spot_img
Home Blog Page 1124

ଚିକିଟିରେ ୪ ଜଣଙ୍କୁ ଅପହରଣ ମାମଲାରେ ୨ ଜଣ ଗିରଫ

ଚିକିଟି: ଚିକିଟିରେ ୪ ଜଣଙ୍କୁ ଅପହରଣ କରି ୨ କୋଟି ଦାବି ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ। ଅପହରଣ ଘଟଣାରେ ଅଟକ ଥିବା ଭୋଳାସିଙ୍ଗି ଗାଁର ପୃଥ୍ବୀରାଜ ସାହୁ ଓ ସୁନୀତା ବେହେରା ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ସୁନୀତାଙ୍କ ଘର ପଛପଟେ ଥିବା ପ୍ରାୟ ଏକରରୁ ଅଧିକ ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ରବିବାର ରାତିରେ ଚିକିଟିଗଡରେ ଥିବା ଏକ ଭଙ୍ଗାଦଦରା ଘରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଚାରି ଜଣଙ୍କୁ ଭଙ୍ଗାଦଦରା ଘରେ ରଖି ନାଗସାପ ଦେଖାଇ ୨ କୋଟି ଟଙ୍କା ମାଗିଥିଲେ ଅଭିଯୁକ୍ତ।

ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼: ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ

କୋଣାର୍କ: ଆସନ୍ତା ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗ ଦ୍ଵାରା ତୀର୍ଥ ପୁଷ୍କରିଣୀ ଖନନ, ବ୍ୟାରିକେଟ ନିର୍ମାଣ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ପାନୀୟଜଳ, ସିସିଟିଭି ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ନୀତିକାନ୍ତି ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଉପଜିଲ୍ଲାପାଳ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ନିମାପଡ଼ା ଏସଡିପିଓ ଓ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।

ଧର୍ମ ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିଲେ ଓ୍ବାର୍ଡେନ: ଛାତ୍ରୀମାନଙ୍କୁ ବାଇବେଲ ପଢ଼ାଇବା ସହ ବାଥରୁମ ସଫା କରାଉଥିଲେ

ଭୋପାଳ: ମଧ୍ୟପ୍ରଦେଶରୁ ଆସିଛି ଏକ ଚିନ୍ତାଜନକ ମାମଲା । ଏକ ସରକାରୀ ଛାତ୍ରୀ ନିବାସରେ ଜଣେ ଓ୍ବାର୍ଡେନ କଳାକାରନାମା ଚଳାଇଥିବା ବେଳେ ଏବେ ଉକ୍ତ ଘଟଣା ସାମ୍ନାକୁ ଆସିଛି । ହଷ୍ଟେଲ ଓ୍ବାର୍ଡେନ ଛାତ୍ରୀମାନଙ୍କୁ ନିୟମିତ ବାଇବେଲ ପଢ଼ାଇବା ସହ ବାଥରୁମ ଓ ବାସନ ସଫା କରାଉଥିଲେ । ହଷ୍ଟେଲରୁ ବାଇବେଲ ଓ ପ୍ରାର୍ଥନା ଲେଖାଥିବା ଏକାଧିକ କପି ଜବତ କରାଯାଇଛି । ଏ ବିଷୟରେ ଜାଣିବା ପରେ ଆଦିବାସୀ ବିକାଶ ବିଭାଗ ସହାୟକ ଆୟୁକ୍ତ ଓ୍ବାର୍ଡେନଙ୍କୁ ତ୍ବରିତ ଭାବେ ହଟାଇ ଦେଇଛନ୍ତି ଓ ତଦନ୍ତ ଟିମ୍ ଗଠନ କରିଛନ୍ତି ।

