ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ନବୀନ ଉଲ୍ଲେଖ କରିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ଘରେ ୩ ଦିନ ଭିତରେ ପୁଣି ଥରେ ଚୋରି ଉଦ୍ୟମ ହେବା ମତେ ବିଚଳିତ କରିଛି। କିଛି ଦିନ ତଳେ ପ୍ରବାସୀ ଭାରତୀୟ ଦିବସ ବେଳେ ସାରା ବିଶ୍ଵରୁ ଭାରତୀୟମାନେ ଭୁବନେଶ୍ଵର ଆସିଥିବା ବେଳଏ ରାଜଧାନୀ ଛାତି ଉପରେ ଏକ ବୀଭତ୍ସ ହତ୍ଯାକାଣ୍ଡ ହେଲା। ଏବେ ଏତେ ବଡ଼ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସବୁଠୁ ସୁରକ୍ଷିତ ଗଣାଯାଉଥିବା ଅଞ୍ଚଳରୁ ଚୋରି ହେବା ଲୋକେ ଦେଖୁଛନ୍ତି। ଏଥିରୁ ଲାଗୁଛି ପୋଲିସ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଆଉ କୌଣସି ଡର, ଭୟ ନାହିଁ। ବର୍ତ୍ତମାନ ଲୋକେ ଭୟରେ ରହୁଛନ୍ତି। ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ଉପରେ ଥିବା ବିଶ୍ଵାସ ଏବେ ଭାଙ୍ଗିବାକୁ ଲାଗିଛି। ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ। ତେବେ ଯାଇ ଲୋକେ ନିଜକୁ ପୁଣି ଥରେ ସୁରକ୍ଷିତ ମନେ କରିବେ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ।
ସୀମା ଟପିଲା ଦାଦନ ନିର୍ଯ୍ୟାତନା, ଅଙ୍ଗେଲିଭା କାହାଣୀ ବଖାଣିଲେ ଉଦ୍ଧାର ଶ୍ରମିକ
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ଧରୁନାହିଁ । ଦାଦନ ନିର୍ଯାତନା ସବୁ ସୀମା ଟପିଛି । ତେଲେଙ୍ଗାନାରୁ ଫେରିବା ପରେ ଦୁଃଖ ବଖାଣିଛନ୍ତି ଲୋକେ । ଗତ ନଭେମ୍ବର ମାସରେ କଣ୍ଟାବାଞ୍ଜିର ଦାଦନ ସର୍ଦ୍ଦାର ପପୁ ଖାନ ବଲାଙ୍ଗୀର ଜିଲ୍ଲାର ନାନ୍ଦୁପଲ୍ଲା, ମହରାପଦର ଓ ସରମୁହାଣ ଗାଁର ୨୩ ଜଣ ଶ୍ରମିକକୁ ବେଆଇନ ଭାବେ ତେଲେଙ୍ଗାନା ଚାଲାଣ କରିଥିଲା । ଶ୍ରମିକଙ୍କୁ ରଙ୍ଗାରେଡ୍ଡୀ ଜିଲ୍ଲା ସୁଲତାନପଲ୍ଲୀରେ ଥିବା GNB ଇଟାଭାଟିକୁ ନିଆଯାଇଥିଲା । ଇଡାଭାଟି ମାଲିକଙ୍କ ଠାରୁ ଜଣକ ପିଛା ୩୦ ହଜାର ଟଙ୍କା ନେଇ ଚାଲିଆସିଥିଲା ଦାଦନ ଶ୍ରମିକ । ଇଟାଭାଟି ମାଲିକ ସପ୍ତାହରେ ପରିବାର ପିଛା ୨ ଶହ ଟଙ୍କା ଖାଇବାକୁ ଦେଇଥିଲା । ଇଟାଭାଟିରେ ମହିଳା, ଯୁବତୀ ଶ୍ରମିକକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦ କଲେ ପୁରୁଷ ଶ୍ରମିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିଲେ ଇଟାଭାଟି ମାଲିକ ଓ ତାର ଗୁଣ୍ଡା । ଶ୍ରମିକମାନଙ୍କୁ ୨୪ ଘଣ୍ଟା ଜଗିରହୁଥିଲେ ଇଟାଭାଟି ମାଲିକର ଗୁଣ୍ଡା । ଦେହ ଅସୁସ୍ଥ ହେଲେ ମଧ୍ୟ କାମ କରିବାକୁ ପଡୁଥିଲା । ୨ ମାସ ଧରି ନିର୍ଯାତିତ ପରେ ଶ୍ରମିକମାନେ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ । ଜିଲ୍ଲା