ନନ୍ଦିଘୋଷ ବ୍ୟୁରୋ: ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତିଙ୍କୁ କରାଗଲା ଏୟାରଲିପ୍ଟିଂ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଗୁରଗାଁଓର ମେଦାନ୍ତ ହସପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଏଥିପାଇଁ ହସପିଟାଲରୁ ଏୟାରପୋର୍ଟ ଯାଏଁ କରାଯାଇଥିଲା ଗ୍ରୀନ କରିଡ଼ର । ୩ ଦିନ ତଳୁ ହସ୍ପିଟାଲରେ ଆଡ଼ମିଶନ ହୋଇ ଚିକିତ୍ସିତ ହେଉଛନ୍ତି ଉତ୍ତମ । ଲିଭର ସିରୋସିସରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ଫେଲ୍ୟୁର ରହିଛି । ଗତକାଲିଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତେଣୁ ଅଧିକ ଚିକିତ୍ସା ପାଇଁ ଆଜି ସଂଧ୍ଯା ୮ଟାରେ ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁରଗାଁଓର ମେଦାନ୍ତ ହସପିଟାଲକୁ ଏୟାର ଲିଫ୍ଟି କରାଯାଇଛି ।
ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରୀ । ଟମାଟୋ କିଲୋ ପିଛା ୨ ଟଙ୍କାରୁ ୩ ଟଙ୍କାରେ ବିକ୍ରୀ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ କୂଳ । ବଜାରରେ ଟମାଟୋ କିଲେ ପିଛା ୧୫ ଟଙ୍କା ରହିଥିବା ବେଳେ ଚାଷୀଙ୍କ ଠାରୁ ୨ ରୁ ୩ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ । ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ ପାରିଶ୍ରମିକ ମିଳୁନାହିଁ । ଅନେକ ଚାଷୀ ଟମାଟୋକୁ ନତୋଳି ଚାଷ ଜମିରେ ଛାଡ଼ି ଦେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମିରେ ଟମାଟୋ ସେଭଳି ପଚିସଢ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲା ଡିଆଁଡ଼େଇଁ ଗାଁରୁ ଆସିଛି ଏଭଳି ଦୃଶ୍ୟ । ଜିଲ୍ଲାର ମଧୁରଚୁଆ, ସିପକୁଦା, ଶ୍ରୀରାମଚନ୍ଦ୍ରପୁର, ହରିପୁର, କଣ୍ଟପଡ଼ା ଭଳି ଅନେକ ଗାଁରେ ଚଳିତ ବର୍ଷ ଟମାଟୋ ଚାଷ ଭଲ ହୋଇଛି । ଗତ କିଛି ଦିନ ପୂର୍ବରୁ ଟମାଟୋ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଥିଲା । ହଠାତ୍ ଦର ଖସି ଯିବାରୁ ଏବେ ୨ରୁ ୩ ଟଙ୍କାରେ ବିକ୍ରି ହେଉଛି ଟମାଟୋ । ପାରିଶ୍ରମିକ ମିଳୁନଥିରୁ ହେକ୍ଟର ହେକ୍ଟର ଜମିରେ ଟମାଟୋକୁ ଛାଡ଼ି ଦେଉଛନ୍ତି ଚାଷୀ । ଚାଷ କାର୍ଯ୍ୟ ପାଇଁ ଲେବର, ପେଷ୍ଟିସାଇଡ୍ ଖର୍ଚ୍ଚ ସହିତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ଏକର ପିଛା ଟମାଟୋ ଚାଷ ପାଇଁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଟମାଟୋ ତୋଳି ବଜାରକୁ ବିକ୍ରି ପାଇଁ ନେଲେ ପାରିଶ୍ରମିକ ମିଳୁନାହିଁ । କିପରି ଋଣ ଶୁଝିବେ ଓ ପରିବାର ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଚାଷୀ ।
