ନନ୍ଦିଘୋଷ ବ୍ୟୁରୋ : ସିରିଆରେ ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ନରସଂହାର। ବର୍ତ୍ତମାନ ସୁଦ୍ଧ ହଜାରେରୁ ଅଧିକ ନାଗରିକଙ୍କ ମୃତ୍ୟୁେ ହୋଇସାରିଲାଣି। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି। ୨୦୧୧ ଗୃହଯୁଦ୍ଧ ପରେ ସିରିଆରେ ସର୍ବାଧିକ ସଂଖ୍ଯକ ସଂଖ୍ଯାଲଘୁ ଲୋକଙ୍କ ମୃତ୍ୟୁ। ଲୋକଙ୍କ ଉପରେ ଅତ୍ଯାଚାର ବଢିଚାଲିଥିବାରୁ ସାହାଯ୍ୟ ଲାଗି ଭାରତକୁ ଗୁହାରୀ କରିଛନ୍ତି ସିରିଆରେ ଥିବା ସଂଖ୍ଯାଲଘୁ ଗୋଷ୍ଠୀ। ସିରିଆ ସେନା ଓ ପୂର୍ବତନ ରାଷ୍ଟ୍ରପତି ବଶାର ଅଲ୍ ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ଏବେ ଭୀଷଣ ସଂଘର୍ଷ ଜାରି ରହିଛି। ଏହି ହିଂସାକାଣ୍ଡରେ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦୁଇ ଦିନ ମଧ୍ୟରେ ସୁରକ୍ଷାବାହିନୀ ସହ ସଂଖ୍ୟାଲଘୁ ଅଲାଭି ମୁସଲମାନ ସମ୍ପ୍ରଦାୟର ୭୪୫ରୁ ଅଧିକ ଲୋକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଫାଶୀ ଦିଆଯାଇଛି। ଏହାବ୍ୟତୀତ ୧୪୮ ଜଣ ଅସଦ ସମର୍ଥକ ଯୋଦ୍ଧା ମଧ୍ୟ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଅସଦ ସମର୍ଥକଙ୍କ ଆକ୍ରମଣରେ ୧୨୫ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।ଅସଦଙ୍କ ସମର୍ଥକ ଯୋଦ୍ଧାମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ହିଂସାକାଣ୍ଡ ଘଟିଥିଲା। ସେପଟେ ଆବାସିକ ଅଂଚଳରେ ସୁରକ୍ଷା ବାହିନୀ ବୋମାମାଡ଼ କରିବା ପରେ ପରିସ୍ଥିତି ଭୟାନକ ରୂପ ନେଇଥିଲା। ସୁରକ୍ଷାବାହିନୀ କେତେକ ଅସଦ ସମର୍ଥକଙ୍କୁ ଗିରଫ କରିବାକୁ ଚେଷ୍ଟା କରିବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାପରେ ସରକାର ଲାଟାକିଆ ଓ ଟାର୍ଟାସରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ କରିଛନ୍ତି। ଏଥିସହ ହିଂସା ନିୟନ୍ତ୍ରଣ ପାଇଁ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି।
ବିଦେଶରୁ ସୁନା ସ୍ମଗଲିଂ କରୁଥିବା ଅଭିନେତ୍ରୀ ରାନ୍ୟା ଆଣିଲେ ନିର୍ଯାତନା ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ବିଦେଶରୁ ସୁନା ସ୍ମଗଲିଂ ଘଟଣାରେ ଅଭିନେତ୍ରୀ ରାନ୍ୟା ଗିରଫ ଘଟଣା। ତଦନ୍ତକାରୀ ସଂସ୍ଥା ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଭିନେତ୍ରୀ ରାନ୍ୟା ରାଓ। ତଦନ୍ତବେଳେ ଡିଆରଆଇ ଅଧିକାରୀ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ରାନ୍ୟା । ମାନସିକ ନିର୍ଯାତନା ସହ ଗାଳିକୁ ସହ୍ୟ କରିପାରିନଥିବା କହିଲେ ରାନ୍ୟା । ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏ ବିଷୟରେ କହିଛନ୍ତି। ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ଡିଆରଆଇର ଅଧିକାରୀମାନେ ମାଡ଼ ମାରି ନାହାନ୍ତି କିନ୍ତୁ ପ୍ରଚୁର ମାତ୍ରାରେ ମାନସିକ ନିର୍ଯାତନା ଦେବା ସହିତ ଗାଳିଗୁଲଜ କରିଥିବା କହିଛନ୍ତି। ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ରାନ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଆଜି ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ ରାନ୍ୟା କାନ୍ଦିକାନ୍ଦି ବିଚାରପତିଙ୍କୁ ଏକଥା କହିଥିଲେ। ରାନ୍ୟାଙ୍କ ଏଭଳି ଅଭିଯୋଗ ପରେ ଡିଆରଆଇ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି। ରାନ୍ୟାଙ୍କୁ ଯାଞ୍ଚ ସମୟରେ କୌଣସି ପ୍ରକାର ଗାଳିଗୁଲଜ କି ମାନସିକ ନିର୍ଯାତନା ଦିଆଯାଇ ନାହିଁ ବୋଲି କହିଛନ୍ତି ଅଧିକାରୀ। ଓଲଟି ସେ ଯାଞ୍ଚରେ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି। ପ୍ରମାଣ ଦେଖାଇବା ପରେ ବି ସେ ନିଜ ଦୋଷକୁ ସ୍ବୀକାର ନକରି ଅଯଥା କଥାକୁ ଓଲଟପାଲଟ କରି କହୁଛନ୍ତି ବୋଲି କହିଛନ୍ତି ଡିଆରଆଇ ଅଧିକାରୀ। ଗତବର୍ଷ ୩୦ ଥର ଦୁବାଇକୁ ଯାଇଥିଲେ ରାନ୍ୟା। ଶେଷରେ ଧରାପଡିଥିଲା ରାନ୍ୟାଙ୍କ ଗୁମର। ତାଙ୍କ ନିକଟରୁ ଜବତ ହୋଇଥିଲା ପ୍ରାୟ ୧୩ କୋଟି ଟଙ୍କାର ସୁନା। ତେଣେ ବେଙ୍ଗାଳୁରୁସ୍ଥିତ ଘରେ ରେଡ ହେବା ପରେ ମୋଟ ୧୭ କୋଟି ୨୯ ଲକ୍ଷ ଟଙ୍କା ଜବତ ହୋଇଥିଲା। ସୁନା ସ୍ମଗଲିଂ ଲାଗି ରାନ୍ୟାଙ୍କୁ କିଲୋ ପିଛା ଦିଆଯାଉଥିଲା ୧ ଲକ୍ଷ ଟଙ୍କା। ସେ ପ୍ରତିଥର ପ୍ରାୟ ୧୨/୧୩ କିଲୋ ସୁନା ଆଣୁଥିବାରୁ ଟ୍ରିପ ପିଛା ତାଙ୍କୁ ପ୍ରାୟ ୧୨-୧୩ ଲକ୍ଷ ଟଙ୍କା ମିଳୁଥିଲା। ବିମାନବନ୍ଦର କର୍ମଚାରୀଙ୍କ ଆଖିରେ ଧୂଳି ତେବା ଲାଗି ସେ ବ୍ଯବହାର କରୁଥିଲେ ମଡିଫାଏଡ ଜ୍ୟାକେଟ। ବିମାନ ବନ୍ଦରରୁ ଖସିଯିବା ଲାଗି ତାଙ୍କୁ ଜଣେ ପୋଲିସ କନଷ୍ଟେବଳ ସହାୟତା କରୁଥିଲେ। ବରିଷ୍ଠ ପୋଲିସ ଅଧିକାରୀ, ନେତା ଏହି ରାକେଟ ପଛରେ ଥିବା ସନ୍ଦେହ କରାଯାଉଛି।
ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ, ବିସ୍ତୃତ ଆଲୋଚନା ପାଇଁ ରାହୁଲ ଗାନ୍ଧିଙ୍କ ଦାବି
ନୂଆଦିଲ୍ଲୀ : ଲୋକସଭାରେ ଉଠିଲା ଜାଲ୍ ଭୋଟର ଆଇଡି ପ୍ରସଙ୍ଗ । ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ କହିଛନ୍ତି, ସାରା ଦେଶରେ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠିଛି। ଏହା ଉପରେ ଆଲୋଚନା ହେବା ଦରକାର। ସମସ୍ତ ବିରୋଧୀ ଦଳ ଚାହୁଁଛନ୍ତି ଆଲୋଚନା ହେଉ।କାରଣ କିଛି ଦିନ ତଳେ ଏକାଧିକ ଭୋଟର ପରିଚୟ ପତ୍ରର ସମାନ ନମ୍ଵର ଥିଲା। ଏହା ଦ୍ଵାରା ଭୋଟରେ ଜାଲିଆତି କରାଯିବାର ଆଶଙ୍କା ରହିଛି। ତାଙ୍କୁ ଟିଏମସି ମଧ୍ୟ ସମର୍ଥନ କରିଛି। ସାଂସଦ ସୌଗାତ ରାୟ କହିଛନ୍ତି, ତାଙ୍କ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁଛି। ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଆଗରୁ ମଧ୍ୟ ଅବଗତ କରାଯାଇଛି। ଆସନ୍ତାକାଲି ଏ ସଂପର୍କରେ ନିର୍ବାଚନ କମିଶନଙ୍କୁ ଭେଟିବାର ଅଛି।