ଶ୍ରମବିଭାଗ ସହାୟତରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକମାନେ ଭୋକ ଉପାସରେ ଟ୍ରେନରେ ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବା ପରେ ସର୍ଦ୍ଦାର ପପୁ ଖାନର ଗୁଣ୍ଡାମାନେ ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ । ଭୟରେ ଗାଁକୁ ନଫେରି ଜିଲ୍ଲା ଓ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଦାଦନ ପ୍ରବଣ ଅଞ୍ଚଳରେ ଶ୍ରମିକ ଚାଲାଣ ରୋକିବାକୁ ଟାସ୍କଫୋର୍ସ ଗଠନ କରାଯାଇଛି । ନାମକୁ ମାତ୍ର ଟାସ୍କଫୋର୍ସ ଗଠନ କରି ସରକାର ଚୁପ୍ ରହିଥିବା ବେଳେ ଜିଲ୍ଲା ଶ୍ରମବିଭାଗ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ : ମୈଦାନରେ ତିନି ଦଳର ମାରାଥନ ପ୍ରଚାର
ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନୀ ଦଙ୍ଗଲ । ନିର୍ବାଚନୀ ମୈଦାନରେ ତିନି ଦଳର ମାରାଥନ ପ୍ରଚାର । ଦିଲ୍ଲୀର ନିର୍ବାଚନ ଲଢ଼େଇ ବସ୍ତି ଅଞ୍ଚଳରେ ପଡ଼ିଛି । ଦିଲ୍ଲୀରେ କଂଗ୍ରେସ ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ରାହୁଲ। ଆଜି ରାହୁଲ ପତପଡ଼ଗଂଜ ଏବଂ ଓଖଲା ଅଞ୍ଚଳରେ ପ୍ରଚାର କରିଥିଲେ । ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଠାକୁରଙ୍କୁ ଦର୍ଶନ ପରେ ରାହୁଲ ଦିଲ୍ଲୀ ବିଧାନସଭା ଅଂଚଳର ବସ୍ତିରେ ଦଳିତ ମହିଳାଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ସେପଟେ ବସ୍ତି ଭୋଟ ବ୍ୟାଙ୍କକୁ ବିଜେପି ଟାର୍ଗେଟ କରିଛି । ଯାହାକୁ ଆମ ଆଦମୀ ପାର୍ଟିର ମୁଖ୍ୟ ଭୋଟ୍ ବୋଲି ବିବେଚନା କରାଯାଏ । ବିଜେପି ସାଂସଦ ଏବଂ ନେତାମାନେ ବସ୍ତି ପରିଦର୍ଶନ କରି ଲୋକଙ୍କୁ ଇସ୍ତାହାରରେ ଅନେକ ଲୋଭନୀୟ ପ୍ରତିଶୃତି ଦେଇଛନ୍ତି । ବିଜେପିର ରଣନୀତିକୁ ମୁକାବିଲା କରିବା ପାଇଁ, ଆମ ଆଦମୀ ପାର୍ଟି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଆମ ଆଦମୀ ପାର୍ଟି ପ୍ରତ୍ୟେକ ବସ୍ତିରେ ପ୍ରଚାର ପାଇଁ ୮ରୁ ୧୦ ଜଣିଆ ଟିମ୍ ଗଠନ କରିଛି । ଟିମରେ ବସ୍ତିର ଶିକ୍ଷିତ ଲୋକଙ୍କ ସହିତ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି । ପ୍ରତ୍ୟେକ ଦଳର ନେତୃତ୍ୱ ନେବା ପାଇଁ ଜଣେ ବସ୍ତି ମୁଖ୍ୟ ଏବଂ ଜଣେ ବସ୍ତି ରକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ବିଜେପି କ୍ଷମତାକୁ ଆସିଲେ ବସ୍ତିଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି ବାର୍ତ୍ତା ଦେବା ପାଇଁ ଆମ ଆଦମୀ ପାର୍ଟିର କର୍ମୀମାନେ ବସ୍ତିରେ ପହଞ୍ଚି ଲୋକଙ୍କୁ ବୁଝାଉଛନ୍ତି । ଆମ ଆଦମୀ ପାର୍ଟିର ନେତା ଏବଂ କର୍ମୀମାନେ ମହିଳାଙ୍କ ପାଖକୁ ଯାଇ ସେମାନଙ୍କୁ ଅରବିନ୍ଦ କେଜରିୱାଲଙ୍କ ସଞ୍ଚୟର ଗଣିତ ବୁଝାଉଛନ୍ତି। ଏହା ସହିତ ଦିଲ୍ଲୀ ଭୋଟ ବ୍ୟାଙ୍କକୁ ହାତେଇବାକୁ ଯମୁନା ପାଣିକୁ ସାହାରା କରିଛି ଆମ ଆଦମୀ ପାର୍ଟି । ଦିଲ୍ଲୀବାସୀଙ୍କୁ ଯମୁନା ପାଣିରେ ହରିଆଣା ବିଜେପି ସରକାର ବିଷ ଦେଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଆୱାଲ। ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି।
ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଫିଙ୍ଗର୍ ପ୍ରିଣ୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ
ମୁମ୍ବାଇ : ବଲିଉଡ ଅଭିନେତା ସେଫ୍ ଅଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ। ଦୁଇ ଦିନ ତଳେ ଖବର ଆସିଥିଲା ଯେ, ଧରାପଡ଼ିଥିବା ଅଭିଯୁକ୍ତ ଅଶ୍ରଫୁଲର ଫିଙ୍ଗର୍ ପ୍ରିଣ୍ଟ ସହିତ ଘରୁ ମିଳିଥିବା ଫିଙ୍ଗର୍ ପ୍ରିଣ୍ଟ ମେଳ ଖାଉନି। ଏହାକୁ ନେଇ ନାନା ଚର୍ଚ୍ଚା ହୋଇଥିଲା। ଆଜି ଏହାର ସ୍ପଷ୍ଟୀକରଣ ଦେଇଛି ମୁୁମ୍ବାଇ ପୋଲିସ। ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି, ଫିଙ୍ଗର ପ୍ରିଣ୍ଟର ପୁରା ରିପୋର୍ଟ ଆସିନାହିଁ। କିନ୍ତୁ ଆମେ ଅସଲି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ। ସବୁ ପ୍ରମାଣ ମିଳିଛି। ତେଣୁ କିଛି ଅସୁବିଧା ନାହିଁ। ସାକ୍ଷୀମାନଙ୍କ ବୟାନ ବି ରେକର୍ଡ ହୋଇଛି। ଫଳରେ ତଦନ୍ତ କି ଚାର୍ଜସିଟରେ କିଛି ଅସୁବିଧା ନାହିଁ ବୋଲି ଅତିରିକ୍ତ ପୋଲିସ କମିଶନର୍ କହିଛନ୍ତି।
କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଧଲ୍ଲା
ନୂଆଦିଲ୍ଲୀ : କାନାଡ଼ାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସରେ ଭାରତୀୟ ବଂଶୋଦ୍ଭବ ରୁବି ଧଲ୍ଲା। ସେ ହୋଇପାରନ୍ତି କାନାଡ଼ାର ପିଏମ୍। ତାଙ୍କ ନାଁକୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଯଦି ସେ କାନାଡ଼ାର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପ୍ରଥମ ଅଣଶ୍ବେତାଙ୍ଗ ମହିଳା ପ୍ରଧାନମନ୍ତ୍ରୀ ହେବେ। ରୁବିଙ୍କୁ କୁହାଯାଉଛି, ସେ ସବୁଠାରୁ ବଡ଼ ଦାବିଦାର। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ୍ ଟୃଡୁ ଇସ୍ତଫା ଘୋଷଣା କରିଥିଲେ। ତାଙ୍କ ବିରୋଧରେ ଦଳରେ ବିଦ୍ରୋହ ହେବାରୁ ସେ ଇସ୍ତଫା ଘୋଷଣା କରିଥିଲେ। ଏହା ସହିତ ଦଳର ମୁଖ୍ୟ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ ସାମ୍ବିଧାନିକ ଦୃଷ୍ଟିରୁ ଆସନ୍ତା ମାର୍ଚ୍ଚ ଯାଏ ପଦରେ ରହିବେ। ନୂଆ ପ୍ରଧାନମନ୍ତ୍ରୀ ଓ ଦଳର ନେତା ନିର୍ବାଚିତ ହେବା ପରେ ପଦ ଛାଡ଼ିବେ ଜଷ୍ଟିନ୍ ଓ ନୂଆ ନେତା ହେବେ କାନାଡ଼ାର ପ୍ରଧାନମନ୍ତ୍ରୀ।
