spot_img
Home Blog Page 1062

୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ସସପେଣ୍ଡ କଲେ ବାଚସ୍ପତି, ତାରା କହିଲେ..

ନନ୍ଦିଘୋଷ ବ୍ୟୁରୋ: ଶାସକ ବିରୋଧୀ ହାତାହାତି ହେଲେ । ଓଡ଼ିଶା ବିଧାନସଭା ଦେଖିଲା ଏକ କଳଙ୍କିତ ଅଧ୍ଯାୟ । ତେବେ ବାଚସ୍ପତି କେବଳ ବିରୋଧୀ ଦଳ ସଦସ୍ଯଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ । ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି ତାରାପ୍ରସାଦ ବାହିନୀପତି। ୭ ଦିନ ପାଇଁ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରାଯାଇଛି। ବାଚସ୍ପତି ସୁରମା ପାଢ଼ୀ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବିତ କରିଛନ୍ତି। ତାରା ବାହିନୀପତିଙ୍କ ନିଲମ୍ବନ ବିରୋଧରେ ଗୃହରେ ପ୍ରତିବାଦ କରିଛି କଂଗ୍ରେସ ଓ ବିଜେଡି। ନିଷ୍ପତ୍ତି ପ୍ରତିବାଦରେ ଗୃହକୁ ପରିତ୍ୟାଗ କରିଛି ବିଜେଡି। ଗୃହ ଭିତରେ ମୁହଁରେ କଳା ପଟି ବାନ୍ଧି କଂଗ୍ରେସ ସଦସ୍ୟ ଧାରଣାରେ ବସିଛନ୍ତି। ଏହାସହ ନିଷ୍ପତ୍ତିକୁ ବିରୋଧ କରି ଅହୋରାତ୍ର ଧାରଣା ଦେବାକୁ ଘୋଷଣା କରିଛି କଂଗ୍ରେସ। ଅନନ୍ୟପଟେ ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି କହିଛନ୍ତି ତାରା। ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ତାରା।

 

ରାଜଧାନୀ ଭିତରେ ପଶିଲା ହାତୀ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯାଉଛି ସଚେତନ

ନନ୍ଦିଘୋଷ ବ୍ୟୁରୋ:  ବାଜୁଛି ଡାକବାଜି ଯନ୍ତ୍ର । ମାଇକ ଯୋଗେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଜଙ୍ଗଲ ନିକଟକୁ କେହି ଯାଆନ୍ତୁ ନାହିଁ । ଭୟଭୀତ ବି ହୁଅନ୍ତୁ ନାହିଁ । ହାତୀର ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ବନ କର୍ମଚାରୀ । ଗୋଟେ ପଟେ ବିଧାନସଭା, ଅନ୍ୟ ପଟେ ହାତୀ ଆତଙ୍କ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି । ଖୋର୍ଦ୍ଧା ପଟୁ ହାତୀ ପଲରୁ ଅଲଗା ହୋଇ ରାଜଧାନୀ ମୁହାଁ ହୋଇଛି ଦନ୍ତା । ବନ ବିଭାଗ ପାଖରେ ଖବର ପହଞ୍ଚିବା ମାତ୍ରେ ତାକୁ ସହର ଭିତରକୁ ପଶିବାକୁ ଦିଆଯାଇନାହିଁ । ସେପଟେ ଖୋର୍ଦ୍ଧା ପଟୁ ଦନ୍ତା ହାତୀ ଦୁଇଦିନ ହେବ ଆସିବା ପରଠାରୁ ତମାମ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ହାତୀଟି ଜନବସତିକୁ ପଶି ଆସୁଥିବାରୁ ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ରାଜଧାନୀର ଏମ୍ସ ହସ୍ପିଟାଲ ପାଖରେ କାଜୁ ଜଙ୍ଗଲରେ ବଡ଼ି ଭୋରରୁ ପଶି ଥିଲା ହାତୀ । ଏବେ ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ବନ ବିଭାଗ ଓ ଗ୍ରାମବାସୀଙ୍କ ପକ୍ଷରୁ ମିଳିତ ଭାବେ ହାତୀକୁ ଘଉଡ଼ାଇବାକୁ ଚାଲିଛି ଉଦ୍ୟମ । ସେପଟେ ବଡ ବଡ ଟାୱାର ଉପରୁ ହାତୀର ଗତି ବିଧି ଉପରେ ତୀକ୍ଷ୍ନ ନଜର ରଖିଛି ବନ ବିଭାଗ  । ବାଇନାକୂଳର ସାହାଯ୍ୟରେ ଛାତ ଉପରୁ ନଜର ରଖିଛି ଟିମ୍ । ହାତୀକୁ ଚନ୍ଦକା କି ଖୋର୍ଦ୍ଧା ପଟକୁ ଫେରେଇ ନେବା ପାଇଁ ପୁରା ପ୍ରସ୍ତୁତ ବନବିଭାଗ ।

ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଦେଖାଦେଲାଣି ଅଭାବୀ ବିକ୍ରି

ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ରେଖା । ଜଙ୍ଗଲରୁ ଉତ୍ପାଦିତ ହେଉଥିବା ଝୁଣା ଲାଖ ମହୁଲ, କେନ୍ଦୁ ଭଳି ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଆଦିବାସୀମାନେ ପରିବାର ପ୍ରତିପୋଷଣ କରନ୍ତି । ଏବେ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲୋକ ମହୁଲ ଫୁଲ ସଂଗ୍ରହ କରୁଛନ୍ତି । ହେଲେ ଫୁଲର ଅଭାବୀ ବିକ୍ରି ପାଇଁ ଦଲାଲ ମାଲାମାଲ ହେଉଥିବା ବେଳେ ଶୋଷଣର ଶିକାର ହେଉଛନ୍ତି ମହୁଲ ଫୁଲ ଗୋଟାଳି ।

ହାତରେ ରହିଛି ଡାଲା । ଆଉ ମହୁଲ ଫୁଲ ଗୋଟାଇବାରେ ଲାଗିପଡିଛନ୍ତି ମହିଳାମାନେ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ପ୍ରତି ବର୍ଷ ମାର୍ଚ୍ଚ ମାସରେ କୋକସରା ବ୍ଲକ ସାହାଜଖୋଲ, ଗୋଲାମୁଣ୍ଡା ବ୍ଲକ ଚୁରା, ନାଗେସ ଆଦି ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଥିବା ଆଦିବାସୀ ଅଞ୍ଚଳର ଲୋକେ ମହୁଲ ଫୁଲ ସଂଗ୍ରହ କରନ୍ତି । ଯାହାକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ହେଲେ ମହୁଲ ଫୁଲ ସଂଗ୍ରହ ଆରମ୍ଭରୁ ଅଭାବୀ ବିକ୍ରିର ଶିକାର ହେଲେଣି ଲୋକେ । ଦଲାଲ ମାନେ କିଲୋ ପିଛା ୨୦ ଟଙ୍କାରେ କିଣିନେଉଥିବା ଅଭିଯୋଗ କରିଛନ୍ତି ।

ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ଲୋକେ ମାର୍ଚ୍ଚ ରୁ ମେ ମାସ ପର୍ଯ୍ଯନ୍ତ ମହୁଲ ଫୁଲ ଗୋଟାଇ ପରିବାର ପ୍ରତିପୋଷଣ କରନ୍ତି । ପୂର୍ବ ସରକାରଙ୍କ ସମୟରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଜରିଆରେ ଲାଭ ଯୋଜନା ମାଧ୍ୟମରେ ଲଘୁ ବନ ଜାତ ଦ୍ରବ୍ୟ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଜରିଆରେ କ୍ରୟ କରାଯାଉଥିଲା  । ହେଲେ ନୂଆ ସରକାରରେ ମହୁଲ ଫୁଲ ସଂଗ୍ରହ ଆରମ୍ଭ ହୋଇଥିଲେ ବି ସେମିତି କିଛି ଯୋଜନା ଆରମ୍ଭ ହୋଇ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସରକାରଙ୍କ ତରଫରୁ ଧାନ , କପା ପରି ଏକ ମହୁଲ ମଣ୍ଡିର ବ୍ଯବସ୍ଥା କରାଗଲେ ଆଦିବାସୀ ମାନେ ମଣ୍ଡିରେ ଫୁଲ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇ ପାରନ୍ତେ  ।

