spot_img
Home Blog Page 1119

ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ହମଲାର ଅଭିଯୁକ୍ତ ତହଉର ରାଣାକୁ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ଆଣିବା ଲାଗି ଆଜି ଆମେରିକା ଯିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଚାରିଜଣିଆ ଟିମ୍ । ପ୍ରତ୍ୟର୍ପଣ କ୍ଷେତ୍ରରେ ରହିଥିବା ସମସ୍ତ ବିଧି ପାଳନ କରିବା ପରେ ତାକୁ ଭାରତ ଅଣାଯିବ । ସେପଟେ ରାଣାକୁ ଭାରତ ଅଣାଗଲେ ତାକୁ ତିହାର ଜେଲରେ ହିଁ ରଖାଯିବ ଏବଂ ଜେଲରେ ହାଇସିକ୍ଯୁରିଟି ବ୍ଯବସ୍ଥାସମ୍ପନ୍ନ ଓ୍ବାର୍ଡରେ ରଖିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକାର ଲସ ଆଞ୍ଜେଲସ ଜେଲରେ ବନ୍ଦୀ ଥିବା ରାଣାର ସମସ୍ତ ଆବେଦନ ବିଭିନ୍ନ ନିମ୍ନ କୋର୍ଟରେ ଖାରଜ ହୋଇଥିଲା । ଶେଷରେ ଗତ ଜାନୁଆରୀ ୨୧ରେ ଆମେରିକା ସୁପ୍ରିମକୋର୍ଟ ବି ପ୍ରତ୍ୟର୍ପଣ ରଦ୍ଦ ସଂକ୍ରାନ୍ତ ଆବେଦନ ଖାରଜ କରିଦେଇଥିଲେ । ୨୦୦୮ ନଭେମ୍ବର ୨6ରେ ମୁମ୍ବାଇରେ ହୋଇଥିବା ଭୟଙ୍କର ହମଲାରେ ପ୍ରାଣ ହରାଇଥଲେ ୧୬୬ ନାଗରିକ । ୨୦୦୮ ଆତଙ୍କୀ ହମଲା ପରେ ୨୦୦୯ରେ ତାକୁ ଚିକୋଗାରେ ଗିରଫ କରିଥିଲା ଏଫବିଆଇ। ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲମାନ ହେଡଲି ଓରଫ ଦାଉଦ ଗିଲାନି ସହ ତହିଉରର ସମ୍ପର୍କ ଥିଲା। ମୁମ୍ବାଇ ହମଲା ମାମଲାରେ ହେଡଲି ବର୍ତ୍ତମାନ ଆମେରିକାରେ ୩୫ ବର୍ଷିଆ  ଜେଲଦଣ୍ଡ ଭୋଗୁଛି।

ରାଜ୍ୟରୁ ଶୀତ ଗାଏବ, ଆଜିଠୁ ଟାଇଁଟାଇଁ ଖରା

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରୁ ଶୀତ ଗାଏବ, ଆଜିଠୁ ଟାଇଁଟାଇଁ ଖରା । ସପ୍ତାହେ ଯାଏଁ ଗରମର ଅନୁଭୂତି ହେବା ସହ ଖରାରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ରୁ ୪ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ ।  ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ୪୮ ଘଣ୍ଟା ପାଇଁ ଘନ କୁହୁଡିର ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୧୨ ଘଣ୍ଟା ପାଇଁ ୨୪ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।   ୩୧ ତାରିଖରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡିଶାରେ ଦେଖିବାକୁ ମିଳିବ।

ଫେବୃଆରୀ ୧ରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ, ଆଜି ବସିବ ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ୧ରେ ଆଗତ ହେବ ୨୦୨୫-୨୬ କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ ବଜେଟ। ବଜେଟ ଆଗତ ପୂର୍ବରୁ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ। ବଡ଼କଥା ହେଉଛି ଲଗାତାର ଅଷ୍ଟମ ଥର ଲାଗି ବଜେଟ ଆଗତ କରିବେ ନିର୍ମଳା। ଦେଶରେ ମହଙ୍ଗାମାଡ଼ ଜାରି ରହିଥିବାବେଳେ ବଜେଟର ରୂପରେଖ କିପରି ରହିବ ତାଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ଯା ସମେତ ଅନ୍ଯାନ୍ଯ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁ ଉଭୟ ଗୃହର କାର୍ଯ୍ଯ ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ବଜେଟ ଅଧିବେଶନରେ କିପରି ଶାନ୍ତିଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିବେ। ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ବଜେଟ ଅଧିବେଶନ ଆରମ୍ଭରେ ଗୃହରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ଯାଏ ଚାଲିବ। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏ ଚାଲିବ। ଫେବୃଆରୀ ୩ରୁ ୫ ଯାଏ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଗତ ଜାନୁଆରୀ ୨୩ରେ ବଜେଟ ଲାଗି ପାରମ୍ପରିକ ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଥିଲା।