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବାତାବରଣ ସୃଷ୍ଟି କରିଥିଲେ ନବୀନ
ଭୁବନେଶ୍ବର : ଆକୃଷ୍ଟ ହେଉ ଉତ୍କର୍ଷ ଓଡିଶା। ଅତୀତର ସଫଳତାକୁ ପାଥେୟ କରି ଆସୁ ନୂଆ ନୀତି।ନବୀନ ନେତୃତ୍ବରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ୍ ହୋଇଥିଲା। ଦୁଇ ଦିନରେ କେତେ ପୁଞ୍ଜି ଆସୁଛି ଅପେକ୍ଷା।ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅପାର ସମ୍ଭାବନା। ମେକ ଇନ ଓଡ଼ିଶାର ୩ ସଂସ୍କରଣରେ ନବୀନ ଏହା ପ୍ରମାଣିତ କରିଛନ୍ତି। ନିବେଶର ୩ ସ୍ଥାନ ଭିତରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ।ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ଓଡ଼ିଶାରେ ଶିଳ୍ପାୟନର ବାତାବରଣ ସୃଷ୍ଟି ହୋଇଥିଲା। ରାଜ୍ୟ, ଦେଶ ଓ ବିଦେଶରେ ମେକ୍ ଇନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ନିବେଶକଙ୍କୁ ଆକୃଷ୍ଟ କରାଯାଇଥିଲା। ୨୦୧୬ରେ ମେକ ଇନ ଓଡ଼ିଶାର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟି, ୨୦୧୮ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି, ୨୦୨୨ ତୃତୀୟ ସଂସ୍କରଣରେ ୧୦ ଲକ୍ଷ କୋଟି ପୁଂଜି ଆସିଥିଲା ବୋଲି କହିଛନ୍ତି ବିଜେଡ଼ି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର।ଏବେ ମେକ ଇନ ଓଡ଼ିଶା ନାଁ ବଦଳି ଉତ୍କର୍ଷ ଓଡ଼ିଶା ହୋଇଛି। ଉତ୍କର୍ଷ ଓଡିଶା ସମ୍ମିଳନୀରେ ୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆସିବା ସମ୍ଭାବନା ଥିବା କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ। ପୂର୍ବ ମୁଖ୍ଯମନ୍ତ୍ରୀ ନବୀନଙ୍କ ସମୟରେ ୭ ଲକ୍ଷ କୋଟି ଗ୍ରାଉଣ୍ଡେଡ ହୋଇଥିଲାl ନବୀନଙ୍କ ନେତୃତ୍ୱରେ ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯାଇଥିଲାl ଏହାକୁ ନେଇ ନୀତି ଆୟୋଗ ଠାରୁ ଆରମ୍ଭ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପ୍ରଶଂସା କରିଛନ୍ତିl ପ୍ରଧାନମନ୍ତ୍ରୀ ଆସିଲେ ଅନେକ ପ୍ରତିଶୃତି ଦେଲେ। କିନ୍ତୁ ଯାହା କୁହାଯାଉଛି ତାହା ହେଉନି। ୧୯ଟି କ୍ଷେତ୍ର ଲାଗି ନୀତି ପ୍ରସ୍ତୁତ କରିଥିଲେ ପୂର୍ବ ସରକାର। ଅତୀତର ସଫଳତାକୁ ପାଥେୟ କରି ନୂଆ ନୀତି ଅଣାଯାଉ। ରାଜ୍ୟ ସରକାର ଇଜ ଅଫ୍ ଡୁଇଂ ବିଜନେସକୁ ଆହୁରି ଆଗେଇ ନିଅନ୍ତୁ ବୋଲି ପ୍ରସ୍ତାବ ଦେଇଛି ବିଜେଡ଼ି।
