ନନ୍ଦିଘୋଷ ବ୍ୟୁରୋ: ନିଆଁ ଲିଭାଉଥିବା ବେଳେ ମହିଳା ଜୀବନ୍ତ ଦଗ୍ଧ । କାମାକ୍ଷାନଗର ମହାବିରୋଡ଼ ଥାନା ଗୋବରୀ ଗାଁରେ ଦୁଃଖଦ ଘଟଣା ଘଟିଛି । ଘର ନିକଟକୁ ଜଙ୍ଗଲ ନିଆଁ ମାଡି ଆସୁଥିବା ବେଳେ ତାହାକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ । ବୁଧିନିଙ୍କ ଘର ନିକଟରେ ଥିବା ଜଙ୍ଗଲ ରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଧିରେ ଧିରେ ଏହା ବ୍ୟାପି ଜଙ୍ଗଲ ନିକଟରେ ରହୁଥିବା ବୁଧିନିଙ୍କ ଘର ଆଡେ ମାଡି ଆସିଥିଲା । ଫଳରେ ନିଆଁକୁ ଲିଭାଇବା ପାଇଁ ବୁଧିନି ଘର ନିକଟରେ ଥିବା ଏକ କେନାଲ ହୁଡ଼ାରେ ଚଢ଼ି ଯାଇଥିଲେ । କିନ୍ତୁ କୌଣସି କାରଣ ବଶତଃ କେନାଲ ଉପରୁ ବୁଧିନିଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ଜଳୁଥିବା ନିଆଁ ଭିତରେ ଖସି ପଡ଼ିଥିଲେ । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେ ତାହା ମଧ୍ୟରୁ ବାହାରି ପାରିନଥିଲେ । ଫଳରେ କିଛି ସମୟ ମଧ୍ୟରେ ସେ ନିଆଁ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । କିଛି ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ଖବର ଦେବା ପରେ ମହାବିରୋଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ କରାଯାଇଥିବା ସନ୍ଦେହ
ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ । ଗତ ୧୪ ତାରିଖ ଦିନ ସ୍ଥାନୀୟ ଲୋକେ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ମୋରଡା ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ତଦନ୍ତ ଜାରି ରଖିଛି । ଗତ ୧୨ ତାରିଖ ଦିନ ବାପଘରୁ ମହିଳା ଜଣକ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରିଥିଲେ ମୃତ ମହିଳାଙ୍କ ମା’ । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।
ଗତ ୮ ମାସରେ ଖୋଲା ବଜାରରୁ ୨ ହଜାର କୋଟି ଋଣ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ଠାରୁ ୭ହଜାର ୧୪୯ କୋଟି ୫୬ ଲକ୍ଷ ଟଙ୍କା ଋଣ ଆହରଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ଠାରୁ ଆହରଣ କରିଥିବା ଏହି ଋଣ ମଧ୍ୟରୁ ମୁଖ୍ୟତଃ SASCI ସ୍କିମରେ ୫୦ ବର୍ଷୀୟ ସୁଧମୁକ୍ତ ଋଣ ବାବଦକୁ ୮୧୯ କୋଟି ଟଙ୍କା ଋଣ ଅନ୍ତର୍ଭୁକ୍ତ । ଫେବୃଆରୀ ୨୦୨୫ ଶେଷ ସୁଦ୍ଧା ଖୋଲା ବଜାରରୁ ଆହରଣ କରିଥିବା ଋଣର ସୁଧ ଦେୟ ହାରାହାରି ୭ ପ୍ରତିଶତ ରହୁଛି । ଋଣ ବାବଦରେ ଆହରଣ କରାଯାଇଥିବା ଏହି ଧନରାଶିକୁ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ବିନିଯୋଗ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମି ଇତ୍ୟାଦି ବିକାଶମୂଳକ ପ୍ରକଳ୍ପରେ ବିନିଯୋଗ କରାଯାଉଅଛି ବୋଲି ଗୃହରେ ମୁଖ୍ଯମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ସୁଧ ହାର କେତେ ରହିବ ଆରବିଆଇ ମୁଦ୍ରାନୀତି କମିଟି ନିର୍ଦ୍ଧାରଣ କରିଥାନ୍ତି । ଦରଦାମ ହ୍ରାସ ଓ ବୃଦ୍ଧି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖୁଛନ୍ତି ବୋଲି ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ୍
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ୍। ବିଦ୍ଯାଳୟର ୧ ଲକ୍ଷ ୯୩ ହଜାର ଟଙ୍କା ଡ୍ରେସ ବିଲ ପାସ୍ କରାଇ ଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ୍ ମହମ୍ମଦ ଫିରୋଜ ଖାନ। ନହୁଣି ଗାଁଡ଼ର ବାବା ଦଧିବାମନ ମହିଳା ସ୍ୱୟଂ ସହାୟିକl ଗୋଷ୍ଠୀର ମହିଳାମାନେ ପାଞ୍ଚଟି ବିଦ୍ୟାଳୟରେ ଏଲିମେଣ୍ଟାରୀ ଡ୍ରେସ ବଣ୍ଟନ କରିଥିଲେl ଏହି ଡ୍ରେସ ବିଲ କରିବା ଲାଗି ପୂର୍ବରୁ ୫ ହଜାର ଟଙ୍କା ନେଇଥିଲେ ଫିରୋଜ ଖାନ। ଆଉ ୨ଟି ସ୍କୁଲର ବିଲ କରିବା ଲାଗି ୨୭ ହଜାର ମାଗିଥିଲେ। ଆଜି ବିଲ କରାଇଦେବାକୁ ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଏମଡି ଫିରୋଜ ଖାନ ଅଶୋକ ବଜାରରେ ବାସୁଦେବ ସାହୁଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଭାଷ୍ୟକାର ହୋଇ କଲେ ଭିଡିଓ, ଗାଭାସ୍କରଙ୍କ ଭଳି କହିଲେ..
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ସୁନିଲ ଗାଭାସ୍କରଙ୍କୁ କପି କରୁଥିବା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସମୟରେ ଏକ ଭୁଲ୍ ସଟ୍ ଖେଳି ଆଉଟ୍ ହୋଇଥିଲେ ପନ୍ତ । ଆଉ ଏହି ସମୟରେ କମେଟ୍ରି କରୁଥିଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ପନ୍ତ ଆଉଟ୍ ହୋଇ ଆସିବା ପରେ ଗାଭାସ୍କର କହିଥିଲେ ଷ୍ଟୁପିଡ୍, ଷ୍ଟୁପିଡ୍ । ଏମିତି ତିନିଥର ଷ୍ଟୁପିଡ୍ କହିଥିଲେ ଗାଭାସ୍କର । ସେଠାରେ ୨ ଜଣ ଖେଳାଳି ଥିବାବେଳେ କାହିଁକି ଏଭଳି ସଟ୍ ଖେଳି ଆଉଟ୍ ହେଲେ ବୋଲି ସମାଲୋଚନା କରିଥିଲେ ଗାଭାସ୍କର ।
ପନ୍ତଙ୍କୁ ସମାଲୋଚନା କରିଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ୟୁଜର୍ସମାନେ ମଜାଳିଆ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିଲେ । ଆଉ ଏବେ ପନ୍ତ ଏଭଳି କପି କରିଛନ୍ତି । ଭାଷ୍ୟକାରଭାବେ ବସିଛନ୍ତି ଆଉ ସମାନ ଢ଼ଙ୍ଗରେ ଷ୍ଟିୁପିଡ୍ ଷ୍ଟୁପିଡ୍ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ପନ୍ତଙ୍କୁ ପଚରା ଯାଇଥିବାବେଳେ ସେ କହିଥିଲେ କି, ଏହା କେବଳ ସୁଟିଂ ପାଇଁ ।
IPL ୨୦୨୫ : ଆସିଲା ନୂଆ ନିୟମ, ଏହି ମ୍ୟାଚ ପୂର୍ବରୁ ବଦଳିବ ନିୟମ !
