ନନ୍ଦିଘୋଷ ବ୍ୟୁରୋ: ୧୫ ଲକ୍ଷ ଟଙ୍କା ପାଇଁ ୫୦ କୋଟିର ଜାହାଜ ଅଟକ। ଜାହାଜ ଏମ୍ ଭି ପର୍ପଲ ଫର୍ଚ୍ୟୁନ କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏମ୍ ଏଚ ବ୍ଲାଣ୍ଡ ଏସ ଏଲ ନାମକ ରପ୍ତାନୀ କାରୀ ସଂସ୍ଥା ପକ୍ଷରୁ କୋର୍ଟରେ କେସ କରାଯାଇଥିଲା। ଜାହାଜକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଥିଲା ଏହି ସଂସ୍ଥା। ମାଲିକ ଟଙ୍କା ନ ଦେବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରପ୍ତାନିକାରୀ ସଂସ୍ଥା। ଜାହାଜଟି ଆଜି ସକାଳେ ପାରାଦ୍ଵୀପ ବନ୍ଦର ଛାଡ଼ିବାର ଥିଲା। ଯୋଗାଣ ସାମଗ୍ରୀ, ସୁଧ ଓ ମାମଲା ପରିଚାଳନା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ଦେବ ଜାହାଜ। ଜବାବ ଦାଖଲ କରିବାକୁ ଜାହାଜ ମାଲିକଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ବିଚାରପତି ଜଷ୍ଟିସ ଏମ୍ ଏମ୍ ରମଣ ମାମଲାର ଶୁଣାଣି କରି ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷ ୨୦୨୪, ଟିମ ଇଣ୍ଡିଆ ପାଇଁ କେତେ ଲାଭ ଦାୟକ ?
ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ସରିବାକୁ ଯାଉଛି ବର୍ଷ ୨୦୨୪ । ବର୍ଷ ୨୦୨୫କୁ ସ୍ବାଗତ କରିବାକୁ ସବୁଠି ବ୍ୟାପକ ପ୍ରସ୍ତୁତି । ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ଦଳ ସେଠାରେ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ । ତେବେ ବର୍ଷର ଶେଷ ମ୍ୟାଚରେ ପରାଜୟର ସାମନା କରିଛି ଭାରତ । ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ହାରିଛି ଭାରତ । ଏହି ମ୍ୟାଚ ହାରିବା ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ କଷ୍ଟସାଧ୍ୟ ହୋଇଛି । ଶେଷ ମ୍ୟାଚକୁ ଅପେକ୍ଷା ରହିଥିବାବେଳେ ଚଳିତ ବର୍ଷର ପ୍ରଦର୍ଶନ ଯଦି କହିବା ତାହେଲେ ଉତଥାନ ପତନ ରହିଛି ।
ଚଳିତ ବର୍ଷ ଭାରତ ଟି-୨୦ ବିଶ୍ବକପ ଜିତିଥିଲେ ସୁଦ୍ଧା ଦିନିକିଆ ଏବଂ ଟେଷ୍ଟରେ ପ୍ରଦର୍ଶନ ସେତେଟା ଭଲ ନାହିଁ । ବାଲାଂଦେଶ ବିପକ୍ଷ ସିରିଜରେ ଭାରତ ବିଜୟ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପରାଜୟ ବରଣ କରିଥିଲା । ୧୨ ବର୍ଷ ପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ଟେଷ୍ଟ ସିରିଜ ହାରିଥିଲା ଭାରତ । ଏହାପରେ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ରହିଥିବାବେଳେ ୨-୧ରେ ପଛୁଆ ରହିଛି । ଅନ୍ତିମ ମ୍ୟାଚରେ ଯଦି ଭାରତ ଜିତେ ତାହେଲେ ସିରିଜ ବରାବର ହେବ । ଘରୋଇ ମାଟି ଆକ୍ରମଣାତ୍ମ ଢ଼ଙ୍ଗରେ ଖେଳୁଥିବା ଅଷ୍ଟ୍ରେଲିଆକୁ ସାମନା କରିବାରେ ଭାରତ ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ଚଳିତ ବର୍ଷର ଖେଳ କଥା ଯଦି କହିବା ତାହେଲେ ଭାରତ ପାଇଁ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବନାହିଁ । ଟେଷ୍ଟ ମ୍ୟାଚ କଥା ଯଦି କହିବା ତାହେଲେ ଚଳିତ ବର୍ଷ ଦଳ ୬ଟି ଇନିଂସରେ ୧୬୦ ରନରୁ କମ ସ୍କୋର କରିଛି । ଏହା କେବଳ ୧୯୫୨ ଏବଂ ୧୯୫୯ କ୍ୟାଲେଣ୍ଡର ବର୍ଷରେ ଦେଖିବାକୁ ମିଳିଥିଲା ।
ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼
ନନ୍ଦିଘୋଷ ବ୍ୟୁରୋ: ପୁରୀ ପାଲଟିଛି ଜନସମୁଦ୍ର। ଆଜି ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଆସିଛନ୍ତି ହଜାର ହଜାର ଭକ୍ତ। ପ୍ରବଳ ଗହଳି ହୋଇଛି। ଦେଖିବାକୁ ଗଲେ ବର୍ଷର ଶେଷ ସପ୍ତାହ ଆରମ୍ଭ ହେବା ପରଠୁ ହିଁ ଏଭଳି ଗହଳି ବଢ଼ିପାରେ ଲାଗିଛି। ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକ ଯାଏଁ ଲଗାଯାଇଛି ଲମ୍ବା ବ୍ୟାରିକେଡ୍। ଏହା ସହିତ ଆଜି ଓ କାଲି ପାଇଁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଅନୁମତି ଦିଆଯାଇଛି। ବାକି ଦ୍ଵାରରେ ସମସ୍ତେ ପ୍ରସ୍ଥାନ କରିବେ। ଆଜି ଓ କାଲି ମାର୍କେଟ ଛକ ଠାରୁ ନୋ ଭେହିକିଲ୍ ଜୋନ୍ କରାଯାଇଛି। ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପୁରୀ ଆସୁଥିବା ଗାଡ଼ି ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରିଛି ପ୍ରଶାସନ ।
ପାକିସ୍ତାନ ସେନା ବେସ ଉପରେ ତାଲିବାନର କବଜା
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ସେନା ବେସ ଉପରେ ତାଲିବାନର କବଜା। ଖାଇବର ପଖତୁନୱାରେ ସେନାର ଏକ ପୋଷ୍ଟ ହାତେଇଲା ତେହରିକ ଏ ତାଲିବାନ। ସେନାର ପୋଷ୍ଟ ଉପରେ କବଜା କରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଛି ତାଲିବାନ। ଆଫଗାନିସ୍ଥାନ ଏବଂ ପାକିସ୍ତାନ ମଧ୍ୟରେ ଡୁରାଣ୍ଡ ସୀମାରେ ତେହରିକ ଏ ତାଲିବାନ ପାକିସ୍ତାନTTP ସଂଗଠନର ଆତଙ୍କୀ ପାକିସ୍ତାନ ସେନାର ପୋଷ୍ଟକୁ ଅକ୍ତିଆର କରିଛନ୍ତି। କବଜା କରିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆତଙ୍କୀ ଖାଇବର ପଖତୁନୱା ଏବଂ ବାଜୌର ଜିଲ୍ଲାର ସାଲାରଜାଇ ଅଂଚଳରେ ହମଲା କରିଥିଲେ। ଆତଙ୍କୀ ଆକ୍ରମଣ ପୂର୍ବରୁ ପାକିସ୍ତାନ ସେନା ଏହି ପୋଷ୍ଟକୁ ଖାଲି କରି ଦେଇଥିଲେ। ଏଠାରୁ ସେନାର ଯବାନଙ୍କୁ ହଟାଇ ଦେଇଥିଲା ପାକିସ୍ତାନ।