ଗଞ୍ଜାମ ସଦର ବ୍ଲକ ଅଞ୍ଚଳର ଚାଷୀ ଋଣ କରି ଟମାଟୋ ଚାଷ କରିଥିଲା ଚାଷୀ । ସାର ଓ ପେଷ୍ଟିସାଇଡ୍ ଦର ବୃଦ୍ଧି ପାଇଥିବା ବେଳେ ଟମାଟୋ ତୋଳିବାକୁ ପଡୁଥିବା ପାରିଶ୍ରମିକ ମଧ୍ୟ ଉଠୁନାହିଁ । ପ୍ରତି ବର୍ଷ ଏହି ସମୟରେ ପ୍ରଚୁର ପରିମାଣରେ ଟମାଟୋ ଉତ୍ପାଦନ ହୋଇଥାଏ । ତେବେ ସଂରକ୍ଷଣ କରି ରଖିବାକୁ ଶୀତଳ ଭଣ୍ଡାର ସୁବିଧା ନଥିବାରୁ ପ୍ରତି ବର୍ଷ ଏହିପରି ଅଭାବୀ ବିକ୍ରିର ଶିକାର ହୋଇଥାନ୍ତି ଚାଷୀ । ଟମାଟୋ ନତୋଳି ଚାଷ ଜମିରେ ଛାଡ଼ି ଦେଉଥିବାରୁ ଟମାଟୋ ଚାଷ ଜମିରେ ପଡ଼ି ପଚିସଢ଼ି ଯାଉଛି । ଟମାଟୋ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରି ପରିବାର ପୋଷିବା କଷ୍ଟକର ହେଉଥିବା ବେଳେ ବର୍ତ୍ତମାନ ବାଧ୍ୟ ହୋଇ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ବୋଲି କହିଛନ୍ତି ଚଷା ପୁଅ । ଚାଷ କାର୍ଯ୍ଯ ପାଇଁ ସାର ଓ ଔଷଧ ରିହାତି ଦରରେ ଯୋଗାଇ ଦେବା ସହିତ ଶୀତଳଭଣ୍ଡାର ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ଚାଷୀ ।
ଗଞ୍ଜାମ ବ୍ଳକରେ ବହୁଳ ଭାବେ ଟମାଟୋ ସହିତ ପନିପରିବା ଚାଷ ହୋଇଥାଏ । ଏଠାରୁ ବାହାର ଜିଲ୍ଲା ଓ ପୋଡ଼ଶୀ ରାଜ୍ୟକୁ ପନିପରିବା ରପ୍ତାନୀ କରାଯାଇଥାଏ । ତେଣୁ ଚାଷୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଶୀତଳଭଣ୍ଡାର ସୁବିଧା କରାଗଲେ ଅଧିକରୁ ଅଧିକର ଚାଷୀ ପନିପରିବା ଫସଲ ପାଇଁ ଆଗ୍ରହୀ ହେବେ ।
ବୋଲିଂରେ ବ୍ୟାଟରଙ୍କୁ କରୁଛନ୍ତି ଧରାଶାୟୀ, ବ୍ୟାଟିଂରୁ ହୁଏ ଚଉକା ଛକାର ବର୍ଷା
ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଦଳପତିପୁଟର ଏକ ସାଧାରଣ ଝିଅ, ଯିଏ ତାଙ୍କ ସଂଘର୍ଷ ଓ ଆତ୍ମବିଶ୍ୱାସର ଆଧାରରେ କେବଳ ଗାଁ ନୁହେଁ, ସାରା ରାଜ୍ୟର ମାନ ରଖିଛନ୍ତି । ଆଜି ସେ ପ୍ରେରଣାର ପରିଚୟ । ଗରିବ ପରିବାରର ଏହି ମାଟିର ହୀରା ଦେଖାଇ ଦେଇଛନ୍ତି ଯେ ସଂଘର୍ଷ ଓ କଠିନ ପରିଶ୍ରମ ସହ ଆତ୍ମବିଶ୍ୱାସ ରଖିଲେ କୌଣସି ସ୍ଵପ୍ନ ବହୁ ଦୂର ନୁହେଁ। ଏବେ ସେ ଓଡ଼ିଶା ଦିବ୍ୟାଙ୍ଗ ମହିଳା କ୍ରିକେଟ ଦଳର ଅଂଶ।
