spot_img
Home Blog Page 1027

ଚାମ୍ପିୟନସିପ୍ ଟ୍ରଫି ସେମିଫାଇନାଲରେ ହାରିବା ଟିମକୁ କେତେ ଟଙ୍କା ମିଳିବ ?

ନନ୍ଦିଘୋଷ ବ୍ୟୁରୋ : ଆଇସିସି ଚାମ୍ପିୟନସିପ୍ ଟ୍ରଫିର ରୋମାଞ୍ଚ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ୮ଟିରୁ ୪ଟି ଟିମ୍ ସେମିଫାଇନାଲରେ ନିଜ ସ୍ଥାନ ବନାଇଛନ୍ତି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଅନ୍ୟପକ୍ଷେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ମୁହାଁମୁହିଁ ହେବ ନ୍ୟୁଜିଲ୍ୟାଣ୍ଡ । ତେବେ ସେମିଫାଇନାଲରେ ହାରୁଥିବା ଦଳକୁ ଆଇସିସି ପକ୍ଷରୁ କେତେ ଟଙ୍କା ମିଳେ ଜାଣନ୍ତି କି ?

ସେମିଫାଇନାଲରେ ହାରିଥିବା ଦଳକୁ କେତେ ପୁରସ୍କାର ମିଳିବ?

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମୋଟ ୬.୯ ମିଲିୟନ ଡଲାର ପୁରସ୍କାର ରାଶି ସ୍ଥିର କରାଯାଇଛି । ଯାହା ୨୦୧୭ ସଂସ୍କରଣ ଅପେକ୍ଷା ୫୩ ପ୍ରତିଶତ ଅଧିକ ।ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ଦଳକୁ ୨.୨୪ ମିଲିୟନ ଡଲାର (ପ୍ରାୟ ୧୯.୫ କୋଟି ଟଙ୍କା) ଏବଂ ରନର୍ସଅପ୍ ଦଳକୁ ୧.୧୨ ମିଲିୟନ ଡଲାର (ପ୍ରାୟ ୯.୭୮ କୋଟି ଟଙ୍କା) ପ୍ରଦାନ କରାଯିବ । ଅନ୍ୟପକ୍ଷେ ସେମିଫାଇନାଲରେ ହାରିଥିବା ଦଳକୁ ୫୬୦,୦୦୦ ଡଲାର ବା ପ୍ରାୟ ୪.୮୯ କୋଟି ଟଙ୍କା ପୁରସ୍କାର ରାଶି ମିଳିବ, ଯାହା ICC ତରଫରୁ ଦିଆଯିବ ।

୮ବର୍ଷ ପରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ 

ଦୀର୍ଘ ୮ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେଉଛି। ଏହା ଶେଷ ଥର ପାଇଁ ୨୦୧୭ରେ ଆୟୋଜିତ ହୋଇଥିଲା। ଯେଉଁଥିରେ ପାକିସ୍ତାନ ଫାଇନାଲରେ ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଜିତିଥିଲା। ଏଥର, ଆୟୋଜକ ଭାବରେ ଖେଳୁଥିବା ପାକିସ୍ତାନକୁ ପ୍ରଥମ ରାଉଣ୍ଡରେ ହିଁ ବିଦା ହେବାକୁ ପଡିଲା। ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡକୁ ଗ୍ରୁପ୍ A ରେ ସ୍ଥାନିତ କରାଯାଇଥିଲା। ଗ୍ରୁପ୍ B ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ସାମିଲ ଥିଲେ। ଏଥର ଗ୍ରୁପ୍  A ରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଏବଂ ଗ୍ରୁପ୍ Bରୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଲିଙ୍ଗରାଜଙ୍କ ବେଢ଼ାରେ ଫଟୋ ଉଠାଇ ଅଡୁଆରେ ପିସିସି ସଭାପତି ଭକ୍ତ ଦାସ

