ନନ୍ଦିଘୋଷ ବ୍ୟୁରୋ: ଫେଲ୍ ମାରିଛି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରର ବଜେଟ ବିପରୀତ ଦିଗରେ ଗତି କରୁଛି । କେବଳ ନାଁ ପରିବର୍ତ୍ତନ କରୁଛି । ଡବଲ ଇଞ୍ଜିନ ସରକାର ଡବଲ ଦୁଃଖ ଦେଉଛି। ବସ୍ତାନି ଭାରୀ, ପାଠ ଘର ଶୂନ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନାରେ ଭାଗନେଇ ସେ କହିଛନ୍ଚି- ବିଜେଡି ସମୟରେ ଓଡ଼ିଶା ଏକ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ରାଜ୍ୟ ଥିଲା। ଡବଲ ଇଂଜିନ ସରକାରରେ ଅଭିବୃଦ୍ଧି ହାର ୧୦ରୁ ୮ ପ୍ରତିଶତକୁ ହ୍ରାସ ପାଇଛି। ରାଜ୍ଯର ରାଜସ୍ବ ବଢାଇବାକୁ ସରକାରର କିଛି ବୁଦ୍ଧି ନାହିଁ। ଖୋଲା ମାର୍କେଟ ଋଣ ପରିମାଣ ୪୬ ହଜାର କୋଟି ଟଙ୍କା ହେଲାଣି। ରାଜସ୍ବ ଅଭିବୃଦ୍ଧି ଲାଗି ବିଜେଡିକୁ ବିଜେପି ଧନ୍ଯବାଦ ଦେବା କଥା। ମେଟ୍ରୋ ଟ୍ରେନ ବଜେଟ କମାଯାଇଛି। ମିଶନ ଶକ୍ତି ମାଆ ଆଜି ରାଜରାସ୍ତାରେ। ଲକ୍ଷପତି ଦିଦିଙ୍କ ତାଲିକା ଗତ ବିଧାନସଭାରେ ମାଗିଥିଲି। ମିଶନ ଶକ୍ତି ଲାଗି ଅନୁଦାନ କମିଛି। ନବୀନ କହିଛନ୍ତି- ଚଳିତ ବଜେଟ ଗତ ବଜେଟ ତୁଳନାରେ ୨ ଲକ୍ଷ ୭୭ ହଜାର କୋଟିରୁ ୨ ଲକ୍ଷ ୯୦ ହଜାର କୋଟିକୁ ବୃଦ୍ଧି ପାଇଛି। ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି । ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି । ସ୍କିଲ୍ଡ ଇନ୍ ଓଡିଶା”ର ନାମ ପରିବର୍ତ୍ତନ କରି ସ୍କିଲ୍ଡ ଫର ଦି ୱାର୍ଲ୍ଡ କରିବା ଦ୍ୱାରା ଓଡ଼ିଶାର ଯୁବକ ଯୁବତୀ କିପରି ସାହାଯ୍ୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବିଜେପି ସରକାର ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ହେଲେ ଏହା ଏକ ଧୂଆଁବାଣ ବୋଲି କହିଛନ୍ତି ନବୀନ।
କ୍ରିକେଟକୁ କବବ୍ୟାକ କରୁଛନ୍ତି ସଚିନ-ଯୁବରାଜ: ମାର୍ଚ୍ଚ ୨୨ରେ ଖେଳାଯିବ ମ୍ୟାଚ
ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସିକ୍ସର କିଙ୍ଗ ଯୁବରାଜ ସିଂହ ଏକ ଦଶକ ପରେ ପୁଣି ଏକତ୍ର ଖେଳିବେ । ସଚିନ ଓ ଯୁବି ଆସନ୍ତା ମାସ ୨୨ ତାରିଖ (ଶନିବାର) ଦିନ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ । ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗର ଉଦଘାଟନୀ ମ୍ୟାଚରେ ପୁଣି ଥରେ ଭାରତର ପ୍ରତିଷ୍ଠିତ ନୀଳ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ସବୁ ଟିମରେ କ୍ରିକେଟର କିଛି ବଡ଼ ବଡ଼ ଷ୍ଟାର ସାମିଲ ରହିଛନ୍ତି । ନବୀ ମୁମ୍ବାଇ, ବଦୋଦରା ଓ ରାୟପୁରରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୬ରେ ରାୟପୁରରେ ଫାଇନାଲ ମ୍ୟାଚ ଖେଳାଯିବ ।