ଭୂପେଶ ବଘେଲଙ୍କ ଘରେ ଚଢାଉ କରିଥିବା ଇଡି ଟିମ୍ ଉପରେ ଆକ୍ରମଣ
ରାୟପୁର : ଛତିଶଗଡ଼ର ମଦ ଦୁର୍ନୀତି ମାମଲାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ତାଙ୍କ ପୁଅ ଏବଂ ଅନ୍ୟମାନଙ୍କ ଘର ଉପରେ ଚଢାଉ କରିଛି। କିନ୍ତୁ ଚଢାଉ ସମୟରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଚଢାଉ ପରେ ସେ ଘରୁ ବାହାରକୁ ଯାଉଥିବା ସମୟରେ ଲୋକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଇଡି ଅନୁସାରେ ଆକ୍ରମଣ ବିରୋଧରେ ଏକ ଏଫଆଇଆର ଦାଖଲ କରିବ। ଚଢାଉ ସମୟରେ, ତଦନ୍ତକାରୀ ସଂସ୍ଥା ବାଘେଲଙ୍କ ଘରୁ ପ୍ରାୟ ୩୩ ଲକ୍ଷ ଟଙ୍କା ନଗଦ, ଏକ ପେନଡ୍ରାଇଭ ଏବଂ କିଛି କାଗଜପତ୍ର ଜବତ କରିଛି । ଯାହାର ତଦନ୍ତ ଚାଲିଛି। ୧୧ ଘଣ୍ଟାର ଦୀର୍ଘ ପଚରାଉଚରା ପରେ, ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନ ଛାଡିଛି। ଏହି ସମୟରେ ଇଡିର ଡେପୁଟି ଡାଇରେକ୍ଟର ସ୍ତରୀୟ ଅଧିକାରୀଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଆକ୍ରମଣ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ ଇଡି କହୁଛି। ସଂସ୍ଥା ଏକ ଏଫଆଇଆର ଦାଖଲ କରିବ।
ଏହି ସମୟରେ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଚଢାଉକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ପାର୍ଟି ଅଭିଯୋଗ କରିଛି ଯେ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ସାମ୍ନାରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ ଇଡି ଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଚଢାଉ କରାଯାଇଥିଲା।
ଚଢାଉ ପରେ ବଘେଲ କହିଥିଲେ ଯେ ମୁଁ ମୃତ୍ୟୁକୁ ଭୟ କରେ ନାହିଁ। ଭୂପେଶ ନିର୍ବାଚନ ଲଢ଼ିବାକୁ କିମ୍ବା ମୃତ୍ୟୁକୁ ଭୟ କରନ୍ତି ନାହିଁ। ଏହି ସମୟରେ ସେ ଅନେକ ବରିଷ୍ଠ ନେତାଙ୍କ ସହିଦ ହେବାର ମଧ୍ୟ ଉଲ୍ଲେଖ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବଘେଲଙ୍କ ବାସଭବନ ବାହାରେ ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଅଛନ୍ତି। ଅଧିକାରୀମାନେ ସେଠାରୁ ଚାଲିଯାଇଛନ୍ତି। ଅଧିକାରୀ ଜଣକ କାନ୍ଧରେ ଏକ ଲାପଟପ୍ ବ୍ୟାଗ୍ ଧରି ଫେରୁଥିବାର ଦେଖାଯାଇଥିଲା। ଆଜି ସକାଳେ ଦଳ ଚଢାଉ ହୋଇଥିଲା । ପୂର୍ବରୁ, ମଦ ଦୁର୍ନୀତି ମାମଲାରେ ଭୂପେଶ ବାଘେଲଙ୍କ ପୁଅ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଚଢାଉ କରିଥିଲା।