କେବଳ ବାଜୌର ଜିଲ୍ଲା ନୁହଁ ଉତ୍ତର ଏବଂ ଦକ୍ଷିଣ ବଜିରିସ୍ଥାନରେ ଅନେକ ଅଂଚଳରେ ମଧ୍ୟ ସେନାର ବେସକୁ ଖାଲି କରି ଦେଇଛି ପାକିସ୍ତାନ। ସୈନିକ ମାନଙ୍କୁ ନୂଆ ବେସକୁ ସ୍ଥାନାନ୍ତର କରିଛି ପାକିସ୍ତାନ ସେନା।ପାକିସ୍ତାନ ସେନାକୁ ଟାର୍ଗେଟ କରି ଆତଙ୍କୀ ଗତିବିଧି ଅନେକ ମାତ୍ରାରେ ବୃଦ୍ଧି ପାଇଛି। ପାକିସ୍ତାନ ସେନା ଉପରେ ତାଲିବାନ ଆତଙ୍କୀଙ୍କ କବଜା ବଡ଼଼ ଆକ୍ରମଣ ଭାବେ ଦେଖାଯାଉଛି। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀ ସଂଗଠନ ତେହରିକ ଏ ତାଲିବାନ ପାକିସ୍ତାନ TTP ଆଫଗାନିସ୍ଥାନରେ ପାକିସ୍ତାନର ବିମାନ ଆକ୍ରମଣର ଯବାବ ଦେବାକୁ ଯାଇ ଏହି ଆକ୍ରମଣ କରିଛି। କିଛିଦିନ ତଳେ ଆଫଗାନିସ୍ଥାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୪୬ ଜଣ ନାଗରିଙ୍କ ମୃତ୍ଯୁ ଘଟିଥିଲା। ଆକ୍ରମଣରେ ୬ ଜଣ ଗୁରୁତର ହୋଇ ପଡିଥିଲେ। ତେବେ ପାଲଟା ଜବାବରେ ପାକିସ୍ତାନର ୧୯ ଜବାନଙ୍କ ମୃତ୍ଯୁ ଘଟିଥିଲା।
ଆଜିଠୁ ରାଜ୍ୟରେ ବଢିବ ଜାଡ
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ରାଜ୍ୟରେ ବଢିବ ଜାଡ। ୩ ଦିନ ମଧ୍ୟରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ। ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ ବୋଲି ଆକଳନ କରାଯାଇଛି। ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲାଗି ରହିବ।
ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ। ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ। ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର ଏବଂ ଝାରସୁଗୁଡାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି। ଏହି ୪ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିପାରେ ଦୃଶ୍ୟମାନ ଦୂରତା। ଗତ ୨୪ ଘଣ୍ଟା ମଧ୍ୟରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ ହୋଇଛି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ମୋଟ ସଂପତ୍ତି ହେଲା ୯୩୧ କୋଟି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ। ତାଙ୍କ ସଂପତ୍ତି ହେଲା ମାତ୍ର ୧୫ ଲକ୍ଷ ଟଙ୍କା। ଏଡିଆର ପକ୍ଷରୁ ଜାରି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ଓ ଅପରାଧିକ ସମ୍ପର୍କିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ଅର୍ଥାତ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧ ମାମଲା ଥିବା ଦର୍ଶା ଯାଇଛି।