ଆନ୍ତଃରାଜ୍ୟ ଅପରାଧୀ ସାବଧାନ, ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର

ଭୁବନେଶ୍ବର:  ଆନ୍ତଃରାଜ୍ୟ ଅପରାଧୀ ସାବଧାନ। ରାଜ୍ୟ ବାହାର ଜେଲରୁ ନିଆଯାଉଛି କ୍ରିମିନାଲଙ୍କ ତଥ୍ୟ । ଅପରାଧୀଙ୍କ କେସ ହିଷ୍ଟ୍ରି ଓ ଗତିବିଧି ଉପରେ ରହିଛି କଡା ନଜର।ବ୍ୟାପକ ହେଉଛି ଭଡାଟିଆ ଚିହ୍ନଟ ପ୍ରକ୍ରିୟା । ଆନ୍ତଃରାଜ୍ୟ ଅପରାଧୀଙ୍କୁ ଆଉ ତ୍ରାହି ନାହିଁ । ଆଇନକୁ ହାତକୁ ନେଲେ ଏଥର ସିଧା ଏନକାଉଣ୍ଟର । ବାହାର ରାଜ୍ୟର ପୋଲିସର ସ୍ପେଶାଲ ଟିମ ଓ କମିଶନରେଟ ପୋଲିସ ମଧ୍ୟରେ ଏ ନେଇ ଆଲୋଚନା ପରେ ଆନ୍ତଃରାଜ୍ୟ ପେଶାଦାରଙ୍କ କେସ ହିଷ୍ଟ୍ରି ସମ୍ପର୍କରେ ତନାଘନା କରାଯାଉଛି । ନିକଟ ଅତୀତରେ ବାହାର ରାଜ୍ୟରେ ଘଟିଥିବା ଅପରାଧରେ ଅପରାଧୀଙ୍କ ଷ୍ଟାଇଲ ଅଫ ଅପରେସନ ବିଷୟରେ ତଥ୍ୟ ଏକାଠି କରାଯାଇଛି । ବିଭିନ୍ନ ଜେଲରୁ ହାର୍ଡକୋରଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏପରିକି ଓଡ଼ିଶାର କିଛି ହାର୍ଡକୋରଙ୍କ ସମ୍ପର୍କରେ ତେଲେଙ୍ଗାନା , ବିହାର, ଆନ୍ଧ୍ରପ୍ରଦେଶ ଓ କେରଳ ପୋଲିସକୁ ତଥ୍ୟ ଦେଇ ସହଯୋଗର ହାତ ବଢ଼ାଇଛି କମିଶନରେଟ ପୋଲିସ । ପୋଲିସ ଆକ୍ସନକୁ ଆହୁରି ବ୍ୟାପକ କରିବା ପାଇଁ ସହର ଭିତରେ ଭଡାଟିଆ ଚିହ୍ନଟ ପ୍ରକ୍ରିୟା କୁ ମଧ୍ୟ ଜୋରଦାର କରାଯାଇଛି । ଟୁଇନ ସିଟି ପରେ, ଆଗକୁ ଏହି ଅଭିଯାନ ସାରା ଓଡ଼ିଶାରେ ବ୍ୟାପକ କରିବାକୁ ମଧ୍ୟ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ଏୟାରଫିଲଡ଼ ଥାନା ଲବଣଗିରିରୁ ଚେନ ଝାମ୍ପି ମହିଳାଙ୍କ ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରୁ ସାଇବର ଠକଙ୍କ ସିମ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟି କୋଟି ଲୁଟିଲେ । ବିବାହ ମଣ୍ଡପରୁ ମାରାଥନ ଚୋରି କରି ଘାଇଲା କଲେ । ପୁଣି ଶେଷରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲେ ଅପରାଧୀ । ସମସ୍ତ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି  । ସମସ୍ତ କେସରେ ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଛି କମିଶନରେଟ ପୋଲିସ । ବିଗତ ଦିନରେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ହୋଇଥିବା ୨ଟି ଏନକାଉଣ୍ଟର ହାର୍ଡକୋର ଙ୍କ ଛାତିରେ ପୁରାଇ ଦେଇଛି ଛନକା । ଆନ୍ତଃରାଜ୍ୟ ପେସାଦାର ଅପରାଧୀଙ୍କୁ ଗିରଫ ପରେ ,ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତି ନେଇ ମଧ୍ୟ ତ୍ୱରିତ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ ହେବ ।