ଗ୍ରାଉଣ୍ଡରେ ବୋଲିଂ କଲେ ଧରାସାୟୀ ହୋଇଯାଉଛନ୍ତି ବ୍ଯାଟର । ତାଙ୍କ ବ୍ୟାଟିଂରୁ ବର୍ଷା ହୁଏ ଚଉକା ଛକା । ଆମେ କହୁଛି ମାଲକାନଗିରି ଜିଲ୍ଲାର ଦଳପତିପୁଟ କଣିଆ ଅଞ୍ଚଳର କ୍ରିକେଟ ଖେଳାଳି ସୁକାନ୍ତି ଦଳପତିଙ୍କ କଥା । ଦିବ୍ୟାଙ୍ଗ ହୋଇ ମଧ୍ୟ ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ଜଣେ ଜାତୀୟ ସ୍ତରର ଖେଳାଳି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି ଗତ କିଛିଦନ ତଳେ କେରଳରେ ଆୟୋଜିତ ପଞ୍ଚମ ଜାତୀୟ ଦିବ୍ୟାଙ୍ଗ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୁକାନ୍ତି ଓଡିଶାକୁ ପ୍ରତିନିଧିତ୍ୱ କରିଥିଲେ । ଏହା ତାଙ୍କ ଜୀବନର ପ୍ରଥମ ବଡ଼ ପ୍ଲାଟଫର୍ମ ଓ ଦୀର୍ଘ ସଂଘର୍ଷର ପୁରସ୍କାର ବୋଲି ସେ କୁହନ୍ତି । ଜାତୀୟ ଟୁର୍ଣ୍ଣାମେଣ୍ଟରେ ସଫଳତା ପାଇ ଗାଁରେ ପହଞ୍ଚିବା ପରେ ତାଙ୍କୁ ନାଚଗୀତରେ ଫୁଲମାଳ ପିନ୍ଧାଇ ପାଛୋଟି ଆଣିଥିଲେ ଅଞ୍ଚଳବାସୀ । ତାଙ୍କର ଏହି ସଫଳତା ପାଇଁ ପରିବାର ଓ ଅଞ୍ଚଳବାସୀ ଗର୍ବ ଅନୁଭବ କରନ୍ତି ।
ଉପାନ୍ତ ମାଲାକାନଗିରି ଜିଲ୍ଲାର କଣିଆ ମଠରୁ ସୁକାନ୍ତିଙ୍କ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା । ପାଠପଢ଼ାରୁ ଅବସର ସମୟରେ ସେ ଗାଁ ମାଟିରେ ଅଭ୍ୟାସ ଆରମ୍ଭ କରିଦିଅନ୍ତି । ସେ ଅଲରାଉଣ୍ଡର ଭାବେ ଓଡ଼ିଶାର ଭିନ୍ନକ୍ଷମ ମହିଳା କ୍ରିକେଟ ଟିମରେ ସ୍ଥାନ ପାଇଛନ୍ତି । କେରଳରେ ଏକ ଜାତୀୟ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଖେଲ ପ୍ରଦର୍ଶନ ସମସ୍ତଙ୍କୁ ଆଚମ୍ଵିତ କରିଥିଲା । ସୁକାନ୍ତି ଭୁବନେଶ୍ୱରର ଏଲଜି ବିଦ୍ୟାଳୟରେ ପାଠ ପଢନ୍ତି । ଦିବ୍ୟାଙ୍ଗ ହୋଇ ମଧ୍ୟ ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ସେ ଜଣେ ସଫଳ କ୍ରିକେଟର ହୋଇପାରିଛନ୍ତି । ଦଳପତିପୁଟର ଏହି ସୁକାନ୍ତିଙ୍କୁ ସାରା ରାଜ୍ୟ ଓ ଦେଶରୁ ଅଭିନନ୍ଦନର ସୂଅ ଛୁଟିଛି । ଝିଅକୁ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ଝିଅ ଆଗକୁ ଦେଶ ପାଇଁ ଖେଳି ଗୌରବ ଆଣିବ ବୋଲି କହିଛନ୍ତି ସୁକାନ୍ତିଙ୍କ ବାପା ।
ଦିବ୍ୟାଙ୍ଗ ହୋଇ ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ସଫଳତା ପଥରେ ଅଗ୍ରସର ହେଉଛନ୍ତି ମାଲକାନଗିରିର କ୍ରିକେଟର ସୁକାନ୍ତି ଦଳପତି । ମାଲକାନଗିରି ଜିଲ୍ଲାକୁ ଗର୍ବିତ କରିବା ସହିତ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।
ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିନ୍ତୁ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ , ଜାଣନ୍ତୁ କିଏ ?
ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଯେଉଁଥିରେ ଆମ୍ ଆଦମୀ ପାର୍ଟିର ସରକାରଙ୍କୁ ବ୍ୟାପକ ପରାଜୟର ସାମ୍ନା କରିବାକୁ ପଡିଛି । ବହୁମତ ହାସିଲ୍ କରି ବିଜେପି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ କ୍ଷମତାରୁ ବାହାର କରିଦେଇଛି । ତେବେ ଏହି ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲ୍ , ମନୀଷ ସିସୋଦିଆ, ଅବଧ ଓଝାଙ୍କ ସମେତ ଅନେକ ବଡ ବଡ ନେତା ନିର୍ବାଚନ ହାରିଯାଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?
ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?
ଦିଲ୍ଲୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ନାମାଙ୍କନ ସମୟରେ , ପ୍ରାର୍ଥୀମାନେ ତାଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଥିଲେ । ଯେଉଁଥିରୁ ଜଣାପଡିଛି ଯେ , ବିଜେପିର କର୍ଣ୍ଣେଲ୍ ସିଂହ ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ । ଆମେରିକାରେ ତାଙ୍କର ୪ଟି ଘର ରହିଛି । ତାହା ଛଡା ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ରହିଛି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ ଅଟେ ।
ଏତିକି ଭୋଟରେ ଜିତିଛନ୍ତି କର୍ଣ୍ଣେଲ୍ ସିଂହ
ଆପର ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ବିଜେପିର କର୍ଣ୍ଣେଲ୍ ସିଂହ ୧୮୮୬୩ ଭୋଟରେ ଜିତିଛନ୍ତି । ସେ ଶାକୁର ବସ୍ତି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଥିଲେ ।
ନିର୍ବାଚନୀ ଶପଥପତ୍ର ଅନୁଯାୟୀ ବିଜେପି ପ୍ରାର୍ଥୀ କର୍ଣ୍ଣେଲ୍ ସିଂହ ୨୫୯.୬୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କ ପାଖରେ ନଗଦ ୧.୩୨ ଲକ୍ଷ ଟଙ୍କା ଅଛି । ବ୍ୟାଙ୍କ୍ ଆକାଉଣ୍ଟରେ ୨୭.୫୯ ଲକ୍ଷ ଟଙ୍କା ଜମା ରହିଛି । ଏବଂ ୨୫ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି । ସୁନା ଏବଂ ହୀରା ଅଳଙ୍କାରର ମୂଲ୍ୟ ୩୮.୪୫ ଲକ୍ଷ ଟଙ୍କା ରହିଛି । କର୍ଣ୍ଣେଲ୍ ସିଂହଙ୍କର ୨୫୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ମଧ୍ୟ ରହିଛି । ହରିୟାଣାରେ ୬୦ କୋଟି ଟଙ୍କାର ଏକ ଫାର୍ମ ହାଉସ୍ ଅଛି । ଏହା ଛଡା ସୋନିପତରେ ତାଙ୍କର ୫୫ଲକ୍ଷ ଟଙ୍କାର ଏକ ଦୋକାନ ଅଛି । ଆମେରିକାର ଓ୍ବାଶିଂଟନ୍ ଏବଂ କାର୍ଲିଫର୍ଣ୍ଣିଆରୁ ହରିୟାଣାର ସୋନିପତ୍ ପର୍ଯ୍ୟନ୍ତ ତାଙ୍କର ୧୯୮ କୋଟି ଟଙ୍କାର ଘର ଅଛି । ଯେଉଁଥିରୁ ଆମେରିକାରେ କେବଳ ୪ଟି ଘର ଅଛି ।
ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ
ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ କପୁରସିଂ ସ୍ଥିତ “ଏମ୍ ଜି ଏମ୍ ସ୍କୁଲ ଅଫ ସ୍ପୋର୍ଟସ ” ଠାରେ ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ କ୍ରିକେଟର ରବି ଶାସ୍ତ୍ରୀ, ଭେଙ୍କଟରାଜୁ, ଦେବାଶିଷ ମହାନ୍ତିଙ୍କ ସହ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ମ୍ୟାଚର ଶୁଭ ଉଦଘାଟନ କରିଥିଲେ । ଏମଜିଏମ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ବୁଲି ଦେଖିବା ସହ ଖେଳାଳି ମାନଙ୍କ ପାଇଁ ହୋଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । ଏହି ଠାରୁ ପ୍ରଶିକ୍ଷଣ ନେଇ ଆଗାମୀ ଦିନରେ ବହୁ ଖେଳାଳି ଅନ୍ତର୍ଜାତୀୟ ସ୍ତରକୁ ମନୋନୀତ ହୋଇପାରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

