spot_img
Home Blog Page 1263

ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ, ୨ ଗିରଫ

ମୟୂରଭଞ୍ଜ: ବନ୍ଧୁକ କାରଖାନା ଉପରେ ଚଢ଼ାଉ କରି ୨ଜଣ ବନ୍ଧୁକ କାରିଗରକୁ ଗିରଫ କରିଛି ଉଦଳା କପ୍ତିପଦା ବନବିଭାଗ। ଗତ ୨୫ ତାରିଖରେ କୁଲଡିହା ୱାଇଲଡ ଲାଇଫ ଅଫିସର କୁନା ସିଂ ନାମକ ଜଣେ ଶିକାରୀକୁ ଗିରଫ କରିବା ପରେ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଥିଲା।

ସୂଚନା ଅନୁଯାୟୀ, କପ୍ତିପଦା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଁ ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲେ । ଅନେକ ଖୋଳତାଡ କରିବା ପରେ ଦେଶୀ ବନ୍ଧୁକଟି ମାଙ୍କଡପଡା ଗାଁରେ ତିଆରୀ କରାଯାଇଥିବା ଜାଣିବାକୁ ମିଳିଥିଲା। ଏନେଇ ଗତକାଲି ରାତିରେ କପ୍ତିପଦା ବନ ବିଭାଗ ମାଙ୍କଡ଼ପଡା ଅଞ୍ଚଳରେ ଚଢ଼ାଉ କରି ବନ୍ଧୁକ ପ୍ରସ୍ତୁତ କରୁଥିବା ୨ ଜଣ ବେପାରୀଙ୍କୁ ଗିରଫ କରିଥିଲା।

ଗିରଫ ୨ ଜଣ ହେଲେ ୨ ଭାଇ ରବୀନ୍ଦ୍ର ଲୋହାର ଏବଂ ଦୁଃଶାସନ ଲୋହାର। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ତିଆରିରେ ଲାଗୁଥିବା ନଜଲ ପାଇପ, ହାତୁଡି, ଓ ଅନ୍ୟ ସାମଗ୍ରୀ ଜବତ କରିବା ପରେ ୨ ଭାଇଙ୍କୁ ପୋଲିସକୁ ହସ୍ତାନ୍ତର କରିଛି ବନବିଭାଗ।

ଜିରୋ ନାଇଟ ସେଲିବ୍ରେସନ ନାଁରେ ଚୋରାରେ ମଦ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଚୋରା ମଦ ବିକୁଥିଲେ ହେଇଯାନ୍ତୁ ସାବଧାନ! ଜିରୋ ନାଇଟ ସେଲିବ୍ରେସନକୁ ନେଇ ଅବକାରୀ ବିଭାଗର ପ୍ରସ୍ତୁତି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର କଡା ନଜର ରହିଛି। ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ। ଆଗାମୀ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଜିରୋ ନାଇଟ ପାଇଁ କାହାକୁ ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ବିଦ୍ୟୁତ୍ ଆଘାତରେ ଚାଷୀ ମୃତ

ଚାନ୍ଦବାଲି: ବିଦ୍ୟୁତ୍ ଆଘାତରେ ଚାଷୀ ମୃତ। ଚାନ୍ଦବାଲି ଏନ.ଏ.ସି ନରସିଂହପୁର ଗାଁରେ ଅଘଟଣ। ବିଲରେ ଧାନ ଗଦା କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ଛିଡିଯାଇଥିଲା। ମୃତ ବ୍ୟକ୍ତି ସେହି ଗାଁର ହେଲେ ପ୍ରମୋଦ ଦାସ ।

ସୂଚନା ଅନୁଯାୟୀ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରମୋଦ ଦାସଙ୍କର ମୃତ୍ୟୁ ଘଟିଛି। ୨ ଏକର ଚାଷ ଜମିର ଧାନ ସମ୍ପୂର୍ଣ୍ଣ ପୋଡି ଯାଇଛି। କ୍ଷତିପୂରଣ ଦାବି କରି ବିଦ୍ୟୁତ୍ ବିଭାଗ ଅଫିସ ସାମ୍ନାରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

