spot_img
Home Blog Page 1068

ବୁର୍ଲା ଭୀମସାରରେ ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ରାଗିଂ

ସମ୍ବଲପୁର: ସମ୍ବଲପୁର ବୁର୍ଲା ଭୀମସାରରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ରାଗିଂ ନେଇ ତାଙ୍କ ମା ସାଙ୍ଘାତିକ ଅଭିଯୋଗ କରିଛନ୍ତି।

ଗତ ୭ ତାରିଖରେ ଛାତ୍ରାବାସ କମ୍ପ୍ଲେକ୍ସରେ ତୃତୀୟ ବର୍ଷର ଛାତ୍ର ଆସି ଠେଲାପେଲା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହା ରାଗିଂ ନୁହେଁ ସାମାନ୍ୟ ବଚସା ବୋଲି  ଭୀମସାର୍ କର୍ତ୍ତୃପକ୍ଷ କହିଛନ୍ତି । ତିନିଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

କାଳ ସାଜିଲା ଦ୍ରୁତ ଗତି, ମଣ୍ଡପରେ ବାଇକ୍ ପିଟି ହେବାରୁ ୩ ମୃୃତ

ପୁରୀ: କାଳ ସାଜିଲା ଦ୍ରୁତ ଗତି। ନିୟନ୍ତ୍ରଣ ହରାଇ ମନ୍ଦିର ଆଗରେ ଥିବା ଚାନ୍ଦିନୀରେ ପିଟି ହେଲା ବାଇକ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପୁରୀ ଜିଲ୍ଲା ନିମାପଡ଼ା-କୋଣାର୍କ ରାସ୍ତାର ବଢ଼େଇ ଛକରେ ଘଟିଛି। ରାତି ପ୍ରାୟ ଦୁଇଟାରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁଯାୟୀ, ମୃତକ ହେଲେ ଚାରିଛକ ଦଣ୍ଡକିରି ଅଞ୍ଚଳର ସାଗର ମଲ୍ଲିକ, ଦୀପକ ମଲ୍ଲିକ ଓ ତୁଳସୀପୁରର ଜୟପ୍ରକାଶ ସାହୁ। ଏମାନେ ତିନି ଜଣ ଗୋଟିଏ ବାଇକରେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମଣ୍ଡପରେ ପିଟି ହୋଇଥିଲେ। ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣକୁ ଗୋପ ମେଡିକାଲ ନେଇଥିଲା। ସାଗର ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଆଗରୁ ମଧ୍ୟ ଏହି ବଢ଼େଇ ଛକରେ ଅନେକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଟ୍ରେନ୍ ର ଝରକା କାହିଁକି ହୋଇଥାଏ ଭିନ୍ନ? ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ରେଳ ଏସିଆର ଦ୍ୱିତୀୟ ରେଳ ନେଟୱାର୍କ। ପ୍ରତିଦିନ ଭାରତୀୟ ଟ୍ରେନରେ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥାନ୍ତି। ଅନ୍ୟାନ୍ୟ ଯାତାୟାତ ଅପେକ୍ଷା ଟ୍ରେନ୍ ଯାତ୍ରା ସବୁଠୁ ଆରାମ ଦାୟକ ହୋଇଥାଏ। ଭାରତୀୟ ରେଳବାଇ ପ୍ରତିଦିନ ୧୩ ହଜାରରୁ ଅଧିକ ଟ୍ରେନ୍ ପରିଚାଳନା କରେ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ବଗିର ଗେଟ୍ ନିକଟରେ ଥିବା ଝରକା ଅନ୍ୟ ଝରକାଠାରୁ ଭିନ୍ନ କାହିଁକି?

ଟ୍ରେନରେ ମୁଖ୍ୟତଃ ଦୁଇ ପ୍ରକାରର ବଗି ଅଛି, ପ୍ରଥମ ଏସି ବଗି ଏବଂ ଦ୍ୱିତୀୟ ନନ୍ ଏସି ବଗି। ଟ୍ରେନ୍‌ରେ ସ୍ଲିପର ଏବଂ ଜେନେରାଲ ବଗିର ଗେଟ୍ ନିକଟ ଦୁଇ ପାର୍ଶ୍ୱରେ ଦୁଇଟି ଝରକା ରହିଛି । ଏହି ଝରକା ସତନ୍ତ୍ର ପ୍ରକାରର। ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ଏହି ଜିନିଷଟି ନିଶ୍ଚୟ ଲକ୍ଷ୍ୟ କରିଥିବେ। ଗେଟ୍ ପାଖରେ ଥିବା ଦୁଇଟି ଝରକାରେ ଅଧିକ ରଡ୍‌ ର ବ୍ୟବହାର କରାଯାଇଥାଏ। ଏବଂ ବାକି ଝରକାରେ କମ୍ ରଡ୍ ବ୍ୟବହାର ହୋଇଥାଏ।  ଏହାର କାରଣ ହେଲା ଯେତେବେଳେ ଯାତ୍ରୀମାନେ ଶୋଇପଡି ଥାନ୍ତି ଗେଟ୍ ନିକଟ ଝରକାରୁ ଅଧିକ ଚୋରି ହେବାର ସମ୍ଭାବନା ରହିଥାଏ । ଏବଂ ଚୋର ସହଜରେ ଜିନିଷପତ୍ର ଚୋରି କରି ଖସି ପଳାଇଥାଏ । ଏବଂ ଯେତେବେଳେ ଷ୍ଟେସନରେ ଟ୍ରେନ୍ ଅଟକେ ସେତେବେଳେ ଚୋରମାନେ ଝରକା ବାଟେ ହାତ ପୁରାଇ ଜିନିଷ ଚୋରି କରିଥାନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ରେଲୱେ ପକ୍ଷରୁ ଝରକାରେ ଅଧିକ ରଡ୍ ବ୍ୟବହାର କରାଯାଇଛି । ତେଣୁ ଏହି ଝରକା ଅନ୍ୟ ଝରକା ତୁଳନାରେ ସତନ୍ତ୍ର ।

କ୍ୟାଲିବର କ୍ରୁଜ ମିସାଇଲ କେତେ ଘାତକ ? ଋଷ ପାଖରୁ ଭାରତ କିଣିବା ନେଇ ବୁଝାମଣା

ନନ୍ଦିଘୋଷ ବ୍ୟୁରୋ: ଋଷର କ୍ୟାଲିବର କ୍ରୁଜ ମିସାଇଲ ଏବେ ଭାରତୀୟ ନୌସେନାକୁ କରିବ ଶକ୍ତିଶାଳୀ । କାରଣ ଋଷ ପାଖରୁ ଭାରତ କିଣିବାକୁ ଯାଉଛି କ୍ଲବ-ଏସ ଆଣ୍ଟି ସିପ୍ ମିଜାଇଲ । ଏଥିପାଇଁ ଋଷ-ଭାରତ ମଧ୍ୟରେ ବୁଝାମଣା ହୋଇସାରିଛି । ଏହା ଭାରତର ସିନ୍ଧୁଘୋଷ କ୍ଲାସ୍ ପଣ୍ଡୁବିରେ ବ୍ୟବହାର ହେବ । ଏହାଦ୍ବାରା ଭାରତର ନୌସେନା ଆହୁରି ଶକ୍ତିଶାଳୀ ହୋଇଯିବ । କାରଣ ହିନ୍ଦ ମହାସାଗରରେ ଅପ୍ରତିଦ୍ବନ୍ଦ୍ବୀ ଭାରତୀୟ ନୌସେନାରେ ଏହି କ୍ଳବ-ଏସ କ୍ରୁଜ୍ ମିଜାଇଲ ସାମିଲ ହେବା ପରେ ଏହାର ଶକ୍ତି ଆହୁରି ବଢ଼ିଯିବ । ଯାହା ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ ପାଇଁ ଏକ ଚେତାବନୀ କହିଲେ ଭୁଲ ହେବନାହିଁ ।

