spot_img
Home Blog Page 1024

ସ୍କିଥ୍ କହିଲେ କାହିଁକି ହାରିଲା ଅଷ୍ଟ୍ରେଲିଆ

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଆଇସିସି ଚମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । ଗତ ବିଶ୍ବକପ ଫାଇନାଲର ବଦଲା ନେଇଛି ଭାରତ । ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଥିବାବେଳେ ୧୧ ବଲ ପୂର୍ବରୁ ଏହାକୁ ହାସଲ କରିଛି ରୋହିତ ବାହିନୀ । ତେବେ ଅଷ୍ଟ୍ରେଲିଆ ଦଳର ପରାଜୟକୁ ନେଇ ଅନେକ କାରଣ ସମ୍ପର୍କରେ ଆଲୋଚନା ହେଉଥିବାବେଳେ ମୁହଁ ଖୋଲିଛନ୍ତି ଅଧିନାୟକ ଷ୍ଟିଭ୍ ସ୍ମିଥ୍ । ପରାଜୟର କାରଣ କହିଛନ୍ତି ସ୍ମିଥ୍ । ସେ କହିଛନ୍ତି କି, ଦଳ ପରାଜୟର ଅନେକ ଗୁଡ଼ିକ କାରଣ ରହିଛି । ଆମେ ୨୮୦ ପରେ ସ୍କୋର କରିଥିଲେ ଫଳାଫଳ କିଛି ଭିନ୍ନ ହୋଇଥଆନ୍ତା । ସେପଟେ ଦଳର ଅଭିଜ୍ଞ ଖେଳାଳି ପାଟ କମିନ୍ସଙ୍କ ଅନୁପସ୍ଥିତି ବହୁତ କ୍ଷତି ପହଞ୍ଚାଇଛି । ବିଶ୍ବକପ ଜିତାଇଥିବା କମିନ୍ସଙ୍କ ଆହତ କାରଣରୁ ମୋତେ ଦଳର ଅଧିନାୟକ ପଦ ସମ୍ଭାଳିବାକୁ ପଡ଼ିଛି ।

ଏହାସହ ସ୍ମିଥ କହିଛନ୍ତି କି, ବୋଲରମାନେ କଠିନ ପରିଶ୍ରମ କରିଛନ୍ତି । ଆମକୁ କିଛି ସ୍କୋର କରିବାର ଥିଲା । କିନ୍ତୁ ବ୍ୟାଟିଂ କରିବା ଏତେ ସହଜ ନଥିଲା । ହୁଏତ ଆମେ ଆଉ କିଛି ସ୍କୋର ଯୋଡ଼ି ପାରିଥାନ୍ତୁ । ମାତ୍ର ଆମର ଓ୍ବିକେଟର ପତନ ଘଟିଲା । ବଡ଼ ପାର୍ଟନରସିପ ହେଲାନି । ଆମେ ଇଂଲଣ୍ଡ ବିପକ୍ଷ ବଡ଼ ସ୍କୋରକୁ ଅତି ସହଜରେ ଚେଜ୍ କରିଥିଲୁ । ଆମର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ଏଥରକ ବ୍ୟାଟ୍ସମ୍ୟାନମାନେ ସେମିତି ଆଖିଦୃଷ୍ଟିଆ ପ୍ରଦର୍ଶନ କରିନାହାନ୍ତି । ସେପଟେ ରୋହିତ କୋହଲିଙ୍କୁ ବେଶ ପ୍ରଶଂସା କରିଛନ୍ତି । କହିଛନ୍ତି କି, ଆମେ ଯେଉଁ ଭାଗିଦାରୀ ଚାହୁଁଥିଲୁ ତାହା ହୋଇଛି । ଶ୍ରେୟସ ଏବଂ କୋହଲିଙ୍କ ପାର୍ଟନରସିପ ଆମକୁ ବେଶ ଲାଭଦାୟକ ହୋଇଛି ।

ନବୀନଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: ଧାନ କିଣା ଦୁର୍ନୀତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ। ନବୀନ ନିବାସକୁ ଯାଇ ସଂଗଠନ ପକ୍ଷରୁ ଏକ ସ୍ମାରକ ପତ୍ର ବି ଦିଆଯାଇଛି। ଧାନ କିଣାରେ ବ୍ୟାପକ କଟନୀ ଛଟନୀ ହେଉଥିବାର ଅଭିଯୋଗ କରି ନବନିର୍ମାଣ କୃଷକ ସଂଗଠନ ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତିରେ ଜିଲ୍ଲା ସ୍ତରରେ ବିକ୍ଷୋଭ କରିଛି। ସଂଗଠନ ଅଭିଯୋଗ କରିଛି ଜିଲ୍ଲା ପ୍ରଶାସନ ଓ ମିଲରମାନେ ଗରିବ ଚାଷୀଙ୍କ ୫ ରୁ ୧୦ କେଜି ପର୍ଯ୍ୟନ୍ତ ଧାନ କାଟି ନେଉଛନ୍ତି। ପ୍ରତିବାଦ ସତ୍ତ୍ଵେ ସରକାର କି ପ୍ରଶାସନ ଆଦୌ ଧ୍ୟାନ ଦେଉ ନାହାନ୍ତି। ଏହା ବିରୁଦ୍ଧରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ୧୮ ଦିନ ହେଲା ଅନଶନ କରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଅବଗତ କରିଛନ୍ତି ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ଯୁବ ଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ। ବିଧାନସଭାରେ ଚାଷୀଙ୍କ ଏହି ସମସ୍ୟା ଉଠାଇବାକୁ ନବୀନ ପଟ୍ଟନାୟକ ପ୍ରତିଶୃତି ଦେଇଥିବା କହିଛନ୍ତି ଚାଷୀ ନେତା। ଅକ୍ଷୟ କୁମାରଙ୍କ ଅନଶନ ସ୍ଥଳକୁ ଏକ ପ୍ରତିନିଧି ମଣ୍ଡଳୀ ଯିବେ ବୋଲି ମଧ୍ୟ ନବୀନ ପଟ୍ଟନାୟକ କହିଛନ୍ତି।