ଅନ୍ତର୍ଜାତୀୟ କ୍ରିକେଟରେ ୩୪ ହଜାରରୁ ଅଧିକ ରନ ଓ ୧୦୦ ଶତକ ଅର୍ଜନ କରିଥିବା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ନିଜର କରିସ୍ମା ଦେଖାଇ ସାରିଛନ୍ତି । ମାତ୍ର ଛୋଟ ଫର୍ମାଟରେ ସଚିନ ଭାରତ ପାଇଁ ମାତ୍ର ୧ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୁଣି ଥରେ ଶର୍ଟ ଫର୍ମାଟରେ ଦେଖିବା ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି ହେବ । ଗତ କିଛି ବର୍ଷ ହେଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଦର୍ଶକଙ୍କୁ ବେଶ ରେମାଞ୍ଚିତ କରିପାରିଛି । ୨୦୧୧ ବିଶ୍ବକପରେ ଏକାଠି ଖେଳିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ସଚିନ ଓ ଯୁବରାଜ ।
କୋଡ଼ିଙ୍ଗାମାଲିରୁ ଆନ୍ଧ୍ର ଫାର୍ମକୁ ବକ୍ସାଇଟ୍ ପ୍ରଦାନକୁ ଦୁଇ ବିଧାୟକଙ୍କ ବିରୋଧ: ବିଧାନସଭାରେ ଗର୍ଜିଲେ ତାରା ଓ ପବିତ୍ର
ଭୁବନେଶ୍ୱର: ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏବଂ ପବିତ୍ର ସାଉନ୍ତା କୋରାପୁଟ ଜିଲ୍ଲାର କୋଡ଼ିଙ୍ଗମାଲି ଖଣି ବ୍ଲକର ବକ୍ସାଇଟ୍ ଧାତୁକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ଫାର୍ମକୁ ବିକ୍ରୟ କରିବାକୁ ଦୃଢ ବିରୋଧ କରିଥିଲେ।
ରାଜ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ସ୍ଥାନୀୟ ଆଲୁମିନିୟମ ଶିଳ୍ପକୁ କଞ୍ଚାଲ ଯୋଗାଇବା ପାଇଁ ଓଡ଼ିଶା ଖଣି ନିଗମ (ଓଏମସି) ର କୋଡିଙ୍ଗମାଲି ବ୍ଲକରୁ ବକ୍ସାଇଟ୍ ଯୋଗାଇ ଦିଆଯାଇଛି। ତେବେ, ଓ. ଏମ୍. ସି. ଏବେ ଏହି ଧାତୁକୁ ଆନ୍ଧ୍ର ପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। “ଆମେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛୁ ଯେ ଆମର ଖଣିଜ ପଦାର୍ଥ ବାହାର ଲୋକଙ୍କୁ ହସ୍ତାନ୍ତର କରାଯିବା ଉଚିତ ନୁହେଁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ବାହିନିପତି କହିଛନ୍ତି।
ସ୍ଥାନୀୟ ଆଦିବାସୀମାନେ ଅନେକ ଦିନ ଧରି ଏକ ଧାରଣାରେ ବସିଛନ୍ତି। କିଛି ଗୁଣ୍ଡା ସେଠାରେ ପହଞ୍ଚି ସେମାନଙ୍କୁ ଧମକ ଦେଇଛନ୍ତି, ସେ କହିଛନ୍ତି, “ଯଦି କୌଣସି ଅପ୍ରୀତିକର ଘଟଣା କିମ୍ବା ଗୁଳି ବିନିମୟ ଘଟେ, ତେବେ କିଏ ଦାୟୀ ହେବ?” କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶ କମ୍ପାନୀ ସହିତ ଚୁକ୍ତି ବାତିଲ କରିବାକୁ ଓଏମସିକୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ସ୍ଥାନୀୟ ଶିଳ୍ପକୁ ଖଣିଜ ପଦାର୍ଥ ଯୋଗାଇ ଦିଅନ୍ତୁ। ଓଡ଼ିଶାର କୌଣସି ଉଦ୍ୟୋଗକୁ ଯଦି ଏହା ଦିଆଯିବ, ତା “ହେଲେ ଆମେ ଏହାକୁ ବିରୋଧ କରିବୁ ନାହିଁ ବୋଲି ସେ କହିଥିଲେ।
