ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଦିନ। ମୋଟ ୯୮୧ ଆଶାୟୀ ୧୫୨୧ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ୪୭୭ ନାମାଙ୍କନ ପତ୍ରକୁ ଖାରଜ କରିଦିଆଯାଇଛି। ନୂଆଦିଲ୍ଲୀ ବିଧାନସବା ଆସନରୁ ସର୍ବାଧିକ ୨୯ ଜଣ ପ୍ରାର୍ଥୀ ଅଛନ୍ତି। ୨୯ ପ୍ରାର୍ଥୀ ମୋଟ ୪୦ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବିଜେପିରୁ ପରବେଶ ବର୍ମା ଓ କଂଗ୍ରେସରୁ ସନ୍ଦୀପ ଦୀକ୍ଷିତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଠାରେ ହାଇ ପ୍ରୋଫାଇଲ ଲଢେଇ ହେବ। ସେପଟେ ସବୁଠାରୁ କମ କସ୍ତୁରବା ନାଗର ଆସନରେ ମାତ୍ର ୬ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆପରୁ ରମେଶ ପହଲବାନ, ବିଜେପିରୁ ନିରଜ ବସୌୟା ଏବଂ କଂଗ୍ରେସରୁ ଅଭିଶେଷ ଦତ୍ତ ନାମାଙ୍କନ ଦାଖଲ କରିଛନ୍ତି। କାଲକାଜି ଆସନରୁ ୧୮ ପ୍ରାର୍ଥୀ ୨୮ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ, ବିଜେପିରୁ ରମେଶ ବିଧୁଡି ଏବଂ କଂଗ୍ରେସରୁ ଅଲକା ଲାମ୍ବା ନାମାଙ୍କନ ଦାଖଲ କରିଛନ୍ତି। ଏଠାରୁ ମୋଟ ୧୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦିଲ୍ଲୀରେ ୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୮ ତାରିଖରେ ହେବ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ଯାମ୍ପେନିଂ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ପ୍ରଚାର କରୁଛନ୍ତି। ମୋଟ୍ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନରେ ଫେବୃଆରୀ ୫ରେ ହେବ ଭୋଟ୍ ଗ୍ରହଣ। ୧ କୋଟି ୫୫ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ୨ ଲକ୍ଷ ନୂଆ ଭୋଟର ଏଥର ନିର୍ବାଚନରେ ସାମିଲ ହୋଇଛନ୍ତି। ୧୩ ହଜାରରୁ ଅଧିକ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି। ୨୦୨୦ରେ ଆପ୍ ୬୨ଟି ଆସନ ଜିତି ସରକାର ଗଠନ କରିଥିଲା। ୨୦୧୫ ଓ ୨୦୨୦ରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିଲା।
୫ ଦିନ ଜାରି ରହିବ ଶୀତ, ଘନ କୁହୁଡି କରିବ କଲବଲ
ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ । ଶୀତ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ସ୍ବାଭାବିକ ଶୀତ ଅନୁଭୁତ ହେଉଛି । ସେହିପରି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ବି ଜାଡ ଅନୁଭୁତ ହେଉଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିଭଳି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, କେନ୍ଦୁଝର ଏବଂ ଝାରସୁଗୁଡାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ
ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ ଧରାପଡ଼ିଲା ଆକ୍ରମଣକାରୀ। ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ। ଥାନେରୁ ବିଜୟ ଦାସକୁ ଗିରଫ କରିଛି ମୁମ୍ବାଇ ପୋଲିସ। ହିରାନନ୍ଦାନୀ ବସ୍ତିରେ ନାଁ ବଦଳାଇ ଲୁଚି ରହିଥିଲା। ଆଜି ଅଭିଯୁକ୍ତ ବିଜୟକୁ କୋର୍ଟରେ ହାଜର କରିବ ପୋଲିସ। ବିଜୟର ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି। ସୈଫଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି। ଘଟଣାର ୭୨ ଘଣ୍ଟା ପରେ ୩୫ ଜଣିଆ ଟିମ୍ ବିଜୟକୁ ଗିରଫ କରିବାରେ ସଫଳ ହୋଇଛି। ଗତ ଗୁରୁବାର ଦିନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଫ୍ଲାଟରେ ହମଲା ହୋଇଥିଲା। ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅପରେସନ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି।
ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି
ନୂଆଦିଲ୍ଲୀ : ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବନ୍ଦ। ଆଜିଠାରୁ ଆରମ୍ଭ ହୋଇଛି ଇସ୍ରାଏଲ-ଗାଜା ମଧ୍ୟରେ ଯୁଦ୍ଧ ବିରତି। ଗାଜାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲ ସିକ୍ଯୁରିଟି କ୍ଯାବିନେଟର ମଞ୍ଜୁରୀ ମିଲିଥିଲା। ବୁଝାମଣା ମୁତାବକ ଆଜିଠାରୁ ଏହି ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଛି। ହମାସ କବଳରେ ଥିବା ପଣବନ୍ଦୀମାନେ ମୁକ୍ତି ପାଇବାର ଆଶା ଉଜ୍ଜୀବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଗାଜାରେ ୪୬ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକ ବାସଚ୍ୟୁତ ହୋଇଛନ୍ତି । ଯଦି ଏହି ଅସ୍ତ୍ରବିରତି ସଫଳତାର ସହ କାର୍ଯ୍ୟକାରୀ ହୁଏ ତେବେ ଇରାନ, ଲେବାନନ, ୟେମେନ, ଇରାକ ମଧ୍ଯରେ ଦେଖାଦେଇଆସିଥିବା ଉତ୍ତେଜନା ପ୍ରଶମିତ ହେବା ଆଶା ରହିଛି । ପ୍ରସ୍ତାବ ଅନୁସାରେ ୩୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ । ସେମାନଙ୍କ ମଧ୍ଯରେ ଅଛନ୍ତି ମହିଳା, ଶିଶୁ ଓ ୫୦ ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି । ପ୍ରତିବଦଳରେ ଇସ୍ରାଏଲ ପ୍ରଥମ ପର୍ଯ୍ୟାୟରେ ୧୯ ବର୍ଷରୁ କମ ବୟସର ପାଲେଷ୍ଟିନୀୟ ମହିଳା ଓ ଶିଶୁଙ୍କୁ ମୁକ୍ତ କରିବ । ଇସ୍ରାଏଲ କବ୍ଜାରେ ଥିବା ୯୯୦ରୁ ୧୬୫୦ ପାଲେଷ୍ଟିନୀୟଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଇସ୍ରାଏଲ ମୁକ୍ତି ଦେବା