ଭାରତରେ ଅବୈଧ ଅନୁପ୍ରବେଶ ରୋକ୍ ଲାଗି ଆସିଲା ନୂଆ ବିଲ୍ , ପାଳନ ନ କଲେ ହେବ ୭ବର୍ଷ ଜେଲ୍

ନନ୍ଦିଘୋଷ ବ୍ୟୁରୋ:  ଅନୁପ୍ରବେଶ ଏବଂ ଅବୈଧ ପ୍ରବେଶକୁ ରୋକିବା ପାଇଁ ମଙ୍ଗଳବାର ସଂସଦ ଗୃହରେ ବିଲ୍ ଆଗତ କରାଯାଇଛି । ଅମିତ ଶାହଙ୍କ ପକ୍ଷରୁ ବିଲ୍ ଉପସ୍ଥାପନ କରିବା ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ ଏହି ବିଲ୍ କାହାକୁ ଦେଶରେ ପ୍ରବେଶ କରିବାରୁ ରୋକିବା ପାଇଁ କରାଯାଇ ନାହିଁ । ବରଂ ଏହି ବିଲର ଉଦ୍ଦେଶ୍ୟ ଯେ, ଯେକୌଣସି ବିଦେଶୀ ଭାରତ ଆସିବେ , ସମସ୍ତେ ଭାରତର ପ୍ରଚଳିତ ନିୟମର ପାଳନ କରି ଆସିବା ବାଧ୍ୟତାମୂଳକ । କଂଗ୍ରେସ ସାଂସଦ ମନୀଷ ତିଓ୍ବାରୀ ଏବଂ ଟିଏମସିର ସୌଗତ ରାୟ ଏହି ବିଲକୁ ଦୃଢ ବିରୋଧ କରିଛନ୍ତି  ।

ଏହି ବିଲର ଉଦ୍ଦେଶ୍ୟ ହେଉଛି ଭାରତର ପ୍ରବାସନ ନିୟମକୁ ଆଧୁନିକୀକରଣ ଏବଂ ସୁଦୃଢ଼ ​​କରିବା । ଏହି ବିଲ୍ କେନ୍ଦ୍ର ସରକାରଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଯାତ୍ରା ଡକ୍ୟୁମେଣ୍ଟ ଆବଶ୍ୟକତା ଏବଂ ଭାରତରେ ପ୍ରବେଶ କିମ୍ବା ପ୍ରସ୍ଥାନ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ବିଦେଶୀଙ୍କ ସହ ଜଡିତ ମାମଲାଗୁଡ଼ିକୁ ନିୟନ୍ତ୍ରଣ କରିବାର କ୍ଷମତା ପ୍ରଦାନ କରେ। ଏଥିରେ ଭିସା ଏବଂ ପଞ୍ଜୀକରଣ ଆବଶ୍ୟକତା ଏବଂ ସମ୍ପର୍କିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ।

ଦେଶ ସୁରକ୍ଷା ପାଇଁ ପ୍ରବାସନ ସମ୍ପର୍କିତ ଏହି ବିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଲରେ, ଆଇନଗତ ସ୍ଥିତି ପ୍ରମାଣ କରିବାର ଦାୟିତ୍ୱ ରାଜ୍ୟ ବଦଳରେ ବ୍ୟକ୍ତି ଉପରେ ନ୍ୟସ୍ତ କରାଯାଇଛି । ଏହି ବିଲ୍ ଭାରତର ଜାତୀୟ ସୁରକ୍ଷା, ସାର୍ବଭୌମତ୍ୱ କିମ୍ବା ଅଖଣ୍ଡତା ପ୍ରତି ବିପଦ ଥିବା କୌଣସି ବିଦେଶୀ ନାଗରିକଙ୍କ ପ୍ରବେଶ କିମ୍ବା ରହିବାକୁ ସ୍ପଷ୍ଟ ଭାବରେ ରୋକ୍ ଲଗାଇଥାଏ । ଏହା ସମସ୍ତ ବିଦେଶୀଙ୍କ ପାଇଁ ଆଗମନ ସମୟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରିଥାଏ ଏବଂ ସେମାନଙ୍କର ଗତିବିଧି, ନାମ ପରିବର୍ତ୍ତନ ଏବଂ ସୁରକ୍ଷିତ କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶକୁ କଡାକଡି ବ୍ୟାନ୍ କରିଥାଏ । ଏହା ବ୍ୟତୀତ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ନର୍ସିଂ ହୋମ ଭଳି ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ନାଗରିକଙ୍କ ଉପସ୍ଥିତି ବିଷୟରେ ଇମିଗ୍ରେସନ ଅଧିକାରୀମାନଙ୍କୁ ଜଣାଇବାକୁ ପଡିବ।