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ, ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ। ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ ଅପାର ସଫଳତା ଆଣିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ୧୪୫ଟି ଏମଓୟୁ ସ୍ବାକ୍ଷର ହୋଇଛି । ଯାହାକି ଓଡ଼ିଶାର କାୟା କଳ୍ପ ପରିବର୍ତ୍ତନ କରିବ । ଏହି ଅବସରରେ ୧୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହୋଇଛି। ୮.୯୪ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବ । ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଏହା ଦ୍ୱାରା ୩.୯୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ ୨୦ଟି କ୍ଷେତ୍ରରେ ପ୍ରାୟ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ସିଙ୍ଗାପୁର ଓ ମାଲେସିଆ ଭଳି ୧୬ ଦେଶର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପ୍ରୟାଗରାଜରେ ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ୬୦ରୁ ଅଧିକ ଆହତ

ନନ୍ଦିଘୋଷ ବ୍ୟୁରୋ : ସବୁଠାରୁ ବଡ଼ ମେଳାରେ ସବୁଠାରୁ ବଡ଼ ଅଘଟଣ। ପ୍ରୟାଗରାଜ କୁମ୍ଭମେଳାରେ ଦଳାଚକଟାରେ ୩୦ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା। ସେ କହିଛନ୍ତି, ୨୫ ଜଣଙ୍କ ପରିଚୟ ମିଳିଥିବା ବେଳେ ୫ ଜଣଙ୍କ ପରିଚୟ ଏଯାଏ ମିଳିନି। ୬୦ରୁ ଅଧିକ ଆହତ ହୋଇଥିବା ଡିଆଇଜି କହିଛନ୍ତି। ଦଳାଚକଟା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥିତିର ସମୀକ୍ଷା କରିଛନ୍ତି।

ଡିଆଇଜି କହିଛନ୍ତି, ଭୋର ଗୋଟାଏରୁ ଦୁଇଟା ଭିତରେ ଦଳାଚକଟା ହୋଇଥିଲା। ଆଖଡ଼ାର ସନ୍ୟାସୀଙ୍କ ଅମୃତ ସ୍ନାନ ପାଇଁ ବ୍ୟବସ୍ଥା ହୋଇଥିବା ସଂଗମରେ ବୁଡ଼ ପକାଇବା ପାଇଁ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ଡେଇଁ ସେପଟକୁ ଯାଇଥିଲେ। ଏହି ସମୟରେ ଦଳଚକଟା ହୋଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ କହିଛନ୍ତି। କେବଳ ସଂଗମରେ ବୁଡ଼ ପକାଇବାକୁ ଚେଷ୍ଟା ନ କରି ଅନ୍ୟ ଘାଟରେ ବି ସ୍ନାନ କରନ୍ତୁ ବୋଲି ଶ୍ରଦ୍ଧାଳୁଙ୍କୁ ସେ ଅନୁରୋଧ କରିଛନ୍ତି। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଦଳାଚକଟା ପରେ ଅମୃତ ସ୍ନାନକୁ ବନ୍ଦ କରାଯାଇଥିଲା। ପରିସ୍ଥିତି ସୁଧୁରିବା ପରେ ବିଭିନ୍ନ ଆଖଡ଼ାର ସାଧୁ ସନ୍ଥମାନେ ଅମୃତ ସ୍ନାନ କରିଛନ୍ତି।

ଆଜି ମୌନି ଅମାବାସ୍ୟା ଥିଲା। ଏହି ତିଥିରେ ମହାକୁମ୍ଭର ଦ୍ଵିତୀୟ ଅମୃତ ସ୍ନାନ ବି ହୋଇଥାଏ। ତେଣୁ ଅନ୍ୟ ଦିନ ଅପେକ୍ଷା ଆଜି ସବୁଠାରୁ ଅଧିକ ଭିଡ଼ ହୋଇଥିଲା ପ୍ରୟାଗରାଜରେ। ଆକଳନ ଅନୁସାରେ କେବଳ ଆଜି ପ୍ରାୟ ୬ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଆଜିର ଦଳାଚକଟାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି।