ନନ୍ଦିଘୋଷ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ବାକି ରହିଛି । ଆରମ୍ଭ ହେବ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ତେବେ ମ୍ୟାଚ ପୂର୍ବରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି ଆଉ ଏବେଠାରୁ ସୋସିଆଲ ମିଡିଆରେ ନିଜର ପ୍ରିୟ ଦଳ ପାଇଁ ଭିଡିଓ ମଧ୍ୟ ବନାଉଛନ୍ତି । ତେବେ ପ୍ରତିବର୍ଷ କିଛି ନୂଆ ନିୟମମାନେ ଆଇପିଏଲରେ ଦେଖିବାକୁ ମିଳିଥାଏ । ତେବେ ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ଦଳମାନେ ନିୟମ ଅନୁସାରେ କିଛି ନୂଆ ଖେଳାଳିଙ୍କୁ ସାମିଲ କରୁଛନ୍ତି । କେକେଆରର ପେସର ବୋଲର ଉମ୍ରାନ ମଲ୍ଲିକ ଫିଟନେସ ପରୀକ୍ଷାରେ ଫେଲ୍ ହେବା ପରେ ଚଳିତ ସିଜିନରୁ ବାଦ ପଡ଼ିଛନ୍ତି । ତେବେ ତାଙ୍କ ସ୍ଥାନରେ ଚେତନ ସାକାରିଆଙ୍କୁ ଦଳରେ ସାମିଲ କରିଛି କେକେଆର ଫ୍ରାଞ୍ଚାଇଜ୍ ।
IPL ରେ ବଦଳ ନିୟମ କଣ ?
ଆଇପିଏଲରେ ବଦଳ ନିୟମ ରହିଛି । ଯଦି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ କୌଣସି ଖେଳାଳି ଆହତ ହୁଅନ୍ତି ତାହେଲେ ତାଙ୍କ ବଦଳରେ ଫ୍ରାଞ୍ଚାଇଜ୍ ମାନେ ଅନ୍ୟ ଖେଳାଳିଙ୍କୁ ଦଳରେ ସାମିଲ୍ କରିପାରିବେ । ତେବେ ଏହା ମାତ୍ର ପ୍ରଥମ ୧୨ଟି ଲିଗ୍ ମ୍ୟାଚ ପୂର୍ବରୁ ପ୍ରଯୁଜ୍ୟ । ପୂର୍ବରୁ ଏହା ୭ଟି ମ୍ୟାଚ୍ ରହିଥିଲା । ମାତ୍ର ଏବେ ଏହା ୧୨କୁ ବୃଦ୍ଧି କରାଯାଇଛି । ବଦଳ ଖେଳାଳିଙ୍କ ପାଇଁ ଦୁଇଟି ସର୍ତ୍ତ ରହିଛି। ପ୍ରଥମତଃ, ଆପଣ ଯେଉଁ ଖେଳାଳିଙ୍କୁ ବଦଳ ଭାବରେ ଆଣୁଛନ୍ତି ତାଙ୍କୁ ପଞ୍ଜିକୃତ ଉପଲବ୍ଧ ଖେଳାଳି ପୁଲ୍ (RAPP) ରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଦ୍ୱିତୀୟ ସର୍ତ୍ତ ହେଉଛି ବଦଳ ଖେଳାଳିଙ୍କ ଫିସ୍ ସେହି ଖେଳାଳିଙ୍କ ଫିସ୍ ଠାରୁ ଅଧିକ ହୋଇପାରିବ ନାହିଁ ଯାହାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି।
ବିସିସିଆଇ ନିୟମ ଅନୁଯାୟୀ, ବଦଳ ଖେଳାଳିଙ୍କ ଫିସ୍ ଦଳର ଚଳିତ ସିଜନର ଦରମା କ୍ୟାପରେ ଯୋଡାଯାଏ ନାହିଁ। ତଥାପି, ଯଦି ତାଙ୍କର ଚୁକ୍ତି ପରବର୍ତ୍ତୀ ସିଜନ ପାଇଁ ବୃଦ୍ଧି କରାଯାଏ, ତେବେ ତାଙ୍କର ଫିସ୍ ଦରମା ସୀମାରେ ଯୋଡାଯିବ। ଦଳଗୁଡ଼ିକୁ ସ୍କ୍ୱାଡ୍ ନିୟମ ପାଳନ କରିବାକୁ ପଡିବ ଏବଂ ଖେଳାଳିଙ୍କ ସଂଖ୍ୟା ମଧ୍ୟ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖିବାକୁ ପଡିବ। ଯଦି ବଦଳ ଖେଳାଳିଙ୍କ ଚୁକ୍ତିନାମା ଭବିଷ୍ୟତ ଋତୁ ପାଇଁ ବୃଦ୍ଧି କରାଯାଏ, ତେବେ ତାଙ୍କୁ ଅନ୍ୟ ଯେକୌଣସି ଦଳ ସଦସ୍ୟଙ୍କ ପରି ସମାନ ବ୍ୟବହାର କରାଯିବ।
ଜିଓ କ୍ରିକେଟ୍ ଅଫର୍ : ଜିଓ ହଟଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ
ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଜିଓ ବର୍ତ୍ତମାନ ଏବଂ ନୂତନ ଗ୍ରାହକଙ୍କ ପାଇଁ ଆଣିଛି ଏକ ସ୍ୱତନ୍ତ୍ର ଅଫର । ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।
ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ସବସ୍କ୍ରିପସନ୍ ପାଇବେ ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ । ଏହାର ଅର୍ଥ ହେଉଛି ଗ୍ରାହକମାନେ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ । ଜିଓ ହଟଷ୍ଟାର ପ୍ୟାକ୍ ୨୨ ମାର୍ଚ୍ଚ, ୨୦୨୫ ଠାରୁ ଅର୍ଥାତ୍ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍ ଦିନରୁ ୯୦ ଦିନ ପାଇଁ ବୈଧ ରହିବ ।
ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ । ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ୍ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ ଏଣ୍ଟେରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ । ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ ।
ଗ୍ରାହକମାନେ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ । ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ । ୧୭ ମାର୍ଚ୍ଚ ପୂର୍ବରୁ ରିଚାର୍ଜ କରିଥିବା ଗ୍ରାହକମାନେ ମଧ୍ୟ ୧୦୦ ଟଙ୍କାର ଆଡ-ଅନ୍ ପ୍ୟାକ୍ ନେଇ ଏହି ଅଫରର ଲାଭ ଉଠାଇପାରିବେ।
କେବେ ବଢିବ ମହଙ୍ଗା ଭତ୍ତା ? ଜାଣନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ..
ଭୁବନେଶ୍ବର : କେନ୍ଦ୍ର ସରକାରୀ କର୍ମଚାରୀମାନେ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ହୋଲି ପୂର୍ବରୁ ସରକାର କର୍ମଚାରୀମାନଙ୍କୁ ଖୁସି ଖବର ଦେଇପାରିବେ, କିନ୍ତୁ ଏହା ହୋଇନଥିଲା। ସପ୍ତମ ବେତନ କମିଶନ ଅନୁଯାୟୀ, DA/DR ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ। ପ୍ରଥମ ବୃଦ୍ଧି ଜାନୁଆରୀ ୧ ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ ରୁ କାର୍ଯ୍ୟକାରୀ ହୁଏ । ଏହି ବର୍ଷର ପ୍ରଥମ ବୃଦ୍ଧି ଅର୍ଥାତ୍ ୨୦୨୫ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।
ବୁଧବାର ହୋଇପାରେ ଘୋଷଣା
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାର ଖୁବ୍ଶୀଘ୍ର DA ବୃଦ୍ଧି ଘୋଷଣା କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି । ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇପାରେ । ଆପଣଙ୍କୁ କହିରଖୁଛୁ ଯେ ମହଙ୍ଗା ଭତ୍ତା (DA) ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇଥାଏ। ଯେତେବେଳେ, ପେନସନଭୋଗୀଙ୍କ ପାଇଁ ଏହାକୁ ମହଙ୍ଗା ରିଲିଫ୍ (DR) କୁହାଯାଏ । ଏହା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI) ଆଧାରରେ ଗଣନା କରାଯାଏ । ସରକାର AICPIର ହାରାହାରି ତଥ୍ୟକୁ ହିସାବକୁ ନେଇ ପ୍ରତି ଛଅ ମାସରେ DA ଏବଂ DR ର ହାର ସ୍ଥିର କରନ୍ତି । ଏହିପରି ଭାବରେ, କର୍ମଚାରୀମାନେ ବର୍ଷକୁ ଦୁଇଥର ବର୍ଦ୍ଧିତ DAର ଉପହାର ପାଆନ୍ତି ।
କେତେ ବୃଦ୍ଧି ହେବ ?
