ନନ୍ଦିଘୋଷ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତାର ଚିତ୍ର। ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ ଯୁବକଙ୍କୁ ପିସିଆର ଗାଡ଼ିରେ ନେଲାନାହିଁ ପୋଲିସ। ଦୁର୍ଘଟଣା ଗ୍ରସ୍ତଙ୍କ ଜଣେ ସାଥି ବାରମ୍ବାର ନେହୁରା କଲେ ମଧ୍ୟ ଶୁଣିଲାନି ପୋଲିସ। ଓଲଟା ସାହାଯ୍ୟ ଚାହୁଁଥିବା ଯୁବକଙ୍କୁ ମାରିବାକୁ ଗୋଡ଼ାଇଲା। ପୋଲିସର ଏପରି ଅମାନବୀୟ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୁହାଯାଉଛି କି ଏହି ଭିଡିଓଟି ଭଦ୍ରକ ଜିଲ୍ଲା ସୀମାବର୍ତ୍ତୀ ରାଣୀତାଲ ଅଞ୍ଚଳର। ଏକ କୁକୁଡ଼ା ଗାଡିକୁ ଧରିବାକୁ ପୋଲିସ ଗୋଡ଼ାଇ ଯିବା ସହିତ ତାକୁ ରାଣୀତାଲ ପରେ ମଇତାପୁର ନିକଟରେ ଅଟକାଇଥିଲା। ଏହି ସମୟରେ ଏକ କାର ପୋଲିସ ଗାଡି ସହ ଧକ୍କା ହୋଇଥିଲା। କାରର ଡ୍ରାଇଭର ସମେତ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଥିଲେ। ଜଣେ ଗୁରୁତରଙ୍କୁ କାରରୁ କାଢି ୧୬ ନମ୍ବର ଜାତୀୟ ରାଜପଥରେ ଶୁଆଇବା ସହିତ ପୋଲିସକୁ ସାହାଯ୍ୟ ମାଗିଥିଲେ। ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବ କହି ଗୁରୁତରଙ୍କୁ ପୋଲିସ ଗାଡ଼ିରେ ମେଡିକାଲ ପହଞ୍ଚାଇବାକୁ ନେହୁରା ହୋଇଥିଲେ। ମାତ୍ର ପୋଲିସ ସାହାଯ୍ୟ କରିବ କଣ ମାଡ଼ ମାରିବାକୁ ଉଦ୍ୟତ ହେବା ସହିତ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏପରି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲା ହେବା ପରେ ପୋଲିସକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ଅତିରିକ୍ତ ଏସପିଙ୍କୁ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରାଯିବ ବୋଲି ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଖରା ତାତିକୁ ବଳି ଗଲା ବଲାଙ୍ଗୀର ଜଳାଶୟ ରାଜନୀତି
ଖରା ତାତିକୁ ବଳି ଗଲା ବଲାଙ୍ଗୀର ଜଳାଶୟ ରାଜନୀତି
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଖରାତାତି ଠୁ ବଳି ଯାଇଛି ଜଳାଶୟ ରାଜନୀତି । କଂଗ୍ରେସ ବରିଷ୍ଠ ନେତା ଓ ବଲାଙ୍ଗୀର ପୌରପାଳିକା ମଧ୍ୟରେ ଦୀର୍ଘଦିନ ହେବ ଚାଲିଥିବା ଶୀତଳ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ପୌରପାଳିକା ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ବିଭିନ୍ନ ସମୟରେ ବର୍ଷୁଥିବା କଂଗ୍ରେସ ବରିଷ୍ଠ ନେତାଙ୍କୁ ପୌରପାଳିକା ପକ୍ଷରୁ ଦିଆଯାଇଛି କଡା ଜବାବ । ଲକ୍ଷ୍ମୀଯୋର ପ୍ରକଳ୍ପରେ ହୋଇଥିବା ୨୦ କୋଟିର ଦୁର୍ନୀତି ନରସିଂହଙ୍କୁ ଦେଖାଯାଉନାହିଁ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି । ସେପଟେ ନରସିଂହ ମିଶ୍ର ମଧ୍ୟ ପାଲଟା ଜବାବ ଦେଇଛନ୍ତି ।