ସମ୍ଭାବନା ରହିଛି । ଇସ୍ରାଏଲ ପକ୍ଷରୁ କୁହାଯାଉଛି ଗାଜାରେ ବର୍ତ୍ତମାନ ୯୮ ଜଣ ଇସ୍ରାଏଲୀ ପଣବନ୍ଦୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଯେଉଁ ୩୩ ଜଣଙ୍କୁ ହମାସ ଖଲାସ କରିବା ସମ୍ଭାବନା ରହିଛି ସେମାନଙ୍କ ନାମ ଜାରି କରିଛନ୍ତି ଇସ୍ରାଏଲ କର୍ତ୍ତୃପକ୍ଷ । ତେବେ ସେମାନଙ୍କ ମଧ୍ଯରେ କେତେ ଜଣ ଜୀବିତ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ଆମେରିକାରେ ସରକାର ପରିବର୍ତ୍ତନ ହେବାକୁ ଯାଉଥିବାବେଳେ ଏହି ଅସ୍ତ୍ରବିରତି ଗୁରୁତ୍ବ ବହନ କରିଛି।
ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ
ଢେଙ୍କାନାଳ: ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ । ଗିରଫ ପରେ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ୍ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟସ୍ଥ ରଣପଶି ଓଭରବ୍ରିଜ୍ ନିକଟରେ ଶୁକ୍ରବାର ରାତି ଘଟିଥିଲା ଘଟଣା । ଘରେ ଏକା ଥିବାବେଳେ ଜଣେ ମହିଳାଙ୍କୁ ଛୁରୀ ଦେଖାଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ମାମଲାରେ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି । ରଣପଶି ଓଭରବ୍ରିଜ୍ ନିକଟରେ ଜଣେ ମହିଳାଜଣକ ଏକ ଭଡ଼ାଘରେ ଏକା ରହୁଥିଲେ । ନିକଟରେ ଏକ ସ ମିଲରେ କାରିଗର ଭାବେ କାମ କରୁଥିବା ଦେବଗଡ ଜିଲା ଅଂଚଳର ହୃଷିକେଶ ସାହୁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ମହିଳା ଜଣକ ଶନିବାର ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସିନ ରିକ୍ରିଏସନ କରି ବ୍ୟବହୃତ ଛୁରୀକୁ ଜବତ କରିଛି । ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ ।
ମୋ ବସ ଧକ୍କାରେ ନାବାଳିକା ଗୁରୁତର: ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ବିରିବନ୍ଧ ରାସ୍ତାରେ ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ । ଦୁର୍ଘଟଣାରେ ବିରିବନ୍ଧ ଗ୍ରାମର ନାବାଳିକା ଆଦ୍ୟାଶା ଗୁରୁତର । ଟିଉସନ ପାଇଁ ସାଇକେଲରେ ଯାଉଥିବାବେଳେ ପଛପଟୁ ଧକ୍କା ଦେଲା ମୋ ବସ । ଫଳରେ ସାଇକେଲ ସହ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ ଆଦ୍ୟାଶା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିସିଆର ଭ୍ୟାନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଯାହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଉତ୍ୟକ୍ତ ଲୋକେ ମୋ ବସକୁ ଅଟକ ରଖିଛନ୍ତି । ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଓ ଅଣ ତାଲିମ ପ୍ରାପ୍ତ ଡ୍ରାଇଭର ନିଯୁକ୍ତି ପାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଆହତ ଆଦ୍ୟାଶାଙ୍କ ବାପା । ତେବେ ବସର ବ୍ରେକ ନଧରିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି ଡ୍ରାଇଭର କହିଛନ୍ତି । ପୋଲିସ ପହଞ୍ଚି ବୁଝାସୁଝା କଲେ ମଧ୍ୟ କୃଟ କର୍ତ୍ତୃପକ୍ଷ ଆସିବା ନେଇ ଜିଦ ରେ ଅଟଳ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଦୁର୍ଘଟଣାର ଶିକାର ଆଦ୍ୟାଶାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।
ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା ୨୧ ତାରିଖରେ ବନ୍ଦ ଡାକରା
ବରଗଡ଼: ବରଗଡ଼ ଅପହରଣ ଓ ଦୁଷ୍କର୍ମ ଘଟଣା । ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆସନ୍ତା ୨୧ ତାରିଖରେ ବନ୍ଦ ଡାକରା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ବିଜେଡି ସହ ବିଭିନ୍ନ ଦଳର ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ମାମଲାକୁ ଦୀର୍ଘ ୬ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଗିରଫ ନକରିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଅଗ୍ରଗାମୀ ଯୁବକ ସଂଘ ଠାରେ କଂଗ୍ରେସ, ବିଜେଡ଼ି, ଆମ୍ ଆଦମୀ ପାର୍ଟି ପ୍ରମୁଖ ଦଳ ସାଙ୍ଗକୁ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି ଙ୍କୁ ନେଇ ଏକ ସାମୁହିକ ବୈଠକ ଡକାଯାଇ ବନ୍ଦ ଡାକରାର ନିଷ୍ପତି ନିଆଯାଇଛି। ତେବେ ଆସନ୍ତା ମଙ୍ଗଳବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେବଳ ଜରୁରୀ ସେବା ଜାରି ରହିବ । ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀ ଜଣକ କୁର୍ଲା ଜଙ୍ଗଲ ଠାରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବିଚ କର୍ମଚାରୀଙ୍କୁ ମିଳୁନି ଦରମା: ଦାବି କଲେ ଛଟେଇ ହେଉଥିବା ଅଭିଯୋଗ
ପୁରୀ: ଦେଶରେ ସ୍ନାନ ଅନୁକୂଳ ସମୁଦ୍ର ଭାବେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମି ସୃଷ୍ଟି କରିଛି ଉଦାହରଣ । ଏଥିପାଇଁ ଡେନମାର୍କ ଫାଉଣ୍ଡେସନ୍ ଫର ଏନ୍ଭାରମେଣ୍ଟାଲ୍ ଏଜୁକେସନ୍ ପକ୍ଷରୁ ପୁନର୍ବାର ସ୍ୱର୍ଣ୍ଣାଭ ବେଳାଭୂମିକୁ ୩୩ଟି ମାନଦଣ୍ଡ ଆଧାରରେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପ୍ରଦାନ କରାଯାଇଛି । ଅହମଦାବାଦରେ ଏକ ସ୍ବତନ୍ତ୍ର ଚୟନ କାର୍ଯ୍ୟକ୍ରମରେ ଜୁରିମାନେ ମାନ୍ୟତା ପତାକା ପ୍ରଦାନ କରିଛନ୍ତି । ୮୭୦ ମିଟର ବେଳାଭୂମିର ପର୍ଯ୍ୟାୟ କ୍ରମେ ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି l ପରିବେଶ ଅନୁକୂଳ ଜଳକ୍ରୀଡ଼ା ପାଇଁ ଯୋଜନା କରାଯାଉଛି l ଏଥିପାଇଁ ପୁରୀ ସହରବାସୀ ଓ ବିଚ୍ କର୍ମଚାରୀଙ୍କୁ ଶ୍ରେୟ ଦେଇଛନ୍ତି ଜିଲ୍ଲାପାଳ । ସେପଟେ ବ୍ଲୁଫ୍ଲାଗ ରେ କାମ କରୁଥିବା କର୍ମଚାରୀଙ୍କୁ କିନ୍ତୁ ମିଳିନି ଦରମା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବେଳାଭୂମି କର୍ମଚାରୀ ସଙ୍ଘ ।
ଗତ ସରକାର ସମୟରେ ବିଚରେ କାମ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ବର୍ଦ୍ଧିତ ଦରମା ଏ ପର୍ଯ୍ୟନ୍ତ ମିଳିନାହିଁ । ଏପରିକି ଗତ ୨ ମାସର ରେଗୁଲାର ଦରମା ମଧ୍ୟ ମିଳି ନଥିବା କହିଛନ୍ତି କର୍ମଚାରୀ । ପ୍ରତିବାଦରେ ବେଳାଭୂମି କର୍ମଚାରୀ ସଙ୍ଘ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ୟୁଟେକ ସର୍ଭିସ, ଏସଏସ ସର୍ଭିସ ଏଜେନ୍ସି ଦ୍ୱାରା ବିଚକ୍ଲିନ, ଗାର୍ଡେନ, ଇଲେକ୍ଟ୍ରିସିଆନ, ସିକ୍ୟୁରିଟି, ଟିକେଟ କାଉଣ୍ଟର, ଫାଷ୍ଟଏଡ ଆଟେଡାଣ୍ଟ ପଦବୀରେ ପ୍ରାୟ ୬୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଦୁଇଟି ଏଜେନ୍ସି ସରକାରଙ୍କ ଘୋଷିତ ବର୍ଦ୍ଧିତ ମଜୁରୀ ଦେଉନାହାନ୍ତି । ବର୍ଗୀକରଣ ଆଧାରରେ ମଧ୍ୟ ମିଳୁନି ଦରମା । ଇପିଏଫ ଟଙ୍କା ଦାଖଲ କରାନଯାଇ ହେରଫେର କରାଯାଉଥିବା ଅଭିଯୋଗ ହୋଇଛି । ମାଗିଲେ ବିନା ନୋଟିସରେ ଛଟେଇ କରାଯାଉଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସେପଟେ କର୍ମଚାରୀଙ୍କ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ବ୍ଲୁଫ୍ଲାଗ ବିଚ କାମ କରୁଥିବା କର୍ମଚାରୀଙ୍କୁ ଦରମା ମିଳୁ ନଥିଲେ ବି ସେମାନେ କେବା କାମରେ ଅବହେଳା କରି ନଥିବା କହିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ମଣ୍ଡି: ଧାନ ବିକ୍ରି କରି ନପାରି ହଟହଟା ଚାଷୀ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ହଟହଟା ଚାଷୀ, ବେଫିକର ପ୍ରଶାସନ । ଫାଇଦା ଉଠାଇ ଆନ୍ଧ୍ର ଚାଲାଣ କରୁଛନ୍ତି ଦଲାଲ । ଜିଲ୍ଲାରେ ପ୍ରାଥମିକ ପର୍ଯ୍ଯୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟାଲ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୧ ଲକ୍ଷ ୪୬ ହଜାର ୫୦୪ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ପାଇଁ ୧୦ ଦିନ ବିଳମ୍ବରେ ଜାନୁଆରୀ ୩ରୁ ଖୋଲିଲା ମଣ୍ଡି । ୧୩ ତାରିଖ ମଧ୍ୟରେ ୧୦ ଦିନ ଭିତରେ ମାତ୍ର ୬୮ହଜାର ୧୬୪ ଟ୍ଵିଣ୍ଟାଲ୍ ଧାନ ଉଠିଥିବା ଜଣା ପଡ଼ିଛି । ଜିଲ୍ଲାର ମାତ୍ର ୧୩ଶହ ୩୭ ଜଣ ଚାଷୀ ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପ୍ରଶାସନର ଅବହେଳାର ଫାଇଦା ଉଠାଉଛନ୍ତି ଆନ୍ଧ୍ର ଦଲାଲ । ଓଡ଼ିଶାରୁ କମ ଦରରେ ଧାନକିଣି ଟ୍ରକରେ ଆନ୍ଧ୍ର ବୋହି ନେଉଛନ୍ତି । ଅଦିନିଆ ବର୍ଷା ଯୋଗୁ ଜିଲ୍ଲାରେ ପ୍ରାୟ ୪୦ ପ୍ରତିଶତ ଧାନ ନଷ୍ଟ ହୋଇଛି । ବର୍ଷା ଦାଉରୁ ଯେଉଁମାନେ କଷ୍ଟେମଷ୍ଟେ ବଞ୍ଚାଇ ରଖିଛନ୍ତି ସେମାନେ କିପରି ବିକ୍ରି କରିବେ ସେନେଇ ଚିନ୍ତାରେ ।
