spot_img
Home Blog Page 1161

୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା: ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲରେ ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ

କଳାହାଣ୍ଡି:  ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନୀ ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତ୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି।

ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗୀର ଚମତ୍କାର ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତର ସର୍ବପୂରାତନ କଳା – ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଥାଏ । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନକୁ ପ୍ରତିଫଳିତ କରୁଥିବା ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ଘରୋଇ ଜୈବିକ ଉତ୍ପାଦ ଏହି କଳାତ୍ମକ ପ୍ରଦର୍ଶନର ଏକ ଅଂଶ ଥିଲା । ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରିବାର ପ୍ରଦର୍ଶନ କରି ପର୍ଯ୍ୟଟକଙ୍କୁ ଆଲୁମିନିୟମର ଯାତ୍ରା ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ପରିବେଶ ପରିଚାଳନା ସହ କମ୍ପାନୀର ସ୍ଥାୟୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ବେଦାନ୍ତ ଷ୍ଟଲକୁ ଉଦଘାଟନ କରି କଳାହାଣ୍ଡି ସାଂସଦ ମାଲବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାର ଏହି ଅଞ୍ଚଳର ସଂସ୍କୃତି ଓ ଆଧୁନିକ ବିକାଶର ଅନନ୍ୟ ମିଶ୍ରଣ ପାଇଁ ଗର୍ବ ପ୍ରକାଶ କରିଥିଲେ।କଳାହାଣ୍ଡି ସାଂସଦ ମାଲବିକା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଘୁମୁରା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ଉତ୍ସବ ଏବଂ ଏହା ଏକ ଜିଲ୍ଲା ଭାବରେ ଆମେ କରୁଥିବା ସାମଗ୍ରିକ ପ୍ରଗତିକୁ ପ୍ରତିଫଳିତ କରେ । ଉଦଘାଟନୀ ଭାଷଣରେ ଜିଲ୍ଲାପାଳ ସଚିନ ପାଓ୍ଵାର କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଆମ ଅଞ୍ଚଳର କାଳଜୟୀ ଐତିହ୍ୟ ଓ ସାମୂହିକ ଭାବନାର ଉତ୍ସବ। ଏଠାରେ ପ୍ରଦର୍ଶିତ ବେଦାନ୍ତର ତୃଣମୂଳସ୍ତରୀୟ ପଦକ୍ଷେପ ଗୁଡ଼ିକ ଆଖପାଖ ଅଞ୍ଚଳକୁ ସମର୍ଥନ ଏବଂ ବିକାଶ କରିପାରିବେ ଏବଂ ସେମାନଙ୍କର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିବେ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ପାରମ୍ପରିକ ଲୋକକଳାର ସଂରକ୍ଷଣ ଦିଗରେ କମ୍ପାନୀର ନିରନ୍ତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି, ଯାହା ଆମ ସମ୍ପ୍ରଦାୟର ସାମଗ୍ରିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ଜିଲ୍ଲାପାଳ କହିଛନ୍ତି।

ବେଦାନ୍ତ ଆଲୁମିନା ବିଜନେସ୍ ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଏହି ଅଞ୍ଚଳର ଆତ୍ମାକୁ ସ୍ମରଣ କରୁଥିବା ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ବେଦାନ୍ତ ଏହି ଭବ୍ୟ ଉତ୍ସବର ଅଂଶ ହୋଇ ଗର୍ବ ଅନୁଭବ କରୁଛି। କେବଳ ଆମର ଶିଳ୍ପ ଉତ୍କର୍ଷତା ନୁହେଁ, କଳାହାଣ୍ଡିର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ସମର୍ପଣକୁ ମଧ୍ୟ ଆମେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ।” ଏହି ଉତ୍ସବ ପ୍ରଗତି ଏବଂ ପରମ୍ପରାର ସଂପୂର୍ଣ୍ଣ ସମନ୍ୱୟକୁ ପ୍ରତିଫଳିତ କରୁଥିବା ବେଳେ ଆମେ ଯୋଗଦାନ କରି ଗର୍ବ ଅନୁଭବ କରୁଛୁ ବୋଲି ସିଇଓ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସମୃଦ୍ଧ କଳା, ପରମ୍ପରା ଓ ଐତିହ୍ୟକୁ ଏକାଠି କରି ଏହି ଅଞ୍ଚଳର ଜୀବନ୍ତ ସଂସ୍କୃତିର ବାର୍ଷିକ ଉତ୍ସବ ହେଉଛି ‘କଳାହାଣ୍ଡି ଉତ୍ସବ- ଘୁମୁରା’।

ଅଭିନେତା ସୈଫ ଅଲ୍ଲୀଙ୍କୁ ଛୁରାମାଡ ଘଟଣା : ଦେହରୁ ବାହାରିଲା ଛୁରୀ

ମୁମ୍ୱାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା । ମୁମ୍ବାଇ ବାନ୍ଦ୍ରା ଘରେ ଛୁରାମାଡ଼ ହୋଇଥିବା ଜଣାପଡିଛି। ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା। ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ଦେହରୁ ଏକ ଛୁରୀ ବାହାର କରାଯାଇଛି। ଆକ୍ରମଣରେ ବେକ ଓ ମେରୁଦଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି।

ତେବେ ଆକ୍ରମଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ପୋଲିସ ସିସିଟିଭି ଯାଞ୍ଚ କରିଥିଲେ ବି କୌଣସି ବ୍ୟକ୍ତି ଘରେ ପ୍ରବେଶ କରିବାର ଭିଜୁଆଲ ମିଳୁ ନଥିବାରୁ ଏହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଆକ୍ରମଣକାରୀଙ୍କୁ ଜଣେ କର୍ମଚାରୀ ଚିହ୍ନିଥିବା ସନ୍ଦେହ କରାଯାଇଛି। ତେଣେ ଛୁରାମାଡରେ ଆହତ ହୋଇଥିବା ଅନ୍ଯ ଜଣେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାମ ଗୋପନ ରଖାଯାଇଛି। ଅଭିଯୋଗ ଅନୁସାରେ ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିବାରୁ ସୈଫଙ୍କ ବେକ, ହାତ ଓ ପିଠିରେ ଲାଗିଛି ଆଘାତ । ବାନ୍ଦ୍ରା ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଛି । ସୈଫଙ୍କ ଶରୀରରେ ଦୁଇଟି ଗଭୀର କ୍ଷତ ହୋଇଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୩ଟାରେ ସୈଫଙ୍କ ଘରେ ଦୁର୍ବୃତ୍ତ ପ୍ରବେଶ କରିଥିଲା। ପରେ ସୈଫ ଓ ଦୁର୍ବୃତ୍ତଙ୍କ ମଧ୍ଯରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ସୈଫଙ୍କୁ ଛୁରାମାଡ କରିଥିଲା ଦୁର୍ବୃତ୍ତ।

ଘଟଣାବେଳେ ସେଠାରେ ଉପସ୍ଥିତ ଥିଲେ ପତ୍ନୀ କରିନା କପୁର ଓ ଦୁଇ ପୁଅ ତୈମୁର ଏବଂ ଜେହ । ମୁମ୍ବାଇର ଡିସିପି ଦୀକ୍ଷିତ ଗେଦାମ ଘଟଣାର ତଦନ୍ତ କରୁଛନ୍ତି। ସୈଫଙ୍କୁ ଦୁର୍ବୃତ୍ତଜଣକ ୬ ଥର ଛୁରି ଭୁସିଥିବା ଜଣାଯାଇଛି। କିଛି ଦିନ ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ଯାଙ୍ଗର ଦୁଇ ଜଣ ସଦସ୍ଯ ଏକ ବାଇକରେ ଆସି ସୁପରଷ୍ଟାର ସଲମାନ ଖାଁଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଉପରକୁ ଗୁଳି କରିଥିଲେ। ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ। ଏବେ ପ୍ରଶ୍ନ ଉଠୁଛି ଏତେ ହାଇଫାଇ ଅଞ୍ଚଳ, ସିସିଟିଭି ଛାଉଣୀ ଓ ମାଳ ମାଳ ସିକ୍ଯୁରିଟି ସତ୍ତ୍ବେ ବାନ୍ଦ୍ରାର ଏହି ଆପାର୍ଟମେଣ୍ଟରେ ଜଣେମାତ୍ର ଦୁର୍ବୃତ୍ତ ପଶିଲା କିପରି ଏବଂ ତାର ଯିବାଆସିବା ଦୃଶ୍ୟ ସିସିଟିଭିରେ କିପରି ନାହିଁ ? ସୈଫଙ୍କ ସହ ଦୁର୍ବୃତ୍ତର ଧସ୍ତାଧସ୍ତି ହୋଇଥିବାବେଳେ ପତ୍ନୀ କରିନା ଓ ଦୁଇ ପୁଅ ରକ୍ଷା ପାଇଗଲେ କେମିତି ? ଆହତ ମହିଳା କର୍ମଚାରୀଙ୍କ ପରିଚୟକୁ କାହିଁକି ଗୋପନ ରଖାଯାଉଛି ?

