ନନ୍ଦିଘୋଷ ବ୍ୟୁରୋ: ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ପରିସରକୁ ଧସେଇ ପଶିଲେ ଗ୍ରାମବାସୀ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖଣ୍ଡେଇତା ଗାଁରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଥାନା ପରିସରକୁ ଗ୍ରାମବାସୀ ଧସେଇ ପଶିବା ସହିତ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। କିଛି ସମୟ ପାଇଁ ଥାନା ପରିସରରେ ଉତ୍ତେଜନା ଲାଗିରହିଥିଲା । ଗତ ୧୦ ତାରିଖ ଦିନ ଖଣ୍ଡେଇତା ଗାଁର ରବିନାରାୟଣ ରାଉତଙ୍କ ପୁଅ ଶ୍ରୀକାନ୍ତ ରାଉତଙ୍କୁ ମୁର୍ମୁଷ ଅବସ୍ଥାରେ ରାଜକନିକା ଥାନା ଠାରୁ କିଛି ଦୂରରୁ ଉଦ୍ଧାର କରାଯାଇ ମେଡିଲାରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକେ ଶ୍ରୀକାନ୍ତ କାମକରୁଥିବା ପାଣି ଫ୍ଯାକ୍ଟ୍ରିରେ ମାଲିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଥିଲେ। ହେଲେ ଶ୍ରୀକାନ୍ତଙ୍କ ମୃତ୍ୟୁର ୬ଦିନ ପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ଗ୍ରାମବାସୀ ଥାନା ଘେରାଉ କରିଛନ୍ତି ।
ଠିକାଦାରଙ୍କ ମନମାନି ଯୋଗୁଁ ଅକାଳରେ ଚାଲିଗଲା ଜୀବନ: ନିଦାବିଷର୍ଣ୍ଣୁ ପୂର୍ତ୍ତ ବିଭାଗ!
ନନ୍ଦିଘୋଷ ବ୍ୟୁରୋ: ସମସ୍ତେ ଆନନ୍ଦ ଉଲ୍ଲାସରେ ହୋଲିରେ ରଙ୍ଗ ଅବିରରେ ଭିଜିଥିବାବେଳେ ଜଟଣୀ ବିଶ୍ଵନାଥ କଲୋନୀର ତ୍ରିନାଥ ସାହୁଙ୍କ ପରିବାର ଭିଜିଛି ଆଖି ଲୁହରେ । ପରିବା କିଣିବାକୁ ସ୍ତ୍ରୀଙ୍କୁ କହି ବଜାରକୁ ଯାଇଥିଲେ ତ୍ରିନାଥ । ହେଲେ ଫେରିବା ବାଟରେ ରାସ୍ତା ଉପରେ ସତେ ଯେମିତି ଛକି ବସିଥିଲା ଯମ । ଗାଡି ଚକ ସ୍ଲିପ କରିବାରୁ ନିର୍ମାଣାଧୀନ ଡ୍ରେନରୁ ବାହାରିଥିବା ରଡ ଛାତିରେ ପଶିଯିବାରୁ ଛଟପଟ ହୋଇ ସେଇଠି ପ୍ରାଣ ହରାଇଥିଲେ ତ୍ରିନାଥ । ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ପ୍ରଶ୍ନ ଉଠୁଛି ଏପରି ଦାୟିତ୍ବହୀନତା ଲାଗି ଦାୟୀ କିଏ ? ପୂର୍ତ୍ତ ବିଭାଗ ନା ଠିକାଦାର ?
