spot_img
Home Blog Page 1037

ପୁରୁଣା ଗାଡିକୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ଶନିବାରକୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ତାରିଖରୁ ଦିଲ୍ଲୀରେ ପେଟ୍ରୋଲ ପମ୍ପରେ ତେଲ ଭରିବା ଉପରେ ଲାଗିବ କଟକଣା । କେବଳ ପେଟ୍ରୋଲ ପମ୍ପ ନୁହେଁ ସିଏନଜି ଷ୍ଟେସନରେ ବି କଟକଣା ଲାଗିବ । ୧୫ ବର୍ଷରୁ ଅଧିକ ଗାଡିଙ୍କୁ ମାର୍ଚ୍ଚ ୩୧ ତାରିଖ ପରଠାରୁ ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନରୁ ତେଲ କି ଗ୍ୟାସ୍ ମିଳିବନି । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ନେଇ ଅଧିକାରୀଙ୍କ ସହ ଆଲୋଚନା ପରେ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ବୈଠକରେ ପୁରୁଣା ଗାଡି ଉପରେ ପ୍ରତିବନ୍ଧକ, ଆଣ୍ଟି ସ୍ମୋକ ଉପାୟ ଏବଂ ଇ-ଭେଇକିଲ ଚଳାଚଳ ଉପରେ ଆଲୋଚନା ହୋଇଥିଲା । ମନ୍ତ୍ରୀ କହିଛନ୍ତି, ଆମେ ପେଟ୍ରୋଲ ପମ୍ପରେ ମେସିନ ବସାଇବୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ଓ ଉକ୍ତ ଗାଡ଼ିକୁ ତେଲ ମିଳିବ ନାହିଁ ।

ମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟକୁ ସୂଚିତ କରିବ । ପୁରୁଣା ଗାଡିରେ ଇନ୍ଧନ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲଗାଯିବା ସହ ରାଜଧାନୀରେ ଉଚ୍ଚା ବିଲ୍ଡିଂ, ହୋଟେଲ ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ବାୟୁ ପ୍ରଦୂଷଣ କମ କରିବା ପାଇଁ ଆଣ୍ଟି ସ୍ମୋକିଂ ଗନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଦିଲ୍ଲୀରେ ଚଳାଚଳ କରୁଥିବା ୯୦ ପ୍ରତିଶତ ସିଏନଜି ବସକୁ ୨୦୨୫ ଡିସେମ୍ବର ସୁଦ୍ଧା ପର୍ଯ୍ୟାୟ କ୍ରମେ ହଟାଯିବା ସହ ସେ ସ୍ଥାନରେ ଇ-ବସ୍ ଚଳାଚଳ କରାଯିବ । ଏହାସହ ପୂର୍ବ ଆପ ସରକାରକୁ ମନ୍ତ୍ରୀ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ପୂର୍ବର ସରକାର ବାୟୁ ପ୍ରଦୂଷଣ କମ କରିବା ଉପରେ କୌଣସି କାମ କରିନାହାନ୍ତି । କେନ୍ଦ୍ର ସରକାର ଦେଉଥିବା ଅର୍ଥ ବି ଖର୍ଚ୍ଚ କରାଯାଇନି । ଦିଲ୍ଲୀରେ ମୁଖ୍ୟତଃ ପ୍ରଦୂଷଣ ଧୂଳି, ଗାଡି ଓ ନିର୍ମାଣରୁ ହୋଇଥାଏ । ପୂର୍ବ ସରକାର ଦିଲ୍ଲୀରେ ସ୍କ୍ରିଙ୍କଲର ବି ଲଗାଇ ନାହାନ୍ତି ।  ଆମେ ଏକ କମିଟି ଗଠନ କରୁଛୁ, ଯାହା ୧୫ ବର୍ଷ ପୁରୁଣା ଗାଡିକୁ ଚିହ୍ନଟ କରିବେ ।