ଗତ କିଛିଦିନ ଧରି DA ଅର୍ଥାତ୍ ମହଙ୍ଗା ଭତ୍ତା କେତେ ବୃଦ୍ଧି ପାଇବ ସେ ବିଷୟରେ କଳ୍ପନାଜଳ୍ପନା କରାଯାଉଛି । ଏଥିରେ ୨% ବୃଦ୍ଧି ହେବାର ସମ୍ଭାବନା ଅଧିକ । ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ AICPI ତଥ୍ୟ ଜାନୁଆରୀ ୨୦୨୫ରେ କେତେ DA/DR ବୃଦ୍ଧି ପାଇବ ତାହା ନିର୍ଣ୍ଣୟ କରିବ । ଶ୍ରମ ବ୍ୟୁରୋ ଅନୁଯାୟୀ, ଡିସେମ୍ବର ୨୦୨୪ ପାଇଁ AICPI ୦.୮ ପଏଣ୍ଟ ହ୍ରାସ ପାଇ ୧୪୩.୭ ରେ ପହଞ୍ଚିଛି । ମୁଦ୍ରାସ୍ଫୀତି ହ୍ରାସ ଯୋଗୁଁ, ଏଥର DA ରେ ୨% ବୃଦ୍ଧି ହେବାର ସୂଚନା ମିଳିଛି ଯେତେବେଳେ ପୂର୍ବରୁ ତିନି ପ୍ରତିଶତ ଅଭିବୃଦ୍ଧି ଆଶା କରାଯାଉଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ବର୍ତ୍ତମାନ ୫୩ ପ୍ରତିଶତ ହାରରେ DA ଦିଆଯାଉଛି ।
ପ୍ରଥମେ କେତେ ବୃଦ୍ଧି ହେବ ?
ଜୁଲାଇ ୨୦୨୪ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ସୂଚାଉଥିଲା ଯେ ଜାନୁଆରୀ ୨୦୨୫ ରେ DA/DR ଅତି କମରେ ୩ ପ୍ରତିଶତ ବୃଦ୍ଧି ପାଇପାରେ । କିନ୍ତୁ ଡିସେମ୍ବର ତଥ୍ୟ ପ୍ରକାଶ ପାଇବା ପରେ, ଏହି ସମ୍ଭାବନା ହ୍ରାସ ପାଇଛି । ସରକାର ଗତ ବର୍ଷ ଅକ୍ଟୋବରରେ DA ୩% ବୃଦ୍ଧି କରିଥିଲେ, ଯାହା ପରେ ଏହା ୫୦ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
କର୍ମଚାରୀ କେତେ ଲାଭ ପାଇପାରିବେ ?