ଭୁବନେଶ୍ବର: ଲିଙ୍ଗରାଜଙ୍କ ବେଢ଼ାରେ ଫଟୋ ଉଠାଇ ଅଡୁଆ ପିସିସି ସଭାପତି ଭକ୍ତ ଦାସ। ଗତକାଲି ଭକ୍ତ ଦାସ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ସାରି ଫେରିବା ସମୟରେ ମନ୍ଦିର ବେଢ଼ାରେ କିଛି ସମର୍ଥକଙ୍କ ଗହଣରେ ଫଟୋ ଉଠାଇଥିଲେ । ଉକ୍ତ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଏହାକୁ ନେଇ ଅଡୁଆରେ ପଡ଼ିଛନ୍ତି ଭକ୍ତ ଦାସ। ମନ୍ଦିର ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି। ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା । ଏବେ ପୁଣି ଲିଙ୍ଗରାଜଙ୍କ ବେଢ଼ାରେ ଫଠୋ ଉଠାଇଛନ୍ତି ପିସିସି ସଭାପତି।

ମହାରାଷ୍ଟ୍ରର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଧନଞ୍ଜୟ ମୁଣ୍ଡେ ଇସ୍ତଫା ଦେଇଛନ୍ତି । ଅଜିତ ପଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ନେତା ଧନଞ୍ଜୟ ନିଜ ପଦ ଛାଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏ ବାବଦରେ ସୂଚନା ଦେଇଛନ୍ତି । ଧନଞ୍ଜୟଙ୍କ ପିଏ ପ୍ରଶାନ୍ତ ଜୋଶୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଧନଞ୍ଜୟ ଇସ୍ତଫ ପତ୍ର ପଠାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପରେ ଉକ୍ତ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟା ମାମଲାରେ ମହାରାଷ୍ଟ୍ରର ମହାୟୁତି ସରକାରରେ ମନ୍ତ୍ରୀ ଥିବା ଧନଞ୍ଜୟଙ୍କ ମୁସ୍କିଲ ବଢ଼ିଯାଇଛି । ଏସଆଇଟି ଚାର୍ଜଶିଟରେ ଧନଞ୍ଜୟଙ୍କ ନିକଟତମ ସହଯୋଗୀ ବାଲ୍ମିକ କରାଡଙ୍କ ନାମ ମୁଖ୍ୟ  ମାଷ୍ଟରମାଇଣ୍ଡ ବୋଲି ଉଲ୍ଲେଖ କରାଯାଇଛି । ଜବରଦସ୍ତ ଅର୍ଥ ଆଦାୟକୁ ବିରୋଧ କରିଥିବା ସରପଞ୍ଚଙ୍କ ହତ୍ୟାରେ କରାଡଙ୍କ ନାମ ସାମ୍ନାକୁ ଆସିଛି । ଧନଞ୍ଜଜୟଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ ବୋଲି ଅଜିତ ପଓ୍ବାର ଓ ପ୍ରଫୁଲ୍ଲ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପତ୍ର ଲେଖିଥିଲେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାଡ଼ି ମାଡ଼ ! ପୂର୍ବ ଶତ୍ରୁତାରୁ ମାଆ-ଝିଅଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: ଗାଁ ଦାଣ୍ଡରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼। ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା କପାଳେଶ୍ଵର ପଞ୍ଚାୟତର ସମଲପୁର ଗାଁରେ। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଗାଁର ଲକ୍ଷ୍ମୀପ୍ରିୟା ଦାସଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଲକ୍ଷ୍ମୀପ୍ରିୟା ଚିତ୍କାର କରିବାରୁ ମା ପ୍ରଭାତୀ ଦାସ ଘଟଣା ସ୍ଥଳରେ ପହଂଚି ଝିଅକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ପ୍ରଭାତୀଙ୍କୁ ମଧ୍ୟ ସେମାନେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଏ ନେଇ ଲକ୍ଷ୍ମୀପ୍ରିୟା ସଦର ଥାନାରେ ଅଭିଯୋଗ କରିଛନ୍ତି l ଗାଁରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