ପେଟ୍ରୋକେମିକାଲ୍ସ,ପର୍ଯ୍ୟଟନ,ବୌଦ୍ଧ କ୍ଷେତ୍ରକୁ ସରକାର ଅଧିକ ଫୋକସ କରନ୍ତୁ ବୋଲି କହିଛି ବିଜେଡି। ଅନ୍ୟପଟେ କଂଗ୍ରେସ କହିଛି ବିଜେପି ସରକାର ପ୍ରଥମ ସିଙ୍ଗାପୁର ଗଲେ, ତାପରେ ପ୍ରବାସୀ ଭାରତୀୟ ଦିବସ ହେଲା। କିନ୍ତୁ ଓଡ଼ିଶାକୁ ମିଳିଲା କଣ ତାହା ସରକାର କିଛି କହିଲେନି। ଉତ୍କର୍ଷ ଓଡିଶା ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ ବୋଲି କହିଛି କଂଗ୍ରେସ। ଅନ୍ୟପଟେ ଉତ୍କର୍ଷ ଓଡିଶା ରାଜ୍ଯର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଛି ବିଜେପି। ଦୁଇଦିନ ଧରି ଉତ୍କର୍ଷ ଓଡିଶା କାର୍ଯକ୍ରମ ଚାଲିବ।ସମ୍ମିଳନୀରେ ଓଡ଼ିଶା କେତେ ଲାଭବାନ ହେବ ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜି
ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍
ପୁରୀ : ପୁଣି ଶ୍ରୀମନ୍ଦିର ନିଶିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରାୟ ୨୫ ମିନିଟ୍ ଧରି ପଇଁତରା ମାରିଲା ଡ୍ରୋନ୍ । ନୀଳଚକ୍ର ଉପରିଭାଗ ଓ ପରିକ୍ରମା ମାର୍ଗ ଉପରେ ଉଡ଼ିଲା ଡ୍ରୋନ୍ । ଡ୍ରୋନ୍ ଟି କେଉଁଠାରୁ ଅପରେଟ ହେଉଛି, ତାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଗତ ୫ ଜାନୁଆରୀରେ ଏକ ଅଜଣା ଡ୍ରୋନ୍ ଉଡ଼ିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା । ଘଟଣାକୁ ଗୁରୁତର ସହ ନେଇଥିଲା ପ୍ରଶାସନ । ହେଲେ ତାଗିଦ ଓ ବ୍ଯପକ ବ୍ଯବସ୍ଥା ସତ୍ତ୍ବେ ଆଜି ପୁଣି ନିଶିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ୍ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଭୁବନେଶ୍ଵରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଉଦଘାଟିତ
ଭୁବନେଶ୍ବର : ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ । ଓଡିଶାରେ ନୂଆ ଭାରତ ନିର୍ମାଣର ରହିଛି ପର୍ୟ୍ୟାପ୍ତ ସମ୍ଭାବନା। ଓଡ଼ିଶା ବାସୀ ଙ୍କ କୌଶଳ, ପରିଶ୍ରମ ଓ ସଚୋଟତା ମୁଁ ଗୁଜରାଟ ରେ ଅନୁଭବ କରିଛି । ଖୁବଶୀଘ୍ର ଓଡ଼ିଶା ଏତେ ଉଚ୍ଚ ଶିଖର ରେ ପହଁଚିବ ଯେ କେହି କେବେ କଳ୍ପନା କରି ନଥିବେ । ନିବେଶକ ମାନଙ୍କ ପାଇଁ ଦେଶରେ ଆଗୁଆ ରାଜ୍ୟ ଭିତରେ ଓଡ଼ିଶା ଏକ ନମ୍ବର। ଭାରତର ଟ୍ରେଣ୍ଡ ବଦଳୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନିଉବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର୍ୟ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପ ର ଲଜିଷ୍ଟିକ ଦାମ କମ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି । ବ୍ଲୁ ଇକୋନୋମି ରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଓଡିଶା ପର୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ ଓଡିଶା ପର୍ୟ୍ୟଟନ ର କଥା କହିଲେ ପ୍ରଧାନମନ୍ତ୍ରୀ । ଭାରତ କୁ ବୁଝିବାକୁ ହେଲେ ଓଡ଼ିଶା କୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର୍ୟ୍ୟଟନ, ସମୁଦ୍ର କୁ ଦେଖିବାକୁ ହେବ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକ ଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ସଶକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ ବୋଲି ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ୨୦୨୫ର ଉଦ୍ଘାଟନ କରି କହିଛନ୍ତି। ପୁଞ୍ଜିନିବେଶର ନୂଆ ଦିଗ କନସର୍ଟ ଇକୋନୋମୀ ଏବଂ କନଫରେନ୍ସ ଟୁରିଜମ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
କେନ୍ଦୁଝରରେ ଜେଏସ୍ଡ଼ବ୍ଲୁ ଓ ପୋସ୍କୋ ମିଳିତ ଭାବେ ଇସ୍ପାତେ କାରଖାନା କରିବେ। ଏ ନେଇ ସଙ୍କେତ ଦେଇଛନ୍ତି ସଜ୍ଜନ ଜିନ୍ଦଲ। ରାଜ୍ୟରେ ଆଲୁମିନିୟମ ରିଫାଇନାରୀ କ୍ଷେତ୍ରରେ ବିର୍ଲା ଗ୍ରୁପ ୩ହଜାର କୋଟି ଟଙ୍କା ବିନିଯୋଗ କରିବ। ଜେଏସ୍ପିଏଲ୍ ଗ୍ରୁପ ଅନୁଗୁଳ ଇସ୍ପାତ କାରଖାନାର ସଂପ୍ରସାରଣ କରି ୧୨ ର୍ନିୟୁତ ଟନକୁ କ୍ଷମତା ବଢାଇବା ସହ ୨୦୩୦ ସୁଦ୍ଧା ଦେଶର ସର୍ବ ବୃହତ ୨୫ ମିଲିଅନ୍ ଟନ୍ କରିବ ବୋଲି ନବୀନ ଜିନ୍ଦଲ କହିଛନ୍ତି। ପୁଞ୍ଜିନିବେଶ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ ବୋଲି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ କହିଛନ୍ତି। ବିକଶିତ ଭାରତ ରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ଆପଣ ଙ୍କ ସହ ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ହେବା ରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତା ଠୁ ଅଧିକ ଆସିଛି । ଏହା ହିଁ ଆପଣ ମାନଙ୍କ ଭଲ ପାଇବା । ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବୋୟୋଟେକ୍ନୋଲାଜି ଓ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆମେ ଜୋର ଦେଉଛୁ।
ଉତ୍କର୍ଷ ଓଡ଼ିଶା –ମେକ ଇନ୍ ଓଡ଼ିଶା ୨୦୨୫ର ଦୁଇଦିନିଆ ସମ୍ମିଳନୀରେ ଷ୍ଟାର୍ଟ ଅପ୍ ଓଡ଼ିଶା, ସ୍କିଲଡ଼୍ ଇନ୍ ଓଡ଼ିଶା, ମହିଳା ଉଦ୍ୟୋଗୀକରଣ ଉପରେ ସ୍ୱତନ୍ତ୍ର ସସେନ ଥିବା ବେଳେ ଏମ୍ଏସ୍ଏମ୍ଇ ସେକ୍ଟର ଉପରେ ବି ଗୁରୁତ୍ୱ ଦିଆଯାଇଛି। ଉଦ୍ଘାଟନୀ ଉତ୍ସବରେ ଆଦାନୀ, ଆଇଟିସି, ଆଇଓସିଏଲ୍, ଜିନ୍ଦଲ, ବିର୍ଲା ଭଳି କର୍ପୋରେଟ କମ୍ପାନୀର ମୁଖ୍ୟମାନଙ୍କ ସହ ୧୨ଟି ଦେଶରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ନିବେଶକ ଏବଂ ସାଢେ ୭ ହଜାର ଡ଼େଲିଗେଟ ଭାଗ ନେଇଛନ୍ତି।