ସବୁଠି ଉତ୍ସାହର ମାହୋଲ, ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ

ନନ୍ଦିଘୋଷ ବ୍ୟୁରୋ: ଆଜି ମାର୍ଚ୍ଚ ୫ ତାରିଖ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ। ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ବିଜୁ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଶଙ୍ଖ ଭବନରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯିବ। ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ସ୍ବପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କର ସ୍ବପ୍ନକୁ ପୂରଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି। ମା’କୁ ସମ୍ମାନ, ଗାଁକୁ କାମ କଥା କହିଥିଲେ ସ୍ଵର୍ଗତ ବିଜୁ ପଟ୍ଟନାୟକ। ଏହି ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିକାଶ ଲାଗି ସର୍ବଦା ପ୍ରୟାସ ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ପ୍ରତି ବର୍ଷ ପରି ଆଜି ଶଙ୍ଖ ଭବନ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ଏହାକୁ ଜନସେବା ଓ ବିଜୁ ଆଦର୍ଶର ସ୍ମୃତିଚାରଣ ଭାବେ ପାଳନ କରିବ ବିଜେଡି। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରଖିଛି ବିଜୁ ଜନତା ଦଳ।

ଘରୋଇ ସ୍କୁଲରେ ପ୍ରହସନ ପାଲଟିଛି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ

ଭୁବନେଶ୍ବର: ଘରୋଇ ସ୍କୁଲଗୁଡ଼ିକରେ ଏବେ କେବଳ ପ୍ରହସନ ପାଲଟିଛି ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ ସଂରକ୍ଷଣ । ଘରୋଇ ସ୍କୁଲ ଗୁଡିକ ଛାତ୍ରଛାତ୍ରୀଙ୍କୁ ମାଗଣା ଆଡମିଶନ କରାଇବା ବଦଳରେ ଜାଣିଶୁଣି ପ୍ରକ୍ରିୟାକୁ ବିଳମ୍ବିତ କରୁଥିବା ଅଭିଭାବକ ମହାସଂଘ ଅଭିଯୋଗ କରିଛି । ଏହାସହ ଏହି ଅନ୍ୟାୟକୁ ବିରୋଧ କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଶିକ୍ଷା ଅଧିକାର ଆଇନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗୁଡ଼ିକ ଏ ପ୍ରସଙ୍ଗରେ ସରକାର ବିଶେଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ପାରଦର୍ଶୀ ପୋର୍ଟାଲରେ ଆବେଦନରେ ମହାଘୋଟଲା । ଆବେଦନ ଓ ରେଜିଷ୍ଟ୍ରେସନ ସମୟ ଅବଧିକୁ ବିରୋଧ । ଗରିବ ପିଲାଙ୍କୁ ଆଡମିଶନରୁ ବାହାର କରିଦେବାକୁ ଚକ୍ରାନ୍ତ । ଜାତୀୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ଅଭିଭାବକ ମହାସଂଘ । ଶିକ୍ଷା ଅଧିକାର ଆଇନ ବଳରେ ଘରୋଇ ସ୍କୁଲରେ ଗରିବ ପିଲାମାନେ ପାଠ ପଢ଼ିବା ପାଇଁ ପାରଦର୍ଶୀ ପୋର୍ଟାଲରେ ଆବେଦନରେ ବଡ଼ ଘୋଟଲା ଅଭିଯୋଗ ହୋଇଛି । ଏହି ପୋର୍ଟାଲରେ ଗରିବ ପିଲାଙ୍କ ଆବେଦନ ପାଇଁ ମାତ୍ର ୧୭ ଦିନ ରଖାଯିବା ଓ ଘରୋଇ ସ୍କୁଲର ରେଜିଷ୍ଟ୍ରେସନ ପାଇଁ ୭୦ ଦିନ ଦିଆଯିବାକୁ ଜୋରଦାର ବିରୋଧ କରିଛି ଅଭିଭାବକ ମହାସଂଘ । ଏହି ଅନ୍ୟାୟ ବିରୋଧରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ମହାସଂଘ । ମାନବାଧିକାର କମିଶନ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରି ପିଲାଙ୍କ ଆବେଦନ ପ୍ରକ୍ରିୟାକୁ ତୁରନ୍ତ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ଗରିବ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିକ୍ଷା ଅଧିକାର ଆଇନର ବିପରୀତ କାମ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଲଢ଼େଇର ଚେତାବନୀ ଦିଆଯାଇଛି । କାରଣ ପୂର୍ବ ପ୍ରକ୍ରିୟା ଅପେକ୍ଷା ନୂତନ ପ୍ରକ୍ରିୟାରେ ପିଲାମାନଙ୍କର ଆଡମିସନ ସରିବା ବେଳକୁ ଜୁନ ଶେଷ ହୋଇଯିବ l ପିଲାଙ୍କ ତିନି ମାସ ସମୟ ବରବାଦ ହେବ । ପ୍ରକ୍ରିୟା ଯେତିକି ବିଳମ୍ବ ହେବ ଘରୋଇ ସ୍କୁଲମାନେ ତାର ସୁଯୋଗ ନେଇ ଅନ୍ୟ ପିଲାଙ୍କୁ ଆଡମିସନ କରାଇ ନେବେ ।

