spot_img
Home Blog Page 1226

ସଂଗଠନକୁ ନୂଆରୂପ ଦେବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ କସରତ ଜାରି

ଭୁବନେଶ୍ବର : ସବୁ ଦଳକୁ ସଂଗଠନ ଚିନ୍ତା । ଜାରି ରହିଛି ୩ ରାଜନୈତିକ ଦଳର ନବକଳେବର ପ୍ରକ୍ରିୟା । ବିଜେଡ଼ି କହିଲା ଖୁବଶୀଘ୍ର ନୂଆ ଟିମ  । ଅଧା ଟିମ ଗଢିଛି ବିଜେପି । ୭ମାସ ହେବ ମୁଖିଆ ପାଉନି କଂଗ୍ରେସ ।.ବିଜେଡ଼ି-ବିଜେପି ଓ କଂଗ୍ରେସକୁ ଘାରିଛି  ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସବୁ ଛାମୁଆ ସଂଗଠନକୁ ଭାଙ୍ଗିବା ସହ ତୃଣମୂଳ ସ୍ତରରୁ ରାଜ୍ୟ କାର୍ଯ୍ୟକାରଣୀ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି । ଦଳର ନିର୍ବାଚନୀ ଅଧିକାରୀ ଭାବେ ବିଧାୟକ ପ୍ରତାପ ଦେବକୁ ନିଯୁକ୍ତି ଦେଇଛନ୍ତି ନବୀନ । ଦଳର ବିଧାୟକମାନେ କହିଛନ୍ତି ଯେ ବିଜେଡି ତାର ସଂଗଠନକୁ ତୃଣମୂଳ  ସ୍ତରରୁ ଅଧିକ ଶକ୍ତିଶାଳୀ କରିଛି । ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ସଂଗଠନର ନବକଳେବର ହେଉଛି । ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଥରେ ଦଳ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା କରାଯାଉଛି ।  ନୂଆଟିମରେ କାହାକୁ  ସ୍ଥାନ ଦିଆଯିବ ତାହାକୁ ନେଇ ଦଳ ଭିତରେ ଚାଲିଛି ବିଚାରବିମର୍ଶ । ବିଜୁ ଜନତା ଦଳ ଟିମ ସହ, ଛାମୁଆ ସଂଗଠନ ମହିଳା, ଯୁବ, ଛାତ୍ର ,ଶ୍ରମିକ ସାମ୍ମୁଖ୍ୟ , ଲିଗାଲ ସେଲ ପରି ସଂଗଠନକୁ ନବକଳେବର  କରିବ । ବିଜେଡ଼ି ନୂଆରୂପରେ ଆସି ଓଡ଼ିଶାବାସୀଙ୍କ  ସେବା ପାଇଁ ଦିନରାତି ଏକ କରି କାମ କରିବେ ବୋଲି ଦଳୀୟ ବିଧାୟକମାନେ କହିଛନ୍ତି ।