ରିପୋର୍ଟ ଅନୁସାରେ ଦେଶର ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ପରିମାଣ ୫୨ କୋଟି ୫୯ ଲକ୍ଷ ଟଙ୍କା। ଏହି ସମୟରେ ଦେଶର ମୁଣ୍ଡପିଛା ଜାତୀୟ ଆୟ ଅର୍ଥାତ ଏନଏନଆଇ ୨୦୨୩-୨୪ରେ ପାଖାପାଖି ୧ ଲକ୍ଷ ୮୫ ହଜାର ୮୫୪ ଟଙ୍କା ଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ହାରାହାରି ବ୍ୟକ୍ତିଗତ ଆୟ ଥିଲା ୧୩ ଲକ୍ଷ ୬୪ ହଜାର ୩୧୦ ଟଙ୍କା, ଯାହା ଭାରତର ମୁଣ୍ଡପିଛା ଆୟର ୭.୩ ଗୁଣାରୁ ବି ଅଧିକ। ଦେଶର ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ୧ ହଜାର ୬୩୦ କୋଟି ଟଙ୍କା। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସଂପତ୍ତି ୩୩୨ କୋଟି ।
ସେ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା ୫୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସହ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କର ସଂପତ୍ତି ୪୧ କୋଟିରୁ ଅଧିକ । ତାଙ୍କ ନିଜର ବାର୍ଷିକ ଆୟ ୨୪ ଲକ୍ଷ ଟଙ୍କାରୁ ଅଧିକ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତି ୨୫କୋଟି ୩୩ଲକ୍ଷ ଟଙ୍କାରୁ ଅଧିକ। ତାଙ୍କର ବ୍ୟକ୍ତିଗତ ଆୟ ୨୨ ଲକ୍ଷ ଟଙ୍କାରୁ ଅଧିକ। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସଂପତ୍ତି ୫୫ଲକ୍ଷ ଟଙ୍କା ।
ମମତାଙ୍କ ପରେ ଗରିବ ମୁଖ୍ୟମନ୍ତ୍ରୀ ତାଲିକାର ସେ ଦ୍ଵିତୀୟ ସ୍ଥାନରେ। ତାଙ୍କ ପଛକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସଂପତ୍ତି ୧ କୋଟି ୧୮ ଲକ୍ଷ ଟଙ୍କା। ଋଣୀ ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ପେମା ଖାଣ୍ଡୁ ୧୮୦ କୋଟି ଟଙ୍କାର ଋଣ ସହିତ ପ୍ରଥମ ସ୍ଥାନରେ ଅଛନ୍ତି। ତାଙ୍କ ପଛକୁ ସିଦ୍ଧରମୈୟା ୨୩ କୋଟି ଟଙ୍କା ଋଣ କରିଥିବା ବେଳେ ଚନ୍ଦ୍ରବାବୁ ନାୟଡୁଙ୍କ ଉପରେ ୧୦ କୋଟି ଟଙ୍କାର ଋଣ ଭାର ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୋଟ ସମ୍ପତ୍ତି ୧ କୋଟି ୫୪ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ଆୟ ୧୩ଲକ୍ଷ ଟଙ୍କାରୁ ବି ଅଧିକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ମୋଟ ସମ୍ପତ୍ତି ୧ କୋଟି ୪୬ ଲକ୍ଷ ଟଙ୍କା ହୋଇଥିବା ବେଳେ ତାଙ୍କର ବ୍ୟକ୍ତିଗତ ଆୟ ୬ଲକ୍ଷରୁ ଅଧିକ ।
ଫସଲହାନି ନେଇ ୪ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଆଜି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଫସଲହାନି ସ୍ଥିତିର ସମୀକ୍ଷା ଲାଗି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ। ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ।