ପିଉସୀଙ୍କୁ ଦୁର୍ଷ୍କମ ପରେ ଝିଆରୀଙ୍କୁ ବ୍ଲାକମେଲ ମାମଲାରେ ୨ ଗିରଫ

କେନ୍ଦ୍ରାପଡା: ପିଉସୀଙ୍କୁ ଦୁର୍ଷ୍କମ ପରେ ନାବାଳିକା ଝିଆରୀଙ୍କୁ ବ୍ଲାକମେଲ ମାମଲାର ଦୁଇ ଭାଇ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଡ଼ ଭାଇ ଶାରୀରିକ ସମ୍ପର୍କ ରଖିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲା। ଏହାପରେ ମହିଳାଙ୍କୁ ଧୋକା ଦେଲା ରସିକିଆ ପ୍ରେମିକ ସୁଜିତ ସେଠୀ । କିନ୍ତୁ ସେହି ଭିଡିଓକୁ ସୁଜିତର ସାନ ଭାଇ ରାଜକିଶୋର ସେଠୀ ବଡ଼ ଭାଇର ପ୍ରେମିକାଙ୍କ ଭିଡିଓକୁ ନେଇ ସେହି ଯୁବତୀଙ୍କ ଝିଆରୀ ପାଖକୁ ପଠାଇ ବ୍ଲାକମେଲିଙ୍ଗ କରିଥିଲା । ନାବାଳିକା ଝିଆରୀ ଜଣଙ୍କ ଏକ ନିର୍ଦିଷ୍ଟ ସ୍ଥାନକୁ ଯାଇଥିବା ବେଳେ ରାଜକିଶୋର ତାଙ୍କୁ ଅଟକାଇ ଅସଦାଚରଣ କରି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏନେଇ ଯୁବତୀ ଜଣଙ୍କ ଡେରାବିଶ ଥାନାରେ ଅଭିଯୋଗ କରିବା ପରେ ଡେରାବିଶ ପୋଲିସ ଦୁଇ ଭାଇ ସୁଜିତ ସେଠୀ ଓ ରାଜକିଶୋର ସେଠୀଙ୍କୁ ଗିରଫ କରି ପୋକସୋ ଆକ୍ଟ ଓ ଦୁଷ୍କର୍ମ ଦଫାରେ କୋର୍ଟ ଚାଲାଣ କରିଛନ୍ତି।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ଯାହାକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି । ଜାନୁଆରୀ ପହିଲା ୨୦୨୫ରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ମନୋଜ ଚଳିତ ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ହେଲେ ତା ପୂର୍ବରୁ ତାଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ଲାଗି ବୃଦ୍ଧି କରାଯାଇଛି । ୧୯୯୦ ବ୍ୟାଚର ଏହି ଆଇଏଏସ ଅଫିସର ୨୦୧୭ରେ ଡେପୁଟେସନରେ ଯାଇ କେନ୍ଦ୍ର ଅଧୀନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟରତ ଥିଲେ । ଏବେ ତାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି କରାଯାଇଥିବାରୁ ସେ ୨୦୨୬ ଜାନୁଆରୀ ପହିଲା ଯାଏଁ ତାଙ୍କ ପଦବୀରେ ରହି କାର୍ଯ୍ୟ କରିବେ ।

ବେଆଇନ ଚାନ୍ଦା ଆଦାୟକୁ ନେଇ ସଂଘର୍ଷ, ୫ ଜଣ ଆହତ

କେନ୍ଦୁଝର : ବାଲି ଗାଡ଼ିରୁ ବେଆଇନ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ୫ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳଣିଆଁ ଅଞ୍ଚଳରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଶାଳଣିଆଁର ଗୋଟିଏ ଗୋଷ୍ଠୀ ଦୀର୍ଘଦିନ ହେଲା ଚାନ୍ଦା ଆଦାୟ କରୁଥିବା ବେଳେ ଆଉ ଏକ କିଛି ଯୁବକ ଗତକାଲି ଓରାଳି – ଶାଳଣିଆଁ ରାସ୍ତାରେ ଚାନ୍ଦା ଆଦାୟ କରିଥିଲେ। ଏହାକୁ ପୂର୍ବରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିମାନେ ବିରୋଧ କରିବାରୁ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷର ୫ଜଣ ଆହତ ହୋଇ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ମହିଳାମାନେ ଓରାଳି – ଶାଳଣିଆଁ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।

