରେ ଖବର ଦେଇଥିଲେ  । ପୋଲିସ ସଙ୍ଗେସଙ୍ଗେ  ମହିଳାଙ୍କ ନିକଟରେ ପହଞ୍ଚି ତାଙ୍କ ପରିଚୟ ପଚାରିଥିଲେ । ହେଲେ ମହିଳା ଜଣକ କିଛି କହିପାରିଲେ ନାହିଁ କି ନିଜ ବିଷୟରେ କୌଣସି ସୂଚନା ଦେଇ ପାରିଲେ ନାହିଁ ।

ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତାଙ୍କୁ ମଥୁରା ନାରୀ ସଂରକ୍ଷଣ କେନ୍ଦ୍ରକୁ ପଠାଇ ଦେଇଥିଲେ । ମହିଳାଙ୍କ ପାଖରେ ତାଙ୍କ ବିଷୟରେ ଜଣାପଡିବା ପରି କୌଣସି କାଗଜପତ୍ର ନଥିଲା କିନ୍ତୁ  ତାଙ୍କ ହାତରେ ‘ଆଶାନୀ’ ନାଁରେ ଚିତା କୁଟା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକୁ ଗୁଗୁଲରେ ସର୍ଚ୍ଚ କରିବା ପରେ ଜଣା ପଡିଲା ଯେ ଏହା ବିହାର ଏକ ଗାଁର ନାଁ । ଏହା ବିହାର ରସୁଲପୁର ଥାନା ଅଞ୍ଚଳରେ ଅବସ୍ଥିତ । ମହିଳାଙ୍କ ପରିବାର ଲୋକଙ୍କୁ ଖୋଜିବା ପାଇଁ AHTU ଟିମର ଅଧ୍ୟକ୍ଷ ଉଦୟନାଥ ସିଂହ ଯୋଜନା ଆରମ୍ଭ କରିଦେଲେ ।

ସେ ରସୁଲପୁର ଥାନା ପୋଲିସଙ୍କ ସହ ଯୋଗାଯୋଗ କରି ଅଶାନୀ ଗ୍ରାମ ମୁଖ୍ୟ ଅଖିଳେଶ ଯାଦବଙ୍କ ସହ କଥା ହୋଇଥିଲେ। ପ୍ରଧାନଙ୍କ ସହାୟତାରେ, ମହିଳାଙ୍କ ସମ୍ଭାବ୍ୟ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ପରେ ମହିଳାଙ୍କ ଭାଇ ତାରକେଶ୍ୱର ଓଝାଙ୍କ ମୋବାଇଲ୍ ନମ୍ବର ମିଳିଲା।

ଭଉଣୀକୁ ଦେଖି ଭାବପ୍ରବଣ ହେଲା ଭାଇ

ପୋଲିସ ତାରକେଶ୍ୱର ଓଝାଙ୍କ ସହିତ ଯୋଗାଯୋଗ କରି ଭିଡିଓ କଲ୍ ମାଧ୍ୟମରେ ତାଙ୍କ ଭଉଣୀଙ୍କୁ ଦେଖାଇଥିଲେ। ଭିଡିଓରେ ତାଙ୍କ ଭଉଣୀଙ୍କୁ ଦେଖିବା ମାତ୍ରେ ସେ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କୁ ତୁରନ୍ତ ଚିହ୍ନି ପାରିଥିଲେ। ତାରକେଶ୍ୱର ଓଝା କହିଛନ୍ତି ଯେ ତାଙ୍କ ଭଉଣୀ ନିର୍ମଳା ଦେବୀ ପାଞ୍ଚ ବର୍ଷ ପୂର୍ବେ ଜାନୁଆରୀ ୧୯, ୨୦୨୦ରେ ତାଙ୍କ ମା’ଙ୍କୁ ଭେଟିବା ପାଇଁ ଜାମସେଦପୁରରେ ତାଙ୍କ ମଝିଆ ଭାଇ ରାଜେଶ୍ୱର ଓଝାଙ୍କ ଘରକୁ ଯାଇଥିଲା, କିନ୍ତୁ ସେ ତା’ର ରାସ୍ତା ହଜିଯାଇଥିଲା। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, କିନ୍ତୁ କୌଣସି ସୂଚନା ପାଇନଥିଲେ। ଏହା ପରେ, ଜାମସେଦପୁରର ବାଗୱେଡା ପୋଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ଅପରେସନ୍ ମୁସକାନକୁ ପ୍ରଶଂସା