ଯଦି ଜାନୁଆରୀ ୨୦୨୫ ପାଇଁ DA ୨% ବୃଦ୍ଧି କରାଯାଏ, ତେବେ ସର୍ବନିମ୍ନ ୧୮,୦୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀମାନେ ୩୬୦ ଟଙ୍କା ଲାଭ ପାଇପାରିବେ। ପେନସନଭୋଗୀଙ୍କ ପାଇଁ, ଏହି ବୃଦ୍ଧି ୧୮୦ ଟଙ୍କା ହେବ, କାରଣ ସେମାନଙ୍କର ସର୍ବନିମ୍ନ ପେନସନ ୯୦୦୦ ଟଙ୍କା। ତଥାପି, କିଛି ରିପୋର୍ଟରେ ୩% ବୃଦ୍ଧି ଆକଳନ କରାଯାଇଛି । ୩ ପ୍ରତିଶତ ବୃଦ୍ଧି ସହିତ, ଜଣେ କର୍ମଚାରୀଙ୍କ ମାସିକ ଦରମା ୫୪୦ ଟଙ୍କା ବୃଦ୍ଧି ପାଇପାରିବ ।
କେବେଠୁ ଆରମ୍ଭ ହୋଇଥିଲା ସ୍କର୍ଟର ଟ୍ରେଣ୍ଡ, ଜାଣନ୍ତୁ ଇତିହାସ ..
ନନ୍ଦିଘୋଷ ବ୍ୟୁରୋ: ମହିଳାଙ୍କ ଫ୍ୟାଶନ୍ ଦିନକୁ ଦିନ ପରିବର୍ତ୍ତନ ହେଉଛି । ଜିନ୍ସ, ଗାଉନ୍, ମିଡି ଡ୍ରେସ୍, ବିକିନି, ଶାଢ଼ି, ସୁଟ୍ ଏବଂ ସ୍କର୍ଟ ବହୁ ଦିନ ଧରି ଫ୍ୟାଶନରେ ରହିଛି । ଝିଅମାନେ ସୁନ୍ଦର ଦେଖାଯିବା ପାଇଁ ସ୍କର୍ଟ ପିନ୍ଧନ୍ତି । ସ୍କୁଲ ପୋଷାକର ଏକ ଅଂଶ ଭାବରେ ଏବଂ କୌଣସି ସ୍ଥାନକୁ ଯିବା ସମୟରେ ସ୍କର୍ଟ ପିନ୍ଧାଯାଏ। ଏହା ବହୁତ ସୁନ୍ଦର ଦେଖାଯାଏ ଏବଂ ଏହାକୁ ପିନ୍ଧିବା ପରେ ଝିଅମାନେ ବହୁତ ଆତ୍ମବିଶ୍ୱାସୀ ଅନୁଭବ କରନ୍ତି । କିନ୍ତୁ ଆପଣମାନେ ସ୍କଟର ଇତିହାସ ଜାଣିଛନ୍ତି କି ? କେବେ ଏବଂ କେମିତି ସ୍କର୍ଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା …
ପଶ୍ଚିମ ୟୁରୋପ ଏବଂ ଆମେରିକାର ସ୍କର୍ଟ ବହୁତ ପରିଚିତ । ସେଠାକାର ମହିଳାମାନେ ସ୍କର୍ଟ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି । ଏମିତିକି ସେମାନଙ୍କ ଜରବନଶୈଳୀରେ ସ୍କର୍ଟ ଏକ ଅଂଶ । ତଥାପି ଭାରତରେ ମଧ୍ୟ, ମହିଳାମାନେ ଏହାକୁ ବହୁତ ପିନ୍ଧନ୍ତି ଏବଂ ସ୍କର୍ଟ ସେମାନଙ୍କର ପ୍ରିୟ ପୋଷାକ ଭିତରୁ ଗୋଟେ ।

ସ୍କର୍ଟର ଇତିହାସ ପ୍ରାଚୀନ ମିଶରର ଶହ ଶହ ବର୍ଷ ପୁରୁଣା ପୋଷାକ ଅଟେ । ଆଶ୍ଚର୍ଯ୍ୟଜନକ ଭାବରେ, ପୂର୍ବରୁ ସ୍କର୍ଟ ପ୍ରକୃତରେ ପୁରୁଷମାନେ ପିନ୍ଧୁଥିଲେ। ଏଗୁଡ଼ିକ କପଡା ଭଳି ପିନ୍ଧାଯାଉଥିଲା ଯାହାକୁ ଏକ ବେଲ୍ଟ ସାହାଯ୍ୟରେ ଅଣ୍ଟାରେ ବନ୍ଧା ଯାଉଥିଲା।