ଜଳାଶୟ ପୁନଃରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ ନରସିଂହଙ୍କ ପ୍ରତିବାଦ ଜାରି । ପୌରପାଳିକା ପକ୍ଷରୁ ଅନବରତ ଭାବେ ବଲାଙ୍ଗୀର ସହରର ବିକାଶମୂଳକ କାର୍ଯ୍ୟ ଚାଲିଛି । ପୂର୍ବ ସରକାରଙ୍କ ଅନୁଦାନରେ ବଲାଙ୍ଗୀରର ବିକାଶର ଚିତ୍ର ବଦଳିଛି । ସହରର ରାସ୍ତାଘାଟ, ଡ୍ରେନେଜ, ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଛି । ବିକାଶ ଦେଖି ସହ୍ୟ କରି ପାରୁନାହାନ୍ତି ବଲାଙ୍ଗୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନରସିଂହ ମିଶ୍ର ବୋଲି କହିଛନ୍ତି ପୌରଧକ୍ଷା । ନରସିଂହ ମିଶ୍ରଙ୍କ ବିଧାୟକ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ପରିବାରର କେବଳ ବିକାଶ ହୋଇଛି । କୌଣସି ପୋଖରୀର ପୁନରୁଦ୍ଧାର ସେ କରିନାହାନ୍ତି । ଲକ୍ଷ୍ମୀଜୋରକୁ ମିନି ବ୍ୟାଙ୍କକ କରିବାକୁ ୨୦ କୋଟି ଆଣିଥିଲେ । ଏବେ ମିନି ବ୍ୟାଙ୍କକ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ନରସିଂହ ମିଶ୍ରଙ୍କ ରକ୍ତରେ ଦୁର୍ନୀତି ଭର୍ତ୍ତି ହୋଇ ରହିଛି ବୋଲି ଅଭିଯୋଗ ହୋଇଛି । ନରସିଂହ ମିଶ୍ର ଯେଉଁ ଲକ୍ଷ୍ମୀଜୋରର ବିକାଶ କରିଥିଲେ ତାହା ବ୍ୟବହାର ଉପଯୋଗୀ ହୋଇନାହିଁ ବୋଲି ପୌରପାଳିକା ପକ୍ଷରୁ ଅଭିଯୋଗ ହୋଇଛି । ଯଦି ମହାରାଣୀ ସାଗର ଓ ଲକ୍ଷ୍ମୀଜୋରରେ ଦୁର୍ନିତି ହୋଇଛି ତାହା ହେଲେ ଭିଜିଲାନ୍ସ ତଦନ୍ତ କରୁ ବୋଲି କହିଛନ୍ତି ପୌରାଧକ୍ଷା ଓ କାଉନସିଲର ସଦସ୍ୟ ।
ମୁଣ୍ଡ ନେଉଛି ମଦ, ନିଶାସକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା
ମୁଣ୍ଡ ନେଉଛି ମଦ, ନିଶାସକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା
ନନ୍ଦିଘୋଷ ବ୍ୟୁରୋ: ମୁଣ୍ଡ ନେଉଛି ମଦ । ନିଶାଶକ୍ତ ଭାବେ ଡ୍ରାଇଭିଂ ଯୋଗୁଁ ବଢୁଛି ଦୁର୍ଘଟଣା । ସତ ଚେଷ୍ଟା ପରେ ବି ଅବସ୍ଥା ଯଥା ପୂର୍ବଂ ତଥା ପରଂ । ମେ’ ମାସରେ ଭୁବନେଶ୍ୱରରେ ଧରାପଡିଛି ୬ ଶହରୁ ଊର୍ଦ୍ଧ୍ବ ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ କେସ । ସହରରେ ବଢୁଥିବା ହିଟ ଆଣ୍ଡ ରନ୍ ଏବେ ପାଲଟିଛି ମୁଣ୍ଡବିନ୍ଧା ।
ଖାରବେଳନଗର ଥାନା ଅଧୀନରେ ମଦ ପିଇ ଧରାପଡିଥିବା ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ପଛକୁ ରହିଛି ଲକ୍ଷ୍ମୀସାଗର ଓ କ୍ୟାପିଟାଲ ପୋଲିସ ଷ୍ଟେସନ । ଡ୍ରଙ୍କ ଏଣ୍ଡ ଡ୍ରାଇଭ୍ କେସରେ ସାରା ଭୁବନେଶ୍ୱରରେ ଧରାପଡିଛି ୬୭୩ଟି ମାମଲା । ଯେଉଁଥିପାଇଁ ହିଟ ଆଣ୍ଡ ରନ ବଢୁଥିବା ମଧ୍ୟ ଦେଖାଯାଉଛି । ସାରା ଦେଶରେ ବାର୍ଷିକ ପାଖାପାଖି ୫୭ ହଜାର ହିଟ ଆଣ୍ଡ ରନ କେସ ସାମ୍ନାକୁ ଆସୁଥିବା ବେଳେ ଆଧିକାଂଶର କାରଣ ମଦ ପିଇ ଡ୍ରାଇଭିଂ ।
ହିଟ ଆଣ୍ଡ ରନ କେସରେ ସାରା ଦେଶରେ ଉତ୍ତରପ୍ରଦେଶ ଆଗରେ ଥିବା ବେଳେ ତା’ ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ଗୋଟିଏ ପଟେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ପୋଲିସର ନିୟମ ଏବେ ପାଣିର ଗାର ପାଲଟିଛି । କେବଳ ଓଡ଼ିଶାରେ ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ସାରା ଦେଶରେ ଦିନକୁ ଗଡୁଛି ପାଖାପାଖି ୫ ଶହ ମୁଣ୍ଡ । ସଡକ ସୁରକ୍ଷା ସପ୍ତାହ ପାଳନ ଆଳରେ ପଲ୍ୟୁସନ, ସ୍ପିଡ଼ ଡ୍ରାଇଭ, ରଙ୍ଗ ରୁଟ ଡ୍ରାଇଭ, ଟ୍ରିପଲ ରାଇଡିଂରେ କୋଟି କୋଟି ଟଙ୍କାର ଫାଇନ କଟୁଛି । କିନ୍ତୁ ପରିବହନ ବିଭାଗ, ପୋଲିସ ଓ ଏନଏଚଆଇ ମଧ୍ୟରେ ବିଭାଗୀୟ ତାଳମେଳ ରହୁ ନଥିବାରୁ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । କାଗଜପତ୍ରରେ ସଡକ ସୁରକ୍ଷା ଚାଲିଥିବା ବେଳେ ଏହାର କୌଣସି ବାସ୍ତବତା ନଥିବା ଅଭିଯୋଗ ହେଉଛି ।
ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନାଙ୍କ ଜାମିନ ଖାରଜ
ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନାଙ୍କ ଜାମିନ ଖାରଜ
ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତିର ନିୟମିତ ଜାମିନ ଆବେଦନ ଖାରଜ । ଅନ୍ତରୀଣ ଜାମିନରେ ଥିବା ମୁନାଙ୍କୁ ସରେଣ୍ଡର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୧୧ ତାରିଖ ସୁଦ୍ଧା ସରେଣ୍ଡର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ ପାଇଥିଲେ ମୁନା ।
ମୁନାକୁ ଦଶପଲ୍ଲାରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମୁନା ସମେତ ଦୁଇ ସହଯୋଗୀ ସୁକାନ୍ତ ମହାରଣା ଏବଂ ଶ୍ରୀକାନ୍ତ ମହାରଣାକୁ ଗିରଫ କରାଯାଇଥିଲା । ୨୦୨୫ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟରେ ସବ-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ, ମୁନା ସହ ତାଙ୍କ ସହଯୋଗୀଙ୍କ ଗୋଟିଏ ଫାର୍ମ ହାଉସରୁ ଗିରଫ କରାଯାଇଥିଲା ।
ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ଦଲାଲ ମାଲାମାଲ
ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ, ଦଲାଲ ମାଲାମାଲ
ନନ୍ଦିଘୋଷ ବ୍ୟୁରୋ: ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ବ୍ୟବସ୍ଥା ନଥିବାରୁ ଉପୁଜୁଛି ସମସ୍ୟା । ଶାଳ ଫୁଲ ତୋଳାଳିଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀମାନେ ଖରାକୁ ଖାତିର ନକରି ଜଙ୍ଗଲରୁ ଶାଳ ଫୁଲ ସଂଗ୍ରହ କରୁଛନ୍ତି । ହେଲେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ହେଉଛନ୍ତି ଅଭାବୀ ବିକ୍ରିର ଶିକାର । ଏହାର ଫାଇଦା ଉଠାଉଛନ୍ତି ଦଲାଲ । ଶାଗ, ମାଛ ଦରରେ ଶାଳ ଫୁଲ କିଣି ନେଉଥିବା ଅଭିଯୋଗ ।
ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ସାମଗ୍ରୀକୁ ଟିଡିସିସି ଜରିଆରେ ବିକ୍ରି କରିବାର ବ୍ୟବସ୍ଥା ରହିଛି । ମାତ୍ର ବିଜେପି ସରକାର ଏହି ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଶାଳ ମଞ୍ଜି ସଂଗ୍ରହ କରୁଥିବା ତୋଳାଳିମାନେ ସର୍ବନିମ୍ନ ମୂଲ୍ୟ ପାଇପାରୁନାହାଁନ୍ତି ।
ଭାଷଣରେ ଚାଲିଛି ଯୋଜନା, ଲୋକଙ୍କୁ ମିଳୁନି ପିଇବାକୁ ମୁନ୍ଦେ ପାଣି
ଭାଷଣରେ ଚାଲିଛି ଯୋଜନା, ଲୋକଙ୍କୁ ମିଳୁନି ପିଇବାକୁ ମୁନ୍ଦେ ପାଣି
ନନ୍ଦିଘୋଷ ବ୍ୟୁରୋ: ପ୍ରଚଣ୍ଡ ଦ୍ରୌଦ୍ରତାପକୁ ଅସହ୍ୟ ଗୁଳୁଗୁଳି । ସୁଖି ଗଲାଣି ଜଳ ଉତ୍ସ । ପିଇବା ପାଣି ମୁନ୍ଦେ ପାଇଁ ଉପାନ୍ତରୁ ଉପକୂଳ ଡହଳ ବିକଳ ହେଉଛନ୍ତି ଲୋକେ । ହେଲେ ପାଣି ଯୋଗାଇବାରେ ସରକାର ଫେଲ । ଖୋଦ ଭୁବନେଶ୍ଵର ଉପକଣ୍ଠରେ ପାଣି ପାଇଁ ଲୋକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଜଟଣୀ ବ୍ଲକ ବଡ଼ତୋଟା ଗାଁର ଏକ ନମ୍ବର ୱାର୍ଡରେ ଥିବା ନଳକୂପ ଆଗରେ ଗରା, ବାଲଟି ଥୋଇ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି ମହିଳା । ଭୂତଳ ଜଳସ୍ତର ଖସିଯିବାରୁ ସେଥିରୁ ବାହାରୁଛି ଲୌହ ମିଶ୍ରିତ ପାଣି । ହେଲେ ବିକଳ୍ପ ନଥିବାରୁ ଏହି ପାଣି ପିଇବାକୁ ଲୋକେ ବାଧ୍ୟ ହେଉଥିବା ଅଭିଯୋଗ ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ପଦନପୁର ପଞ୍ଚାୟତ ବଡ଼ତୋଟା ଗାଁରେ ଏକ ନମ୍ବର ୱାର୍ଡରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ୱାର୍ଡରେ ପାଇପ ଲାଇନ ପଡ଼ିଛି, ହେଲେ ସେଥିରୁ ପାଣି ମୁନ୍ଦାଏ ବାହାରୁନି । କୂଅଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗୋଟିଏ ମାତ୍ର ନଳକୂପ ୨ ଶହ ପରିବାରଙ୍କ ପାଲଟିଛି ସାହାରା । ଭୂତଳ ଜଳସ୍ତର ଖସି ଖସି ଯିବାରୁ ଗୋଟିଏ ଗରା ପାଣି ପାଇଁ ଟ୍ୟୁବଲ ପାଖରେ ୧୦ରୁ ୧୫ ମିନିଟ ଠିଆ ହେବାକୁ ପଡୁଛି । ସେଥିରୁ ଲୁହା ମିଶ୍ରିତ ପାଣି ବାହାରୁଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି ।