ସୂଚନା ମୁତାବକ, ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖୁ ୪୦ କିମି ଦୂର ଭୀକନଗାଁ ବିକାଶଖଣ୍ଡରୁ ଆସିଛି ଏହି ମାମଲା । ସେଠାରେ ବାଳିକାମାନଙ୍କୁ ଦୈନିକ ବାଇବେଲ ପଢ଼ାଯିବା ସହ ଈଶ ପ୍ରାର୍ଥନା କରାଇବା, ବାଥରୁମ ଓ ବାସନ ସଫା କରାଯାଉଥିଲା । ମାରପିଟ ଓ ଚାପରେ ଅତିଷ୍ଠ ହୋଇ ଛାତ୍ରୀମାନେ ଡିଏମଙ୍କୁ ଏନେଇ ଅଭିଯୋଗ କରିଥିଲେ । ଗ୍ରାମବାସୀମାନେ ଛାତ୍ରୀମାନଙ୍କୁ ଏନେଇ ପଚାଯିବା ପରେ ସବୁ ସତ ସାମ୍ନାକ ଆସିଥିଲା । ସକାଳ, ସନ୍ଧ୍ୟାରେ ପ୍ରାର୍ଥନା କରାଉଥିଲେ । ଝାଡୁ ଲଗାଇବା, ବାଥରୁମ ଓ ବାସନ ସଫା କରିବାକୁ ମନା କଲେ ମାରପିଟ ମଧ୍ୟ କରାଯାଉଥିବା ବାଳିକାମାନେ ଅଭିଯୋଗ କରିଛନ୍ତି । ଓ୍ବାର୍ଡେନଙ୍କ ଅତ୍ୟାଚାର ସହ୍ୟ କରି ନପାରି ଦୁଇ ଛାତ୍ରୀ ହଷ୍ଟେଲରୁ ପଳାଇ ଯାଇଥିଲେ । ଏହାପରେ ଅନ୍ୟ  ବାଳିକାମାନଙ୍କୁ ମାଡ଼ ମରାଯାଇଥିଲା ।  ତଦନ୍ତ ପରେ ଓ୍ବାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦିବାସୀ ବିକାଶ ବିଭାଗର ସହାୟକ ଆୟୁକ୍ତ କହିଛନ୍ତି ।

ଲଡ଼ୁ ପର୍ବ ପାଳନ ବେଳେ ଭାଙ୍ଗିଲା କାଠ ନିର୍ମିତ ବୃକ୍ଷ: ୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୨୫ ଜଣ ଆହତ

ଉତ୍ତରପ୍ରଦେଶ: ବାଗପତରେ ଏକ ଧାର୍ମିକ କାର୍ଯକ୍ରମ ସମୟରେ ଘଟିଛି ଏକ ବଡ଼ ଅଘଟଣ । ଭଗବାନ ଆଦିନାଥଙ୍କ ନିର୍ବାଣ ଲଡ଼ୁ ପର୍ବରେ ମାନସ୍ତମ୍ଭ ପରିସରେ ପ୍ରସ୍ତୁତ ହୋଇଥିବା କାଠ ନିର୍ମିତ ବୃକ୍ଷ ଭାଙ୍ଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ୨୫ ଜଣ ଆହତ ହୋଇଥିଲେ । ଭଗ୍ନ କାଠ ନିର୍ମିତ ବୃକ୍ଷ ତଳେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଚାପି ହୋଇ ରହିଯାଇଥିଲେ । ଏହା ପରେ ଘଟଣାସ୍ଥଳରେ ଲୋକମାନେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆମ୍ବୁଲାନ୍ସ ନ ମିଳିବା କାରଣରୁ ଇ-ରିକ୍ସାରେ ବସାଇ ଆହତଙ୍କୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା । ସୂଚନା ପାଇ ପୋଲିସ ଇନ୍ସପେକ୍ଟର ଟିମ ସହିତ ପହଞ୍ଚିଥିଲେ । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ବଗାପତ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଆଲର୍ଟ କରିଦିଆଯାଇଥିଲା । ଘଟଣାସ୍ଥଳରେ ଏବେ ପୋଲିସ ଫୋର୍ସ ମୁତୟନ ଥିବା ଜଣାପଡ଼ିଛି ।

ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ପଥରମାଡ଼, ଯାତ୍ରୀ ଭୟଭୀତ

ସଙ୍ଗମ ନଗରୀରେ ମହାକୁମ୍ଭ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ଏହା ମଧ୍ୟରେ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ପଥରମାଡ଼ ହୋଇଛି । ଝାନସୀରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ପଥରମାଡ଼ ଓ ଭଙ୍ଗାରୁଜା ନେଇ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ହରପାଲପୁର ଷ୍ଟେସନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଟ୍ରେନ ଉପରେ ପଥରମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ ।

ସୀମା ଟପିଲା ମିଲରଙ୍କ ମନମାନି: ଧାନ କିଣିବାକୁ ମନା କରିବାରୁ ହୃଦଘାତରେ ଚାଷୀଙ୍କର ଚାଲିଗଲା ଜୀବନ