ପ୍ରସ୍ତାବିତ ଆଇନରେ ପ୍ରବାସ ନିୟମ ଉଲ୍ଲଂଘନ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ବୈଧ ପାସପୋର୍ଟ କିମ୍ବା ଭିସା ବିନା ଭାରତରେ ଅବୈଧ ପ୍ରବେଶ କଲେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ନକଲି କାଗଜପତ୍ର ବ୍ୟବହାର କରୁଥିବା ଲୋକଙ୍କୁ ଦୁଇରୁ ସାତ ବର୍ଷ ଜେଲ୍ ଏବଂ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ  ।  ଅଧିକ ସମୟ ରହିବା, ଭିସା ସର୍ତ୍ତାବଳୀ ଉଲ୍ଲଂଘନ କରିବା କିମ୍ବା ପ୍ରତିବନ୍ଧିତ ଅଞ୍ଚଳରେ ପ୍ରବେଶ କରିବା ଭଳି ଅପରାଧ ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡନୀୟ।

ଉପଯୁକ୍ତ କାଗଜପତ୍ର ବିନା ବ୍ୟକ୍ତିଙ୍କୁ ପରିବହନ କରୁଥିବା ପରିବହନକାରୀଙ୍କୁ ମଧ୍ୟ ଦାୟୀ କରାଯିବ ।  ଯଦି ସେମାନେ ଦେୟ ନ ଦିଅନ୍ତି ତେବେ ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ । ଯେଉଁ କ୍ଷେତ୍ରରେ ଜଣେ ବିଦେଶୀଙ୍କୁ ପ୍ରବେଶ ମନା କରାଯାଏ, ପରିବହନକାରୀ ସେମାନଙ୍କ ତୁରନ୍ତ ପ୍ରସ୍ଥାନ ସୁନିଶ୍ଚିତ କରିବା ପାଇଁ ଦାୟୀ ରହିବେ । ଏହି ବିଲ୍ ଇମିଗ୍ରେସନ ଅଧିକାରୀମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରେ, ଯେଉଁଥିରେ ୱାରେଣ୍ଟ ବିନା ବ୍ୟକ୍ତିଙ୍କୁ ଗିରଫ କରିବାର ଅଧିକାର ରହିଛି  ।

ବିଲ୍ ଉପସ୍ଥାପନ କରିବା ସମୟରେ, ଗୃହ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବିଲ୍ ସମ୍ପୂର୍ଣ୍ଣ ସାମ୍ବିଧାନିକ ଏବଂ ଏହି ବିଷୟ ସପ୍ତମ ଅନୁସୂଚୀ ଅଧୀନରେ ଆସେ ।  ଭାରତରେ ପ୍ରବେଶ ଏବଂ ପ୍ରସ୍ଥାନକୁ ନେଇ ଏହି ବିଲ୍ ଆଗତ ହୋଇଛି  । ସେ କହିଛନ୍ତି ଯେ ଏହି ବିଲ୍ ଦେଶର ସୁରକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ   । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କାହାକୁ ରୋକିବା ପାଇଁ ଏହି ବିଲ୍ ଆଣୁନାହୁଁ ବରଂ ଏଠାକୁ ଆସୁଥିବା ଲୋକମାନେ ଭାରତର ଆଇନ ପାଳନ କରିବା ପାଇଁ ଏହି ବିଲ୍ ଆଣୁଛୁ।

ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି ବିଜେଡିର ସଂସଦୀୟ ଟିମ । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ, ମୁନ୍ନା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ନିର୍ବାଚନ କମିଶନଙ୍କୁ ପୂରା ନିର୍ବାଚନ ପ୍ରକ୍ରିୟାର ଅଡିଟ କରିବାକୁ ଦାବି କରିଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟାର ବରିଷ୍ଠ ନାଗରିକଙ୍କ ଦ୍ବାରା ତଦାରଖ କରିବାକୁ ଦାବି କରିଛନ୍ତି । ସବୁ ବୁଥରେ ଭିଭିପାଟ ଚିରକୁଟ ଓ ଇଭିଏମ ଗଣତି ମଧ୍ୟରେ ତାଳମେଳ କରିବାକୁ ମଧ୍ୟ ଦାବି କରାଯାଇଛି । ଏଥିସହିତ ୩୦ ଦିନର ସମୟ ସୀମା ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଫର୍ମ ୧୭-ସି ଯେକୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ଫି ଦାଖଲ ପରେ ପ୍ରଦାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ସଂସଦୀୟ ଟିମ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନରେ ହୋଇଥିବା ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ  ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା। ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା। ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା। ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ନେଇ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଥିଲା।

ଚହଲଙ୍କ ନାଁ ସହ ଯୋଡ଼ା ହୋଇଥିବା RJ ମହଭାସ୍ କିଏ ? ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ଧନଶ୍ରୀଙ୍କ ସହ ଛାଡ଼ପତ୍ର ପରେ ଏବେ ଆଉ ଜଣେ ଯୁବତୀଙ୍କ ସହ ତାଙ୍କ ନାମ ଯୋଡ଼ି ହୋଇଛି । ତେବେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଉଭୟ ଗ୍ୟାଲେରୀରେ ନଜର ଆସିଥିଲେ । ଯାହାକୁ କ୍ୟାମେରା ମଧ୍ୟ ବାରମ୍ବାର ଫୋକସ କରୁଥିଲା । ଏହାପରଠାରୁ ଚହଲ ଏବଂ Rj ମହଭାସଙ୍କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି । ତେବେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ କି ଏହି ଯୁବତୀ କିଏ? ତେବେ ଆସନ୍ତୁ ଜାଣିବା..

ମହଭାସ ଜଣେ ରେଡିଓ ଜକିଭାବେ ବେଶ ପରିଚିତ । ଏହା ସହ ସେ ସୋସିଆଲ ମିଡିଆରେ ଜଣେ ଇନଫ୍ଲୁଏନ୍ସର ମଧ୍ୟ । ଏପରିକି ତାଙ୍କର ବହୁ ପ୍ରାଙ୍କ ଭିଡିଓମାନ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିବା ମହଭାସ୍ ଆଲିଗଡ଼ରେ ସ୍ନାତୋକତ୍ତର ହାସଲ କରିଛନ୍ତି । ତେବେ ବିଗବାସ୍ ୧୪ରେ ତାଙ୍କୁ ଅଫର କରାଯାଇଥିଲା । ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କେବଳ ଏତିକି ନୁହେଁ ବଲିଉଡରେ ମଧ୍ୟ ତାଙ୍କୁ ଅଭିନୟ ପାଇଁ ଅଫର ମିଳିଛି । କିନ୍ତୁ ସେ ଏହାକୁ ମଧ୍ୟ ମନା କରିଛନ୍ତି । ତେବେ ସେ ଏକ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ସେ ୩୫ ଲକ୍ଷ ଟଙ୍କାର ମାଲିକାଣୀ ହୋଇଥିବାବେଳେ ଭଲ ରୋଜଗାର ମଧ୍ୟ କରନ୍ତି । ତେବେ କୁହାଯାଉଛି କି, ଗତ ଖ୍ରୀଷ୍ଟମାସ ମହଭାସ ଚହଲଙ୍କ ସହ ମନାଇଥିଲେ । ଏହାପରଠାରୁ ଜଣା ପଡ଼ିଥିଲା କି, ସେମାନେ ଡେଟ୍ କରୁଛନ୍ତି । ତେବେ ଆଗାମୀ ଦିନରେ ଏମାନେ କଣ ବିବାହ କରିବେ କି ? ଏମିତି ପ୍ରଶ୍ନନ ଫ୍ୟାନ୍ସ ମାନେ ପ୍ରଶ୍ନ ଉଠାଇଛନ୍ତି ।