ପୂର୍ବ ବର୍ଷମାନଙ୍କରେ ମଧ୍ୟ ସରକାରୀ ଅଧିକାରୀଙ୍କ ପରୋକ୍ଷ ସହାୟତାରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ଏଭଳି ଘୋଟାଲା କରିଆସୁଛନ୍ତି । ଶହ ଶହ ଅଭିଭାବକ ଆଡମିସନ ପାଇଁ ସ୍କୁଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ଅସାଧୁ ବା ମୁନାଫାଖୋର ମନୋଭାବ ଥିବା ଅଫିସରଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି । ଗରିବ ପିଲାମାନେ ସଠିକ ସ୍କୁଲ ଓ ସଠିକ ସମୟରେ ଆଡମିସନ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଶିକ୍ଷା ଅଧିକାର ଆଇନ କିଭଳି ସଠିକ ଢଙ୍ଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ସେ ଦିଗରେ ଧ୍ୟାନ ଦେଇ ସରକାର କାର୍ଯ୍ୟ କରନ୍ତୁ ବୋଲି ଦାବି ହୋଇଛି ।

ଘରୋଇ ସ୍କୁଲରେ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଭାବେ ଅଭିଭାବକଙ୍କ ସ୍ୱାର୍ଥରେ ଯୋଜନାର ଶତ ପ୍ରତିଶତ ରୂପାୟନ ପାଇଁ ସରକାର ସ୍ୱତନ୍ତ୍ର ମନିଟରିଂ ବ୍ୟବସ୍ଥା ପାଇଁ ଦାବି ହୋଇଛି । ସ୍କୁଲମାନଙ୍କର ସ୍ୱୀକୃତି ତିନି ବର୍ଷରୁ ପାଞ୍ଚ ବର୍ଷ ପାଇଁ ପାଇଥାନ୍ତି । ସେମାନେ ପୋର୍ଟାଲ ମାଧ୍ୟମରେ ପୂର୍ବରୁ ବର୍ଷ ବର୍ଷ ଧରି ପିଲାଙ୍କୁ ମଧ୍ୟ ଆରଟିଇ କୋଟାରେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ପୁଣି ଏପରି ପଞ୍ଜିକରଣ ଆବଶ୍ୟକ କଣ ବୋଲି ପ୍ରଶ୍ନ ହୋଇଛି ।

ବିଜେଡି ସରକାରରେ ସଶକ୍ତ, ବିଜେପି ସରକାରରେ କୋମା…

ଭୁବନେଶ୍ବର: ବିଜେଡ଼ି ସରକାରରେ ସଶକ୍ତ ଓରେରା ବିଜେପି ସରକାରରେ କୋମା ଅବସ୍ଥାରେ । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବାକୁ କେନ୍ଦ୍ରୀୟ ଆଇନ ରେରା ଓଡ଼ିଶା କାର୍ଯ୍ୟକାରୀ କରିବାରେ ପ୍ରଥମ ରାଜ୍ୟ ଥିଲା । ହେଲେ ଏବେ ଓରେରାରେ କେହି ଅଧ୍ୟକ୍ଷ ନାହାନ୍ତି, ସରକାର କାହାକୁ କାମଚଳା ଅଧ୍ୟକ୍ଷ ବି କରିନାହାନ୍ତି । ଅଧ୍ୟକ୍ଷଙ୍କ ବିନା ରେରା କୋର୍ଟ ଅଚଳ ହୋଇପଡ଼ିଛି । ପୁଣି ଓରେରାରେ ସଚିବ ନିଯୁକ୍ତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ସରକାରଙ୍କ ଆନ୍ତରିକତାର ଅଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ରିଏଲ ଇଷ୍ଟେଟ ରେଗୁଲେଟୋରୀ ଆକ୍ଟ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଆଗୁଆ ଥିବା ବେଳେ ଏବେ ଏହା ଅଚଳ ଅବସ୍ଥାରେ । ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ପଦ ଛାଡ଼ିବା ପରେ କାହାକୁ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇନାହାନ୍ତି ରାଜ୍ୟ ସରକାର । ସିଦ୍ଧାନ୍ତ ଦାସ ପଦ ଛାଡ଼ିବା ପାଇଁ ୩ ମାସ ତଳୁ ନୋଟିସ ଦେଇଥିଲେ ବି ସରକାର ନୂଆ ଅଧ୍ୟକ୍ଷ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ନାହିଁ । ନୂଆ ଅଧ୍ୟକ୍ଷ ଚୟନ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି, ଯେଉଁଥିରେ ନଗର ଉନ୍ନୟନ ସଚିବ ଆବାହକ ଓ ଆଇନ ସଚିବ ସଦସ୍ୟ ଅଛନ୍ତି । ଅଧ୍ୟକ୍ଷ ନିଯୁକ୍ତ ପ୍ରକ୍ରିୟା ସାରିବାକୁ ସର୍ବନିମ୍ନ ୪ ମାସ ସମୟ ଲାଗିବ । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ସହ କ୍ରେତାଙ୍କୁ ସଶକ୍ତ କରିବାକୁ ସରକାରଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ହୋଇଛି । ଏପରିକି ଜଣେ କାମଚଳା ଅଧ୍ୟକ୍ଷ ନିଯୁକ୍ତି ଦେବାକୁ ବି ସରକାର ଉଚିତ ମନେ କରିନାହାନ୍ତି ।