ଖୋଲିଲା ହଂସିତାଙ୍କ ସ୍ୱାମୀ ଗୁମର : ଅନୀଲ ନୁହେଁ ସରୋଜ

ଭୁବନେଶ୍ୱର :  ସତ ମାନିଲେ ହଂସିତା । ଅନୀଲ ମହାନ୍ତି ନୁହେଁ ବରଂ ସରୋଜ ସାହୁଙ୍କୁ ସ୍ୱାମୀ ବୋଲି ସ୍ୱୀକାର କଲେ। ଅନୀଲ ମହାନ୍ତିଙ୍କୁ ସିଜର ଲିଷ୍ଟରେ ସ୍ୱାମୀ ବୋଲି ଦେଖାଇଥିଲେ ହଂସିତା। ଇନ୍ଫୋସିଟି ଥାନାରେ ଗିରଫ ହେବା ପରେ ଅନିଲଙ୍କୁ ନିଜ ସ୍ୱାମୀ ବୋଲି ଦର୍ଶାଇଥିଲେ। କିନ୍ତୁ ସ୍ୱାମୀ ସରୋଜଙ୍କ ଦେହ ଖରାପ ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲେ ହଂସିତା। କିନ୍ତୁ ଆଜି ନୁହେଁ ବରଂ ପୁଣି ଘୁଞ୍ଚିଲା ଆସନ୍ତା ୧୮ ତାରିଖରେ ହେବ ଜାମିନ ଶୁଣାଣି। ସେପଟେ ସରକାରୀ ଓକିଲଙ୍କ ପକ୍ଷରୁ ମଧ୍ୟ ଆପତ୍ତି ଉଠାଯାଇଛି। କୋର୍ଟଙ୍କୁ ଜାମିନ ନଦେବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ତଥ୍ୟ ସମ୍ବନ୍ଧିତ ଆବେଦନ କରାଯାଇଛି।

ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ, ବନ୍ଦ କରିବାକୁ ପ୍ରତିଷ୍ଠାତା ନାଟେ ଆଣ୍ଡରସନଙ୍କ ସୂଚନା

ନନ୍ଦିଘୋଷ ବ୍ୟୁରୋ :  ବନ୍ଦ ହେବ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ। ଏନେଇ ସୂଚନା ଦେଇଛନ୍ତି ଫାର୍ମର ପ୍ରତିଷ୍ଠାତା ନାଟେ ଆଣ୍ଡରସନ। ସଂସ୍ଥାକୁ ବନ୍ଦ କରିବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଆଣ୍ଡରସନ। ଯେଉଁ ଯୋଜନାଗୁଡିକ ଉପରେ କାର୍ଯ୍ୟ କରାଯାଉଛି ତାହା ଶେଷ ହୋଇଯିବା ପରେ ଫାର୍ମକୁ ବନ୍ଦ କରିଦିଆଯିବ।