ସେହିଭଳି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କହିଛନ୍ତି, “ଲକ୍ଷ୍ମୀପୁର ଓଡ଼ିଶାର ଏକ ଖଣିଜ ସମୃଦ୍ଧ ଅଞ୍ଚଳ। ଏହି ଅଞ୍ଚଳରେ ବକ୍ସାଇଟ୍ ଖଣିର ବିପୁଳ ଭଣ୍ଡାର ରହିଛି ଏବଂ କୋଡିଙ୍ଗାମାଲିରେ ଉଚ୍ଚ ମାନର ବକ୍ସାଇଟ୍ ଧାତବ ରହିଛି, ଯାହା ଗତ ଆଠରୁ ନଅ ବର୍ଷ ଧରି ଓଡ଼ିଶା ମାଇନିଂ କର୍ପୋରେସନ୍ ଦ୍ୱାରା ଖନନ କରାଯାଇଛି। “ଏହା ଦୁର୍ଭାଗ୍ୟଜନକ ଯେ ଓଡ଼ିଶା ସରକାର ବର୍ତ୍ତମାନ ବକ୍ସାଇଟ୍ ଖଣିଗୁଡ଼ିକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁଯାୟୀ, ଘରୋଇ କମ୍ପାନୀ ପ୍ରଥମେ ଖଣିଗୁଡ଼ିକୁ ବିଦେଶକୁ ରପ୍ତାନି କରିବ ଏବଂ ଏହାର ମୂଲ୍ୟ ବୃଦ୍ଧି ପରେ ଉତ୍ପାଦ ଓଡ଼ିଶାକୁ ଆମଦାନୀ କରାଯିବ ବୋଲି ସେ ଗୃହ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି।
“ଯଦି ଏହା ସତ ହୁଏ, ତେବେ ଡବଲ ଇଞ୍ଜିନ ସରକାରଙ୍କ” ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଓଡ଼ିଶା “ଅଭିଯାନ କେବଳ ସ୍ଲୋଗାନରେ ରହିବ। ଯଦି ଖଣିଗୁଡ଼ିକୁ ଘରୋଇ କମ୍ପାନୀକୁ ବିକ୍ରି କରାଯାଏ, ତେବେ ରାଜ୍ୟ ସରକାର ମଧ୍ୟ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ବିଧାୟକ କହିଛନ୍ତି। ଯଦିଓ ଏହି ପ୍ରସଙ୍ଗକୁ ଅନେକ ଥର ଶିଳ୍ପ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି, ତଥାପି ଏପର୍ଯ୍ୟନ୍ତ କୌଣସି ଫଳାଫଳ ଆସିନାହିଁ ବୋଲି ସେ କହିଛନ୍ତି।
ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ମୂଲ୍ୟବାନ କଞ୍ଚାମାଲ ବିକ୍ରୟରୁ ଦୂରେଇ ରହିବା ଉଚିତ ଏବଂ ରାଜ୍ୟ କୋଷାଗାରକୁ ମଜବୁତ କରିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି। ସେ ଆହୁରି କହିଛନ୍ତି, “ଆମେ ଆଶା କରୁଛୁ ଯେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ସେ (ମନ୍ତ୍ରୀ) ଏହି ପ୍ରସଙ୍ଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଓଏମସି ଏବଂ ଆନ୍ଧ୍ର ପ୍ରଦେଶ ଫାର୍ମ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିକୁ ବାତିଲ କରିବେ।” ସେ ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଆଲୁମିନିୟମ ବିଶୋଧନାଗାର ପ୍ରତିଷ୍ଠା କରିବାକୁ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ।
ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଲେ ରିକେଲଟନ: ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା
କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଆଫଗାନିସ୍ତାନ ଆଗରେ ଏକ ବଡ଼ ସ୍କୋର ଛିଡ଼ା କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୧୫ ରନ୍ ସଂଗ୍ରହ କରିଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ରାନ ରିକେଲଟନଙ୍କ ୧୦୩ ରନ, ଅଧିନାୟକ ତେମ୍ବା ବାଭୁମାଙ୍କ ୫୮ ରନ, ରସି ଭାନ ଡେର ଡୁସେନଙ୍କ ୫୨ ରନ ଓ ଆଇଦେନ ମର୍କରାମଙ୍କ ଅପରାଜିତ ୫୨ ରନ୍ ସହାୟତାରେ ଦକ୍ଷିଣ ଆଫିକା ଏକ ମଜବୁତ ସ୍ଥିତିରେ ପହଞ୍ଚି ପାରିଥିଲା । ଆଫଗାନିସ୍ତାନର ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିଲେ । ଓ୍ବିକେଟ ନ ପଡ଼ିବା କାରଣରୁ ଦକ୍ଷିଣ ଆଫ୍ରିକା ଏ ବଡ଼ ସ୍କୋର ଛିଡ଼ା କରିପାରିଥିଲା ।
ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରିକେଲଟ ୧୦୬ଟି ବଲ ଖେଳି ୧ଟି ଛକା ଓ ୭ଟି ଚୌକା ସହାୟତାରେ ୧୦୩ ରନ୍ ସଂଗ୍ରହ କରିଥିଲେ । ଏହି ଅବସରରେ ରିକେଲଟନ ନିଜ ଦେଶର ପୂର୍ବତନ କ୍ରିକେଟର ତଥା ୩୬୦ ଡିଗ୍ରୀ ରୂପେ ପରିଚିତ ଏବି ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ବିକେଟ କିପର ଭାବେ ରିକେଲଟନ ଚାମ୍ପିୟନ୍ସ ଟ୍ରଫିରେ ଶତକ ଅର୍ଜନ କରିଥିଲେ । ଏହା ପୂବର୍ରୁ ଗତ ୨୦୧୩ରେ ଡି ଭିଲର୍ସ ଦକ୍ଷିଣ ଆଫ୍ରିକାର ଓ୍ବିକେଟ କିପର ଭାବେ ସର୍ବାଧିକ ୭୦ ରନ୍ ସଂଗ୍ରହ କରିଥିଲେ । ମାତ୍ର ଆଜି ୧୨ ବର୍ଷ ତଳର ଉକ୍ତ ରେକର୍ଡକୁ ଅତିକ୍ରମ କରିଛନ୍ତି ରିକେଲଟନ । ଆଜି ଆଫଗାନିସ୍ତାନ ତରଫରୁ ମହମ୍ମଦ ନବୀ ସର୍ବାଧିକ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ ।
ପରୀକ୍ଷା ଦେଇ ଫେରୁଥିବାବେଳେ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ନାବାଳକ ପରୀକ୍ଷାର୍ଥୀଙ୍କ ପାଇଁ ବାଇକ ଚଳାଇବା ହେଲା କାଳ । ମାଟ୍ରିକ ପରୀକ୍ଷା ଦେଇ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର । ଗୁରୁତର ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ପରୀକ୍ଷାର୍ଥୀ ଚିଲିକା ବ୍ଲକ ନଈରୀ ଗାଁର ୧୬ ବର୍ଷୀୟ ସୋମନାଥ ବେହେରା । ସୋମନାଥ ନଈରୀ ଗାଁ ସ୍ଥିତ ଅପର୍ତ୍ତି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ନଈରୀ ସ୍କୁଲ ପିଲାଙ୍କର ମାଟ୍ରିକ ପରୀକ୍ଷା କେନ୍ଦ୍ର ହରିପୁର ହାଇସ୍କୁଲରେ ପଡ଼ିଥିଲା । ହରିପୁରରେ ପରୀକ୍ଷା ଦେଇ ବାଇକ ଚଳାଇ ଘରକୁ ଫେରୁଥିବା ବେଳେ ନଈରୀ ନିକଟରେ ତାଙ୍କ ବାଇକ ଦୁର୍ଘଟଣା ହୋଇଥିଲା । ଫଳରେ ସୋମନାଥଙ୍କର ହାତ ଦୁଇ ଖଣ୍ଡ ହୋଇଯାଇଛି । ଏହା ସହ ଶରୀରର ବିଭନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି ।