ସେପଟେ ଶାସକ ବିଜେପିରେ ମଧ୍ୟ  ସାଂଗଠନିକ ନିର୍ବାଚନ ପ୍ରକ୍ରିୟା  ଜାରି ରହିଛି । ଏଯାଏ ଦଳ ୨୩ଟି ଜିଲ୍ଲା ସଭାପତି ଘୋଷଣା କରିଥିବା ବେଳେ ୧୪ ଟି ସାଂଗଠନିକ ଜିଲ୍ଳାରେ ଜିଲ୍ଲାସଭାପତି ଚୟନ କରିପାରୁନାହିଁ । ୧୪ଟି ଜିଲ୍ଲାରେ  ସଭାପତି ରେସରେ  ଏକାଧିକ ପ୍ରାର୍ଥୀ ଥିବାରୁ ଦଳ ଅଧାଗଢା ଟିମ ଗଠନ କରିଛି ।ଅନ୍ୟପଟେ ୭ ମାସ ଧରି କଂଗ୍ରେସର ମୁଖିଆ ଚୟନ ଅଭିଯାନ ଜାରି ରହିଛି । ଦଳର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଦିଲ୍ଲୀ ନିର୍ବାଚନରେ ପରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି । ଏହାପରେ ଦଳ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଜିଲ୍ଲାରୁ ରାଜ୍ୟ ଯାଏ ସଂଗଠନର ନବକଳେବର କରାଯିବ । ୨୦୨୪ ନିର୍ବାଚନ ପରେ  ୨୦୨୭ ପାଇଁ ଏବେଠାରୁ ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନକୁ ନୂଆରୂପ ଦେଇ ତୃଣମୂଳ ସ୍ତରରୁ ନିଜକୁ ମଜଭୁତ କରିବାକୁ ଫୋକସ କରିଛନ୍ତି ।  ୩ ପ୍ରମୁଖ ଦଳର ନୂଆଟିମକୁ ନେଇ ଦଳ ଭିତରେ ଉତ୍ସାହ ରହିଥିବା ବେଳେ  ନେତାଙ୍କୁ ଦାୟିତ୍ବ ବଣ୍ଟନ କରିବା ଶୀର୍ଷ ନେତୃତ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଆୟୁଷ୍ମାନ ଭାରତ ଯୋଜନାକୁ ଝଟକା

ଚଣ୍ଡୀଗଡ଼ : ଆୟୁଷ୍ମାନ ଭାରତ ଯୋଜନାକୁ ବଡ଼ ଝଟକା। ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ହରିୟାଣା ଶାଖାର ବଡ଼ ଘୋଷଣା। ରାଜ୍ଯର ୬୦୦ ପ୍ରାଇଭେଟ ହସପିଟାଲ ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀଙ୍କୁ ଚିକିତ୍ସା କରିବେ ନାହିଁ। ଫେବୃଆରୀରେ ସେମାନେ ଆଉ ଚିକିତ୍ସା କରିବେ ନାହିଁ। କାରଣ ଏହି ଯୋଜନାରେ ଚିକିତ୍ସା ବାବଦରେ ୪୦୦ କୋଟି ଟଙ୍କା ଏଯାଏ ଦେଇ ନାହାନ୍ତି ସରକାର। ଏହା ଦ୍ଵାରା ହସପିଟାଲ ଚଳାଇବା ବହୁତ କଷ୍ଟ ହେଉଛି। ମାସ ମାସ ଧରି ବିଲ୍ ପଡ଼ି ରହୁଛି। ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନିଙ୍କ ସହିତ ଆଲୋଚନା ପରେ ବି ଫଳ ଶୂନ। ବୀମା ରାଶିର ମାତ୍ର ୧୦ ରୁ ୧୫ ପ୍ରତିଶତ ଟଙ୍କା ମିଳୁଛି। ତୁରନ୍ତ ସମସ୍ତ ରାଶି ପ୍ରଦାନ କରନ୍ତୁ ବୋଲି ହରିୟାଣାର ଘରୋଇ ହସପିଟାଲ ସଂଘ ତରଫରୁ କୁହାଯାଇଛି। ହରିୟାଣାର ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ପଂଜୀକରଣ କରିଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ ମାଗଣାରେ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବାର ବ୍ଯବସ୍ଥା ଅଛି। ଯେଉଁ ପରିବାରର ବାର୍ଷିକ ଆୟ ୨ ଲକ୍ଷ ୫୦ ହଜାରରୁ କମ୍ ହୋଇଥିବ, ସେହି ପରିବାରକୁ ଏହି ସୁବିଧା ମିଳୁଛି। ଏବେ କିନ୍ତୁ ଟଙ୍କା ମିଳୁନଥିବାରୁ ଘରୋଇ ହସପିଟାଲଗୁଡ଼ିକ ଚିକିତ୍ସା କରିବାକୁ ମନା କଲେଣି।

ସଂସଦ ଅଧିବେଶନରେ ଉଠିବ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ : ବିଜେଡି