ଓରେରା କୋର୍ଟରେ ଅଧ୍ୟକ୍ଷ ନଥିଲେ ରେରାର କୌଣସି ମିଟିଂ ସମ୍ଭବ ନୁହେଁ । ବିଲଡ଼ରମାନେ ମଧ୍ୟ ପ୍ରକଳ୍ପ ପଞ୍ଜୀକରଣ କରିପାରିବେ ନାହିଁ । ଠକାମିର ଶିକାର କ୍ରେତାମାନେ ମଧ୍ୟ କୌଣସି ମାମଲା ରୁଜୁ କରିପାରିବେ ନାହିଁ । ରେରାରେ ଏପରି ଅଚଳବସ୍ଥା ଥିବା ବେଳେ ଓରେରା ସଚିବ ନିଯୁକ୍ତି ବି ବିବାଦ ଘେରରେ । ଜାନୁଆରୀ ୨୨ରେ ଓରେରାରେ ଖାଲିଥିବା ସଚିବ ପଦବୀ ଓ ୪ ବର୍ଷ ହେଲା ଯୁଗ୍ମ ସଚିବ ପଦବୀରେ ଜଣେ ଥିବାରୁ ଏହି ଦୁଇଟି ପଦ ପାଇଁ ଅଫିସର ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲେ ନଗର ଉନ୍ନୟନ ସଚିବ । ୩ ବର୍ଷରୁ ଅଧିକ ଜଣେ ଗୋଟିଏ ପଦବୀରେ ରହିବାର ବ୍ୟବସ୍ଥା ନଥିବାରୁ ଯୁଗ୍ମ ସଚିବଙ୍କୁ ବି ବଦଳି କରିବାକୁ ସୁପାରିଶ କରିଥିଲେ ବିଭାଗୀୟ ସଚିବ । ହେଲେ ନଗର ଉନ୍ନୟନ ସଚିବଙ୍କ ସୁପାରିଶକୁ ଅଣଦେଖା କରି ୪ ବର୍ଷ ହେଲା ଯୁଗ୍ମ ସଚିବ ପଦବୀରେ ଥିବା ଅଧିକାରୀଙ୍କୁ ସଚିବ ପଦରେ ବସାଇ ଦେଲେ ସରକାର । ଏହା କାହା ସ୍ବାର୍ଥରେ ହୋଇଛି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ଆଇନର ଫାଶରେ ଛନ୍ଦି ହୋଇଥିବା ଯୋଗୁଁ ଆପାର୍ଟମେଣ୍ଟ କିଣାବିକା ପ୍ରାୟ ଦୁଇ ବର୍ଷ ହେଲା ବନ୍ଦ ରହିଛି । ପାର୍ଟ ପ୍ଲଟ ନେଇ ବି କିଛି ବାଟ ଫିଟୁନାହିଁ । ଏନେଇ ସରକାରଙ୍କ ଆନ୍ତରିକତାର ଅଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଇନଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ

ଭୁବନେଶ୍ବର: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ । ବିଜେପି ସରକାର ବିରୋଧରେ ଆସନ୍ତା ୧୦ ତାରିଖରେ ଘେରାଉ ଲାଗି ପିସିସିଙ୍କ ରଣ ହୁଙ୍କାର । ୮ ମାସରେ ରାଜ୍ୟରେ ୧୬ ଶହରୁ ଅଧିକ ମହିଳା ନିର୍ଯାତନାର ଶିକାର ହୋଇଥିବାରୁ ଏହା ବିରୋଧରେ ଆନ୍ଦୋଳନ ଡାକରା ଦେଇଛି । ସେପଟେ ନିଜର ସ୍ଥିତି ବଜାୟ ରଖିବାକୁ କଂଗ୍ରେସର ଏହି ଆନ୍ଦୋଳନ ବୋଲି କହିଛି ବିଜେପି । ଯାହାକୁ ନେଇ ମୁହାମୁହିଁ ହୋଇଚନ୍ତି କଂଗ୍ରେସ ଓ ବିଜେପି ।

ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର। ୧୦ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ଦଳ । ନାରୀ ସୁରକ୍ଷା ନେଇ ମାଗିବ ଜବାବ । ବିଜେପି କହିଲା ପଡ଼ିବନି କୌଣସି ପ୍ରଭାବ । ୮ ମାସରେ ୧୬ ଶହ ନାରୀ ନିର୍ଯାତନା । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା । ନାବାଳିକା ବି ସୁରକ୍ଷିତ ନୁହନ୍ତି । ଆଦିବାସୀ, ଦଳିତମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି । ରାଜ୍ୟରେ ଶାସନ ଅଛି ବୋଲି ଅନୁଭବ କରିପାରୁନାହାନ୍ତି ଲୋକେ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଜୋରଦାର ପ୍ରତିବାଦ କରିବ କଂଗ୍ରେସ ।

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପରେ ଜିଲ୍ଲାସ୍ତରରେ ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା ଦେଇଛି କଂଗ୍ରେସ । ଆସନ୍ତା ୧୦ ତାରିଖରେ ରାଜ୍ୟରେ ନାରୀ ନିର୍ଯାତନା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଦଳ । ନିର୍ଯାତନା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ବିଜେପିର ପାପ ଘର ଭରି ସାରିଲାଣି । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ନାରୀଙ୍କୁ ସୁରକ୍ଷା ଯଦି ଦେବେ ନାହିଁ ତେବେ ଶାସନ ଗାଦିରେ ବସିବାର କୌଣସି ଅଧିକାର ନାହିଁ । ସରକାର ବିରୋଧରେ ଆନ୍ଦୋଳନକୁ ଜିଲ୍ଲା ସ୍ତରରେ ଜୋରଦାର କରିବକୁ ଚେତାବନୀ ଦେଇଛି କଂଗ୍ରେସ ।

ରାଜ୍ୟରେ ଶାସନ ଭାର ଗ୍ରହଣ ପରଠାରୁ ଆଇନଶୃଙ୍ଖଳା ଅଛି ବୋଲି ଜଣାପଡୁନାହିଁ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରାଜଧାନୀରେ ଯୁବକଙ୍କ ମୁଣ୍ଡ ଗଡ଼ିଲା । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ନାବାଳିକାକୁ ଦୁର୍ଷମ କରାଗଲା । ଦୁର୍ଷମ, ହତ୍ୟା, ଚୋରି କଥା ନକହିଲେ ଭଲ ବୋଲି କହିଛନ୍ତି ଜୟଦେବ । ସେପଟେ ବିଜେପି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, କଂଗ୍ରେସ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ଜିଲ୍ଲାପାଳଙ୍କ ଅଫିସ ଘେରିବ । ଯାହାକୁ ନେଇ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି ।

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବାରୁ ବିଜେପି ସରକାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ । ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରି ଘନ ଘନ ଆକ୍ରମଣ କରୁଛି କଂଗ୍ରେସ । ଏପରିକି ସ୍ବତନ୍ତ୍ର ଅନୁଧ୍ୟାନ କମିଟି କରି ଦଳ ସମସ୍ତ ନିର୍ଯାତନା ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବାକୁ ଦାବି କରିଛି । ସରକାରଙ୍କୁ ଜବାବ ମାଗିବାରୁ ପ୍ରସ୍ତୁତ କରିଛି ସ୍ଵତନ୍ତ୍ର ରଣନୀତି ।

ଅଷ୍ଟ୍ରେଲିଆକୁ ହରାଇ ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ

ଦୁବାଇ: ଚମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରଥମ ଦଳ ଭାବେ ଭାରତ ପ୍ରବେଶ କରିଛି । ଆଜି ଖେଳା ଯାଇଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ହରାଇ ଭାରତ ଫାଇନାଲକୁ ଯାଇଛି । ଏହାସହ ଭାରତ ଆଷ୍ଟ୍ରେଲିଆ ପାଖଣୁ ବିଶ୍ବକପର ପ୍ରତିଶୋଧ ଚମ୍ପିୟନ୍ସ ଟ୍ରଫିରେ ନେଇଛି ।

ଆଜିର ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଧର୍ଯ୍ୟପୂର୍ଣ୍ଣ ବାଟିଂ ଦେଖିବାକୁ ମିଳିଥିଲା । ୨୬୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତର ଦୁଇ ଓପ୍ନର ରୋହିତ ଏବଂ ଶୁଭମନ ଗିଲ୍ ଧର୍ଯ୍ୟର ସହ ଇଂନିସ୍ ଆରମ୍ଭ କରିଥିଲେ । ହେଲେ ଗିଲ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ୧୧ ବଲରୁ ମାତ୍ର ୮ ରନ କରି ଗିଲ ଆଉଟ ହୋଇଯାଇଥିଲେ । ଏହାପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ରୋହିତ ଭଲ ଆରମ୍ଭ ଦେଇଥିଲେ ବି ବଡ଼ ସ୍କୋର କରିପାରି ନଥିଲେ । ୨୯ ବଲରୁ ୨୮ ରନ୍ କରି ରୋହିତ ଆଉଟ ହୋଇଯାଇଥିଲେ । ୪୩ ରନରେ ଦୁଇ ଓପ୍ନରଙ୍କ ଆଉଟ ପରେ ଚାପରେ ଭାରତ ଥିବା ବେଳେ ପଡ଼ିଆକୁ ଓହ୍ଲାଇଥିଲେ ଶ୍ରେୟସ ଆୟର । ବିରୋଟଙ୍କ ସହ ମିଶି ସେ ଧର୍ଯ୍ୟର ସହ ବ୍ୟାଟିଂ କରିବା ସହ ସ୍ଥିତିକୁ ସମ୍ଭାଳି ଥିଲେ । ଆୟର ୬୨ ବଲରେ ୪୫ ରନ୍ କରି ଆଉଟ ହେବା ପରେ ଅକ୍ଷର ପଟେଲ ଫିଲ୍ଡକୁ ଆସିଥିଲେ । ସେ ମଧ୍ୟ ବିରାଟଙ୍କ ଭଲ ସାଥ ଦେଇଥିଲେ । ୩୦ ବଲରେ ୨୭ ରନ୍ କରି ସେଟ୍ ହୋଇ ଆସୁଥିବା ବେଳେ କ୍ଲିନ ବୋଲ୍ଡ ହୋଇଯାଇଥିଲେ । ତେବେ ଅକ୍ଷରଙ୍କ ପରେ ଫିଲ୍ଡକୁ ଆସିଥିଲେ କେ.ଏଲ. ରାହୁଲ । ଆରମ୍ଭରୁ ଏକ, ଦୁଇ ରନ୍ ଉପରେ ଫୋକସ କରିଥିଲେ । ଆଉ ଅନ୍ୟପଟେ ବିରାଟ ଚୌକା, ଛକା ଛାଡ଼ି ସିଙ୍ଗଲରେ ରନ୍ କରି ୮୪ ରନରେ ପହଞ୍ଚି ଯାଇଥିଲେ । ବିରାଟ ସହଜରେ ଶତକ ମାରିବା ସହ ଭାରତର ବିଜୟ ମୁଣ୍ଡି ମାରି ଫେରିବା ପରି ଲାଗୁଥିବା ବେଳେ, ଏକ ବଡ଼ ସର୍ଟ ଖେଳିବା ଛକ୍କରରେ ଜାମ୍ପାଙ୍କ ଦ୍ବାରା ଆଉଟ୍ ହୋଇଯାଇଥିଲେ । ଏହାପରେ ଫିଲ୍ଡକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ଚିରାଚରିତ ଢଙ୍ଗରେ ୩ଟି ବିଶାଳ ଛକା ଓ ଗୋଟିଏ ଚୌକା ସହାୟତାରେ ବିସ୍ଫୋରକ ୨୮ ରନ କରି ଅଷ୍ଟ୍ରେଲିଆର ବିଜୟ ଆଶାକୁ ଧୂଳିସାତ କରି ଦେଇଥିଲେ । ବିଜୟ ପାଇଁ ୪ ରନ୍ ବାକି ଥିବା ବେଳେ ରାହୁଲ ଏକ ବିରାଟ ଛକା ମରି ଭାରତକୁ ବିଜୟ ମୁକୁଟ ପିନ୍ଧାଇ ଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ଏବଂ ଆଦମ ଜାମ୍ପା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଦ୍ବାରଶୁଇସ୍ ଓ କୁପର କନୋଲି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଷ୍ଟ୍ରେଲିଆ । ୫୦ ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ୍ ହେଡ ୩୯, ଲାବୁଶାନ ୨୯, ସ୍ମିଥ ୭୩, ଆଲେକ୍ସ କେରୀ ୬୧, ଗ୍ଲେନ ମାକ୍ସଓ୍ବେଲ ୭, ବେନ ଦ୍ବାରଶୁଇସ୍ ୧୯ ଓ ଜାମ୍ପା ୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତି ଏବଂ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅକ୍ଷର ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