ବଡ଼କଥା ହେଉଛି ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର ମାତ୍ର ଚାରିଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି ଆଣ୍ଡରସନ। ତେବେ ସଂସ୍ଥାକୁ ବନ୍ଦ କରିବା ପଛରେ କୌଣସି ଧମକ ବା ବ୍ୟକ୍ତିଗତ କାରଣ ନାହିଁ ବୋଲି ସେ କହିଛନ୍ତି। ଗତ ୨୦୨୨ରେ ଅଦାନୀ ଗ୍ରୁପକୁ ହିଣ୍ଡେନବର୍ଗ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲା। ଏହି ରିପୋର୍ଟକୁ ନେଇ ଦେଶରେ ଝଡ ସୃଷ୍ଟି ହୋଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ମାମଲାରେ ଅଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅଗଷ୍ଟରେ ବି ଅଦାନୀ ଗ୍ରୁପ ବିରୋଧରେ ଅନ୍ଯାନ୍ଯ ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ଏହା ସହ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଅଧ୍ଯକ୍ଷା ମାଧବୀ ପୁରି ବୁଚ୍ ଓ ତାଙ୍କ ସ୍ବାମୀଙ୍କୁ ବି କାଠଗଡ଼କୁ ଟାଣିଥିଲା ହିଣ୍ଡେନବର୍ଗ।

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, ଅଡୁଆରେ ନୂଆଦିଲ୍ଲୀ ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମା

ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ବିଧାନସଭା ନିର୍ବାଚନମଣ୍ଡଳିରେ ଭୋଟରଙ୍କୁ ଜୋତା ବାଣ୍ଟିବାର ଏକ ଭିଡିଓ ପ୍ରସାରିତ ହେବା ପରେ ରୁଜୁ ହୋଇଛି ମାମଲା । ହାଇପ୍ରୋଫାଇଲ ନୂଆଦିଲ୍ଲୀ ଆସନରେ ପରବେଶଙ୍କୁ ଟକ୍କର ଦେଉଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ କଂଗ୍ରେସର ସନ୍ଦୀପ ଦୀକ୍ଷିତ । ମହିଳାଙ୍କୁ ଜୋତା ବାଣ୍ଟିବାର ଭିଡିଓ ସମ୍ପର୍କରେ ଜାଣିବା ପରେ ମାମଲା ରୁଜୁ ଲାଗି ଷ୍ଟେସନ ହାଉସ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର ।

ଜନପ୍ରତିନିଧି ଆଇନର ଧାରା ୧୨୩ ଅନୁସାରେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରାର୍ଥୀ କିମ୍ବା ଏଜେଣ୍ଟ କୌଣସି ମାଗଣା ଉପହାର ଦେବା ବା ପ୍ରତିଶ୍ରୁତି ଦେବାକୁ ଦୁର୍ନୀତି ବିବେଚନା କରାଯାଏ । ସପ୍ତାହକ ମଧ୍ଯରେ ପରବେଶଙ୍କ ବିରୋଧରେ ଏହା ହେଉଛି ଦ୍ବିତୀୟ ମାମଲା । ମହିଳା ଭୋଟରଙ୍କୁ ୧୧ ଶହ ଲେଖାଏ ଟଙ୍କା ବାଣ୍ଟିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ହର୍ ଘର୍ ନୌକରି ଯୋଜନାକୁ ପ୍ରମୋଟ କରୁଥିବା ଦର୍ଶାଇ ପରବେଶଙ୍କ ବିରୋଧରେ ଗତ ୮ ତାରିଖରେ ଅଭିଯୋଗ କରିଥିଲା ଆପ୍ । ତେବେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ଯାନ କରିଥିଲେ ନିର୍ବାଚନ ଅଧିକାରୀ । ଏହି ମାମଲାରେ ପରବେଶଙ୍କୁ କ୍ଲିନ ଚିଟ୍ ମିଳିବା ପରେ କ୍ଷୁବ୍ଧ ହୋଇଥିଲେ କେଜରିଓ୍ବାଲ ।

