ଫେବୃଆରୀ ୧୮ରୁ ଭୁବନେଶ୍ୱରରେ କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନବନ୍ଦର ଠାରୁ ପଦଯାତ୍ରା ଆରମ୍ଭ ହେବ। ଲିଙ୍ଗିପୁର, ପିପିଲି ଚନ୍ଦନପୁର ଦେଇ ପୁରୀ ଯାଏଁ ପଦଯାତ୍ରା କରିବ ଦଳ। ଫେବୃଆରୀ ୧୮ରୁ ୨୦ ତାରିଖ ଯାଏଁ ପଦଯାତ୍ରା କରିବ କଂଗ୍ରେସ। ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ। ଆସନ୍ତା ୨୦ରେ ଶ୍ରୀଜୀଉଙ୍କ ନିକଟରେ ସଂକଳ୍ପ ନେବ ଦଳ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଦରଦାମ ବେକାବୁ, ବେକାରୀ ସମସ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି। ବିଜେପି ସରକାର ବିରୋଧରେ କଂଗ୍ରେସର ଏହି ସଂକଳ୍ପ ଯାତ୍ରା । ଓଡିଶା ଲୋକଙ୍କ ସ୍ୱାଭିମାନ, ଅଧିକାର, ସମସ୍ୟା ପାଇଁ ଏହି ଯାତ୍ରା । ସାଧାରଣ ଲୋକଙ୍କ କଣ୍ଠରୋଧ କରିବା ଓ ଏକଛତ୍ରବାଦ ଶାସନକୁ ଅନ୍ତ କରିବା ପାଇଁ ଏହି ଯାତ୍ରା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍: ୪ ୟୁଟ୍ୟୁବର ଓ ଜଣେ ଶିକ୍ଷକ ଗିରଫ
କଟକ: ପୋଲିସ କବଜାରେ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରାକେଟ୍ । ୟୁଟ୍ୟୁବ୍ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ବିକ୍ରି କରୁଥିଲେ ଅଭିଯୁକ୍ତ । ରାକେଟ୍ରେ ସଂପୃକ୍ତ ୪ ଜଣ ୟୁଟ୍ୟୁବର୍ ଓ ସରକାରୀ ସ୍କୁଲର ଜଣେ ଶିକ୍ଷକଙ୍କୁ ମଧ୍ୟ କଟକ ସାଇବର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଜ୍ୟୋତିରଞ୍ଜନ ବାରିକ, ବରଗଡ଼ ଅତାବିରାର ସାହିଲ କୁମାର ମିଶ୍ର , ଭଦ୍ରକର ସୁଶାନ୍ତ କୁମାର ବିଶି ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ସାଇଶଙ୍କର ପାତ୍ର । ଗିରଫ ସହକାରୀ ଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଘନଶ୍ୟାମ ବେଉରା । ଅଭିଯୁକ୍ତଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଟ୍ୟାବ ଜବତ କରିଛି ପୋଲିସ। ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଆସୋସିଏସନ ବା ‘ଓଷ୍ଟା’ର ସଂପାଦକ ରଞ୍ଜନ କୁମାର ଦାଶ ସାଇବର ଥାନାରେ ଏ ନେଇ ଏକ ଏତଲା ଦେଇଥିଲେ। ଅକ୍ଟୋବର ୨୮ରୁ ନଭେମ୍ବର ୪ ମଧ୍ୟରେ ସ୍କୁଲସ୍ତରରେ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ଚାଲିଥିବା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଥିଲେ। ଏପରିକ ପୂର୍ବ ବର୍ଷର ‘ପ୍ରି ବୋର୍ଡ’ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭାଇରାଲ୍ କରାଯାଇଥିଲା | ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଗୁଗଲ୍ ଓ ଅନ୍ୟ ସଂସ୍ଥାଠାରୁ ଏକାଧିକ ବୈଷୟିକ ତଥ୍ୟ ମଗାଯାଇଥିଲା। ଏହି ତଥ୍ୟ ଯାଞ୍ଚ ପରେ ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣାପଡ଼ିଥିଲା | ଏଥିରୁ ଅଭିଯୁକ୍ତ ମାନେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ପୋଲିସ ଜାଣିବାକୁ ପାଇଛି।
ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟାକାଣ୍ଡ ମାମଲା: ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ
ଭୁବନେଶ୍ବର: ସଫେଇ କର୍ମଚାରୀ ସହଦେବ ନାୟକ ହତ୍ୟା ମାମଲା । ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ । ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ ପରେ ରମାକୁ ଗିରଫ କରିଛି ପୋଲିସ। ୪୦ ଦିନ ପରେ ସେ ଆତ୍ମସମର୍ପଣ କରିଛି । ଆଜି ତାକୁ କୋର୍ଟଚାଲାଣ କରାଯିବ । ଜାନୁଆରୀ ୮ ତାରିଖରେ ସଫେଇ କର୍ମଚାରୀ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିଲା। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ସହଦେବଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲେ ଅଭିଯୁକ୍ତ । ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିସାରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି କରି ଧାରଣାରେ ବସିଥିଲେ ସହଦେବଙ୍କ ପତ୍ନୀ । ନହେଲେ ବିଧାନସଭା ଆଗରେ ଧାରଣାରେ ବସିବେ ବୋଲି ସେ ଚେତାବନୀ ଦେଇଥିଲେ ।
ଯାତ୍ରା ପେଣ୍ଡାଲରେ ଆଧାତ୍ମିକ ବାତାବରଣ: ୧୫ ମିନିଟ୍ ଭିତରେ ପରିବେଷଣ ହେଲା ରାମାୟଣ
ଭୁବନେଶ୍ବର: ଯାତ୍ରା ପେଣ୍ଡାଲରେ ଜମିଲା ରାମାୟଣ । ଖଣ୍ଡଗିରି ମେଳାରେ ତୁଳସୀ ଗଣନାଟ୍ୟ ତରଫରୁ ପରିବେଷଣ ହେଲା ରାମାୟଣ । ମୋବାଇଲ ଟର୍ଚ୍ଚ ଜାଳି ପ୍ରଭୁ ରାମ ଲକ୍ଷ୍ମଣ ଓ ମା’ ସୀତାଙ୍କୁ ଦର୍ଶକମାନେ ସ୍ଵାଗତ କରିଛନ୍ତି । ଲାଇଟ ସାଉଣ୍ଡ ଓ ମିଉଜିକରେ ସହ କମ୍ପିଲା ଜୟ ଶ୍ରୀରାମ ନାରା । ୧୫ ମିନିଟ୍ ଭିତରେ ପରିବେଷଣ ହେଲା ରାମାୟଣ । କେଇ ମିନିଟ ଭିତରେ ରାମଙ୍କ ବନବାସ, ମା ସୀତାଙ୍କ ହରଣ, ରାମ ସେତୁ ନିର୍ମାଣ, ଲଙ୍କା ବିଜୟ ଓ ରାବଣ ଦହନକୁ ଦେଖାଇଲେ କଳାକାର । ହନୁମାନ ଲଙ୍କାରେ ତାଣ୍ଡବ ରଚାଇଥିବା ବେଳେ ମଞ୍ଚ ଉପରେ ପାଚିଲା କଦଳୀ କାନ୍ଦିରୁ କଦଳୀ ଛିଡାଇ ଲୋକଙ୍କ ଉପରକୁ ଫିଙ୍ଗି ଥିଲେ । ଆଉ ହନୁମାନଙ୍କ ପ୍ରସାଦ ଭାବି ଦର୍ଶକମାନେ ଖାଇଥିଲେ । ଯାତ୍ରାରେ ସମ୍ପୂର୍ଣ୍ଣ ଆଧାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା ।