ଗତ ଖରିଫରେ ମିଳିଥିବା ଟାର୍ଗେଟରୁ ମାସେ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ଧାନ କ୍ରୟ ହୋଇ ସାରିଥିଲା । କିନ୍ତୁ ଚଳିତବର୍ଷ ଧାନକ୍ରୟ ପ୍ରକ୍ରିୟା ସମ୍ପୂର୍ଣ ଧିମା ଚାଲିଛି । ଦିଗପହଣ୍ଡି ବ୍ଲକକୁ ସର୍ବାଧିକ ୨୪୦ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ପାତ୍ରପୁର ବ୍ଲକକୁ ୧୭୦ ଓ ଚିକିଟି ବ୍ଲକକୁ ୧୨୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଅନ୍ୟ ବ୍ଲକରେ ଚାଷୀଙ୍କ ସଂଖ୍ୟା ୩ ଅଙ୍କ ଛୁଇଁନାହିଁ । ଧରାକୋଟ ବ୍ଲକକୁ ସର୍ବନିମ୍ନ ୧୧ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ଜିଲ୍ଲାରେ ୨୦୨୪-୨୫ ଖରିଫରେ ମୋଟ ୪ ଲକ୍ଷ ୫ ହଜାର ୭୫୦ ହେକ୍ଟର୍ ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୧ଲକ୍ଷ ୭୮ହଜାର ୯ଶହ ହେକ୍ଟର୍ ଜମିରେ ଧାନ ଓ ୧ ଲକ୍ଷ ୨୬ହଜାର ୮୫୦ ହେକ୍ଟର୍ ଜମିରେ ଅଣଧାନ ଫସଲ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲାରେ ୩୬୫ଟି ସମବାୟ ସମିତି ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ୧୧୭ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗୋଟିଏ ପାଣି ପଞ୍ଚାୟତ ଧାନକ୍ରୟ କରିବେ ବୋଲି ନିଷ୍ପତ୍ତ ହୋଇଥିଲା । ଏଭଳି ମୋଟ ୪୮୩ଟି ଧାନକ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରି କରିବେ ବୋଲି ଚୂଡ଼ାନ୍ତ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଉପର ଚିକ୍କଣ, ଭିତର ଫମ୍ପା: ରାଜ୍ୟ ବିଜେପିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ, ପଦ୍ମ ଦଳରେ ବଢ଼ୁଛି ଅଡ଼ୁଆ
ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ ପରେ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିଛି। ହେଲେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ଡ଼େଡ଼ଲାଇନ ସରିବା ପରେ ବି ଚୂଡ଼ାନ୍ତ ହୋଇପାରୁନି ତାଲିକା। ଜିଲ୍ଲାସ୍ତରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ତୁଟୁନଥିବାରୁ ଜିଲ୍ଲା ସଭାପତିଙ୍କ ନାମରେ ମୋହର ବାଜିପାରୁନି। ଜାନୁଆରୀ ୫ ସୁଦ୍ଧା ମଣ୍ଡଳ ସଭାପତି, ୧୦ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ସୁଦ୍ଧା ରାଜ୍ୟ ସଭାପତି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଫେଲ୍ ମାରିଛି ଡ଼େଡ଼ଲାଇନ୍। ସଭାପତି ପଦ ଲାଗି ବି ଜାରି ରହିଛି ସସପେନ୍ସ ।