ଆଜି ଓ ଆସନ୍ତାକାଲି ଦେଖିବାକୁ ମିଳିବ ବ୍ଲାକ ମୁନ୍
ଭୁବନେଶ୍ବର : ଆଜି ଓ ଆସନ୍ତାକାଲି ଦେଖିବାକୁ ମିଳିବ ବ୍ଲାକ ମୁନ। କଥାକଥିତ ବହୁ ପ୍ରଚାରିତ କଳା ଜହ୍ନ ରାତିର ଆକାଶରେ ଦେଖାଯିବ ନାହିଁ। ଆଜି ରାତିର ଆକାଶରେ ସବୁ ଅମାବାସ୍ୟା ଭଳି ଜହ୍ନ ବିଲକୁଲ୍ ଦେଖାଯିବ ନାହିଁ ଓ ୩୧ ତାରିଖରେ ଧଳା ବଙ୍କୁଲି ଜହ୍ନ ଦେଖାଯିବ। ପ୍ରକୃତରେ କଣ ଏହି କଳା ଜହ୍ନ। ଏକ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ଅମାବାସ୍ୟା ପଡିଲେ ଦ୍ୱିତୀୟ ଅମାବାସ୍ୟାକୁ “କଳା ଜହ୍ନ”ଭାବରେ ନାମିତ କରାଯାଏ। ଠିକ ସେହିପରି ଗୋଟିଏ ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ ଦ୍ୱିତୀୟ ପୂର୍ଣ୍ଣିମାକୁ “ନୀଳ ଜହ୍ନ” ଭାବରେ ନାମିତ କରାଯାଏ। ଏହା କେବଳ ଏକ ନାମକରଣ ଯାହାକି ଏକ କ୍ୟାଲେଣ୍ଡର ମାସରେ ଦ୍ୱିତୀୟ ଅମାବାସ୍ୟାକୁ ବ୍ୟାଖ୍ୟା କରିବା ପାଇଁ ବ୍ୟବହୃତ ହୁଏ। କଳା ଜହ୍ନ ଶବ୍ଦଟି ଜ୍ୟୋତିର୍ବିଜ୍ଞାନରେ ଏତେ ବ୍ୟବହାର କରାଯାଏ ନାହିଁ ଏହା ଏକ ଲୋକପ୍ରିୟ ନାମମାତ୍ର। ଏହା ଏକ ବିରଳ ଘଟଣା ହେଇଥିବାରୁ ଏହାର ଏଭଳି ନାମକରଣ କରାଯାଇଛି। ୩୦ ଦିନିଆ ମାସ ଅପେକ୍ଷା ୩୧ ଦିନିଆ ମାସରେ ଏକ କଳାଜହ୍ନ ହେବାର ସମ୍ଭାବନା ଅଧିକ । ଫେବୃଆରୀରେ କଳା ଜହ୍ନ ସମ୍ଭବ ନୁହେଁ କାରଣ ଏହା ୨୮ ଦିନ, ଏବଂ ୨୯ ଦିନର ହେଇଥାଏ । ୩୧ ଦିନ ଥିବା ମାସରେ ନୀଳଜହ୍ନ ୨ ରୁ ୩ ବର୍ଷ ମଧ୍ୟରେ ପଡେ । ଏପରି ନୀଳଜହ୍ନ ଗତ ୨୦୨୨ ମସିହା ଅଗଷ୍ଟ ମାସରେ ଘଟିଥିଲା, ପରବର୍ତ୍ତୀ ଟି ମେ- ୨୦୨୬ ମସିହାରେ ପଡିବ । କଳା ରଙ୍ଗର ଜହ୍ନ ଅତ୍ୟନ୍ତ ବିରଳ ଏବଂ କ୍ୟାଲେଣ୍ଡର କିମ୍ବା ଚନ୍ଦ୍ର କଳା ସହିତ ଏହାର କୌଣସି ସମ୍ପର୍କ ନାହିଁ । ବାୟୁମଣ୍ଡଳରେ ଆଗ୍ନେୟଗିରି ପାଉଁଶ ଏବଂ ଧୂଆଁ, ବାୟୁରେ ଜଳ ବୁନ୍ଦା କିମ୍ବା କିଛି ପ୍ରକାରର ମେଘ ଆଦିର ସ୍ଥିତି ଯୋଗୁଁ କେବେ କେବେ ଏକ ପୂର୍ଣ୍ଣିମା ଜହ୍ନ କିଛି ସମୟ ପାଇଁ କଳା ଦେଖାଯାଇପାରେ। କିନ୍ତୁ ଏହା ଅତି ବିରଳ। ଡିସେମ୍ବର ୩୧ ଭୋର ୪ଟାରେ ଅମାବାସ୍ୟା ଘଟିବ। ଭାରତରେ ୩୧ ତାରିଖରେ ଅଳ୍ପ ସମୟ ପାଇଁ ସୂର୍ଯ୍ୟାସ୍ତ ପରେ ଅମାବାସ୍ୟା ଚନ୍ଦ୍ର ଦେଖାଯିବ।
ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ, ଦେଶ ପାଇଁ ଆଣିଲେ ଗୌରବ