ଭୁବନେଶ୍ବର : ସଂସଦରେ ସାଢେ ୪ କୋଟି ଓଡ଼ିଆଙ୍କ ସ୍ବର ହେବ ବିଜେଡି । ଉଠିବ ଓଡ଼ିଆ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ । ଦିନକ ପରେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି ବସିଥିଲା ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଏହି ବୈଠକରେ ବିଜେଡିର ସମସ୍ତ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସ୍ବତନ୍ତ୍ର ରାଜ୍ଯପାହ୍ଯା ପାଇଁ ପୁଣି ଦାବି କରିବ ବିଜେଡି । ଏ ନେଇ ନିର୍ବାଚନୀ ଇସ୍ତାହାରରେ ବିଜେପି ଘୋଷଣା କରିଥିଲା । ହେଲେ ଏଯାଏଁ ମିଳିଲାନି ସ୍ବତନ୍ତ୍ର ରାଜ୍ଯ ପାହ୍ଯା । ଦରଦାମ ବୃଦ୍ଧି ପ୍ରସଙ୍ଗ ମଧ୍ଯ ବିଜେଡି ଉଠାଇବ । ଡବଲ ଇଞ୍ଜିନ ସରକାରରେ ଡବଲ ହୋଇଛି ବେକାରୀ ସମସ୍ଯା । ସଂସଦରେ ଉଠିବ ଚାଷୀଙ୍କ ପ୍ରତି ଅବହେଳା ପ୍ରସଙ୍ଗ । ସ୍ବାମୀନାଥନ କମିଶନ ରିପୋର୍ଟ ଲାଗୁ କରିବାକୁ ଦାବି କରିବ ବିଜେଡି । ପୋଲାଭରମ ଓ ମହାନଦୀ ପ୍ରସଙ୍ଗ ବି ଉଠାଇବ ଦଳ । କୋଷ୍ଟାଲ ହାଇୱେ ଓ ଅନୁସୂଚିତ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି କରାଯିବ । ହୋ, ମୁଣ୍ଡାରି, ଭୂମିଜ ଓ କୁଇ ଭାଷାକୁ ସମ୍ବିଧାନରେ ଅଷ୍ଟମ ପରିଚ୍ଛେଦରେ ସାମିଲ ଲାଗି ଦାବି କରିବ ଦଳ । ଏହାସହ ମୋବାଇଲର ନେଟଓ୍ବର୍କ କନେକ୍ଟିଭିଟି ବୃଦ୍ଧି ପାଇଁ ମଧ୍ଯ ଦାବି କରାଯିବ ।

ଦୁଇ ଦିନ ପରେ ରାଜ୍ୟରେ ହେବ ଟାଇଁ ଟାଇଁ ଖରା

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ହେବ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ଅଧିକ ବଢିବ ପାରଦ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଆଜି ରାତି ଦୁଇଟାରୁ କାଲି ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ ଏବଂ ଗଞ୍ଜାମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୩୦ ତାରିଖରେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଗଞ୍ଜାମକୁ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ରହିବ ଦୃଶ୍ୟମାନ କ୍ଷମତା । କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ସର୍ବନିମ୍ନ ୮.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଦେଶରେ ଘନ କୁହୁଡି ତାଲିକାରେ ପାରାଦୀପ, ଗୋପାଳପୁର, ପୁରୀରେ ଜିରୋ ଭିଜିବିଲିଟି ରହିଛି । ଭୁବନେଶ୍ବର ବିମାନବନ୍ଦରରେ ବି ଆଜି ୧୦୦ ମିଟର ରହିଥିଲା ଦୃଶ୍ୟମାନ ଦୂରତା ।