ପୂର୍ବ ସରକାର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରିଥିଲେ । ଗ୍ରୀଷ୍ମରେ ଗାଁକୁ ଗାଁ ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରୁଥିଲେ । ସରକାର ପରିବର୍ତ୍ତନ ପରେ ଲୋକ ହିତକର ଯୋଜନା ଠପ ହୋଇଯାଇଛି । ପାନୀୟ ଜଳ ସମସ୍ୟା ସଂପର୍କରେ ୱାର୍ଡର ମହିଳାମାନେ ଜଟଣୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ସରପଞ୍ଚଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ କହିଛନ୍ତି ବ୍ଲକ ଉନ୍ନୟନ ଅଧିକାରୀ ।
ଶିଶୁଙ୍କ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମ ପାଣିରେ ଭସାଇ ଦେଲେ ସିଡିପିଓ
ଶିଶୁଙ୍କ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମ ପାଣିରେ ଭସାଇ ଦେଲେ ସିଡିପିଓ
ନନ୍ଦିଘୋଷ ବ୍ୟୁରୋ: ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଶିଶୁ ବିକାଶ ପ୍ରକଳ୍ପ-୨ରେ ଶିଶୁଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ହେଲେ ଭଦ୍ରକରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିଶୁମାନଙ୍କ ଖାଦ୍ୟ ପାଇଁ ଆସିଥିବା ୯୫ କ୍ବିଣ୍ଟାଲ ଗହମକୁ ପାଣିରେ ଭସାଇ ଦେଇଛନ୍ତି ସିଡିପିଓ । ଲକ୍ଷ ଲକ୍ଷ ଟଙ୍କାର ଗହମ ଏପରି ପାଣିରେ ଫିଙ୍ଗା ଯିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଶିଶୁ ବିକାଶ ପ୍ରକଳ୍ପ-୨ ଅଧୀନରେ ତ୍ରିନାଥ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ସରକାରୀ ଉଦାସୀନତା ଯୋଗୁଁ ଏତେ ପରିମାଣର ଗହମ ନଷ୍ଟ ହୋଇଗଲା, ହେଲେ କେହି ତା’ର ଦାୟିତ୍ବ ନେଲେ ନାହିଁ । ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଦାବି ଜୋର ଧରିଛି ।
ଏବେ ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ଖାଦ୍ୟଶସ୍ୟ ନଷ୍ଟ ହୋଇଗଲା। ଏ ନେଇ କାହା ପାଖରେ କିପରି ଆଗରୁ ଖବନ ନଥିଲା ? କାହିଁକି ଠିକ ସମୟରେ ଗହମଗୁଡ଼ିକ ବ୍ୟବହାର ହେଲାନି କାହିଁକି ? ଏତେ ପରିମାଣର ଖାଦ୍ୟକୁ ନଷ୍ଟ କରଗଲା ଏହାର ଭରଣା କିଏ କରିବ ? ଭଦ୍ରକ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବର ଅଛି ତ ?