’ଶୀଘ୍ର ଶୀଘ୍ର ଛୁଆ ଜନ୍ମ କର’: ଅଧିକ ପିଲା ଜନ୍ମ କରିବାକୁ ନବ ବିବାହିତ ଦମ୍ପତିମାନଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନଇ: ଶୀଘ୍ର ଶୀଘ୍ର ଛୁଆ ଜନ୍ମ କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଲୋକଙ୍କୁ ଅପିଲ କରିଛନ୍ତି । ତାମିଲନାଡ଼ୁ ପାଇଁ ସଫଳ ଫ୍ୟାମିଲୀ ପ୍ଲାନିଂ ଲାଗୁ କରିବା ଏକ କ୍ଷତିକାରକ ପଦେକ୍ଷପ । ଜନସଂଖ୍ୟା ଆଧାରିତ ଡିଲିମିଟେସନ ତାମିଲନାଡ଼ୁର ରାଜନୈତିକ ପ୍ରତିନିଧିତ୍ବକୁ ପ୍ରଭାବି କରିବାର ସମ୍ଭାବନା ରହିଛି । ତେଣୁ ଏହା ଉପରେ ଧ୍ୟାନ ଦେବା ଜରୁରୀ । କେନ୍ଦ୍ର ସରକାର ୨୦୨୬ରେ ଲୋକସଭା ଆସନର ଡିଲିମିଟେସନ କରି ପାରନ୍ତି । ଜନସଂଖ୍ୟାକୁ ଆଧାର କରି ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ହେବ । ତାମିଲନାଡ଼ୁ ସମେତ ୫ଟି ଦକ୍ଷିଣ ଭାରତୀୟ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ହ୍ରାସ ପାଇପାରେ । ତେଣୁ ଶୀଘ୍ର ଶୀଘ୍ର ଅଧିକ ପିଲା ଜନ୍ମ କରିବାକୁ ନବବିବାହିତ ଦମ୍ପତିଙ୍କୁ ସିଏମ୍ ଆହ୍ବାନ ଦେଇଛନ୍ତି ।

ଏକ ବିବାହ ଉତ୍ସବରେ ସାମିଲ ହେବା ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏପରି କହିଛନ୍ତି । କମ୍ ଲୋକସଭା ପାଇଁ ଆସନ ସଂଖ୍ୟା କମିଯାଇପାରେ । ଅଧିକ ଜନସଂଖ୍ୟା ଥିବା ରାଜ୍ୟକୁ ଅଧିକ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବ । ତେଣୁ ଅଧିକ ପିଲା ଜନ୍ମ ନକଲେ ଅତିକମରେ ୮ଟି ଆସନ ହରାଇବାକୁ ପଡ଼ିପାରେ । ସମୟ ନିଅ, ବିଚାର କର ଓ ସମୟକୁ ଦୃଷ୍ଟିରେ ରଖି ଶିଶୁ ଜନ୍ମ କରିବାକୁ ପୂର୍ବରୁ କୁହାଯାଉଥିଲା । ମାତ୍ର ଏବେ ସ୍ଥିତି ବଦଳି ଯାଇଛି । ଆମକୁ ତୁରନ୍ତ ଛୁଆ ଜନ୍ମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଷ୍ଟାଲିନ ମାର୍ଚ୍ଚ ୫ରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସମସ୍ତେ ଏକ ଏକହୋଇ ତାମିଲନାଡ଼ୁର ଭବିଷ୍ୟତ ଉପରେ ବିଚାର କରିବାକୁ ସେ କହିଛନ୍ତି ।

ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ: ବାପାର ମୁଣ୍ଡ କାଟି ହତ୍ୟା କଲା ପୁଅ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ବାପାର ମୁଣ୍ଡ କାଟି ହତ୍ୟା କରିଛି ପୁଅ। ମୃତକ ହେଉଛନ୍ତି ଚାନ୍ଦୁଆ ଗାଁର ବାଇଧର ସିଂ। କଟା ମୁଣ୍ଡକୁ ବ୍ୟାଗରେ ନେଇ ଥାନାକୁ ଚାଲି ଚାଲି ଗଲା ହତ୍ୟାକାରୀ ପୁଅ । କଟା ମୁଣ୍ଡ ସହ ଅଭିଯୁକ୍ତ ପୁଅ ଶମ୍ଭୁନାଥ ସିଂ ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଚାନ୍ଦୁଆ ପୋଲିସ।

ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଘଟିଛି ଏହି ଅଘଟଣ। ବିଳମ୍ୱିତ ରାତିରେ ବାପା ଓ ପୁଅ ମଧ୍ୟରେ ହୋଇଥିଲା ବଚସା ହୋଇଥିଲା। ପାରିବାରିକ ଅଶାନ୍ତି ନେଇ ବିଳମ୍ୱିତ ରାତିରେ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ପୁଅ। ମୃତ ବ୍ୟକ୍ତି ହେଉଛନ୍ତି ଚାନ୍ଦୁଆ ଗ୍ରାମ ର ବାଇଧର ସିଂ। ହତ୍ୟାକାରୀ ପୁଅ ଶମ୍ଭୁନାଥ ସିଂ। ଚାନ୍ଦୁଆ ପୋଲିସ କଟା ମୁଣ୍ଡ ଓ ଧାରୁଆ ଅସ୍ତ୍ର କୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଚାନ୍ଦୁଆ ପୋଲିସ। ବାପାଙ୍କୁ ହତ୍ୟା କରି କଟା ମୁଣ୍ଡାଙ୍କୁ ବ୍ୟାଗରେ ପୁରାଇ, ହାତରେ ଧରି ଥାନାକୁ ଚାଲି ଚାଲି ଗଲା ଅଭିଯୁକ୍ତ ପୁଅ। ଗ୍ରାମରେ ଶୋକାକୁଳ ପରିବେଶ।

ମୋବାଇଲ ପାଇଁ ଜୀବନ ନେଲା ପୁଅ ! ବାପା, ମାଆ ଓ ଭଉଣୀଙ୍କୁ ହତ୍ୟା କଲା

ଜଗତସିଂହପୁର: ଜଗତସିଂହପୁରରେ ଜଘନ୍ୟକାଣ୍ଡ। ବାପା ମାଆ ଓ ଭଉଣୀକୁ ବୀଭତ୍ସ ହତ୍ୟା। ପଥର ଓ ହେମଦସ୍ତାରେ ଛେଚି ଛେଚି ମାରି ଦେଇଛି ପୁଅ। ଗତ ରାତିର ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଗତସିଂହପୁର ଥାନା ଜୟବଡ଼ ସେଠି ସାହିରେ ଘଟିଛି ଏହି ଘଟଣା। ମୃତକ ହେଲେ ବାପା
କାଳନ୍ଦୀ ସେଠୀ, ତାଙ୍କ ସ୍ତ୍ରୀ କନକଲତା ଓ ରୋଜାଲିନ। ପୁଅ ସୂର୍ଯ୍ୟକାନ୍ତ ସମସ୍ତଙ୍କୁ ରାତିରେ ମାରି ଦେଇଥିବାର ଅଭିଯୋଗ ହୋଇଛି। ସୂର୍ଯ୍ୟକାନ୍ତ ଓରଫ୍ ବଣ୍ଟି ବହୁ ସମୟ ଧରି ମୋବାଇଲ ଖେଳୁଥିବାରୁ ଗତ ରାତିରେ ବାପା ତାକୁ ଗାଳି କରିଥିଲେ। ଏହାକୁ ନେଇ ଘରେ ପାଟିତୁଣ୍ଡ ହୋଇଥିଲା। ପରେ ରାତିରେ ଖାଇ ପିଇ ସମସ୍ତେ ଶୋଇଥିଲେ। ପଡ଼ୋଶୀ କହିଛନ୍ତି, ରାତିରେ ସମସ୍ତଙ୍କୁ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିଲା ବଣ୍ଟି।ତା ପରେ ପଡ଼ୋଶୀଙ୍କୁ କହିଥିଲା, ମୁଁ ସମସ୍ତଙ୍କୁ ମାରି ଦେଇଛି। ଗାଁ ଲୋକେ ଖବର ଦେବା ପରେ ପୋଲିସ ଆସିଥିଲା। ପୋଲିସ ଆସି ମୃତଦେହ ଜବତ କରିଛି। ଖୋଜାଖୋଜି କରିବା ପରେ ବଣ୍ଟି ପାଖ ସ୍କୁଲ ନିକଟରେ ବସିଥିବା ବେଳେ ତାକୁ ଧରିଛି ପୋଲିସ। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ତଦନ୍ତ କରୁଛି।