ସଂସଦୀୟ ଓବିସି କମିଟିକୁ ଭେଟି ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି

ଭୁବନେଶ୍ୱର : ରାଜ୍ୟରେ ଜାତିଭିତିକ ଜନଗଣନା ଦାବି କଲା ବିଜେଡି। ଭୁବନେଶ୍ୱରରେ ସଂସଦୀୟ ଓବିସି କମିଟି ବୈଠକ ଚାଲିଥିବା ବେଳେ ଆଜି ବିଜେଡିର ଏକ ୧୩ ଜଣିଆ ପ୍ରତିନିଧି ଦଳ ସଂସଦୀୟ ଓବିସି ମଙ୍ଗଳ କମିଟି ଅଧକ୍ଷଙ୍କୁ ଭେଟିଛନ୍ତି। ବିଜେଡିର ଟିମରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଧାୟକ ଅରୁଣ ସାହୁ, ସାରଦା ଜେନା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଧୃବ ସାହୁ, ପ୍ରଶାନ୍ତ ବେହେରା,ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ସାମିଲ ଥିଲେ। ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାରା ଦେଶରେ ୫୨ ପ୍ରତିଶତ ଲୋକ ହେଉଛନ୍ତି ପଛୁଆବର୍ଗର। ମାତ୍ର ସେଥିମଧ୍ୟରୁ ୨୭ ପ୍ରତିଶତ ପଛୁଆବର୍ଗ ସଂରକ୍ଷଣ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଯଥେଷ୍ଟ ହେଉନାହିଁ। ତେଣୁ ଓବିସିଙ୍କ ବିକାଶ ପାଇଁ ରାଜ୍ୟରେ ଜାତିଭିତିକ ଜନଗଣନା ଆବଶ୍ୟକ। ଯାହା ପଛୁଆଁବର୍ଗଙ୍କ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶରେ ଅଧିକ ସହାୟକ ହେବ ବୋଲି କହିଛି ବିଜେଡି।

ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା ; ସାନ ଭଉଣୀକୁ ହତ୍ୟା କଲା ଭାଇ

ଆସିକା : ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି  । ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି  । ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମଭାବେ ହତ୍ୟା

ମହାକାଶରେ ସଫଳତାର ସହ ଡକିଂ ହେଲା ସ୍ପେଡେସ୍କ ସାଟେଲାଇଟ୍

ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିଲା ଇସ୍ରୋ। ମହାକାଶରେ ସଫଳତାର ସହ ଡକିଂ ହେଲା ସ୍ପେଡେସ୍କ ସାଟେଲାଇଟ। ଫଳରେ ଡକିଂ କ୍ଷେତ୍ରରେ ବିଶ୍ବର ଚତୁର୍ଥ ରାଷ୍ଟ୍ରର ମର୍ଯ୍ଯାଦା ଲାଭ କରିଛି ଭାରତ। ଆଜି ଭୋରରେ ମହାକାଶରେ ଏହି ଡକିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି କହିଛି ଇସ୍ରୋ। ଏହି ପ୍ରକ୍ରିୟାରେ ଟାର୍ଗେଟ ସାଟେଇଲାଇଟ ସହ ଚେଜର ସାଟେଲାଇଟର ସଂଯୋଗ ହୋଇଥିଲା। ସ୍ପେଡେକ୍ସ ମିଶନରେ ଦୁଇଟି ସାଟେଲାଇଟ SDX01 ଚେଜର ଓ SDX02 ଟାର୍ଗେଟ ସାଟେଲାଇଟର ଡକିଂ ସମ୍ଭବ ହୋଇଥିଲା।

ପ୍ରତି ସାଟେଲାଇଟର ଓଜନ ୨୨୦ କିଲୋଗ୍ରାମ ଲେଖାଏ ହୋଇଥିବାବେଳେ ଏହାର ଡକିଂ ପ୍ରକ୍ରିୟା ଅତ୍ଯନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଗତବର୍ଷ ଡିସେମ୍ବର ୩୦ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି ସି୬୦ ଜରିଆରେ ଏହି ଦୁଇଟି ସାଟେଲାଇଟକୁ ପଠାଯାଇଥିଲା। ଶେଷରେ ସର୍କୁଲାର ଅର୍ବିଟର ୪୭୫ କିଲୋମିଟରରେ ଏହି ଦୁଇଟି ସାଟେଲାଇଟ ଅବସ୍ଥାପିତ ହୋଇଛି। ଜାନୁଆରୀ ୭, ୯ ଓ ୧୧ ତାରିଖରେ ଡକିଂ ଲାଗି ଯୋଜନା କରାଯାଇଥିଲା। ମାତ୍ର ଯାନ୍ତ୍ରିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ପ୍ରକଳ୍ପ ସଫଳ ହେଲେ ଭବିଷ୍ୟତରେ ମହାକାଶ ଷ୍ଟେସନ ନିର୍ମାଣ, ଅଣକକ୍ଷପଥରେ ଇନ୍ଧନ ଯୋଗାଣ, ସାଟେଲାଇଟ ସର୍ଭିସିଂ ଆଦି କ୍ଷେତ୍ରରେ ସଫଳତା ମିଳିବ ।