ଏହି ସ୍କର୍ଟ ଗୁଡିକ ଲାଇନେନରୁ ତିଆରି ହେଉଥିଲା। ଏହା ହାଲୁକା ଏବଂ ପତଳା ଥିଲା । ମିଶରର ଗରମ ଏବଂ ଆର୍ଦ୍ର ଜଳବାୟୁ ପାଇଁ ଏହା ଉପଯୁକ୍ତ ଥିଲା । ଧନୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିମାନେ ହାଲୁକା ଏବଂ ପତଳା ସ୍କର୍ଟ ପିନ୍ଧୁଥିଲେ, ଯେତେବେଳେ ଶ୍ରମିକ ଏବଂ ଶ୍ରମିକମାନେ ଅଧିକାଂଶ ସୂତାର ପିନ୍ଧୁଥିଲେ।

୧୯୫୦ ଦଶକରେ, ପାଶ୍ଚାତ୍ୟ ବିଶ୍ୱର ମହିଳାମାନେ ବଡ଼ A-ଲାଇନ୍ ସ୍କର୍ଟ ଏବଂ ଡାୟୋରର H-ଲାଇନ୍ ପେନସିଲ୍ ସ୍କର୍ଟକୁ ପିନ୍ଧିବା ଆରମ୍ଭ କରିଥିଲେ। ତଥାପି ପ୍ରକୃତ ବିପ୍ଳବ ପରବର୍ତ୍ତୀ ଦଶନ୍ଧିରେ, ୧୯୬୦ଦଶକରେ, ମେରୀ କ୍ୱାଣ୍ଟଙ୍କ ମିନିସ୍କର୍ଟ୍ ସହିତ ହୋଇଥିଲା ।
ତା’ପରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ସେମାନଙ୍କ ସ୍କର୍ଟର ଲମ୍ବ ବାଛିବାର ସ୍ୱାଧୀନତା ଦିଆଯାଇଥିଲା, କିନ୍ତୁ ମିନି ସ୍କର୍ଟର ଲମ୍ବ ସେହିପରି ରହିଲା । ସେହି ସମୟଠାରୁ, ମିନି ସ୍କର୍ଟ ମଧ୍ୟ ଅନେକ ମହିଳାଙ୍କ ପୋଷାକର ଏକ ଅଂଶ ହୋଇଗଲା । ୧୯୭୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ଗୋଟିଏ ପ୍ରକାରର ଫ୍ୟାଶନ୍ ଏବଂ ସ୍କର୍ଟ ଲମ୍ବ ଦୀର୍ଘ ସମୟ ଧରି ପ୍ରାଧାନ୍ୟ ବିସ୍ତାର କରିନାହିଁ । ହାଇ ଷ୍ଟ୍ରିଟରେ ମିନି, ସର୍ଟ ଏବଂ ଆଙ୍କଲ୍ ଲେନ୍ଥ ସ୍କର୍ଟ ଏକାଠି ଦେଖାଯାଏ ଏବଂ ମହିଳାମାନଙ୍କ ମଧ୍ୟରେ ଏହା ପ୍ରିୟ ।
ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର; ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ
ଭୁବନେଶ୍ବର : ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଲୁଟ ଚରମସୀମାରେ ପହଞ୍ଚିଛି । ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ । ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର । ସୁସଂଗଠିତ ଓ ବ୍ୟବସ୍ଥିତ ଭାବେ ଚାଲିଛି ଖଣି ଲୁଟ । ଏମିତି ଅଭିଯୋଗ ଆଣି ପ୍ରେସମିଟ କରି ବର୍ଷିଛି ବିଜେଡି । ଖଣି ଲୁଟ ବିଶେଷ କରି ଲଘୁ ଖଣିଜ ଲୁଟରେ ଧର୍ମଶାଳାରେ କ୍ୟାନ୍ସର ଷ୍ଟେଜରେ ପହଞ୍ଚିଲାଣି । ସୁନ୍ଦରଗଡ଼, ରାଉରକେଲା, ଧର୍ମଶାଳା, ନରସିଂହପୁର ହେଉ ସବୁଆଡେ ଲଘୁ ଖଣିଜ ପଦାର୍ଥ ଚୋରି ଶୀର୍ଷରେ ପହଞ୍ଚିଲାଣି । ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି । ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ ମୁଖ୍ୟମନ୍ତ୍ରୀ ଯାଏ ନେଟୱାର୍କ ରହିଛି । ଲୋକଙ୍କ ପାଇଁ କାମ ତ ଦୂରର କଥା ବର୍ତ୍ତମାନ ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ଖଣି ଲୁଟ ।
ଲୁଟ ରୋକିବା ବଦଳରେ ଲୁଟିବା ପାଇଁ ବ୍ୟବସ୍ଥା ହେଉଛି । ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ତିନୋଟି ପ୍ରସଙ୍ଗରେ ନିର୍ଦ୍ଦେଶ ଥିଲା । ଖଣି ଲୁଟ ରୋକିବାକୁ ଫୋକସ ଥିଲା । କିନ୍ତୁ ଏଥିରେ ମୁଖ୍ୟ ଶାସନ ସଚିବ ଦୁର୍ନୀତିର ଉତ୍ସ ବା କ୍ରସରକୁ ଛାଡିଗଲେ । ଏହାର ଭିତିରି ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ହଇରାଣ କରି ମାଫିଆଙ୍କୁ ସହଯୋଗ କରିବା ହିଁ ଉଦ୍ଦେଶ୍ୟ ବୋଲି କହିଛି ବିଜେଡି । ଏବେ ଦୁର୍ନୀତିର ନାଭି କେନ୍ଦ୍ର ହେଉଛି କ୍ରସର । ଲଘୁ ଖଣିଜ ପଦାର୍ଥର ଦାମ ୩୦ ରୁ ୪୦ ପ୍ରତିଶତ ବଢିଛି । ମହଙ୍ଗା ମାଡ଼ର ସରକାର ମୋହନ ସରକାରରେ ବାଲି ଗୋଡିର ଦାମ ବି ବଢିଛି । ରାଜନୈତିକ ବ୍ୟକ୍ତିଙ୍କ ଚାନ୍ଦା ଗରିବ ଲୋକଙ୍କ ମୁଣ୍ଡ ଉପରେ ପଡିଛି ।
ଗାଁରେ ଇନ୍ଦିରା ଆବାସ ପାଇଁ ଟ୍ରାକ୍ଟରରେ ବାଲି ନେଲେ ବି ପୋଲିସ ମାଡି ବସୁଛି। କିନ୍ତୁ ହାଇୱା ଗଲେ ଧରାଯାଉନି। କ୍ରସର ଉପରେ ଚଢ଼ାଉ ନାହିଁ। ମାଫିଆଙ୍କ ଅଧୀନରେ ସରକାର। ବ୍ୟବସ୍ଥାର ଅପରାଧିକରଣ ହୋଇଛି । ବେଆଇନ ଖଣି ଖନନ ରୋକିବାକୁ ଗାଇଡ଼ଲାଇନ ଅଛି । ହେଲେ ଛୋଟ ଗାଡି ଉପରେ ଆକ୍ସନ ହେଉଛି କିନ୍ତୁ ଖଣି ମାଲିକ ଓ କ୍ରସର ଉପରେ ଆକ୍ସନ ନାହିଁ ବୋଲି କହି ବିଜେଡି ଉଦବେଗ ପ୍ରକାଶ କରିଛି । ରାଜା ଚକ୍ର ପ୍ରସଙ୍ଗରେ ବିଜେଡି ପ୍ରତିକ୍ରିୟା ରଖିଛି । ରାଜା ଚକ୍ର ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ । କିନ୍ତୁ ଗୋଟିଏ ରାଜା ଚକ୍ର ଥିଲା ଏବେ ସବୁ ମନ୍ତ୍ରୀ ଚକ୍ର ହୋଇଗଲାଣି ବୋଲି କଟାକ୍ଷ କରିଛି ବିଜେଡି ।