କ୍ରୀଡ଼ାପ୍ରେମୀ ନିରାଶ: ଭାରତର ପରାଜୟକୁ ନେଇ ୨୦୧୫ରୁ ୨୦୨୫ ମଧ୍ୟରେ ଆସୁଛି ୧୧ଟି ସଂଯୋଗ

ଆଜି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ତେବେ ଏହା ମଧ୍ୟରେ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆସିଛି ଏକ ନୈରାଶ୍ୟଜନକ ଖବର । ୨୦୧୫ରୁ ୨୦୨୫ ମଧ୍ୟରେ ୧୧ଟି ସଂଯୋଗ ସାମ୍ନାକୁ ଆସୁଛି, ଯାହାକି ଭାରତର ପରାଜୟର କାରଣ ସାଜିପାରେ । ୨୦୧୧ ବିଶ୍ବକପ ପରେ ଅଷ୍ଟ୍ରେଲିଆ ଭାରତକୁ ୩ ଥର ହରାଇଥିବା ବେଳେ ଏଥର ୧୧ଟି ସଂଯୋଗ ଭାରତ ବିପକ୍ଷରେ ଯାଉଛି ।

୧- ୨୦୧୫ ଦିନିକିଆ ବିଶ୍ବକପରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ସେମିକୁ କ୍ବାଲିଫାଏ କରିଥିଲେ । ୨୦୨୫ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

୨- ୨୦୧୫ ବିଶ୍ବକପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ । ଏଥର ମଧ୍ୟ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଛନ୍ତି ।

୩- ୨୦୧୫ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସେମି ମୁକାବିଲା ହୋଇଥିବା ବେଳେ ଏଥର ମଧ୍ୟ ସମାନ ସ୍ଥିତି ହୋଇଛି ।

୪- ୨୦୧୫ରେ ଅଷ୍ଟ୍ରେଲିଆ ଟିମରେ ଜନସନ ସରନେମ ଥାଇ ମିଚେଲ ଜନସନ ଖେଳୁଥିବା ବେଳେ ଏଥର ସ୍ପେନସର ଜନସନ ଖେଳୁଛନ୍ତି ।

୫- ୨୦୧୫ରେ ବିଶ୍ବକପ ନକଆଉଟ ମ୍ୟାଚ ମାର୍ଚ୍ଚରେ ଖେଳାଯାଇଥିଲା । ଏଥର ମଧ୍ୟ ଚାମ୍ପିୟନ୍ସ ଟ୍ରଫିର ନକଆଉଟ ମାର୍ଚ୍ଚରେ ହେଉଛି ।

୬- ୨୦୧୫ ବିଶ୍ବକପ ସେମିଫାଇନାଲ ମ୍ୟାଚ ଦୁଇଟି ଅଲଗା ଅଲଗା ଦେଶରେ ହୋଇଥିଲା । ଗୋଟିଏ ମ୍ୟାଚ ଅଷ୍ଟ୍ରେଲିଆରେ ଓ ଅନ୍ୟ ଏକ ମ୍ୟାଚ ନ୍ୟୁଜିଲାଣ୍ଡରେ ହୋଇଥିଲା । ଏଥର ମଧ୍ୟ ଦୁଇ ଅଲଗା ଅଲଗା ଦେଶ ମଧ୍ୟରେ ସେମି ମୁକାବିଲା ହେବ ।