ଭଦ୍ରକ ପୁରୁଣା ବଜାର ପୋଲିସକୁ ବଡ ସଫଳତା : ନକଲି ଜର୍ଦ୍ଦା କାରଖାନା ଠାବ

ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ପୁରୁଣା ବଜାର ପୋଲିସକୁ ମିଳିଛି ବଡ ସଫଳତା। ନକଲି ଜର୍ଦା କାରଖାନାକୁ ଠାଵ କରିବା ସହିତ ଘଟଣାରେ ସମୃକ୍ତ ଥିବା ତିନିଜଣଙ୍କୁ ଗିରଫ କରିଛି ପୋଲିସ।  ୨ ଲକ୍ଷ ଟଙ୍କାର ଜର୍ଦ୍ଧା ଜବତ କରିବା ସହ ଜର୍ଦା ତିଆରୀ ଯନ୍ତ୍ରପାତିକୁ ମଧ୍ୟ ଠାବ କରିଛି। ପୁରୁଣାବଜାର ଅନ୍ତର୍ଗତ ହେଲାସାହିରେ ନକଲି ଜର୍ଦା ତିଆରି ଚାଲିଥିବା ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା ।  ଚଢାଉ କରିବା ସମୟରେ ୩ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ସେଠାରୁ ଫେରାର ହୋଇଯାଇଥିଲୋ। ଗିରଫ ଅଭିଯୁକ୍ତ ହେଲେ ସେକ ମୁନା, ସେକ ଅରବାଜ ଓ ମିର ନିୟାଜ କାଦରୀ। ସେମାନଙ୍କ ନିକଟରୁ ଜର୍ଦା ତିଆରି ମେସିନ ସହ ବିଭିନ୍ନ ନକଲି ଜର୍ଦ୍ଦ ଡବା, ନକଲି ଜର୍ଦ୍ଦ ଓ ସେନ୍ଟ ଆଦି ଠାଵ କରା ଯାଇଛି। ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ସିଟି ଡ଼ିଏସପି ସମ୍ବିତ ମାଝୀ। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

ଆଇସିସି ଚମ୍ପିୟାନ୍ସ ଟ୍ରଫି : ବିରାଟଙ୍କ ଆଉଟ୍ ହେବା ଦେଖି ହାର୍ଟଆଟାକରେ ଚାଲିଗଲା ଛାତ୍ରୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ:  ଭାରତ- ନ୍ୟୁଜିଲାଣ୍ଡ  ଆଇସିସି ଚମ୍ପିୟାନସ୍ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାରତର ବିପୁଳ ବିଜୟ ହୋଇଛି । କିନ୍ତୁ ଏହି ଖୁସି ମଧ୍ୟରେ ଗୋଟିଏ ଦୁଃଖଦ ଘଟଣା ବି ଘଟିଛି  । ଭାରତ- ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଚାଲିଥିଲାବେଳେ ବିରାଟ କୋହଲି ଦ୍ବିତୀୟ ବଲରେ ଆଉଟ୍ ହେବା ପରେ ଉତ୍ତରପ୍ରଦେଶ ଦେବରିୟାର ଝିଅ ପ୍ରିୟାଶୀଂ ପାଣ୍ଡେଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ବିରାଟ କୋହଲି ଆଉଟ୍ ହେବା ପରେ ତାଙ୍କୁ ବହୁତ ବଡ ଧକ୍କା ଲାଗିଥିଲା ।  ପ୍ରିୟାଶୀଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ରବିବାର ଦିନ ନିଜ ପରିବାର ସହ ଫାଇନାଲ୍ ମ୍ୟାଚ୍ ଦେଖୁଥିଲେ  ।

ବିରାଟ କୋହଲି ୧ ରନ୍ ନେଇ ଆଉଟ୍ ହେବା ପରେ ଝିଅଟିକୁ ଶକ୍ତ ଆଘାତ ଲାଗିଥିଲା । ଏହା ପରେ ତାଙ୍କର ହାର୍ଟ ଆଟାକ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପରିବାରଲୋକେ ହସ୍ପିଟାଲ୍ ନେଇ ଯାଇଥିଲେ । ହସ୍ପିଟାଲରେ ହିଁ ପ୍ରିୟାଶୀଂଙ୍କର ମୃତ୍ୟୁ ହୋଇଗଲା । ଡାକ୍ତରମାନେ କହିଥିଲେ ଯେ ଝିଅଟିର ହୃଦଘାତ ହୋଇଛି। ମୃତକ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିଲେ, ଯାହାଙ୍କ ନାମ ପ୍ରିୟାଂଶୀ ପାଣ୍ଡେ ଥିଲା। ତାଙ୍କ ବାପା ଅଜୟ ପାଣ୍ଡେ ଜଣେ ଓକିଲ।

