ନୂଆଦିଲ୍ଲୀ : ସୁଇଡେନର ଓରେବ୍ରୋର ଏକ ଶିକ୍ଷାକେନ୍ଦ୍ରରେ ଆଖିବୁଜା ଗୁଳିମାଡ। ପ୍ରାଣ ହରାଇଛନ୍ତି ୧୦ରୁ ଅଧିକ ଲୋକ। ସୁଇଡେନ ଇତିହାସରେ ଏହା ସବୁଠାରୁ ବଡ଼ ଘାତକ ଆକ୍ରମଣ ବୋଲି କୁହାଯାଇଛି। ଘଟଣାରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟେରସନ। ବୟସ୍କଙ୍କୁ ଶିକ୍ଷା ଦେବା ଲାଗି ଉଦ୍ଦିଷ୍ଟ ରିସବର୍ଗସ୍କା ସ୍କୁଲରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ଶିକ୍ଷାର୍ଥୀମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଗୁଳିମାଡରେ ମୃତକଙ୍କ ସଂଖ୍ଯା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା କୌଣସି ଆତଙ୍କବାଦୀ ହମଲା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି।
ଯୁକ୍ତଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ
ଭୁବନେଶ୍ବର: ଯୁକ୍ତ ଦୁଇ ପରି ଦଶମ ପରୀକ୍ଷା ପରିଚାଳନା ଓ ସୁରକ୍ଷା ଦାୟିତ୍ବ ନେବେ ପ୍ରଶାସନ ଓ ପୋଲିସ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଅନୁରୋଧ କରାଯାଇଛି ।
ଆସନ୍ତା ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦଶମ ପରୀକ୍ଷାର ଗୋପନୀୟ ଦସ୍ତାବିଜ୍ କଟକର ମୁଖ୍ୟାଳୟରୁ ନୋଡାଲ ସେଣ୍ଟର ଯାଏଁ ପହଞ୍ଚାଯିବ । ୩୧୪ଟି ନୋଡାଲ ସେଣ୍ଟରକୁ ଏହି ଗୋପନୀୟ ଦସ୍ତାବିଜର ସଂରକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ସେହିପରି ଉତ୍ତର ଖାତା ବୋର୍ଡ ଅଧିକାରୀଙ୍କ ପାଖକୁ ପଠାଯିବା ସହ ସଂପୂର୍ଣ୍ଣ ପରୀକ୍ଷା ପରିଚାଳନା ଶେଷ ଯାଏଁ ଜିଲ୍ଲାପାଳ ଓ ଏସପି ସମସ୍ତ ପ୍ରକ୍ରିୟାର ତଦାରଖ କରିବେ ।
ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ତେବେ ଦଶମ ଓ ଦ୍ବାଦଶ ପରୀକ୍ଷା ସରିବାର ୪୫ ଦିନରେ ପ୍ରକାଶ ପାଇବ ଫଳାଫଳ ।
ପୋଲିସ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା
ଭଦ୍ରକ: ମାତିଛନ୍ତି ଲଟେରା । ପୋଲିସକୁ ବି ଛାଡୁନାହାନ୍ତି । ଭଦ୍ରକ ପରିବା ମାର୍କେଟରେ ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁଇ ଲୁଟେରା । ବାଇକରେ ଆସି ଲୁଟ କରି ଫେରାର ହେଉଥିବା ବେଳେ ଜଣଙ୍କୁ ମାଡି ବସିଲେ ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ, ମୋନାଲିସା କର ବର୍ତ୍ତମାନ ଏସପିଙ୍କ କାର୍ଯ୍ୟାଳୟରେ ସ୍ପେଶାଲ ରିପୋର୍ଟ ସେକ୍ସନରେ କାର୍ଯ୍ୟ କରୁଛନ୍ତି । ଭଦ୍ରକ ପରିବା ମାର୍କେଟରେ ଆଜି ପରିବା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ ଝାମ୍ପି ଚମ୍ପଟ ମାରିଥିଲେ । ୨ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟବାସିନ୍ଦା । ଲୁଟରେ ବ୍ୟବହାର ଗାଡିକୁ ମଧ୍ୟ ସ୍ଥାନୀୟ ଲୋକେ କାବୁ କରିବା ସହିତ ପୋଲିସର ଜିମା ଦେଇଛନ୍ତି ।
ଅନ୍ୟପଟେ ଲୁଟ ଗାଡିର ନମ୍ବର ପ୍ଲେଟ ଛତିଶଗଡ଼ର ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରିବା ସହିତ ଲୁଟେରାକୁ ପଚାରାଉଚରା ଜାରି ରଖିଛି । ଲୁଟ ଘଟଣାକୁ ନେଇ ସ୍ପେଶଲ୍ ବ୍ରାଞ୍ଚର ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ କହିଛନ୍ତି, ଗିରଫ ଅଭିଯୁକ୍ତ ଇରାନି ଗ୍ୟାଙ୍ଗର । ଏହି ଗ୍ୟାଙ୍ଗ ଏକାଧିକ ଲୁଟରେ ସାମିଲ ଅଛି ।