ଭଞ୍ଜନଗର: ଧାନବିକ୍ରି ପାଇଁ ମଣ୍ଡି ଓ ମିଲରଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ହୃଦଘାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଗଞ୍ଜାମ ଜିଲ୍ଲା ସୋରଡା ଗୁଣ୍ଡୁରିବାଡ଼ି ଚାକୁଣ୍ଡା ଗାଁରେ ଘଟଛି ଏଭଳି ଅଭାବନୀୟ ଘଟଣା। ମୃତ ଚାଷୀ ହେଲେ ଗଣେଶ ବିଷୋୟୀ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ମିଲକୁ ଧାନ ବିକ୍ରି ପାଇଁ ନେଇଥିଲେ ଗଣେଶ। କିନ୍ତୁ ଧାନର ମାନ ଖରାପ ଥିବା କହି ଫେରାଇ ଦେଇଥିଲେ ମିଲର। ନିଜର ଅମଳ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇପଡ଼ିଥିଲେ। ଧାନବସ୍ତାକୁ ଗାଡ଼ିରୁ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫: କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗଦେବ ୭ ହଜାର ୫ ଶହ ଡେଲିଗେଟ । ଏନେଇ ପୂର୍ବରୁ ଅଫିସିଆଲ ଓ୍ବେବସାଇଟ୍ରେ ପଞ୍ଜୀକୃତ କରିଥିଲେ ଡେଲିଗେଟ । ୨୦ ରୁ ଅଧିକ ଦେଶର ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ କ୍ଷେତ୍ରକୁ ନେଇ ସେସନ ହେବ । କାର୍ଯ୍ୟକ୍ରମ ଅବସରରେ ୧୫୦ ଜଣ ପ୍ରଦର୍ଶକ ସେମାନଙ୍କ ପ୍ରଡକ୍ଟ, ସର୍ଭିସ ଇନୋଭେସନ ଜନତା ମଇଦାନରେ ପ୍ରଦର୍ଶନ କରିବେ । ଏଥିପାଇଁ ସ୍ୱତନ୍ତ୍ର ଷ୍ଟଲ କରାଯାଇଛି । ଦୁଇ ଦିନର କାର୍ଯ୍ୟକ୍ରମ ପରେ ୩୦ ତାରିଖ ଗୋଟିଏ ଦିନ ସର୍ବସାଧାରଙ୍କ ଖୋଲା ରହିବ । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଷ୍ଟାଟପ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନା ଭଳି ଯେଉଁ ବଡ ଯୋଜନା କରାଯାଇଛି ଏହାକୁନେଇ ସ୍ଵତନ୍ତ୍ର ଭାବେ ଥିମବେଶ ସେସନ ଅନୁଷ୍ଠିତ ହୋଇ ଆଲୋଚନା କରାଯିବ । ମହିଳା ନେତୃତ୍ଵ ଗୋଲ ଟେବୁଲ ବୈଠକ, ସିଇଓ ଗୋଲ ଟେବୁଲ ବୈଠକ, ଏଡିଟର ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେବ । ଶିଳ୍ପଦ୍ୟୋଗୀ, ଶିଳ୍ପ ବିଶେଷଜ୍ଞ ସହ ମଧ୍ୟ ଖୋଲା ଆଲୋଚନା ହେବ । ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ବିଶିଷ୍ଟ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ନୃତ୍ୟ ପ୍ରଦର୍ଶନ ସହ ଡ୍ରୋନ ସୋ କରାଯିବ ।

ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ଯୋଗଦେବେ । ଭୁବନେଶ୍ବରରେ ମୋଦୀ ୨ ଘଣ୍ଟା ୨୦ ମିନିଟ୍‌ ରହିବେ। ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ସରିଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି । SPG ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୪୦୦ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଆଜି ୧୦ଟା ୩୫ରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ସେଠା‌ରୁ ସେ ୧୦ଟା ୫୫ ମିନିଟରେ ସିଧାସଳଖ ଜନତା ‌ମଇଦାନରେ ପହଞ୍ଚିବେ । ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ଯାଏଁ ଉପସ୍ଥିତ ରହିବେ। ଏହା ପରେ ‌ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ସେ ଦିନ ୧୨ଟା ୫୫ ମିନିଟ୍‌ରେ ପୁଣି ଫେରିଯିବେ ।