ମୃତକଙ୍କ ବାପା ଅଜୟ ପାଣ୍ଡେ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଦେଖୁଥିଲେ। ପରିବାରର ସମସ୍ତ ସଦସ୍ୟ ଏକାଠି ବସି ମ୍ୟାଚ୍ ଦେଖୁଥିଲେ। ରୋହିତ ଶର୍ମା ଚୌକା ଏବଂ ଛକା ମାରିବା ପରେ ପ୍ରିୟାଂଶୀ ବହୁତ ଖୁସି ହୋଇଥିଲେ। ସମସ୍ତେ ଭାରତର ବିଜୟ ପାଇଁ ଆଶା କରିଥିଲେ। ତା’ପରେ ବିରାଟ କୋହଲିଙ୍କ ବ୍ୟାଟିଂ ପାଳି ଆସିଲା ଏବଂ ସେ ବ୍ୟାଟ୍ ଧରି ଆସିଥିଲେ କିନ୍ତୁ ମାତ୍ର ଗୋଟିଏ ରନ୍ କରିବା ପରେ ଆଉଟ୍ ହୋଇଗଲେ, ଯାହା ଦ୍ବାରା ପ୍ରିୟାଶୀଂଙ୍କୁ ବଡ ଧକ୍କା ଲାଗିଥିଲା ।

ପ୍ରିୟାଂଶୀ ଏତେ ବଡ ଧକ୍କା ଲାଗିଥିଲା ଯେ ସେ  ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ, ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ପ୍ରିୟାଂଶୀଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ। ସେଥିପାଇଁ କୁହାଯାଉଛି ଯେ ବିରାଟ କୋହଲିଙ୍କ ଆଉଟ୍ ହେବା ତାଙ୍କ ପ୍ରଶଂସକ ପ୍ରିୟାଂଶୀଙ୍କ ପାଇଁ ଏତେ ବଡ଼ ଧକ୍କା ଥିଲା ଯେ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥିଲା। ତଥାପି, ପ୍ରିୟାଂଶୀଙ୍କ ଜଣେ ପଡ଼ୋଶୀ କହିଛନ୍ତି ଯେ ପ୍ରିୟାଂଶୀଙ୍କ ହୃଦଘାତ ହେବା ଏକ ସଂଯୋଗ ।

ପାକିସ୍ତାନରେ ଟ୍ରେନ୍ ହାଇଜାକ୍, ଅଛନ୍ତି ୪୫୦ରୁ ଅଧିକ ଯାତ୍ରୀ..

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଲା ଛାତିଥରା ଖବର । ଟ୍ରେନକୁ କରାଯାଇଛି ହାଇଜାକ୍ । ଯେଉଁଥିରେ ୪୫୦ରୁ ଅଧିକ ଯାତ୍ରୀଥିବା ଅନୁମାନ କରାଯାଉଛି । ବାଲୁଚ ଲିବରେସନ ଆର୍ମି ନାମକ ଏକ ସଂଗଠନ ଦାବି କରିଛି କି, ସେମାନେ ୪୫୦ରୁ ଅଧିକ ଯାତ୍ରୀଙ୍କୁ ଅପହରଣ କରିଛନ୍ତି । ତେବେ ସେମାନେ ଚେତାବନୀ ଦେଇଛନ୍ତି କି, ଯଦି ସେନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହେଲେ ସମସ୍ତ ଯାତ୍ରୀଙ୍କୁ ସେମାନେ ହତ୍ୟା କରିବେ । ତେବେ କ୍ବୋଟାରୁ ଲାହୋର ଯାଉଥିବା ଏହି ଯାତ୍ରୀବାହୀ ଟ୍ରେନକୁ ସେମାନେ ବନ୍ଧକ ରଖିଛନ୍ତି । ତେବେ ୧୦୦ରୁ ଅଧିକ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଜଣାପଡ଼ିଛି । ବନ୍ଧକ ମଧ୍ୟରେ ପାକ ସେନା ଅଧିକାରୀ ମଧ୍ୟ ଅଛନ୍ତି । ୯ଟି ବଗିକୁ ହାଇଜାକ କରାଯାଇଥିବା ସୂଚନା ମିଳିଛି ।