ରାଜଧାନୀରେ କର୍କଟ ରୋଗ ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର: ଆଜି ବିଶ୍ବ କର୍କଟ ଦିବସ । ଏହି ଅବସରରେ ଭୁବନେଶ୍ବର ଆପ୍ନାଘର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିଟ ଇଜ୍ ଷ୍ଟ୍ରେନ୍ଥ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ଗୋପାଳକୃଷ୍ଣ ଦାସ ଏବଂ ତାଙ୍କ କର୍ମକର୍ତ୍ତା ସାମିଲ ହୋଇ କର୍କଟ ରୋଗ ସମ୍ପର୍କୀତ ସଚେତନତା ବାର୍ତ୍ତା ଦେଇଥିଲେ ।
ଏହି ଅବସରରେ ଟ୍ରଷ୍ଟ ମୁଖ୍ୟ କର୍କଟ ରୋଗା ଶୀଘ୍ର ଚିହ୍ନଟ, ଉଚିତ ସମୟରେ ଉପଚାର, ମାନସିକ ଓ ଆର୍ଥିକ ସହଯୋଗର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଟ୍ରଷ୍ଟ ପକ୍ଷରୁ ଯୋଗା ଯାଉଥିବା ସେବା ସମ୍ପର୍କରେ ଅବଗତ କରାଇବା ସହ କର୍କଟ ରୋଗୀଙ୍କ ସୁଷମ ଖାଦ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ଆପ୍ନାଘରର ମାନସିକ ପରାମର୍ଶଦାତା ଅତସୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକେ
ଭଦ୍ରକ: ଏକ ହତ୍ୟା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡିହିରେ ଉତ୍ତେଜନା । ନ୍ୟାୟ ଦାବିରେ ଫାଟକ ଭାଙ୍ଗି ନାୟକାଣିଡିହି ଥାନାରେ ଧସେଇ ପଶିଲେ ଉତ୍ତ୍ୟକ୍ତ ଲୋକେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରଞ୍ଜଆଡିଆ ଗାଁର ନବଘନ ମଲ୍ଲିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ ।
ଅଭିଯୋଗ ଅନୁସାରେ, କରଞ୍ଜଆଡିଆ ଗାଁର ନବଘନ ମଳିକଙ୍କ ସହ ସେହି ଗ୍ରାମର ଭଗବାନ ମଳିକଙ୍କ ପରିବାର ମଧ୍ଯରେ ଶତ୍ରୁତା ଲାଗି ରହିଥିଲା । ଗତ ୨ ତାରିଖ ଦିନ ନବଘନ ଘଣ୍ଟେଶ୍ଵରରୁ ବାଲିଆପାଳ ଘାଟର ମନ୍ତେଇ ନଦୀ ପାର ହୋଇ ଘରକୁ ଫେରୁଥିବାବେଳେ ଭଗବାନ ମଳିକଙ୍କ ପରିବାର ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଲୋକେ ପହଞ୍ଚିବାରୁ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
ସଂଜ୍ଞାହୀନ ଅବସ୍ଥାରେ ନବଘନକୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ଘରୋଇ ଡାକ୍ତରଖାନାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନବଘନଙ୍କ ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଛି । ନ୍ୟାୟ ଦାବିରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଥାନା ଆଗରେ ଶବ ରଖି ଧାରଣା ଦେଇଛନ୍ତି ଶହ ଶହ ଗ୍ରାମବାସୀ ।
ଥାନାର ଲିଖିତ ଅଭିଯୋଗ ହୋଇ ଥିଲେ ବି ପୋଲିସ କାହାକୁ ଗିରଫ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଥାନା ଭିତରେ ଶବ ରଖି ଗ୍ରାମବାସୀ ଧାରଣା ଦେଇଛନ୍ତି । ଅଭିଯୁକ୍ତ ଗିରଫ ନହେବା ପର୍ଯ୍ଯନ୍ତ ଶବ ଉଠିବ ନାହିଁ ବୋଲି ଜିଦ୍ ଧରିଛନ୍ତି ଉତ୍ତ୍ୟକ୍ତ ଲୋକେ ।
ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପଚାରିଲା ଜଣଙ୍କୁ ମନା କରି ଆଉ ଜଣଙ୍କୁ ଅନୁମତି କାହିଁକି ?