ଏହି ଐତିହାସିକ ସଫଳତା ପରେ ଆମେରିକା, ଋଷ ଓ ଚୀନ ପରେ ଭାରତ ହୋଇଛି ଚତୁର୍ଥ ରାଷ୍ଟ୍ର। ଏହି ଅଭିଯାନ ବଳରେ ଚନ୍ଦ୍ରରୁ ନମୁନା ସଂଗ୍ରହ ହୋଇପାରିବା ସହ ୨୦୩୫ ସୁଦ୍ଧା ଭାରତ ନିଜର ଏକ ମହାକାଶ ଷ୍ଟେସନ ପ୍ରତିଷ୍ଠା କରିବା ସହଜ ହେବ। ସେହିପରି ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବା ପ୍ରକ୍ରିୟା ବି ସହଜ ହେବ। ୨୦୧୧ରେ ଚୀନ ପ୍ରଥମ ଥର ଲାଗି ଡକିଂ ପ୍ରକ୍ରିୟା କରିଥିଲା। ଚନ୍ଦ୍ରଯାନ-୪ ପାଇଁ ମଧ୍ଯ ଏହା ଲାଭ ଦାୟକ ହେବ।

ସୈଫଙ୍କ ଉପରେ ଆକ୍ରମଣ ପରେ ସୋସିଆଲ ମିଡିଆରେ ପ୍ରଶ୍ନର ଝଡ଼, ଚୋରି ଥିଓରୀକୁ ବିଶ୍ୱାସ କରୁନାହାନ୍ତି ୟୁଜର୍ସ

ମୁମ୍ୱାଇ : ବଲିଉଡରେ ଚାଞ୍ଚଲ୍ୟ ।  ସୁପରଷ୍ଟାର ସୈଫ ଅଲ୍ଲି ଖାନଙ୍କୁ ନେଇ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ରାତି ପ୍ରାୟ ସାଢେ ୨ଟାରେ ଚୋର ପଶି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଛି । ଏହି ଘଟଣା ଏବେ ସବୁଠି ଚାଞ୍ଚଲ୍ୟ ସୃଷ୍ଟି କରିଛି । ତାଙ୍କ ଉପରେ ୬ଥର ଛୁରୀରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ସୈଫଙ୍କ ହାତ, ପିଠି  ଏବଂ ବେକରେ ଆଘାତ ଲାଗିଛି ।  ଯାହା ମଧ୍ୟରୁ ମେରୁଦଣ୍ଡ ନିକଟରେ ୨ଟି ଗଭୀର ଆଘାତ ଲାଗିଛି । ଆହାତ ଅବସ୍ଥାରେ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ । ଏହାରି ମଧ୍ୟରେ ସୈଫଙ୍କ ଘରେ ଚୋର ପଶିଥିବା ଖବରକୁ ନେଇ ସୋସିଆଲ ମଡିଆରେ ପ୍ରଶ୍ନର ଝଡ଼ ଦେଖିବାକୁ ମିଳିଛି । ଏବଂ  ତାଙ୍କ ଫ୍ୟାନ୍ସଙ୍କ  ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ଚୋରି ଥିଓରୀକୁ କେହି ମଧ୍ୟ ବିଶ୍ୱାସ କରୁନାହାନ୍ତି ।  କେହି କେହି ଏହି ଆକ୍ରମଣ ପଛି କିଛି ଅନ୍ୟ କାରଣ ଥିବା ସନ୍ଦେହ କରୁଛନ୍ତି ।