ଇଡି ଚଢାଉ ପରେ, ବହୁ କଂଗ୍ରେସ ନେତା ଏବଂ କର୍ମୀ ଭିଲାଇରେ ଭୂପେଶ ବଘେଲଙ୍କ ଘର ବାହାରେ ପହଞ୍ଚି ଏହା କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବୋଲି ଦାବି କରିଥିଲେ। ପୂର୍ବରୁ, ଇଡି ଦାବି କରିଥିଲା ଯେ ମଦ ଦୁର୍ନୀତି ଯୋଗୁଁ ରାଜ୍ୟର ରାଜସ୍ୱକୁ ବହୁତ କ୍ଷତି ହୋଇଛି। ଏହି କାରଣରୁ, ୨୧୦୦ କୋଟି ଟଙ୍କାରୁ ଅଧିକ ଆୟ ମଦ ସିଣ୍ଡିକେଟର ହିତାଧିକାରୀଙ୍କ ପାଖକୁ ଗଲା। ଇଡି ଅନୁଯାୟୀ, ଏହି କଥିତ ମଦ ଦୁର୍ନୀତି ୨୦୧୯ ରୁ ୨୦୨୨ ମଧ୍ୟରେ ଘଟିଥିଲା, ଯେତେବେଳେ ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା। ଏପର୍ଯ୍ୟନ୍ତ, ଇଡି ବିଭିନ୍ନ ଅଭିଯୁକ୍ତଙ୍କଠାରୁ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।
ରାଜ୍ୟରେ ବିକ୍ରି ହେଉଛି ନକଲି ଔଷଧ ଓ ନିମ୍ନମାନର ଇଞ୍ଜକସନ
ଭୁବନେଶ୍ବର ; ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି ମେଡିସିନ। ଏହା ସହିତ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ବିଧାନସଭାରୁ ମିଳିଛି ଏହି ତଥ୍ୟ। ବିଧାନସଭାରେ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କଲିକତା, ହାଇଦ୍ରାବାଦରୁ ଓଡ଼ିଶାକୁ ଆସୁଥିଲା ନକଲି ମେଡିସିନ। ୩ ବର୍ଷରେ ୧୦୩ଟି ମେଡିସିନ ନିମ୍ନ ମାନର ବୋଲି ଧରାପଡ଼ିଛି। ଏଥିପାଇଁ ୪ ସପ୍ଲାୟରଙ୍କ ସମେତ ସେହି ସବୁ କମ୍ପାନୀକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୨୨-୨୩ ରେ ୪୫ ମେଡ଼ିସିନକୁ ନିମ୍ନ ମାନର ବୋଲି ଦର୍ଶାଯାଇଥିବା ବେଳେ ୨୦୨୩-୨୪ ରେ ୩୨ ଟି, ୨୦୨୪-୨୫ ରେ ୨୬ ଟି ମେଡ଼ିସିନ ନିମ୍ନ ମାନର ଥିବା ଧରା ପଡ଼ିଛି। ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର : ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥି ସହିତ ବାଚସ୍ପତିଙ୍କ ଉପରକୁ ପୋଷ୍ଟର ଫୋପାଡ଼ି ଟଙ୍କିକିଆ ଚକଲେଟ ଦେଇଥିଲେ କଂଗ୍ରେସ ବିଧାୟକ। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍କ୍ରିୟ ଥିବା ବେଳେ ବାଚସ୍ପତି ଏଥିରେ ହସ୍ତକ୍ଷେପ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଛି । ଏହି ପ୍ରସଙ୍ଗରେ ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲା । ପରେ ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୋଧରେ ଗର୍ଜନ କରିଥିଲେ। ସନ୍ଧ୍ୟାରେ ଗୃହକୁ ସ୍ବାଭାବିକ ସ୍ଥିତିକୁ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ ମାରିଥିଲା । କଂଗ୍ରେସ ଓ ବିଜେଡି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଖର୍ଚ୍ଚଦାବି ଆଲୋଚନା ପାଇଁ ବାଚସ୍ପତି ଅନୁମତି ଦେବାରୁ କଂଗ୍ରେସ ବିଧାୟକମାନେ ଅଧିକ ଉତ୍ତେଜିତ ହୋଇଥିଲେ । ପରେ କକ୍ଷତ୍ୟାଗ କରି କଂଗ୍ରେସ ବିଧାୟକମାନେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଜାନୁଆରୀରେ ୧୧୧ ହତ୍ୟା, ୨୦ ଡକାୟତି ଏବଂ ଶହେରୁ ଅଧିକ ଦଙ୍ଗା