ଭୁବନେଶ୍ବର: ଖଣ୍ଡଗିରି-ଉଦୟଗିରି ମହୋତ୍ସବ ପାଇଁ ଖଣ୍ଡିଗିରି ପାନ୍ଥିକା ପରିସରରେ ସାଂସ୍କୃତିକ ପରିଷଦ ସ୍ଥାନ ଦେବାକୁ ମନା କରି ଖାରବେଳ ନାମକ ଅନୁଷ୍ଠାନକୁ ଦିଆଯିବାକୁ ବିରୋଧ । ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ଏଥିରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟ ଦଳୀୟ ନେତା ବି ସାମିଲ ଥିଲେ ।
ସୂଚନାଯୋଗ୍ୟ, ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ୭ରୁ ୮ ବର୍ଷ ହେବ ଖଣ୍ଡିଗିରି ପାନ୍ଥିକା ପରିସରରେ ହୋଇ ଆସୁଛି । ଏଥର ମହୋତ୍ସବ ପାଇଁ ପର୍ଯ୍ୟଟନ ଉନ୍ନୟନ ନିଗମ ନିକଟରେ ଜାନୁଆରୀ ୩ରେ ଆବେଦନ କରାଯାଇଥିଲା । କିନ୍ତୁ ଫେବୃଆରୀ ୩ ଅର୍ଥାତ ମାସେ ପରେ ଜଣାଗଲା ସେଠି ଖଣ୍ଡଗିରି ମେଳା ପାଇଁ ଅନ୍ୟାନ୍ୟ ଅଫିସ ହେବ । କିନ୍ତୁ ଏବେ ଜାଣିବାକୁ ମିଳିଛି ଖାରବେଳଙ୍କ ନାମରେ ଆଉ ଏକ ସଂସ୍ଥା ସେଠି ଉତ୍ସବ କରିବାକୁ କାର୍ଯ୍ୟ ଆରମ୍ଭ କରିଛି ।
ଯଦି ଭୁବନେଶ୍ୱର ସାଂସ୍କୃତିକ ପରିଷଦକୁ ମନା କରାଗଲା ତା’ହେଲେ ସେହି ଅନୁଷ୍ଠାନକୁ କେମିତି ଅନୁମତି ଦିଆଗଲା ବୋଲି ନିର୍ଦ୍ଦେଶକଙ୍କୁ ପ୍ରଶ୍ନ କରିଛି ବିଜେଡି । ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ଯ ଏଥିପ୍ରତି ଆଖି ବନ୍ଦ କରିଦେଇଛି । ଏଠି ଆଇନର ଶାସନ ଅଛି, ଠେଙ୍ଗାର ଶାସନ ନାହିଁ । ତେଣୁ ଆଇନ ସମ୍ମତ ଢଙ୍ଗରେ ଏହା ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ।
ସେହିପରି ରାଜନୈତିକ ଉଦ୍ଦେଶ୍ଯ ରଖି ଏଭଳି କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା । ଏହା କଳା ସଂସ୍କୃତି ଉପରେ ଆକ୍ରମଣ । ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଭେଟିବା ପରେ ବିଏମସି କମିଶନରଙ୍କୁ ମଧ୍ୟ ଭେଟି ବିଜେଡି ଅଭିଯୋଗ କରିଛି । ଅନ୍ଯପଟେ ବିଜେଡିର ଅଭିଯୋଗ ପରେ ପର୍ଯ୍ୟଟନ ନିର୍ଦ୍ଦେଶକ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।