୮ ମାସରେ ଆଣ୍ଠେଇଲାଣି ରାଜ୍ୟ ଆର୍ଥିକ ବିକାଶ, କେରଳଠାରୁ ପଛରେ ଓଡି଼ଶା

ଭୁବନେଶ୍ବର: ଓଡ଼ିଶାରେ ପଛେଇଲାଣି ଆର୍ଥିକ ବିକାଶ । ରାଜ୍ୟରେ ସରକାର ପରିବର୍ତ୍ତନର ୮ ମାସ ପରେ ଅର୍ଥନୀତିରେ କେରଳଠାରୁ ପଛରେ ପଡ଼ିଛି ଓଡ଼ିଶା । ୨୦୨୪-୨୫ରେ ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ ନମ୍ବର ସ୍ଥାନରେ କିନ୍ତୁ ଓଡ଼ିଶା ୧୪ ତମ ସ୍ଥାନରେ । କେରଳରେ ଧାଏଁ ଧାଏଁ ଚାଲିଛି ଜାତୀୟ ରାଜପଥ ବିକାଶ ।  ଅଣ ବିଜେପି ଶାସିତ ରାଜ୍ୟ ହୋଇ କେରଳ କେନ୍ଦ୍ରଠାରୁ ୫ ବର୍ଷରେ ଟାଣିପାରିଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ପାଇଛି ମାତ୍ର ୧୭ ହଜାର କୋଟି । କେରଳ ପାଇଁ ଦିଲ୍ଲୀରେ ଲବି କରି ସଫଳତା ପାଉଛନ୍ତି ସେଠାକାର ସାଂସଦ । ଅଥଚ ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ରାଜ୍ୟର ବୃହତ୍ତର ବିକାଶ ପାଇଁ ପଦୁଟିଏ ମୁହଁ ଖୋଲିଲେନି ବୋଲି ଅଭିଯୋଗ ହୋଇଛି ।

ରାଜ୍ୟ ଘରୋଇ ଉତ୍ପାଦରେ କେରଳ ୧୧ତମ ସ୍ଥାନରେ । ଓଡ଼ିଶା ତଳକୁ ଖସି ୧୪ ତମ ସ୍ଥାନରେ । ୨୦୨୪-୨୫ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ବ୍ୟୟ ବରାଦରେ କେରଳଠାରୁ ୨ ଗୁଣ ଅଧିକ ଖର୍ଚ୍ଚ କଲା ଓଡ଼ିଶା । ହେଲେ ଘରୋଉ ଉତ୍ପାଦ ବୃଦ୍ଧିରେ କେରଳ ଓଡ଼ିଶାଠାରୁ ୭୦ ପ୍ରତିଶତ ଆଗରେ । କେରଳ ସାଂସଦ ଦିଲ୍ଲୀରେ ଟେବୁଲ ବାଡ଼େଇ ରାଜ୍ୟ ବିକାଶ ପାଇଁ ଟଙ୍କା ଟାଣୁଛନ୍ତି । ହେଲେ ଓଡ଼ିଶାରୁ ଯାଇଥିବା ବିଜେପିର ୨୦ ସାଂସଦଙ୍କ ମୁହଁରେ ଯେପରି ତୁଣ୍ଡି ବନ୍ଧା ହୋଇଥିବା ଅଭିଯୋଗ ହୋଇଛି । କେରଳ ପାଇଁ ଏଲ ଆଣ୍ଡ୍ ଟି ଭଳି ବଡ଼ ଠିକାସଂସ୍ଥା ଗୋଡ଼ ଟେକି ବସୁଛନ୍ତି । ଅଥଚ ଓଡ଼ିଶାରେ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ଼ ପାଇଁ ବାରମ୍ବାର ଟେଣ୍ଡର ପରେ ବି କେହି ଠିକାଦାର ମିଳୁନାହାନ୍ତି । ହେଲେ ଡବଲ ଇଞ୍ଜିନ ସରକାରରେ ରାଜ୍ୟ ଡବଲ ସ୍ପିଡରେ ଆଗକୁ ଯିବା ପରିବର୍ତ୍ତେ ପଛକୁ ଯାଉଥିବା ସମୀକ୍ଷକ କହିଲେଣି ।

କମ୍ ଖର୍ଚ୍ଚରେ କେରଳ ଓଡ଼ିଶାଠାରୁ ଭଲ ପ୍ରଦର୍ଶନ କରିବାରେ ସଫଳତା ପାଇଛି । ଚଳିତ ଆର୍ଥିକ ବର୍ଷରେ କେରଳର ପୁଞ୍ଜି ବ୍ୟୟ ରହିଛି ୧୪ ହଜାର ୭୦ କୋଟି । ଓଡ଼ିଶା କରିଛି ୫୮ ହଜାର ୧୯୫ କୋଟି । କେରଳର କାର୍ଯ୍ୟକ୍ରମ ବ୍ୟୟବରାଦ ୮୦ ହଜାର ୪୪୯ କୋଟି । ଓଡ଼ିଶାର ପ୍ରାୟ ୧ ଲକ୍ଷ ୫୫ ହଜାର କୋଟି । ମାନେ ଡବଲ୍ ଖର୍ଚ୍ଚ । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାଠାରୁ କାହିଁ କେତେ ଉପରେ ରହିଛି କେରଳ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେରଳ ଋଣବୋଝରେ ବୁଡ଼ିଥିଲେ ବି ଗୁଣାତ୍ମକ ଭିତ୍ତିଭୂମି ବିକାଶରେ ଶୀର୍ଷ ସ୍ଥାନରେ ରହିଲାଣି ।