ଭାରତୀୟ ନୌସେନାକୁ ଆହୁରି ସୁଦୃଢ଼ ​​କରିବା ପାଇଁ ଭାରତ ଋଷଠାରୁ କ୍ଲବ୍-ଏସ୍ କ୍ରୁଜ୍ ମିସାଇଲ୍ କିଣିବା ପାଇଁ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଭାରତୀୟ ନୌସେନାର କିଲୋ-କ୍ଲାସ୍ ଆଟାକ୍ ପଣ୍ଡୁବିରେ ଲଗାଯିବ। ରିପୋର୍ଟ ଅନୁଯାୟୀ, ରୁଷିଆ କ୍ଷେପଣାସ୍ତ୍ରଗୁଡ଼ିକ ସିନ୍ଧୁଘୋଷ-କ୍ଲାସ୍ ନାମରେ ଜଣାଶୁଣା । ଏହା ଡିଜେଲ-ଇଲେକ୍ଟ୍ରିକ୍ ଚାଳିତ ଆକ୍ରମକାରୀ ପଣ୍ଡୁବିରେ ଲଗାଯିବ । ଯାହା କିଲୋ-କ୍ଲାସ୍ (ପ୍ରୋଜେକ୍ଟ 877) ଉପରେ ଆଧାରିତ। ଏହି ପଣ୍ଡୁବିଗୁଡ଼ିକୁ ଭାରତ ୧୯୮୦ cସିହାରେ ସୋଭିଏତ୍ ସଂଘ ନିକଟରୁ କିଣାଥିଲା।

ଏହି ମିସାଇଲକୁ ପଣ୍ଡୁବିରେ ଲଗାଯିବ । ଭାରତ ସରକାର ଋଷଠାରୁ ୧୦ଟି ପଣ୍ଡୁବି ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଯାହାର ନିର୍ମାଣ ସେବମାଶ ସିପୟାର୍ଡରେ କରାଯାଇଛି। ଏହା ବର୍ତ୍ତମାନ ୟୁନାଇଟେଡ୍ ସିପ୍ ବିଲ୍ଡିଂ କର୍ପୋରେସନର ଏକ ଅଂଶ। ଭାରତୀୟ ନୌସେନାରେ ଏହାର କମିଶନିଂ ୧୯୮୬ ମସିହାରେ ଆରମ୍ଭ ହୋଇଥିଲା। ସୋଭିଏତ୍ ୟୁନିଅନ୍ ଭାଙ୍ଗିବା ପରେ, ରୁଷ ବୁଡ଼ାଜାହାଜ ନିର୍ମାଣ ଆରମ୍ଭ କରିଥିଲା ​​ଏବଂ ଶେଷ କରି ୨୦୦୦ ମସିହାରେ ଡେଲିଭରୀ କରିଥିଲା । ଯାହାର ନାମ INS ସିନ୍ଧୁଶାସ୍ତ୍ର ଥିଲା ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କ୍ରୁଜ୍ ମିସାଇଲ୍ କିଣିବାପାଇଁ ରୁଷ ସହିତ ଚୁକ୍ତିକୁ ନିଶ୍ଚିତ କରିଥିଲା । ତଥାପି, ଏହି କ୍ଷେପଣାସ୍ତ୍ରଗୁଡ଼ିକର ମଡେଲ କ’ଣ ହେବ ସେ ବିଷୟରେ ବର୍ତ୍ତମାନ କୌଣସି ସୂଚନା ମିଳିପାରି ନାହିଁ।

ଏହି କ୍ଷେପଣାସ୍ତ୍ର ବିଷୟରେ ଉପଲବ୍ଧ ସୂଚନା ଅନୁସାରେ, ଏହା ୩୦୦କିଲୋମିଟର ଦୂରତା ପର୍ଯ୍ୟନ୍ତ ସ୍ଥଳ ଏବଂ ସମୁଦ୍ର ପୃଷ୍ଠକୁ ଆକ୍ରମଣ କରିପାରିବ । ସେହି ସମୟରେ, ଏହା ସମ୍ଭାବ୍ୟ ଭାବରେ ଅତ୍ୟାଧୁନିକ 3M-54TE କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ପ୍ରକାର ହୋଇପାରେ । ଯାହାକୁ କ୍ଲବ୍-N ଭାବରେ ନାମିତ କରାଯାଇଛି। 3M-54TE କ୍ଷେପଣାସ୍ତ୍ର ଏବଂ 3M-54E କ୍ଷେପଣାସ୍ତ୍ର ମିଶ୍ରଣର ଏକ ନୂତନ ପ୍ରକାର ହେବାର ସମ୍ଭାବନା ଅଛି । ଏବଂ ଉଭୟ ପ୍ରକାରର କ୍ଷେପଣାସ୍ତ୍ର ବର୍ତ୍ତମାନ ସିନ୍ଧୁଘୋଶ-ଶ୍ରେଣୀର ପଣ୍ଡୁବିରେ ବ୍ୟବହୃତ ହେଉଛି। ଯାହା ଶତ୍ରୁଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆଜି ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ

ନୂଆଦିଲ୍ଲୀ: ନୂଆ ଇତିହାସ ରଚିବ ରାଷ୍ଟ୍ରପତି ଭବନ। ଇତିହାସରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଭବନରେ ଆୟୋଜିତ ହେବ ଏକ ସ୍ବତନ୍ତ୍ର ବିବାହ ଉତ୍ସବ। ରାଷ୍ଟ୍ରପତି ଭବନସ୍ଥିତ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଏକ ସିଆରପିଏଫ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ। ଭାରତୀୟ ରାଜନୀତି ଓ ସାଂସ୍କୃତିକ ଇତିହାସର ଅନେକ ସ୍ମାରକୀ ବହନ କରୁଥିବା ରାଷ୍ଟ୍ରପତି ଭବନରେ ଏହି ବିବାହ ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଇତିହାସରେ ପ୍ରଥମ ଥର ଲାଗି ବି ଜଣେ ରାଷ୍ଟ୍ରପତି ଏହି ଭବନ ଭିତରେ ଏକ ବିବାହ ଉତ୍ସବର ଆୟୋଜନ କରିଛନ୍ତି । ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ-ଓମେନ କଣ୍ଟିଜେଣ୍ଟର ନେତୃତ୍ବ ନେଇଥିବା ସିଆରପିଏଫ ଅଫିସର ପୁନମ ଗୁପ୍ତାଙ୍କ ସହ ସିଆରପିଏଫ ଅଫିସର ଅବିନାଶ କୁମାରଙ୍କ ବିବାହ ସମ୍ପନ୍ନ ହେବ ।

ସିଆରପିଏଫର ପର୍ସନାଲ ସିକ୍ଯୁରିଟି ଅଫିସର ହେଉଛନ୍ତି ପୁନମ ଗୁପ୍ତା । ସେହିପରି ଅବିନାଶ କୁମାର ହେଉଛନ୍ତି ସିଆରପିଏଫର ଆସିଷ୍ଟାଣ୍ଟ କମିଶନର । ସେ ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ରାଷ୍ଟ୍ରପତି ଭବନରେ ବିବାହ କରିବା କ୍ଷେତ୍ରରେ ପୁନମ ହେବେ ପ୍ରଥମ ଅଧିକାରୀ । ପୁନମ ଗୁପ୍ତାଙ୍କ ତ୍ଯାଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭୂତ କରିଥିଲା । ଫଳରେ ପୁନମଙ୍କ ବିବାହ ରାଷ୍ଟ୍ରପତି ଭବନରେ କରିବା ଲାଗି ସେ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ସମ୍ମତି ପରେ ଏହି ବିବାହ ଉତ୍ସବ ମଦର ଟେରେସା କ୍ରାଉନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ଚାରି ମହଲା ବିଶିଷ୍ଟ ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରୀ ରହିଛି । ଏହି ସମସ୍ତ ରୁମର ସାଇଜ ଅଲଗା ଅଲଗା । ରାଷ୍ଟ୍ରପତି ଭବନରେ ଅନେକ ଚାମ୍ବର, ଆଣ୍ଟେରୁମ, କରିଡର, ଗ୍ଯାଲେରୀ, କୋର୍ଟ, ସାଲୁନ, ଥିଏଟର, କିଚେନ, ପାଣ୍ଟ୍ରି, ପ୍ରିଣ୍ଟିଂ ପ୍ରେସ ଆଦି ରହିଛି । ରାଷ୍ଟ୍ରପତି ଭବନରେ ଫ୍ଲୋର ଏରିଆ ପ୍ରାୟ ୨ ଲକ୍ଷ ବର୍ଗ ଫୁଟ ।