ଆଜି ବିଜେଡିର ସଂସଦୀୟ ଦଳ ବୈଠକ: ଦିଲ୍ଲୀରେ ଉଠିବ ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗ, ନବୀନ ଦେବେ ଟିପ୍ସ

ଭୁବନେଶ୍ବର: ସଂସଦ ବଜେଟ ଅଧିବେଶନ ଲାଗି ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ସଂଧ୍ୟା ୬ଟାରେ ବସିବ ଏହି ବୈଠକ । ସାଂସଦଙ୍କୁ ନବୀନ ଦେବେ ଗୁରୁମନ୍ତ୍ର। ରାଜ୍ୟ ସ୍ବାର୍ଥ ଲଢ଼େଇ ପାଇଁ ଚୁଡାନ୍ତ ହେବ ରଣନୀତି। ୱାନ ନେସନ ୱାନ ଇଲେକ୍ସନ ଆଭିମୁଖ୍ୟ ନେଇ ଚର୍ଚ୍ଚା କରାଯିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହେବାକୁ ଥିବା ଏହି ବୈଠକରେ ଦଳର ୭ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। ଶୀତ ଅଧିବେଶନରେ ବିଜେଡିର ୭ ସାଂସଦଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ବଜେଟ ଅଧିବେଶନରେ ସାଂସଦ ରାଜ୍ୟ ସ୍ବାର୍ଥ ପ୍ରସଂଗକୁ କିପରି ଶାଣିତ କରିବେ ତାହା ଉପରେ ବୈଠକରେ ଫୋକସ ରହିବ । ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇ ହକ ପାଇଁ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବିଜେଡି ସାଂସଦ । ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପୋଲାଭରମ, ମହାନଦୀ କୋଇଲା ରୟାଲଟି ବୃଦ୍ଧି ସହ ଅନ୍ୟ ପ୍ରମୁଖ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ରାଜ୍ୟ ସ୍ବାର୍ଥ ସମେତ ବିଜେଡିର ୭ ସାଂସଦ ବିଭିନ୍ନ ଜାତୀୟ ପ୍ରସଂଗରେ ମଧ୍ୟ ଶାଣିତ ସ୍ବର ଉପସ୍ଥାପନ କରିବେ ।

ରାଜ୍ୟରେ ୪୦ ଲକ୍ଷରୁ ଅଧିକ ଲୋକ କରିନାହାନ୍ତି ଇ-କେୱାଇସି ଅପଡେଟ: ଯୋଗାଣ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ଅଛନ୍ତି ୪୦ ଲକ୍ଷରୁ ଅଧିକ ଅଯୋଗ୍ୟ ଏବଂ ଭୂତ ହିତାଧିକାରୀ ।୪୦ ଲକ୍ଷରୁ ଅଧିକ ଲୋକ କରିନାହାନ୍ତି ଇ-କେୱାଇସି ଅପଡେଟ । ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି ବୋଲି ସୂଚନା ଦେଇଛନ୍ତି ଯୋଗଣ ମନ୍ତ୍ରୀ । ଆହୁରି ୪୦ ଲକ୍ଷ ୪୦ ହଜାର ୮୬୪ ଜଣ ହିତାଧିକାରୀ ଇ-କେ୍ୱାଇସି କରି ନାହାନ୍ତି । ବୋଧହୁଏ ଅଯୋଗ୍ୟ ଏବଂ ମୃତ ବ୍ୟକ୍ତି ଏଥିରେ ରହିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମୋଟ ୩ କୋଟି ୩୫ ଲକ୍ଷ ୫୭୦ ରୁ ୨ କୋଟି ୯୫ ଲକ୍ଷ ୮୯ ହଜାର ୯୧୨ ଜଣ ହିତାଧିକାରୀ ଇ-କେୱାଇସି କରି ସାରିଛନ୍ତି । ରାଜ୍ୟରେ ୨ କୋଟି ୯୪ ଲକ୍ଷ ୫୯ ହଜାର ୮୮୬ ଇ-କେୱାଇସି ଏବଂ ରାଜ୍ୟ ବାହାରୁ ଲକ୍ଷେ ୩୦ ହଜାର ୨୬ ଜଣ ବାହାରେ ଇ-କେୱାଇସି କରୁଛନ୍ତି । ଡିସେମ୍ବର ୩୧ରେ ଇ-କେୱାଇସି ଯାଞ୍ଚ ସରିବା ପରେ ଯଦି ଅଭିଯୋଗ ଆସେ ସରକାର ବିଚାର କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।