ସରୁନି ପାର୍କ ନିର୍ମାଣ କାମ, ସରକାରୀ ଟଙ୍କା ଖର୍ଚ୍ଚ ପରେ ବି ଲୋକେ ପାଇଲେନି ସୁବିଧା

ବାଲେଶ୍ବର  : ରାସ୍ତା ପାଖରେ ନିର୍ମାଣ ଚାଲିଛି ପାର୍କ। ନାଳ କଡେ କଡେ ପୋତା ଯାଇ ଖାଲୁଆ ଯାଗାକୁ ଉଚ୍ଚା କରାଯାଇଛି। ଆଉ ସେହି ସ୍ଥାନରେ ମୁଖ୍ୟ ଫାଟକ ପାଇଁ ସିକ୍ୟୁରିଟି ଗୃହ କାମ ଅଧାରେ ଅଟକି ଯାଇଛି। ପ୍ରସ୍ତାବିତ ପାର୍କ ପାଇଁ ପାଚେରୀ ନିର୍ମାଣ ମଧ୍ୟ ଶେଷ ହୋଇପାରୁ ନାହିଁ। ୨୦୨୨ ମସିହାରୁ ଆରମ୍ଭ ହୋଇଥିବା କାମ ସରକାର ବଦଳିବା ପରେ ଅଟକି ଯାଇଛି। ଫଳରେ ଲୋକଙ୍କୁ ଏହାର ସୁବିଧା ମିଳିପାରୁ ନାହିଁ। ବାଲେଶ୍ବର ସହରରେ ଗାନ୍ଧୀସ୍ମୃତି ଭବନ ଓ ଗୋପବନ୍ଧୁ ପାର୍କ ନାମରେ ୨ଟି ଛୋଟ ଛୋଟ ପାର୍କ ରହିଛି।…

ବାଲେଶ୍ବର ବାସୀଙ୍କ ପାଇଁ ବିଜେଡି ସରକାର ସହର ଉପକଣ୍ଠ ନୁଣିଆଯୋଡ଼ି ନିକଟରେ ୧୦ ଏକର ଜମିରେ ଏକ ଅତ୍ୟାଧୁନିକ ପାର୍କ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନା ଅନୁସାରେ ୨ କୋଟି ୬୬ ଲକ୍ଷ ୩୭ ହଜାର ୧୬୩ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପାର୍କ। ଏଥିରେ ବୋଟିଂ, ୱାଟର ଫାଉଣ୍ଟେନ୍, ଲାଇଟ୍ ସୋ ସାଙ୍ଗକୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା, ସୁଯୋଗ ରହିଛି। ଏହି ପାର୍କର ନିର୍ମାଣ ଦାୟିତ୍ବ ଜଳସେଚନ ବିଭାଗକୁ ପ୍ରଦାନ କରାଯାଇଛି। ହେଲେ ୧୦ ଏକର ଜମି ମଧ୍ୟରୁ କିଛି ଜମି ଦେବୋତ୍ତର ଓ ଜଙ୍ଗଲ କିସମ ରହିଛି। ଫଳରେ ପାର୍କ ନିର୍ମାଣରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି। ଏଥିସହିତ ପ୍ରଥମ ପର୍ଯାୟରେ ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ନିର୍ମାଣ କାମରେ ଏହି ଟଙ୍କା ଖର୍ଚ୍ଚ ହୋଇଯିବା ସହିତ ସରକାର ବଦଳି ଯାଇଥିଲେ। ଫଳରେ ପରବର୍ତ୍ତି ଅନୁଦାନ ଯୋଗାଇ ଦେବାରେ ବିଭାଗ ଅନିଚ୍ଛା ପ୍ରକାଶ କରିଛି। ପ୍ରକଳ୍ପ ଆଜି ସୁଦ୍ଧା ମାତ୍ର ୧୫ ପ୍ରତିଶତ କାମରେ ଅଟକି ଯାଇଛି। ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି ନଗର ଉନ୍ନୟନ ବିଭାଗରୁ ଟଙ୍କା ଆସିଲେ ପୁଣି ଆରମ୍ଭ ହେବ ନିର୍ମାଣ କାମ।

ସମ୍ବଲପୁରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ ଦୁଇ ଗିରଫ

ସମ୍ବଲପୁର : ସମ୍ବଲପୁରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ ଦୁଇ ଜଣକୁ ଗିରଫ କଲl ସମ୍ବଲପୁର ପୋଲିସ।  ବିନା କାରଣରେ ଓ ବିନା ଦୋଷରେ କାହିଁକି ଅନ୍ତେବାସୀଙ୍କୁ ମାଡ ମରାଯାଇଛି ସେନେଇ ତଦନ୍ତ ଆରମ୍ଭ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ଘଟଣାକୁ ଜିଲ୍ଲା ପ୍ରାଶାସନ ଗୁରୁତର ସହ ନେଇଛି ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ  ବୋନ୍ଦର।

