ନନ୍ଦିଘୋଷ ବ୍ୟୁରୋ: ICC ଚାମ୍ପିଅନ୍ସ ଟ୍ରଫିରେ ଫାଇନାଲ୍ ଗ୍ରୁପ୍ ମୁକାବିଲା । ଆଜି ଇଣ୍ଡିଆ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର । ସେମି ଫାଇନାଲରେ ଉଭୟ ଟିମ୍ ସ୍ଥାନ ପକ୍କା କରିସାରିଛନ୍ତି । ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ପ୍ରଦର୍ଶନ ଦମଦାର ରହିଛି। ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତୀୟ ସମୟ ୨ଟା ୩୦ରେ ଆରମ୍ଭ ହେବ ଖେଳ । ତେବେ ଭାରତୀୟ ସ୍କ୍ବାର୍ଡରେ କିଛି ପରିବର୍ତ୍ତନ ହୋଇପାରେ । କିୱି ଟିମ ମଧ୍ୟ କିଛି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି । ଉଭୟ ଟିମ୍ ବେଶ ଦମଦାର ପ୍ରଦର୍ଶନ କରିଥିବାରୁ ମନୋବଳ ଦୃଢ଼ ରଖିଛନ୍ତି । ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି ନ୍ୟୁଜିଲାଣ୍ଡ । ଭାରତ ମଧ୍ୟ ପାକିସ୍ତାନ ଓ ବାଂଲାଦେଶକୁ ହରାଇଛି।
ଟ୍ରମ୍ପ-ଜେଲେନସ୍କି କଥା କଟାକଟି: କ’ଣ ହେବ ଯୁଦ୍ଧର ସ୍ଥିତି
ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଥା କଟାକଟି । ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଏହା ଫସର ଫାଟିଛି । କଥାବାର୍ତ୍ତା ବେଳେ ଆମେରିକା ସହ ଖଣିଜ ପଦାର୍ଥ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବା ଆଶା ଥିଲା । ମାତ୍ର ବୈଠକରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସବୁ କିଛି ଧୂଳିସାତ ହୋଇଛି । ଏପରିକି ଜେଲେନସ୍କି ଓ ତାଙ୍କ ପ୍ରତିନିଧିଙ୍କୁ ହ୍ବାଇଟ ହାଉସରୁ ବାହାରି ଯିବା ଲାଗି ବି ନିର୍ଦ୍ଦେଶ ଦିଆଯିବାରୁ କୌଣସି ମିଳିତ ଘୋଷଣାନାମା ଜାରି ହୋଇପାରିନାହିଁ ।
ଶାନ୍ତି ପ୍ରତିଷ୍ଠା ଲାଗି ଜେଲେନସ୍କି ଅଙ୍ଗୀକୃତ ନୁହଁନ୍ତି ଏବଂ ସେ ସମ୍ମାନ ଦେଇ ଜାଣନ୍ତି ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ଆଲୋଚନା ବେଳେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବି ଉପସ୍ଥିତ ଥିଲେ । ତେବେ ଜେଲେନସ୍କି ଏକ ବିତର୍କ ସୃଷ୍ଟି କରିବାରୁ କଥାବାର୍ତ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ଏପରିକି ଆପଣ ତୃତୀୟ ବିଶ୍ବଯୁଦ୍ଧ ସୃଷ୍ଟି ଲାଗି ଉଦ୍ୟମ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ନେଇ ଟ୍ରମ୍ପଙ୍କୁ ଜେଲେନସ୍କି ପ୍ରଶ୍ନ କରିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । କିଛି ଦିନ ତଳେ ଜେଲେନସ୍କିଙ୍କୁ ଏକଛତ୍ରବାଦୀ ବୋଲି ଅଭିହିତ କରିଥିଲେ ଟ୍ରମ୍ପ । ପୁଟିନଙ୍କ ଅସ୍ତ୍ର ବିରତି ଉଲ୍ଲଂଘନ ପ୍ରସଙ୍ଗକୁ ଜେଲେନସ୍କି ଉଠାଇବାରୁ ଟ୍ରମ୍ପ ଉତକ୍ଷିପ୍ତ ହୋଇଯାଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଜେଲେନସ୍କିଙ୍କୁ ଭାନ୍ସ ପ୍ରଶ୍ନ କରିବା ପରେ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପରେ ବୈଠକକୁ ଟ୍ରମ୍ପ ବାତିଲ କରିବା ସହ ମିଡିଆକୁ ସମ୍ବୋଧନ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ ବୈଠକରୁ ବାହାରି ଯିବା ପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ଜେଲେନସ୍କି ।
ସେପଟେ ୟୁକ୍ରେନକୁ ସହାୟତା ଜାରି ରହିବ ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ଜେଲେନସ୍କିଙ୍କୁ ବି ସମର୍ଥନ କରିଛନ୍ତି ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ ଓ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ । ସେପଟେ ଜେଲେନସ୍କି କହିଛନ୍ତି, ଯୁଦ୍ଧ ଶେଷ କରିବା ଲାଗି କୌଣସି ପକ୍ଷ ଚାହୁଁନାହାନ୍ତି । କାରଣ ସମସ୍ତ ପକ୍ଷ ଭୟଭୀତ ଅଛନ୍ତି । ଋଷ ପ୍ରତି ୟୁକ୍ରେନର ଥିବା ଦୃଷ୍ଟିଭଙ୍ଗୀକୁ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଜେଲେନସ୍କି । ସେପଟେ ନିଜ ଆଚରଣ ଲାଗି ଜେଲେନସ୍କି ଦୁଃଖ ପ୍ରକାଶ କରିଥିବା ସୂଚନା ମିଳିଛି ।
ସେପଟେ ଟ୍ରମ୍ପଙ୍କ ଏହି ମନୋଭାବକୁ ସମର୍ଥନ କରିଛନ୍ତି ଋଷ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖରୋଭା । ତେଣେ ଜେଲେନସ୍କିଙ୍କୁ ୟୁରୋପୀୟ ରାଷ୍ଟ୍ର ସଂଘର ସଦସ୍ୟ ରାଷ୍ଟ୍ର ସମର୍ଥନ କରିଥିବା ଜଣାଯାଇଛି ।
ଫିକା ପଡ଼ିଲା ସୁଭଦ୍ରା ଶକ୍ତି ମେଳା, ଫେରିଗଲେ ଏସଏଚଜି ମହିଳା
ବଲାଙ୍ଗୀର: ଗତକାଲି ବଲାଙ୍ଗୀରରେ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତି ମେଳା ପଡ଼ିଲା ଫିକା । ଆସିଲେନି ଏସଏଚଜି ମହିଳା । ଯିଏ ବି ଆସିଲେ, ଅବ୍ୟବସ୍ଥାକୁ ଦେଖି ସରକାରଙ୍କ ଉପରେ ବର୍ଷିବା ସହ ଫେରିଗଲେ ।
ସୂଚନାଯୋଗ୍ୟ, ବଲାଙ୍ଗୀର କୋଶଳ କଳା ମଣ୍ଡପ ପଡିଆରେ ଗତକାଲି ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରାଯାଇଛି । ପୂର୍ବର ବିଜେଡି ସରକାରଙ୍କ ସମୟରେ ଯେପରି ମିଶନଶକ୍ତି ମହିଳା ଓ ମହିଳା ଉଦ୍ୟୋଗୀ ଉତ୍ସାହିତ ହୋଇ ଭାଗ ନେଉଥିଲେ, ସରକାର ବଦଳିବା ପରେ ସେମିତି ଉତ୍ସାହ ଦେଖିବାକୁ ମିଳୁନାହିଁ । ଗତକାଲି