କିଏ ହେବେ ରାଜ୍ୟ ବିଜେପିର ପରବର୍ତ୍ତୀ ମୁଖିଆ? କିଏ ସମ୍ଭାଳିବେ ଜିଲ୍ଲା ଦାୟିତ୍ବ? ସରକାରୀ ଦଳ ହିସାବରେ ସାଙ୍ଗଠନିକ ମୁଖ୍ୟଙ୍କ ଗୁରୁତ୍ବ ବଢିଥିବାରୁ ପଦପଦବୀ ପାଇଁ ଚାଲିଛି ଅଙ୍କକଷା। ବ୍ଲକ, ଜିଲ୍ଲା ସ୍ତରରେ ବିବାଦ ତୁଟୁନଥିବାରୁ ଫେଲ୍ ମାରୁଛି ଡେଡଲାଇନ୍। ଚୁଡ଼ାନ୍ତ ହୋଇପାରୁନି ଜିଲ୍ଲା ସଭାପତିଙ୍କ ତାଲିକା। ତୃଣମୂଳ ସ୍ତରରେ ପୁରୁଣା ଓ ନୂଆ ବିଜେପି ମଧ୍ୟରେ ଚାଲିଛି ଟଣାଓଟରା। ପୁରୁଣା ବିଜେପିରୁ ମଣ୍ଡଳ ସଭାପତି କରିବାକୁ ଦଳ ମନସ୍ଥ କରିଥିବା ବେଳେ ବୟସ କଟକଣା ସାଜିଛି ବାଧକ। ବିଭିନ୍ନ କଟକଣା ଯୋଗୁଁ ମଣ୍ଡଳ ସଭାପତି ପାଇଁ ପ୍ରଥମ ପ୍ରସ୍ତାବ କାଟ ଖାଉଛି। ଜାନୁଆରୀ ୫ ତାରିଖ ସୁଦ୍ଧା ମଣ୍ଡଳ ସଭାପତି, ୧୦ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ଏବଂ ୧୫ ତାରିଖ ସୁଦ୍ଧା ରାଜ୍ୟ ସଭାପତି ନିର୍ବାଚିତ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ବି କନ୍ଦଳ ଯୋଗୁଁ ହୋଇପାରୁନି ନିଷ୍ପତ୍ତି। ମଣ୍ଡଳ ସଭାପତି କାମ ସରିଛି ଏବଂ ଜିଲ୍ଲା ସଭାପତି ପ୍ରକ୍ରିୟା ଚାଲିଛି ବୋଲି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ କହିଛନ୍ତି।
ନୂଆ ଓ ପୁରୁଣା ବିଜେପି ସହ ଦଳ ଭିତରେ ଥିବା ବିଭିନ୍ନ ଗୋଷ୍ଠୀ ଜିଲ୍ଲା ସଭାପତି ପଦ ନିଜ କବଜାରେ ରଖିବାକୁ ଚାହୁଁଛନ୍ତି। ରାଜ୍ୟ ବିଜେପିରେ ୩୬ଟି ସାଙ୍ଗଠନିକ ଜିଲ୍ଲା ଥିବା ବେଳେ ୧୦ରୁ ଅଧିକ ଜିଲ୍ଲାରେ ଅଡ଼ୁଆ ଛିଡ଼ୁନଥିବାରୁ ଚୁଡ଼ାନ୍ତ ତାଲିକା ବିଳମ୍ବିତ ହେଉଛି। ଜିଲ୍ଲା ସଭାପତି ପରେ ରାଜ୍ୟ ସଭାପତି ସ୍ଥିର କରାଯିବ। ବିଜେପି କ୍ଷମତାକୁ ଆସିଥିବାରୁ ଏବର ସଭାପତି ମନମୋହନ ସାମଲ ପୁଣି ଥରେ ରାଜ୍ୟ ସଭାପତି ଦାୟିତ୍ବ ସମ୍ଭାଳିବେ ନା ନୂଆ ମୁହଁ ସାମନାକୁ ଆସିବେ, ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ହେଲେ ବିଜେପିରେ ସଭାପତି ରେସରେ କେହି ନଥାନ୍ତି ବୋଲି ମନମୋହନ କହିଛନ୍ତି। ଏପରିକି ପରୋକ୍ଷରେ ଦଳର ସାଙ୍ଗଠନିକ ପ୍ରକ୍ରିୟା ବାବଦରେ ଗଣମାଧ୍ୟମ ମୁଣ୍ଡ ନ ଖେଳାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି। ଭାରତୀୟ ଜନତା ପାର୍ଟିରେ ୬ବର୍ଷରେ ଥରେ ସଦସ୍ୟତା ଅଭିଯାନ ଚାଲୁଥିବା ବେଳେ ପ୍ରତି ୩ବର୍ଷରେ ଥରେ ବୁଥ ସ୍ତରରୁ ରାଷ୍ଟ୍ରୀୟ ସଭାପତି ପଦବୀ ଯାଏଁ ନିର୍ବାଚନ ହୋଇଥାଏ। ଓଡ଼ିଶାରେ ବିଜେପି କ୍ଷମତାରେ ଥିବାରୁ ସାଙ୍ଗଠନିକ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।