୭- ୨୦୧୫ ବିଶ୍ବକପର ଏକ ବର୍ଷ ପରେ ଭାରତ ଟି-୨୦ ବିଶ୍ବକପ ଆୟୋଜନ କରିଥିଲା । ଏଥର ମଧ୍ୟ ୨୦୨୬ରେ  ଭାରତ ଟି-୨୦ ବିଶ୍ବକପ ଆୟୋଜନ କରିବ ।

୮- ୨୦୧୫ ବିଶ୍ବକପ ଖେଳାଯିବା ସମୟରେ ଆଇପିଏଲରେ କୋଲକାତା ଚାମ୍ପିୟନ ହୋଇଥିଲା । ଏଥର ମଧ୍ୟ କୋଲକତା ଚାମ୍ପିୟନ ହୋଇଛି ।

୯- ସେ ସମୟରେ ଆଇପିଏଲ ଫାଇନାଲରେ ଅଷ୍ଟ୍ରେଲୀୟ ଅଧିନାୟକଙ୍କୁ କୋଲକତା ହରାଇଥିଲା । ଏଥର ମଧ୍ୟ ପ୍ୟାଟ କମିନ୍ସଙ୍କ ଅଧିନାୟକତ୍ବରେ କେକେଆର ପ୍ରତିପକ୍ଷ ହାଇଦ୍ରାବାଦକୁ ହରାଇଥିଲା ।

୧୦- ୨୦୧୫ରେ ରାହୁଲ ଦ୍ରାବିଡ଼ ରାଜସ୍ଥାନକୁ ଫେରିଥିବା ବେଳେ ଏଥର ରାଜସ୍ଥାନ ସହ ଆଇପିଏଲକ ଫେରିବେ ।

୧୧- ୨୦୧୫ରେ ଆର ଅଶ୍ବିନ ଆଇପିଏଲରେ ଚେନ୍ନଇ ତରଫରୁ ଖେଳୁଥିବା ବେଳେ ଏଥର ମଧ୍ୟ ସିଏସକେ ପାଇଁ ଖେଳିବେ ।

ଟ୍ରମ୍ପଙ୍କ ବଡ଼ ଘୋଷଣା: କାନାଡ଼ା ଓ ମେକ୍ସିକୋ ଉପରେ ଆଜିଠାରୁ ୨୫ ପ୍ରତିଶତ ଟାରିଫ ଲାଗୁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ବାର ସାରା ବିଶ୍ବର ଶେୟାର ବଜାର ପାଇଁ ବିପଦ ସୃଷ୍ଟି କରିଛି । କାନାଡ଼ା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଟମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଆମେରିକା ସମେତ ଏସୀୟ ବଜାରଗୁଡ଼ିକରେ ହଡ଼କମ୍ପ ମଚିଯାଇଛି । ଆମେରିକା ଆଜିଠାରୁ ଦୁଇ ଦେଶ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବ ବୋଲି ପୂର୍ବରୁ ସଙ୍କେତ ଦେଇ ସାରିଥିଲା । ଏହାଫଳରେ ଡାଉ ଜୋନ୍ସ ଠାରୁ ଆରମ୍ଭ କରି ଏସଏଣ୍ଡପି-୫୦୦ ପର୍ଯ୍ୟନ୍ତ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ଏସୀୟ ବଜାରରେ ମଧ୍ୟ ବହୁ ହ୍ରାସ ଦେଖିବାକୁ ମିଳିଛି । ଗିଫ୍ଟ ନିଫ୍ଟୀ ମଧ୍ୟ ଲାଲ ପ୍ରତୀକରେ କାରବାର କରୁଛି ।