ଅଣବିଜେପି ଶାସିତ ରାଜ୍ୟ ହୋଇ କେରଳ ଜାତୀୟ ରାଜପଥ ବିକାଶରେ ଓଡ଼ିଶାଠାରୁ ବହୁ ଆଗରେ । ଗତ ୫ ବର୍ଷରେ କେରଳ ଏନଏଚଆଇଠାରୁ ପାଇଛି ୩୩ ହଜାର ୪୩୯ କୋଟି । ଓଡ଼ିଶା ସେହି ସମୟ ଭିତରେ ପାଇଛି ମାତ୍ର ୧୭ ହଜାର ୨୯୬ କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ଓଡିଶାର ଘରୋଇ ଉତ୍ପାଦ ମାତ୍ର ୮୫ ହଜାର କୋଟି ଛୁଇଁଥିବାବେଳେ କେରଳ ୧ ଲକ୍ଷ ୪୪ ହଜାର ୨୩୬ କୋଟିରେ ପହଞ୍ଚିଲାଣି । ୨୦୨୪ ନିର୍ବାଚନରେ ୨୦ ଜଣ ସାଂସଦ ଓଡିଶାରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନେ କେବଳ ପୂର୍ବ ସରକାରଙ୍କୁ ସମାଲୋଚନା ଓ ରାଜନୈତିକ ବୟାନବାଜି ଛଡ଼ା ୮ ମାସ ହେଲାଣି ଆଉ କିଛି କରିପାରିନାହାନ୍ତି । ମୋହନ ସରକାରଙ୍କ ଦୁଇଟି ବଜେଟରେ ରାଜ୍ୟ ଋଣଭାର ଅତିରିକ୍ତ ୯୧ ହଜାର କୋଟି ଛୁଇଁଲାଣି ।

୨୦୩୬ ବେଳକୁ ଓଡ଼ିଶା ଅର୍ଥନୀତି ୫୦୦ ବିଲିୟନ ଆମେରିକୀୟ ଡଲାର ବା ୪୩ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିବ । ଏପରି ଦାବି କରି ଚାଲିଛନ୍ତି ଏବର ବିଜେପି ସରକାର । ଯେଉଁଥି ପାଇଁ ବଜେଟ୍ ଆକାର ମଧ୍ୟ ପ୍ରତିବର୍ଷ ବଢି ବଢିଚାଲିଛି । ୮ ମାସ ହେଲାଣି କେବଳ ରଙ୍ଗ ବଦଳାଇବା, ଯୋଜନାର ନାମ ବଦଳାଇ ପ୍ରଚାର ଓ ପୋଷ୍ଟରରେ ସୀମିତ ରହିଛି । ଏପରି ଚାଲିଲେ ୨୦୩୬ କ’ଣ ୨୦୫୦ ବେଳକୁ ରାଜ୍ୟ ବିକଶିତ ଓଡ଼ିଶାରେ ରୂପାନ୍ତର ହୋଇଥିବ କି ନାହିଁ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।

ବିଜୁ ଜୟନ୍ତୀରେ ଛୁଟି ବାତିଲକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଅବାନ୍ତର ଯୁକ୍ତି

ଭୁବନେଶ୍ବର: ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କରା ନଯିବା ଓ ସରକାରୀ ଛୁଟି ବାତିଲକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ଅବାନ୍ତର ଯୁକ୍ତି । ବିଜେଡିର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସୁରେଶ ଅବାନ୍ତର ଯୁକ୍ତି ବାଢ଼ିବା ସହ କହିଛନ୍ତି, ବିଜୁ ବାବୁ ଓଡ଼ିଶାର ବରପୁତ୍ର ଥିଲେ, ଏଥିରେ କାହାର ସନ୍ଦେହ ନାହିଁ । ଓଡ଼ିଶା ପାଇଁ ଗୌରବ ଆଣିଥିଲେ ବିଜୁ ବାବୁ । ତେଣୁ ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ନାହିଁ ।

ମାର୍ଚ୍ଚ ୫ ତାରିଖ ଛୁଟି ବାତିଲ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୁରେଶ । ଆଉ କହିଛନ୍ତି, ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୂରା କାର୍ଯ୍ୟ ଦିବସ କାହିଁକି ବାତିଲ ହେବ ବୋଲି କହି ଅବାନ୍ତର ଯୁକ୍ତି ବାଢ଼ିଛନ୍ତି ରାଜସ୍ବ ମନ୍ତ୍ରୀ ।

ବିଜୁ ଜୟନ୍ତୀରେ ସରକାରୀ ଛୁଟି ବାତିଲକୁ ନେଇ ତେଜିଲା ପ୍ରତିବାଦ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରର ସଂକୀର୍ଣ୍ଣ ମନୋଭାବ ଆଗରେ ବଳି ପଡ଼ିଲା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସରକାରର ଭୟକୁ ସ୍ପଷ୍ଟ ଭାବେ ବାରିଛନ୍ତି ବିରୋଧୀ । ହେଲେ ରାଜନୀତି କରୁ କରୁ ପଦାରେ ପଡ଼ିଗଲା ସରକାରଙ୍କ ତ୍ରୁଟି । ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ସରକାରୀ ଛୁଟି ଭାବେ ପୂର୍ବରୁ ଘୋଷଣା କରି ସରକାରୀ କ୍ୟାଲେଣ୍ଡର ଓ ଡାଏରୀ ପ୍ରିଣ୍ଟ କରାଯାଇଛି । ହେଲେ ଦିନକ ପୂର୍ବରୁ କେମିତି ଛୁଟି ବାତିଲ ହେଲା, ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି । ସରକାରୀ କର୍ମଚାରୀ ବି ଏଭଳି ନିଷ୍ପତ୍ତିକୁ ରାଜନୈତିକ ଆକ୍ରୋଶ ଭାବେ ବିବେଚନା କରି ସରକାରଙ୍କୁ ନିନ୍ଦା କରିଛନ୍ତି ।  ଅନ୍ୟପଟେ ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନ ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରିବ ବିଜୁ ଜନତା ଦଳ ।