ତେବେ ଖବର ପାଇ ତୁରନ୍ତ ସମର୍ଥ କେନ୍ଦ୍ରର  ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ୱାଗତିକାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ସମ୍ବଲପୁର ପୋଲିସ ।  ଦୁଇ ଜଣଙ୍କ ବିରୁଦ୍ଧରେ ଖୁବ୍ ଶୀଘ୍ର କଡା  କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ ମହିଳା ସହାୟିକାଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଖୁବ୍ ଶୀଘ୍ର ସମର୍ଥ ଅନୁଷ୍ଠାନ ବନ୍ଦ ହେବା ସହ ସମର୍ଥ କେନ୍ଦ୍ରକୁ କଳା ତାଲିକା ଭୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଜିଲ୍ଲାପାଳ। ସବୁଠାରୁ ବଡ଼କଥା ହେଲା ଏଥିପାଇଁ କାମ କରୁଥିବା ବିଭାଗ କିଭଳି ଏକଥା ଜାଣିପାରିଲାନାହିଁ ତାକୁ ନେଇ ଉଠିଛି ବଡ ପ୍ରଶ୍ନ।

୫ ଦିନ ହେବ ବନ୍ଦ ପଡିଛି ଆହାର କେନ୍ଦ୍ର, ତୁରନ୍ତ ଖୋଲିବାକୁ ଦାବି

ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ୫ ଦିନ ହେଲା ବନ୍ଦ ପଡିଛି। ରାଉରକେଲା ସରକାରୀ ଡାକ୍ତରଖାନାକୁ ଦୈନିକ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ଗରିବ ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ଶ୍ରମିକ ଓ ଗରିବ ଲୋକେ ୫ ଟଙ୍କିଆ ଆହାର ଖାଇବାରୁ ବଞ୍ଚିତ ହେଉଛନ୍ତି। ତୁରନ୍ତ ଆହାର କେନ୍ଦ୍ର ଖୋଲା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛି  ମେଡିକାଲ କର୍ମଚାରୀ ସଂଘ ।

ରାଉରକେଲା ସରକାରୀ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ କିଛି ଡ଼୍ରାଇଭର ଗାଡି ଜୋର ଜବରଦସ୍ତ ପାର୍କିଂ କରୁଛନ୍ତି। ନିର୍ଦ୍ଦେଶକ କିଛି ପଦକ୍ଷେପ ନେଉନଥିବାରୁ ସମସ୍ୟା ସୃଷ୍ଟି ହେବାରୁ ଆହର କେନ୍ଦ୍ର ବନ୍ଦ କରାଯାଇଥିବା ରାଉରକେଲା ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି। ଆହାର କେନ୍ଦ୍ର ଖୋଲିବା ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କ ସହ ଆଲୋଚନା କରାଯିବ ବୋଲି ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଆହାର କେନ୍ଦ୍ର ବନ୍ଦ ରହିଥିବାରୁ ହୋଟେଲରେ ଅଧିକ ଟଙ୍କା ଦେଇ ଖାଦ୍ୟ ଖାଇନପାରି ବହୁ ଗରିବ ଲୋକେ ଭୋକ ଉପାସରେ ରହୁଛନ୍ତି ।

ବିଗିଡିବାରେ ଲାଗିଛି ରାଜଧାନୀର ଆଇନଶୃଙ୍ଖଳା, ସହରର ଛାତି ଉପରେ ଲୁଟେରାଙ୍କ ହଲ୍ଲାବୋଲକୁ ନେଇ ଚିନ୍ତାରେ ସହରବାସୀ