ହଇଜାର ହଟସ୍ପଟ ପାଲଟିଛି ପୁରୀ କଣାସ ବ୍ଲକ, ମାନବାଧିକାର କମିଶନରେ ପହଞ୍ଚିଲା ମାମଲା
ଭୁବନେଶ୍ବର : ହଇଜାର ହଟସ୍ପଟ୍ ପାଲଟିଛି ପୁରୀ ଜିଲ୍ଳା କଣାସ ବ୍ଲକ । ପ୍ରତିଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଗଲାଣି ୪ ଜଣଙ୍କ ଜୀବନ । ହେଲେ ସରକାର ଜଣେ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଥିବାରୁ ବଢିଛି ଜନ ଅସନ୍ତୋଷ । ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଲା ମାମଲା । ଦୟା ନଦୀର ଦୂଷିତ ପାଣି ବ୍ୟବହାର ଯୋଗୁଁ କଣାସ ବ୍ଲକରେ ହଇଜା ବ୍ୟାପିଛି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ପ୍ରଦୂଷିତ ପାଣି ପିଇ ଯେଉଁ ୪ ଜଣଙ୍କ ମୃତ୍ୟୁ ଘଟିଲା, ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ପାଇଁ ଅପିଲ କରାଯାଇଛି । ଭୁବନେଶ୍ବରର ସମସ୍ତ ବର୍ଜ୍ଯବସ୍ତୁ ସହ ବିଷାକ୍ତ ପାଣି ଗଙ୍ଗୁଆ ମାଧ୍ୟମରେ ଦୟା ନଦୀରେ ମିଶୁଛି l ସେହି ଜହର ବ୍ୟବହାର କରି କଣାସ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି l ଦୟାନଦୀ ଦୂଷିତ ହେବାନେଇ ସମ୍ପୂର୍ଣ୍ଣ ଭାବେ ଭୁବନେଶ୍ବର ମହାନଗର ନିଗମ ଓ ରେଳବାଇକୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଭାବେ କମିଶନଙ୍କୁ ଅନୁରୋଧ କରାଯାଇଛି । ହଇଜା ପ୍ରଭାବିତ ଗାଁ ଗୁଡ଼ିକରେ ଜଳ ଯୋଗାଣ ଠିକ ଭାବେ ହେଉ ନଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି ।
କଣାସ ବକ୍ଲର ହଇଜା ଆକ୍ରାନ୍ତ ଗାଁ ଗୁଡ଼ିକରେ ୩୮ଟି ଟ୍ୟାଙ୍କର ଯୋଗେ ପାଣି ଯୋଗାଉଛି ପ୍ରଶାସନ । ନୂଆଗାଁ ଓ ଜାଗୁଳାଇପଦରକୁ ପର୍ଯ୍ୟାନ୍ତ ପାଣି ମିଳୁଛି । ହେଲେ ଗଡ଼ିଶାଗଦା, ଗୋପୀନାଥପୁର ଓ ଜାମଳଗଦା ପାଞ୍ଚାୟତକୁ ପର୍ଯ୍ୟାପ୍ତ ପାଣି ପହଞ୍ଚି ପାରୁନାହିଁ । ସେପଟେ ୪ଟି ପାଣି ଟ୍ୟାଙ୍କର ଅଚଳ ହୋଇ ପଡ଼ିଥିବାରୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି RWSS ସର୍ବୋଚ୍ଚ ଯନ୍ତ୍ରୀ । ଦୟା ଓ ଗଙ୍ଗୁଆ ନଦୀ ସଫା କରିବାକୁ ଜଳ ସମ୍ପଦ ବିଭାଗକୁ ଅନୁମତି ମାଗିଛି ଭୁବନେଶ୍ବର ମହାନଗର ନିଗମ । ହେଲେ ଏଯାଏଁ ଜଳ ସମ୍ପଦ ବିଭାଗ ଅନୁମତି ଦେଇ ନଥିବାରୁ ନିଜ ଆଡ଼ୁ ପରୀକ୍ଷାମୂଳକ ଭାବେ ଦୟା ଓ୍ବେଷ୍ଟ କେନାଲର ଶହେ ମିଟର ସଫଳ କରିବାକୁ ବିଏମସି ଯୋଜନା କରୁଛି ।
କେନ୍ଦ୍ରର ଶିକ୍ଷା ନୀତିକୁ କଡ଼ା ବିରୋଧ, ୟୁଜିସି ଚିଠା ପ୍ରସ୍ତାବକୁ ନେଇ ତାତିଲେ ଶିକ୍ଷାବିତ