ଅନ୍ୟପଟେ ସୂଚନା ମୁତାବକ, ମୁମ୍ୱାଇ ପୋଲିସ ନିଜ ବୟାନରେ କହିଛି ଯେ, ବିଳମ୍ୱିତ ରାତିରେ ଜଣେ ଅଜଣା ବ୍ୟକ୍ତି ଅଭିନେତା ସୈଫ ଅଲ୍ଲି ଖାନଙ୍କ ଘରେ ପଶି ଯାଇଥିଲା  । ଏବଂ ଚାକରାଣୀ ସହ ଯୁକ୍ତି ତର୍କ କରୁଥିଲା । ଏହି ସମୟରେ ସୈଫ ଘଟଣାରେ ହସ୍ତକ୍ଷେପ କରିବା ଏବଂ ବୁଝାସୁଝା କରିବାକୁ ଚେଷ୍ଟା କରିବା ବେଳେ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା  ।  ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି ପୋଲିସ ।

ଏହି ଖବର ସାମ୍ନାକୁ ଆସିଲା ପରେ ସବୁଠି ଚାଞ୍ଚଲ୍ୟ ଖେଳିଯାଇଛି ।  ସୋସିଆଲ ମିଡିଆରେ ଲୋକେ କମେଣ୍ଟ କରିଛନ୍ତି । ଟ୍ୱିଟରରେ ଏବେ #SaifAliKhan ଟ୍ରେଣ୍ଡ କରୁଛି । ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା ଚୋରି ମାମଲା ପରି ଲାଗୁନାହିଁ, ମୁମ୍ୱାଇରେ କୌଣସି ସେଲିବ୍ରେଟି ଘରେ ପଶିବା ଏତେ ବି ସହଜ ନୁହେଁ ।’ ସେହିଭଳି ଆଉଜଣେ ୟୁଜର୍ସ ଲେଖିଛନ୍ତି , ଏଭଳି ଘଟଣାକୁ ନେଇ ଆନେକ ପ୍ରଶ୍ନ ସୃଷ୍ଟି ହେଉଛି । ୨୪/୭ ଘଣ୍ଟା କଡ଼ା ସୁରକ୍ଷା ବଳୟରେ ରହୁଥିବା ଘରେ କିପରି ଚୋର ପଶି ପାରିବ? ସାଧାରଣ ଲୋକଙ୍କ କଲୋନୀରେ ତ ୨୪ ଘଣ୍ଟା ଜଗୁଆଳି ଥାଏ  । ତେବେ ଏଭଳି ସେଲିବ୍ରେଟିଙ୍କ ଘରେ ପଶିବା ପାଇଁ ତ ଅନେକ ସୁରକ୍ଷା କବଚ ଥିବ । ଏହାକୁ ଭେଦ କରି ଜଣେ ଦୁର୍ବୃତ୍ତ କିଭଳି ପଶିବ ?

ସେପଟେ କରୀନା କପୁର ଖାନ ଏବଂ ସୈଫଙ୍କ ଟିମ୍ ତରଫରୁ ପ୍ରତିକ୍ରିୟା ରହିଛି ଯେ, ସୈଫଙ୍କ ହାତ, ପିଠି ଆଦିରେ ଗଭୀର ଆଘାତ ଲାଗିଛି । ସେଥିପାଇଁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାରର ଅନ୍ୟ ସଦସ୍ୟ ସୁରକ୍ଷିତ ଅଛନ୍ତି । ଏହା ପୋଲିସର ମାମଲା ଅଟେ ଏଥିପାଇଁ ଧୈର୍ଯ୍ୟ ରଖନ୍ତୁ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା

ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ପିଟିପିଟି ହତ୍ୟା। କଟକ ଜିଲ୍ଲା ବାଙ୍କୀ ଥାନା ରତାଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସେହି ଗାଁର ସୁମନ୍ତ କୁମାର ସାହୁ। ବଡବନ୍ଧିଆଣି ଠାକୁରାଣୀଙ୍କ ପୀଠରେ ମକରମେଳା ଦେଖି ଘରକୁ ଫେରୁଥିବାବେଳେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଗାଁର କିଛି ଯୁବକ ରାସ୍ତାରେ ଅଟକାଇ ତାଙ୍କୁ ଠେଙ୍ଗାରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏତଲା ଦିଆଯାଇଛି। ଏତଲା ଆଧାରରେ ବାଙ୍କୀ ପୋଲିସ ୬ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତନାଘନା ଚଳାଇଛି । ସେପଟେ ଏହି ଘଟଣାକୁ ନେଇ ବାଙ୍କୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।