ବାଲେଶ୍ଵର: ବସ୍ତି ଉଚ୍ଛେଦ ବେଳେ ବାଲେଶ୍ଵରରେ ପ୍ରବଳ ଉତ୍ତେଜନା। ଲୋକଙ୍କ ଘର ଉପରେ ବୁଲଡୋଜର ଚଢ଼ିବା ଦେଖି ଲୋକେ କାନ୍ଦି ପକାଇଲେ। କିଛି ମହିଳା ବୁଲଡୋଜର ଆଗରେ ଠିଆ ହୋଇ ଯାଇଥିଲେ। ସେମାନେ ଦାବି କରିଛନ୍ତି, ଆମକୁ କିଛି ସମୟ ଦିଆଯାଉ। ନିଜ ଜିନିଷ ପତ୍ର ନେବେ। ସମୟ ନ ଦେଇ ଘର ଭଙ୍ଗା ଯାଉଥିବାରୁ କୁଆଡ଼େ ଯିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଏପରିକି କିଛି ମହିଳା ଜେସିବିକୁ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ। ଏହା ପରେ ସେଠାରେ ପୋଲିସ ପ୍ରଶାସନ ପହଞ୍ଚିିଥିଲା। ଲୋକଙ୍କ ସହିତ ଆଲୋଚନା ପରେ ଜେସିବି ଓ ବୁଲଡୋଜର ଫେରି ଯାଇଛି। ରେଳ ଲାଇନ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି। ଏଥିପାଇଁ ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି କରାଯାଇଛି କର୍ଫ୍ୟୁ । ଲୋକେ ଅଭିଯୋଗ କରିଛନ୍ତି, ଏବର ବିଜେପି ସରକାର ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ସେଠାକାର ସ୍ଥାନୀୟ କାଉନସିଲର ମଧ୍ୟ ବିଜେପିର । ତଥାପି କେହି କିଛି ବୁଝୁ ନାହାନ୍ତି। ନବୀନ ସରକାର ବେଳେ ଏପରି ହେଉନଥିଲା ବୋଲି ବସ୍ତି ବାସିନ୍ଦା କହିଛନ୍ତି।
ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା: ଜଣେ ଅଭିଯୁକ୍ତ ଅଟକ
ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳ ଖଜୁରିଆ ନିକଟ ଏକ ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା। ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। କେତେ ଦିନ ଧରି ସେହି ଅର୍ଦ୍ଧ ନିର୍ମିତ ଘରେ କଣ ଯୋଜନା ଚାଲିଥିଲା ଏହାର ତନାଘନା କରୁଛି ପୋଲିସ। ଘଟଣାରେ ମୋଟ ୪ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି। କିଛି ଅପରାଧ ଘଟାଇବା ନେଇ ଯୋଜନା କରୁଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ। ସେପଟେ ଉଦ୍ଧାର ବୋମା ଗୁଡିକୁ ନିଷ୍କ୍ରିୟ କରିଛି ବ୍ରହ୍ମପୁର ପୋଲିସ। ପ୍ରଥମେ ବୋମା ନିଷ୍କ୍ରିୟ କରିବାକୁ ଫୁଲବାଣୀରୁ ସ୍ଵତନ୍ତ୍ର ଟିମ ଡକାଯାଇଥିଲା। ତେବେ ନିଷ୍କ୍ରିୟ କରିବାରେ ବିଫଳ ହେବାରୁ ବ୍ରହ୍ମପୁର ବୋମା ନିଷ୍କ୍ରିୟକାରୀ ଟିମ ବୋମାଗୁଡିକୁ ନିଷ୍କ୍ରିୟ କରିଥିଲେ। ବ୍ରହ୍ମପୁର ପୋଲିସର ପାଟ୍ରୋଲିଂ ଚାଲିଥିବାବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ କିଛି ଅଭିଯୁକ୍ତ। ଏହାପରେ ସେଠାରୁ ୭ ବୋମା ଉଦ୍ଧାର କରାଯାଇଥିଲା ।
କଟକ-ବାଙ୍କୀରେ ଗୋଷ୍ଠୀ ସଂଘର୍ଷ: ପଥର ମାଡ଼ରେ ୪ ଜଣ ଆହତ
କଟକ ବାଙ୍କୀ: କଟକ ବାଙ୍କୀ ଭଗିପୁରରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତକାଲି ରାତିରେ କଟକ ବାଙ୍କୀ ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ଢେଲା ପଥରରେ ମାଡ଼ କରିଥିଲେ ଭଗିପୁରର କିଛି ଯୁବକ। ଆଜି ଗାଁ ଲୋକେ ସେଠାକୁ ଯାଇ ଏ ସଂପର୍କରେ ପଚାରିବାକୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୁଣି ପଥର ମାଡ଼ କରାଯାଇଛି। କଟକ – ବାଙ୍କୀ ରାସ୍ତାରେ ପଥର ମାଡ଼ ହୋଇଛି। ଏଥିପାଇଁ ଏହି ରାସ୍ତାରେ ଯିବା ଆସିବା ବନ୍ଦ ଥିଲା। ସେଠାରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ନେବା ସହ ଲୋକଙ୍କୁ ବୁଝା ସୁଝା କରିଥିବା ଜଣାପଡ଼ିଛି ।