ଔପଚାରିକତା ସମାପ୍ତ କରିବା ପରେ, ଆଲିଗଡ଼ ପୋଲିସ ନିର୍ମଳା ଦେବୀଙ୍କୁ ତାଙ୍କ ଭାଇ ତାରକେଶ୍ୱର ଓଝାଙ୍କୁ ହସ୍ତାନ୍ତର କରିଥିଲା। ୫ ବର୍ଷ ପରେ ଭଉଣୀକୁ ସୁରକ୍ଷିତ ଦେଖି ପରିବାର ସଦସ୍ୟମାନେ ବହୁତ ଭାବପ୍ରବଣ ହୋଇଗଲେ। ପରିବାର ସଦସ୍ୟମାନେ ଆଲିଗଡ଼ ପୋଲିସର ପ୍ରୟାସ ଏବଂ ଅପରେସନ ମୁସକାନକୁ ପ୍ରଶଂସା କରିଥିଲେ।

ମହାପ୍ରଭୁଙ୍କୁ ଅପମାନ: ସମୁଦ୍ର କୂଳରେ ଗଦା ହୋଇଛି ତିନି ଠାକୁରଙ୍କ ଭଗ୍ନ ମୃର୍ତ୍ତି

ଜଳେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ । ଆଡମ୍ବର ସହ ପୂଜା କଲେ । ଆଉ ପୂଜା ସରିବା ପରେ ସମୁଦ୍ରରେ ମୃର୍ତ୍ତି ଫିଙ୍ଗି ଦେଇଗଲେ । ଏବେ ସମୁଦ୍ର ଜୁଆରରେ ଉକ୍ତ ମୃର୍ତ୍ତି କୂଳକୁ ଆସି ପଡ଼ି ରହିଛି । ଯାହା ଉପରେ ପଶୁପକ୍ଷୀ ଚଢ଼ୁଛନ୍ତି । ନଡା, ମାଟିରେ ତିଆରି ଜଗନ୍ନାଥଙ୍କ ଭଗ୍ନ ପ୍ରତିମୂର୍ତ୍ତି ବିକୃତ ଅବସ୍ଥାରେ ପଡି ରହିଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ ଅଞ୍ଚଳରେ ।

ଅଭିଯୋଗ ଅନୁସାରେ, ବାଲିଆପାଳ ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଗତ ଫେବୃଆରୀ ମାସରେ ଜଗନ୍ନାଥଙ୍କ ୩୨ ବେଶ କରାଯାଇଥିଲା । ଉତ୍ସବ ୧୦ ଦିନ ଧରି ଆଡମ୍ବର ସହକାରେ ପାଳନ ହେଲା । ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଉତ୍ସବ ପରେ ଡଗରା ସମୁଦ୍ର ବେଳାଭୂମିରେ ଜଗନ୍ନାଥଙ୍କ ୩୨ ବେଶର ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଥିଲା ।

ହେଲେ ସମୁଦ୍ର ଜଳରେ ମୂର୍ତ୍ତିଗୁଡ଼ିକ ଲୀନ ହେବା ପୂର୍ବରୁ ଜୁଆର ସେହି ମୂର୍ତ୍ତିଗୁଡ଼ିକୁ ପୁଣି ଫେରାଇ ଆଣି ଅତି ଦୟନୀୟ ଅବସ୍ଥାରେ ବେଳାଭୂମିରେ ବିଞ୍ଚି ଦେଇଛି । ମହାପ୍ରଭୁଙ୍କ ମୂର୍ତ୍ତି ଏପରି ପଡ଼ିଥିବା ଯିଏ ବି ଦେଖୁଛନ୍ତି ସେମାନଙ୍କ ହୃଦୟକୁ ଆଘାତ ଲାଗୁଛି । ମହାପ୍ରଭୁଙ୍କୁ ଏପରି ଅପମାନିତ କରିଥିବା ଲୋକଙ୍କୁ ଧରି କଠୋରରୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ଉଠିବାରେ ଲାଗିଛି ।