ମଣିପୁରରେ ୮ ତାରିଖରୁ ସମସ୍ତ ରାସ୍ତା ଖୋଲିବା ସହ ଅବାଧ ଯାତାୟାତ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ହିଂସା ଜର୍ଜରିତ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜ୍ୟପାଳଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ବୈଠକ । ନୂଆଦିଲ୍ଲୀରେ ବସିଥିବା ଏହି ବୈଠକରେ ଆସନ୍ତା ୮ରୁ ରାଜ୍ୟରେ ଅବାଧ ଚଳାଚଳ ଦିଗରେ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଶାହ । ରାଜ୍ୟର ସମସ୍ତ ରାସ୍ତାରେ ଯେପରି ଲୋକେ ମୁକ୍ତ ଭାବେ ଚଳାଚଳ କରିପାରିବେ ସେଥିଲାଗି ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ।

ଯେଉଁମାନେ ରାସ୍ତା ଅବରୋଧ କରିବେ କିମ୍ବା ସାଧାରଣ ଚଳାଚଳ ଉପରେ ପ୍ରତିବନ୍ଧକ ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ମଣିପୁରର ଅନ୍ତର୍ଜାତୀୟ ସୀମାରେ ଥିବା ପ୍ରବେଶ ସ୍ଥଳଗୁଡିକରେ ତାରବାଡ ଯଥାଶୀଘ୍ର ସାରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ହିଂସା ସମୟରେ ଲୁଟ ଅସ୍ତ୍ରଶସ୍ତ୍ର ଓ ଲୋକଙ୍କ ପାଖରେ ଥିବା ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି । ସୂଚନାଯୋଗ୍ୟ, ୨୦୨୩ରୁ ମଣିପୁରରେ ହିଂସା ଜାରି ରହିଛି । ଯେଉଁଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି ।

ମାର୍ଚ୍ଚ ଶେଷକୁ ଫେରିବେ ସୁନିତା ୱିଲିୟମସ ଏବଂ ବଚ୍ ଓ୍ବିଲମୋର, ନାସା ଦେଲା ସୂଚନା

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ସୁନୀତା ଓ୍ବିଲିୟମ୍ସ ଏବଂ ବଚ୍ ଓ୍ବିଲମୋର କେବେ ଫେରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ଫେରିବା ଆଶା ଆଶଙ୍କା ଭିତରରେ ଥିବା ବେଳେ ନାସା ଦେଇଛି ଏକ ଭଲ ଖବର । ଦୀର୍ଘ ୮ ମାସ ପରେ ମହାକାଶରେ ଫସିଥିବା ଦୁଇ ମହାକାଶଚାରୀ ସୁନୀତା ଏବଂ ବଚ୍ ଚଳିତମାସ ଶେଷ ଭାଗରେ ପୃଥିବୀକୁ ଫେରିବେ । ଏନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ନାସା ପକ୍ଷରୁ କୁହାଯାଇଛି, ଚଳିତମାସ ୧୨ ତାରିଖରେ ଉଭୟଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରିପ୍ଲେସ କରିବେ ଅନ୍ଯ ମହାକାଶଚାରୀ। ଏହାର କିଛି ଦିନ ପରେ ଦୁହେଁ ପୃଥିବୀ ଫେରିବା ସମ୍ଭାବନା ରହିଛି । ସୁନୀତା ଓ ୱିଲମୋରଙ୍କୁ ଯେଉଁମାନେ ରିପ୍ଲେସ କରିବେ ସେମାନେ ହେଲେ କମାଣ୍ଡର ଆନେ ମ୍ୟାକ୍ଲେନ, ପାଇଲଟ ନିକୋଲ ଆୟର୍ସ, ମିସନ ସ୍ପେସାଲିଷ୍ଟ ତାକୁୟା ଓନିସି ଏବଂ ରସକସମସ କସମୋନଟ କିରିଲ ପେସକୋଭ ।

ମହାକାଶରେ ଫସିଥିବା ସୁନୀତା ଓ ୱିଲମୋରଙ୍କୁ ଭେଟିବା ପରେ ସମ୍ଭାବ୍ୟ ଅସୁସ୍ଥତାରୁ ବର୍ତ୍ତିବା ଲାଗି ଏହି ୪ ମହାକାଶଯାତ୍ରୀ ଦୁଇ ସପ୍ତାହ ଧରି ଆଇସୋଲେସନରେ ରହିବେ । ଆସନ୍ତା ୧୨ରେ ସ୍ପେସ ଏକ୍ସ ଫାଲକନ-୯ ରକେଟର ଡ୍ରାଗନ ସ୍ପେସକ୍ରାଫ୍ଟରେ ସେମାନେ ମହାକାଶକୁ ଯିବେ । ନାସାର କେନେଡି ସ୍ପେସ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯିବ । ତେବେ ପାଣିପାଗ ଉପରେ ୨ ମହାକାଶଚାରୀଙ୍କ ଫେରିବା ନିର୍ଭର କରେ ବୋଲି କହିଛି ନାସା । ଗତବର୍ଷ ଜୁନ ୫ରେ ବୋଇଂ ଷ୍ଟାରଲାଇନରରେ ସୁନୀତା ଓ ୱିଲମୋର ମହାକାଶ ଯାଇଥିଲେ। ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ସେମାନେ ଫେରିପାରିନାହାନ୍ତି ।

ରାସନ କାର୍ଡ କଟିବା ନେଇ ସରକାରଙ୍କୁ ଘେରିଲା ବିଜେଡି: ଯୋଗ୍ୟ କିଏ ଅଯୋଗ୍ୟ କିଏ ଜାଣି ପାରୁନାହାନ୍ତି ସରକାର

ଭୁବନେଶ୍ବର: ରାସନ କାର୍ଡ କଟିବା ନେଇ ସରକାରଙ୍କୁ ଘେରିଲା ବିଜେଡି । ଯୋଗ୍ୟ କିଏ ଅଯୋଗ୍ୟ କିଏ ରାଜ୍ୟ ସରକାର ଜାଣିପାରୁନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଇ-କେୱାଇସି ନାଁରେ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନରୁ ବାଦ ଦିଆଯାଉଛି । ପାନ ଦୋକାନୀ, ଚା ଦୋକାନୀ ସହ ବହୁ ଗରିବ ଲୋକଙ୍କୁ ରାସନ୍ କାର୍ଡରୁ ବାଦ୍ ଦିଆଯାଇଛି । ସେଥିପାଇଁ ବିଜେଡି ପ୍ରଶ୍ନ କରିଛି କି ସରକାର କାହାକୁ ଭୂତ କହୁଛନ୍ତି ? ଯୋଗ୍ୟ କାହାକୁ କହୁଛନ୍ତି ତାହା କେହି ଜାଣୁନାହାନ୍ତି । ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ଦିଆଯାଉ ବୋଲି ନିବେଦନ କରିଛି ବିଜେଡି । ନୂଆ ପୋର୍ଟାଲ ଜରିଆରେ ଗଳା ବାଟ ଦେଇ ଅଯୋଗ୍ୟଙ୍କୁ ରାସନ୍ କାର୍ଡ ଦିଆ ନଯାଉ ବୋଲି ଦାବି କରିଛି ବିଜେଡି । ସେହିପରି ବିଜେଡି ସ୍ବରରେ ସ୍ବର ମିଳାଇଛି କଂଗ୍ରେସ । ରାସନ କଟୁଥିବା ଲୋକଙ୍କ ତାଲିକା ଦେବାକୁ ସରକାରଙ୍କ ନିକଟରେ ଦାବି ରଖିଛି କଂଗ୍ରେସ । ଭୂତ କାର୍ଡ କହି ଯୋଗ୍ୟ ଲୋକଙ୍କ ରାସନ୍ କାର୍ଡ କାଟୁଛନ୍ତି ଏବଂ ଅବାନ୍ତର ଯୁକ୍ତି କରୁଛନ୍ତି । ସରକାରଙ୍କ ତଥ୍ୟରେ ତାଳମେଳ ନାହିଁ । ତେଣୁ ସରକାର ଧୀରେ ସ୍ଥିର ଭାବରେ ରାସନ ନିଷ୍ପତ୍ତି ନିଅନ୍ତୁ । ଗରିବ ଲୋକଙ୍କ ରାସନ ନ କାଟିବାକୁ କହିଛି କଂଗ୍ରେସ। ଦରକାର ହେଲେ ସରକାର ପ୍ରଥମେ ଯୋଗ୍ୟ ଓ ଅଯୋଗ୍ୟ କିଏ ଚିହ୍ନଟ କରନ୍ତୁ ବୋଲି ଚେତାଇ ଦେଇଛି କଂଗ୍ରେସ ।

କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଅର୍ଥକୁ ଅଟକାଇଥିଲେ କେଜ୍ରିଓ୍ବାଲ ସରକାର: CAG

ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଅର୍ଥକୁ ସେ ସମୟରେ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍‌ ଆଦମୀ ପାର୍ଟି (ଆପ) ସରକାର ଅଟକାଇଥିଲେ । ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG) ରିପୋର୍ଟରେ ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ନେଇ ଏଭଳି ତଥ୍ୟ ଦିଆଯାଇଛି । ପୂର୍ବ ଆପ ସରକାର କାର୍ଯ୍ୟକାଳରେ ଦିଲ୍ଲୀରେ ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ, ଅପରେସନ ଥିଏଟର ବନ୍ଦ ଓ ଔଷଧ ସମସ୍ୟାକୁ ନେଇ ଖୁଲାସା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ତରଫରୁ ବିଧାନସଭାରେ ଜାରି କରାଯାଇଥିବା ରିପୋର୍ଟରେ କରୋନା ସମୟରେ ମଧ୍ୟ କୁପରିଚାଳନା ହୋଇଥିବା କୁହାଯାଇଛି ।

CAG ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ଅବସରରେ ଦିଲ୍ଲୀବାସୀଙ୍କ ଟିକାକରଣ ପାଇଁ ଯେଉଁ ଅର୍ଥ କେନ୍ଦ୍ର ସରକାର ଜାରି କରିଥିଲେ, ତାହାକୁ ସେହି ସମୟରେ କ୍ଷମତାରେ ଥିବା ଅରବିନ୍ଦ କେଜ୍ରିଓ୍ବାଲ ସରକାର ବହୁ ସମୟ ଧରି ଅଟକାଇ ରଖିଥିଲେ । କେନ୍ଦ୍ରରୁ ଯେଉଁ ଅର୍ଥ ୨୦୨୧ ମସିହା ମାର୍ଚ୍ଚରେ ମିଳିଥିଲା, ତାହାକୁ ଏପ୍ରିଲ ଓ ମେ ଯାଏ ଆଗକୁ ବଢ଼ାଯାଇଥିଲା । ଟିକାକରଣର ପୂରା ଅର୍ଥ ଖର୍ଚ୍ଚ କରାଯାଇନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ସ୍ୱୀକାର କଲା ବୋର୍ଡ

କଟକ: ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି । ବିଜ୍ଞାନ ସି-ସେଟରେ କିଛି ତ୍ରୁଟି ଥିବା ନେଇ ସ୍ୱୀକାର କରିଛି ବୋର୍ଡ । ପ୍ରଶ୍ନପତ୍ରରେ ୪ ମାର୍କ କମ ଥିବା ନେଇ ବୋର୍ଡ କର୍ତ୍ତୃପକ୍ଷ ମାନିଛନ୍ତି । ରାଜ୍ୟର କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସବଜେକ୍ଟିଭ ସି-ସେଟ୍ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ। ଏହି ତ୍ରୁଟି ଦ୍ଵାରା ସେହି ସେଣ୍ଟର କୌଣସି ବିଦ୍ୟାର୍ଥୀଙ୍କ ଫଳ ପାଇବାରେ ଅସୁବିଧା ହେବନାହିଁ ବୋଲି ବୋର୍ଡ ଆଶ୍ବସ୍ତ କରିଛି । ୪ ମାର୍କ ଗ୍ରେସ ଦିଆଯିବ କି ନାହିଁ ସେ ନେଇ କଣ୍ଡକ୍ଟିଂ ବୋର୍ଡ ନିଷ୍ପତ୍ତି ନେବ । ହେଲେ ପ୍ରଶ୍ନପତ୍ର ଭାଇରାଲ ଖବରକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି ବୋଲି କହିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।

ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ କେଉଁ ଟିମକୁ ସାମ୍ନା କରିବ ଟିମ୍  ଇଣ୍ଡିଆ?

ଚଳିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଗ୍ରୁପ-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ କ୍ବାଲିଫାଏ କରି ସାରିଛନ୍ତି । ଅନ୍ୟପକ୍ଷରେ ଗ୍ରୁପ-ବି’ରେ ଅଷ୍ଟ୍ରେଲିଆ ମଧ୍ୟ କ୍ବାଲିଫାଏ କରିଛି । ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଚତୁର୍ଥ ସେମି କ୍ବାଲିଫାୟରକୁ ବାଛିବ । ଆସନ୍ତା ୪ ତାରିଖରେ ପ୍ରଥମ ସେମି ଓ ୫ରେ ଦ୍ବିତୀୟ ସେମି ଖେଳାଯିବ । ତା ପୂର୍ବରୁ ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସେମିରେ କେଉଁ ଟିମକୁ ଭେଟିବ ଟିମ୍ ଇଣ୍ଡିଆ? ସେନଇ ଏବେ କିଛି ସ୍ପଷ୍ଟ ହୋଇ ନାହିଁ ।

ଏଥର ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ-ଏ’ର ଟପ ଟିମ ସହ ଗ୍ରୁପ-ବି’ର ଦ୍ବିତୀୟ ସ୍ଥାନରେ ରହିଥିବା ଟିମ୍ ସହ ପ୍ରଥମ ସେମି ଖେଳାଯିବ । ସେହିପରି ଗ୍ରୁପ-ବି’ର ଟପ ଟିମ୍ ସହ ଗ୍ରୁପ-ଏ’ର ଦ୍ବିତୀୟ ସ୍ଥାନରେ ରହିଥିବା ଟିମ ସହ ଦ୍ବିତୀୟ ସେମି ଖେଳାଯିବ । ଭାରତ ଏବେ ଗ୍ରୁପ-ଏ’ରେ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଯଦି ନ୍ୟଜିଲାଣ୍ଡକୁ ହରାଇଦିଏ, ତେବେ ଟେବୁଲ ଟପକୁ ପହଞ୍ଚିଯିବ । ଗ୍ରୁପ-ବି’ରୁ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରୁ ଗୋଟିଏ ଟିମ୍ ସେମିକୁ ଯିବ । ଆଫଗାନିସ୍ତାନ ସେମିରେ ପହଞ୍ଚିବାର ସମ୍ଭାବନା କମ୍ ରହିଛି । ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ହରାଇଦିଏ, ତେବେ ଦକ୍ଷିଣ ଆଫ୍ରିକା ଗ୍ରୁପ-ବି ଟପ୍ପର ହୋଇଯିବ । ଏଭଳି ସ୍ଥିତିରେ ଭାରତ ଯଦି ନ୍ୟୁଜିଲାଣ୍ଡ ଠାରୁ ହାରିଯାଏ ତେବେ ପ୍ରଥମ ସେମିରେ ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ହେବ । ଯଦି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଡ୍ର ହେବ, ତେବେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସେମି ଖେଳାଯିବ ।

ନିୟମ ଅବମାନନା କାରଣରୁ ଦୁଇଟି ଆର୍ଥିକ ସଂସ୍ଥା ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା RBI

ଭାରତୀୟ ରିଜର୍ବ ବ୍ୟାଙ୍କ (RBI) ଅନେକ ସମୟରେ ନିୟମ ଅବମାନନା କାରଣରୁ କିଛି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ତେବେ ଏହା ମଧ୍ୟରେ RBI ଦୁଇଟି ସଂସ୍ଥା ଉପରେ ଆକ୍ସନ ନେଇଛି । ହଂକଂ ଆଣ୍ଡ ସଂଘାଈ ବ୍ୟାଙ୍କିଂ କର୍ପୋରେସନ (HSBC) ଉପରେର ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏଥିସହିତ IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ୩୩ ଲକ୍ଷରୁ ଅଧିକ ଜରିମାନା ଲାଗୁ କରାଯାଇଛି । ନିୟମ ଅନୁପାଳନ ନ କରିବା କାରଣରୁ ଏହି ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ନେଣଦେଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି ।

ଆରବିଆଇ ମୁତାବକ, କେଓ୍ବାଇସି ଓ ଜମା ଉପରେ ସୁଧ ଦର ସମ୍ବନ୍ଧିତ ନିୟମ ପାଳନ କରିନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ HSBC ଉପରେ ୬୬.୬ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । IIFL ସମସ୍ତା ଫାଇନାନ୍ସ ଲିମିଟେଡ ନିୟମକୁ ସଠିକ୍ ଭାବେ ପାଳନ କରିନଥିବା ଜଣାପଡ଼ିଥିଲା । ସେଥିପାଇଁ ଏହି ସଂସ୍ଥା ଉପରେ ୩୩.୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ୨୦୨୩ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ HSBCର ଆର୍ଥିକ ସ୍ଥିତିକୁ କେନ୍ଦ୍ରୀୟ ବ୍ୟାଙ୍କ ନିରୀକ୍ଷଣ କରିଥିଲା । ମାତ୍ର ନିୟାମକ ଅନୁପାଳନ କରାଯାଇନଥିବା ଜଣାପଡ଼ିଥିଲା । ଏହାପରେ ବ୍ୟାଙ୍କକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ବ୍ୟାଙ୍କ ଆଣ୍ଟି-ମନି ଲଣ୍ଡରିଂକୁ ସମାପ୍ତ କରିବା ପାଇଁ ନିଜର ଗ୍ରୁପ କମ୍ପାନୀକୁ ଆଉଟସୋର୍ସ କରିଦେଇଥିଲା । କିଛି ଅଯୋଗ୍ୟ ସଂସ୍ଥାଙ୍କ ନାମରେ ସଞ୍ଚୟ ଖାତା ଖୋଲାଯାଇଥିଲା । ସେହିପରି IIFL ସମସ୍ତା ଫାଇନାନ୍ସ ଲିମିଟେଡ ଉପରେ ମଧ୍ୟ ସମାନ ଢଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ: ମହିଳା ନିର୍ଯାତନା ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧ ଗର୍ଜିଲା କଂଗ୍ରେସ। ମୋହନ ସରକାରଙ୍କ ବିରୋଧରେ ଭକ୍ତଙ୍କ ପ୍ରଥମ ପାୱାର ଶୋ। ଆଠ ମାସ ଭିତରେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି ଟିମ କଂଗ୍ରେସ। ମହିଳା ସୁରକ୍ଷା ପାଇଁ ପ୍ତଥମେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ମହିଳା କଂଗ୍ରେସ। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଏଯାଏଁ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇ ସାରିଲାଣି ବୋଲି ଅଭିଯୋଗ କରିଛି କଂଗ୍ରେସ।

ସହଦେବ ନାୟକ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସହଦେବ ନାୟକ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଶୁସେଇ ଓରଫ ସୁଶାନ୍ତ ନାୟକ ଗିରଫ। କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରୁ ସୁଶାନ୍ତକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ସହଦେବଙ୍କୁ ସୁଶେଇ ହତ୍ୟା କରିବା ପରେ ନିଜ ଗାଡିକୁ ଛାଡି ଫେରାର୍ ହୋଇଯାଇଥିଲା। ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସଭାପତି ସହଦେବ ନାୟକକୁ ଅତି ବୀଭତ୍ସ ଭାବେ କରାଯାଇଥିଲା ହତ୍ୟା। ଜାତୀୟ ରାଜପଥ ଉପରେ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ହତ୍ୟାକାରୀ। ମାମଲାରେ ପୂର୍ବରୁ ୭ ଜଣକୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି ।