ଯାଜପୁର: ବୁଦ୍ଧଙ୍ଗ ଶରଙ୍ଗ ଗଛାମି ଶବ୍ଦରେ ପ୍ରକମ୍ପିତ ହେଉଛି ବୌଦ୍ଧ କୀର୍ତ୍ତିରାଜି ବହନ କରୁଥିବା ଯାଜପୁର ଜିଲ୍ଲାର ଉଦୟଗିରି ବୌଦ୍ଧ ବିହାର । ପ୍ରଥମ ଥର କରି ଉଦୟଗିରିରେ ଅନୁଷ୍ଠିତ ହେଉଛି ଗୁରୁ ପଦ୍ମସମ୍ଭବ ଆନ୍ତର୍ଜାତୀୟ ମହା ସମାବେଶ। ଏଠାରେ ଏକାଠି ହୋଇଛନ୍ତି ୧୭ ଟି ଦେଶରୁ ଆସିଥିବା 1500 ବୌଦ୍ଧ ଭିକ୍ଷୁମାନେ। ବୌଦ୍ଧ ଭିକ୍ଷୁମାନଙ୍କ ଦ୍ଵାରା ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ପ୍ରାର୍ଥନା ସଭା ଅନୁଷ୍ଠିତ ହେଉଛି। ଓଡ଼ିଶାରୁ ସାରା ବିଶ୍ଵ କୁ ଶାନ୍ତି ର ବାର୍ତ୍ତା ଦେଉଛନ୍ତି ବୌଦ୍ଧ ଭିକ୍ଷୁମାନେ। ଗୁରୁ ପଦ୍ମସମ୍ଭବଙ୍କ ବିଷୟରେ କେଉଁଭଳି ଅଧିକ ଲୋକ ଜାଣି ପାରିବେ ବିଶ୍ଵ ରେ କେଉଁଭଳି ଶାନ୍ତି ପ୍ରତିଷ୍ଠା କରିହେବ, ବୁଦ୍ଧଙ୍କ ନୀତିବାଣୀକୁ ସମସ୍ତେ ଆପଣେଇ ପାରିବେ, ସେଥିପାଇଁ ଏହି ମହାସମାବେଶ ଆୟୋଜନ କରାଯାଇଛି। ଏ ନେଇ ବୌଦ୍ଧ ଭିକ୍ଷୁମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ହେମନ୍ତ ଦାସ।
ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା: ଗଞ୍ଜାମରେ ସାନ ଭଉଣୀକୁ ହତ୍ୟା କଲା ଭାଇ
ଗଞ୍ଜାମ: ଭାଇ ଭଉଣୀ ସଂପର୍କରେ ରକ୍ତର ଛିଟା । ଗଞ୍ଜାମ ଜିଲ୍ଲା ଆସିକା ଥାନା ରାଇପୋଲି ଗାଁରେ ସାନ ଭଉଣୀକୁ ହତ୍ୟା କଲା ଭାଇ । ନିଜ ସାନ ଭଉଣୀକୁ ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା । ଆଜି ଭୋର ସମୟରେ ଗାଁର ଶତ୍ରୁଘ୍ନ ପାତ୍ରଙ୍କ ୪୫ ବର୍ଷୀୟ ପୁଅ ବାବାଜୀ ପାତ୍ର ନିଜ ବିବାହିତା ଭଉଣୀ ଲକ୍ଷ୍ମୀ ମହାନ୍ତିକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଭାଇ ବାବାଜୀ ପାତ୍ର ଫେରାର୍ ହୋଇଯାଇଛି । ମୃତ ମହିଳା ଜଣଙ୍କ ହେଲେ ଲକ୍ଷ୍ମୀ ମହାନ୍ତି l ଘର ଭିତରେ ଲକ୍ଷ୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି ରହିଛି । ଶିଳପୁଆରେ ଛେଚିବା ସହିତ ଛୁରୀ ଭୁସି ନିର୍ମମଭାବେ ହତ୍ୟା କରିଛି ବଡ଼ ଭାଇ ।
ଆସନ୍ତାକାଲି ଭଙ୍ଗାହେବ ବିବାଦୀୟ ବୈକୁଣ୍ଠ ଆଶ୍ରମ: ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ବର: କାଲି ଭଙ୍ଗାହେବ ବିବାଦୀୟ ବୈକୁଣ୍ଠ ଆଶ୍ରମ । ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କଲା ବିଡିଏ। କାଲି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଆସନ୍ତାକାଲି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଛି।
୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା: ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲରେ ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ
କଳାହାଣ୍ଡି: ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନୀ ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତ୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି।
ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗୀର ଚମତ୍କାର ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତର ସର୍ବପୂରାତନ କଳା – ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଥାଏ । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନକୁ ପ୍ରତିଫଳିତ କରୁଥିବା ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ଘରୋଇ ଜୈବିକ ଉତ୍ପାଦ ଏହି କଳାତ୍ମକ ପ୍ରଦର୍ଶନର ଏକ ଅଂଶ ଥିଲା । ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରିବାର ପ୍ରଦର୍ଶନ କରି ପର୍ଯ୍ୟଟକଙ୍କୁ ଆଲୁମିନିୟମର ଯାତ୍ରା ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ପରିବେଶ ପରିଚାଳନା ସହ କମ୍ପାନୀର ସ୍ଥାୟୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବେଦାନ୍ତ ଷ୍ଟଲକୁ ଉଦଘାଟନ କରି କଳାହାଣ୍ଡି ସାଂସଦ ମାଲବିକା ଦେବୀ ଓ ଜିଲ୍ଲାପାଳ ସଚିନ ପାୱାର ଏହି ଅଞ୍ଚଳର ସଂସ୍କୃତି ଓ ଆଧୁନିକ ବିକାଶର ଅନନ୍ୟ ମିଶ୍ରଣ ପାଇଁ ଗର୍ବ ପ୍ରକାଶ କରିଥିଲେ।କଳାହାଣ୍ଡି ସାଂସଦ ମାଲବିକା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଘୁମୁରା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ଉତ୍ସବ ଏବଂ ଏହା ଏକ ଜିଲ୍ଲା ଭାବରେ ଆମେ କରୁଥିବା ସାମଗ୍ରିକ ପ୍ରଗତିକୁ ପ୍ରତିଫଳିତ କରେ । ଉଦଘାଟନୀ ଭାଷଣରେ ଜିଲ୍ଲାପାଳ ସଚିନ ପାଓ୍ଵାର କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଆମ ଅଞ୍ଚଳର କାଳଜୟୀ ଐତିହ୍ୟ ଓ ସାମୂହିକ ଭାବନାର ଉତ୍ସବ। ଏଠାରେ ପ୍ରଦର୍ଶିତ ବେଦାନ୍ତର ତୃଣମୂଳସ୍ତରୀୟ ପଦକ୍ଷେପ ଗୁଡ଼ିକ ଆଖପାଖ ଅଞ୍ଚଳକୁ ସମର୍ଥନ ଏବଂ ବିକାଶ କରିପାରିବେ ଏବଂ ସେମାନଙ୍କର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିବେ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ପାରମ୍ପରିକ ଲୋକକଳାର ସଂରକ୍ଷଣ ଦିଗରେ କମ୍ପାନୀର ନିରନ୍ତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି, ଯାହା ଆମ ସମ୍ପ୍ରଦାୟର ସାମଗ୍ରିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ଜିଲ୍ଲାପାଳ କହିଛନ୍ତି।
ବେଦାନ୍ତ ଆଲୁମିନା ବିଜନେସ୍ ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଏହି ଅଞ୍ଚଳର ଆତ୍ମାକୁ ସ୍ମରଣ କରୁଥିବା ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ବେଦାନ୍ତ ଏହି ଭବ୍ୟ ଉତ୍ସବର ଅଂଶ ହୋଇ ଗର୍ବ ଅନୁଭବ କରୁଛି। କେବଳ ଆମର ଶିଳ୍ପ ଉତ୍କର୍ଷତା ନୁହେଁ, କଳାହାଣ୍ଡିର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ସମର୍ପଣକୁ ମଧ୍ୟ ଆମେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ।” ଏହି ଉତ୍ସବ ପ୍ରଗତି ଏବଂ ପରମ୍ପରାର ସଂପୂର୍ଣ୍ଣ ସମନ୍ୱୟକୁ ପ୍ରତିଫଳିତ କରୁଥିବା ବେଳେ ଆମେ ଯୋଗଦାନ କରି ଗର୍ବ ଅନୁଭବ କରୁଛୁ ବୋଲି ସିଇଓ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସମୃଦ୍ଧ କଳା, ପରମ୍ପରା ଓ ଐତିହ୍ୟକୁ ଏକାଠି କରି ଏହି ଅଞ୍ଚଳର ଜୀବନ୍ତ ସଂସ୍କୃତିର ବାର୍ଷିକ ଉତ୍ସବ ହେଉଛି ‘କଳାହାଣ୍ଡି ଉତ୍ସବ- ଘୁମୁରା’।