ଭୁବନେଶ୍ବର : ୨୫ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଆଉ ଗତକାଲି ରାତିରେ ନୟାପଲ୍ଲୀ N2 ରେ ଥିବା ଆଉ ଏକ ଘରୁ ଲୁଟ ଉଦ୍ୟମ । ରାତି ପ୍ରାୟ ୧୧ ଟା ୩୫ ବେଳେ ନିରଞ୍ଜନଙ୍କ ପଡୋଶୀ ଘରେ ପଶିଛି ଚୋର । N 25 ପ୍ଲଟ ନମ୍ବର ରେ ପଶିଥିବା ବେଳେ ଏ ହେଉଛି ସିସିଟିଭି । ଦେଖନ୍ତୁ ମୁଣ୍ଡରେ କ୍ୟାପ ଲଗାଇ କିଭଳି ବୁଲୁଛି ଚୋର । ସିସିଟିଭିରେ ଚୋର ପଶିଥିବା ଦେଖି ସ୍ଥାନୀୟ ଲୋକେ ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ । ରାତି ଅଧରେ ନିଜେ ଭୁବନେଶ୍ୱର ଡିସିପି ମଧ୍ୟ ଘଟଣାସ୍ଥଳରେ ପହଁଚି ଚୋରକୁ କାବୁ କରିଥିଲେ । କିନ୍ତୁ ପୂର୍ବ ଲୁଟ ର ଅଭିଯୁକ୍ତ ସହ ଏ ଲୁଟେରାର କୌଣସି ସମ୍ପୃକ୍ତି ନଥିବା ଜାଣିବାକୁ ପାଇଛି ପୋଲିସ୍ । ତେବେ ଗୋଟିଏ ପଟେ ଉତ୍କର୍ଷ ଓଡିଶା ପାଇଁ ଛକ ବଜାରରେ ଚେକିଂ ବ୍ଲକିଂ କୁ ବ୍ୟାପକ କରାଯାଇଥିବା ବେଳେ ଲୁଟେରାଙ୍କ ଏଭଳି ହଲାବୋଲକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସାଧାରଣ ଲୋକେ ।

ଲିଙ୍ଗରାଜ ଥାନା ସମନ୍ତରାପୁର ର ଶ୍ରୀରାମନଗର ରେ ଥିବା SBI ଏଟିଏମ ରେ ପଶି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ ଲୁଟେରା। କେବଳ ଟଙ୍କା ଲୁଟିନଥିଲେ ବରଂ ATM ମେସିନକୁ ତାଡି ନେଇ ଗଙ୍ଗୁଆ ନାଳରେ ଫୋପାଡିଥିଲେ । ସେହି କେସରେ ପୋଲିସ ଅଭିଯୁକ୍ତଙ୍କୁ ଏଯାବତ ଧରିପାରିନାହିଁ । ସେହିପରି ଧଉଳି ଥାନା ଲିଙ୍ଗିପୁର ମେଳନ ପଡିଆ ନିକଟରୁ ମିଳିଛି ମହିଳାଙ୍କ ଗଳିତ ମୃତଦେହ । ୧୦ ରୁ ୧୫ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୟା ନଦୀ କୂଳରୁ ମୃତଦେହ ଜବତ କରାଯାଇଛି । ସ୍ଥାନୀୟ ଲୋକେ ଏହାକୁ ଦୁଷ୍କର୍ମ ସହ ହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସହର ବଢିବା ସାଙ୍ଗକୁ ଅପରାଧୀଙ୍କ ଅପରେସନ ର ଅନ୍ଦାଜ ପରିବର୍ତ୍ତନ ହେଉଥିବା ଦେଖି ଚିନ୍ତାପ୍ରକଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ବିଜେଡି

ଭୁବନେଶ୍ବର : ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଦିନ ଦିପ୍ରହରରେ ଘଟୁଛି ଡକାୟତି ଓ ହତ୍ୟାକାଣ୍ଡ । ରାଜ୍ୟରେ ଏବେ ଯେଉଁଭଳି ଅପରାଧ ହେଉଛି ଓଡ଼ିଶାରେ ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏହା ସିଷ୍ଟମକୁ ସିଧା ଚ୍ୟାଲେଞ୍ଜ କରୁଛି । ପୋଲିସ ବିଭାଗକୁ ବି ଅପରାଧୀଙ୍କ ସିଧା ଚ୍ୟାଲେଞ୍ଜ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ପୂର୍ବରୁ ସହଦେଵ ନାୟକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦିଆଗଲା । ଏଭଳି ବିଭତ୍ସ ହତ୍ୟା ରାଜ୍ୟରେ କେବେ ହୋଇନଥିଲା । ଦୁଇ ଦିନ ତଳେ ଚାରିଆଡେ ପୋଲିସ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ରାତିରେ ଚୋର ପଶିଲା। ଏହା ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ।

ଧାନ କିଣିବାକୁ ମନା କରିବାରୁ ହୃଦଘାତରେ ଚାଷୀଙ୍କର ଚାଲିଗଲା ଜୀବନ

ଭଞ୍ଜନଗର : ବିଜେପି ସରକାରଙ୍କ ପ୍ରତିଶୃତି ପାଲଟିଛି ପାଣିରଗାର । ଥମୁନି ଚାଷୀ ଯନ୍ତ୍ରଣା । ମିଲରଙ୍କ ମନମାନିରେ ବଳି ପଡିଯାଉଛନ୍ତି ଅନ୍ନଦାତା । ସୁରୁଖୁରୁରେ ଧାନ ବିକ୍ରି ନହେବାରୁ ଅକାଳରେ ଚାଲିଯାଉଛି ଜୀବନ । ଧାନବିକ୍ରି ପାଇଁ ମଣ୍ଡି ଓ ମିଲରଙ୍କ ପାଖକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ଆଜି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ଯୁ ଘଟିଛି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଲେମ୍ଭାକୁମ୍ପା ଗାଁରେ । ମୃତ ଚାଷୀ ହେଲେ ଚାକୁଣ୍ଡା ଗାଁର ଗଣେଶ ବିଷୋୟୀ । ସୂଚନା ଅନୁସାରେ, ମିଲକୁ ଧାନ ବିକ୍ରି ପାଇଁ ନେଇଥିଲେ ଗଣେଶ । କିନ୍ତୁ ଧାନର ମାନ ଖରାପ ଥିବା କହି ଫେରାଇ ଦେଇଥିଲେ ମିଲର। ନିଜର ଅମଳ ଧାନକୁ ବିକ୍ରି କରିବା ପାଇଁ ବାରମ୍ବାର ଦୌଡ଼ି ନିରାଶ ହୋଇପଡ଼ିଥିଲେ । ଧାନବସ୍ତାକୁ ଗାଡ଼ିରୁ ଓଜନ କରାଯାଉଥିବା ବେଳେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଗଣେଶ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗଣେଶଙ୍କ ମୃତ୍ଯୁକୁ ନେଇ ମେଡିକାଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ପୋଲିସ ଓ ପ୍ରଶାସନ ସହ ମିଶି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।…

ଏପଟେ ଗଣେଷଙ୍କ ମୃତ୍ଯୁକୁ ନେଇ ଆସିଛି ଚାଞ୍ଚଲ୍ଯକର ତଥ୍ଯ । ଗଣେଶଙ୍କ ଠାରୁ ପନ୍ଦର ବସ୍ତା ଧାନ ରଖି ବଳକା ଧାନ କେବଳ ଫେରାଇ ଦେଇ ନାହାନ୍ତି ମିଲର, ଅନ୍ଯ ଧାନକୁ ଫିଙ୍ଗା ଫୋପଡା କରି ଦେଇଥିବା ମୃତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନବିନ କରିବା ସହିତ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଆସିକା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି l ଏଠି ପ୍ରଶ୍ନ ଉଠୁଛି ଚାଷୀ ମୃତ୍ଯୁରେ କେବେ ରୋକ ଲାଗିବ ? କେବେ ବନ୍ଦ ହେବ ମିଲରଙ୍କ ମନମାନୀ? କାହିଁକି ମିଲରଙ୍କ ଉପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ? କେବେ ଶୃଙ୍ଖଳିତ ହେବ ଧାନ ଉଠାଣ ପ୍ରକ୍ରିୟା?