ଭୁବନେଶ୍ବର ; ରାଜ୍ୟରେ ବିଗିଡିଛି ଆଇନଶୃଙ୍ଖଳା ବ୍ୟବସ୍ଥା, ବଢିଚାଲିଛି ଅପରାଧ ସଂଖ୍ୟା । ଜାନୁଆରୀ ମାସରେ ରେକର୍ଡ ହୋଇଛି ୧୧୧ ହତ୍ୟା ମାମଲା। ସେହିପରି ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ସେହିପରି ୨୦୨୪ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭ହଜାର ୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚରଣ, ୧୦୮୨ଯୌନ ନିର୍ଯ୍ୟାତନା, ୧୮୩୯ ସାର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୬୫ ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି। ବିଜେଡି ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରଖିଛନ୍ତି ଲିଖିତ ଉତ୍ତର। ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ନେତୃତ୍ଵାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିଧାୟକ ରମେଶ ବେହେରା। ସରକାର ଦେଇଥିବା ଉତ୍ତରରେ ଅଧା ସତ ଓ ଅଧା ମିଛ ରହିଛି ବୋଲି କହିଛନ୍ତି। ୨୦୨୫ ଜାନୁଆରୀ ମାସର ତଥ୍ୟ ଯାହା ଦେଇଛନ୍ତି ନୂଆ ସରକାର ଆସିବା ପରେ ତାହା ସ୍ପଷ୍ଟ କରୁଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିଗିଡିଯାଇଛି। ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭାଇଚାରାର ରାଜ୍ୟ କୁହାଉଥିବା ଓଡ଼ିଶା ଏଥିଲାଗି ନିନ୍ଦିତ ହେବ ବୋଲି ସେ କହିଛନ୍ତି। ସେପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ମଧ୍ୟ ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରକୁ ସମାଲୋଚନା କରିଛନ୍ତି। ପୋଲିସ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ପୋଲିସକୁ ନିର୍ଦେଶ କି କୌଣସି ଚାପ ପକାଉନାହାନ୍ତି। ଅପରାଧ ନିୟନ୍ତ୍ରଣ ନହେଲେ ସରକାର ଉପରୁ ଲୋକଙ୍କ ଭରସା ତୁଟିଯିବ ବୋଲି କହିଛନ୍ତି ସୋଫିଆ।
୫ ମାସ ହେଲାଣି ଧରାଶାୟୀ ପୁଞ୍ଜି ବଜାର, ନିବେଶକ ହରାଇଲେଣି ୯୦ ଲକ୍ଷ କୋଟି
ଭୁବନେଶ୍ବର ; ଦେବାଳିଆ ସ୍ଥିତିକୁ ଯାଉଛି ଭାରତ ! ଏପରି ଆଶଙ୍କା କଲେଣି ଅର୍ଥନୀତି ବିଶେଷଜ୍ଞ । ପ୍ରଚାରରେ ବ୍ୟସ୍ତ କେନ୍ଦ୍ର ସରକାର। ଚଳିତ ଆର୍ଥିକ ବର୍ଷର ଶେଷ କ୍ବାର୍ଟରରେ ବି ଅଭିବୃଦ୍ଧି ନିରାଶଜନକ । ପୁଣି ଥରେ ଭାରତୀୟ ବଜାରରେ ଦେଖିବାକୁ ମିଳିଛି ୧୯୯୬ ସମୟର ସ୍ଥିତି । ଲଗାତାର ୫ ମାସ ହେଲାଣି ମାଟି କାମୁଡି ଚାଲିଛି ପୁଞ୍ଜି ବଜାର । ୯୦ ଲକ୍ଷ କୋଟି ଟଙ୍କା ହରାଇଲେଣି ପୁଞ୍ଜି ନିବେଶକାରୀ । ସେପଟେ କୋଭିଡ ପରେ କେନ୍ଦ୍ର ସରକାର ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବା ପାଇଁ ଯେପରି ଘୋଷଣା କରିଥିଲେ । ସେଥିରେ ବାସ୍ତବତା ନଥିବା ଅନୁଭବ କଲେଣି ବିଦେଶୀ ସଂସ୍ଥାଗତ ପୁଞ୍ଜି ନିବେଶକାରୀ । ଯେଉଁଥି ପାଇଁ ଏବେ ସବୁଦିନ ଭାରତୀୟ ଷ୍ଟକ ବଜାରରେ ସେମାନେ ତାଙ୍କ ଅଂଶଧନ ବିକ୍ରି କରି ବାହାରି ଯାଉଛନ୍ତି । ସ୍ଥିତି ଏମିତି ହେଲାଣି ଯେ, ବାରମ୍ବାର ବଜାର କ୍ରାସ୍ କରିବାରୁ ପ୍ରଚୁର କ୍ଷତି ସହିଲେଣି ଘରୋଇ ଖୁଚୁରା ନିବେଶକାରୀ । ଏପରିକି ଋଣ କରି ଆଉ ନିବେଶ କରିବାକୁ ସାହାସ ଜୁଟେଇ ପାରୁନାହାନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଜ ଟ୍ରମ୍ପଙ୍କ ଟାରିଫ ଆକ୍ରମଣ ସତ୍ତ୍ବେ ବିଶ୍ବର ଅନ୍ୟ ଷ୍ଟକ୍ ମାର୍କେଟ୍ରେ ନିବେଶକାରୀ ଲାଭବାନ ହେଉଛନ୍ତି । ଯେପରିକି, ସଂଘାଇ, ହଂଗ୍କଙ୍ଗ୍, ୟୁରୋପ ମାର୍କେଟ୍, କୋରିଆର କୋସ୍ପି, ଆମେରିକା ଷ୍ଟକ ମାର୍କେଟ୍ ଡାଓ ଜୋନ୍ସ୍, ନାସଡାକ୍, ଏସ୍.ଆଣ୍ଡ.ପି ଆଦି ମାର୍କେଟ ବୁମ୍ରେ ଚାଲିଛି । କିନ୍ତୁ କାହିଁକି କ୍ଷତିରେ ଭାରତୀୟ ଷ୍ଟକ ମାର୍କେଟ ? ବିଶେଷଜ୍ଞଙ୍କ ଅଭିଯୋଗ, ଏବେର କେନ୍ଦ୍ର ସରକାରଙ୍କ ନୀତିକୁ ଭରସା କରିପାରୁନାହାନ୍ତି ବିଦେଶୀ ପୁଞ୍ଜି ନିବେଶକାରୀ । କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ଯେପରି ନୀତି ଆପଣାଉଛନ୍ତି, ତାହା ଦେଶର ଅର୍ଥନୀତିକୁ ଭିତରେ ଭିତରେ କଙ୍କାଳସାର କଲାଣି । ବେରୋଜଗାରୀ, ମହଙ୍ଗା ବଜାର ଯୋଗୁ ବେଶୀ ପ୍ରଭାବିତ ହେବାକୁ ଯାଉଛନ୍ତି ମଧ୍ୟବିତ୍ତ ।
ପ୍ରତିଦିନ କ୍ରାସ୍ କରିବାରେ ଲାଗିଛି ମାର୍କେଟ୍। କେତେକାଂଶରେ ଏହା ଜାଣିଶୁଣି କରାଯାଉଛି ବୋଲି ଅଭିଯୋଗ ହୋଇଛି । କ୍ଷୁଦ୍ର ନିବେଶକାରୀଙ୍କୁ ବଜାରରୁ ଆଉଟ୍ କରିବାକୁ ବଡ଼ ପୁଞ୍ଜି ନିବେଶକାରୀ ଏଫ୍ଆଇଆଇଙ୍କ ସହ ମଧୁଚନ୍ଦ୍ରିକା କରି ମାର୍କେଟ୍ ଡାଉନ୍ କରିବାରେ ଲିପ୍ତ ରହୁଛନ୍ତି । ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଭାରତରେ ନିବେଶ କରିବା ମହଙ୍ଗା ପଡ଼ୁଛି । ଏହାସହିତ ଲଗାତାର ଭାବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାରୁ ସେମାନେ ଅଧିକ ଲାଭ ପାଉନାହାନ୍ତି । ଅନ୍ୟପଟେ ଚୀନ ସେୟାର ବଜାର ଶସ୍ତା ଥିବାରୁ ବିଦେଶୀ ପୁଞ୍ଜି ନିବେଶକାରୀ ଚୀନ ଷ୍ଟକ୍ ମାର୍କେଟରେ ପୁଞ୍ଜିଲଗାଣ ପାଇଁ ଆଗ୍ରହ ଦେଖାଉଛନ୍ତି । ଏହାସହିତ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାରୁ ଆମେରିକା ବଜାରରେ ବିନିଯୋଗ ପାଇଁ ଆଗଭର ହେଉଛନ୍ତି । ବିଶ୍ବର ଅନ୍ୟ ମାର୍କେଟ୍ ଲାଭରେ ଚାଲୁଥିବା ବେଳେ ଭାରତୀୟ ସେୟାର ବଜାର କ୍ଷତି କରିବା ହିସାବ କିଛି ବୁଝି ହେଉନି । ବିଶ୍ବ ମାନ୍ଦାବସ୍ଥାର ପ୍ରଭାବ କହି କେନ୍ଦ୍ର ସରକାର ଯେପରି ନିଜ ଦାୟିତ୍ବ ଖସାଇ ଚାଲିଛନ୍ତି, ତାର ଗୁମର ଫିଟିବାରେ ଲାଗିଛି ବୋଲି ବିଶେଷଜ୍ଞ ଅଭିଯୋଗ କରିଛନ୍ତି । ଆଜି ବି କାରବାର ବନ୍ଦ ହେବାବେଳକୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, ମିଡ୍କ୍ୟାପ୍, ବ୍ୟାଙ୍କ ନିଫଟି, ନିଫଟି ଷ୍ଟକ୍ ମାର୍କେଟ୍ ୫୯୦.୪୩ ପଏଣ୍ଟ ମାଇନ୍ସରେ ବନ୍ଦ ହୋଇଛି । ପୁଞ୍ଜି ବଜାରର ଖରାପ ସ୍ଥିତି ଆଗାମୀ ଦିନରେ ବଡ଼ ଆର୍ଥିକ ସଂକଟ ଭିତରକୁ ଦେଶକୁ ଠେଲିଦେବ ବୋଲି ଆଶଙ୍କା ବ୍ୟକ୍ତ କଲେଣି ସମୀକ୍ଷକ । ଯାହା ଆର୍ଥିକ ସଂକଟର ପୂର୍ବାଭାସ ବୋଲି ମତ ପ୍ରକାଶ ପାଇଛି ।