ଟ୍ରମ୍ପଙ୍କ ଏହି ଘୋଷଣା ପରେ ନର୍ଥ ଆମେରିକୀ ଟ୍ରେଡ ଓ୍ବାରର ଆଶଙ୍କା ପୁଣି ଥରେ ବଢ଼ିଯାଇଛି । ଦୁଇ ଆମେରିକୀୟ ପଡ଼ୋଶୀ ଫେଣ୍ଟେନାଇଲ ତସ୍କରୀ ବିରୋଧରେ ନିଜେ ଲଢ଼ିବା ଓ ଅବୈଧ ଓ ମିଗ୍ରେସନକୁ ରୋକିବା ପାଇଁ ବାଧ୍ୟ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରମ୍ପ କରିଛନ୍ତି । ତେବେ ଦୁଇ ଦେଶଙ୍କ ସହ ବ୍ୟାପାର ଅସନ୍ତୁଳନକୁ ମଧ୍ୟ ସନ୍ତୁଳିତ କରିବାକୁ ସେ ଚାହାନ୍ତି । ଅଧିକ କାରଖାନାକୁ ଆମେରିକାରେ ସ୍ଥାନାନ୍ତରିତ କରିବାକୁ ପ୍ରେରିତ କରିବାକୁ ଟ୍ରମ୍ପ ଚାହାନ୍ତି । ଆଜିଠାରୁ କାନାଡ଼ା ଓ ମେକ୍ସିକୋ ଉପରେ ୨୫ ପ୍ରିଶତ ଟାରିଫ ଲାଗୁ ହେବ ବୋଲି ଟ୍ରମ୍ପ କହିଛନ୍ତି ।

ଖୁବ୍ ଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ପଞ୍ଜୀକରଣ କଟକଣା: ଆପାର୍ଟମେଣ୍ଟ କିଣାବିକା ପାଇଁ ବାଟ ଫିଟିବ, ଜାରି ହେବ ବିସ୍ତୃତ ନିର୍ଦ୍ଦେଶନାମା

ଭୁବନେଶ୍ବର: ଖୁବ୍ ଶୀଘ୍ର ଦୂର ହେବ ପାର୍ଟ ପ୍ଲଟ ପଞ୍ଜୀକରଣ କଟକଣା । ଏହି ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏକ ଚିଠା ଗାଇଡଲାଇନ ରାଜସ୍ବ ବିଭାଗକୁ ଦେଇଛି। ରାଜସ୍ବ ବିଭାଗ ଏହା ଉପରେ ଅଧିକ ତର୍ଜମା କରିବାକୁ ଉଭୟ ବିଭାଗର ଅଧିକାରୀଙ୍କ ସହ ଆସନ୍ତା ୬ ତାରିଖରେ ବୈଠକ କରିବେ । ୫ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପ୍ଲଟ ପଞ୍ଜୀକରଣ ପାଇଁ ବାଟ ବାହାରିଛି । ଏଥିରେ ଥିବା ପାର୍ଟ ପ୍ଲଟ ପଞ୍ଜୀକରଣ ପୂର୍ବରୁ କ୍ରେତା ପ୍ରଥମେ ରାସ୍ତା, ଡ୍ରେନେଜ ପାଇଁ ଆବଶ୍ୟକୀୟ ଜମି ସରକାରଙ୍କ ନାମରେ ରେଜିଷ୍ଟ୍ରେସନ କରିବାକୁ ସ୍ଥିର ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କେବଳ ପାର୍ଟ ପ୍ଲଟ ନୁହଁ, ଆପାର୍ଟମେଣ୍ଟ କିଣାବିକା ପାଇଁ ବାଟ ଫିଟିବାର ଆଶା ରଖାଯାଇଛି । ମାର୍ଚ୍ଚ ମାସ ମଧ୍ୟରେ ସରକାର ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିବାକୁ ଉଦ୍ୟମ କରୁଛନ୍ତି । ଏପ୍ରିଲ ମାସରୁ ଏସବୁ ସମସ୍ୟାର ସମାଧାନ ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।