ନୂଆଦିଲ୍ଲୀ : ଇତିହାସ ରଚିଲେ କାମ୍ୟା କାର୍ତ୍ତିକେୟନ। ୧୭ ବର୍ଷୀୟ କାମ୍ୟା ଦୁନିଆର ସବୁଠାରୁ କମ ବୟସର ମହିଳା ପର୍ବତାରୋହୀ ଭାବେ ଗୌରବ ଅର୍ଜନ କରିଛନ୍ତି। ୭ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆରୋହଣ କରି ଇତିହାସ ସୃଷ୍ଟି କରିଛନ୍ତି ପର୍ବତାରୋହୀ କାମ୍ୟା କାର୍ତ୍ତିକେୟନ। ମୁମ୍ବାଇରେ ଥିବା ଭାରତୀୟ ନୌସେନା ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀ ଛାତ୍ରୀ ହେଉଛନ୍ତି କାମ୍ୟା କାର୍ତ୍ତିକେୟନ। ଗତ ୨୪ ତାରିଖରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି କାମ୍ୟା। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୫ଟା ୨୦ ମିନିଟ ସମୟରେ ସେ ଆଣ୍ଟାର୍କାଟିକା ମହାଦେଶର ମାଉଣ୍ଟ ୱିନସନ ଗିରିଶୃଙ୍ଗ ଆରୋହଣ କରିଥିଲେ।ଏହି ଯାତ୍ରାରେ କାମ୍ୟାଙ୍କ ସାଥିରେ ତାଙ୍କ ବାପା, ଭାରତୀୟ ନୌସେନା କମାଣ୍ଡର ମଧ୍ୟ ସାମିଲ ଥିଲେ। ଉଭୟ ଆଣ୍ଟାର୍କାଟିକାର ୧୬ ହଜାର ୫୦ ଫୁଟ ଉପରେ ଥିବା ଗିରିଶୃଙ୍ଖ ଆରୋହଣ କରିଥିଲେ। କାମ୍ୟା କାର୍ତ୍ତିକେୟନ ପର୍ବତାରୋହଣ ୧୩ ବର୍ଷ ବୟସରେ ଆରମ୍ଭ କରିଥିଲେ। ଏହି ସଫଳତା ସାହସ, ଦୃଢ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତିର ଉଦାହରଣ ପାଲଟିଛି। କାମ୍ୟା କାର୍ତ୍ତିକେୟନ ଆଫ୍ରିକାର ମାଉଣ୍ଟ କିଲିମଞ୍ଜରୋ, ୟୁରୋପର ମାଉଣ୍ଟ ଏଲବ୍ରୁସ, ଅଷ୍ଟ୍ରେଲିଆର ମାଉଣ୍ଟ କୋସିୟଜସ୍କୋ, ଦକ୍ଷିଣ ଆମେରିକାରର ମାଉଣ୍ଟ ଅକୌକାଗୁଆ, ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ଏସିଆର ମାଉଣ୍ଟ ଏଭରେଷ୍ଟ ଏବଂ ଆଣ୍ଟାର୍କାଟିକାର ମାଉଣ୍ଟ ୱିନସନ ରହିଛି। କାମ୍ୟା କାର୍ତ୍ତିକେୟନଙ୍କ ଏହି ସଫଳତା ଭାରତ ଏବଂ ଭାରତୀୟ ନୌସେନା ପାଇଁ ଗର୍ବର ମୁହୂର୍ତ୍ତ। ଏହି ଅବସରରେ କାମ୍ୟା ଏବଂ ତାଙ୍କ ବାପାଙ୍କୁ ନୌସେନା ପକ୍ଷରୁ ଅଭିନନ୍ଦନ ପ୍ରଦାନ କରାଯାଇଛି। ସଫଳତାକୁ ଐତିହାସିକ ଉପଲବ୍ଧୀ ଦର୍ଶାଇବା ସହ ଯୁବବର୍ଗଙ୍କ ଏହା ଅସୀମ ସାହସ ଏବଂ କ୍ଷମତାକୁ ଦର୍ଶାଉଅଛି।
ସାରା ପଞ୍ଜାବରେ ତାତିଲେ ଚାଷୀ, ରାସ୍ତା ଅବରୋଧ ସହ ରେଲରୋକ
ଚଣ୍ଡୀଗଡ଼ : ସାରା ପଞ୍ଜାବରେ ତାତିଲେ ଚାଷୀ। ରାଜ୍ଯର ଅଧିକାଂଶ ରାସ୍ତାକୁ ଅବରୋଧ କରିବା ରେଲରୋକ କରିଛନ୍ତି ଅନ୍ନଦାତା। ଆନ୍ଦୋଳନ ଫଳରେ ରାଜ୍ଯରେ ଜନଜୀବନ ଓ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ହଜାର ହଜାର ଚାଷୀ। ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସକାଶେ ଆଇନଗତ ଗ୍ଯାରେଣ୍ଟି, କୃଷିଋଣ ଛାଡ କରିବା ଆଦି ଦାବି କରୁଛନ୍ତି ଆନ୍ଦୋଳନକାରୀ। ଚାଷୀମାନେ ମୋହାଲି, କୁରାଲି ରୋଡ ଟୋଲ ପ୍ଲାଜା, ଅମ୍ବାଲା ଦିଲ୍ଲୀ ରାଜପଥ, ଖରାର-ମୋରିନ୍ଦା ରାଜପଥ ଆଦିରେ ରାସ୍ତାରୋକ କରିଛନ୍ତି। ରାଜ୍ଯର ପ୍ରାୟ ୨୦୦ଟି ସ୍ଥାନରେ ରାସ୍ତାରୋକ ହୋଇଛି। ପ୍ରଭାବେର ୧୬୦ରୁ ଅଧିକ ଟ୍ରେନର ଯାତାୟାଯ ବାଧାପ୍ରାପ୍ତ ହୋଇଛି। ସେପଟେ ଚାଷୀ ନେତା ଜଗଜିତ ସିଂ ଦାଲେୱାଲଙ୍କ ଆମରଣ ଅନଶନ ପହଞ୍ଚିଛି ୩୫ ଦିନରେ।