ଲୋୟର ପିଏମଜିରେ ୧୨ ସଂଗଠନ କର୍ମଚାରୀଙ୍କ ରଣହୁଙ୍କାର, ସ୍ଥାୟୀ ନିଯୁକ୍ତି ଦେବାକୁ ନାରା
ଭୁବନେଶ୍ବର ; ଗାନ୍ଧୀ ମାର୍ଗରେ ଗର୍ଜନ।ବିଭିନ୍ନ ଦାବି ନେଇ ବର୍ଷିଲେ ୧୨ ସଂଗଠନର ସଦସ୍ଯ। ଡବଲ ଇଞ୍ଜିନ ସରକାରକୁ କଡା ସମାଲୋଚନା। ଓଷ୍ଟା ସମାବେଶରେ ଶିକ୍ଷୟିତ୍ରୀ ଖୋଲିଲେ ସରକାରଙ୍କ ମୁଖା। ଓଡିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମହାସମାବେଶ। ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର। ଏବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଥିବାବେଳେ ଓଷ୍ଟାକୁ ଦେଇଥିବା ପ୍ରତିଶୃତିର ଭିଡିଓ ଦେଖାଇ ଖୋଲିଲେ ମୁଖା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ବିଜେପି ସରକାର ଆସିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଉ ଗାନ୍ଧୀ ମାର୍ଗକୁ ଆସିବେ ନାହିଁ।ନୂଆ ସରକାରକୁ ୧୦ ମାସ ହେଲାଣି, ହେଲେ ଓଷ୍ଟାର ଦାବି ପୂରଣ ହେଲାନି।ଡବଲ ଇଞ୍ଜିନ ସରକାରଙ୍କ ଦୋମୁହାଁ ନିତୀ ଯୋଗୁଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଜି ରାଜରାସ୍ତାରେ। ଯୋଗ୍ୟ ସ୍କୁଲ, କଲେଜକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଚାକିରୀ ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନସନ ପ୍ରଦାନ ଦାବି କରିଛନ୍ତି। ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ଅନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନ ସହ ନୂତନ ପେନସନ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପେନସନ ଲାଗୁ କରିବାକୁ ଦାବି କରିଛନ୍ତି।ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାକୁ ଦାବି ଉଠିଛି।
ସେପଟେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ରାଜ୍ଯ ରୋଷେୟା ତଥା ସେବାୟତ ସଂଘର ୮ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜନ କରିଛି।ମାସିକ ସର୍ବନିମ୍ନ ବେତନ ୨୬ ହଜାର ଟଙ୍କା, ମହିଳାଙ୍କୁ ପ୍ରସୂତିକାଳିନୀ ଛୁଟି ଭଳି ଦାବି କରିଛି।CITU ନେତୃତ୍ବରେ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୮ଦଫା ଦାବି ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗଣବିକ୍ଷୋଭ କରିଛନ୍ତି। ଦାବି ତୁରନ୍ତ ପୂରଣ ନହେଲେ ଆଶା କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ସେହିପରି ଜନସ୍ବାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ ଦାବି କରି ଗଣଧାରଣା ସହ ଆନ୍ଦୋଳନ କରିଥିଲେ କର୍ମଚାରୀ। ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ୪ ହଜାରରୁ ଅଧିକ କର୍ମଚାରୀ ୨୦୧୫ରୁନ କାର୍ଯ୍ୟ କରି ଆସୁଛନ୍ତି।ସେମାନଙ୍କ ଦାବି ନେଇ ବାରମ୍ବାର ଅବଗତ କରୁଥିଲେ ମଧ୍ୟ କୌଣସି ସୁପଳ ମିଳିନାହିଁ। ଗାନ୍ଧୀ ମାର୍ଗରେ ଗଣଧାରଣ ଓ ବିକ୍ଷୋଭ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାରୁ କମିଶନରେଟ ପୋଲିସ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
‘ବିଜେପି ସରକାରକୁ ଆସିବା ପରେ ବଢ଼ିଛି ନାରୀ ବିରୋଧୀ ଅପରାଧ’
ଭୁବନେଶ୍ବର : ନାରୀ ନିର୍ଯାତନା ବିରୋଧରେ ସାରା ରାଜ୍ୟରେ କଂଗ୍ରେସର ଗର୍ଜନ। ବାଲେଶ୍ୱରରେ ଦୁଷ୍କର୍ମ ଓ ହତ୍ୟା, ଢେଙ୍କାନାଳରେ ଗଣବଳାତ୍କାର, କେନ୍ଦୁଝର ଜିଲ୍ଲାରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ଏହା ହେଉଛି ରାଜ୍ୟରେ ନାରୀ ନିର୍ଯାତନାର ଗୋଟିଏ ଗୋଟିଏ ଉଦାହରଣ। ତାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଆନ୍ଦୋଳନ କରିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ବିଜେପି ସରକାର ହେବା ପରେ ମାତ୍ର ୮ ମାସରେ ୫୪ ଟି ଗଣବଳାତ୍କାର ହୋଇଛି। ଏହା ରାଜ୍ୟ ସରକାରର ଅସଲ ଚେହେରା ଓ ପାରିବାପଣିଆକୁ ପଦାରେ ପକାଇଛି। ହାଣ୍ଡିର ଗୋଟିଏ ଭାତ ଚିପିବା ପରି ଏହା ହେଉଛି ମୋଟାମୋଟି ଭାବେ ସାରା ରାଜ୍ୟରେ ମହିଳା ବିରୋଧୀ ହିଂସାର ଚିତ୍ର। କଂଗ୍ରେସର ସମସ୍ତ ୩୫ ଟି ସାଙ୍ଗଠନିକ ଜିଲ୍ଲାରେ ଆଜି ହଜାର ହଜାର କର୍ମୀ ଆନ୍ଦୋଳନ କରିଛନ୍ତି। ଭୁବନେଶ୍ୱରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ଦଳ। ଆସ ଲଢ଼ିବା, ମହିଳାଙ୍କୁ ସୁରକ୍ଷା ଦେଵା । ଏହି ନାରା ଦେଇଥିଲା କଂଗ୍ରେସ। ନାରୀଙ୍କୁ ସୁରକ୍ଷା ଦେଇନପାରିଲେ ଗାଦି ତ୍ୟାଗ କରିବାକୁ ବିଜେପି ସରକାରକୁ ଆହ୍ଵାନ ଦେଇଛି କଂଗ୍ରେସ।
ଏ ତ ଗଲା ସାରା ରାଜ୍ୟର ଦୃଶ୍ୟ। ବିଧାନସଭାରେ ମଧ୍ୟ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହକୁ ହୁଲସ୍ତୁଲ କରିଥିଲା କଂଗ୍ରେସ। ପ୍ରଶ୍ନକାଳ ଆରମ୍ଭରୁ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ରାଜ୍ୟରେ ନାରୀ ସୁରକ୍ଷିତ ନ ଥିବା ଅଭିଯୋଗ କରି ବିଜେପି ସରକାରରେ ଦୁଷ୍କର୍ମ, ଚୋରି ଓ ଅନ୍ୟ ଅପରାଧ ବଢିଥିବା କହିଛି କଂଗ୍ରେସ। ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣା ବି ଦେଇଥିଲେ। ରାଜ୍ୟରେ ବଢି ଚାଲିଥିବା ନାରୀ ନିର୍ଯାତନା ବିରୋଧରେ ଅନ୍ତର୍ଜାତୀୟ ମହିଳା ଦିବସରେ ଜୋରଦାର ପ୍ରତିବାଦ କରିଥିଲା କଂଗ୍ରେସ। ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିଛି। ସରକାର ଯଦି ଠୋସ୍ ପଦକ୍ଷେପ ନେଇ ମାଆ ଭଉଣୀଙ୍କୁ ସୁରକ୍ଷା ନ ଦେବେ, ଆନ୍ଦୋଳନ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛି କଂଗ୍ରେସ।