ଏହି ଅଘଟଣାରୁ ବର୍ତ୍ତିଥିବା ଓ ନିଜ ଆଖିରେ ଦେଖିଥିବା କିଛି ଶ୍ରଦ୍ଧାଳୁ କହିଛନ୍ତି, ପରିସ୍ଥିତି ଏପରି ହୋଇଥିଲା ଯେ, ସେଠାରୁ ବାହାରକୁ ଆସିବା ଅସମ୍ଭବ ହୋଇ ପଡ଼ିଥିଲା। ସଂଗମ ନିକଟରେ ପଡ଼ି ରହିଥିଲା କମ୍ବଳ, ଚପଲ, ବ୍ୟାଗ୍ ଓ ଲୋକଙ୍କ ଅନ୍ୟାନ୍ୟ ସାମଗ୍ରୀ। ବଡ଼ ହୃଦୟ ବିଦାରକ ସେ ଦୃଶ୍ୟ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ହୋଇଥାଏ। ଏଥର ପ୍ରୟାଗରାଜରେ ଜାନୁଆର୧୩ ରୁ ଏହା ଆରମ୍ଭ ହୋଇଛି। ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଆସି ପବିତ୍ର ସଂଗମରେ ବୁଡ଼ ପକାଉଛନ୍ତି। ମହାକୁମ୍ଭର ପ୍ରଥମ ୧୭ ଦିନରେ ୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଥିବାର ଆକଳନ କରାଯାଉଛି। ପବିତ୍ର ଶିବରାତ୍ରୀ ଫେବୃଆରୀ ୨୬ରେ ଶେଷ ହେବ। ଆଶା କରାଯାଉଛି ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ ମହାମିଳନରେ ସମ୍ମିଳିତ ହୋଇ ବୁଡ଼ ପକାଇବେ। ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ହେଲପ ଲାଇନ ନମ୍ଵର ଜାରି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ସେଗୁଡ଼ିକ ହେଲା 1070, 8218867005, 90584 41404 ।

ହାତୀ ମୃତ୍ୟୁ ରୋକିଲା ଏଆଇ ଟାଓ୍ବାର କ୍ୟାମେରା

ରାଉରକେଲା: ହାତୀ ମୃତ୍ୟୁ ରୋକିଲା AI ଟାଓ୍ବାର କ୍ୟାମେରା। ସଫଳ ହେଲା ବନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ। ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଓ ଜଙ୍ଗଲର ନିଆଁ ରୋକିବା ପାଇଁ ରାଉରକେଲା ବନଖଣ୍ଡର ୪ ଟି ସ୍ଥାନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ଲଗାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାର ଡଲାକୁଦର, ଚାନ୍ଦୋପୋଷ, ମହିପାଣି ଓ ସୋନାଖାନ ନିକଟରେ ୧୨୦ ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ନିର୍ମାଣ କରାଯାଇ କ୍ୟାମେରା ଲଗାଯାଇଥିଲା। ୫ କିଲୋମିଟର ଦୂରତ୍ଵ ପର୍ଯ୍ୟନ୍ତ କ୍ୟାମେରା କାମ କରୁଥିବା ବେଳେ ୩୬୦ ଡିଗ୍ରୀ ଦୃଶ୍ୟ ରେକର୍ଡ କରିପାରୁଛି। ଗତ ଡ଼ିସେମ୍ବର ମାସ ୬ ତାରିଖ ସନ୍ଧ୍ୟାରେ ୨୮ ଟିକିଆ ହାତୀପଲଙ୍କ ମଧ୍ୟରୁ ୫ ଟି ହାତୀପଲ ରେଲୱେ ଟ୍ରାକ ନିକଟକୁ ଆସିଥିବା କ୍ୟାମେରାରୁ ଜଣାପଡିଥିଲା । ପରେ ଟ୍ରେନ ଅଟକାଇ ହାତୀପଲଙ୍କ ଜୀବନ ରକ୍ଷା କରାଯାଇ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇ ଦିଆଯାଇ ପାରିଥିଲା। ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ରାଉରକେଲା ବନ ବିଭାଗ ଭଲ କାର୍ଯ୍ୟ କରୁଥିବାରୁ ରାଉରକେଲା ଡିଏଫଓଙ୍କୁ ପୁରସ୍କୃତ କରାଯାଇଛି।
AI କ୍ୟାମେରା ଜରିଆରେ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ରାଉରକେଲା ଡିଏଫଓଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏବେ ଅନ୍ୟ ୧୫ଟି ସ୍ଥାନରେ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି । ୨୦୧୩ ମସିହାରୁ ୨୦୨୪ ମସିହା ମଧ୍ୟରେ ରାଉରକେଲା ବନଖଣ୍ଡରେ ୨୦ ଟି ହାତୀ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ AI ଟାୱାର କ୍ୟାମେରା ଲାଗାଯିବା ପରେ ହାତୀ ମୃତ୍ୟୁ ରୋକାଯାଇ ପାରିଛି ।