କିଏ ହେବେ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଆଜି ହେବ ନିଷ୍ପତ୍ତି

ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ, ଆସନ୍ତା ୧୪ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:: ଆସନ୍ତା ୧୪ରେ ଚଣ୍ଡୀଗଡ଼଼ରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମସଚିବ ପ୍ରିୟ ରଞ୍ଜନଙ୍କ ନେତୃତ୍ବରେ ଏକ ଟିମ୍ ଆନ୍ଦୋଳନରତ ଚାଷୀନେତା ଜଗଜିତ ସିଂ ଦାଲେଓ୍ବାଲ ଓ ଏସକେଏମ ଓ କେଏମଏମ ପ୍ରତିନିଧିଙ୍କୁ ଭେଟିଥିଲେ । ସେପଟେ ଆଜି ଚଣ୍ଡୀଗଡ଼ରେ ବସିବ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ । ଏହି ବୈଠକରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ତେଣେ ୩୨ଟି କୃଷକ ସଂଗଠନର ମଞ୍ଚ ସାଜିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ସମର୍ଥନ କରିଛି କିଷାନ ମଜଦୂର ମୋର୍ଚ୍ଚା ବା କେଏମଏମ । ୧୨ ଦଫା ଦାବିରେ ଆନ୍ଦୋଳନ ଚାଲିଥିବାବେଳେ ଏହି ଦାବି ମଧ୍ଯରେ ପ୍ରମୁଖ ଦାବି ରହିଛି କୃଷିଜାତ ସାମଗ୍ରୀର ମାର୍କେଟିଂ ସଂକ୍ରାନ୍ତ ଜାତୀୟ ନୀତି ଫ୍ରେମଓ୍ବାର୍କ- ବା NPAFMର ପ୍ରତ୍ୟାହାର ।

କେଏମଏମ ନେତା ଶର୍ବଣ ସିଂ ପାନ୍ଧେର କହିଛନ୍ତି, ସଂଯୁକ୍ତି ମୋର୍ଚ୍ଚାର ସମସ୍ତ ଦାବିକୁ କେଏମଏମ ସମର୍ଥନ କରୁଛି । ଗତବର୍ଷ ଫେବୃଆରୀ ୧୨ରୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ଶମ୍ଭୁ ଓ ଖାନାଉରୀ ସୀମାରେ ଆନ୍ଦୋଳନ କରିଆସୁଛନ୍ତି କେଏମଏମ ଓ ଏସକେଏମ । ତେଣେ ୧୪ ତାରିଖରେ ହେବାକୁ ଥିବା ଆଲୋଚନା ଯଦି ବିଫଳ ହୁଏ ତେବେ ଆସନ୍ତା ୨୫ରେ ୧୦୧ଜଣ ଚାଷୀ ହରିୟାଣା ସୀମା ପାର୍ ହେବା ଲାଗି ଉଦ୍ୟମ କରିବେ । ଗତବର୍ଷ ଫେବୃଆରୀ ୮, ୧୨, ୧୫, ୧୮ରେ ଚାରିଥର କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିବା ସତ୍ତ୍ବେ ସମାଧାନର ପନ୍ଥା ବାହାରିପାରି ନଥିଲା ।

ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନରେ ଅଡୁଆରେ ପଡିପାରନ୍ତି ସରକାର। ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ବସିବ ସର୍ବଦଳୀୟ ବୈଠକ। ସେପଟେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେନେଇ ପ୍ରସ୍ତୁତ ହେବ ରଣନୀତି। ଲୋକଙ୍କ ସ୍ବର ସାଜି ଆକ୍ରମଣାତ୍ମକ ଭୂମିକା ଆପଣାଇବ ବିଜେଡି।

ଗୃହରେ ଉଠିବ ଆଇନଶୃଙ୍ଖଳା, ହଇଜା, ଧାନ କିଣାରେ କଟନି ଛଟନି ଆଦି ପ୍ରସଙ୍ଗ। ରାଜଧାନୀରେ ଯୁବକଙ୍କୁ ହତ୍ୟା, ଭିଆଇପି ଏରିଆରୁ ଚୋରି, ନେତାଙ୍କୁ ହତ୍ୟା ଧମକ ସହ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବଡ଼ ଅସ୍ତ୍ର କରିବ ବିଜେଡି। ତେଣେ ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପରି ମାଳମାଳ ନିର୍ବାଚନୀ ପ୍ରତିଶୃତି ଭୁଲି ଯାଇଛି ଡବଲ ଇଞ୍ଜିନ ସରକାର। ଏକଥାକୁ କଂଗ୍ରେସ ପ୍ରସଙ୍ଗ କରି ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ୧୭ ତାରିଖରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ।