ଚାଷୀଙ୍କୁ କ୍ଷତିପୂରଣ ଦାବି ନେଇ କଟକ ଜିଲ୍ଲାପାଳଙ୍କୁ ଭେଟିଲା ବିଜେଡି ଟିମ୍

କଟକ : ଚାଷୀଙ୍କୁ କ୍ଷତିପୂରଣ ଦାବି କରି କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ବିଜେଡି ଟିମ୍ । ଦଳ ଅଭିଯୋଗ କରିଛି, ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଚାଷ ସହିତ ପରିବା ଫସଲ ନଷ୍ଟ ହୋଇଛି। ବିଲରେ, ଖଳାରେ ବ୍ୟାପକ ଧାନ ନଷ୍ଟ ହୋଇଛି। ଏପରିକି ଗଜା ହେବା ଭଳି ଅବସ୍ଥା।

ଚାଷୀଙ୍କ ବର୍ଷକ ଯାକର ପରିଶ୍ରମ ଓ ଦାନା ଅଦିନିଆ ବର୍ଷାରେ ଉଜୁଡ଼ି ଯାଇଛି। ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ଏହି ଦାବି କରି କଟକ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେଡି। ବୀମା ଓ କ୍ଷୟକ୍ଷତି ର ଆକଳନ ପାଇଁ ଧାର୍ଯ୍ୟ ୭୨ ଘଣ୍ଟା ସମୟ ପର୍ଯ୍ୟାପ୍ତ ନୁହେଁ ତେଣୁ ଏହାକୁ ବଢାଇବା ପାଇଁ ପ୍ରତିନିଧି ଦଳ ଦାବି କରିଛି। ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ବିଜେଡି। ବିଜେଡିର ପ୍ରତିନିଧି ଦଳରେ ଥିଲେ ସାଂସଦ ଦେବାଶିଷ ସାମନ୍ତରାୟ, ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ ଜିଲ୍ଲା ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷ ।

ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନମୋହନ ସିଂହଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୋଦି। ଦୀର୍ଘ ଦିନ ଅସୁସ୍ଥତାରୁ ଗତକାଲି ଦିଲ୍ଲୀ ଏମସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡକ୍ଟର ମନମୋହନ ସିଂହଙ୍କ ବିୟୋଗ ଆମ ସମସ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିଭାଜନର ସମୟରେ ଭାରତକୁ ଆସି ଜୀବର ସମସ୍ତ କ୍ଷେତ୍ରରେ ଉପଲବ୍ଧୀ ହାସଲ କରିବା ସହଜସାଧ୍ୟ କଥା ନୁହଁ। ଜଣେ ଶ୍ରେଷ୍ଠ ବ୍ୟକ୍ତିତ୍ଵ ଏବଂ ବିଦ୍ଵାନ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କୁ ଦେଶ ସର୍ବଦା ମନେ ପକାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାଥିରେ ଥିଲେ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେପି ନଡ୍ଡା ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ତାଙ୍କର ସରକାରୀ ବାସଭବନରେ ରଖାଯାଇଛି। ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି।

ପୋଲିସ ଏଏସଆଇଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ପ୍ରଧାନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ରାଇସିଂ ଯୋଡି ନାଳ ନିକଟରେ ଥିବା ଏକ ଗଛରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟରତ ଏଏସଆଇ ରେଣୁ ପ୍ରସାଦ ଗତ ସୋମବାର ଦିନ କୌଣସି କାର୍ଯ୍ୟରେ ନବରଙ୍ଗପୁର ଯାଇଥିଲେ। ତା ପରଠୁ ଆଉ ଘରକୁ ଫେରିନଥିଲେ। ଆଜି ତେନ୍ତୁଳିଖୁଣ୍ଟି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ, ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ। ଏଏସଆଇ ରେଣୁ ପ୍ରସାଦ ପ୍ରଧାନଙ୍କ ଘର ପାପଡାହାଣ୍ଡି ଥାନା ତୁମ୍ବର୍ଲା ଗାଁରେ। ସେ ତେନ୍ତୁଳିଖୁଣ୍ଟି ପୋଲିସ କଲୋନୀରେ ନିଜ ପରିବାର ସହ ରହୁଥିଲେ। ଖବର ପାଇ ମୃତ ଏଏସଆଇଙ୍କ ଦୁଇ ପୁଅ ଏବଂ ଭାଇ ପହଞ୍ଚିଛନ୍ତି ।  ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ।