spot_img
Home Blog Page 1228

ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କ ମାରଥନ ପ୍ରଚାର

ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ମାରଥନ ପ୍ରଚାର। ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ରାହୁଲ। ଆଜି ରାହୁଲଙ୍କ ପତପଡ଼ଗଂଜ ଏବଂ ଓଖଲା ଅଂଚଳରେ ପ୍ରଚାର ରହିଛି। ଦୁଇ ସାଧାରଣ ସଭାରେ ଯୋଗ ଦେଇ ଜନତାଙ୍କୁ ସମ୍ବୋଧିତ କରିବେ। ପତପଡ଼ଗଂଜରେ ଅପରାହ୍ନ ୪ଟାରେ ରହିଛି ରାହୁଲଙ୍କ କାର୍ଯ୍ୟକ୍ରମ। ଏହା ପୂର୍ବରୁ ଦିଲ୍ଲୀର ବାଲ୍ମିକୀ ମନ୍ଦିରରେ ପୂଜାର୍ଚ୍ଚନା ସହ ଠାକୁରଙ୍କୁ ଦର୍ଶନ କରିଥିଲେ ରାହୁଲ। ମନ୍ଦିରରୁ ବାହାରିବା ପରେ ରାହୁଲ ଦିଲ୍ଲୀ ବିଧାନସଭା ଅଂଚଳର ବସ୍ତିରେ ଦଳିତ ମହିଳାଙ୍କ ସହ ସେମାନଙ୍କ ବିଭିନ୍ନ ସମସ୍ଯା ନେଇ ଆଲୋଚନା କରିଥିଲେ। ଏଥର ପତପଡ଼ଗଂଜ ଆସନରେ କଡ଼ା ମୁକାବିଲା ହେଉଛି। କଂଗ୍ରେସ, ଆପ ଏବଂ ବିଜେପି ମଧ୍ୟରେ ତ୍ରିମୁଖୀ ଲଢେଇ ସମ୍ଭାବନା ରହିଛି। କଂଗ୍ରେସରୁ ବରିଷ୍ଠ ନେତା ଅନୀଲ ଚୌଧୁରୀ ଏଠାରୁ ପ୍ରାର୍ଥୀ ହୋଇଛନ୍ତି। ଆମ ଆଦମୀ ପାର୍ଟିରୁ ଅୱଧ ଓଝା ଏବଂ ବିଜେପିରୁ ରବିନ୍ଦର ସିଂ ନେଗୀ ପ୍ରାର୍ଥୀ ହୋଇଛନ୍ତି। ୨୦୨୦ରେ ଏହି ଆସନରୁ ଆପର ମନୀଷ ସିସୋଦିଆ ବିଜୟୀ ହୋଇଥିଲେ। ଏବେ ସେ ଜଙ୍ଗୀପୁରା ସିଟରୁ ଲଢୁଛନ୍ତି।

ମୁଖ୍ୟମନ୍ତ୍ରୀ ବସ ଡ୍ରାଇଭରକୁ ମାଡ଼ । ଧାରଣାରେ କର୍ମଚାରୀ, ଯାତ୍ରୀ ହନ୍ତସନ୍ତ

ଚାନ୍ଦବାଲି : ପୁଣି ସରକାରୀ ବସ କର୍ମଚାରୀଙ୍କୁ ମାଡ଼ । ପ୍ରତିବାଦରେ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ଆଗରେ ବସ୍ କର୍ମଚାରୀଙ୍କ ଧାରଣା । ଦୁଇ ଦିନ ତଳେ ଚାନ୍ଦବାଲିରୁ ଧାମରା ଅଭିମୁଖେ ମୁଖ୍ୟମନ୍ତ୍ରୀ ବସ ଯାଉଥିବା ବେଳେ ଜନ୍ତୁଆଳି ଛକ ନିକଟରେ କିଛି ଯୁବକ ଗାଡ଼ିକୁ ଅଟକାଇଥିଲେ । ଗତକାଲି କଣ ପାଇଁ ଆମ କୁକୁର ଉପରେ ଗାଡ଼ି ଚଢ଼ାଇଦେଲୁ କହି ଗାଳି ଗୁଳଜ କରିବା ସହ ଡ୍ରାଇଭରକୁ ମାଡ଼ ମାରିଥିବା ବାଂଶଡ଼ା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗର ଦୁଇ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ । ଏହାର ପ୍ରତିବାଦରେ ଧାରଣାରେ ବସିଛନ୍ତି ବସ୍ କର୍ମଚାରୀ ସଂଘ । ଅଭିଯୁକ୍ତକୁ ଗିରଫ କରାନଯିବା ପର୍ଯ୍ୟନ୍ତ ଗାଡ଼ି ଚଳାଇବେ ନାହିଁ ବୋଲି  ଜିଦ ଧରି ବ୍ଳକ ପରିସରରେ ଧାରଣାରେ ବସି ରହିଛନ୍ତି । ଚାନ୍ଦବାଲି ବ୍ଲକର ସମସ୍ତ ରୁଟରେ ମୁଖ୍ୟମନ୍ତ୍ରୀ ବସସେବା ବାଧାପ୍ରାପ୍ତ ହୋଇଛି । ଏହି ବସ୍ ଉପରେ ନିର୍ଭରଶୀଳ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ: ’ସମର୍ଥ’ର ସମ୍ପାଦକ ଗିରଫ

ଭୁବନେଶ୍ବର: ସମ୍ବଲପୁରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ। ସମର୍ଥର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ସମ୍ପାଦକଙ୍କୁ ଗିରଫ ପରେ ଜେଲକୁ ପଠାଇ ଦିଆଯାଇଛି। ଦୁଇ ଜଣଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ମହିଳା ସହାୟିକାଙ୍କ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ। ଏହାସହ ଖୁବଶୀଘ୍ର ବନ୍ଦ ହେବ ସମର୍ଥ ଅନୁଷ୍ଠାନ। ଦୀର୍ଘ ଦିନ ହେବ ଅନ୍ତେବାସୀଙ୍କୁ ସେ ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ବାସି ଖାଦ୍ୟ ଦିଆଯାଉଥିବା ସହ ମାଡ ମରାଯାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଚଢ଼ାଉ କରିଥିଲା ପୋଲିସ। ବିଭିନ୍ନ ଭିଡିଓ ଫୁଟେଜକୁ ଅନୁଧ୍ୟାନ କରିବା ପରେ ଜିଲ୍ଲା ପ୍ରଶାସନ ନିଜ ଆଡୁ ଲିଖିତ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି ସମ୍ବଲପୁର ପୋଲିସ। ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ନିଜଆଡୁ ଲିଖିତ ଅଭିଯୋଗ କରିବା ପରେ ଘଟଣାକୁ ଗୁରୁତର ସହ ନେଇଛି ସମ୍ବଲପୁର ପୋଲିସ। ସମ୍ପାଦକ ହରିଶ ଚନ୍ଦ୍ର ସାହୁ ଓ ସହାୟିକା ଏଏନମ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ଜାଗାରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଛି । ଖାଲି ସେତିକି ନୁହେଁ ପ୍ରତିଦିନ ମାତ୍ରାଧିକ ନିଶା ଡୋଜ ଦେବାରୁ ତିନି ଦିନ ଧରି ଅନ୍ତେବାସୀ ଅଚେତ ହୋଇ ରହୁଥିଲେ। ଘରକୁ ଯିବାକୁ ଚାହୁଁଥିଲେ ମଧ୍ୟ ମାଡ଼ମାରି ଅଚେତ କରି ପକେଇ ଦେଉଥିଲେ ପରିଚାଳକ । ନିର୍ଯାତନା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ

ଭୁବନେଶ୍ବର: ପୋଲିସକୁ ନାହିଁ ଦୁର୍ବୃତ୍ତଙ୍କ ଡର । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ପୁଣି ଚୋରି ଉଦ୍ୟମ । ଭୁବନେଶ୍ଵର IRC ଭିଲେଜ ସ୍ଥିତ ଆଉ ଏକ ଘରେ ପଶି ଚୋରି ଉଦ୍ୟମ । ଗତକାଲି ରାତିରେ ପ୍ରାୟ ୧୧ଟା ୩୫ ମିନିଟରେ ଆଉ ଏକ ଘରେ ଚୋର ପଶିଥିବା ସିସି ଟିଭିରେ କଏଦ୍ ହୋଇଛି ଭିଡିଓ । ଦୁର୍ବୃତ୍ତ ଜଣଙ୍କ ଝରକା ଖୋଲି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଘରର କର୍ମଚାରୀ ଦେଖିବାରୁ ଦୌଡ଼ି ପଳାଇବାକୁ ଲାଗିଥିଲା । ଫେରାର୍ ଉଦ୍ୟମ ବେଳେ ଅଭିଯୁକ୍ତକୁ କାବୁ କରି ପଚରାଉଚରା କରୁଛି ପୋଲିସ । ଗତ ୨୬ ତାରିଖ ଭୋର ସମୟରେ ନିରଞ୍ଜନଙ୍କ N/29 ଘରୁ ବଡ଼ ଚୋରି ହୋଇଥିଲା । ନିରଞ୍ଜନଙ୍କ ଘରେ ପଶି ଚୋର ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇ ପଳାଇଥିଲା ଚୋର । ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ଡିସିପି ଘଟଣାସ୍ଥଳରେ ଥିଲେ । ଦୁର୍ଭାଗ୍ୟର ବିଷୟ ୩ଟି ଘର ଛାଡି N/25 ଘରେ ପୁଣି ଥରେ ଚୋର ପୁଣି ଲୁଟ୍ ପାଇଁ ପ୍ଲଟ ତିଆରି କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟରେ ଅଛନ୍ତି ଲୋକେ ।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଓଡ଼ିଶାକୁ ନେଇ କ’ଣ ସବୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ
କନକ୍ଲେଭକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ପୂର୍ବ ଭାରତର ବିକାଶରେ ଓଡ଼ିଶାର ବଡ଼ ଯୋଗଦାନ ରହିଛି। ପ୍ରତିବର୍ଷ ଓଡ଼ିଶାରେ ବାଲିଯାତ୍ରା ଧୂମଧାମରେ ପାଳିତ ହେଉଛି। ନିକଟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତ ଆସିଥିଲେ। ତାଙ୍କ ଡିଏନଏରେ ଓଡ଼ିଶା ଥିବା କହିଥିଲେ ଇଣ୍ଡୋନେସିଆ ରାଷ୍ଟ୍ରପତି। ଓଡ଼ିଶାରେ ନିବେଶର ପ୍ରଚୁର ସମ୍ଭାବନା ରହିଛି। ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି ଭାରତ। ଓଡ଼ିଶା ଆଉଟଷ୍ଟାଣ୍ଡିଂ, ରହିଛି ପର୍ଯ୍ୟାପ୍ତ ସୁଯୋଗ ବୋଲି ମୋଦୀ କହିଥିଲେ ।

ଖୁବଶୀଘ୍ର ଓଡ଼ିଶା ବିକାଶ କଳ୍ପନା ବାହାରେ ପହଞ୍ଚିଯିବ। ଦେଶର ଦ୍ରୁତ ପ୍ରଗତି କେବଳର ମାଟେରିଆଲ ଯୋଗୁଁ ସମ୍ଭବ ହେବନି । ବନ୍ଦର ବିକାଶରେ ଦେଶର ଶୀର୍ଷ ରାଜ୍ୟ ସହ ସମାନ ହେବ ଓଡ଼ିଶା। ନୂଆ ଷ୍ଟାର୍ଟ-ଅପକୁ ପ୍ରୋତ୍ସାହନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଆଧୁନିକ ଇକୋ ସିଷ୍ଟମ ନିର୍ମାଣ ପାଇଁ ମୋଦି ଆହ୍ବାନ ଦେଇଛନ୍ତି। ଶିଳ୍ପରେ ସଶକ୍ତ ହେଲେ ଉତ୍କର୍ଷ ହେବ ଓଡ଼ିଶା। ସେହିପରି ବିକଶିତ ଭାରତ ନିର୍ମାଣରେ ଓଡ଼ିଶାର ବଡ଼ ଭାଗିଦାରୀ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ସମ୍ମିଳନୀରେ ୨୦ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ କ୍ଷେତ୍ରକୁ ନେଇ ଆଲୋଚନା ହେଉଛି । କାର୍ଯ୍ୟକ୍ରମ ଅବସରରେ ୧୫୦ ଜଣ ପ୍ରଦର୍ଶକ ସେମାନଙ୍କ ପ୍ରଡକ୍ଟ, ସର୍ଭିସ ଇନୋଭେସନ ଜନତା ମଇଦାନରେ ପ୍ରଦର୍ଶନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଷ୍ଟଲ କରାଯାଇଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନା ଭଳି ଯେଉଁ ବଡ ଯୋଜନା କରାଯାଇଛି। ଏହାକୁ ନେଇ ସ୍ଵତନ୍ତ୍ର ଭାବେ ଆଲୋଚନା ହେବ। ମହିଳା ନେତୃତ୍ଵ ଗୋଲ ଟେବୁଲ ବୈଠକ, ସିଇଓ ଗୋଲ ଟେବୁଲ ବୈଠକ, ଏଡିଟର ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେବ । ଶିଳ୍ପଦ୍ୟୋଗୀ, ଶିଳ୍ପ ବିଶେଷଜ୍ଞ ସହ ମଧ୍ୟ ଖୋଲା ଆଲୋଚନା କରାଯିବ।

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ

ଭୁବନେଶ୍ବର: ଆସିଛି ଏକ ବଡ଼ ଖବର । ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ  ହୋଇପଡ଼ିଛନ୍ତି । ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ହେଉଛନ୍ତି ବିଶ୍ୱଭୂଷଣ ।

ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ମିଳନୀରେ ୨୦ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି। ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଶିଳ୍ପ କ୍ଷେତ୍ରକୁ ନେଇ ଆଲୋଚନା ହୋଇଛି । କାର୍ଯ୍ୟକ୍ରମ ଅବସରରେ ୧୫୦ ଜଣ ପ୍ରଦର୍ଶକ ସେମାନଙ୍କ ପ୍ରଡକ୍ଟ, ସର୍ଭିସ ଇନୋଭେସନ ଜନତା ମଇଦାନରେ ପ୍ରଦର୍ଶନ କରିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଷ୍ଟଲ କରାଯାଇଥିଲା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶା, ସ୍କିଲ ଇନ ଓଡ଼ିଶା ଏବଂ ସୁଭଦ୍ରା ଯୋଜନା ଭଳି ଯେଉଁ ବଡ ଯୋଜନା କରାଯାଇଥିଲା । ଏହାକୁ ନେଇ ସ୍ଵତନ୍ତ୍ର ଭାବେ ଥିମ ବେଶ ସେସନ ଅନୁଷ୍ଠିତ ହୋଇ ଆଲୋଚନା କରାଯାଇଥିଲା । ମହିଳା ନେତୃତ୍ଵ ଗୋଲ ଟେବୁଲ ବୈଠକ, ସିଇଓ ଗୋଲ ଟେବୁଲ ବୈଠକ, ଏଡିଟର ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା । ଶିଳ୍ପଦ୍ୟୋଗୀ, ଶିଳ୍ପ ବିଶେଷଜ୍ଞ ସହ ମଧ୍ୟ ଖୋଲା ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ପ୍ରଦାନ କରିଥିଲେ । ସମୃଦ୍ଧିର ଶିଖରକୁ ଓଡ଼ିଶା ଛୁଇଁବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ଶିମିଳିପାଳ ଅଭୟାରଣ୍ୟରେ ଥିବା ଅନ୍ୟତମ ପୋଷା ହାତୀ ଭବାନୀ ଆଖି ବୁଜିଲା

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ଥିବା ଅନ୍ୟତମ ପୋଷା ହାତୀ ଭବାନୀର ମୃତ୍ୟୁ। ୬୨ ବର୍ଷ ବୟସରେ ଜେନାବିଲ ଠାରେ ତାର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାକୁ ନରମ ଖାଦ୍ୟ ଦିଆଯାଉଥିଲା। ଆଜି ସକାଳେ ତାର ମୃତ୍ୟୁ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶଵ ଵ୍ୟଵଚ୍ଛେଦ ପରେ ପୋତା ଯିବ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଗତ ୨୦୦୧ ମସିହାରେ କର୍ଣ୍ଣାଟକରୁ ଶିମିଳିପାଳକୁ ତିନୋଟି ହାତୀ ଶୋଭା, ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା। ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା। ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ ଉଦବେଗ ପ୍ରକାଶ କରିଛନ୍ତି।

ଚିକିଟିରେ ୪ ଜଣଙ୍କୁ ଅପହରଣ ମାମଲାରେ ୨ ଜଣ ଗିରଫ

ଚିକିଟି: ଚିକିଟିରେ ୪ ଜଣଙ୍କୁ ଅପହରଣ କରି ୨ କୋଟି ଦାବି ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ। ଅପହରଣ ଘଟଣାରେ ଅଟକ ଥିବା ଭୋଳାସିଙ୍ଗି ଗାଁର ପୃଥ୍ବୀରାଜ ସାହୁ ଓ ସୁନୀତା ବେହେରା ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ସୁନୀତାଙ୍କ ଘର ପଛପଟେ ଥିବା ପ୍ରାୟ ଏକରରୁ ଅଧିକ ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ରବିବାର ରାତିରେ ଚିକିଟିଗଡରେ ଥିବା ଏକ ଭଙ୍ଗାଦଦରା ଘରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଚାରି ଜଣଙ୍କୁ ଭଙ୍ଗାଦଦରା ଘରେ ରଖି ନାଗସାପ ଦେଖାଇ ୨ କୋଟି ଟଙ୍କା ମାଗିଥିଲେ ଅଭିଯୁକ୍ତ।

ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼: ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ

କୋଣାର୍କ: ଆସନ୍ତା ଫେବ୍ରୁଆରୀ ୪ରେ ପବିତ୍ର ମାଘ ସପ୍ତମୀରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼। ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଚଳିତ ବର୍ଷ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡକୁ ଶୃଙ୍ଖଳିତ କରିବା ପାଇଁ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗ ଦ୍ଵାରା ତୀର୍ଥ ପୁଷ୍କରିଣୀ ଖନନ, ବ୍ୟାରିକେଟ ନିର୍ମାଣ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ପାନୀୟଜଳ, ସିସିଟିଭି ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ନୀତିକାନ୍ତି ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଉପଜିଲ୍ଲାପାଳ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ନିମାପଡ଼ା ଏସଡିପିଓ ଓ କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।