ଏହାର ଉଦଘାଟନ ହୋଇଥିବା ବେଳେ ୧୫୦ଟି ଷ୍ଟଲ ନିର୍ମାଣ କରାଯାଇଥିଲା । କିନ୍ତୁ ଅଧିକାଂଶ ଷ୍ଟାଲ ଫାଙ୍କା ପଡ଼ି ଥିବା ଦେଖିବାକୁ ମିଳିଥିଲା । କାମ ଅଧା ସରିଥିବା ବେଳେ ତରବରିଆ ଭାବେ ମେଳା ଉଦଘାଟନ କରାଯାଇଛି । ଅନେକ ଅବ୍ୟବସ୍ଥା ରହିଥିବାରୁ ବାହାରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି I
ସେହିପରି ସୁଭଦ୍ରା କାର୍ଯ୍ୟକ୍ରମ ମଧ୍ୟ ଫିକା ପଡିଥିଲା I ମନ୍ତ୍ରୀ, ସାଂସଦ ଓ ବିଧାୟକ ଅତିଥି ଭାବରେ ଯୋଗ ଦେବାର ଥିଲେ ବି କେହି ଆସି ନଥିଲେ । ଶେଷରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର ଏହାକୁ ଉଦଘାଟନ କରିଥିଲେ I ଉଦଘାଟନୀ ଉତ୍ସବରେ ହାତଗଣତି କିଛି ମହିଳା ଯୋଗ ଦେଇଥିଲେ । ବହୁ ଚୌକି ଖାଲି ପଡିଥିବା ଦେଖାବାକୁ ମିଳିଥିଲା । ଏହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ତାଗିଦ କରିଥିଲେ।
ଶ୍ରୀମନ୍ଦିରରେ ଜେପିଟି କର୍ମଚାରୀ ନିଯୁକ୍ତି ପ୍ରସଙ୍ଗ, ମନ୍ଦିର ପ୍ରଶାସନର ଚିଠିକୁ ନେଇ ତେଜିଲା ଅସନ୍ତୋଷ
ପୁରୀ: ଶ୍ରୀମନ୍ଦିରରେ ଜେଟିପି କର୍ମଚାରୀ ନିୟୋଜନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଚିଠି କରାଯାଇଛି । ଏହାକୁ ନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାପ୍ରମୁଙ୍କ ସେବା ନେଇ ଦୀର୍ଘ ବର୍ଷ ହେବ ଜଗନ୍ନାଥ ଟେମ୍ପଲ ପୋଲିସ ବା ଜେଟିପି ନିୟୋଜିତ ହୋଇ ଆସୁଥିବା ବେଳେ ସେମାନଙ୍କର ନିଯୁକ୍ତି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିଜେ କରି ଆସୁଥିଲା ।
ଏବେ ୭୫ଟି ଜେଟିପି ନିଯୁକ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଚିଠି କରାଯାଇଛି । ଚିଠିରେ ଭୁବନେଶ୍ଵର ସହିଦନଗରର ଏମ୍/ଏସ୍ ପ୍ରପର୍ଟି ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡକୁ ନିଯୁକ୍ତିରେ ସହଯୋଗ ପାଇଁ ନିବେଦନ କରାଯାଇଛି । ଏହି ଚିଠିର ନମ୍ବର ରହିଛି ୨୬୦୨/୨୭.୦୨.୨୦୨୫ । ଚିଠିରେ ୬୦ଜଣ ପୁରୁଷ ଓ ୧୫ଜଣ ମହିଳାଙ୍କୁ ଜେଟିପି ସ୍କ୍ୱାଡ୍ ଭାବେ ନିଯୁକ୍ତି ଦେବା ପାଇଁ ଦର୍ଶାଯାଇଛି । ଯାହା ବେଆଇନ ବୋଲି ବିଭିନ୍ନ ମହଲରେ ଅଭିଯୋଗ କରାଯାଇଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ସେବାୟତ ପରିବାରର ସଦସ୍ୟଙ୍କୁ ଜେଟିପିରେ ନିଯୁକ୍ତି ପାଇଁ ବରିଷ୍ଠ ସେବାୟତ ଦାବି କରିଛନ୍ତି । ସେପଟେ ଜେଟିପି ନିଯୁକ୍ତିରେ ଘରୋଇ ସଂସ୍ଥାକୁ ଚିଠିକୁ ନେଇ ଦୁର୍ନୀତିର ଗନ୍ଧ ବାରି ହେଉଛି ।