ଜୟପୁର ବିମାନ ବନ୍ଦରକୁ ମିଳିପାରୁନି 3C ଲାଇସେନ୍ସ

କୋରାପୁଟ: ଜୟପୁର ବିମାନ ବନ୍ଦରକୁ ମିଳିପାରୁନି 3C ଲାଇସେନ୍ସ। ବଡ଼ ବିମାନ ଉଡିବା ପାଇଁ ହୋଇ ପାରୁନି ବିମାନ ବନ୍ଦରର ସମ୍ପ୍ରସାରଣ। ନୂଆ ସରକାର ଆସିବାର ହେଲାଣି ୭ ମାସ। ହେଲେ ଇଞ୍ଚେ ବି ଏୟାରପୋର୍ଟର ବଢିନି ରନଓ୍ବେ କାମ। ପୂର୍ବ ସରକାର ସମୟରେ ଗମନାଗମନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା। ଜୟପୁର ସହରରେ ଏକ ବିମାନ ବନ୍ଦର କରିବାକୁ ବହୁ ପ୍ରଚେଷ୍ଠା କରିଥିଲେ ନବୀନ। ସେତେବେଳେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ 2 B ଲାଇସେନ୍ସ ଦେଇଥିଲେ । ତାହାପରେ 9 ଟିକିଆ ବିମାନ ଚଳାଚଳ କରିଥିଲା। ପରେ 2 C ଲାଇସେନ୍ସ ମଧ୍ଯ ମିଳିଥିଲା। କିନ୍ତୁ ନୁଆଁ ସରକାର ଆସିବା ପରେ ଏବେ ଜୟପୁର ବିମାନ ବନ୍ଦର ସେତିକିରେ ସେମିତି ହୋଇରହିଯାଇଛି । 9 ସିଟ୍ ବିଶିଷ୍ଟ ବିମାନ ଚାଲିବା ପାଇଁ ୧୧୯୫ ମିଟର ରନ୍ ୱେ ତିଆରି ହୋଇଥିଲା। 3C ଲାଇସେନ୍ସ ମିଳିବା ପାଇଁ ବିମାନ ବିନ୍ଦରକୁ ସଂପ୍ରସାରଣ କରିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏଥିପ୍ରତି କୌଣସି ପଦକ୍ଷେପ କରୁନଥିବା ଅଭିଯୋଗ ହୋଇଛି।

ଜୟପୁରରୁ ଭୁବନେଶ୍ବର ଓ ବିଶାଖାପାଟଣକୁ ଯାଉଛି ବିମାନ। ପୁର୍ବ ସରକାର ୭୨ ଜଣିଆ ବିମାନ ଉଡିବାକୁ ରନ୍ ଓ୍ବେ ତିଆରି କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସମସ୍ୟା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ସେପଟେ ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଅନୁମୋଦନ କଲେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ।

ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ

ଯାଜପୁର: ଜାତୀୟ ରାଜପଥ ପାଲଟିଛି ମୃତ୍ଯୁପଥ। ପାଦେ ପାଦେ ବିପଦ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଛି ସଡ଼କ ଦୁର୍ଘଟଣା। ବିଶେଷ କରି ଜାତୀୟ ରାଜପଥରେ ବେଆଇନ ପାର୍କିଂ ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେତୁ ପ୍ରତିଦିନ ଘଟୁଛି ଦୁର୍ଘଟଣା। ୫୩ ନମ୍ବର ଜାତୀୟ ରାଜପଥଟି ପାରାଦ୍ୱୀପରୁ ଶିଳ୍ପ ନଗରୀ କଳିଙ୍ଗନଗରକୁ ସଂଯୋଗ କରୁଛି। ଏହି ଜାତୀୟ ରାଜପଥଟି ବହୁ ଗୁରୁତ୍ଵ ବହନ କରୁଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଗମନାଗମନ କରୁଛି। ହେଲେ ବହୁ ବର୍ଷ ପରେ ବି ଏହି ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ଯେଉଁଥିପାଇଁ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଫଳରେ ଅକାଳରେ ଚାଲିଯାଉଛି ବହୁ ନିରୀହ ଜୀବନ । ପ୍ରତ୍ୟେକ ବର୍ଷ ସଡ଼କ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ମାସ ପାଳନ ହେଉଥିଲେ ସୁଦ୍ଧା ସଡ଼କ ଦୁର୍ଘଟଣା କମିବାରେ ନା ନେଉନି।

ସେହିପରି ଚଣ୍ଡିଖୋଲ ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ରାସ୍ତାରେ ଗାଡ଼ି ରଖିବା ପାଇଁ କୌଣସି ପାର୍କିଂର ସୁବିଧା ନ ଥିବାରୁ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥ ଉପରେ ବେଆଇନ ପାର୍କିଂ କରୁଛନ୍ତି ଯେଉଁଥିପାଇଁ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। ଫଳରେ ବେଆଇନ ପାର୍କିଂ ଉପରେ ଏନଫୋର୍ସମେଣ୍ଟକୁ ବ୍ୟାପକ କରିବା ସହ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି ।

ବରଗଡ଼ରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ହଜାର ହଜାର ମହିଳାଙ୍କ ବିକ୍ଷୋଭ

ବରଗଡ଼: ବରଗଡ଼ରେ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ହଜାର ହଜାର ମହିଳାଙ୍କ ବିକ୍ଷୋଭ। ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଛନ୍ତି ମହିଳା। ଜିଲ୍ଲାପାଳ ଜରିଆରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ମହିଳାମାନେ କହିଛନ୍ତି, ଆମେ ଗ୍ରାମ ପଞ୍ଚାୟତଠୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ କାମରେ ସହଯୋଗ କରୁଛୁ। ତେବେ ଜୀବିକା ମିଶନ ଓ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ଇସି ସଦସ୍ୟାଙ୍କ ରିଷ୍ଟ୍ରକଚରିଂ ବନ୍ଦ କରିବାକୁ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।

ଇସି ସଦସ୍ୟାଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି। ସରକାର ଶୀଘ୍ର ସମାଧାନ ନ କଲେ, ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଜୀବିକା ମିଶନ ମହିଳା।

 

କୋରେଇ ବିଡ଼ିଓ ଓ ବ୍ଲକ ପ୍ରଶାସନର ମନମୁଖୀ ଶାସନ ବିରୋଧରେ ବିଜେଡିର ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବିଡ଼ିଓ ଓ ବ୍ଲକ ପ୍ରଶାସନର ମନମୁଖୀ ଶାସନ ବିରୋଧରେ ବିଜେଡିର ଆନ୍ଦୋଳନ। କୋରେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନରେ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିଲେ।

ଅଭିଯୋଗ ଅନୁସାରେ ପୂର୍ବ ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତା’ର ବିଲ୍ ମିଳିନାହିଁ। ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଠିକାଦାର ମାନେ ବିଲ୍ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ବିଡ଼ିଓ ଦିନ ଗଡ଼ାଇ ଚାଲିଛନ୍ତି । ବିଡ଼ିଓ ପାତର ଅନ୍ତର ନୀତି ଅବଲମ୍ବନ କରି ବିଜେପି ନେତାଙ୍କ ପ୍ରରୋଚନାରେ ବିଲ୍ ବନ୍ଦ କରି ରଖିଥିବା ବିଜେଡି ଅଭିଯୋଗ କରିଛି । ବିଡିଓଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହିତ ବାଧ୍ୟ ହୋଇ ଏପରି ଆନ୍ଦୋଳନ କରିଥିବା ବିଜେଡି ନେତାମାନେ କହିଛନ୍ତି।