ରଣବୀର ଘରେ ପଶିଲା ମୁମ୍ବାଇ ପୋଲିସ, ସାଇବର ସେଲରେ ମାମଲା

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ୟୁଟ୍ୟୁବର ରଣବୀର ଆଲାହାବାଦିଆଙ୍କ ବଢ଼ିଲା ଅଡୁଆ । ତାଙ୍କ ଘରେ ମୁମ୍ବାଇ ପୋଲିସ ଛାନବିନ କରିଥିବାବେଳେ ମହାରାଷ୍ଟ୍ର ସାଇବର ସେଲ ପକ୍ଷରୁ ରୁଜୁ ହୋଇଛି ମାମଲା । ରଣବୀରଙ୍କ ସମେତ ୪୦ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଛି । ତେଣେ ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ ହଟାଇଛି ୟୁଟ୍ୟୁବ ।

ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସର୍ବଭାରତୀୟ ସିନେ ୱାର୍କର୍ସ ଆସୋସିଏସନ ବା ଏଆଇସିଡବ୍ଲୁଏ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବକୁ ନୋଟିସ ପଠାଇ ଏହି ଭିଡିଓକୁ ହଟାଇବାକୁ କହିଥିଲେ । ଯାହା ପରେ ୟୁଟ୍ୟୁବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିବାଦୀୟ ଭିଡିଓକୁ ହଟାଇ ଦେଇଛି । ଜାତୀୟ ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କା କାନୁନଗୋ ମଧ୍ୟ ଭିଡିଓଟିକୁ ହଟାଇବାକୁ କହିଥିଲେ ।

ସୋମବାର ଦିନ ସମାଲୋଚନାର ସମ୍ମୁଖୀନ ହେବା ପରେ, ୟୁଟ୍ୟୁବର କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ ପରେ ବାଧ୍ୟ ହୋଇ କ୍ଷମା ମାଗିଥିଲେ ରଣବୀର । ଆଲ୍ଲାହାବାଦିଆଙ୍କ ବିରୋଧରେ ମାମଲା ରୁଜୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍ କରି ସୂଚନା ଦେଇଥିଲେ । ଆଲ୍ଲାହାବାଦିଆଙ୍କ ସହିତ, ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମଖିଜା, ସମୟ ରୈନା ଏବଂ ଅନ୍ୟମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।

ଆସାମ ପୋଲିସ ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ‘ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିବା ଏବଂ ଅଶ୍ଳୀଳ ଆଲୋଚନାରେ ଲିପ୍ତ ରହିବା’ ଅଭିଯୋଗରେ ୟୁଟ୍ୟୁବର ଆଲ୍ଲାହାବାଦିଆ ଏବଂ ହାସ୍ୟ ଅଭିନେତା ସମୟ ରୈନାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ୟୁଟୁବର ଏବଂ ଆଶିଷ ଚଞ୍ଚଲାନି, ଜସପ୍ରୀତ ସିଂହ, ଅପୂର୍ବ ମାଖିଜା ଏବଂ ଅନ୍ୟମାନଙ୍କ ନାଁ ମଧ୍ୟ FIR ରେ ରଖାଯାଇଛି । ସମସ୍ତେ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ ରହିଛି । ଜାତୀୟ ମାନବାଧିକାର କମିଶନ ମଧ୍ୟ ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ ନେଇ ୟୁଟ୍ୟୁବକୁ ଏକ ଚିଠି ଲେଖିଛନ୍ତି । ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ ।

ଆଉ ରାସ୍ତାରେ ଚାଲିବନି ରୋମିଓଙ୍କ ରାଜୁତି

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ । ହେଲମେଟ, ବ୍ଲାକଫିଲ୍ମ, ବିକଟାଳ ହର୍ଣ୍ଣ, ସିଟବେଲ୍ଟ, ରଙ୍ଗ ରୁଟ ଡ୍ରାଇଭିଂ କରୁଥିଲେ ଆଉ ମିଳିବନି ତ୍ରାହି । ପେଶାଦାର ଖିଲାପକାରୀଙ୍କୁ ଫାଇନ ନୁହେଁ, ଏବେ ପିଆର ବଣ୍ଡରେ ଛଡ଼ାଯାଉଛି ଗାଡି । ଏଜି ଛକ ଓ ନାଲକୋ ଛକରେ ବ୍ୟାପକ ହୋଇଛି ଚେକିଂ । କାଲିଠାରୁ ସମସ୍ତ ଛକ ବଜାରରେ କଡାକଡି ହେବ ଚେକିଂ ।

ରାସ୍ତାରେ ଚଳିବନି ରୋମିଓଙ୍କ ରାଜୁତି । କଳା କାଚ ବ୍ୟବହାରକାରୀ ପାଇଁ କଡା ଆକ୍ସନ୍ । ରଙ୍ଗରୁଟ ଡ୍ରାଇଭର ଓ ପିଲିୟନ ରାଇଡର ବି ସାବଧାନ । ଗାଡ଼ିରେ ବ୍ଲାକଫିଲ୍ମ, ନମ୍ବର ପ୍ଲେଟରେ ରାଜନୈତିକ ଦଳର ଚିହ୍ନ । ସହର ଭିତରେ ପଶି ପୁରୀ ଯାଉଥିବା ବେଳେ ଏଭଳି ଏକାଧିକ ବ୍ଲାକଫିଲ୍ମ ବ୍ୟବହୃତ ଗାଡିକୁ ଧରିଛି ଟ୍ରାଫିକ ପୋଲିସ ।

ଗୋଟିଏ କିମ୍ବା ଦୁଇଟି ନୁହେଁ, ବେନିୟମ ଭାବେ ଗାଡି ଚଳାଉଥିବା ଏକାଧିକ ଚାଳକଙ୍କ ଠାରୁ ଫାଇନ ଆଦାୟ କରିଛି କମିଶନରେଟ ପୋଲିସ । ଏଜି ଛକ ଓ ନାଲକୋ ଛକରେ RTO ସହଭାଗୀତାରେ ଚେକିଂରେ ବ୍ଲାକ ଫିଲ୍ମ, ହର୍ଣ୍ଣ, ସିତବେଲ୍ଟ, ମଡ଼ିଫାଇଡ଼ ସାଇଲେନ୍ସର, ଟ୍ରିପଲ ରାଇଡିଂ, ହେଲମେଟ ସହ ଗାଡି କାଗଜପତ୍ର ଯାଞ୍ଚ କରାଯାଇଥିଲା । ସୋମବାରଠାରୁ ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା । ଏବେ କେବଳ ଫାଇନ କଟାଯାଉଥିବା ବେଳେ ଆଗକୁ ଗାଡ଼ିଗୁଡିକୁ ପିଆର ବଣ୍ଡରେ କୋର୍ଟରୁ ଆଣିବାକୁ ହେବ ବୋଲି କହିଛନ୍ତି RTO କର୍ମଚାରୀ ।

ବେପରୁଆ ଗାଡିଚାଳନା ପାଇଁ ସହରରେ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ସୋମବାର ବିଳମ୍ବିତ ରାତିରେ ବଡଗଡ଼ ଥାନା ଅନ୍ତର୍ଗତ ସାଇମନ୍ଦିର ଛକରେ ଦୁର୍ଘଟଣା ଘଟି ଚାଲିଯାଇଛି ୩ଟି ଜୀବନ । ଏକ ଟାଟା ହ୍ୟାରିୟର ଗାଡ଼ିରେ ଖଣ୍ଡଗିରି ଯାତ୍ରା ଦେଖିବାକୁ ଆସିଥିବା ୨ ଯୁବକ, ରଙ୍ଗ ରୁଟରେ ବିନା ହେଲମେଟରେ ଆସୁଥିବା ୩ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲେ । ହସ୍ପିଟାଲକୁ ନେବା ବାଟରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡି ସହ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ସେପଟେ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ନୀତିଦିନ ଚାଲୁଥିବା ବେଳେ ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି କୁହାଯାଇଛି । ବଡ଼କଥା ହେଉଛି କେବଳ ପୋଲିସର୍ ଚେକିଂ ନୁହେଁ ବରଂ ନିଜେ ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ, ସମସ୍ତ ନିୟମ ମାନିବାର ଆବଶ୍ୟକତା ଥିବା କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ । ସେପଟେ ବାହାର ରାଜ୍ୟରୁ ଆସିଥିବା ଲୋକ କଟକଣା ବିଷୟରେ ଅବଗତ ନଥିବା କହିଛନ୍ତି । ଆଗକୁ ମଡିଫାଏଡ଼ ପାର୍ଟ୍ସ ରଖୁଥିବା ଦୋକାନ ବା ଶୋ’ରୁମରେ ମଧ୍ୟ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଥାନା ଅଧିକାରୀ ।