କେବଳ ଏକ ନାଁରେ ସୀମିତ ନଥିଲେ ବିଜୁ ପଟ୍ଟନାୟକ । ପ୍ରତି ପୀଢି ପାଇଁ ଥିଲେ ରୋଲ ମଡେଲ । କୌଣସି ଦଳରେ ସୀମିତ ନାହିଁ ବିଜୁ ବାବୁଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବ । କାରଣ ସେ ଓଡ଼ିଆ ଅସ୍ମିତାର ପ୍ରତୀକ । ହେଲେ ବିଜେପି ସରକାରଙ୍କୁ ଘାରିଛି ବିଜୁ ପଟ୍ଟନାୟକ ଭୟ । ଯେଉଁଥି ପାଇଁ ରାଜ୍ୟ ସରକାର ହୀନ ମନ୍ୟତାର ପରିଚୟ ଦେଇ ବିଜୁ ଜୟନ୍ତୀରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବନ୍ଦ କରିବା ସହ ଛୁଟି ବାତିଲ କଲେ । ଦେଶର ସ୍ବାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ବିଜେପିରେ କୌଣସି ସ୍ବାଧୀନତା ସଂଗ୍ରାମୀ ନେତା ନଥିବାରୁ ସରକାର ଏବେ ପରିଚୟ ସଙ୍କଟ ଦେଇ ଗତି କରୁଛି ବୋଲି କଟାକ୍ଷ କରିଛି ବିଜେଡି ।

ଓଡ଼ିଆ ବିକାଶର ବିଶ୍ବକର୍ମା ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବାରୁ ସାଧାରଣ ଲୋକଙ୍କ ଭିତରେ ତେଜିବାରେ ଲାଗିଛି ଅସନ୍ତୋଷ । ନୂଆ ସରକାର ଆସିବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସରକାରୀ ଛୁଟି ଚୂଡ଼ାନ୍ତ ହେବା ପରେ ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ଏହାକୁ ସ୍ଥାନ ଦିଆଗଲା । ଲାଲ ରଙ୍ଗରେ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ସରକାରୀ ଛୁଟି ଦିବସ ଭାବେ ଉଲ୍ଲେଖ କରାଯାଇଛି । ହେଲେ ହଠାତ କ’ଣ ହେଲା ଯେ, ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୩ ତାରିଖ ଦିନ ଅପ୍ରତ୍ୟାଶିତ ଭାବେ ଏହାକୁ ରଦ୍ଦ କରାଗଲା । ଯାହାକୁ ନେଇ ପ୍ରଶ୍ନ କରିଛି ବିଜେଡି ।

ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନର ବହୁ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତକୁ କ୍ଷମତା ପ୍ରଦାନ ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ୨୦୧୦ରେ ତତ୍କାଳୀନ କେନ୍ଦ୍ର ସରକାର ଜାତୀୟ ପଞ୍ଚାୟତିରାଜ ଦିବସ ଆରମ୍ଭ କରିଥିଲେ । ହେଲେ ଓଡ଼ିଶାରେ ଏହାର ଦୁଇ ଦଶନ୍ଧି ପୂର୍ବରୁ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କଂଗ୍ରେସ ସରକାର ବି ଏହାକୁ ପାଳିଥିଲା । ଏପରିକି ବିଜେଡି ସହ ମେଣ୍ଟରେ ଥିବା ବିଜେପି ବି ଏଥିରେ ଆପତ୍ତି ଉଠାଇ ନଥିଲା । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହାକୁ ପରିବର୍ତ୍ତନ କରି ଓଡ଼ିଶାବାସୀଙ୍କୁ ଅପମାନିତ କରିଛି । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏ ନିଷ୍ପତ୍ତି ପରିବର୍ତ୍ତନ ନ କରିବେ, ସେ ପର୍ଯ୍ୟନ୍ତ ଚୁପ ବସିବ ନାହିଁ ବୋଲି କହିଛି ବିଜୁ ଜନତା ଦଳ । ଏପରିକି ଏହାର ପ୍ରତିବାଦରେ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ନୀରବ ପ୍ରତିବାଦ କରିଛି ବିଜେଡି ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସମ୍ମାନ ଜଣାଇଛି କଂଗ୍ରେସ । ବିଜୁ ବାବୁଙ୍କ ସମ୍ମାନରେ ମାର୍ଚ୍ଚ ୫କୁ ଛୁଟି ଦେବାର ଥିଲା । କିନ୍ତୁ ଛୁଟି ବାତିଲ କରିବା ସରକାରଙ୍କ ହୀନମନ୍ୟତା । ଯାହା ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି କହି ବିଜେପିକୁ ନିନ୍ଦା କରିଛି କଂଗ୍ରେସ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଜରୁରୀକାଳୀନ ପରିସ୍ଥିତିରେ ଛୁଟି ବାତିଲ କି ବୃଦ୍ଧି ହୋଇପାରେ । ଏପରିକି ଇଦ କି ଜଗନ୍ନାଥ ପାଞ୍ଜିର ରାଶି ନକ୍ଷତ୍ର ଦେଖି ଛୁଟି ପରିବର୍ତ୍ତନ ହୋଇପାରେ । ହେଲେ ରାଜନୈତିକ ଦୃଷ୍ଟି କୋଣରୁ ମାର୍ଚ୍ଚ ୫ର ଛୁଟିକୁ ବାତିଲ କରାଯାଇଛି ବୋଲି କହିଛନ୍ତି ସହଦେବ । ସେହିପରି ସରକାରୀ କର୍ମଚାରୀ ସଂଘ ବି ଛୁଟି ବାତିଲ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ।

ପ୍ରତିବର୍ଷ ପରି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳିବ ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ଏହାକୁ ଜନସେବା ଓ ବିଜୁ ଆଦର୍ଶର ସ୍ମୃତିଚାରଣ ଭାବେ ପାଳନ କରିବ ବିଜେଡି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନାର କାର୍ଯ୍ୟକ୍ରମ ରଖିଛି ବିଜୁ ଜନତା ଦଳ ।