ଭୁବନେଶ୍ବର : କେନ୍ଦ୍ରର ଶିକ୍ଷା ନୀତିକୁ କଡ଼ା ବିରୋଧ । ଉଚ୍ଚଶିକ୍ଷାକୁ ବ୍ୟବସାୟୀକରଣ କରିବାକୁ ଉଦ୍ୟମ କରାଯାଉଛି । ୟୁଜିସି ପରାମର୍ଶ ଦେଇପାରିବ । କିନ୍ତୁ ପ୍ରଶାସକ ହେଲେ ଚଳିବନି । ବିଶ୍ବବିଦ୍ୟାଳୟରେ କୁଳପତି ଚୟନରେ ୟୁଜିସିର ନୂଆ ଚିଠା ପ୍ରସ୍ତାବକୁ କଡ଼ା ବିରୋଧ । ତାତିଲେଣି ଶିକ୍ଷାବିତ ଓ ସବୁବର୍ଗର ବୁଦ୍ଧିଜୀବୀ । ଆଜି ଭୁବନେଶ୍ବରରେ ଏକାଠି ହୋଇ ଗଠନ କରିଛନ୍ତି ଓଡ଼ିଶା ବିକଳ୍ପ ଶିକ୍ଷା ମଞ୍ଚ । ଜଣେ ଅଧ୍ୟାପକ ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ସହ ରହିବା ପରେ ପ୍ରଫେସର ହେଉଛି । ୧୦ ବର୍ଷ ପ୍ରଫେସର ରହିବା ପରେ କୁଳପତି ହେବା ପାଇଁ ସେ ଯୋଗ୍ୟ ହୋଇଥାଏ । ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ଅମଲାତନ୍ତ୍ରରୁ ଆସିଥିବା ବ୍ୟକ୍ତି କିମ୍ବା ଉଦ୍ୟୋଗପତିଙ୍କୁ କୁଳପତି କରିବା ଅର୍ଥ ଶିକ୍ଷାନୁଷ୍ଠାନକୁ ବ୍ୟବସାୟିକ ଅନୁଷ୍ଠାନରେ ପରିଣତ କରିବା । କେବଳ ଶିକ୍ଷାବିତ ହି କୁଳପତି ହେବା ଉଚିତ୍ । ଦୀର୍ଘ ବର୍ଷରୁ ଚାଲିଆସୁଥିବା ଏହି ପରମ୍ପରାକୁ ଭାଙ୍ଗିଲେ ବିପଦ । ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ।
ଶିକ୍ଷାକୁ ନେଇ ଖେଳ ଖେଳାଯାଉଛି । ୨୦୨୦ ମସିହାରୁ ଜାତୀୟ ଶିକ୍ଷା ନୀତିକୁ ଶିକ୍ଷାବିତମାନେ ବିରୋଧ କରିଆସୁଛନ୍ତି । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ଏବେ ମୌଳିକ ଶିକ୍ଷାଠୁ ଆରମ୍ଭ କରି ଉଚ୍ଚଶିକ୍ଷା ଜାତୀୟ ଶିକ୍ଷା ନୀତି ଆଧାରରେ ହେବ ବୋଲି ସରକାର ଘୋଷଣା କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏବେ ନିୟମ ପରିବର୍ତ୍ତନ ହୋଇଛି । ବିନା ପିଏଚ୍ଡିରେ ଜଣେ ପୋଷ୍ଟ ଗ୍ରାଜୁଏଟ ଅଧ୍ୟାପକ ହୋଇପାରିବ । ଏପରି ବ୍ୟବସ୍ଥା କୌଣସି ଦେଶରେ ନଥିବ । ଆଗାମୀ ଦିନରେ ଓଡ଼ିଶା ବିକଳ୍ପ ଶିକ୍ଷା ମଞ୍ଚ ଏପରି ଅଗଣତାନ୍ତ୍ରିକ ଶିକ୍ଷା ନୀତିକୁ ପରିବର୍ତ୍ତନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବି ପତ୍ର ଦେବ । ଯଦି ସରକାର ନ ଶୁଣନ୍ତି ତାହେଲେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ମଞ୍ଚ ବୋଲି ଚେତାବନୀ ଦେଇଛି । ଏହି ମଞ୍ଚର ଅଧ୍ୟକ୍ଷ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ.ବିନାୟକ ରଥ ଅଧ୍ୟକ୍ଷ ରହିଥିବା ବେଳେ ଉପାଧ୍ୟକ୍ଷ ଭାବେ ଓୟୁଏଟିର ପୂର୍ବତନ କୁଳପତି ଡ.ସୁରେନ୍ଦ୍ର ନାଥ ପଶୁପାଳକ ଓ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ଶିବ ପ୍ରସାଦ ଅଧିକାରୀ । ଆଲୋଚନା ଚକ୍ରରେ ୟୁଜିସିର ନୂଆ ଚିଠା ପ୍ରସ୍ତାବ ଓ ଜାତୀୟ ଶିକ୍ଷା ନୀତି ଲାଗୁ ନେଇ କୌଣସି ଶିକ୍ଷାବିତଙ୍କ ସହ ପରାମର୍ଶ କରାଯାଇନଥିବା ନେଇ ବହୁ ବୁଦ୍ଧିଜୀବୀ ସ୍ବର ଉଠାଇଥିଲେ ।