ହୋଲି ଦିନ ଉଜୁଡିଗଲା ସଂସାର । ସମସ୍ତେ ଆନନ୍ଦ ଉଲ୍ଲାସରେ ରଙ୍ଗ ଖେଳୁଥିବା ବେଳେ ଲୁହରେ ଭିଜିଲା ଜଟଣୀ ପୌରପରିଷଦ ୧୧ ନମ୍ବର ୱାର୍ଡର ବିଶ୍ଵନାଥ କଲୋନୀ । ପରିବା କିଣିବାକୁ ଯାଇ ଆରପାରିକୁ ଚାଲିଗଲେ ତ୍ରିନାଥ । ରାସ୍ତା ଉପରେ ବାଲି ପଡିଥିବାରୁ ଚକା ସ୍ଲିପ କରିବାରୁ ନିର୍ମାଣଧୀନ ଡ୍ରେନର ରଡ ଛାତିରେ ପଶିଯାଇଥିବାରୁ ତ୍ରିନାଥଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଥିଲା । ଟିକେ ନଜର ପକାନ୍ତୁ ଏହି ରାସ୍ତା ଉପରେ କିପରି ନିର୍ମାଣଧୀନ ଡ୍ରେନ ଉପରକୁ ବାହାରିଛି ଲୁହା ରଡ । ଏହି ରାସ୍ତା ଜଣଙ୍କର ମୁଣ୍ଡ ନେଇସାରିଲାଣି । ହେଲେ ଘଟଣାସ୍ଥଳକୁ କୌଣସି ଅଧିକାରୀ ନିରୀକ୍ଷଣ ପାଇଁ ପହଞ୍ଚିନଥିବା ଅଭିଯୋଗ ହୋଇଛି ।
ପୂର୍ତ୍ତ ବିଭାଗ ଠିକା ସଂସ୍ଥାକୁ ଡ୍ରେନ କାମ ଦେଇ କୌଣସି ଅଧିକାରୀଙ୍କୁ କାର୍ଯ୍ୟ ସ୍ଥଳକୁ ନିରୀକ୍ଷଣ ପାଇଁ ନ ପଠାଇବାରୁ ଠିକାଦାର ଏଭଳି ମରଣଯନ୍ତା କରିଥିବା ଅଭିଯୋଗ ହୋଇଛି । ଏପଟେ ଠିକା ସଂସ୍ଥା ଦୀର୍ଘ ଦିନ ଧରି କାମ କରୁଥିଲେ ସୁଦ୍ଧା ଜଟଣୀ ପୌର ପରିଷଦକୁ କୌଣସି ସୂଚନା ଦେଇନଥିବା ପୌରାଧ୍ଯକ୍ଷ ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି- ରାସ୍ତା କାମ ଚାଲୁଥିବା ବେଳେ କାହିଁକି ଲଗାଯାଇନଥିଲା ନୋ ଏଣ୍ଟ୍ରି ବୋର୍ଡ ? ଖୋଲା ଡ୍ରେନରେ ରଡ ବାହାରିଥିବା ବେଳେ ଠିକାଦାର କାହିଁକି ବାଇକ ଚାଳକଙ୍କ ପାଇଁ ସତର୍କ ଫଳକ ଲଗାଇନଥିଲା ? କାହିଁକି ରାସ୍ତା ଉପର ବାଲି ସଫା କରାଯାଇନଥିଲା ? ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯିବା ପରେ ବି ଚୁପ ରହିଛନ୍ତି ପୂର୍ତ୍ତ ବିଭାଗ । ଅନ୍ଯପଟେ ଏ ବିଷୟରେ ପୂର୍ତ୍ତ ବିଭାଗ ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି । କେବେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବ ଆଉ କାହାର ଜୀବନ ଯିବା ପୂର୍ବରୁ ନିର୍ମାଣଧୀନ ଡ୍ରେନର କାମ ସରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟରେ ଆସିଲା ନୂଆମୋଡ । ଅନାସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀ । କାଉସିଲରମାନେ ଭୋଟ ଦେବାଲାଗି ଏନଏସି ସଭାଗୃହରେ ବସିଥିବା ବେଳେ ତାପୂର୍ବରୁ ଇସ୍ତଫା ଦେଇଛନ୍ତି ଅଧ୍ୟକ୍ଷା । ଅଧ୍ୟକ୍ଷା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇନଥିବା ବେଳେ ନିଜ ଇସ୍ତଫା ନେଇ ପ୍ରତିକ୍ରିୟା ଦେଇଛନ୍ତି ଅଧ୍ୟକ୍ଷା । ପୂର୍ବରୁ କାଉସିଲ ବୈଠକରେ ହୋଇଥିବା ଘୋଟାଲା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଆଜି ଭୋଟ ପୂର୍ବରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।
ମିଳୁନି ନିର୍ଦ୍ଧାରିତ ୩ ହଜାର ୫ଶହ ଟଙ୍କା ଭତ୍ତା, କଟକ ମହାନଗର ନିଗମ କମିଶନରଙ୍କୁ ଭେଟି ଜଣାଇଲେ ଗୁହାରି
ନନ୍ଦିଘୋଷ ବ୍ୟୁରୋ: ନୂଆ ସରକାର ଭତ୍ତା ସହାୟତା ଅର୍ଥରାଶି ବଢ଼ାଇ ବାହା ବାହା ନେଉଥିବା ବେଳେ ତିନି ମାସ ହେବ କଟକ ଚାଉଳିଆଗଞ୍ଜ ଅଞ୍ଚଳର କିଛି ଭିନ୍ନକ୍ଷମ ହିତାଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ୩ ହଜାର ୫ଶହ ଟଙ୍କାର ସହାୟତା ଭତ୍ତା ମିଳୁନାହିଁ। ବାଧ୍ୟ ହୋଇ ସେମାନେ ଆଜି ପରିବାର ସହିତ କଟକ ମହାନଗର ନିଗମ କମିଶନରଙ୍କୁ ଭେଟି ନିଜର ଗୁହାରି ଜଣାଇଛନ୍ତି । ଆଧାରରେ ସମସ୍ୟା ଥିବା ବେଳେ ଅଙ୍ଗୁଳି ଛାପ ମିଶୁ ନାହିଁ ବା ଡିଜିଟାଲ ସାର୍ଟିଫିକେଟ ନାହିଁ ଭଳି ଆଳ ଦେଖାଇ ସେମାନଙ୍କୁ ଫେରାଇ ଦେଉଛନ୍ତି ଫିଲ୍ଡରେ କାମ କରୁଥିବା ଅଧିକାରୀ । ଫଳରେ ଭତ୍ତା ଟଙ୍କା ନ ପାଇ ସେମାନେ ହଇରାଣ ହେଉଛନ୍ତି । ଏ ସବୁ ଗୁହାରି ଶୁଣିବା ପରେ ସାତ ଦିନ ମଧ୍ୟରେ ସମସ୍ୟର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ସିଏମସି କମିଶନର।
ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ
ନନ୍ଦିଘୋଷ ବ୍ୟୁରୋ: ପୁଣି ଚାଲିପାରିବେ ଦୁର୍ଘଟଣାରେ ଗୋଡ ହରାଇଥିବା କୁନି ଝିଅ । କଟକ ବଡ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ବିରଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି । କଟି ଯାଇଥିବା ଗୋଡ ପୁଣି ଶରୀରେ ଜୋଡିଛନ୍ତି ଡାକ୍ତର । ମୟୂରଭଞ୍ଜ ବେତନଟୀରେ ସଡକ ଦୁର୍ଘଟଣାରେ ନିଜର ବାମଗୋଡ ସଂପୂର୍ଣ୍ଣ ଭାବେ ହରାଇଥିଲେ ୮ ବର୍ଷର କୁନି ଝିଅ ବୈଷ୍ଣବୀ। କଟକ ବଡ ମେଡିକାଲର ତାଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇ କଟିଥିବା ଗୋଡକୁ ପୁଣି ଥରେ ଲଗାଯାଇଛି। ଗତକାଲି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବୈଷ୍ଣବୀର ଗୋଡ ଜଙ୍ଘ ତଳୁ ପୁରା କଟି ଅଲଗା ହୋଇ ଯାଇଥିଲା। ପ୍ରାଥମିକ ଚିକିତ୍ସା କରି ତାକୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ ବେତନଟୀ ଡାକ୍ତରଖାନା କର୍ତ୍ତୃପକ୍ଷ । ଗୁରୁତର ରୋଗୀ ସହ ଗୋଡଟିକୁ ବରଫାବୃତ ଜରିରେ ପ୍ୟାକିଂ କରି ସାଥିରେ ଧରି ଆସିଥିଲେ ପରିବାର ଲୋକ। ଏଠାରେ ରାତି ୧୨ଟାରୁ ରାତି ୩ଟା ପର୍ଯ୍ୟନ୍ତ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ସରିବା ପରେ ଆଜି ବୈଷ୍ଣବୀର ଚେତା ଆସିବା ପରେ ସେ କଥାବାର୍ତ୍ତା କରୁଛି ଓ ଖାଇବାକୁ ମାଗୁଛି । ଆଉ ୧୫ ଦିନ କାଳ ଏଠାରେ ଚିକିତ୍ସିତ ହେବା ପରେ ଯୋଡା ଯାଇ ଥିବା ଗୋଡରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।
ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ
ନନ୍ଦିଘୋଷ ବ୍ୟୁରୋ: ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଦୁଃଖଦ ଘଟଣା ଘଟିଛି । ଘର ନିକଟକୁ ଜଙ୍ଗଲ ନିଆଁ ମାଡି ଆସୁଥିବା ବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ । ବୁଧିନିଙ୍କ ଘର ନିକଟରେ ଥିବା ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଧିରେ ଧିରେ ଏହା ବ୍ୟାପି ଜଙ୍ଗଲ ନିକଟରେ ରହୁଥିବା ବୁଧିନିଙ୍କ ଘର ଆଡେ ମାଡି ଆସିଥିଲା । ଫଳରେ ନିଆଁକୁ ଲିଭାଇବା ପାଇଁ ବୁଧିନି ଘର ନିକଟରେ ଥିବା ଏକ କେନାଲ ହୁଡ଼ାରେ ଚଢ଼ି ଯାଇଥିଲେ । କିନ୍ତୁ କୌଣସି କାରଣ ବଶତଃ କେନାଲ ଉପରୁ ବୁଧିନିଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜଳୁଥିବା ନିଆଁ ଭିତରେ ଖସି ପଡ଼ିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେ ତାହା ମଧ୍ୟରୁ ବାହାରି ପାରିନଥିଲେ । ଫଳରେ କିଛି ସମୟ ମଧ୍ୟରେ ସେ ନିଆଁ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେବା ପରେ ମହାବିରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ କରାଯାଇଥିବା ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । ଗତ ୧୪ ତାରିଖ ଦିନ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ମୋରଡା ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ତଦନ୍ତ ଜାରି ରଖିଛି । ଗତ ୧୨ ତାରିଖ ଦିନ ବାପଘରୁ ମହିଳା ଜଣକ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରିଥିଲେ ମୃତ ମହିଳାଙ୍କ ମା’ । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

